ଏକ ଧାରଣକ୍ଷମ ଧରଣୀ

ପରିବେଶ ଚର୍ଚ୍ଚା - ଅମୂଲ୍ୟ କୁମାର ପଣ୍ତା

ଇ˚ରେଜ ବସ୍ତୁବାଦୀ ଦାର୍ଶନିକ ଫ୍ରାନ୍‌ସିସ୍‌ ବେକନ୍‌ ‘ବିଜ୍ଞାନ ଅଧୢୟନରେ ପ୍ରୟୋଗବାଦ’ର ଜନକ ଭାବେ ଜଣାଶୁଣା। ପ୍ରାୟ ୪୦୦ ବର୍ଷ ପୂର୍ବେ ସେ ଏକ ସ୍ବପ୍ନ ଦେଖିଥିଲେ; ତଦନୁଯାୟୀ ଶପଥ ମଧୢ ନେଇଥିଲେ ଯେ କିଛି ଭାଗ୍ୟବାନ୍‌, ଅତିମାନବୀୟ ବୀରପୁଙ୍ଗବଙ୍କୁ ନେଇ ସେ ଏକ ଗୋଷ୍ଠୀ ଗଢ଼ିବେ, ଯେଉଁ ଗୋଷ୍ଠୀ ପ୍ରକୃତି ଓ ସମାଜ ଉପରେ ଆଧିପତ୍ୟ ବିସ୍ତାର କରିବ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ, ‘ପୃଥିବୀ ସୃଷ୍ଟି ହୋଇଛି ମଣିଷ ପାଇଁ, ମଣିଷର ସୃଷ୍ଟି ପୃଥିବୀ ପାଇଁ ନୁହେଁ।’ ସେ ଯେଉଁ ଉଦ୍ଦେଶ୍ୟରେ ଏହା କହିଥାନ୍ତୁ ପଛକେ, ତାଙ୍କର ଏହି ଉକ୍ତି ଆମକୁ ପ୍ରକୃତି ବିରୋଧରେ ‘ଯୁଦ୍ଧ˚ ଦେହି’ ଡାକରା ଦେବାକୁ ପ୍ରରୋଚିତ କରିଛି ବୋଲି ମନେହୁଏ। କିନ୍ତୁ କ୍ଷୋଭର ବିଷୟ, ଆମେ ଭୁଲିଯାଉଛୁ ଯେ ପ୍ରକୃତି ହେଉଛି ଅସୀମ ସର୍ଜନଶୀଳତା, ଶୃଙ୍ଖଳା, ଅପରିମିତ ଶକ୍ତି ଏବ˚ ଅତୁଳନୀୟ ପ୍ରଜ୍ଞାର ଏକ ଅପୂର୍ବ ସମାହାର। ଆମେ ହେଉଛୁ ତା’ଦ୍ବାରା ସୃଷ୍ଟ ଅସ˚ଖ୍ୟ ପ୍ରଜାତିର ଜୀବଙ୍କ ଭିତରୁ ଗୋଟିଏ। ଅଥଚ ଯେଉଁ ପ୍ରକୃତି ଆମକୁ ଧାରଣ କରି ପୋଷଣ କରୁଛି, ଆମେ ତାକୁ ଧ୍ବ˚ସ କରୁଛୁ।

ଭାରତୀୟ ସ˚ସ୍କୃତି ଓ ପରମ୍ପରା ଆମକୁ ପ୍ରାକୃତିକ ସମ୍ପଦର ସୁଷମ ବ୍ୟବହାର ତଥା ତାର ଯୁକ୍ତିଯୁକ୍ତ ବିନିଯୋଗ ଓ ସ˚ରକ୍ଷଣ କରିବା କଥା ଶିଖାଇଛି। କିନ୍ତୁ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଆମେ ଚରମ ଉପଭୋକ୍ତାବାଦର ବଶବର୍ତ୍ତୀ ହୋଇ ତାହା ଭୁଲି ଯାଇ ପ୍ରାକୃତିକ ସମ୍ପଦକୁ ଶୋଷଣ ଓ ଉପଭୋଗ କରି ତାକୁ ଧ୍ବ˚ସ କରିଚାଲିଛେ। ଫଳରେ ପ୍ରଦୂଷଣ ବଢ଼ୁଛି, ବିଶ୍ବ ତାପନ ତୀବ୍ର ହେଉଛି, ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଦେଖାଦେଉଛି, ନୂଆ ନୂଆ ରୋଗ ବୀଜାଣୁର ଆବିର୍ଭାବ ଘଟୁଛି, ବହୁ ଜାତିର ଜୀବ ବିଲୋପ ହୋଇଯାଉଛନ୍ତି। ଉଦ୍ଭବ ପରଠାରୁ ବହୁ ବର୍ଷ ଧରି ମାନବମାନେ ଶିକାରୀ-ସ˚ଗ୍ରାହକ ଭାବେ ଜୀବନ ଯାପନ କରୁଥିଲେ। ଆମ ଇତିହାସର ଏହି ଅଧୢାୟର ଶୀର୍ଷକକୁ ‘ପ୍ରକୃତି ଭିତରେ ମଣିଷ’ ବୋଲି କୁହାଯାଇପାରେ। ବିଡ଼ମ୍ବନାର ବିଷୟ, ସାମ୍ପ୍ରତିକ ଅବସ୍ଥା ଓ ଆମର ମତିଗତିକୁ ଦେଖିଲେ ମାନବ ଇତିହାସର ଆଜିର ଅଧୢାୟର ଶୀର୍ଷକ ‘ପ୍ରକୃତି ବନାମ ମଣିଷ’ ବୋଲି ରଖିବା ଯୁକ୍ତିସଙ୍ଗତ ହେବ। ନିଜର ସୁବିଧା ଓ ସ୍ବାଚ୍ଛନ୍ଦ୍ୟ ଲାଗି ଆମେ ପ୍ରାକୃତିକ ସମ୍ପଦର ଉତ୍ତୋଳନ ତଥା ଉପଭୋଗ କରି ଆର୍ଥନୀତିକ ବିକାଶ ଲାଭ କରିଛୁ, କିନ୍ତୁ ସମୟକ୍ରମେ ଏହା ଆମ ବିକାଶ ଲାଗି ପଥ ପ୍ରଶସ୍ତ କରିଛି। ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ- ଆମର କ’ଣ ଲୋଡ଼ା- ବିକାଶ ନା ପରିବେଶ? ଏହାର ଉତ୍ତର ହେବ ଆମେ ଏଭଳି ବିକାଶ ଚାହୁଁ ଯାହା ସୁଷମ ବା ପୋଷଣୀୟ (ସଷ୍ଟେନେବଲ୍‌ ଡେଭେଲପ୍‌ମେଣ୍ଟ) ହେବ। ଏହି ଅବଧାରଣା ପ୍ରଥମେ ୧୯୮୦ ମସିହାରେ ଆନ୍ତର୍ଜାତିକ ପ୍ରକୃତି ସ˚ରକ୍ଷଣ ସ˚ଘ (IUCN) ଦ୍ବାରା ଦିଆ ଯାଇଥିଲା। ପରେ ୧୯୮୭ ମସିହାରେ ବ୍ରୁଣ୍ଟଲାଣ୍ତ କମିସନ ଏହାର ସ˚ଜ୍ଞା ନିରୂପଣ କରି କହିଛନ୍ତି, ‘ଏହା ଏହିପରି ଏକ ବିକାଶ ଯାହା ଭବିଷ୍ୟତ ପିଢ଼ିର ନିଜସ୍ବ ଚାହିଦା ମେଣ୍ଟାଇବାର ସାମର୍ଥ୍ୟ ସହ ସାଲିସ ନ କରି ବର୍ତ୍ତମାନର ଆବଶ୍ୟକତା ପୂରଣ କରିପାରିବ।’

୨୦୧୫ ମସିହାରେ ଜାତିସ˚ଘ ସାଧାରଣ ପରିଷଦ ନେଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ୧୭ ଗୋଟି ପୋଷଣୀୟ ବିକାଶ ଲକ୍ଷ୍ୟ ପୂରଣ କରାଯିବ। ଏଗୁଡ଼ିକ ହେଉଛି- ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧା ନିର୍ମୂଳନ, ଉତ୍ତମ ସ୍ବାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମତା, ବିଶୁଦ୍ଧ ଜଳ, ପରିଷ୍କାର ଶକ୍ତି, କର୍ମନିଯୁକ୍ତି, ଶିଳ୍ପ ଓ ନବ-ପ୍ରବର୍ତ୍ତନ ତଥା ଭିତ୍ତିଭୂମି, ବୈଷମ୍ୟ ହ୍ରାସ, ପୋଷଣୀୟ ସହର ଓ ଗୋଷ୍ଠୀ, ଦାୟିତ୍ବସମ୍ପନ୍ନ ବିନିଯୋଗ ଓ ଉତ୍ପାଦନ, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଜଳ ତଳର ଜୀବନ, ସ୍ଥଳ ଜୀବନ, ଶାନ୍ତି ଓ ନ୍ୟାୟ ପ୍ରତିଷ୍ଠା, ଲକ୍ଷ୍ୟ ହାସଲ ପାଇଁ ସହଭାଗିତା। ଏଥିରୁ ସ୍ପଷ୍ଟ ହେଉଛି ଯେ ବିକାଶର ଅର୍ଥ କେବଳ ଅର୍ଥନୈତିକ ସମୃଦ୍ଧି ନୁହେଁ, ବର˚ ଏହା ସହିତ ଆବଶ୍ୟକ ବ୍ୟକ୍ତିତ୍ବ ତଥା ଚେତନାର ଉତ୍ତରଣ।
କିନ୍ତୁ ଏହାର ବିପରୀତ ହିଁ ଘଟୁଛି। ସାମ୍ପ୍ରତିକ ସମ୍ପଦ ବ୍ୟବହାରର ହାରରୁ ସ୍ପଷ୍ଟ ଯେ ଆମ ପାଇଁ ଗୋଟିଏ ନୁହେଁ, ୧.୭୫ଟି ପୃଥିବୀ ଦରକାର। ବିଶ୍ବ ଜନସ˚ଖ୍ୟା ବଢ଼ି ଚାଲିଛି ଏବ˚ ୨୦୫୦ ମସିହା ବେଳକୁ ଏହା ୯.୫ ବିଲିଅନ୍‌ ହୋଇଯିବ। ସେତେବେଳକୁ ଆମକୁ ୩ଟି ପୃଥିବୀ ଦରକାର ପଡ଼ିବ। ୨୦୧୭ ମସିହାର ଏକ ଅଧୢୟନ ଅନୁଯାୟୀ ଆମେ ବର୍ଷକୁ ୮୮ ବିଲିଅନ୍‌ ଟନ୍‌ ପ୍ରାକୃତିକ ସମ୍ପଦ (ପ୍ରତି ବ୍ୟକ୍ତି ପାଇଁ ହାରାହାରି ୧୧ ଟନ୍‌) ବ୍ୟବହାର କରି ଦେଉଛେ। ପୁଣି ଅଧିକ କ୍ଷୋଭର ବିଷୟ ହେଲା ପ୍ରକୃତି ବର୍ଷକ ଭିତରେ ଯେତିକି ଉତ୍ପାଦନ କରିପାରୁଛି ତାକୁ ଆମେ ବର୍ଷେ ପୂରିବା ପୂର୍ବରୁ ହିଁ ନିଃଶେଷ କରି ଦେଉଛେ। ଗତ ବର୍ଷ ଜୁଲାଇ ୨୯ ଦିନ ହିଁ ବର୍ଷକର ସମ୍ପଦ ନିଃଶେଷ ହୋଇ ଯାଇଥିଲା। ତା’ପରେ ବ୍ୟାଙ୍କର ‘ଓଭରଡ୍ରାଫ୍‌ଟ’ ପରି ଆମେ ଆଗୁଆ ବିନିଯୋଗ ଆରମ୍ଭ କରି ଦେଇଥିଲେ। ଏ’ବର୍ଷ କରୋନା ମହାମାରୀ ଯୋଗୁଁ ଆମ ଜୀବନଶୈଳୀ ଓ ସମ୍ପଦ ବିନିଯୋଗ ଢାଞ୍ଚାରେ କିଛି ପରିବର୍ତ୍ତନ ଦେଖା ଦେଇଛି ଓ ୨୨ ଅଗଷ୍ଟରେ ଆମେ ‘ଓଭରଡ୍ରାଫ୍‌ଟ’ ଆରମ୍ଭ କରିବା ବୋଲି ଆକଳନ କରାଯାଇଛି। ଏହିପରି ଦିନକୁ ‘ଧରିତ୍ରୀ ସୀମାଲ˚ଘନ ଦିବସ’ ବୋଲି କୁହାଯାଉଛି।

ଆଜି କାଲି ଏହା ମଧୢ ଦେଖାଯାଉଛି ଯେ ବହୁ ପରିମାଣର ସମ୍ପଦ ଠିକ୍‌ ଭାବେ ବିନିଯୋଗ ନ କରି ଆମେ ନଷ୍ଟ କରୁଛୁ। ଉଦାହରଣ ସ୍ବରୂପ- ବାର୍ଷିକ ଉତ୍ପାଦିତ ଖାଦ୍ୟର ପ୍ରାୟ ଏକ ତୃତୀୟା˚ଶ ଅଯଥା ନଷ୍ଟ ହେଉଛି; ଏହାଦ୍ବାରା ସବୁଜ କୋଠରି ଗ୍ୟାସ୍‌ ଉତ୍ସର୍ଜନ ମଧୢ ବଢ଼ୁଛି। ଏକ ହିସାବରୁ ଜଣାଯାଏ ଯେ ୩ କିଲୋଗ୍ରାମ ନଷ୍ଟ ହେଉଥିବା ଖାଦ୍ୟ ୨୩ କିଲୋଗ୍ରାମ ଅଙ୍ଗାରକାମ୍ଳ ଉତ୍ସର୍ଜନ ପାଇଁ ଦାୟୀ। ସେହିପରି ଗୋଟିଏ ଜିନ୍‌ ପ୍ୟାଣ୍ଟ ତିଆରି କରିବାକୁ ପ୍ରାୟ ୭,୫୦୦ ଲିଟର ପାଣି ନଷ୍ଟ କରି ଦିଆଯାଉଛି। ପ୍ରାକୃତିକ ସ˚ପଦର ଅପରିଣାମଦର୍ଶୀ ବ୍ୟବହାରକୁ ନେଇ ପ୍ରସ୍ତୁତ ଏକ ତାଲିକା କହିଥାଏ ଯେ କୁଏତ୍‌ ଭଳି ପ୍ରାକୃତିକ ସମ୍ପଦ ବ୍ୟବହାର କଲେ ଆମକୁ ୫.୧ଟି ପୃଥିବୀ ଦରକାର ପଡ଼ିବ। ତା’ପଛକୁ ରହିଛନ୍ତି ଅଷ୍ଟ୍ରେଲିଆ (୪.୮ଟି), ୟୁ.ଏ.ଇ (୪.୭ଟି), କାତାର (୪.୦ଟି), ଯୁକ୍ତରାଷ୍ଟ୍ର ଆମେରିକା (୩.୯ଟି), କାନାଡା (୩.୮ଟି), ସ୍ବିଡେନ୍‌ (୩.୮ଟି), ବାହାରିନ (୩.୬ଟି), ଟ୍ରିନିଡାଡ୍‌ ଓ ଟବାଗୋ (୩.୫ଟି) ଓ ସିଙ୍ଗାପୁର (୩.୪ଟି)। ଭାରତ କ୍ଷେତ୍ରରେ ଏହା ୦.୭ଟି ପୃଥିବୀ। ସୁଖର କଥା ଭାରତୀୟଙ୍କ ସରଳ, ମିତବ୍ୟୟୀ, ଜୀବନଶୈଳୀ ଏହାର ମୁଖ୍ୟ କାରଣ।

କୋଭିଡ୍‌-୧୯ ସ˚କ୍ରମଣ ଏକ ବିଶ୍ବ-ମହାମାରୀର ରୂପ ନେବା ପଛରେ ରହିଛି ପ୍ରାକୃତିକ ସମ୍ପଦର ଅପଚୟ ଓ ପରିବେଶର ଅବକ୍ଷୟ। କିନ୍ତୁ କରୋନା ହେତୁ ଆମର ବିକାଶମୂଳକ କାର୍ଯ୍ୟକ୍ରମ ଏବ˚ ସମ୍ପଦ ବିନିଯୋଗରେ କିଛି ପରିବର୍ତ୍ତନ ଘଟିଛି, ଯାହା ସ୍ବାଗତଯୋଗ୍ୟ। ବହୁ ବର୍ଷ ପୂର୍ବେ ‘ଵାର୍ଲ‌୍‌ଡ ଵାଚ୍‌ ପ୍ରତିଷ୍ଠାନ’ର ଅଧୢକ୍ଷ ଲେଷ୍ଟର‌୍‌ ବ୍ରାଉନ୍‌ ଚେତାବନୀ ଦେଇ କହିଥିଲେ, ‘ବିଶ୍ବ ଅର୍ଥନୀତିର ବିକାଶ ଅର୍ଥ ପରିସ˚ସ୍ଥାର ଦ୍ରୁତ ଧ୍ବ˚ସପ୍ରାପ୍ତି।’ ଏବେ ଏହିପରି ଚିନ୍ତାଧାରାକୁ ଗୁରୁତ୍ବ ଦେଇ ‘ପୋଷଣୀୟ ବିକାଶ ପ୍ଲସ୍‌’କୁ ଅବଲମ୍ବନ କରାଯାଉଛି। ଏହି ବିକାଶର ଅର୍ଥ ବର୍ତ୍ତମାନ ଓ ଭବିଷ୍ୟତରେ ନିରାପଦ ଭାବେ ଜିଇବାକୁ ହେଲେ ଉଚ୍ଚ ମାନର ବୈଜ୍ଞାନିକ ଗବେଷଣା ଏବ˚ ପ୍ରଯୁକ୍ତିଭିତ୍ତିକ ପ୍ରୟୋଗ ଉପରେ ନିର୍ଭର କରିବା ସହ ଜନସାଧାରଣଙ୍କ ସକ୍ରିୟ ଅ˚ଶ ଗ୍ରହଣ ନିଶ୍ଚିତ କରିବା।

ଗଭୀର ପରିତାପର ବିଷୟ, ଗତ ୭ ଦଶନ୍ଧି ଭିତରେ ଦେଶର ୮୦% ଜଙ୍ଗଲ ଧ୍ବ˚ସ କରାଯାଇଛି। ଫଳରେ ପ୍ରାୟ ୯୦% ଜୈବବିବିଧତା ନଷ୍ଟ ହୋଇଯାଇଛି। ଏହି କ୍ଷତିର ଭରଣା ଅପରିହାର୍ଯ୍ୟ। ଦେଶର ଅନ୍ୟୂନ ଏକ ତୃତୀୟା˚ଶ ଅଞ୍ଚଳରେ ସଘନ ବନୀକରଣ ଆବଶ୍ୟକ। ଏବ˚ ବନୀକରଣ ବେଳେ କିଭଳି ବୃକ୍ଷ ରୋପଣ କରାଯିବା ଉଚିତ, ତା ଉପରେ ବିଶେଷ ଧୢାନ ରହିବା ଆବଶ୍ୟକ। ଅନିୟନ୍ତ୍ରିତ ବନ୍ୟଜନ୍ତୁ ବ୍ୟବସାୟ ଓ ଚୋରା ଚାଲାଣ ଓ ଶିକାର ରୋକାଯିବା ଦରକାର। କରୋନା ଭୂତାଣୁ କେମିତି ବାଦୁଡ଼ିରୁ ମଣିଷ ଶରୀରକୁ ଆସିଲା, ତାହା ସମସ୍ତଙ୍କୁ ଜଣା। ‘ବାଇଓଡାଇଭର୍ସିଟି’ (ଜୈବ ବିବିଧତା) ଶବ୍ଦର ପ୍ରଚଳନକାରୀ ଟମାସ୍‌ ଲଭଜଏ କହିଛନ୍ତି ଯେ ପ୍ରକୃତିର କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ଆମେ ଏହି ସଙ୍କଟକୁ ଡାକିଆଣିଛେ। ଏହି କାରଣରୁ ପ୍ରତିବର୍ଷ ୩-୪ଟି ନୂଆ ଭୂତାଣୁର ଉଦ୍ଭବ ଘଟୁଛି। ଏହା ସହିତ ସମନ୍ବିତ ଚାଷ, ବିଶେଷତଃ ଜୈବ ଚାଷକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ପ୍ରଚୁର ସୂର୍ଯ୍ୟାଲୋକ ଏବ˚ ବାୟୁ ଚଳାଚଳ ପାଇଁ ସୁବିଧା ରଖି ଗୃହ ନିର୍ମାଣ ଏବ˚ ସହର ତଥା ଗ୍ରାମ ପରିକଳ୍ପନା କରାଯିବା ଉଚିତ। ପ୍ରତ୍ୟେକ ପରିସ˚ସ୍ଥାର ଏକ ନିର୍ଦ୍ଦିଷ୍ଟ ଧାରଣ କ୍ଷମତା ରହିଥିବାରୁ ସେହି ପରିସ˚ସ୍ଥାକୁ ସୁହାଇଲା ଭଳି ଉନ୍ନୟନ ମୂଳକ କାର୍ଯ୍ୟ କରାଯିବା ଜରୁରୀ। ନୂଆ ନୂଆ ରୋଗର ପୂର୍ବାନୁମାନ ତଥା ଆଗୁଆ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ଗବେଷଣାର ବ୍ୟବସ୍ଥା ମଧୢ କରାଯିବା ଉଚିତ। ମହାମାରୀ ପ୍ରପୀଡ଼ିତ ବିଶ୍ବ ଏବ˚ ମହାମାରୀ ପରବର୍ତ୍ତୀ ଜୀବନଧାରଣ ପାଇଁ ପୋଷଣୀୟ ଉତ୍ପାଦନ, ମିତବ୍ୟୟୀ ବିନିଯୋଗ ଏବ˚ ସବୁଜ ନିବେଶ ସମ୍ପର୍କିତ ନୂତନ ରଣକୌଶଳ ଉପରେ ନିର୍ଭର କରିବାକୁ ପଡ଼ିବ। ପ୍ରକୃତି ସହ ପ୍ରତିଦ୍ବନ୍ଦ୍ବିତା ନ କରି, ସମ୍ପଦର ସୁପରିଚାଳନା କରି ପ୍ରକୃତି ସହ ବଞ୍ଚିବା ଉଦ୍ୟମ କରାଯିବା ଉଚିତ। ଆମକୁ ବୌଦ୍ଧ ଦାର୍ଶନିକ ଦାଇସାକୁ ଇକେଡ଼ାଙ୍କ ପରାମର୍ଶ ଶୁଣିବାକୁ ହେବ ଯାହା କହିଥାଏ: ‘ପ୍ରକୃତି ସହ ବାସ କର, ପ୍ରକୃତିକୁ ଭଲ ପାଅ, ପ୍ରକୃତିର ସୁରକ୍ଷା କର, ପ୍ରକୃତି ଠାରୁ ଶିଖ, ତା’ହେଲେ ସମସ୍ତ ସ˚କୀର୍ଣ୍ଣ ପ୍ରବୃତ୍ତିର ଊର୍ଦ୍ଧ୍ବକୁ ଉଠି ହେବ।’

ମୋ: ୮୨୮୦୨୩୯୯୫୬

ସମ୍ବନ୍ଧିତ ଖବର