ଏକ ବିଷଣ୍ଣ ବିଶ୍ବର ଆଶଙ୍କା

କରୋନାକାଳୀନ ବିପତ୍ତି - ଡାକ୍ତର ଚଉଧୁରୀ ସତ୍ୟବ୍ରତ ନନ୍ଦ

‘କୋଭିଡ-୧୯’ ମହାମାରୀର ମୁକାବିଲା ପାଇଁ ଏବେ ପୃଥିବୀର ସର୍ବତ୍ର ‘ସଙ୍ଗରୋଧ’ ଓ ‘ଶାରୀରିକ ଦୂରତା’ ଭଳି ପଦକ୍ଷେପ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଉଛି। କିନ୍ତୁ ତା ସତ୍ତ୍ବେ ଏହା ମାଡ଼ି ଚାଲିଛି ଏବଂ କେବଳ ଗଲା ଜୁନ୍‌ ମାସରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଓ ମୃତକଙ୍କ ସଂଖ୍ୟା ୧୨ ହଜାର ହୋଇଛି। ଏଭଳି ଏକ ଅତ୍ୟନ୍ତ ବିମର୍ଷକର ସ୍ଥିତି ଏକ ‘ମାନସିକ ସ୍ବାସ୍ଥ୍ୟ ସଂକଟ’ର ରୂପ ନେବାକୁ ବସିଲାଣି। ଯେ ପର୍ଯ୍ୟନ୍ତ ‘କୋଭିଡ-୧୯’ ସକାଶେ କୌଣସି ଫଳପ୍ରଦ ପ୍ରତିଷେଧକ ବା ଔଷଧ ବାହାରି ନାହିଁ, ସେ ପର୍ଯ୍ୟନ୍ତ ବିଶ୍ବର ଏକ ବୃହତ୍‌ ଜନ ସମାଜ ଏଭଳି ମାନସିକ ଦୁଃସ୍ଥିତିର ସାମନା କରି ଚାଲିବ।

କରୋନା ସଂକ୍ରମଣକୁ ନେଇ ଭୟ ଓ ଆତଙ୍କ ଲୋକଙ୍କୁ ପରସ୍ପର ଠାରୁ ଦୂରେଇ ନେଇଛି। ଗଲା ୪ ତାରିଖରେ ଦକ୍ଷିଣ ଆଫ୍ରିକାର ଏକ ଗ୍ରାମାଞ୍ଚଳ‌େର ଘଟିଥିବା ବିଷୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ନେବାକାଜି ଉଇଲି ନାମକ ସତେଇଶ ବର୍ଷର ଜଣେ ଯୁବତୀ କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଘରକୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିବା ସତ୍ତ୍ବେ ଗାଁ ଲୋକେ ତାଙ୍କ ଘରକୁ ‘କରୋନା ଘର’ ଏବଂ ତାଙ୍କ ପୁଅକୁ ‘କରୋନା ସନ୍ତାନ’ ବୋଲି ଅଭିହିତ କରିବା ସହିତ ଗାଁରୁ ବାସନ୍ଦ କରିବାର ଧମକ ଦେଇଥିଲେ। ଏଭଳି ଘଟଣା ଆମ ଦେଶରେ ବା ଆମ ରାଜ୍ୟରେ ଘଟିଛି। କରୋନା କାଳୀନ ବିଶ୍ବାସ ହାନିର ଅନେକ କରୁଣ ନାଟକ ବାସ୍ତବ ଜୀବନରେ ଅଭିନୀତ ହେବାରେ ଲାଗିଛି। ତାହା ଘୋର ମାନସିକ ଅବସାଦର କାରଣ ହୋଇଛି।

ଅଳ୍ପ ଦିନ ତଳେ ‘ବିଜ୍ଞାନ ବିକାଶ ସଂଗଠନ’ ପକ୍ଷରୁ ପ୍ରକାଶିତ ମାନସିକ ସ୍ବାସ୍ଥ୍ୟ ସଂପର୍କିତ ଏକ ସର୍ବେକ୍ଷଣଭିତ୍ତିକ ଆକଳନରୁ ଜଣା ଯାଇଥାଏ ଯେ ରାଷ୍ଟ୍ର ନିର୍ବିଶେଷରେ ପୃଥିବୀର ୨୫%ରୁ ୪୫% ବ୍ୟକ୍ତି ଏବେ ମାନସିକ ଚାପ ଓ ବିଷାଦଗ୍ରସ୍ତ। ଭାରତର ବେଙ୍ଗାଲୁରୁ ଠାରେ ସ୍ଥିତ ‘ଜାତୀୟ ମାନସିକ ଓ ସ୍ନାୟୁବିଜ୍ଞାନ ସଂସ୍ଥାନ’ ବା ‘ନିମହାନ୍‌ସ’ର ମନୋଚିକିତ୍ସକ ଦେବାଞ୍ଜନ ବାନାର୍ଜୀଙ୍କ ମତରେ ଏହା ଯେଉଁ ସାମାଜିକ ଶିଥିଳତା ସୃଷ୍ଟି କରିଛି, ତାହା ପୂର୍ବରୁ କେବେ ହେଲେ ଘଟି ନ ଥିଲା। ଦୀର୍ଘ ସମୟ ଧରି ତାଲାବନ୍ଦ ହୋଇ ରହିବା ଫଳରେ ଅନେକଙ୍କ ଶରୀର ମଧ୍ୟରେ କ୍ରିୟାଶୀଳ ଥିବା ‘ଜୈବ ଘଣ୍ଟା’ (ବାୟୋଲଜିକାଲ କ୍ଲକ୍‌) ଠିକ ଭାବେ କାମ କରୁ ନ ଥିବାରୁ ଲୋକେ ଅନିଦ୍ରା ଓ ତଜ୍ଜନିତ ମାନସିକ ଅବସାଦ ଭୋଗୁଛନ୍ତି। ଏହାର ଫଳ ସ୍ୱରୂପ ଆତ୍ମହତ୍ୟା ପ୍ରବଣତା ମଧ୍ୟ ବୃଦ୍ଧି ପାଇଛି। କାରଣ ନିଃସଙ୍ଗତା, ସଂକ୍ରମଣକୁ ନେଇ ମାତ୍ରାଧିକ ଭୟ, ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତି ଓ ଅନିଶ୍ଚିତ ଭବିଷ୍ୟତ ଇତ୍ୟାଦି ହେଉଛି ଏଭଳି ମନଃସ୍ଥିତିର କାରଣ।

ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ଅଲ ଜାଜିରା’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ପ୍ରାୟ ୨୬୪ ନିୟୁତରୁ ଅଧିକ ଲୋକ ଏବେ କରୋନା କାରଣରୁ ଏକ ଅସାଧାରଣ ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବୟସ୍କମାନଙ୍କୁ ସର୍ବଦା ଘର ଭିତରେ ରହିବାକୁ ଉପଦେଶ ଦିଆଯାଉଥିବା କାରଣରୁ ସେମାନେ ଘୋର ମାନସିକ ଅବସାଦ ଦେଇ ଗତି କରୁଛନ୍ତି। ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଏହି ଭୟାବହତାକୁ ହୃଦୟଙ୍ଗମ କରି ପାରି ଏହାର ନିରାକରଣ ପାଇଁ ମାନସିକ ପରାମର୍ଶଦାତା ବା କାଉନ୍‌ସେଲରମାନଙ୍କ ଭୂମିକା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ଦୀର୍ଘଦିନ ଧରି ନିଜ ଘରେ ନିଃସଙ୍ଗତା ଅନୁଭବ କରୁଥିବା ବ୍ୟକ୍ତି ବା ପରିବାର ଏକ ବୃହତ୍ତର ସମାଜ ସହ ଯୋଡ଼ି ହେବା ସକା‌େଶ ଏବେ ସମର୍ଥ ବାଟରେ ପରିଣତ ହୋଇଛି ମୋବାଇଲ ଫୋନ୍‌ ଓ ଟେଲିଭିଜନ। ମୋବାଇଲ୍‌ରେ ଥିବା ‘ଭିଡିଓ’ କଲ୍‌ର ସୁବିଧା କରୋନା କାରଣରୁ ବିଭିନ୍ନ ସ୍ଥାନରେ ଅଟକି ରହି ଯାଇଥିବା ବା ପରସ୍ପରକୁ ଦୀର୍ଘ ଦିନ ଧରି ଭେଟି ନ ଥିବା ଲୋକମାନଙ୍କୁ ସେମାନଙ୍କ ଆତ୍ମୀୟମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା ସହିତ ପରସ୍ପରକୁ ଦେଖି ପାରିବାର ସୁଯୋଗ ସୃଷ୍ଟି କରିଛି। ଏଥି ଲାଗି ଏହାକୁ ପ୍ରଯୁକ୍ତିର ଏକ ମହାର୍ଘ ବରଦାନ ବୋଲି କୁହାଯାଇପାରିବ।

କରୋନା ଯଦିଓ ଏକ ମାରାତ୍ମକ ମହାମାରୀ, କିନ୍ତୁ ସେଥି ଲାଗି ଆତଙ୍କିତ ହୋଇ ମାନସିକ ଭାରସାମ୍ୟ ହରାଇବା ଆଦୌ ଉଚିତ ନୁହେଁ। ପ୍ରତ୍ୟହ ନୂଆ ‘କୋଭିଡ-୧୯’ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସତ, କିନ୍ତୁ ଏଣେ ଆରୋଗ୍ୟ ହାର ମଧ୍ୟ ବଢ଼ିବାରେ ଲାଗିଛି। ଏହା ନିଶ୍ଚିତ ଭାବେ ଆଶ୍ବସ୍ତ କଲା ଭଳି। ଏହି ଅସାଧାରଣ ସମୟରେ ସବୁଠାରୁ ବଡ଼ କଥା ହେଲା ଆପଣା ଧୈର୍ଯ୍ୟ ଓ ସ୍ଥିତପ୍ରଜ୍ଞତା ରକ୍ଷା କରିବା। ତାହା ନ ହେଲେ ଏ ମାନସିକ ରୋଗ ଆଉ ଏକ ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିବ।

ଭେଷଜ ବିଶେଷଜ୍ଞ
ମିର୍ଜାପୋଖରୀ ରୋଡ୍, ବାଲେଶ୍ୱର
ମୋ- ୯୦୪୦୮୩୨୬୬୩

ସମ୍ବନ୍ଧିତ ଖବର