‘ରାଜ୍ୟ ସଂଗୀତ’ର ପଥ ଓ ପ୍ରାନ୍ତ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

୭ ନଭେମ୍ବର, ୧୯୯୪ରୁ ୭ ଜୁନ୍ ୨୦୨୦। ଅବଧି ଚଉଠ ଶତାବ୍ଦୀରୁ ଊର୍ଦ୍ଧ୍ୱ। ବିଡ଼ମ୍ବନାର ବିଷୟ ହେଉଛି- ‘ବନ୍ଦେ ଉତ୍କଳ ଜନନୀ’କୁ ‘ରାଜ୍ୟ ସଂଗୀତ’ ମାନ୍ୟତା ଦେବାପାଇଁ ଲାଗିଗଲା ଏତେଗୁଡ଼ିଏ ବର୍ଷ। ହିସାବରେ ୨୫ ବର୍ଷ ସାତମାସ। ଗୋଟିଏ ଭଲକାମ ପାଇଁ ଆମର ଲୋକପ୍ରିୟ ସରକାର ଯେ ଏତେବର୍ଷ ନେଉଛନ୍ତି- ଏହା କେବଳ ବିସ୍ମୟକର ବିଷୟ ନୁହେଁ, ଘୋର କ୍ଷୋଭର ବିଷୟ ବି।

ପୂର୍ବ ଅଧ୍ୟାୟ (୧୯ ଜୁନ୍‌)ରେ କୁହାଯାଇଛି, ଏହି ରାଜ୍ୟ ସଂଗୀତର ମୂଳ ରୂପ ‘ବନ୍ଦେ ଉତ୍କଳ ଜନନୀ’ ନଥିଲା; ଥିଲା ‘ବନ୍ଦେ ଜନନୀ’। ‘ବନ୍ଦେ ଜନନୀ’ରୁ ‘ବନ୍ଦେ ଉତ୍କଳ ଜନନୀ’ ମଧ୍ୟରେ ସେହି ଗୀତର ଅନ୍ୟୂନ ଚାରିଟି ରୂପ ଏବେ ଉପଲବ୍‌ଧ। ପ୍ରଥମ ରୂପଟି ପ୍ରାମାଣିକ ଭାବରେ ୧୯୧୩ ମସିହା, ଡିସେମ୍ବର ମାସ ୨୮ ତାରିଖର। ଗୀତଟି ଏବେ ‘ରାଜ୍ୟ ସଂଗୀତ’ର ମାନ୍ୟତା ପାଇଥିବାରୁ, ଏହି ପ୍ରାୟ ୧୦୭ ବର୍ଷ ମଧ୍ୟରେ ତାହା କେବେ ଓ କେଉଁପରି ଭାବରେ ପରିବର୍ତ୍ତିତ ରୂପ ନେଇଛି, ସେ ଇତିହାସ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

ତେବେ, ଇତିହାସର ସେ ପୃଷ୍ଠାକୁ ଯିବା ପୂର୍ବରୁ, ଆଉ ଗୋଟିଏ ଇତିହାସ ବି ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି। ଏହି ‘ରାଜ୍ୟ ସଂଗୀତ’ ମାନ୍ୟତା, ଏହି ପ୍ରାୟ ଚଉଠ ଶତାବ୍ଦୀ ମଧ୍ୟରେ କେଉଁ ସବୁ ପଥ ଓ ପ୍ରାନ୍ତ ଦେଇ ଗତି କରିଛି?

ସରକାରୀ ନଥିରେ ତାହାର ବିବରଣୀ ଲିପିବଦ୍ଧ ଅଛି। ସେହି ବିବରଣୀ ଅନୁସାରେ, ୧୯୯୪ ମସିହା ନଭେମ୍ବର ୭ ତାରିଖ ଦିନ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏକ ସର୍ବଦଳୀୟ ବୈଠକ। ସେଥିରେ ଏହି ସଂଗୀତକୁ ‘ରାଜ୍ୟ ସଂଗୀତ’ (ଷ୍ଟେଟ୍ ଆନ୍ଥେମ୍‌)ର ମାନ୍ୟତା ଦିଆଯିବାପାଇଁ ନିଷ୍ପତ୍ତି ହୋଇଥିଲା। ସେହିବର୍ଷ ଡିସେମ୍ବର ମାସ ପହିଲା ତାରିଖରେ ବିଧାନସଭା ସଚିବଙ୍କ ଅଧ୍ୟକ୍ଷତାରେ ଧାର୍ଯ୍ୟ ହେଲା ଯେ ଦଶମ ବିଧାନସଭାଠାରୁ ପ୍ରତି ଉଦ୍‌ଯାପନୀ ଅଧିବେଶନରେ ଏହି ସଂଗୀତ ଗାନ କରାଯିବ। ଅଧିବେଶନର ଅନ୍ତିମ ଦିବସରେ ଗୃହ ମୁଲତବି ହେବାପାଇଁ ବାଚସ୍ପତି ଘୋଷଣା କରିବା ପରେ ଏହା ଗାନ ହେବ।

କିନ୍ତୁ ସେହି ବର୍ଷ ଡିସେମ୍ବର ୨୧ ତାରିଖରେ ଏହା ପ୍ରଥମ କରି ବିଧାନସଭାରେ ଗାନ କରାଯାଇଥିଲେ ମଧ୍ୟ, ଏହାକୁ ରାଜ୍ୟ ସଂଗୀତ ମାନ୍ୟତା ଦେବାପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରାଯାଇ ନଥିଲା। ଫଳରେ ୧୯ ଡିସେମ୍ବର, ୨୦୦୨ରେ ଏ ନେଇ ବିଧାନସଭାରେ ବିତର୍କ ହେଲା। ଶେଷରେ ମାନ୍ୟବର ବାଚସ୍ପତି ଶରତ କୁମାର କର ‘ରୁଲିଂ’ ଦେଲେ ଯେ ଏହାକୁ ଜାତୀୟ ସଂଗୀତର ସମ୍ମାନ ଭଳି ସମ୍ମାନ ପ୍ରଦର୍ଶନ କରାଯିବ ଏବଂ ଏହା ଗାନ କରାଯିବା ବେଳେ ସମସ୍ତେ ଦଣ୍ଡାୟମାନ ହେବେ। ସୂଚନା ଓ ଲୋକସଂପର୍କ ବିଭାଗ କିମ୍ବା ଗୃହ ବିଭାଗ ଏ ବାବଦରେ ‘ସର୍କୁଲାର’ ଜାରି କରିବେ।

୨୦୦୩ ମସିହା, ମେ ମାସ ୧୦ ତାରିଖର ଗୋଟିଏ ବୈଠକ ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ। ମାନ୍ୟବର ବାଚସ୍ପତି ଶ୍ରୀ କରଙ୍କ ଅଧ୍ୟକ୍ଷତାରେ ତାଙ୍କର ବିଧାନସଭା ପ୍ରକୋଷ୍ଠରେ ସେହି ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସଂଗୀତଟିର ରଚୟିତା ହୋଇଥିବାରୁ, ତାଙ୍କର ପୁତ୍ର ଗୌରଚନ୍ଦ୍ର ମହାପାତ୍ର ସେହି ବୈଠକରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଉତ୍କଳ ସମ୍ମିଳନୀର ଅଧ୍ୟକ୍ଷ ବସନ୍ତ କୁମାର ପାଣିଗ୍ରାହୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଠାଣି ପଟ୍ଟନାୟକ, ସଂସଦୀୟ ବ୍ୟାପାର ବିଭାଗ ସଚିବ ସନ୍ତୋଷ ଶତପଥୀ, ସଂସ୍କୃତି ନିର୍ଦ୍ଦେଶକ ନଳିନୀ ମୋହନ ମହାନ୍ତି, ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଲୋକନାଥ ତନ୍ତି, ଓଡ଼ିଶା ଗୀତିକବି ସମାଜର ପୂର୍ବତନ କାର୍ଯ୍ୟକାରୀ ସଭାପତି ଗୁରୁକୃଷ୍ଣ ଗୋସ୍ୱାମୀ, ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ରାମହରି ଦାସ, ସଂଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ଶାନ୍ତନୁ କୁମାର ମହାପାତ୍ର। ବିଶଦ ଆଲୋଚନା ହେବା ପରେ ସେହି ବୈଠକରେ ନିଷ୍ପତ୍ତି ହେଲା ଯେ ଘୋଷା ସହିତ ଗୀତଟିର ପ୍ରଥମ, ଚତୁର୍ଥ ଓ ଷଷ୍ଠ (ଶେଷ) ପଦକୁ ନେଇ ଏହି ସଂଗୀତଟିକୁ ପ୍ରସ୍ତୁତ କରାଯିବ। ଏହା ଫଳରେ ତାହାର ଅବଧି ସର୍ବାଧିକ ୭୦ରୁ ୯୦ ସେକେଣ୍ଡ ମଧ୍ୟରେ ରହିବ। ଗୀତର ସ୍ୱର ଓ ଗାୟନ ଶୈଳୀ ଚୂଡ଼ାନ୍ତ କରିବାପାଇଁ ଏକ ଚାରିଜଣିଆ ସଂଗୀତ ନିର୍ଦ୍ଦେଶକ ମଣ୍ଡଳୀ କଟକ ଆକାଶବାଣୀକୁ ଯିବେ ଏବଂ ସେଠାରୁ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ କରିଥିବା ସ୍ୱର ଓ ଶୈଳୀ ସଂପର୍କରେ ଅବଗତ ହେବେ। ସେହି ଅନୁସାରେ ତାହାର ସ୍ୱର ଓ ସଂଗୀତ ନିର୍ଦ୍ଧାରିତ ହେବ।

ସେହି ବୈଠକରେ ସଂଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଏହି ସଂଗୀତକୁ ଓଡ଼ିଶାର ରାଷ୍ଟ୍ରଗାନ ବା ଓଡ଼ିଶାର ଜାତୀୟ ସଂଗୀତର ମାନ୍ୟତା ଦିଆଯାଇ ପାରିବ ନାହିଁ। କାରଣ ରାଷ୍ଟ୍ରଗାନ କହିଲେ, ‘ବନ୍ଦେ ମାତରମ୍‌’କୁ ହିଁ ବୁଝାଏ। ଏଣୁ ଏହାକୁ ‘ଓଡ଼ିଶା ପ୍ରଦେଶର ସଂଗୀତ’ ବା ‘ରାଜ୍ୟସଂଗୀତ’ର ମାନ୍ୟତା ହିଁ ଦିଆଯାଇପାରିବ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏ ନେଇ ପରବର୍ତ୍ତୀ ବୈଠକ ବସିବାକୁ ଲାଗିଗଲା ଦୀର୍ଘ ପ୍ରାୟ ତିନିବର୍ଷ ତିନିମାସ। ମାନ୍ୟବର ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବୈଠକ ହେଲା ୨୬ ଅଗଷ୍ଟ ୨୦୦୬ରେ। ସେଥିରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦେବାଶିଷ ନାୟକ, ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ସନ୍ତୋଷ କୁମାର, ସୂଚନା ଓ ଲୋକସଂପର୍କ ବିଭାଗ କମିସନର ତଥା ସଚିବ ଦିଗମ୍ବର ମହାନ୍ତି, ସଂସ୍କୃତି ନିର୍ଦ୍ଦେଶକ ଗୌତମ ଦାସ, ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ରାମହରି ଦାସ ଏବଂ ଓଡ଼ିଶା ବିଧାନସଭାର ସଚିବ ବାଳକୃଷ୍ଣ ସାହୁ। ବୈଠକରେ ନିଷ୍ପତ୍ତି ହେଲା, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରଚନା କରିଥିବା ଗୀତଟିର ଘୋଷା ସହିତ ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ‘ଓଡ଼ିଶା ପ୍ରଦେଶ ସଂଗୀତ’ ରୂପେ ଗ୍ରହଣ କରାଯିବ। ତାହାର ଅବଧି ୧ ମିନିଟ୍ ୩୮ ସେକେଣ୍ଡ ରହିବ। ଏହି ସଂଗୀତରୂପ ସମୟରେ ଛନ୍ଦଗତ ଓ ବ୍ୟାକରଣଗତ ତ୍ରୁଟି ଯେପରି ନରହେ ସେଥିପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବ। ବାଳକୃଷ୍ଣ ଦାଶ କରିଥିବା ସ୍ୱର ଓ ସଂଗୀତ ଅନୁସାରେ ତାହା ପ୍ରସ୍ତୁତ ହେବ।

ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ରାମହରି ଦାସଙ୍କୁ ତାହାର ଦାୟିତ୍ୱ ଦିଆଗଲା ଏବଂ ସାତଦିନ ମଧ୍ୟରେ ସେମାନେ ଏହି ‘ଓଡ଼ିଶା ପ୍ରଦେଶ ସଂଗୀତ’ଟିକୁ ପ୍ରସ୍ତୁତ କରି ସୂଚନା ଓ ଲୋକସଂପର୍କ ବିଭାଗକୁ ଦେବେ ବୋଲି କୁହାଗଲା। ପୋଲିସ୍ ବ୍ୟାଣ୍ଡ ଓ କେବଳ ଗୀତ (ବିନା ବାଦ୍ୟରେ)- ଏହିପରି ଦୁଇ ପ୍ରକାରରେ ଏହା ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ହେଲା। ତାହାର କ୍ୟାସେଟ୍ ରେକର୍ଡ ଓ ସି.ଡି. ଆଦି ପ୍ରସ୍ତୁତିର ଦାୟିତ୍ୱ କେବଳ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରଭୁକ୍ତ ରହିବ ବୋଲି ମଧ୍ୟ ନିଷ୍ପତ୍ତି ହେଲା।

କିନ୍ତୁ ଏହା ସତ୍ତ୍ୱେ ବିତିଗଲା ଆହୁରି ୬ ବର୍ଷ। ଘଟଣାକ୍ରମେ ବାଚସ୍ପତି ପଦରୁ ଯାଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ହେଲେ ମହେଶ୍ୱର ମହାନ୍ତି। ସରକାରୀ ନଥିର ବିବରଣୀ ଅନୁସାରେ, ୧୭ ଡିସେମ୍ବର ୨୦୧୨ରେ ସେ ଗୋଟିଏ ବୈଠକ କଲେ। ସେହି ବୈଠକରେ ସେ ବାଚସ୍ପତି ଥିବା ବେଳର ନିଷ୍ପତ୍ତିର ପୁନରାବୃତ୍ତି ହିଁ ହେଲା। ଘୋଷା ସହିତ ଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ପୋଲିସ ବ୍ୟାଣ୍ଡ ଓ କେବଳ ଗୀତରେ (ବିନା ବାଦ୍ୟରେ) ଗାନ କରାଯିବାର ନିଷ୍ପତ୍ତି ହେଲା। ତାହା ଥିଲା ଚତୁର୍ଦ୍ଦଶ ବିଧାନସଭାର କାର୍ଯ୍ୟକାଳ।
ପଞ୍ଚଦଶ ବିଧାନସଭା ପାଇଁ ନିର୍ବାଚନ ହୋଇ ୨୧ ମେ ୨୦୧୪ରେ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ତାଙ୍କ ମନ୍ତ୍ରୀମଣ୍ଡଳରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ହେଲେ ଅଶୋକ ଚନ୍ଦ୍ର ପଣ୍ଡା। ତାଙ୍କ କାର୍ଯ୍ୟକାଳରେ ‘ବନ୍ଦେ ଉତ୍କଳ ଜନନୀ’କୁ ‘ପ୍ରାଦେଶିକ ଦେଶାତ୍ମବୋଧକ ଗୀତ’ ଭାବରେ ସରକାରୀ ମାନ୍ୟତା ଦେବାପାଇଁ ପଦକ୍ଷେପ ନିଆଗଲା। ଏଥିପାଇଁ ୨୪ ଫେବ୍ରୁଆରି, ୨୦୦୫ରେ ଏକ ବୈଠକ କରି, ଆଇନ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସଂପନ୍ନ କମିଟି ସେ ଗଠନ କଲେ।

ଏ ବାବଦରେ ସେଦିନର ସଂସ୍କୃତି କମିସନର ତଥା ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଯେଉଁ ବିବରଣୀଟି ପ୍ରସ୍ତୁତ କରିଥିଲେ, ତାହାର ଆରମ୍ଭରେ ଉଲ୍ଲେଖ ଅଛି, “ଦେଶାତ୍ମବୋଧକ ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନକୁ ରାଜ୍ୟ ସଂଗୀତ (ଷ୍ଟେଟ୍ ଆନ୍ଥେମ୍‌) ଭାବରେ ମାନ୍ୟତା ଦେବା ପ୍ରସ୍ତାବ ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟ ସରକାରଙ୍କର ବିଚାରାଧୀନ ଅଛି। ଏହା ସର୍ବପ୍ରଥମେ ୧୯୧୩ ମସିହାରେ ପୁରୀରେ ଅନୁଷ୍ଠିତ ହୋଇଥିବା ଉତ୍କଳ ସମ୍ମିଳନୀର ନବମ ଅଧିବେଶନରେ ଗାନ କରାଯାଇଥିବା ଜଣାଯାଏ। ତତ୍ ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀରେ, ସ୍ୱାଧୀନତା ସଂଗ୍ରାମ ସମୟର ସଭା ସମିତିରେ, ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଘୋଷଣା ଅବସରରେ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ପାଳିତ ହୋଇଥିବା ଉତ୍ସବ ସମୟରେ, ସାରା ରାଜ୍ୟରେ ଗାନ କରାଯାଇଥିଲା। ସେହିଦିନଠାରୁ ଏହା ବିଭିନ୍ନ ସଭା, ସମିତି, ବୈଠକ, ସ୍କୁଲ୍‌, କଲେଜ ଅନୁଷ୍ଠାନମାନଙ୍କରେ ସସମ୍ମାନ ଗାନ କରାଯାଇଆସୁଅଛି। … ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ବିଧାନସଭା ଅଧିବେଶନର ଶେଷ ଦିନରେ, ମାନ୍ୟବର ବାଚସ୍ପତିଙ୍କର ସ୍ୱସ୍ତିବାଚନିକ ଅଭିଭାଷଣ ପରେ, ଗୃହ ମୁଲତବି ହେବା ପୂର୍ବରୁ ‘ବନ୍ଦେ ଉତ୍କଳ ଜନନୀ’ ଗୀତଟିକୁ ଗାଇବାର ପରମ୍ପରା ରହିଅଛି। …

କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ସରକାରୀ ମାନ୍ୟତା ପ୍ରଦାନ ସଂପର୍କରେ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଇପାରିନାହିଁ। କାରଣ କେନ୍ଦ୍ର ସରକାରଙ୍କ ପତ୍ରସଂଖ୍ୟା ୧୪/୨/୨୦୦୬- ପବ୍ଲିକ୍‌, ତା ୧୭/୭/୨୦୦୬ ଅନୁସାରେ ଏବଂ ଗୃହ ବିଭାଗ ଓ ଆଇନ ବିଭାଗର ମତାମତ ପ୍ରକାରେ, ରାଜ୍ୟ ବିଧାନସଭା/ସରକାର କୌଣସି ଆଇନ ଅଥବା କାର୍ଯ୍ୟନିର୍ବାହୀ ଅନୁଦେଶ (ଏକ୍‌ଜିକ୍ୟୁଟିଭ୍ ଇନ୍‌ଷ୍ଟ୍ରକ୍‌ସନ୍‌) ଦ୍ୱାରା କୌଣସି ସଂଗୀତକୁ ରାଜ୍ୟ ସଂଗୀତ (ଷ୍ଟେଟ୍ ଆନ୍ଥେମ୍‌) ଭାବେ ଘୋଷଣା କରିପାରିବାର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ।”

ଏ ଦୃଷ୍ଟିରୁ, ନୂଆ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୦୧୫ ଫେବ୍ରୁଆରି ୨୪ ତାରିଖର ବୈଠକ ଥିଲା ଗୁରୁତ୍ୱପୂର୍ଣ୍ଣ। ତାହାର ବିବରଣୀ ଦେଇ ସେଥିରେ ଶ୍ରୀ ପାଢ଼ୀ ଲେଖିଛନ୍ତି, “ବୈଠକର ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ସରକାରୀ ମାନ୍ୟତା ପ୍ରଦାନ ସଂପର୍କରେ ସାମ୍ବିଧାନିକ ଓ ଆଇନଗତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ମତାମତ ଦେବା ନିମନ୍ତେ କମିସନର ତଥା ଶାସନ ସଚିବ, ସୂଚନା ଓ ଲୋକସଂପର୍କ ବିଭାଗ; କମିସନର ତଥା ଶାସନ ସଚିବ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଓ ସ୍ୱତନ୍ତ୍ର ଶାସନ ସଚିବ, ଗୃହବିଭାଗଙ୍କୁ ନେଇ ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ କରାଯାଇଥିଲା। (ବିଜ୍ଞପ୍ତି ସଂଖ୍ୟା- ୪୩୧/ପ.ସଂ. ତା. ୧୧/୩/୨୦୧୫ ରିଖ)

ସବିଶେଷ ଅନୁଧ୍ୟାନ ପରେ ଉପରୋକ୍ତ କମିଟି ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି। … ଉପରୋକ୍ତ ବିଷୟ ସବୁକୁ ସହୃଦୟତାର ସହିତ ବିଚାର କରି, ଓଡ଼ିଶାର ଜନସାଧାରଣଙ୍କର ଏହି ଲୋକପ୍ରିୟ ସଂଗୀତ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଓ ଗ୍ରହଣୀୟତାକୁ ସମ୍ମାନ ଦେବାପାଇଁ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ରଚନା ‘ବନ୍ଦେ ଉତ୍କଳ ଜନନୀ’କୁ ‘ପ୍ରାଦେଶିକ ଦେଶାତ୍ମବୋଧକ ଗୀତ’ ଭାବରେ ସରକାରୀ ମାନ୍ୟତା ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇପାରେ।”

ସରକାରଙ୍କ ନଥିର ତଥ୍ୟ ଅନୁସାରେ, କମିସନର ତଥା ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ବିବରଣୀ ମୁଖ୍ୟ ଶାସନ ସଚିବଙ୍କୁ ୨୬ ମାର୍ଚ୍ଚରେ ଦିଆଯିବା ପରେ, ମୁଖ୍ୟ ଶାସନ ସଚିବ ତାହାକୁ ସଂସ୍କୃତି ମନ୍ତ୍ରୀଙ୍କୁ ଦେଇଥିଲେ ୩୦ ମାର୍ଚ୍ଚରେ। ସଂସ୍କୃତି ମନ୍ତ୍ରୀ ତାହାକୁ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ୩୧ ମାର୍ଚ୍ଚରେ। ମୁଖ୍ୟମନ୍ତ୍ରୀ ସେ ବାବଦରେ ଅଧିକ କିଛି ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଲେ ୩ ଜୁନ୍‌ରେ। ତାହା ସଂଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀଙ୍କର ଚୂଡ଼ାନ୍ତ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା ୧୦ ଜୁଲାଇ ୨୦୧୫ରେ।

କିନ୍ତୁ ପରିତାପର ବିଷୟ ଯେ ଏତେ ସବୁ ସତ୍ତ୍ୱେ, ତାହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇବାକୁ ଲାଗିଗଲା ଆହୁରି ପାଞ୍ଚବର୍ଷ। ୭ ଜୁନ୍ ୨୦୨୦ରେ ହିଁ ‘ବନ୍ଦେ ଉତ୍କଳ ଜନନୀ’ ପାଇଲା ‘ରାଜ୍ୟ ସଂଗୀତ’ ମାନ୍ୟତା।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର