ମଧ୍ୟ ବୟସ୍କଙ୍କ ଭାରତ

ଦର୍ପଣ

ନିକଟରେ ଭାରତର ରେଜିଷ୍ଟ୍ରାର୍ ଜେନେରାଲ୍ ଓ ଜନଗଣନା କମିସନରଙ୍କ ଦ୍ବାରା ‘ସାମ୍ପଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍-୨୦୧୮’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ପ୍ରଥମ ଥର ପାଇଁ ଭାରତର ଅର୍ଧାଧିକ ଜନସଂଖ୍ୟା ୨୫ ବର୍ଷ ବା ତା’ ଠାରୁ ଅଧିକ ବୟସର ହୋଇଛନ୍ତି। ଉଭୟ ପୁରୁଷ ଓ ମହିଳା ଏବଂ ସହର ଓ ଗ୍ରାମାଞ୍ଚଳ ନିର୍ବିଶେଷରେ ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ୨୫ ବର୍ଷ ଅତିକ୍ରମ କରିସାରିଛନ୍ତି। ଏହା ସୂଚନା ଦେଉଛି ଯେ ଦେଶର ନାଗରିକଙ୍କ ହାରାହାରି ବୟସ ବଢ଼ିବାରେ ଲାଗିଛି। ଏହା ସାଙ୍ଗକୁ ଦେଶବାସୀଙ୍କ ପ୍ରଜନନ ହାର ମଧ୍ୟ ହ୍ରାସ ପାଇଛି। ଫଳସ୍ବରୂପ ଜାତୀୟ ସ୍ତରରେ ୨୦୧୮ ମସିହା ବେଳକୁ ୨୫ରୁ କମ୍ ବର୍ଷ ବୟସ୍କଙ୍କ ଜନସଂଖ୍ୟା ୪୯.୬%କୁ ଖସି ଆସିଛି। ଏହା ସତ୍ତ୍ବେ ଅଧିକ ପ୍ରଜନନ ହାର ଥିବା ରାଜ୍ୟମାନଙ୍କରେ ୨୫ରୁ କମ୍ ବୟସ୍କଙ୍କ ଜନସଂଖ୍ୟା ଏବେ ମଧ୍ୟ ୫୦ ପ୍ରତିଶତରୁ ଅଧିକ ଅଛି। ୩.୨ ପ୍ରଜନନ ହାର ଥିବା ବିହାରରେ ୨୫ ବର୍ଷ ଛୁଇଁ ନ ଥିବା ଜନସଂଖ୍ୟା ସର୍ବାଧିକ ୫୭.୨% ରହିଛି। ଅନ୍ୟ ପଟେ ୧୯୯୧ ମସିହାରୁ ପ୍ରଜନନ ହାର ୧.୮ ତଳକୁ ରହି ଆସିଥିବା କେରଳରେ ଯୁବ ବୟସ୍କ (୨୫ରୁ କମ୍)ଙ୍କ ଜନସଂଖ୍ୟା ହେଉଛି ସର୍ବନିମ୍ନ ୩୭.୪%। ଓଡ଼ିଶାରେ ଏମାନଙ୍କ ଜନସଂଖ୍ୟା ହେଉଛି ୪୩.୪%। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ପ୍ରଜନନ ହାର କମ୍ ରହିଥିବାରୁ ତରୁଣଙ୍କ ଜନସଂଖ୍ୟା ମଧ୍ୟ ସହରରେ କମ୍। ଜାତୀୟ ସ୍ତରରେ ଯୁବକ (୪୭.୪%)ଙ୍କ ତୁଳନାରେ ଯୁବତୀ (୪୬.୩%)ଙ୍କ ଜନସଂଖ୍ୟା କମ୍ ରହିବା ଲିଙ୍ଗ ଅନୁପାତ ହ୍ରାସ ପାଉଥିବାର ଦର୍ଶାଉଛି। ତେବେ ସାଧାରଣ ଲୋକଙ୍କ ହାରାହାରି ଆୟୁଷରେ ବୃଦ୍ଧି ସହିତ କମ୍‌ ପ୍ରଜନନ ହାର ହେତୁ ସୃଷ୍ଟି ହୋଇଥିବା ସ୍ଥିତିରେ ଆଗକୁ ଦେଶର ହାରାହାରି ବୟସ ବୃଦ୍ଧି ପାଇବ ଓ ଭାରତ ମଧ୍ୟବୟସ୍କଙ୍କର ଦେଶ ପାଲଟି ଯାଇପାରେ।

ସମ୍ବନ୍ଧିତ ଖବର

Comments are closed.