କାଶ୍ମୀର ଠାରୁ ଆରମ୍ଭ କରି ଅରୁଣାଚଳ ପର୍ଯ୍ୟନ୍ତ ପ୍ରାୟ ୪୦୦୦ କିଲୋମିଟର ଦୀର୍ଘ ଅଞ୍ଚଳ ଏବେ ଉତ୍ତେଜନା ଓ ସ˚ଘର୍ଷର ଉର୍ବର କ୍ଷେତ୍ର ପାଲଟିଛି। ସଦ୍ୟ ଘଟିଥିବା ଲଦାଖର ଗଲଵାନ ଉପତ୍ୟକା ଓ ପାଙ୍ଗଙ୍ଗ ସୋରେ ଭାରତ ଓ ଚୀନ୍ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖାରେ ସ˚ଘର୍ଷରେ ଜଣେ ଅଫିସର ଓ ୨୦ ଜଣ ଯବାନଙ୍କ ଜୀବନ ହାନି ଅତି ହୃଦୟ ବିଦାରକ। ଗତ ପ୍ରାୟ ୫୮ ବର୍ଷ ଧରି ଭାରତ ଓ ଚୀନ୍ ସୀମାରେ ଏପରି ଘଟଣା ଘଟିନଥିଲା। ଏ ୪୦୦୦ କିମି ସୀମାରେ ଚୀନ୍ର ବହୁତ ଅଯୌକ୍ତିକ ଦାବି ସତ୍ତ୍ବେ ଏପରି ହି˚ସାକାଣ୍ତ ଘଟି ନ ଥିଲା। ଏ ଘଟଣାକୁ ପର୍ଯ୍ୟବେକ୍ଷକ ଓ ସମାଲୋଚକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟ ଶରବ୍ୟ ଜବାହରଲାଲ ନେହରୁଙ୍କ କଥା ଉଠାଇ କହୁଛନ୍ତିି ଯେ ଏହା ହେଉଛି ‘ମୋଦୀଙ୍କ ନେହରୁ ମୁହୂର୍ତ୍ତ’। ୧୯୬୨ରେ ନେହରୁ ଚୀନ୍ର ବିଶ୍ବାସଘାତକତାର ଶିକାର ହେବା ପଛରେ ଥିଲା ତାଙ୍କ ଆଦର୍ଶଗତ ନୀତି ଓ କମ୍ୟୁନିଷ୍ଟ ସମର୍ଥକ ପ୍ରତିରକ୍ଷାମନ୍ତ୍ରୀ କୃଷ୍ଣମେନନଙ୍କ ଉପରେ ଅକୁଣ୍ଠିତ ନିର୍ଭରଶୀଳତା। ଯେତେବେଳେ ପଞ୍ଚମ ଦଶକରେ ନେହରୁ ଜାଣି ପାରିଲେ ଯେ ଚୀନ୍ ତିବ୍ଦତରେ ଭାରତ ପାଖ ପର୍ଯ୍ୟନ୍ତ ରାସ୍ତା ତିଆରି କରିଥିଲା, ସେ ତାଙ୍କ ବହୁ ଚର୍ଚ୍ଚିତ ଫରଵାର୍ଡ ପଲିସିରେ ମାକମୋହନ ଲାଇନ ପର୍ଯ୍ୟନ୍ତ ଭାରତର ଉପସ୍ଥିତି ସାବ୍ୟସ୍ତ କରିବା ପାଇଁ ପେଟ୍ରୋଲି˚ ପୋଷ୍ଟ ନିମନ୍ତେ ଆଦେଶ ଦେଲେ, ଯାହା ଉତ୍ତର ପୂର୍ବରେ କିଛି ପରିମାଣରେ ସଫଳ ହେଲା, କିନ୍ତୁ ତିବ୍ଦତ ଅଞ୍ଚଳରେ ୧୯୬୨ ଯୁଦ୍ଧରେ ଚୀନ୍ ଅକ୍ସାଇ ଚୀନ୍ ଅଞ୍ଚଳ ଦଖଲ କରି ନିଜ କର୍ତ୍ତୃତ୍ବ ଜାହିର କଲା। ଉତ୍ତର ପୂର୍ବରେ ଅରୁଣାଚଳ ଓ ତାଵାଙ୍ଗ ଉପତ୍ୟକା ଭାରତର ଦଖଲରେ ରହିଲା ଓ ଚୀନ୍ ନିଜର ସୈନ୍ୟ ଅପସାରଣ କଲା। ପରାଜୟର ଗ୍ଳାନି ଓ ବିଶ୍ବାସଘାତକତାର ବେଦନାରେ ନେହରୁ ଭାଙ୍ଗି ପଡ଼ିଲେ।
ବର୍ତ୍ତମାନ ଯେତେବେଳେ ଡିଣ୍ତିମ ବଜା ଯାଉଛି ଯେ ୨୦୨୦ର ମୋଦୀଙ୍କ ଭାରତ, ୧୯୬୨ର ନେହରୁଙ୍କ ଭାରତ ନୁହେଁ, ତାହା ହେଲେ ଦୀର୍ଘ ଏକ ମାସ ଧରି ଲଦାଖର ଗଲଵାନ୍ ଉପତ୍ୟକାରେ ଏ ସ˚ଘର୍ଷ କ’ଣ ଥିଲା? ଏହା କାହିଁକି ହେଲା? ଆମ ସୈନିକମାନେ ପ୍ରାଣ ହରାଇଲେ କିପରି ଓ କାହିଁକି? ଜୁନ୍ ୧୯ ତାରିଖ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀ କହିଲେ କିଛି ହୋଇନାହିଁ। ଚୀନ୍ ଅନୁପ୍ରବେଶ କରିନାହିଁ। ଇଞ୍ଚେ ସୁଦ୍ଧା ଜମି ଚୀନ୍ ଅଧିକାର କରିନାହିଁ। ମେ ପ୍ରଥମ ସପ୍ତାହରେ ସ˚ଘର୍ଷ ହୋଇଥିବାରୁ ଭାରତର ବନ୍ଧୁ ଟ୍ରମ୍ପ୍ ସଙ୍ଗେ ସଙ୍ଗେ ମଧୢସ୍ଥତା କରିବା ପାଇଁ ପ୍ରସ୍ତାବ ଦେଲେ ଓ ଚୀନ୍ ପ୍ରତ୍ୟାଖ୍ୟାନ କଲା। ଭାରତ ପାକିସ୍ତାନ ସ˚ର୍ଘଷରେ ଯେତେବେଳେ ଭାରତ ଟ୍ରମ୍ପ୍ଙ୍କ ମଧୢସ୍ଥତାର ପ୍ରସ୍ତାବକୁ ତତ୍କ୍ଷଣାତ ପ୍ରତ୍ୟାଖ୍ୟାନ କରେ, ଏବେ ଚୁପ ରହିଲା। ପ୍ରତିରକ୍ଷାମନ୍ତ୍ରୀ ଆମେରିକା ପ୍ରତିରକ୍ଷା ବିଭାଗ ସଙ୍ଗେ କୁଆଡ଼େ ଯୋଗାଯୋଗ କଲେ ଓ ବିଳମ୍ବରେ ମଧୢସ୍ଥତାକୁ ନା କହିଲେ। ଜୁନ୍ ୬ ତାରିଖରେ କମାଣ୍ତର ସ୍ତରରେ ‘ଡିସ୍ଏନ୍ଗେଜ୍ମେଣ୍ଟ’ ବା ସେନା ପ୍ରତ୍ୟାହାର ପାଇଁ ଆଲୋଚନା ହେଲା ଓ ୧୫ ତାରିଖରେ ସ˚ଘର୍ଷ ହୋଇ ଆମ ଯବାନ ମୃତ୍ୟୁବରଣ କଲେ ଓ ୧୯ ତାରିଖରେ ପ୍ରଧାନମନ୍ତ୍ରୀ କହିଲେ ଚୀନ୍ ଦ୍ବାରା ଅନୁପ୍ରବେଶ ହୋଇନାହିଁ। ତାଙ୍କୁ କ˚ଗ୍ରେସ, ବାମପନ୍ଥୀ ଓ କିଛି ବୁଦ୍ଧିଜୀବୀ ପ୍ରଶ୍ନ କଲେ। କିନ୍ତୁ ସେମାନଙ୍କୁ କେତେକ ମହଲରେ ଦେଶଦ୍ରୋହୀ ଓ ବିଶ୍ବାସଘାତକର ଆଖ୍ୟା ଦିଆଗଲା।
ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସ୍ପଷ୍ଟୀକରଣ ଦେଲା ଯେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ କେବଳ ୧୫ ତାରିଖ ଘଟଣା ଉପରେ ଥିଲା। ଏହାଠାରୁ ଅଧିକ ହାସ୍ୟାସ୍ପଦ କ’ଣ ହୋଇପାରେ? ପ୍ରତିରକ୍ଷା ବିଭାଗର ଜଣାଶୁଣା ଅବସରପ୍ରାପ୍ତ କର୍ମଚାରୀମାନେ କହୁଛନ୍ତି ଚୀନ୍ ପ୍ରାୟ ୩୦ରୁ ୪୦ ବର୍ଗ କିମି ଅଞ୍ଚଳ ଦଖଲ କରିଛି। ଏ ଖବର ତ ସେମାନେ ପ୍ରତିରକ୍ଷା ବିଭାଗରୁ ପାଇଥିବେ। ପୁଣି ଏ କିପରି କଥା ଯେତେବେଳେ ୨୦୨୦ରେ ଭାରତୀୟ ପ୍ରତିରକ୍ଷା ବାହିନୀ ଅତି ଉନ୍ନତ ମାନର ଶିକ୍ଷା, ବୈଷୟିକ ଜ୍ଞାନକୌଶଳ ଓ ଅସ୍ତ୍ରଶସ୍ତ୍ର ଦ୍ବାରା ସମୃଦ୍ଧ। ୧୯୬୨ରେ ଏକମାତ୍ର ଗୋଇନ୍ଦା ସ˚ସ୍ଥା ଆଇ.ବି. ଛଡ଼ା ଏବେ ‘ର’ (RAW), ମିଲିଟାରି ଇଣ୍ଟେଲିଜେନ୍ସ ଓ ନାଟ୍ରୋ ରହିଛି। କିନ୍ତୁ ଆମକୁ ଚୀନ ଅତିକ୍ରମଣର ଖବର ମିଳିଲା ଅଷ୍ଟ୍ରେଲିଆର ଉପଗ୍ରହ ଠାରୁ।
୧୯୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ତାଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଲେ, ଅପେକ୍ଷା କରନ୍ତୁ ମୋଦୀଙ୍କ ସମୟରେ ଭାରତ ଚୀନ୍ ସମ୍ପର୍କ ଏକ ‘ଓରବିଟାଲ ଜମ୍ପ୍’ (Orbital Jump) ନେବ। ସେ ସମୟରୁ ଆଜି ପର୍ଯ୍ୟନ୍ତ ମୋଦୀ ଓ ଜିନ ପିଙ୍ଗ୍ଙ୍କ ମଧୢରେ ୧୮ ଥର ସାକ୍ଷାତ ଓ ଆଲୋଚନା ହୋଇଛି। କିନ୍ତୁ ଫଳ ହେଲା ୨୦୧୪ରେ ଚୁମୁର, ୨୦୧୭ରେ ଡୋକଲାମ ଓ ୨୦୨୦ରେ ଲଦାଖର ମର୍ମନ୍ତୁଦ ଘଟଣା।
ଚୀନ୍ ପାଇଁ ଗୋଟିଏ ସୁବିଧା ଯୁକ୍ତି ହେଲା, ସେ ଭାରତ ଓ ଚୀନ୍ର ସୀମାରେଖା ମାକ୍ମୋହନ ଲାଇନକୁ ସ୍ବୀକାର କରେ ନାହିଁ। ଏହାର ଐତିହାସିକ କାରଣ ଅଛି। ବ୍ରିଟିସ୍ ସରକାର ଭାରତ ରାଜୁତି କରୁଥିଲା ବେଳେ ଊନବି˚ଶ ଶତାବ୍ଦୀର ଶେଷ ଭାଗ ଓ ବି˚ଶ ଶତାବ୍ଦୀର ଆରମ୍ଭ ବେଳକୁ ଅନେକ ଥର ତିବ୍ଦତ ଅଭିଯାନ କରିଥିଲେ, କିନ୍ତୁ ସଫଳ ହୋଇ ପାରିନଥିଲେ। କାରଣ ଏକ ପଟେ ଥିଲା ରୁଷିଆ ଓ ଅନ୍ୟ ପଟେ ତିବ୍ଦତ ଉପରେ ଚୀନର ତଥାତଥିତ ସାର୍ବଭୌମ କ୍ଷମତା। ୧୯୧୩ରେ ସିମ୍ଲା ଠାରେ ମାକ୍ମୋହନଙ୍କ ଅଧୢକ୍ଷତାରେ ଭାରତ ତିବ୍ଦତ ଓ ଚୀନ୍ ସରକାର ଏକ ବୈଠକ କଲେ ସୀମା ନିର୍ଦ୍ଧାରଣ ପାଇଁ। ଏ ଆଲୋଚନାରେ ତିବ୍ଦତ ଭାରତକୁ ବର୍ତ୍ତମାନର ଅରୁଣାଚଳ ଭୂଖଣ୍ତ ଦେବାକୁ ରାଜି ହେଲା ଓ ଏକ ସୀମାରେଖା ନିର୍ଦ୍ଧାରଣ ହେଲା ଯାହାକୁ କୁହାଗଲା ମାକ୍ମୋହନ ଲାଇନ। ଏ ଆଲୋଚନା ପରେ ଯେଉଁ ଚୁକ୍ତି ପତ୍ର ସ୍ବାକ୍ଷରିତ ହେଲା, ସେଥିରୁ ଚୀନ୍ ଓହରି ଗଲା, ଯାହା ଫଳରେ ତିବ୍ଦତ ଅଧିକାର ପରେ ଚୀନ୍ ଅରୁଣାଚଳକୁ ଦାବି କରୁଛି। ଅକ୍ସାଇ ଚୀନ୍ରେ ସେପରି ଜନସନ ଲାଇନ ଟଣା ହୋଇଥିଲା ଯାହା ଏ ଅଞ୍ଚଳକୁ ଭାରତର ଅନ୍ତର୍ଗତ ବୋଲି ଦେଖାଗଲା। ତାକୁ ଗ୍ରହଣ କରି ନେହରୁ ଏ ଅଞ୍ଚଳ ଭାରତର ବୋଲି ଦାବି କଲେ। କିନ୍ତୁ ୧୯୬୨ ଯୁଦ୍ଧରେ ଚୀନ୍ ଏହାକୁ ଅଧିକାର କଲା। ସୀମାରେଖାରେ ଏପରି ଦ୍ବନ୍ଦ୍ବ ଉଠିବାରୁ ୧୯୯୩ ମସିହାରେ ପ୍ରଧାନମନ୍ତ୍ରୀ ନରସି˚ହ ରାଓ ଓ ଚୀନ୍ର ପ୍ରଧାନମନ୍ତ୍ରୀ ଲି ପେଙ୍ଗ୍ଙ୍କ ମଧୢରେ ରାଜିନାମା ହୋଇ ଏଲ.ଏ.ସି ବା ସେ ସମୟରେ ଦୁଇ ଦେଶର ସୀମାରକ୍ଷୀ ମାନଙ୍କ ପ୍ରକୃତ ଅବସ୍ଥିତିକୁ ଗ୍ରହଣ କରାଗଲା। ସେ ଅବସ୍ଥିତିକୁ ପ୍ରକୃତ ସୀମାରେଖା ବୋଲି କୁହାଗଲା। ତା’ପରେ ବହୁବାର ଏ ରେଖାର ଉଲ୍ଲ˚ଘନ କରାଯିବାରେ ଲାଗିଛି। କିନ୍ତୁ ଗତ ୫୦ ବର୍ଷରେ ଭାରତ ଓ ଚୀନ ମଧୢରେ କୌଣସି ହି˚ସାକାଣ୍ତ ଘଟି ନ ଥିଲା। ଏହି ଶତାବ୍ଦୀର ଚଳିତ ଦଶକରେ ଭାରତ-ଚୀନ୍ ସୀମା ବିବାଦ ଏକାଧିକବାର ଘଟିଲାଣି, ଯାହା ଅତି ଚିନ୍ତାଜନକ। କ୍ଷମତାସୀନ ଦଳ ଭାରତର ଶକ୍ତି ଓ ଅପରାଜୟତା ଉପରେ ଯେତେ କହିଲେ ମଧୢ ସ୍ବୀକାର କରିବାକୁ ହେବ ଯେ ଚୀନ୍ ଏବେ ମହାଶକ୍ତିଶାଳୀ ହୋଇ ଉଭା ହେଲାଣି। ଚୀନ୍ର ଏ ଶକ୍ତି କେବଳ କ୍ଷମତା ରାଜନୀତିରେ ସୀମିତ ନାହିଁ, ବୈଷୟିକ ଜ୍ଞାନ ଓ ଅର୍ଥନୀତିରେ ମଧୢ ତାହା ପରିଦୃଷ୍ଟ। ଉଦାରୀକରଣ ବେଳେ ୧୯୯୦-୯୧ରେ ଭାରତ ଓ ଚୀନ୍ର ଜି.ଡି.ପି ସମାନ ଥିଲା ବେଳେ ୨୦୨୦ରେ ଚୀନ୍ର ଜି.ଡି.ପି ୧୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି ଅଥଚ ଭାରତର ଜି.ଡି.ପି ୩ ଟ୍ରିଲିୟନ ଡଲାରରେ ଅଛି। ବାଣିଜ୍ୟ କ୍ଷେତ୍ରରେ ଚୀନ୍ର ଭାରତକୁ ରପ୍ତାନି ଏତେ ଅଧିକ ଯେ ଏହା ଭାରତ ଚୀନ୍କୁ ରପ୍ତାନି କରୁଥିବା ପରିମାଣ ଠାରୁ ୩ ଗୁଣରୁ ଅଧିକ। ଭାରତର ସବୁ ପଡ଼ୋଶୀ ଦେଶମାନଙ୍କରେ ପୁଞ୍ଜିନିବେଶ କରି ସେମାନଙ୍କୁ ନିଜ ଆଡ଼କୁ ଆଉଜାଇଛି। ପାକିସ୍ତାନ ତ ଶତ୍ରୁ ଥିଲା, ଭାରତ ବ୍ୟତୀତ ଏକମାତ୍ର ହିନ୍ଦୁ ରାଷ୍ଟ୍ର ନେପାଳ, ବା˚ଲାଦେଶ, ମିଆମାର ଓ ଶ୍ରୀଲଙ୍କା ସମସ୍ତେ ଚୀନ୍ ମୁହାଁ। ମୁଖ୍ୟ ଉଦ୍ଦେଶ୍ୟ ଭାରତକୁ ଏକଘରକିଆ କରିବା। ଭାରତ ଉପମହାଦେଶରେ ଭାରତ ବର୍ତ୍ତମାନ ଏକା। ଏପରିକି ୨୦୧୭ ଡୋକଲାମ ସଙ୍କଟ ବେଳେ ଭାରତର ମାତ୍ରାଧିକ ହସ୍ତକ୍ଷେପକୁ ଭୂଟାନ ପସନ୍ଦ କରି ନ ଥିଲା।
୨୦୧୮-୧୯ରେ ଏନ୍.ଡି.ଏ ସରକାରଙ୍କ ପାଞ୍ଚ ବର୍ଷ ପୂର୍ତ୍ତିରେ ସବୁ କ୍ଷେତ୍ରରେ ମୋଦୀଙ୍କ ନେତୃତ୍ବରେ ଯେଉଁ ଅଭୂତପୂର୍ବ ସଫଳତା ହାସଲ କରାଯାଇଥିଲା, ତା’ ଉପରେ ପ୍ରଚାର ଚାଲିଲା। ସେ ଭିତରେ ରାଜନୀତି ଓ ଅର୍ଥନୀତି ଛଡ଼ା ଅନ୍ୟ ଏକ କ୍ଷେତ୍ର ଥିଲା ବୈଦେଶିକ ନୀତି। ଏକ ‘ମସକୁଲର ଫରେନ ପଲିସି’ ବା ‘ଶକ୍ତ ମା˚ସପେଶୀ ଯୁକ୍ତ ବୈଦେଶିକ ନୀତି’ ବିଶ୍ବରେ ଭାରତକୁ ଅଗ୍ରଣୀ ସ୍ଥାନରେ ରଖିବା ଛଡ଼ା ମୋଦୀ ଏକ ଜନନାୟକ ହୋଇଛନ୍ତି ବୋଲି କୁହାଗଲା। ୧୦୦ରୁ ଅଧିକ ରାଷ୍ଟ୍ର ଭ୍ରମଣ ଛଡ଼ା ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ସହିତ ୫ ଥର ଓ ଟ୍ରମ୍ପ୍ଙ୍କ ସହିତ ବହୁବାର ଓ ଜିନ ଫିଙ୍ଗଙ୍କ ସହିତ ୧୮ ଥର ସାକ୍ଷାତ ଏହାର ଅନ୍ତର୍ଗତ। ଏତେ ସାକ୍ଷାତ ଓ ଆଲୋଚନା ସତ୍ତ୍ବେ ଆମେରିକା ଅକୁଣ୍ଠିତ ସମର୍ଥନ କୌଣସି ପ୍ରସଙ୍ଗରେ ଦେଉନାହିଁ। କାଶ୍ମୀର ବିବାଦରେ ଟ୍ରମ୍ପ୍ କହିଲେ ସେ ମଧୢସ୍ଥତା କରିବେ, ଯାହା ଭାରତ ପ୍ରତ୍ୟାଖ୍ୟାନ କଲା। ମୁସଲିମ ରାଷ୍ଟ୍ର ସମୂହ ବିରୋଧ କଲେ। ରୁଷିଆ, ଫ୍ରାନ୍ସ ଓ ଇସ୍ରାଏଲ ଛଡ଼ା ଅନ୍ୟ ସବୁ ରାଷ୍ଟ୍ର କହିଲେ ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଭାରତ ଓ ପାକିସ୍ତାନ ଆପୋସ ଆଲୋଚନା କରି ସମାଧାନର ସୂତ୍ର ବାହାର କରନ୍ତୁ।
ବର୍ତ୍ତମାନ ପରିସ୍ଥିତି ଅତି ଜଟିଳ, ଭାରତ ଏକ ଅଭାବନୀୟ ଆହ୍ବାନର ସମ୍ମୁଖୀନ। ପାକିସ୍ତାନ ସଙ୍ଗେ ସୀମା ନିୟନ୍ତ୍ରଣ ରେଖା ଇନ୍ଦିରା ଗାନ୍ଧୀ ଓ ଭୁଟ୍ଟୋଙ୍କ ସିମଳା ରାଜିନାମା ପରେ ସ୍ପଷ୍ଟ ଥିଲା ବେଳେ, ଚୀନ୍ ସଙ୍ଗେ ସେ ଅବସ୍ଥା ନାହିଁ, କାରଣ ଚୀନ୍ ମାକ୍ମୋହନ ଲାଇନକୁ ଗ୍ରହଣ କରେ ନାହିଁ। ଫଳରେ ୧୯୯୩ରେ ହୋଇଥିବା ରାଜିନାମା ପ୍ରକୃତ ସୀମା ନିୟନ୍ତ୍ରଣ ରେଖାକୁ ନେଇ ଭାରତର ଭବିଷ୍ୟତ ଚୀନ୍ ନୀତି ନିର୍ଦ୍ଧାରିତ ହେବ। ଏଠାରେ ପ୍ରଶ୍ନ ଉଠୁଛି ଏ ରେଖାକୁ ସ୍ଥିତିବସ୍ଥାକୁ ଆଣିବାକୁ ଭାରତ ପଦକ୍ଷେପ ନେବ କି, ଯେପରି କାଶ୍ମୀର ସମସ୍ୟାର ସମାଧାନ ପାଇଁ ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସି˚ହ ୧୯୭୭ର ସୀମାରେଖାକୁ ସ୍ଥାୟୀ ରୂପେ ଦେବାକୁ ଉଦ୍ୟମ କରିଥିଲେ। ଏହା ଯେ ମୋଦୀଙ୍କ ପାଇଁ ସମ୍ଭବ ନୁହେଁ ତାହା ଚୀନ୍ ଭଲ ଭାବେ ବୁଝିପାରିଛି। ବିଜେପିର ମୂଳ ସ˚ସ୍ଥା ଆର.ଏସ.ଏସ ପାଇଁ କୌଣସି ସୀମାରେଖା ଗ୍ରହଣୀୟ ନୁହେଁ। ସେମାନଙ୍କ ଇଚ୍ଛା ପାକିସ୍ତାନରୁ ପିଓକେ, ଗିଲଗିଟ, ବଲଟିସ୍ତାନ ଓ ଚୀନ୍ର ଆକ୍ସାର ଚୀନ୍ ଭାରତରେ ସାମିଲ ହେବ। ଏହାକୁ ଏକ ସରକାରୀ ରଙ୍ଗ ଦେଇ ଦେଲେ ଦେଶର ଗୃହମନ୍ତ୍ରୀ ଅମିତ ଶାହା। ସମ୍ବିଧାନର ୩୭୦ ଧାରା ଉଚ୍ଛେଦନ ବେଳେ ସେ ସ˚ସଦରେ ଦର୍ପ କଣ୍ଠରେ କହିଲେ ଆମେ ମରିବୁ ପଛେ ଆକ୍ସାର ଚୀନ୍, ପିଓକେ ଓ ଗିଲଗିଟ, ବଲଟିସ୍ତାନ ଅଧିକାର କରିବୁ। ତା’ପରେ ହେଲା ଭାରତର ଆମେରିକା ସଙ୍ଗେ ବର୍ଦ୍ଧିଷ୍ଣୁ ବନ୍ଧୁତା। ଯେହେତୁ ଲଦାଖ ଉପରେ ଚୀନ୍ର ଦାବି ଅଛି, ଧାରା ୩୭୦ ଉଚ୍ଛେଦନ ପରେ ଲଦାଖକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବା ଚୀନ୍ ପାଇଁ ଗ୍ରହଣୀୟ ନ ଥିଲା ଓ ତାର ବିରୋଧ କରୁଥିଲା। ଗଲଵାନ ଉପତ୍ୟକାରେ ଏଲଏସି ପାର୍ଶ୍ବରେ ଭାରତ ତିଆରି କରୁଥିବା ରାସ୍ତା ଯାହା ଆକ୍ସାର ଚୀନ୍ ପର୍ଯ୍ୟନ୍ତ ଯାଇଛି, ଚୀନ୍ର ସନ୍ଦେହକୁ ଇନ୍ଧନ ଯୋଗାଇଲା ଓ ଚୀନ୍ ଜାଣିଜାଣି ଏ ସ˚ଘର୍ଷ ଆରମ୍ଭ କଲା।
ଜୁନ୍ ୧୯ ତାରିଖରେ ମୋଦୀ ଦେଇଥିବା ମନ୍ତବ୍ୟ ଚୀନ୍କୁ ସୁହାଇଲା ଓ ଗଣମାଧୢମରେ ମୋଦୀଙ୍କୁ ପ୍ରଶ˚ସା କରି ଖବର ବାହାରିଲା। ପାଶ୍ଚାତ୍ୟ ଓ ଆମେରିକା ଗଣମାଧୢମ କହିଲା ମୋଦୀ ଚୀନ୍ ତୁଷ୍ଟୀକରଣ ନୀତି ଅବଲମ୍ବନ କରୁଛନ୍ତି। ଅଧିକ ପ୍ରାସଙ୍ଗିକ ହେବ ଯଦି କହିବା ଏହା ମୋଦୀଙ୍କ ଚୀନ୍ ମୁହୂର୍ତ୍ତ। ଏପରି ସମୟରେ ୧୯୬୨ରେ ନେହରୁ ଭାଙ୍ଗି ପଡ଼ିଥିଲେ ମଧୢ ଯେଉଁ ପଦକ୍ଷେପମାନ ନେଲେ ତାହା ଥିଲା ଅଭୂତପୂର୍ବ। ଆଇ.ଟି.ବି.ପି ଗଠନ ହେଲା, ଆଇ.ବି ଠାରୁ ବିଦେଶ ଗୋଇନ୍ଦାକୁ ଅଲଗା କରି ‘ର’ ସୃଷ୍ଟି ହେଲା, ସୀମା ବଳ ଏସ.ଏସ.ବି ଗଠନ ହେଲା। ଆମେରିକାର ବୈଷୟିକ ଜ୍ଞାନ କୌଶଳ ନେଇ ଏଭିଏସନ ରିସର୍ଚ୍ଚ ସ˚ସ୍ଥା ଗଠିତ ହେଲା, ପରେ ଶାସ୍ତ୍ରୀଙ୍କ ସମୟରେ ବି.ଏସ୍.ଏଫ ଗଠିତ ହେଲା। ସାମରିକ ବାହିନୀର ସ୍ଥଳ, ଜଳ ଓ ଆକାଶବାହିନୀମାନଙ୍କ ଆଧୁନିକୀକରଣ ଓ କଳେବର ବୃଦ୍ଧି ଆରମ୍ଭ ହେଲା। ବର୍ତ୍ତମାନ ପରିସ୍ଥିତିରେ ପ୍ରତିରକ୍ଷା ବାହିନୀମାନଙ୍କ ସାମର୍ଥ୍ୟ ବୃଦ୍ଧି ଛଡ଼ା ମୋଦୀ ଯଦି ନିୟନ୍ତ୍ରଣ ରେଖାକୁ ଏକ ସ୍ଥାୟୀ ରୂପ ଦେଇ ପାରିବେ, ମାକ୍ମୋହନ ଲାଇନ ଇତିହାସ ବନିଯିବ ଓ ମୋଦୀ ପ୍ରବାଦ ପୁରୁଷ ହୋଇଯିବେ।
୯୮-ଏ, ସୂର୍ଯ୍ୟନଗର
[email protected]