‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି।’
ଦିନ ଥିଲା, ପିଲାଟିଏ ଯଦି ନ ଖାଇ ଅଝଟ ହେଉଥିଲା, ମା’ ତାକୁ କାଖରେ ଜାକି ଏଇ ଜହ୍ନ ମାମୁର ଗୀତଟି ଶୁଣାଉଥିଲା। ଗୀତର ଅର୍ଥ ନବୁଝିଲେ ବି ପିଲାଟି ତୁନି ହୋଇ ସୁନା ପିଲା ଭଳି ଖାଇ ଦେଉଥିଲା। ଆଈ ମା’ମାନେ ବି ନାତି ନାତୁଣୀଙ୍କୁ ଜହ୍ନ ରାଇଜର କାହାଣୀ ଶୁଣାଉଥିଲେ। ପ୍ରେମିକା ରୁଷିଗଲେ ପ୍ରେମିକମାନେ ଜହ୍ନର ଭରସା ନେଇ ପ୍ରେମିକାର ସୌନ୍ଦର୍ଯ୍ୟ ସହ ଜହ୍ନର ତୁଳନା କରୁଥିଲେ। ତାକୁ ଚନ୍ଦ୍ରମୁଖୀ ବୋଲି ଡାକୁଥିଲେ। କାରଣ ଜହ୍ନ ହେଉଛି ପ୍ରେମର ପ୍ରତୀକ। ପୁଣି ଅନେକ ଦାମ୍ଭିକ ପ୍ରେମିକ ଦରକାର ପଡ଼ିଲେ ଆକାଶରୁ ଜହ୍ନ ତୋଳି ଆଣି ପ୍ରେମିକାକୁ ଧରାଇ ଦେଇପାରନ୍ତି ବୋଲି ଆସ୍ଫାଳନ ମଧ୍ୟ କରୁଥିଲେ। ଖାସ୍ ଏଥିପାଇଁ ତ ଖୋଲା ଆକାଶ ତଳେ ନଈକୂଳେ ବସି ଜହ୍ନକୁ ନେଇ ଲେଖା ଯାଇଥିଲା ଅସୁମାରି କବିତା। ବିଦ୍ଗଧ ମନରୁ ଉତୁରି ଆସୁଥିଲା ଶହ ଶହ ସାୟରି। ଖୋଲି ଯାଉଥିଲା ଗପର ପେଡ଼ି।
କିନ୍ତୁ ଦିନ ବଦଳିଗଲା। କମ୍ପ୍ୟୁଟର ଓ ମୋବାଇଲ ଫୋନର ଯୁଗରେ ଓ ବସ୍ତୁ ପଛରେ ଧାଉଁଥିବା ଦୁନିଆରେ ଜହ୍ନ ଯେମିତି ପରିଣତ ହେଇଗଲା ଆକାଶ ମାର୍ଗର ଜଣେ ଅନାକାଂକ୍ଷିତ ପଥିକରେ। ଅତ୍ୟାଧୁନିକ ବିଜ୍ଞାନ ସାହାଯ୍ୟରେ ଆମେ ଚନ୍ଦ୍ର ସ୍ପର୍ଶ କରିଛୁ, କିନ୍ତୁ ତାକୁ ଆମ ହୃଦୟ ଭିତରୁ ନିର୍ବାସିତ କରି ଦେଇଛୁ। ଏବେ ଜହ୍ନ ଓ ତାର ଜ୍ୟୋତ୍ସ୍ନା କେବଳ ଝଲମଲ କରୁଛି କମ୍ପ୍ୟୁଟର ପରଦାରେ।
ଆପଣ ଯଦି ଆଜି କୌଣସି ମିଲେନିଏଲ୍ ବା ଜେନେରେସନ୍ ‘ଜେଡ୍’ର କାହାକୁ ପ୍ରଶ୍ନ କରିବେ ଆକାଶରେ ଜହ୍ନକୁ ଦେଖିଛ? ଏହାର ଜବାବ ପ୍ରାୟତଃ ହୋଇପାରେ ‘ନା’ ବା କଦବା କେମିତି ହୋଇପାରେ-‘ଦେଖିଛୁ କୁମାର ପୂର୍ଣ୍ଣିମାରେ ବା ଇଦ୍ରେ ବା କରୱା ଚୌଥରେ!
ପିଲାଏ ନଖାଇଲେ ମା’ମାନେ ଆଉ ଜହ୍ନକୁ ମନେ ପକାଉ ନାହାନ୍ତି କି ପ୍ରେମିକାଙ୍କୁ ମନାଇବା ଲାଗି ଜହ୍ନ ଆଉ ଲୋଡ଼ା ପଡ଼ୁନି। ଏବେ କଅଁଳା ଛୁଆ ସ୍ମାର୍ଟ ଫୋନ୍ ଧରି ଖୁସିରେ ଖାଇ ଦେଉଛି, ଅଝଟ କରୁନାହିଁ। କବିମାନଙ୍କ କବିତାରେ ବି ନୂଆ ଉପମାର ଅରଣ୍ୟ, ଯେଉଁଠି ଜହ୍ନ ଏକ ପୁରୁଣା ପ୍ରତୀକ ଭାବେ ଅପାଂକ୍ତେୟ। ଲାଗୁଛି ଆଉ କିଛି ବର୍ଷ ଭିତରେ ମନରୁ ଜହ୍ନ ଯେମିତି ପୂରା ପୋଛି ହୋଇଯିବ।
କିନ୍ତୁ ଜ୍ୟୋତ୍ସ୍ନା ବିଧୌତ ରଜନୀର ଅନୁଭୂତି ହରାଇଥିବା ସମସ୍ତ ମଣିଷ ଯେ କିଭଳି ଭାଗ୍ୟହୀନ, ତାହା କେବଳ ସେହି ନୈସର୍ଗିକ ଅନୁଭୂତିର ଅଧିକାରୀମାନେ ଜାଣନ୍ତିି। ପ୍ରକୃତିର ଏହି ମୂଲ୍ୟବାନ ଉପହାରକୁ ନ୍ୟୂନଭାବେ ଗ୍ରହଣ କରିବା ଯେ ନିରୁତା ନିର୍ବୋଧତା, ଏହା କହିବା ବାହୁଲ୍ୟ ମାତ୍ର। କିନ୍ତୁ ବିଡ଼ମ୍ବନାଟି ହେଲା, ତାହା ହିଁ ହୋଇ ଚାଲିଛି।
ତେଣୁ, ଏବେ ଆସନ୍ତୁ ପୁଣି ଥରେ ରାତିରେ ଘର ବାହାରକୁ ଯାଇ ଆକାଶକୁ ଚାହିଁ ଜହ୍ନକୁ ଭଲ ଭାବେ ଅବଲୋକନ କରିବା ଓ ତାର କିରଣରେ ଭିଜିବା। ପୂର୍ଣ୍ଣିମା ରାତିରେ ଘଣ୍ଟାଏ ପାଇଁଁ ପୂରା ସହରର ଆଲୁଅକୁ ଲିଭାଇ ଦେବା। ଏହି ସମୟରେ ପଡ଼ିଆ କିମ୍ବା ପାର୍କରେ ଖୋଲା ଆକାଶ ତଳେ ଜହ୍ନକୁ ଉପଭୋଗ କରିବା। ସେହି ପରିବେଶକୁ ସୁହାଇଲା ଭଳି ସଙ୍ଗୀତ ବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମାଇବା। ତାହା ହେଲେ ଉଦିଆ ଜହ୍ନର ରୁପେଲି ସଂଜ କେତେ ମିଠା ନ ଲାଗନ୍ତା ସତେ?