ସବୁ ଗରିବଙ୍କ ପାଇଁ ଅନ୍ନ ଓ ଖାଦ୍ୟ ଶସ୍ୟ

ଖାଦ୍ୟ ସୁରକ୍ଷା - ଜିତେନ୍ଦ୍ର ରଥ

ଜୁନ୍‌ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଦେଶ ପ୍ରତି ନିଜ ସମ୍ବୋଧନରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ କଥା କହିଛନ୍ତି। କୋଭିଡ-୧୯ ପରିପ୍ରେକ୍ଷୀରେ, ଗତ ମାର୍ଚ୍ଚ ମାସରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଘୋଷିତ ଆର୍ଥିକ ପ୍ୟାକେଜରେ ମଧୢ ଏହିଭଳି ବ୍ୟବସ୍ଥା କରଯାଇଥିଲା, ଯାହା ଫଳରେ ରାସନ କାର୍ଡଧାରୀମାନେ ଲାଭାନ୍ବିିତ ହୋଇ ପାରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନୂଆ ଘୋଷଣା ପରେ ଏବେ ରାସନ କାର୍ଡ ତାଲିକାରେ ନାମ ଥିବା ବ୍ୟକ୍ତିମାନେ ଆଗାମୀ ନଭେମ୍ବର ମାସ ଯାଏ ମୁଣ୍ତପିଛା ମାସିକ ପାଞ୍ଚ କିଲୋ ଚାଉଳ ଓ ଏକ କିଲୋ ଚଣା ଡାଲି ମାଗଣାରେ ପାଇ ପାରିବେ। ଏହାଛଡ଼ା ସେମାନେ ନିୟମିତ ପାଉଥିବା କିଲୋ ପ୍ରତି ଏକ ଟଙ୍କା ମୂଲ୍ୟରେ ମୁଣ୍ତପିଛା ପାଞ୍ଚ କିଲୋ ଖାଦ୍ୟଶସ୍ୟ ମଧୢ ପୂର୍ବ ପରି ପାଇବେ। ଅର୍ଥାତ୍‌ ରାସନ କାର୍ଡ ଥିବା ପ୍ରତ୍ୟେକ ବ୍ୟକ୍ତି ମୋଟ ଦଶ କିଲୋ ଖାଦ୍ୟଶସ୍ୟ ଓ ଏକ କିଲୋ ଡାଲି ପାଇ ପାରିବେ। ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଏହା ଯଥେଷ୍ଟ ହୋଇନଥିଲେ ମଧୢ ବିଗତ ତିନି ମାସରେ ମିଳିଥିବା ଅଭିଜ୍ଞତାରୁ ଏହା ଯେ ଜୀବନ ବଞ୍ଚାଇବା ପାଇଁ ନିଶ୍ଚୟ ସହାୟକ ହେବ, ତାହା ନିର୍ଦ୍ବନ୍ଦ୍ବରେ କୁହାଯାଇପାରେ। କିନ୍ତୁ ବିଗତ ମାସଗୁଡ଼ିକରେ ଏବ˚ ମୁଖ୍ୟତଃ କରୋନା ଯୋଗୁଁ ହୋଇଥିବା ତାଲାବନ୍ଦ ସମୟରେ, ସାଧାରଣ ଲୋକଙ୍କର ଖାଦ୍ୟ ସୁରକ୍ଷାର ସ୍ଥିତିକୁ ଅନୁଧୢାନ କଲେ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନ ଉଠିବା ସ୍ବାଭାବିକ।

କରୋନା ତାଲାବନ୍ଦ ସାଧାରଣ ଲୋକଟିର ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିଛି ଏବ˚ ଜୀବିକା ଚାଲି ଯିବାର ସିଧାସଳଖ ପ୍ରଭାବ ଖାଦ୍ୟ ସୁରକ୍ଷା ଉପରେ ପଡ଼ିିଛି। ମିଳିତ ଜାତିସ˚ଘ କହିଛି ଯେ ସମଗ୍ର ବିଶ୍ବ ଏକ ଗଭୀର ଖାଦ୍ୟ ସଙ୍କଟ ଆଡ଼କୁ ମୁହାଁଇବାର ସମ୍ଭାବନା ବେଶ୍‌ ଅଧିକ। ଏହି ପରିପ୍ରେକ୍ଷୀରେ ଯଦି ଭାରତକୁ ଦେଖାଯାଏ, ତେବେ ଆମ ଦେଶରେ ପ୍ରଚଳିତ ସାଧାରଣ ବଣ୍ଟନ ବ୍ୟବସ୍ଥା ଏଭଳି ପରିସ୍ଥିତିକୁ ସାମ୍ନା କରିବା‌େର ଯଥେଷ୍ଟ ସଫଳ ହୋଇଛି। କିନ୍ତୁ ଯାହା ଉଦ୍‌ବେଗ ସୃଷ୍ଟି କରିଥାଏ, ତାହା ହେଲା ଅନେକ ଲୋକ ଖାଦ୍ୟ ଅଭାବରୁ ଜୀବନ ହାରିଛନ୍ତି ଏବ˚ ଜଣାପଡ଼ିଛି ଯେ ଏମାନଙ୍କ ମଧୢରୁ ଅଧିକା˚ଶ ସାଧାରଣ ବଣ୍ଟନ ବ୍ୟବସ୍ଥା ବାହାରେ ରହିଛନ୍ତି। ସରକାରୀ ତଥ୍ୟ ଅନୁସାରେ ଭାରତର ପ୍ରାୟ ୬୭ ପ୍ରତିଶତ ଅର୍ଥାତ୍‌ ୮୦ କୋଟି ୯୫ ଲକ୍ଷ ଲୋକଙ୍କ ପାଖରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଅନ୍ତର୍ଗତ ରାସନ କାର୍ଡ ଅଛି। ଏହି ହାର ପିଛିଲା ଭାବେ ୨୦୧୧ ମସିହାର ଜନଗଣନା ଅନୁସାରେ ଧାର୍ଯ୍ୟ କରାଯାଇଛି। ଆଜିର ଦିନରେ ଦେଶର ଜନସ˚ଖ୍ୟା ପ୍ରାୟ ୧୩୬ କୋଟି। ଏହି ଆଧାରରେ ଦେଖିଲେ ପ୍ରାୟ ୯୧ କୋଟି ୧୨ ଲକ୍ଷ ଲୋକ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାସନ କାର୍ଡ ପାଇବା କଥା। ଅର୍ଥାତ୍‌, ଜନସ˚ଖ୍ୟା ଆଧାରରେ ଦେଶରେ ପ୍ରାୟ ୧୦ କୋଟିରୁ ଅଧିକ ଲୋକ ଯୋଗ୍ୟ ହୋଇ ମଧୢ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି। ଏହି ଆଧାରରେ ଓଡ଼ିିଶାରେ ମଧୢ ଅନେକ ଲୋକ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି। ଧାର୍ଯ୍ୟ କୋଟା ହିସାବରେ, ରାଜ୍ୟର ପ୍ରାୟ ୭୮ ପ୍ରତିଶତ ରାସନ କାର୍ଡ ପାଇବା କଥା। ୨୦୧୧ ଜନଗଣନା ଅନୁସାରେ ଏହି ସ˚ଖ୍ୟା ପ୍ରାୟ ୩ କୋଟି ୨୬ ଲକ୍ଷ। କିନ୍ତୁ ୨୦୨୦ର ଜନସ˚ଖ୍ୟାକୁ ହିସାବକୁ ନେଲେ ଓ ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଲୋକଙ୍କ ସ˚ଖ୍ୟାକୁ ଛାଡ଼ିି ଆହୁରି ପ୍ରାୟ ୨୮ ଲକ୍ଷ ଲୋକ ରାସନ କାର୍ଡ ପାଇବାରୁ ବାଦ ପଡ଼ିିଛନ୍ତି। ଏ ମଧୢରେ ରହିଛନ୍ତି ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାର ଓ କାମ ପାଇଁ ବାହାରକୁ ଯାଇଥିବା ଅନେକ ଶ୍ରମିକ। ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଅନୁସାରେ ଏହି ଲୋକମାନେ ରାସନ ପାଇବାରୁ ବଞ୍ଚିତ ହେବେ ଓ ସେମାନଙ୍କ କ୍ଷେତ୍ରରେ ଖାଦ୍ୟ ଅସୁରକ୍ଷାର ସ୍ଥିତି ସୃଷ୍ଟି ହେବା ସ୍ବାଭାବିକ। ଏଭଳି ସ୍ଥିତିକୁ ସୁଧାରିବା ପାଇଁ ସରକାର, ସାଧାରଣ ବଣ୍ଟନ ବ୍ୟବସ୍ଥାର ସାର୍ବଜନୀନୀକରଣ କରିବାର ଅବଶ୍ୟକତା ଅଛି। ଯାହା ଫଳରେ ଶସ୍ତା ରାସନ ଆବଶ୍ୟକ କରୁଥିବା ସମସ୍ତ ବ୍ୟକ୍ତି ଓ ପରିବାର ତାହା ପାଇପାରିବେ।

ରାସନ ବ୍ୟବସ୍ଥାକୁ ସାର୍ବଜନୀନ କରିବାର ଆବଶ୍ୟକତା ସବୁ ସମୟରେ ରହିଥିଲେ ମଧୢ, ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। କିନ୍ତୁ କୋଭିଡ-୧୯ ଦ୍ବାରା ସୃଷ୍ଟି ହୋଇଥିବା ସ୍ଥିତିର ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେବାର ଯଥେଷ୍ଟ ଆବଶ୍ୟକତା ରହିଛି। ଅତି କମ୍‌ରେ କରୋନା ସମୟ କାଳରେ ଏହା କରାଯାଇପାରେ। ପ୍ରାପ୍ତ ତଥ୍ୟ ଅନୁସାରେ ଭାରତରେ ଥିବା ଗୋଦାମ ମାନଙ୍କରେ ପ୍ରାୟ ୮୩୪.୮୦ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଗଛିତ ଅଛି ଯାହା ଗୋଦାମର ଧାର୍ଯ୍ୟ କ୍ଷମତାର ଦୁଇ ଗୁଣରୁ ବେଶି। ୨୦୨୦-୨୧ ବର୍ଷର ସମସ୍ତ ଖାଦ୍ୟ ଓ ପୁଷ୍ଟି ଯୋଜନାର ଆବଣ୍ଟନ ପ୍ରାୟ ୫୮୭.୩୨ ଲକ୍ଷ ଟନ୍‌ ରହିଛି। ଅର୍ଥାତ୍‌ ବର୍ତ୍ତମାନର ହିସାବରେ ସରକାରୀ ଗୋଦାମରେ ଅନେକ ପରିମାଣର ଖାଦ୍ୟଶସ୍ୟ ଅଧିକ ମହଜୁଦ ଅଛି। ଏହି ଖାଦ୍ୟଶସ୍ୟ କରୋନା ସମୟରେ ବାଦ ପଡ଼ିଥିବା ଲୋକଙ୍କ ପାଇଁ ବିନିଯୋଗ କରାଯାଇ ପାରିଲେ ହୁଏତ ଅନେକ ଗୁଡ଼ିିଏ ଜୀବନ ରକ୍ଷା କରାଯାଇ ପାରିବ। ଏହାଛଡ଼ା, ଓଡ଼ିିଶା ଭଳି ରାଜ୍ୟ ଯେଉଁମାନେ କେନ୍ଦ୍ରୀୟ ଯୋଜନା ସହ ରାଜ୍ୟ ଖାଦ୍ୟ ସୁରକ୍ଷା ଭଳି ଯୋଜନା ପରିଚାଳନା କରୁଛନ୍ତି। ରାଜ୍ୟ ଯୋଜନାର ହିତାଧିକାରୀ ମାନେ କିପରି ନଭେମ୍ବର ମାସ ଯାଏ ସମପରିମାଣର ଖାଦ୍ୟଶସ୍ୟ ଓ ଡାଲି ପାଇ ପାରିବେ, ସେ ନିଷ୍ପତ୍ତି ଯଥାଶୀଘ୍ର ନେବାର ଆବଶ୍ୟକତା ରହିଛି। ମୋଟାମୋଟି ଭାବେ, ସାଧାରଣ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ନିଷ୍ପତ୍ତି ସ୍ବାଗତଯୋଗ୍ୟ ହୋଇଥିଲେ ମଧୢ ସମସ୍ତଙ୍କୁ ସାମିଲ କରା ନ ଯିବା ଆଗାମୀ ଦିନରେ ଅନେକ ସମସ୍ୟା ସୃଷ୍ଟି କରିବ।

ଜଗନ୍ନାଥପୁର ଶାସନ, କେନ୍ଦ୍ରାପଡ଼ା
ମୋ: ୯୯୩୭୦୦୮୪୩୧

ସମ୍ବନ୍ଧିତ ଖବର