ଆମ ଦେଶ ଭାରତବର୍ଷର ଚାରିତ୍ରିକ ବୈଶିଷ୍ଟ୍ୟ ତଥା ଗୁଣଗାନ କଲାବେଳେ ଆମେ କେତେ ସୁନ୍ଦର ସୁନ୍ଦର କଥା ଶୁଣିବାକୁ ପାଉ, ଯଥା ‘ବିବିଧତା ମଧୢରେ ଏକତା’, ‘ଅଖଣ୍ତ ଭାରତ’ ଇତ୍ୟାଦି। ଏଭଳି ବକ୍ତବ୍ୟର ମୂଳ କଥା ହେଲା ଯେ ଧର୍ମ, ଭାଷା, ଚଳଣି ଓ ସ˚ସ୍କୃତିର ବିଭିନ୍ନତା ସତ୍ତ୍ବେ ଭାରତର ପ୍ରତ୍ୟେକ ଲୋକ ଏକ ପ୍ରଚ୍ଛନ୍ନ ସୁଦୃଢ଼ ଭାରତୀୟ ସୂତ୍ର ଦ୍ବାରା ମନ-ପ୍ରାଣରେ ଅଭିନ୍ନ ଓ ଅବିଚ୍ଛିନ୍ନ। କିନ୍ତୁ କରୋନା ଭୂତାଣୁ ସ˚କ୍ରମଣର ଏକ ଜାଗତିକ ମହାବିପତ୍ତି ବେଳେ ଏହି ଭାରତୀୟତା ସୂତ୍ରର- ଦୃଢ଼ତା ନୁହେଁ ଦୁର୍ବଳତା ହିଁ ଉଦ୍‌ଭାସିତ ହେଲା; ‘ସମ୍ପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା’ ଭଳି। ଅବଶ୍ୟ ଜନସାଧାରଣଙ୍କ ଅପେକ୍ଷା କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ହିଁ ଏହି ବିଖଣ୍ତନ ନାଟକର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଲେ।

Advertisment

ଜନକଲ୍ୟାଣର ଦ୍ବାହି ଦେଇ ବିଭିନ୍ନ ରାଜନୈତିକ ଦଳର ସରକାର ଗୁଡ଼ିକ ଚିରାଚରିତ ଭାବରେ ଲୋକମାନଙ୍କ ମଧୢରେ ଧର୍ମ, ଜାତି, ଲିଙ୍ଗ ଓ ଅର୍ଥନୀତି ଆଧାରରେ ଏକ ସାମାଜିକ ବିଭାଜନ ପ୍ରକ୍ରିୟାକୁ ଅଧିକରୁ ଅଧିକ ଦୃଢ଼ୀଭୂତ କରି ଆସୁଛନ୍ତି। ଏହି ସାମାଜିକ ବିଭାଜନ ସହ ରାଜନୈତିକ ସ˚ଘୀୟ ବ୍ୟବସ୍ଥାର ଅସ˚ହତି ଓ ଅର୍ଥନୈତିକ ବିଭକ୍ତୀକରଣର ଚିତ୍ର ଯୋଡ଼ି ହୋଇଗଲା।

କରୋନା ଦ୍ବାରା ଏବେ ପୃଥିବୀର ୨୧୩ଟି ଦେଶର ପ୍ରାୟ କୋଟିଏରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି। ଏହାର ପ୍ରତିଷେଧକ ଟିକା ବା ଚିକିତ୍ସା ପଦ୍ଧତି ଜଣା ନ ଥିବାରୁ କେବଳ ଶାରୀରିକ ଓ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ସାବୁନ ବା ସାନିଟାଇଜରରେ ହାତ ସଫା କରିବା ଓ ବାହାରକୁ ଗଲେ ମୁହଁରେ ମାସ୍କ୍‌ଟିଏ ପିନ୍ଧିବା ଭଳି କେତୋଟି ନ୍ୟୂନତମ ଅଭ୍ୟାସ ନିଜକୁ ଓ ସମାଜକୁ ରୋଗ ସ˚କ୍ରମଣରୁ ରକ୍ଷା କରିବାର ଉପାୟ ବୋଲି ବିଚାର କରାଯାଉଛି। ତେଣୁ ପୃଥିବୀର ଅନ୍ୟ ଦେଶ କିଛି ଭଳି ଆମ ଦେଶର କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପ୍ରଥମ ‘ଲକ୍‌ଡାଉନ୍‌’ (ଭାରତରେ ମାର୍ଚ୍ଚ ୨୪ରେ) ଘୋଷଣା କଲେ। ବ୍ୟବସାୟ- ବାଣିଜ୍ୟ, ଗମନାଗମନ, ସମସ୍ତ ଶିକ୍ଷାନୁଷ୍ଠାନ ଇତ୍ୟାଦି ବନ୍ଦ କରାଯାଇ ଲୋକମାନଙ୍କୁ ନିଜ ନିଜ ଘରେ ରହିବା ପାଇଁ ପରାମର୍ଶ ଦିଆଗଲା। ଏହା ଏକ ଅତ୍ୟନ୍ତ ଆବଶ୍ୟକ ଓ ଅଭିନନ୍ଦନୀୟ ପଦକ୍ଷେପ ଥିଲା। ତେଣୁ ଅପ୍ରତ୍ୟାଶିତ ଅସୁବିଧା ଓ କଷ୍ଟକୁ ସାମନା କରି ଜନସାଧାରଣ ପଦକ୍ଷେପର ମହତ୍ତ୍ବ ଉପଲବ୍‌ଧି କରି, ରୋଗର ଭୟାବହତା ବିଷୟରେ ସଚେତନ ହୋଇ ଅପୂର୍ବ ଧୈର୍ଯ୍ୟର ସହ ଏହାର ପାଳନ କଲେ। ‘ଲକ୍‌ଡାଉନ୍‌’ର ଅବଧି ଦୁଇ ମାସ ଆଠ ଦିନ ଧରି ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିଲା ଭିନ୍ନ ଭିନ୍ନ କଟକଣା ମଧୢରେ। ଜୁନ୍‌ ୧ରୁ ‘ଅନଲକ୍‌-୧’ ଆରମ୍ଭ ହୋଇ ଜୁଲାଇ ୧ରେ ‘ଅନଲକ୍‌-୨’ ଦେଇ ଜୀବିକା ରକ୍ଷା କରିବାର ଏକ ସନ୍ତୁଳିତ ପଦକ୍ଷେପ ଭାବେ ଅଗ୍ରସର ହୋଇଛି।

ଏହି ‘ଲକ୍‌ଡାଉନ୍‌’ର ଅବଧି ମଧୢରେ ଦୁଇଟି ପ୍ରମୁଖ ଘଟଣା କେନ୍ଦ୍ର ତଥା ରାଜ୍ୟ ସରକାର ଗୁଡ଼ିକର ଅପାରଗତାକୁ ମଧୢ ପ୍ରକାଶିତ କରିଛି। ପ୍ରଥମଟି ଥିଲା ମାର୍ଚ୍ଚ ୧ରୁ ୨୧ ମଧୢରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମ। ଏଥିରେ ପାଖାପାଖି ନଅ ହଜାର ମୁସଲମାନ ଧର୍ମାବଲମ୍ବୀ ଭାଗ ନେଇଥିଲେ। ମାଲୟେସିଆ, ଇଣ୍ତୋନେସିଆ ଓ ପୂର୍ବ ୟୁରୋପରୁ ଅନେକ ଅ˚ଶଗ୍ରହଣକାରୀ ଆସି ଦେଶର ବିଭିନ୍ନ ପ୍ରାନ୍ତକୁ ମଧୢ ଗସ୍ତ କରିଥିଲେ। ଫଳତଃ ମାର୍ଚ୍ଚ ମାସ ଶେଷ ସପ୍ତାହ ବେଳକୁ ଭାରତର ସମୁଦାୟ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟାର ପ୍ରାୟ ଏକ ତୃତୀୟା˚ଶ ଏହି ଜମାତ୍‌ରୁ ସ˚କ୍ରମିତ ହୋଇଥିବାର ପରିସ˚ଖ୍ୟାନ ମିଳିଥିଲା। ଏହି ସ˚କ୍ରମଣ ‘ଲକ୍‌ଡାଉନ୍‌’ର ପ୍ରଭାବକୁ ବହୁମାତ୍ରାରେ ନଷ୍ଟ କରିଥିଲା। ଏଭଳି ଏକ ଜନଗହଳିପୂର୍ଣ୍ଣ ଧାର୍ମିକ କାର୍ଯ୍ୟକ୍ରମ ଓ ବହୁ ବିଦେଶୀ ଲୋକଙ୍କ ଯୋଗଦାନ ଦିଲ୍ଲୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ‘ନାକତଳେ’ ଘଟିଥିଲେ ବି ସରକାର ଗୁଡ଼ିକ କିଭଳି ତା’ର କୌଣସି ପ୍ରତିକାରାତ୍ମକ ପଦକ୍ଷେପ ନେଇ ନ ଥିଲେ ତାହା ଏକ ରହସ୍ୟ ହୋଇ ରହିଛି।

ଉପରୋକ୍ତ ଘଟଣାର ପ୍ରାୟ ଏକ ମାସ ପରେ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଆରମ୍ଭ ହେଲା ଆଉ ଏକ ଗୁରୁତର ସମସ୍ୟା। ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ସହ ବାରମ୍ବାର ଭିଡିଓ କନ୍‌ଫରେନ୍‌ସି˚ ଓ କେନ୍ଦ୍ର ସରକାରଙ୍କ ଅନୁରୋଧ ସତ୍ତ୍ବେ ଅନ୍ୟ ରାଜ୍ୟ ଶ୍ରମିକମାନଙ୍କର ମଜୁରି, ଖାଇବା ପିଇବା, ସ୍ବାସ୍ଥ୍ୟ ସେବା କଥା କେହି ବୁଝିଲେ ନାହିଁ; ନା କେନ୍ଦ୍ର ସରକାର, ନା କାର୍ଯ୍ୟ କ୍ଷେତ୍ରର ରାଜ୍ୟ ସରକାର ନା ନିଜ ରାଜ୍ୟ ସରକାର ନା ସେମାନଙ୍କ ନିଯୁକ୍ତିକାରୀ ମାଲିକମାନେ! କେନ୍ଦ୍ର ସରକାର, ବିଭିନ୍ନ ରାଜ୍ୟ ସରକାର ଓ ନିଯୁକ୍ତିଦାତାମାନଙ୍କ ମଧୢରେ ବୁଝାମଣା ଅଭାବରେ ଶ୍ରମିକମାନେ ଅର୍ଥାଭାବ, ଖାଦ୍ୟାଭାବ ଓ ରୋଗ ଭୟରେ ଚାଲି ଚାଲି ବା ସାଇକେଲରେ ଶହ ଶହ କିଲୋମିଟର ରାସ୍ତା ଅତିକ୍ରମ କରି ନିଜ ନିଜ ଗାଁକୁ ଫେରିବାର ଶପଥ ନେଲେ। ପରିସ୍ଥିତିର ଚାପରେ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ମାଗଣାରେ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ବସ୍‌ ଓ ଟ୍ରେନ୍‌ର ବ୍ୟବସ୍ଥା କରିବାକୁ ବାଧୢ ହେଲେ ଏପ୍ରିଲ ମାସ ଶେଷ ଓ ମେ ମାସ ଆରମ୍ଭ ବେଳକୁ। ତେବେ ଏହାଦ୍ବାରା କରୋନା ଭୂତାଣୁ ସ˚କ୍ରମଣ ଦେଶସାରା ପରିବ୍ୟାପ୍ତ ହେବାକୁ ଲାଗିଲା। ଉଦାହରଣ ସ୍ବରୂପ ଭାରତରେ ଆକ୍ରାନ୍ତଙ୍କ ସ˚ଖ୍ୟା ଏପ୍ରିଲ ୨୮ ବେଳକୁ ୩୦,୩୩୪ ଥିଲା ବେଳେ ମେ ୨୮କୁ ୧,୫୮,୩୩୩ ଓ ମୃତ୍ୟୁ ସ˚ଖ୍ୟା ୧୦୦୦ରୁ ବଢ଼ି ୪୫୩୧ରେ ପହଞ୍ଚିଲା। ଓଡ଼ିଶାରେ ସେହି ସମୟ ମଧୢରେ ଆକ୍ରାନ୍ତଙ୍କ ସ˚ଖ୍ୟା ୧୧୮ରୁ ବଢ଼ି ୧୬୬୦ ଓ ମୃତ୍ୟୁ ସ˚ଖ୍ୟା ୧ରୁ ବଢ଼ି ୭ ହେଲା। ଜୁନ ୩ ତାରିଖ ବେଳକୁ ଭାରତରେ ଆକ୍ରାନ୍ତଙ୍କ ସ˚ଖ୍ୟା ୨୦୭୬୧୫ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ଏହି ସ˚ଖ୍ୟା ୨୩୮୮ ହୋଇଛି। ଜୁନ୍‌ ୧ରୁ ‘ଅନଲକ୍‌-୧’ ଦ୍ବାରା କଟକଣା କୋହଳ ହେବାରୁ ଏବେ ଉଭୟ ଦେଶ ଓ ରାଜ୍ୟରେ ସ୍ଥାନୀୟ ସ˚କ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସୁତରା˚, ‘ଲକ୍‌ଡାଉନ୍‌’ଗୁଡ଼ିକରୁ ମିଳିଥିବା ସୁଫଳ ନିଷ୍ପ୍ରଭ ହୋଇଛି। କିନ୍ତୁ ଲୋକମାନଙ୍କ ଜୀବିକା ଦାୟରେ ଅନ୍ୟ କିଛି ପନ୍ଥା ମଧୢ ନ ଥିଲା।

ଜୀବନ-ଜୀବିକା ସମନ୍ବୟ ରକ୍ଷାରେ କେନ୍ଦ୍ର ସରକାରଙ୍କର ଦୁଇଟି ନିଷ୍ପତ୍ତି ପ୍ରଶ୍ନବାଚୀ ସୃଷ୍ଟି କରେ। ପ୍ରଥମଟି ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ମେ ୭ ତାରିଖ ରାୟ ବିରୋଧରେ ମେ ୮ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା। ଏକ ଜନସ୍ବାର୍ଥ ମାମଲାର ବିଚାର କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ RT-PCR ଟେଷ୍ଟରେ ରୋଗମୁକ୍ତ ଶ୍ରମିକମାନେ ସୁରଟରୁ ଓଡ଼ିଶା ଆସିପାରିବେ, କିନ୍ତୁ ରାୟ ପ୍ରଦାନର ପରଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରାୟ ପାଳନଯୋଗ୍ୟ ନୁହେଁ ବୋଲି ଦର୍ଶାଇଲେ ଓ ଉଚ୍ଚତମ ନ୍ୟାୟାଳୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସ୍ଥଗିତ ରଖିଲେ। ଅଥଚ କେନ୍ଦ୍ର ସରକାର ନିଜର ୨୯ ଏପ୍ରିଲ ଆଦେଶନାମା ଅନ୍ତର୍ଗତ SOPରେ ଉଲ୍ଲେଖ କରିଥିଲେ ଯେ ପ୍ରବାସୀ ଶ୍ରମିକମାନଙ୍କ ମଧୢରୁ କେବଳ କୋଭିଡ-୧୯ ରୋଗର ଲକ୍ଷଣ ନ ଥିବା ଲୋକମାନେ ହିଁ ବସ୍‌ରେ ନିଜ ରାଜ୍ୟକୁ ଫେରିପାରିବେ। ଆଗରୁ ୨୯ ମାର୍ଚ୍ଚ, ୧୫ ଏପ୍ରିଲ, ୧୬ ଏପ୍ରିଲ ଓ ୧୯ ଏପ୍ରିଲ କେନ୍ଦ୍ର ସରକାର ନିଜ ଆଦେଶନାମାରେ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ରହିବା ପାଇଁ ଓ କର୍ମକ୍ଷେତ୍ରର ରାଜ୍ୟ ସରକାରଗୁଡ଼ିକ ସେମାନଙ୍କ କଥା ବୁଝିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ବିରୋଧ କରି କେନ୍ଦ୍ର ସରକାର ନିଜ ୨୯ ଏପ୍ରିଲ SOPର ବିରୋଧାଚରଣ କରିବା ସହିତ କେନ୍ଦ୍ର ନିର୍ଦ୍ଦେଶାବଳୀକୁ ରାଜ୍ୟ ସରକାରମାନେ ପାଳନ କରି ନ ଥିବା ପରିପ୍ରେକ୍ଷୀରେ ନିଜ ବିଫଳତାକୁ ଘୋଡାଇବାର ପ୍ରୟାସ କରିଥିବା ଭଳି ମନେହୁଏ।

ଦ୍ବିତୀୟତଃ, ମେ ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ କରୋନା ମାଡ଼ରେ ଧରାଶାୟୀ ଅର୍ଥନୀତିର ପୁନରୁଦ୍ଧାର ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ସହାୟତା ରାଶିର ଘୋଷଣା କଲେ। ଏହି ଅର୍ଥ ମୁଖ୍ୟତଃ କୃଷକ, ଶ୍ରମିକ, କ୍ଷୁଦ୍ରଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରରେ ବିନିଯୋଗ କରାଯାଇ ଦେଶକୁ ‘ଆତ୍ମନିର୍ଭରଶୀଳ’ କରିବାରେ ସହାୟକ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏହା ସ୍ପଷ୍ଟ ଯେ ଏହି ଅନୁକମ୍ପା ରାଶି ଦୁଇ ମାସ ବିଳମ୍ବରେ ଘୋଷଣା କରାଯାଇଛି। ବର୍ତ୍ତମାନ ଏହି ରାଶିର ସି˚ହଭାଗକୁ ଶ୍ରମିକମାନଙ୍କ ଯାତାୟତ, କ୍ବାରାଣ୍ଟାଇନ ଭଳି ଅଣ ଉତ୍ପାଦନଶୀଳ ବ୍ୟବସ୍ଥାରେ ଖର୍ଚ୍ଚ କରାଯାଉଛି। ମାର୍ଚ୍ଚ ମାସ ପ୍ରାରମ୍ଭରେ ଏହି ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଥିଲେ ମାସକୁ ୧୦,୦୦୦ ଟଙ୍କା ହାରରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାରେ ୧୨ କୋଟି- ପ୍ରାୟ ଶ୍ରମିକମାନଙ୍କର ଉଭୟ ଜୀବନ ଓ ଜୀବିକା ବହୁ ଅଧିକ ଗୁଣରେ ସୁରକ୍ଷିତ କରାଯାଇପାରିଥାଆନ୍ତା।

ଉପରୋକ୍ତ ଉଦାହରଣଟି ଆମ ଦେଶର ରାଜନୈତିକ ସ˚ଘୀୟ ବ୍ୟବସ୍ଥାର ଅତ୍ୟନ୍ତ ଭଙ୍ଗୁର ଅବସ୍ଥାକୁ ମଧୢ ପ୍ରଦର୍ଶିତ କଲା। ସତେ ଯେପରି ପ୍ରତ୍ୟେକ ପ୍ରଦେଶ ଓ ପ୍ରତ୍ୟେକ ଭାଷାଭାଷୀ ଜାତି ସ୍ବତନ୍ତ୍ର ଓ ବିଭକ୍ତ; ଜାତୀୟତା ବନ୍ଧନରୁ ମୁକ୍ତ! କେନ୍ଦ୍ର-ରାଜ୍ୟ ବୁଝାମଣା ଅଭାବରୁ ହିଁ ଶ୍ରମିକମାନଙ୍କର ବର୍ତ୍ତମାନର ଅକଥନୀୟ ଦୁର୍ଦଶା ଓ ଅନ୍ଧକାରମୟ ଭବିଷ୍ୟତ, ରୋଗ ସ˚କ୍ରମଣ ବୃଦ୍ଧି ଓ ଅର୍ଥନୈତିକ ପୁନରୁଦ୍ଧାରରେ ଅହେତୁକ ବିଳମ୍ବ ଭଳି ଗୁରୁତର ସମସ୍ୟା ସହ ଦେଶକୁ ଲଢ଼ିବାକୁ ପଡ଼ୁଛି।

ସେହିପରି ଗତ ୪-୫ ମାସର କରୋନା ବିପତ୍ତି କାଳରେ ଆମ ଦେଶର ଖଣ୍ତ-ବିଖଣ୍ତିତ ଅର୍ଥନୈତିକ ବ୍ୟବସ୍ଥା ମଧୢ ଦୃଷ୍ଟିଗୋଚର ହେଲା। ଭାରତୀୟ ଅର୍ଥନୀତି କହିଲେ କିଛି ନାହିଁ; ଅଛି କେବଳ ଦୁଇ-ତୃତୀୟା˚ଶ ଲୋକଙ୍କର ହଜାର-ଟଙ୍କିଆ ଅର୍ଥନୀତି, ଆଉ ଏକ ତୃତୀୟା˚ଶ ପାଖାପାଖି ଲୋକଙ୍କର ଲକ୍ଷେ-ଟଙ୍କିଆ ଅର୍ଥନୀତି ଓ ଉପର ସ୍ତରରେ ପ୍ରଭାବଶାଳୀ, ଶିଳ୍ପପତି ଓ ଦୁର୍ନୀତିଗ୍ରସ୍ତମାନଙ୍କ ଭଳି ମୁଷ୍ଟିମେୟ ଲୋକଙ୍କର ବହୁ-କୋଟିର ଅର୍ଥନୀତି। ଏହି ତିନିଟି ଅର୍ଥନୈତିକ ସ୍ତର ପରସ୍ପର ଠାରୁ ସମ୍ପୂର୍ଣ୍ଣ ପୃଥକ। ସରକାରଙ୍କ ତତ୍ତ୍ବାବଧାନ ଓ ସରକାରୀ ଅର୍ଥନୈତିକ ବ୍ୟବସ୍ଥା ଆଧାରରେ ସ୍ତରଗୁଡ଼ିକ ମଧୢରେ ତାରତମ୍ୟ ଅଲ˚ଘ୍ୟ ହୋଇଚାଲିଛି। କୁହାଯାଉଛି ମାତ୍ର ଷାଠିଏ ଜଣ ଭାରତୀୟଙ୍କ ପାଖରେ ଦେଶର ଶତକଡ଼ା ସତୁରି ଭାଗ ସମ୍ପତ୍ତି ଠୁଳ ହୋଇଛି। ବହୁ-କୋଟିପତି (billionaire) ଲୋକଙ୍କ ସ˚ଖ୍ୟା ବୃଦ୍ଧି ହାରରେ ଭାରତ ପୃଥିବୀରେ ପ୍ରଥମ! ଜନକଲ୍ୟାଣ ନାଁ ନେଇ ସରକାରଗୁଡ଼ିକ କେବଳ ମାଗଣା ଅନୁଦାନ ଦ୍ବାରା ଦେଶର ଅସ˚ଖ୍ୟ ଲୋକଙ୍କୁ ସବୁଦିନ ପାଇଁ ଅଶିକ୍ଷିତ, ଅଭାବୀ ହୋଇ ରହିବାର ବନ୍ଦୋବସ୍ତ କରି ଦେଉଛନ୍ତି। ବିଡ଼ମ୍ବନାର କଥା ଯେ ଏଭଳି ଏକ ଅନ୍ଧକାରମୟ ‘ଭବିତବ୍ୟ’ର ଶିକାର ହୋଇଥିବା ଜନତା ହିଁ ବିଭିନ୍ନ ରାଜନୈତିକ ଦଳର ଅନ୍ଧ ଭୋଟ୍‌-ବ୍ୟାଙ୍କ୍‌ ସାଜିଛନ୍ତି ନିର୍ବାଚନ ପରୀକ୍ଷାଗାରର ଜୀବଗୁଡ଼ିକ ଭଳି!

ବର୍ତ୍ତମାନର ‘ବୁଡ଼ିଗଲା ଗୋଡ଼ ତଳକୁ ତଳକୁ’ ପରିସ୍ଥିତିରେ କେବଳ ମାତ୍ର ଆଶ୍ବାସନାର ବାଣୀ ଆସିଛି ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ ଉଦ୍‌ଘୋଷଣାରେ। କିନ୍ତୁ ଅନୁଦାନ ଅର୍ଥରାଶି ପ୍ରକୃତରେ MSME, ହସ୍ତଶିଳ୍ପ, କୃଷକ ଓ ଶ୍ରମିକମାନଙ୍କ କଲ୍ୟାଣାର୍ଥେ ନିଷ୍ଠାର ସହ ବିନିଯୋଗ କରାଯାଉଛି କି ? ବା ସର୍ବବ୍ୟାପୀ ଦୁର୍ନୀତି ତଥା ସରକାରୀ ଉଦାସୀନତା ଓ ପ୍ରତାରଣା ଏହି ଉଦ୍‌ଘୋଷଣା ପଥରେ ଅନ୍ତରାୟ ହୋଇଛି କି?- ଏହା ହିଁ ଆଜି ବିରାଟ ପ୍ରଶ୍ନବାଚୀ। ଏହି ପ୍ରଶ୍ନଗୁଡ଼ିକର ଉତ୍ତର ନିର୍ଣ୍ଣୟ କରିବ ଆମ ଓ ଆମ ଦେଶର (ଅଖଣ୍ତ ଅବା ଖଣ୍ତବିଖଣ୍ତିତ) ଭବିଷ୍ୟତ।

ବାୟା ନିବାସ, ଶ୍ରୀବିହାର, ପଟିଆ