ସାମରିକ ଐତିହାସିକମାନଙ୍କ ପାଇଁ ବାଲାକୋଟ ହେଉଛି ସେହି ସ୍ଥାନ, ଯେଉଁଠାରେ ମେ ୧୮୩୧ରେ ମହାରାଜା ରଣଜୀତ ସି˚ହ ଏବ˚ ସୟଦ ଅହମଦ ବେରଲଵୀଙ୍କ ସେନା ମଧ୍ୟରେ ଏକ ମହତ୍ତ୍ବପୂର୍ଣ୍ଣ ଓ ନିର୍ଣ୍ଣାୟକ ଯୁଦ୍ଧ ହୋଇଥିଲା। ସାଧାରଣ ଲୋକ ବା ‘ଆମ ଆଦମୀ’ଙ୍କ ପାଇଁ ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ଥିବା ଜୈସ-ଏ-ମହମ୍ମଦର ଆତଙ୍କବାଦୀ ତାଲିମ ଶିବିରଗୁଡ଼ିକ ଉପରେ ଫେବ୍ରୁଆରି ୨୦୧୯ରେ ଭାରତୀୟ ବାୟୁ ସେନା ଆକ୍ରମଣ କରିଥିଲା।

Advertisment

ମୁଁ ଆଜି ସେହି ସ୍ଥାନ ଉପରେ ଲେଖୁଛି; ତେବେ, ଏକ ଭିନ୍ନ ଦୃଷ୍ଟିକୋଣରୁ। ଉକ୍ତ ଦୁଇ ଘଟନା ସହ ମୋ ସ୍ତମ୍ଭର କୌଣସି ସ˚ପର୍କ ନାହିଁ। ମୁଁ ଏକ ତୃତୀୟ ଐତିହାସିକ ଘଟନା ଉପସ୍ଥାପନ କରୁଛି, ଯାହା ଉପରୋକ୍ତ ଦୁଇ ଘଟନାର ଏକ ମଧ୍ୟବର୍ତ୍ତୀ କାଳରେ ଘଟିଥିଲା। ମେ ୧୯୩୯ରେ ଜଣେ ମହାନ୍‌ ଭାରତୀୟ ଦେଶପ୍ରେମୀ ବାଲାକୋଟ ଏବ˚ ଏହାର ଆଖ-ପାଖ ଅଞ୍ଚଳ ପରିଦର୍ଶନ କରିଥିଲେ। ନିଜ ପରିଦର୍ଶନ ଅଭିଜ୍ଞତାକୁ ନେଇ ସେ ଏହି ଅଞ୍ଚଳର ପରିବେଶ ଏବ˚ ଏଠାରେ ବାସ କରୁଥିବା ମଣିଷଙ୍କ ବାବଦରେ ଲେଖିଥିଲେ। ଏଥି ସ˚ପର୍କିତ ତାଙ୍କ ଡାଏରିଟି ଅପ୍ରକାଶିତ ଏବ˚ ଏହାର ଏକ ନକଲ ମୁଁ ଅଭିଲେଖାଗାରରୁ ପାଇଛି।

ଏହି ଦେଶପ୍ରେମୀ ଭାରତୀୟଙ୍କର ମୂଳ ନାମ- ମାଡେଲିନ୍‌ ସ୍ଲେଡ୍‌। ସେ ବ୍ରିଟିସ୍‌ ନୌ-ସେନା ଅଧିକାରୀ ଆଡ୍‌ମିରାଲ୍‌ ସ୍ଲେଡ୍‌ଙ୍କ କନ୍ୟା। ପରେ ସେ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ହୋଇଥିଲେ; ତାଙ୍କ ସହ ଅହମଦାବାଦର ସାବରମତୀ ଆଶ୍ରମ ଓ ସେବାଗ୍ରାମରେ ରହିଥିଲେ। ନିଜ ନାମ ବଦଳାଇ ମୀରା ରଖିଥିଲେ। ଗ୍ରହଣ କରିଥିବା ଦେଶ ଓ ଜାତି ସହ ସ˚ପର୍କର ପ୍ରଗାଢ଼ତାକୁ ପ୍ରମାଣିତ କରିବା ତଥା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସ୍ବାଧୀନତା ସ˚ଗ୍ରାମରେ ଯୋଗ ଦେଇଥିଲେ ଏବ˚ କାରା ବରଣ ମଧ୍ୟ କରିଥିଲେ। ସେ ଜାତି ଓ ସ˚ପ୍ରଦାୟର ବନ୍ଧନରୁ ନିଜକୁ ମୁକ୍ତ କରି, ନିର୍ଯାତିତ-ଦଳିତଙ୍କ ପକ୍ଷ ନେଇଥିଲେ। ଭାରତର ଜାତୀୟ ଆନ୍ଦୋଳନର ଗାଥାରେ ମୀରା ବେନଙ୍କ ନାମ ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ।

ମୁଁ ପୂର୍ବରୁ ମୀରାଙ୍କ ବାବଦରେ ଅନେକ କିଛି ଜାଣିଥିଲି। ତେବେ, ୧୯୩୯ରେ ସେ ବାଲାକୋଟ ପରିଦର୍ଶନ କରିଥିବା କଥା ନିକଟରେ ଜାଣିବାକୁ ପାଇଲି। ସେତେବେଳେ ଏବର ସାର୍ବଭୌମ ଓ ବିଚ୍ଛିନ୍ନ ଭାରତ ଏବ˚ ପାକିସ୍ତାନ ନ ଥିଲା। ବାଲାକୋଟ, ବ୍ରିଟିସ୍‌ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ବା ‘ନର୍ଥ‌୍‌ େଵଷ୍ଟ ଫ୍ରନ୍‌ଟିଅର‌୍‌ ପ୍ରୋଭିନ୍‌ସେସ୍‌’ ଅନ୍ତର୍ଭୁକ୍ତ ଥିଲା। ଏହା ଥିଲା ଖୁଦାଇ ଖିଦମତଗାର ନାମକ ସ˚ପ୍ରଦାୟର ବାସସ୍ଥାନ। ସେମାନଙ୍କ ନେତୃତ୍ବ ନେଉଥିଲେ ମୀରାଙ୍କ ଠାରୁ ବଡ଼ ଗାନ୍ଧୀବାଦୀ ଓ ଗାନ୍ଧୀ ଅନୁଗାମୀ ଖାଁ ଅବ୍‌ଦୁଲ ଗଫର ଖାଁ। ନିଜର ମହାନ୍‌ ବ୍ୟକ୍ତିତ୍ବ ବଳରେ ସେ ରଣ-ପ୍ରିୟ ପଠାନମାନଙ୍କୁ ଅହି˚ସା ଏବ˚ ଧର୍ମସହିଷ୍ଣୁ ଐକ୍ୟର ବନ୍ଧନରେ ବାନ୍ଧିବା ସହ ପରିଚାଳିତ କରି, ଦୃଷ୍ଟାନ୍ତରେ ପରିଣତ ହୋଇଥିଲେ।

ସୀମାନ୍ତ ପ୍ରଦେଶରେ ସୂତା-କଟା ଓ ଲୁଗା-ବୁଣାର ପ୍ରଚାର-ପ୍ରସାର କରାଇବା ପାଇଁ ୧୯୩୯ରେ ମହାତ୍ମା ଗାନ୍ଧୀ ହିଁ ମୀରାଙ୍କୁ ସେଠାକୁ ପଠାଇଥିଲେ। ସେହି ଗସ୍ତ ଅବସରରେ ମୀରା ବାଲାକୋଟ ପରିଦର୍ଶନ କରିଥିଲେ। ଅବଟାବାଦ ସହର (ଯେଉଁଠି ଲୁଚିଥିଲା କୁଖ୍ୟାତ ଓସାମା ବିନ ଲାଦେନ ଏବ˚ ଯେଉଁଠି ମାର୍କିନ୍‌ ଗୁଇନ୍ଦା ସ˚ସ୍ଥା ‘ସିଆଇଏ’ ତା’ ଉପସ୍ଥିତି ବାବଦରେ ନିଶ୍ଚିତ ହୋଇ ମାର୍କିନ୍‌ ନେଭି ସିଲ୍‌ କମାଣ୍ତୋଙ୍କ ଦ୍ବାରା ଆକ୍ରମଣ କରି ହତ୍ୟା କରିଥିଲା)ରୁ ସଡ଼କ ପଥରେ ମୀରା ବାଲାକୋଟ ବାହାରିଥିଲେ। ଉକ୍ତ ଯାତ୍ରାକାଳୀନ ଅନୁଭୂତିକୁ ମୀରା ନିଜ ଡାଏରିରେ ଏହି ପରି ବର୍ଣ୍ଣନା କରିଥିଲେ: ଦୁଇ ପାଖରେ ଗ୍ରାମ ଓ ସୋପାନ କୃଷି କ୍ଷେତ୍ର ଏବ˚ ଗିରିପଥର ସ୍ଥାନେ ସ୍ଥାନେ ସ˚କୀର୍ଣ୍ଣ ସୁଗଭୀର ଖାଇ। ସର୍ବତ୍ର ସବୁଜିମା। ଅଙ୍କାବଙ୍କା ତରଙ୍ଗାୟିତ ଗିରିପଥ। ଢାଲୁ ଅଞ୍ଚଳରେ ବାଦାମୀ ଓ ସବୁଜ ରଙ୍ଗର ପ୍ରାବଲ୍ୟ। ଧାନ ଖେତ। ସମୁଦ୍ରର ଶବ୍ଦ ପରି ସୁ ସୁ ପବନ। ଚାରି ପଟ ନୀଳ ପାହାଡ଼ ଘେରା; ତା’ ସେ’ ପାଖେ ସୁବିଶାଳ ତୁଷାରାଚ୍ଛନ୍ନ ପର୍ବତମାଳା।

ଅଧା ରାସ୍ତା ଅତିକ୍ରମ କଲା ପରେ ମୀରା ଏବ˚ ତାଙ୍କ ଖୁଦାଇ ଖିଦମତଗାର ବନ୍ଧୁମାନେ ରାତି କାଟିବା ପାଇଁ ଏକ ସ୍ଥାନରେ ଅଟକିଥିଲେ। ପର ଦିନ ଉଷା କାଳରେ ମୀରା ଆଖ-ପାଖରେ ବୁଲିବାକୁ ବାହାରିଲେ। ଖେତ-କାମ ଆରମ୍ଭ ହୋଇସାରିଥିବା କଥା ତାଙ୍କ ଆଖିରେ ପଡ଼ିଲା। କେଉଁଠି ଭୂମି କର୍ଷଣ ଚାଲିଥିଲା ତ ଆଉ କେଉଁଠି ମକାରୁ ଚୋପା ଛଡ଼ାଯାଉଥିଲା। ରହଣି ସ୍ଥାନକୁ ଫେରୁଥିବା ବେଳେ ତାଙ୍କ କାନରେ କୋକିଳର ମଧୁର କୁହୁ ଧ୍ବନି ପଡ଼ିଥିଲା।

ପ୍ରାତଃ ଭୋଜନ ପରେ ମୀରା ଓ ତାଙ୍କ ସାଥୀମାନେ ବାଲାକୋଟ ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କଲେ। ବାଟରେ ପଡ଼ିଲା ଏକ ବନ ବିଭାଗୀୟ ଡାକବଙ୍ଗଳା। ମୀରା ଭାବିଲେ ବାପୁଜୀ ଏଠାକୁ କେବେ ଥରେ ଆସିଲେ, ତାଙ୍କ ପାଇଁ ଏହା ହେବ ଏକ ସ˚ଭାବ୍ୟ ବିଶ୍ରାମ ସ୍ଥଳୀ। ସମୁଦ୍ର ପତ୍ତନଠାରୁ ପ୍ରାୟ ୩୯୦୦ ଫୁଟ୍‌ ଉଚ୍ଚରେ ସେମାନେ ଯାତ୍ରା କରୁଥିଲେ। ମୀରା ଲେଖିଛନ୍ତି: ‘ଏହି ଉଚ୍ଚତାରେ ଯାତ୍ରା ଓ ରହଣି ଉଭୟ ଆରାମଦାୟକ। ଡେଙ୍ଗା ଚିରହରିତ ଦେବଦାରୁ ଜାତୀୟ ଗଛ ଫାଙ୍କରୁ ଦୂର ପର୍ବତରେ ଆଚ୍ଛାଦିତ ବରଫ ଆଖିରେ ପଡ଼େ। ତଳେ ସବୁଜିମାପୂର୍ଣ୍ଣ ଉପତ୍ୟକା। ଏକ ଅତ୍ୟନ୍ତ ଆକର୍ଷଣୀୟ ସ୍ଥାନ।’ ଉଲ୍ଲେଖଯୋଗ୍ୟ ଯେ, ଗାନ୍ଧୀଜୀ ମୀରାଙ୍କ ଯାତ୍ରାର ପୂର୍ବ ବର୍ଷ ସୀମାନ୍ତ ପ୍ରଦେଶ ପରିଦର୍ଶନ କରିଥିଲେ। ପୁଣି ଥରେ ଆସିବେ ବୋଲି ଭାବିଥିଲେ, ଯାହା ସ˚ଭବ ହୋଇପାରି ନ ଥିଲା। ତାଙ୍କର ଆଗାମୀ ସ˚ଭାବ୍ୟ ଗସ୍ତ ବେଳେ ବାଲାକୋଟ ନିକଟରେ ତାଙ୍କର ଆରାମଦାୟକ ରହଣି ନିମନ୍ତେ ମୀରା ଚିନ୍ତା କରିଥିବା ଭାବିଲେ ଆମୋଦିତ ହେବାକୁ ହୁଏ।

ସେ ଆହୁରି ମଧ୍ୟ ଲେଖିଛନ୍ତି: ‘କୁନହାର ନଦୀ ଉପତ୍ୟକା ମଧ୍ୟ ଦେଇ ବାଲାକୋଟ ଗ୍ରାମକୁ ରାସ୍ତା। ରାସ୍ତା ଅପ୍ରଶସ୍ତ ଓ କର୍କଶ। ପୁଣି, ଘୂର୍ଣ୍ଣାୟମାନ ଓ ତିଖ। ମୋଡ଼ଗୁଡ଼ିକରେ କାର‌୍‌ ଅଗ୍ରସର ହେବାରେ ସମସ୍ୟା ହେଉଥିଲା। ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ବାରା ଏତେ ଅଭିଭୂତ ହୋଇଯାଇଥିଲି ଯେ କିଛି ଜଣାପଡ଼ୁ ନ ଥିଲା। ତୁଷାରାଚ୍ଛନ୍ନ ପର୍ବତରୁ ଗଡ଼ିଆସିଥିବା ନଦୀରେ ସ୍ରୋତ ବେଶ୍‌ ପ୍ରଖର। ପ୍ରସ୍ତର ଶଯ୍ୟା ଉପରେ ଗୁରୁ ଗମ୍ଭୀର ନାଦ କରି ପ୍ରବାହିତ ହେଉଥିଲା। ସ୍ଥାନେ ସ୍ଥାନେ ଲହରି ଖେଳୁଥିଲା, ସାବରମତୀ ନଦୀର ବନ୍ୟା ଜଳ ପରି। ନଦୀର ଦୁଇ କୂଳରେ ମୋଟା ଗଣ୍ତି ଥିବା ଗଛ, ଝେଲମ ପର୍ଯ୍ୟନ୍ତ ବିସ୍ତାରିତ ଥିଲା।’

ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ମୀରା ସ୍ଥାନର ସ୍ପଷ୍ଟ ବର୍ଣ୍ଣନା କରିବାକୁ ଭୁଲି ନ ଥିଲେ: ‘ବାଲାକୋଟ ଏକ ବିରାଟ ଗ୍ରାମ। ଏକ ପାହାଡ଼ କାନ୍ଥରେ ମହୁମାଛି ବସା ପରି ଲାଖିଛି। ଏହାର ଅବସ୍ଥିତି ଠିକ୍‌ କାଗାନ ଉପତ୍ୟକାର ଦ୍ବାରଦେଶରେ। ଆଗକୁ ରାସ୍ତା ନାହିଁ। କେବଳ ପଥୁରିଆ ପାଦ-ଚଲା ରାସ୍ତା। ସ୍ଥାନେ ସ୍ଥାନେ ସୋପାନ ଶ୍ରେଣୀ; ତଳେ ଝରଣା। ଘରଗୁଡ଼ିକ ଥାକ-ଥାକିଆ। ନିମ୍ନରେ ଥିବା ଘରର ଛାତ ଉପର ଘରର ଟେରାସ୍‌ ଭଳି। ଜନଗହଳିପୂର୍ଣ୍ଣ ବଜାର। ଅଧିକା˚ଶ ବେପାରୀ ହିନ୍ଦୁ ଓ ଶିଖ।’

ବାଲାକୋଟରେ ବାସ କରୁଥିବା ଗୁଜର ମେଷ ପାଳକମାନେ ମେଷ ଲୋମରେ ସୁନ୍ଦର ତଥା ଉତ୍ତମ ମାନର ସାଲ ଓ କମ୍ବଳ ତିଆରି କରୁଥିବା ମୀରା ଶୁଣିଲେ। କିନ୍ତୁ, ମୀରାଙ୍କ ଦୁର୍ଭାଗ୍ୟ ସେହି ସମୟରେ ଗୁଜରମାନେ ସେଠାରେ ନ ଥିଲେ। ସେମାନେ ବାର୍ଷିକ ଗ୍ରୀଷ୍ମ ଋତୁ କାଟିବା ପାଇଁ ଉଚ୍ଚ ପର୍ବତାଞ୍ଚଳକୁ ଚାଲିଯାଇଥିଲେ। ମୀରା ହତାଶ ହୋଇଗଲେ। ତାଙ୍କ ହତାଶା ଭାବ ଜଣେ ଖୁଦାଇ ଖିଦମତଗାର ବନ୍ଧୁ ଆବ୍ବାସ ଖାନ ଠଉରାଇପାରିଲେ। ବାର୍ତ୍ତାବହ ପଠାଇ ପର ଦିନ ସୁଦ୍ଧା କିଛି ଗୁଜରଙ୍କୁ ଡକାଇବା ପାଇଁ କହି ସେ ମୀରାଙ୍କୁ ଆଶ୍ବାସନା ଦେଲେ। କିଛି ଗୁଜର ଆସିଲେ ଏବ˚ ପଶମ ଶିଳ୍ପ ବାବଦରେ ମୀରା ସେମାନଙ୍କ ସହ ଆଲୋଚନା କଲେ; ବିଭିନ୍ନ କଥା ପଚାରି ବୁଝିଲେ।

ବାଲାକୋଟରୁ ମୀରା ଓ ତାଙ୍କ ବନ୍ଧୁମାନେ ଅଧିକ ଦୁର୍ଭେଦ୍ୟ ପର୍ବତ ମଧ୍ୟକୁ ଯାତ୍ରା ଆରମ୍ଭ କଲେ। ସେମାନେ ଭୋଗରମା˚ ନାମକ ଗ୍ରାମରେ ପହଞ୍ଚିଲେ। ସେଠାରେ ଥିଲା ସୁନ୍ଦର ସୋପାନ ଧାନ ଖେତ। ସ୍ଥାନୀୟ ବାସିନ୍ଦା ବୁଣା-ବୁଣି କରୁଥିଲେ, ମହୁମାଛି ପାଳନ ମଧ୍ୟ କରୁଥିଲେ। ତାହା ଦେଖି, ମୀରା ଚମତ୍କୃତ ହେଲେ। ତେବେ, ସେଠାରେ ତାଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରିଥିଲା, ହିନ୍ଦୁ ଓ ମୁସଲମାନଙ୍କ ସହାବସ୍ଥାନ ଏବ˚ ସେମାନଙ୍କ ମଧ୍ୟରେ ଥିବା ମଧୁର ସ˚ପର୍କ। ସେ ଲେଖିଛନ୍ତି: ‘ଏକ ହିନ୍ଦୁ ପରିବାରର ଜଣେ ବୟୋଜ୍ୟେଷ୍ଠ ମୁରବିଙ୍କ ସହ ମୋର ଭେଟ ହେଲା। ମଥାର କେଶ ସ˚ପୂର୍ଣ୍ଣ ପକ୍ବ ହୋଇଯାଇଥିବା ମୁରବିଙ୍କର, ଗ୍ରାମର ଯୁବକ ଖାଁମାନଙ୍କ ସହ ମଧୁର ସ˚ପର୍କ ଥିଲା। ଭେଣ୍ତା ପଠାନମାନଙ୍କ ବାପା ଓ ଜେଜେମାନେ ବି ତାଙ୍କର ବନ୍ଧୁ ଥିବା ଏବ˚ ଉଭୟ ସ˚ପ୍ରଦାୟ ସର୍ବଦା ପରସ୍ପର ସହଯୋଗରେ, ସୌହାର୍ଦପୂର୍ଣ୍ଣ ବାତାବରଣରେ ଚଳିଆସିଥିବା କଥା ସେ କହିଲେ। ତାଙ୍କ କଥା ଶୁଣି ମୁଁ କେବଳ ଗୋଟିଏ କଥା ଭାବିଲି ଏବ˚ ତାହା ହେଉଛି- କୌଣସି ନେତା ଏହି ଗ୍ରାମକୁ ନ ଆସନ୍ତୁ ଏବ˚ ଏମାନଙ୍କ ପ୍ରାକୃତିକ-ସ୍ବାଭାବିକ ମଧୁର ଜୀବନ ନଷ୍ଟ ନ ହେଉ।’

ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଅଭେଦ୍ୟ ପ୍ରୀତି ଥିବା ଏହି ଗ୍ରାମ ଥିଲା ମୀରାଙ୍କର ଶେଷ ଗନ୍ତବ୍ୟ ସ୍ଥଳୀ। ପର ଦିନ ସକାଳେ ସେ ଅବଟାବାଦ ବାହାରିଥିଲେ। କିଛି ସପ୍ତାହ ପରେ ପହଞ୍ଚିଥିଲେ ଗାନ୍ଧୀଙ୍କ ସେବାଗ୍ରାମରେ। ସେପ୍‌ଟେମ୍ବର‌୍‌ ୧୯୩୯ରେ ଇଉରୋପରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଥିଲା, ଯାହା ଦ୍ବାରା ସାରା ବିଶ୍ବର ଇତିହାସ ସବୁ ଦିନ ପାଇଁ ବଦଳିଯାଇଥିଲା। ଏହି ଯୁଦ୍ଧର କୁପରିଣାମ ଭାରତ ଓ ଭାରତୀୟଙ୍କ ଉପରେ ମଧ୍ୟ ପଡ଼ିଥିଲା ଏବ˚ ଆମ ଦେଶରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାକୁ ଲାଗିଥିଲା। ଉଭୟ ସ˚ପ୍ରଦାୟର ନେତାମାନେ ହିଁ ଏହାକୁ ପ୍ରୋତ୍ସାହିତ କରିଥିଲେ, ଯେଉଁମାନଙ୍କ ସ˚ଖ୍ୟା କିଛି କମ୍‌ ନ ଥିଲା। ଯୁଦ୍ଧ କାଳରେ ହିଁ ସୀମାନ୍ତ ପ୍ରଦେଶରେ ସା˚ପ୍ରଦାୟିକ ଏକତା ନଷ୍ଟ ହେବା ଆରମ୍ଭ ହୋଇଥିଲା। ଶେଷରେ ତାହା ସ˚ପୂର୍ଣ୍ଣ ଧୂଳିସାତ ହୋଇଯାଇଥିଲା। ଖାଁ ଅବ୍‌ଦୁଲ ଗଫର ଖାଁଙ୍କ ଦଳ ମୁସଲିମ ଲିଗ୍‌ ଆଗରେ ଦୁର୍ବଳ ହୋଇପଡ଼ିଥିଲା। ଯଦିଓ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶରେ ପ˚ଜାବ ପରି ଦଙ୍ଗା ବା ରକ୍ତାକ୍ତ ସ˚ଘର୍ଷ ଘଟି ନ ଥିଲା, ତଥାପି ଅଗଷ୍ଟ୍ ୧୯୪୭ ପରେ ସେଠାରେ ରହୁଥିବା ହିନ୍ଦୁ ଓ ଶିଖମାନେ ପାକିସ୍ତାନ ଛାଡ଼ି ଭାରତ ପଳାଇ ଆସିଥିଲେ।

୧୯୩୯ରେ ମୀରା ପରିଦର୍ଶନ କରିଥିବା ବାଲାକୋଟର ଚିହ୍ନ-ବର୍ଣ୍ଣ ଆଉ ନାହିଁ; ଏହା ସ˚ପୂର୍ଣ୍ଣ ବଦଳିସାରିଛି। ଏହାର ବିବିଧ-ଧାର୍ମିକ ସ୍ବରୂପ ଆଉ ନାହିଁ। ଅପର ପକ୍ଷେ ଏହା ଇସଲାମୀୟ ମୌଳବାଦୀଙ୍କ ପ୍ରୟୋଗଶାଳା ଓ ତାଲିମ କେନ୍ଦ୍ର ପାଲଟିଛି। ଏଠାରେ ଆତଙ୍କବାଦୀ ସୃଷ୍ଟି କରାଯାଉଛି। ଏଠାକାର ପ୍ରାକୃତିକ ପରିବେଶ ବଦଳି ସାରିଛି। ଦକ୍ଷିଣ ଏସିଆର ଅନ୍ୟ ପର୍ବତାଞ୍ଚଳ ଭଳି ଏଠାରେ ମଧ୍ୟ ପୂର୍ବର ସବୁଜିମା ଆଉ ନାହିଁ। ଅବିରତ ଜଙ୍ଗଲ-କଟା ଚାଲିଛି। ମନମୁଗ୍‌ଧକର ପ୍ରସ୍ତର ଓ କାଷ୍ଠ ନିର୍ମିତ ଘର ଅଦୃଶ୍ୟ ହୋଇଗଲାଣି। ତାହା ବଦଳରେ ଗଢ଼ିଉଠିଛି କୁତ୍ସିତ-କଦାକାର କ˚କ୍ରିଟ୍‌ ଅଟ୍ଟାଳିକା। ପାର˚ପରିକ ବୟନ କଳା ବିଲୁପ୍ତି ମୁହଁରେ।

ଏହି ସ୍ତମ୍ଭରେ ଐତିହାସିକ ସ୍ମୃତିକଥାର ଏକ ଛୋଟିଆ ଅ˚ଶ ମାତ୍ର ଉପସ୍ଥାପନ କରାଯାଇଛି। ତେବେ, ଅତୀତରୁ ବର୍ତ୍ତମାନ କ’ଣ ଶିକ୍ଷା କରାଯାଇପାରେ, ସେହି ବାବଦରେ ଦୁଇ ପଦ କହିବି। ଏବେ ପାକିସ୍ତାନ ଅନ୍ତର୍ଗତ ସେହି ଅଞ୍ଚଳ, ଯାହା ଏକଦା ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ଭାବେ ପରିଚିତ ଥିଲା, ସେଠାରେ ହିନ୍ଦୁ ଓ ଶିଖଙ୍କ ସ˚ଖ୍ୟା ହାତ-ଗଣତି ମାତ୍ର। ଏବେ ସେହି ଅଞ୍ଚଳର ନାମ ଖୈବର ପଖତୂନଖ୍ବା। ଅପରପ‌େକ୍ଷ ଭାରତର ଅଧିକା˚ଶ ରାଜ୍ୟରେ ଯଥେଷ୍ଟ ସ˚ଖ୍ୟକ ସ˚ଖ୍ୟାଲଘୁ ମୁସଲମାନ ଅଛନ୍ତି। ସେମାନେ ଏବେ ନିଶାଣରେ। ଏକଦା ମୀରା ବାଲାକୋଟ ତଥା ଏହାର ଆଖ-ପାଖ ଅଞ୍ଚଳରେ ହିନ୍ଦୁ ଓ ମୁସଲମାନ ସ˚ପ୍ରଦାୟ ମଧ୍ୟରେ ଯେଉଁ ଅନ୍ତରଙ୍ଗ ବନ୍ଧୁତା, ସୁସ˚ପର୍କ, ପାରସ୍ପରିକ ସହଯୋଗିତା ଦେଖିଥିଲେ, ତାହା ଏବେ ଆମେ, ଆମ ଦେଶର ଗାଁ ଗଣ୍ତା ଏବ˚ ସହରରେ ଦେଖିବା ବୋଲି ଆଶା କରିପାରିବା କି? ନା ଆମ ନେତାମାନେ ଏହା କରାଇଦେବେନାହିଁ?