ଆମ ଚାରି ପାଖେ ନିଆଁ ଲାଗିଛି। ସୀମାନ୍ତ ଜଳୁଛି- ଚୀନ ସହ ଲାଗିଥିବା ସୀମା ଏବ˚ ନେପାଳ ସହ ଲାଗିଥିବା ସୀମା ବି। ପାକିସ୍ତାନକୁ ଲାଗିଥିବା ସୀମା ବାବଦରେ କ’ଣ ବା ଆଉ କହିବି! ବା˚ଲାଦେଶ, ଶ୍ରୀଲଙ୍କା ଏବ˚ ମିଆମାରକୁ ଲାଗିଥିବା ସୀମାନ୍ତ ନିସ୍ତବ୍‌ଧ-ନିରବ। ଏଥି ପାଇଁ ନିରବ ନୁହେଁ ଯେ, ସେମାନଙ୍କର କିଛି କହିବାର ନାହିଁ! ବର˚, ଏଥି ପାଇଁ ଯେ, କିଛି କହିବା ପାଇଁ ସେମାନେ କେବଳ ଉପଯୁକ୍ତ ସମୟକୁ ଅପେକ୍ଷା କରିଛନ୍ତି। ପୁଣି, ‘କରୋନା’; ଏହା ସୀମାଗୁଡ଼ିକର ସୀମା ବି ଦେଖାଇ ସାରିଛି! ତାଜା ସ˚ଘର୍ଷ ଲଦାଖର ଗଲଵାନ ଉପତ୍ୟକାରେ ଘଟିଛି। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଭାରତ ପକ୍ଷର କୋଡ଼ିଏ ଜଣ ଯବାନ ସହିଦ ହୋଇଛନ୍ତି ଏବ˚ ଚୀନ ପକ୍ଷର ତେୟାଳିଶ ଜଣ ସୈନିକଙ୍କ ଜୀବନ ଯାଇଛି। ୧୯୬୨ ପରେ ଭାରତ ଓ ଚୀନ ମଧ୍ୟରେ ଏହା ସବୁଠାରୁ ବଡ଼ ସ˚ଘର୍ଷ। ସରକାର ଏହାକୁ ଲୁଚାଇବାକୁ ଯାଇ ଧରାପଡ଼ିଛି। ଚୀନକୁ ପଟାଇବା ପାଇଁ ଶତ ପ୍ରଚେଷ୍ଟା ସତ୍ତ୍ବେ ଏହା ଏବେ ଆମର ସବୁଠାରୁ ବଡ଼ ଶତ୍ରୁ ପାଲଟିଛି। ଡୋକଲାମରୁ ଆରମ୍ଭ ହୋଇଥିବା ଶତ୍ରୁତା ଏବେ ଗଲଵାନରେ ପହଞ୍ଚିସାରିଲାଣି। ଆଉ ଚୀନର ଏହି ଜ୍ବର ଏବେ ନେପାଳକୁ ମଧ୍ୟ ଆକ୍ରାନ୍ତ କରିଛି। ଚୀନା ଓ ଭାରତୀୟ ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା କୁହାଯାଉଛି। ତେବେ, ସତ୍ୟ ଆଉ କିଛି! ଯୁଦ୍ଧର ଭାଷାରେ ଏହାକୁ ସମୟ ନିଜ ପକ୍ଷକୁ ଆଣିବା ବୋଲି କୁହାଯାଏ। ଚୀନ ତାହା ହିଁ କରୁଛି।

Advertisment

ଦେଶର ସ˚ଦର୍ଭରେ ସୀମାନ୍ତର ଅର୍ଥ ‘ସ˚ପର୍କ’। ଆମେରିକା ବା ଫ୍ରାନ୍‌ସ ସହ ଆମର ଭୌଗୋଳିକ ସୀମାନ୍ତ ନାହିଁ। ତେଣୁ, ସେମାନଙ୍କ ସହ ଆମର ସ˚ପର୍କ ଏବ˚ ଚୀନ, ନେପାଳ ଆଦି ସହ ସ˚ପର୍କ ସ˚ପୂର୍ଣ୍ଣ ଭିନ୍ନ। ଭୌଗୋଳିକ ସୀମାନ୍ତର ଅର୍ଥ ପ୍ରତ୍ୟେକ ଦିନ ଦେଖା ସାକ୍ଷାତ୍‌। ତେଣୁ, ପଡ଼ୋଶୀଙ୍କ ସହ ସ˚ପର୍କ ଅଧିକ ମହତ୍ତ୍ବପୂର୍ଣ୍ଣ। ଏଥି ପାଇଁ ଅଧିକ ସ˚ଯମ ଲୋଡ଼ା। ଯଦି, ପୁଲିସ୍‌ ଓ ସେନା ମାଧ୍ୟମରେ ପଡ଼ୋଶୀଙ୍କ ସହ ନିତିଦିନିଆ ସ˚ପର୍କ ରକ୍ଷାକୁ ପ୍ରାଧାନ୍ୟ ଦିଆଯାଏ, ଦ୍ବିପାକ୍ଷିକ ସ˚ପର୍କ ସେମାନଙ୍କ ଦ୍ବାରା ନିୟନ୍ତ୍ରିତ ହୁଏ, ତାହା ହେଲେ ବିପଦ ଅଧିକ। ଏ ଭଳି ସ˚ପର୍କ ଶୀଘ୍ର ବିଗିଡ଼ିଯାଇପାରେ। ତେଣୁ, ଏ ଭଳି ପଡ଼ୋଶୀଙ୍କ ସହ ରାଜନୈତିକ ସ˚ପର୍କ ଗୁରୁତ୍ବପୂର୍ଣ୍ଣ। ରାଷ୍ଟ୍ର ମୁଖ୍ୟ ତଥା ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କର ଏହା ମୁଖ୍ୟ ଦାୟିତ୍ବ। ଏହା କୌଣସି ପିଲା ଖେଳ ନୁହେଁ କି ମନୋର˚ଜନ ନୁହେଁ; ନିଜ ବ୍ୟକ୍ତିତ୍ବ ବା ନିଜ ଛବିକୁ ଅନ୍ତର୍ଜାତୀୟ ବନାଇବାର ଫନ୍ଦି ଫିକର ଏଠାରେ କୌଣସି କାମରେ ଆସେନାହିଁ। ସୀମାନ୍ତ ପ୍ରସଙ୍ଗରେ ଅନ୍ତର୍ଜାତୀୟ ରାଜନୀତି ସବୁଠାରୁ ହୃଦୟହୀନ। ଏଠାରେ ସବୁ କିଛି ସ୍ବାର୍ଥକୁ ନେଇ ତଉଲା ଯାଏ। ୧୯୬୨ରେ ଜଵାହରଲାଲ ନେହରୁ ଏହି ପାଠ ଚୀନ ଠାରୁ ଶିଖିଥିଲେ ଏବ˚ ୨୦୨୦ରେ ନରେନ୍ଦ୍ର ମୋଦୀ ଶିଖୁଛନ୍ତି। ଇତିହାସର ପୁନରାବୃତ୍ତି ଘଟିଛି।

ଚୀନ ମାମଲା ସ˚ପୂର୍ଣ୍ଣ ଭିନ୍ନ। ‘ହିନ୍ଦୀ ଚୀନୀ ଭାଇ ଭାଇ’ ହୋଇ ଆମେ ପହଞ୍ଚିଥିଲେ ୧୯୬୨ ଯୁଦ୍ଧରେ। ସେହି ଯୁଦ୍ଧରେ ଆମେ ପରାଜୟ ବରଣ କରିଥିଲେ। ଆମ ଅଞ୍ଚଳ ସେହି ଦେଶ ଦଖଲରେ। ଚୀନାମାନେ ସୀମା ବିସ୍ତାର ଦର୍ଶନରେ ବିଶ୍ବାସୀ। ଏସିଆରେ ପ୍ରଭାବ ବିସ୍ତାର କରି ବିଶ୍ବ-ଶକ୍ତିରେ ପରିଣତ ହେବା ଏହି ଦେଶର ଲକ୍ଷ୍ୟ। ଏହା ସହ ଆମର ସୁଦୀର୍ଘ ସୀମାନ୍ତ ରହିଛି ଏବ˚ ସୀମା ବିବାଦ ବି ବହୁତ ପୁରୁଣା। ଏସିଆରେ ଆଧିପତ୍ୟ ପାଇଁ ମଧ୍ୟ ଆମ ଭିତରେ ତୀବ୍ର ପ୍ରତିଯୋଗିତା କେଉଁ ଦିନରୁ ଚାଲିଛି। ବିଶ୍ବ ଦରବାରରେ ପ୍ରତିଷ୍ଠା ପାଇଁ ମଧ୍ୟ ଆମେ ପ୍ରତିଦ୍ବନ୍ଦ୍ବୀ। ତେଣୁ, ନିଜସ୍ବ ସ୍ଥିତିକୁ ନେଇ ଆମେ ସବୁ ବେଳେ ବିବ୍ରତ। ଆମର ବୈଦେଶିକ ନୀତି ଯେଉଁମାନଙ୍କ ଦ୍ବାରା ପରିଚାଳିତ ସେମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ। ସେମାନେ ଏହାକୁ ପିଲା ଖେଳ ବୋଲି ଭାବୁଛନ୍ତି ଓ ତଦନୁଯାୟୀ ପଦକ୍ଷେପ ନେଉଛନ୍ତି।

ମୋଦୀ ସରକାର କ’ଣ ଏସବୁକୁ ଅଣଦେଖା କରି ବା ଭୁଲିଯାଇ ଚୀନ ସହ ସ˚ପର୍କ ମଜଭୁତ କରିବା ପାଇଁ ପ୍ରଚେଷ୍ଟା କରୁଛି? ପ୍ରକୃତରେ ଏହା ସବୁ କିଛି ଭଲ ଭାବେ ଜାଣି ସୁଦ୍ଧା ଚୀନକୁ ନିଜ ଆଡ଼କୁ ଆଣିବା ପାଇଁ ଉଦ୍ୟମ କରିଥିଲା। କାରଣ, ଏହା ପାଖରେ ଅନ୍ୟ କୌଣସି ପନ୍ଥା ନ ଥିଲା। ଅବଶିଷ୍ଟ ଦୁନିଆ ଆମ ଭଳି ହୋଇଗଲେ, ଆମେ ନିଜ ଇଚ୍ଛା ଅନୁଯାୟୀ କାମ କରିବୁ, ଏ ଭଳି ହୁଏନାହିଁ। ଦୁନିଆ ଯେମିତି ଅଛି ସେମିତି ରହିବ। ଆମକୁ ତାହା ଭିତରେ ରହି ନିଜ ସୁବିଧା ଅନୁଯାୟୀ ଚଳିବାକୁ ହେବ। ଏହା ହିଁ ସଫଳ କୂଟନୀତି। ଏଥି ପାଇଁ ଇତିହାସକୁ ବାରମ୍ବାର ପଢ଼ିବାକୁ ପଡ଼େ। ଇତିହାସରୁ ଶିଖିବାକୁ ହୁଏ। ଆମେ ଚାହୁଁ ବା ନ ଚାହୁଁ ଭାରତ-ଚାଇନାର ଆଧୁନିକ ସ˚ପର୍କର ଇତିହାସ ଜଵାହରଲାଲ ନେହରୁଙ୍କ ସମୟରେ, ତାଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ଏବର ସରକାରର ସମସ୍ୟା ହେଉଛି ଏହା ନା ଇତିହାସ ପଢ଼େ, ନା ଇତିହାସରୁ କିଛି ଶିଖେ। କିଛି ନ ଜାଣି ଜଵାହରଲାଲଙ୍କୁ ବିରୋଧ କରିବା ମୂଢ଼ତା।

ଭାରତ ସ୍ବାଧୀନ ହେବା ବେଳକୁ ବିଶ୍ବ ଦୁଇ ପକ୍ଷରେ ବିଭକ୍ତ ହୋଇସାରିଥିଲା। ଭାରତ କେଉଁ ପକ୍ଷରେ ରହିବ ଏହି ନିର୍ଣ୍ଣୟ ନେବାର ଗୁରୁ ଭାର ଜଵାହରଲାଲ ନେହରୁଙ୍କ ଉପରେ ନ୍ୟସ୍ତ ଥିଲା। ଏହା ସହିତ ତାଙ୍କ ପାଖରେ ଥିଲା ଗାନ୍ଧୀଙ୍କ ସ୍ବପ୍ନର ଅସ˚ପୂର୍ଣ୍ଣ ଛବି। କାରଣ ଗାନ୍ଧୀଙ୍କ ମାର୍ଗ ତାଙ୍କ ମଗଜ ଭିତରେ ବସା ବାନ୍ଧି ପାରୁ ନ ଥିଲା। ଗାନ୍ଧୀ ଓ ତାଙ୍କ ମାର୍ଗ ବିପଜ୍ଜନକ ସୀମା ପର୍ଯ୍ୟନ୍ତ ମୌଳିକ ଥିଲା। ତାହାକୁ ନେଇ ଆଗେଇବା ପାଇଁ ଲୋଡ଼ା ଥିଲା ବହୁତ ସାହସ ଏବ˚ ଆତ୍ମବିଶ୍ବାସ। ଜଵାହରଲାଲ ସ୍ବାଧୀନତା ସ˚ଗ୍ରାମ ଲଢ଼ୁଥିବା ବେଳେ ହିଁ ଏହି ଗାନ୍ଧୀଙ୍କୁ ଚିହ୍ନି ଯାଇଥିଲେ ଏବ˚ ତାଙ୍କଠାରୁ କେତେ ଦୂରରେ ରହି ଚଳି ହେବ ମାପି ଦେଇଥିଲେ। ତେବେ, ଏହା ମଧ୍ୟ ତାଙ୍କୁ ଭଲ ଭାବେ ଜଣାଥିଲା ଯେ, ଭାରତର କୌଣସି ବି ନୂଆ ଭୂମିକାର ସ˚ପୂର୍ଣ୍ଣ ଛବି କେବଳ ଏହି ବୁଢ଼ା ପାଖରେ ମିଳିବ। ତେଣୁ, ସେ ନିଜ ପାଇଁ ଏକ ଅସ˚ପୂର୍ଣ୍ଣ ଗାନ୍ଧୀ ଗଢ଼ି ପକାଇଥିଲେ। ତେବେ, ସେହି ମାର୍ଗରେ ଚାଲିବା ରାସ୍ତା ନିଜେ ଖୋଜି ନେଇଥିଲେ। ଆମେରିକା ବା ରୁଷିଆ ସହ ନ ରହି ଏକ ତୃତୀୟ ପକ୍ଷର ପରିକଳ୍ପନା, ଗଠନ ଏବ˚ ଅନ୍ତର୍ଜାତୀୟ ରାଜନୀତିରେ ତାହାର ପ୍ରୟୋଗ ଜଵାହରଲାଲଙ୍କ ଛଡ଼ା ଅନ୍ୟ କେହି ନେଇଆଣି ଥୋଇପାରିବା ଅସ˚ଭବ ଥିଲା। ସେ, ଏହି ପ୍ରୟୋଗରେ ସଫଳ ହୋଇଥିଲେ। ଅନେକ ଦେଶ ତାଙ୍କୁ ସମର୍ଥନ ଦେବା ସହ ସେହି ପକ୍ଷଭୁକ୍ତ ହୋଇଥିଲେ।

କେବଳ ପକ୍ଷଭୁକ୍ତ ହୋଇ ନ ଥିଲା ଚୀନ। ଏସିଆର ବିଭିନ୍ନ ମାମଲାରେ ଆମେରିକା ଓ ରୁଷିଆକୁ ଯଥାସ˚ଭବ ଦୂରେଇ ରଖିବା ଜଵାହରଲାଲଙ୍କ ବୈଦେଶିକ ନୀତି ଅନ୍ତର୍ଭୁକ୍ତ ଥିଲା। ଏଥି ପାଇଁ ଚୀନକୁ ନିଜ ପକ୍ଷରେ ରଖିବା ଜରୁରି ଥିଲା। ତେଣୁ, ଉପାୟହୀନ ହୋଇ ସେ, ଚୀନ ସହ ସ˚ପର୍କ ସ୍ଥାପନ କରିବା ପାଇଁ ପ୍ରଥମେ ନିଜ ଆଡ଼ୁ ଉଦ୍ୟମ ଆରମ୍ଭ କରିଥିଲେ। ସେ ଚୀନକୁ ଭଲ ଭାବେ ଜାଣିଥିଲେ; ମାଓଙ୍କୁ ବୁଝିଥିଲେ; ଏବ˚ ସାମ୍ୟବାଦୀ ମୁଖା ତଳେ ଲୁଚିଥିବା ଚୀନା ନେତୃତ୍ବର ପୁ˚ଜିବାଦୀ ଆକା˚କ୍ଷାକୁ ମଧ୍ୟ ଠଉରାଇ ପାରିଥିଲେ। ଚୀନର ସଦାଶୟତା ଓ ସଚ୍ଚୋଟତା ଉପରେ ତାଙ୍କର ଭରସା ନ ଥିଲା। ସେ ଏହା ବି ଭଲ ଭାବେ ବୁଝିଥିଲେ ଯେ ଅନ୍ତର୍ଜାତୀୟ ପ୍ରୟୋଗ ବେଳେ ନିଜ ଇଚ୍ଛା ଅନୁରୂପ ସ୍ଥିତି, କାହାକୁ ବି ସହଜରେ ମିଳେନା। ନିଜ ହାତରେ ଯେଉଁ ତାସ ପଟ ଥିବ, ତାହାକୁ ହିଁ ନେଇ ଖେଳିବାକୁ ପଡ଼ିବ। ତେଣୁ, ଚୀନ ସହ ସ˚ପର୍କ ବାନ୍ଧିବା ପାଇଁ ସେ ବିଭିନ୍ନ ସ୍ତରରେ ଉଦ୍ୟମ କରିଥିଲେ। ପଞ୍ଚଶୀଳ ନୀତି ତନ୍ମଧ୍ୟରୁ ଗୋଟିଏ ଥିଲା।

କିନ୍ତୁ, ଏକତରଫା ସଂପର୍କ ପ୍ରଗାଢ଼ ହୁଏନାହିଁ। ସ୍ଥିତିକୁ ଅନୁକୂଳ କରିବା ପାଇଁ ଆପଣ ଇଚ୍ଛା କରିପାରନ୍ତି। ତେବେ, ଅନୁକୂଳତା ମିଳୁଛି ନା ନାହିଁ, ତାହା ମଧ୍ୟ ମାପିବା ଜରୁରୀ। ଚୀନ ମୂଳରୁ ହିଁ ଭାରତକୁ ଶୀର୍ଷରେ ଦେଖିବାକୁ ଚାହୁଁ ନ ଥିଲା। ଏସୀୟ ମହାଶକ୍ତି ଭାବେ ଭାରତର ଉଦ୍ଭବକୁ ଏହା କେବେ ହେଲେ ବରଦାସ୍ତ କରିବାର ସ˚ଭାବନା ନ ଥିଲା। ତେଣୁ ଏହା ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିଚାଲିଲା। ‘ନେହରୁ ବିରୋଧ’ର ଯେଉଁ ଚଷମା ଏବର ସରକାର ପିନ୍ଧିଛି, ତାହାକୁ ବାହାର କଲେ ଦେଖିବ ଯେ ଏ ସରକାର ସେହି ରାସ୍ତାରେ ଯାଉଛି, ଯେଉଁ ରାସ୍ତା ନେହରୁ ଦେଖେଇଥିଲେ।

ସେତେବେଳେ ଭାରତ ନୂଆ ଜନ୍ମ ନେଇଥିଲା। ସାରା ବିଶ୍ବରେ ଥିଲା ଶୀତଳ ଯୁଦ୍ଧର ବାତାବରଣ। ଭାରତ ଥିଲା ପ୍ରାୟ ଏକଲା। ଆଶଙ୍କା ଓ ସାବଧାନତାର ସହ ଚାଇନାକୁ ସଙ୍ଗରେ ଧରି ପରିସ୍ଥିତିର ସାମନା କରିବାର ଥିଲା। ନିଜର ନୂଆ ଭୂମିକା ସ୍ଥାପନ କରିବାର ଥିଲା। ଏବର ଭାରତ ସ୍ବାଧୀନତାର ସତୁରି ବର୍ଷରୁ ଅଧିକ କାଳ ପରର ଦେଶ। ଆମର ଭିତ୍ତିଭୂମି ଏବେ ସୁଦୃଢ଼। ଆମ ସମ୍ମୁଖରେ ଏକ ଭିନ୍ନ ଦୁନିଆ। ତେବେ, ଏବର ସରକାର ପାଖରେ ଅଛି ନା କୌଣସି ସ୍ବପ୍ନ ନା କୌଣସି ନୀତି; ନା ପନ୍ଥା, ନା ଆଦର୍ଶ! ଏବେ ଆମେରିକା ହେଉ କି ରୁଷିଆ କି ଚୀନ, ସମସ୍ତଙ୍କର ଅନ୍ତର୍ଜାତୀୟ ଭୂମିକା ସୀମିତ ହେବାରେ ଲାଗିଛି। ଚୀନକୁ ସାବରମତୀ ନଦୀ କୂଳରେ ଝୁଲା ଝୁଲାଇ ଏବ˚ ଆମେରିକାକୁ ପୃଥିବୀର ସବୁଠାରୁ ବଡ଼ ଷ୍ଟାଡିଅମ୍‌ରେ ଖେଳ ଦେଖାଇ ଆମେ ପାଇଲେ କ’ଣ? ସୀମାନ୍ତରେ ଅଗ୍ନିର ଲେଲିହାନ ଶିଖା ଏବ˚ ଅନ୍ତର୍ଜାତୀୟ ରାଜନୀତିରେ ଆମେ ପ୍ରାୟ ଏକଲା। ଏହା ୨୦୨୦ର ୧୯୬୨। ଏହା ଅନ୍ତର୍ଜାତୀୟ ରାଜନୀତିର ଅସଲ ରୂପ। ତେବେ, କରିବା କ’ଣ? ରାସ୍ତା ତ ଏହା ଭିତରେ ହିଁ ଖୋଜିବାକୁ ପଡ଼ିବ! ଏ ସରକାର ରାସ୍ତା ଖୋଜୁ; ତେବେ, ନେହରୁଙ୍କୁ ଖାରଜ କରି ନୁହେଁ; ତାଙ୍କ ପ୍ରଦର୍ଶିତ ମାର୍ଗକୁ ବୁଝିବା ଜରୁରୀ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ