ସମାଲୋଚନାକୁ ନିର୍ବାଚନ କମିସନଙ୍କ ଭୟ କାହିଁକି?

ଆଦିତ୍ୟ କୁମାର ମହାନ୍ତି

କେତେକ ରାଜନୈତିକ ଦଳ ନିର୍ବାଚନରେ ହାରି ଯିବା ପରେ ବଳିଷ୍ଠ ପ୍ରମାଣ ନ ଥିବା ସତ୍ତ୍ବେ ଅନେକ ସମୟରେ ଭାରତୀୟ ନିର୍ବାଚନ କମିସନଙ୍କ ବିରୋଧରେ ଅଭିଯୋଗ ଆଣି ଥାଆନ୍ତି। ଏଭଳି ଅଭିଯୋଗମାନ ସେହି ଅନୁଷ୍ଠାନର ମର୍ଯ୍ୟାଦା ହାନି କରୁଛି ଦର୍ଶାଇ ଅଭିଯୋଗକାରୀଙ୍କ ବିରୋଧରେ ଅଦାଲତ ଅବମାନନା ଭଳି କାର୍ଯ୍ୟାନୁଷ୍ଠାନ କରିବାର କ୍ଷମତା ମିଳୁ ବୋଲି ନିର୍ବାଚନ କମିସନ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଏକ ପତ୍ର ଲେଖିଛନ୍ତି। ଗତ ମାସରେ ନିର୍ବାଚନ କମିସନ ଦ୍ବାରା ଲିଖିତ ଏହି ପତ୍ରରେ ଅନୁରୋଧ କରାଯାଇଛି ଯେ ଏଭଳି ଅଭିଯୋଗକାରୀ ପକ୍ଷମାନଙ୍କ ବିରୋଧରେ ୧୯୭୧ ମସିହାର ଅଦାଲତ ଅବମାନନା ଆଇନ ଲାଗୁ କରାଯିବା ଉଚିତ ଏବ˚ ସେଥି ଲାଗି ଦେଶର ନିର୍ବାଚନ ଆଇନରେ ସ˚ଶୋଧନ କରାଯିବା ଆବଶ୍ୟକ। କିନ୍ତୁ ନିର୍ବାଚନ କମିସନଙ୍କର ଏପରି ପ୍ରସ୍ତାବ ଯଥାର୍ଥ ନୁହେଁ ବୋଲି ମନେହୁଏ। ସ˚ପ୍ରତି ଭାରତରେ କୌଣସି ଅନୁଷ୍ଠାନର ମର୍ଯ୍ୟାଦାର ଅବମାନନା ପାଇଁ ଦଣ୍ତ ବିଧାନ କରିବାର କ୍ଷମତା କେବଳ ଅଦାଲତମାନଙ୍କ ଠାରେ ରହିଛି, ଯାହା ଉପରେ ମଧୢ ଅନେକ ସମୟରେ ପ୍ରଶ୍ନ ଉଠିଛି। ଅଦାଲତଗୁଡ଼ିକ ଲାଗି ମଧୢ ଏଭଳି ପ୍ରାବଧାନ ରଖାଯିବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇବାରେ ଲାଗିଲାଣି।

ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ରରେ ଶାନ୍ତି ଓ ଶୃଙ୍ଖଳାର ସହିତ ଅବାଧ ଓ ନିରପେକ୍ଷ ଭାବରେ ନିର୍ବାଚନଗୁଡ଼ିକ ଅନୁଷ୍ଠିତ ହୋଇ ଆସୁଛି। ସେଥି ଲାଗି ଭାରତୀୟ ନିର୍ବାଚନ କମିସନ ସମସ୍ତ ଦେଶବାସୀଙ୍କ ଭରସାର ପାତ୍ର ମଧୢ ହୋଇପାରିଛନ୍ତି। ଅଧିକା˚ଶ ସମୟରେ ନିର୍ବାଚନ କମିସନ ନିରପେକ୍ଷତା ପାଇଁ ଢେର ପ୍ରଶ˚ସା ମଧୢ ଅର୍ଜନ କରିଛନ୍ତି। ଏଭଳି ସ୍ଥଳେ ଭାରତ ଭଳି ଗୋଟିଏ ଗଣତନ୍ତ୍ରରେ ନିର୍ବାଚନ କମିସନ ବିରୋଧରେ ଅଭିଯୋଗକୁ ଦଣ୍ତନୀୟ କରି ଆଇନଟିଏ ଆଣିବା ଗଣତନ୍ତ୍ରର ଛବିକୁ ହିଁ ମଳିନ କରିବ। ଯଦି ଆଇନ ଅବମାନନା ବିରୋଧରେ କୌଣସି ଅନୁଷ୍ଠାନକୁ ଫୌଜଦାରୀ କ୍ଷମତା ପ୍ରଦାନ କରାଯାଏ, ତେବେ ତାହା ମୁକ୍ତ ମତବ୍ୟକ୍ତ କରିବାର ଅଧିକାରକୁ କ୍ଷୁଣ୍ଣ କରିବ ଏବ˚ ସୁସ୍ଥ ସମାଲୋଚନାର କଣ୍ଠରୋଧ କରିବାର ଭୟ ରହିଛି। କୌଣସି ଅନୁଷ୍ଠାନ ଦ୍ବାରା ଏହାର ଦୁରୁପଯୋଗ ହେବାର ଆଶଙ୍କା ମଧୢ ଅମୂଳକ ନୁହେଁ। ସେହି ପରିପ୍ରେକ୍ଷୀରେ ସନ୍ଦେହ ଜାତ ହୁଏ ଯେ ସମ୍ଭବତଃ ଏହା ଦ୍ବାରା ନିର୍ବାଚନ ପ୍ରକ୍ରିୟାକୁ ନେଇ ସ୍ବାଧୀନ ମତବ୍ୟକ୍ତ କରିବାର ଅଧିକାରକୁ କ୍ଷୁଣ୍ଣ କରିବା ଲାଗି ଏକ କ୍ଷେତ୍ର ପ୍ରସ୍ତୁତ କରାଯାଉଛି।

ଏହା କହିବା ନିିଷ୍ପ୍ରୟୋଜନ ଯେ ନିର୍ବାଚନ କମିସନ ଏବ˚ ବିଚାରାଳୟଗୁଡ଼ିକ ମଧୢରେ ଅନେକ ପାର୍ଥକ୍ୟ ରହିଛି। ନିର୍ବାଚନ କମିସନ ସ୍ବାୟତ୍ତ ଅନୁଷ୍ଠାନ ହୋଇଥିଲେ ହେଁ ଏହା ଏକ ସରକାରୀ ସ˚ସ୍ଥା। ପୁଣି ନିର୍ବାଚନ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଗଣତାନ୍ତ୍ରିକ ପ୍ରକ୍ରିୟା ସ˚ପାଦନ କରୁଥିବାରୁ ଏହାର କାର୍ଯ୍ୟକଳାପ ଉପରେ ସମସ୍ତଙ୍କ ତୀକ୍ଷ୍‌ଣ ନଜର ରହେ। ସୁତରା˚, ଏହାର ଅତି ମାମୁଲି ତ୍ରୁଟି ବିଚ୍ୟୁତି ଉପରେ ଜନସାଧାରଣ ଅଙ୍ଗୁଳି ଉଠାଇବା ସ୍ବାଭାବିକ। ତେବେ ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରାଇବା ସକାଶେ ନିର୍ବାଚନ କମିସନଙ୍କର ଯେଉଁ ନିୟନ୍ତ୍ରଣ କ୍ଷମତା ରହିଛି, ତାହା ଦ୍ବାରା ନିର୍ବାଚନକୁ ଅତ୍ୟନ୍ତ ନିର୍ମଳ କରାଯାଇପାରେ। ସେଇ କ୍ରମରେ ସମାଲୋଚନା ମଧୢ ତ୍ରୁଟିବିଚ୍ୟୁତିକୁ ସୁଧାରିବା ଦିଗରେ କାମରେ ଆସିପାରେ। ସ୍ମରଣରେ ଆସେ ଯେ ନିର୍ବାଚନରେ ହାରିଯିବା ପରେ ଆମ ଆଦ୍‌ମୀ ପାର୍ଟି ଇଭିଏମ୍‌ ମେସିନ ଦ୍ବାରା କାରସାଦି ହେଉଥିବା ଅଭିଯୋଗ କରି ଏହି ଯନ୍ତ୍ର ଉପରକୁ ଅଙ୍ଗୁଳି ଉଠାଇବା ଦ୍ବାରା ହିଁ ଏହି ପ୍ରକ୍ରିୟାରେ ଏକ ସ˚ସ୍କାର ଅଣାଯିବା କଥା ଚିନ୍ତା କରାଗଲା ଏବ˚ ଏଣିକି ମତଦାତା ନିଜ ଭୋଟ ଠିକ ସ୍ଥାନରେ ପଡ଼ିଛି ବୋଲି ଜାଣିବା ଲାଗି ଏକ ପେପର ଟ୍ରେଲ ବା କାଗଜ ଚିଠା ପାଇଲେ। ତେଣୁ ସମାଲୋଚନାର କଣ୍ଠରୋଧ ନ କରି ତାକୁ ସୁଧାରିବା ଦିଗରେ ବା ସ˚ସ୍କାର ଦିଗରେ ଲଗାଯିବା ଉଚିତ।

ସର୍ବୋପରି ସମାଲୋଚନା ବା ପ୍ରତିକ୍ରିୟା ପ୍ରକାଶ ହେଉଛି ଗଣତନ୍ତ୍ରରେ ମୁକ୍ତ ମତ ପ୍ରଦାନ କ୍ଷେତ୍ରରେ ଏକ ସ୍ବାଭାବିକ ପ୍ରକ୍ରିୟା। ପରିପକ୍ବ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ବିଭିନ୍ନ ସମୟରେ ସମାଲୋଚନାକୁ ସ୍ବାଗତ କରି ବି କୌଣସି ବିବାଦୀୟ ପ୍ରସଙ୍ଗରେ ବିତର୍କ ସୃଷ୍ଟି କରି ତଦ୍ଦ୍ବାରା ସୁଧାର ପ୍ରକ୍ରିୟା ବଳରେ ଅନୁଷ୍ଠାନର ନିଖୁଣତା ଲାଭ ଦିଗରେ ଯତ୍ନଶୀଳ ହେବା ଦରକାର। ସମାଲୋଚନାର ସ୍ରୋତକୁ ବନ୍ଦ କରିଦେବା ଅର୍ଥ ନିଜ ତ୍ରୁଟିକୁ ଘୋଡ଼ାଇବା ଯାହା ପ୍ରକାରାନ୍ତରେ ଅନୁଷ୍ଠାନର କ୍ଷତି ହିଁ ସାଧନ କରିବ।

ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ- ୯୪୩୭୦୦୮୯୧୨

ସମ୍ବନ୍ଧିତ ଖବର