ଶକ୍ତିରୁ ଭକ୍ତି ଆସେ

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଚୀନ ସହ ଭାରତୀୟ ସୈନ୍ୟମାନଙ୍କର ହାତାହାତି ଲଢ଼େଇ ହୋଇ ଉଭୟ ପକ୍ଷରୁ ସୈନ୍ୟମାନଙ୍କର ଜୀବନହାନି ହୋଇଥିବାରୁ ଦୁଇ ପକ୍ଷ ମୁହାଁମୁହିଁ ହୋଇ ଅନେକ ଦିନ ବାସ୍ତବ ନିୟନ୍ତ୍ରଣ ରେଖା ପାଖରେ ରହିଯିବେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ଚୀନର ଧାରଣା ଥିଲା,୧୯୬୨ ଓ ୨୦୨୦ ମଧ୍ୟରେ ବିଶେଷ କିଛି ଫରକ ନାହିଁ। ଭାରତ ଖୁବ୍‌ ଶୀଘ୍ର ଦବିଯିବ ଓ ଚୀନକୁ ତା’ର ଦାବିକୃତ ଅଞ୍ଚଳ ଛାଡ଼ିଦେବ। କିନ୍ତୁ ତାହା ହେଲାନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବୟ˚ ଲଦାଖ ଯାଇ ଚୀନକୁ ପରୋକ୍ଷରେ ଏକ ବିସ୍ତାରବାଦୀ ଦେଶ ବୋଲି କଟାକ୍ଷ କଲେ ଓ ବିସ୍ତାରବାଦକୁ ରୋକାଯିବ ଅବା ସମାପ୍ତ କରିଦିଆଯିବ ବୋଲି ସଙ୍କେତ ଦେଲେ। ଚୀନ, ଭାରତର ପ୍ରଧାନମନ୍ତ୍ରୀଙ୍କଠାରୁ ଏ ଧରଣର ସାହସର ଆଶା କରିନଥିଲା। ୧୯୬୨ରେ ତଦାନୀନ୍ତନ ପ୍ରଧାନମନ୍ତ୍ରୀ ନେହରୁ ଓଲଟି ଚୀନ ଦ୍ବାରା ଦଖଲିକୃତ ୪୫୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ‘ଦୂବ ଘାସ କଅଁଳେ ନାହିଁ ବୋଲି’ ଆତ୍ମସନ୍ତୋଷ ପ୍ରକଟ କରିଥିଲେ। ସି ଜିନପିଙ୍ଗ, ମୋଦୀଙ୍କଠାରୁ ପାଖାପାଖି ସେହି ଧରଣର ପ୍ରତିକ୍ରିୟା ଆଶା କରୁଥିଲେ।

କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଚୀନ ତା’ର ସୈନ୍ୟ କେତେକ ଅଞ୍ଚଳରୁ କିଛି ଦୂରକୁ ହଟାଇ ନେଇଛି। ଚୀନର ବୈଦେଶିକ ମନ୍ତ୍ରୀ ୱା˚ଗ ୟି ଓ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ଏପରି ଉତ୍ତେଜନା ହ୍ରାସକାରୀ ପଦକ୍ଷେପ ନିଆଯାଇଛି। ଏଠାରେ ମୂଳ ପ୍ରସଙ୍ଗ ହେଲା, ଭାରତର ସୀମା ଭିତରକୁ ଚୀନ ଧସେଇ କରି ପଶିଆସିବାକୁ ସାହସ କରୁଛି କିପରି? ଏହାର ମୁଖ୍ୟ କାରଣ ଚୀନର ସାମରିକ ଶକ୍ତି ନୁହେଁ, ଏହାର ଆର୍ଥିକ ଶକ୍ତି। ୧୯୮୦ରେ ଚୀନର ମୋଟ ଜାତୀୟ ଉତ୍ପାଦ (ଜି.ଡି.ପି.) ୩୦,୪୦୦ କୋଟି ଡଲାର ଥିଲା। ଅଥଚ, ସେତେବେଳେ ଭାରତର ଜି.ଡି.ପି. ଥିଲା ୩୮,୩୦୦ କୋଟି ଡଲାର। ଅର୍ଥାତ୍‌, ଚୀନ ଅପେକ୍ଷା ଅଧିକ। କିନ୍ତୁ ଏହାର ୪୦ ବର୍ଷ ପରେ ୨୦୧୯ ବେଳକୁ ଚୀନର ଜି.ଡି.ପି. ୨୭ ଲକ୍ଷ ୩୦,୦୦୦ କୋଟି ଡଲାରରେ ପହଞ୍ଚିଲା ବେଳେ ଭାରତର ଜି.ଡି.ପି. ୧୧ ଲକ୍ଷ ୩୦,୦୦୦ କୋଟି ଡଲାରରେ ପହଞ୍ଚିଥିଲା। ଅର୍ଥାତ୍‌ ଚୀନର ଜି.ଡି.ପି. ଭାରତର ଜି.ଡି.ପି.ଠାରୁ ଅଢ଼େଇ ଗୁଣ ଅଧିକ। ବର୍ତ୍ତମାନ ଚୀନର ପ୍ରତିରକ୍ଷା ବଜେଟ ହେଉଛି କେବଳ ୨୫,୦୦୦ କୋଟି ଡଲାର (ଏକ ଡଲାର ପ୍ରାୟ ଟ.୭୫.୫୦)। ଭାରତର ପ୍ରତିରକ୍ଷା ବଜେଟ ହେଉଛି ୬,୬୫୦ କୋଟି ଡଲାର। ବର୍ତ୍ତମାନ ଚୀନ ତା’ ଦେଶରୁ ପ୍ରାୟ ଦାରିଦ୍ର୍ୟକୁ ସମ୍ପୂର୍ଣ୍ଣ ରୂପେ ଦୂର କରିଦେଇଛି। ଯେଉଁ ବ୍ୟକ୍ତି ଦିନକୁ ୧.୯୦ ଡଲାର ଅର୍ଥାତ୍‌ ପାଖାପାଖି ୨ ଡଲାର ଅର୍ଥାତ୍‌ ପ୍ରାୟ ଟ.୧୫୦ ରୋଜଗାର କରୁଛି, ତାହାକୁ ଆଉ ଦାରିଦ୍ର୍ୟ ସୀମାରେଖାର ତଳେ ବୋଲି ଗ୍ରହଣ କରାଯାଉନାହିଁ। ଭାରତରେ କିନ୍ତୁ ଏଯାଏ ୨୦% ଲୋକ ସେହି ଆଧାରରେ ଦାରିଦ୍ର୍ୟ ସୀମାରେଖାର ତଳେ ଅଛନ୍ତି। ଆମେରିକା ପରେ ଚୀନ ହେଉଛି ଭାରତର ଦ୍ବିତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ। ଏହି ଦୁଇ ଦେଶ ମଧ୍ୟରେ ୧୧,୦୦୦ କୋଟି ଡଲାରର ବାଣିଜ୍ୟ ବ୍ୟବସାୟ ଚାଲିଛି। କିନ୍ତୁ ଏହା ହେଉଛି ଅସମାନ ଶକ୍ତିମାନଙ୍କ ମଧ୍ୟରେ ବାଣିଜ୍ୟ। ଚୀନ ତା’ର ମୋଟ ରପ୍ତାନିର ମାତ୍ର ୩% ଭାରତକୁ କରିଥାଏ। ତା’ର ମୋଟ ଆମଦାନିର ମାତ୍ର ୧% ଭାରତରୁ କରିଥାଏ। ଭାରତ ଚୀନରୁ ଏବେ ୬,୮୦୦ କୋଟି ଡଲାରର ଆମଦାନି କରୁଥିଲାବେଳେ, ଚୀନକୁ ମାତ୍ର ୧୬୩୨ କୋଟି ଡଲାରର ଦ୍ରବ୍ୟ ରପ୍ତାନି କରୁଛି। ଅର୍ଥାତ୍‌, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ହେଉଛି ୫୧୬୮ କୋଟି ଡଲାର ଯାହା ଚୀନ ସପକ୍ଷରେ ଯାଉଛି। ଯଦି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବନ୍ଦ ହୋଇଯାଏ, ତେବେ ଚୀନର ଭାରତକୁ ରପ୍ତାନି ମାତ୍ର ୩% ବନ୍ଦ ହେବ। ଭାରତର ଚୀନକୁ ରପ୍ତାନି କମିବ ୫%। ଚୀନର ଭାରତରୁ ଆମଦାନି ୧% କମିଲା ବେଳେ ଭାରତର ଚୀନରୁ ଆମଦାନି କମିବ ୧୪%।

ଭାରତ ଯେଉଁ ଦ୍ରବ୍ୟ ସବୁ ଚୀନରୁ ଆମଦାନି କରୁଛି, ଏହା ସବୁ ଭାରତରେ ଉତ୍ପାଦିତ ଦ୍ରବ୍ୟମାନଙ୍କରେ ଲାଗୁଛି। ପ୍ରଥମତଃ, ଭାରତର ବିଦ୍ୟୁତ ଉତ୍ପାଦନ କାରଖାନା, ଟେଲିକମ ଯନ୍ତ୍ରପାତି, ମେଟ୍ରୋ ରେଳ ଡବା, ଲୁହା ଓ ଇସ୍ପାତ ଦ୍ରବ୍ୟ, ରାସାୟନିକ ସାର ଓ ଅନ୍ୟାନ୍ୟ ଓ ଦ୍ରବ୍ୟ ଚୀନରୁ ଆସୁଛି। ଏହାଛଡ଼ା ଇଲେକ୍େ‌ଟ୍ରାନିକ୍‌ସ, ମୋବାଇଲ ଫୋନ, ମୋଟରଗାଡି଼, ଫାର୍ମାସିଉଟିକାଲ୍‌ସ୍‌, ପ୍ଲାଷ୍ଟିକ୍‌ ଓ ଇଞ୍ଜିନିଅରି˚ ଦ୍ରବ୍ୟମାନ ଚୀନରୁ ଆସୁଛି ଯାହା ଭାରତରେ ନିର୍ମିତ ଦ୍ରବ୍ୟମାନଙ୍କରେ ନଲାଗିଲେ ସେ ସବୁ ପୂର୍ଣ୍ଣାଙ୍ଗ ହେବେନାହିଁ। ଭାରତରେ ଯେତେ ଔଷଧ ତିଆରି ହେଉଛି ତା’ର ୭୦% ବିଭିନ୍ନ ପଦାର୍ଥ ଚୀନରୁ ଆସୁଛି। ଚୀନର ଟେଲିକମ କମ୍ପାନି ଭାଇଭୋ, ସିଆଓମି, ଓପୋ, ରିଏଲମେ ଇତ୍ୟାଦି ଭାରତର ମୋବାଇଲ ବଜାରକୁ ଏକପ୍ରକାର ମାଡ଼ି ବସିଛନ୍ତି କହିଲେ ଚଳେ। ଭାରତର ସ୍ମାର୍ଟ ଫୋନ ବଜାର ୭୦% ଚୀନ କମ୍ପାନିଙ୍କ କବଜାରେ ଏବେ ଅଛି। ଭାରତର ମୋବାଇଲ କମ୍ପାନି ଲବ, କାରବୋନ୍ନ, ମାଇକ୍ରୋମାକ୍‌ସ ଆଦିକୁ ଏ ଦେଶରେ ଅଧିକା˚ଶ ଲୋକ ଜାଣନ୍ତି ନାହିଁ। ଟିକ୍‌ଟକ୍‌ ଓ ଲାଇକି ଆଦି ଆପ୍‌ସ୍‌ମାନଙ୍କ ପଛରେ ସାରା ଭାରତ ବର୍ଷର ଯୁବ ପିଢ଼ି ପଡ଼ିଥିଲେ ା ଏମାନଙ୍କ ବ୍ୟତୀତ ଜୋମାଟୋ, ଜୁମ୍‌, ଓଲା (ଭଡ଼ାଗାଡ଼ି), ଓୟୋ (ହୋଟେଲ), ସ୍ବାଗି, ବାଇଜୁସ୍‌, ବିଗବାସ୍କେଟ, ଉଡ଼ାନ, ସେୟାର ଚାଟ ଓ କାର ଦେଖୋ କମ୍ପାନିମାନେ ହେଲେ ଚୀନା। ଏମାନଙ୍କ ମଧ୍ୟରୁ ଅନେକ ‘ୟୁନିକର୍ଣ୍ଣ’ ପଦବି ପାଇଛନ୍ତି। ଅର୍ଥାତ୍‌ ଏମାନଙ୍କର କାରବାର ୧୦୦ କୋଟି ଡଲାରକୁ ବଢ଼ିଛି। ବାକି କମ୍ପାନିମାନେ ଯଥାଶୀଘ୍ର ‘ୟୁନିକର୍ଣ୍ଣ’ ପଦବି ପାଇବେ। ଏ ଧରଣର ଚୀନା କମ୍ପାନିମାନେ ଇତି ମଧ୍ୟରେ ୮୦୦ କୋଟି ଡଲାରର ପୁଞ୍ଜି ଭାରତରେ ଲଗାଇଛନ୍ତି। ଆଗାମୀ ଦିନମାନଙ୍କରେ ଚୀନା କମ୍ପାନିମାନେ ୨୬୦୦ କୋଟି ଡଲାରର ପୁଞ୍ଜି ଲଗାଣ କରିବାକୁ ଯୋଜନା କରିଛନ୍ତି। ଏମାନେ ମଧ୍ୟ ଭାରତରେ ଥିବା ଅନେକ ‘ଷ୍ଟାଟଅପ’(ନୂଆ କରି ପ୍ରକଳ୍ପ ତିଆରି କରିବାକୁ ଚାହୁଁଥିବା ଭାରତୀୟ) ଶିଳ୍ପଦ୍ୟୋଗୀମାନଙ୍କୁ ବିପୁଳ ଅର୍ଥ ମୂଳଧନ ହିସାବରେ ଯୋଗାଇଛନ୍ତି। କେବଳ ସେତକ ନୁହେଁ, ଚୀନ ଭାରତକୁ ନୂଆ ଟେକ୍‌ନୋଲୋଜି ମଧ୍ୟ ଯୋଗାଉଛି। ଯଦି ଏବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ହଠାତ୍‌ ବନ୍ଦ ହୋଇଯାଏ, ଭାରତର ଅନେକ କମ୍ପାନି ଅର୍ଥାଭାବରୁ ବନ୍ଦ ହୋଇଯିବେ ବା ନୂଆ କମ୍ପାନିମାନେ ଖୋଲିବେ ନାହିଁ।

କିନ୍ତୁ ଅର୍ଥନୈତିକ କ୍ଷେତ୍ରରେ ଭାରତ ପାଇଁ ଏବେ ସଙ୍କଟ ଅଛି ବୋଲି ଜାଣିବା ପରେ ମଧ୍ୟ ମୋଦୀ କାହିଁକି ଚୀନ ବିରୁଦ୍ଧରେ ଏତେ ଦୃଢ଼ତା ପ୍ରକଟ କଲେ! ପ୍ରଥମତଃ ମୋଦୀ, ସାମରିକ ଓ ବେସାମରିକ ମୁଖ୍ୟ ଅଧିକାରୀମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା ପରେ ନିଷ୍ପତ୍ତି ହେଲା ଯେ ଶାରୀରିକ ଓ ସାମରିକ ଦୃଷ୍ଟିରୁ ସୀମାନ୍ତରେ ଚୀନ ସହ ସିଧାସଳଖ ମୁକାବିଲା କରାଯିବା ଦରକାର। ୧୯୬୨ରେ ଏହା କରାଯାଇନଥିବା ଯୋଗୁଁ ଭାରତ ଏହି ମୁକାବିଲା କରିବା ପାଇଁ ସକ୍ଷମ ନୁହେଁ ବୋଲି ଚୀନର ଏକ ବଦ୍ଧମୂଳ ଧାରଣା ରହିଆସିଥିଲା। ଏହାକୁ ଦୂର କରିବାର ଏକାନ୍ତ ଆବଶ୍ୟକତା ଥିଲା। ନହେଲେ ଭବିଷ୍ୟତରେ ପୁଣି ଚୀନ ଏହି ସାହସ ନେଇ ଭାରତ ମଧ୍ୟକୁ ପଶିବାକୁ ଚେଷ୍ଟା କରିଥାନ୍ତା।

ମୋଦୀ, ଚୀନ ବିରୁଦ୍ଧରେ ଏକ ଅର୍ଥନୈତିକ ଯୁଦ୍ଧ ମଧ୍ୟ ଆରମ୍ଭ କରିଦେଲେ। ପ୍ରଥମେ ୫୯ଟି ଚୀନା ଆପ୍‌ସ୍‌ମାନଙ୍କୁ ଭାରତରେ ବନ୍ଦ କରିଦିଆଗଲା। ଏହା ଭାରତର ରାଷ୍ଟ୍ରୀୟ ସୁରକ୍ଷା ନାମରେ କରାଗଲା ଓ ଭାରତରେ ଚୀନା ପୁଞ୍ଜି ଲଗାଣ କ୍ଷେତ୍ରରେ ପ୍ରତିବନ୍ଧ ସୃଷ୍ଟି କରାଗଲା। ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରୀ କହିଲେ, ଭାରତର ରାସ୍ତା ନିର୍ମାଣ କ୍ଷେତ୍ରରେ ଚୀନା କମ୍ପାନିମାନଙ୍କୁ ଅନୁମତି ଦିଆଯିବନି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭିତରେ ଭିତରେ ଭାରତ ବିଦ୍ବେଷୀ ହୋଇଥିଲେ ମଧ୍ୟ, ଚୀନା କମ୍ପାନିମାନଙ୍କର ଭାରତରେ ପୁଞ୍ଜି ନିବେଶ ପାଇଁ ପଥ ପ୍ରଶସ୍ତ କରିବାକୁ ମୋଦୀଙ୍କ ଶାସନ କାଳ ମଧ୍ୟରେ ଦୁଇ ଥର ଭାରତ ଗସ୍ତରେ ଆସି ସାରିଲେଣି। ଏବେ ଚୀନ ପାଖରେ ପ୍ରଚୁର ଅର୍ଥ ଠୁଳ ହୋଇଗଲାଣି ଯାହାକୁ ଚୀନ ବିଭିନ୍ନ ଦେଶମାନଙ୍କରେ ଲଗାଣ କରିବାକୁ ଚାହେଁ। ‘ବେଲ୍‌ଟ ଏଣ୍ତ ରୋଡ୍‌ ଇନିସିଏଟିଭ’ ହେଉଛି ସେହି ପୁଞ୍ଜି ଲଗାଣର କଥା। ଭାରତ ଏବେ ଚୀନ ପାଇଁ ଏକ ବୃହତ ବଜାର ଯାହାକୁ ଚୀନ ବଡ଼ ଲୋଲୁପ ଦୃଷ୍ଟିରେ ଦେଖୁଛି। ଏଥର ମୋଦୀ, ସି ଜିନପିଙ୍ଗଙ୍କୁ ବୁଝାଇଦେଇଛନ୍ତି ଯେ, ଆର୍ଥିକ କ୍ଷତି ହେଲେ ମଧ୍ୟ ଅର୍ଥନୀତିକୁ ନେଇ ଭାରତ ଚୀନ ସହ ଲଢ଼ିବ। ହୁଏତ ଚୀନର ଭାରତକୁ ରପ୍ତାନି ଭାରତର ଚୀନକୁ ରପ୍ତାନିଠାରୁ ଅନେକ ବେଶି। ଦୁଇ ଦେଶର ବାଣିଜ୍ୟ ବନ୍ଦ ହେଲେ ଚୀନର ସେତେ ବେଶି କ୍ଷତି ହେବ ନାହିଁ। କିନ୍ତୁ ଚୀନର କମ୍ପାନିମାନଙ୍କ ପାଇଁ ଭାରତ ପରି ଏକ ବଡ଼ ବଜାରର ପ୍ରଲୋଭନ ବହୁତ ବଡ଼ କଥା। ଚୀନର ପ୍ରଯୁକ୍ତି ବିଦ୍ୟା (ଆଇ.ଟି.) କ୍ଷେତ୍ର ମଧ୍ୟ ଭାରତ ସହ ମିଶି କାମକରିବାକୁ ବଡ଼ ଆଗ୍ରହୀ। ଅଳ୍ପ କିଛି ଅପନ୍ତରା ଜମି ପାଇଁ ଭାରତ ସହ ଚୀନ ତା’ର ବ୍ୟାବସାୟିକ ସମ୍ପର୍କକୁ ନଷ୍ଟ କରୁ ଏକଥା ଚୀନର ଶିଳ୍ପ ବ୍ୟବସାୟ ଜଗତ୍‌ ଆଦୌ ଚାହେଁନାହିଁ। ଚୀନ ଏପରି କରି ଭାରତକୁ ଆମେରିକା ଆଡ଼କୁ ଠେଲିଦେଉ ଏକଥା ମଧ୍ୟ ସେମାନେ ଚାହାନ୍ତି ନାହିଁ। ଟିକ୍‌ଟକ୍‌ ପରି ଚୀନା କ୍ଷୁଦ୍ର ଭିଡିଓ କମ୍ପାନି ଭାରତ ପରି ଏତେ ବ୍ୟବହାରକାରୀମାନଙ୍କୁ କେଉଁଠୁ ପାଇବ! ବାସ୍ତବରେ ଦେଖିବାକୁ ଗଲେ ବିଶ୍ବର ଅନେକ ଦେଶ ଚୀନର ଔଦ୍ଧତ୍ୟ ହେତୁ ସେ ଦେଶ ସହ ବାଣିଜ୍ୟ କାରବାର ବନ୍ଦ କରିବାକୁ ଚାହାନ୍ତି, କିନ୍ତୁ କରିପାରିନାହାନ୍ତି। ମୋଦୀ, ଅନ୍ୟମାନେ ଯାହା ପାରିନାହାନ୍ତି ତାହା କରିପାରିଲେ।

ଭାରତର କୂଟନୀତିଜ୍ଞମାନେ ଚୀନ ବିରୁଦ୍ଧରେ ସାରା ବିଶ୍ବରେ ଏକ ଗୋଷ୍ଠୀ ଗଠନ ପ୍ରକ୍ରିୟାରେ ଲାଗିଛନ୍ତି। ଚୀନ ତା’ର ‘ବେଲ୍‌ଟ ଏଣ୍ତ ରୋଡ୍‌ ଇନିସିଏଟିଭ’ ଦ୍ବାରା ପୃଥିବୀରେ ଅଧିକା˚ଶ ଗରିବ ଦେଶମାନଙ୍କୁ ଋଣ ଦେଇ ସେ ଦେଶମାନଙ୍କରେ ରାସ୍ତା, ବିମାନ ବନ୍ଦର, ନୌବନ୍ଦର, ରେଳପଥ, ସଭାଗୃହ ଆଦି ତିଆରି କରି ଚାରିଆଡ଼େ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି। ତାହାକୁ ଅନେକ ଦେଶ ନିରବରେ ବିରୋଧ କରୁଛନ୍ତି। ଚୀନ, ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା ଟପି ଏ ଦେଶର ଜମିକୁ ମାଡ଼ିବସିବ ଓ ଏହାକୁ ଏକ ସ୍ଥାନୀୟ ଲଢ଼େଇରେ ପରିଣତ କରିବ ବୋଲି ଯାହା ଆଶା କରିବସିଥିଲା ତାହା ଆଦୌ ହୋଇନାହିଁ। ଏହା ଏକ ସାରା ବିଶ୍ବର ଲଢ଼େଇ ବୋଲି ମୋଦୀ ଧାରଣା ସୃଷ୍ଟି କରିଛନ୍ତି। ହ˚କ˚, ତାଇୱାନ ଆଦିରେ ଚୀନ ବିପଦରେ ପଡ଼ିଛି ଓ ଦକ୍ଷିଣ ଚୀନ ସାଗରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପଡ଼ୋଶୀ ଜାପାନ, ମାଲେସିଆ, ଫିଲିପାଇନ୍‌ସ୍‌, ଭିଏତନାମ, ବ୍ରୁନେଇ ଆଦି ଦେଶମାନଙ୍କ ସହ ଏହାର ତିକ୍ତତା ବଢ଼ିଛି। ଚୀନ ଏବେ ସାରା ଦକ୍ଷିଣ ଚୀନ ସାଗରଟା ତା’ର ବୋଲି ଦାବିକରି ଏଥିରେ ଆଉ କେହି ପଶିପାରିବେ ନାହିଁ କହି ସେଠାରେ ସମରାଭ୍ୟାସ କରୁଛି ଓ ପୂର୍ବ ବର୍ଣ୍ଣିତ ଦେଶମାନଙ୍କୁ ଧମକାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସେହି ଦକ୍ଷିଣ ଚୀନ ସାଗରକୁ ଦୁଇଟି ଯୁଦ୍ଧ ବିମାନବାହୀ ଜାହାଜ ପଠାଇଛନ୍ତି। ଶୁଣାଯାଏ, ଭାରତ ସହ କଥାବାର୍ତ୍ତା କରି ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି। ଚୀନ ସର୍ବଶକ୍ତିମାନ ନୁହେଁ ଓ ଭାରତ ଏସିଆ ମହାଦେଶରେ ଆମେରିକାର ଛାୟା ଏପରି ଧାରଣା ଆମେରିକା ସୃଷ୍ଟି କରିବାରେ ଲାଗିଛି। ଆମେରିକା ତା’ର ବନ୍ଧୁ ରାଷ୍ଟ୍ରମାନଙ୍କୁ ଚୀନକୁ ଭୟ ନକରିବାକୁ ସଙ୍କେତ ଦେଇଛି। ଏପରି କ୍ଷେତ୍ରରେ ଚୀନ ଆହୁରି ଆକ୍ରାମକ ହେବା ସମ୍ଭବ ନୁହେଁ। ବିଶ୍ବର ଏକ ବହୁତ ବଡ଼ ଗୋଷ୍ଠୀ ତା’ର ବିରୋଧୀ ପାଲଟି ଗଲେଣି। କରୋନା ଭୂତାଣୁ ଚୀନ ସୃଷ୍ଟି କରିଛି, ଏ ଧରଣର ଅଭିଯୋଗ ଆଗାମୀ ଦିନରେ ଆହୁରି ଜୋରରେ ଉଠିବ। ଏହି କାରଣ ଯୋଗୁଁ ମୋଦୀ, ଚୀନକୁ ନିରସ୍ତ୍ର କରିବାକୁ ସକ୍ଷମ ହେଲେ।

ତେବେ ଆଗାମୀ ଦିନମାନଙ୍କରେ ଭାରତ ଚୀନର ମୁକାବିଲା କରିବା ପାଇଁ ଅନ୍ୟର ସାହାଯ୍ୟ ଉପରେ ନିର୍ଭର ନକରି ନିଜର ଦକ୍ଷତା ବଢ଼ାଇବା ଆବଶ୍ୟକ। ଭାରତ ପ୍ରଥମେ ନିଜକୁ ପ୍ରଶ୍ନ କରିବା ଉଚିତ ଫେସବୁକ, ଟୁଇଟର, ଗୁଗୁଲ୍‌ସ୍‌, ମାଇକ୍ରୋସଫ୍‌ଟ, ଆପଲ ପରି ଆମେରିକାର ସ˚ସ୍ଥାମାନଙ୍କୁ ଗଢି଼ ନପାରିଲେ ମଧ୍ୟ ଟିକ୍‌ଟକ୍‌ ପରି ଚୀନା ଆପ୍‌ସ୍‌ ତିଆରି କରିପାରିନାହିଁ କାହିଁକି? ଭାରତ ନିଜ ପାଇଁ ମୋବାଇଲ ଫୋନ୍‌ଟିଏ ତିଆରି କରିପାରି ନାହିଁ କାହିଁକି? ଭାରତ ଗବେଷଣା ପାଇଁ ତା’ର ମୋଟ ଜାତୀୟ ଉତ୍ପାଦର (ଜି.ଡି.ପି.) ମାତ୍ର ୦.୭% ଖର୍ଚ୍ଚ କରୁଥିଲା ବେଳେ ଚୀନ ୨.୧%, ଆମେରିକା ୨.୮%, ଇସ୍ରାଏଲ ୪.୩% ଖର୍ଚ୍ଚ କରୁଛନ୍ତି କାହିଁକି? ଏହି ପ୍ରଶ୍ନର ଉତ୍ତର ଉପରେ ଭାରତର ଅର୍ଥନୈତିକ ଭବିଷ୍ୟତ ନିର୍ଭର କରୁଛି।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର