ହାଜତ ମୃତ୍ୟୁ- ପୁଲିସର ସୀମା ଲଂଘନ

ସରଳ ବିଚାର - ସରଳ କୁମାର ଦାସ

ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲୟେଡଙ୍କର ଜଣେ ଶ୍ବେତକାୟ ପୁଲିସଙ୍କ ଦ୍ୱାରା ନିର୍ମମ ହତ୍ୟା ହେଲା ପରେ ବିଶ୍ୱବ୍ୟାପୀ ଲୋକଙ୍କଠାରେ ଦେଖା ଦେଇଥିବା ଆକ୍ରୋଶ ଥଣ୍ଡା ନ ପଡୁଣୁ ତାମିଲନାଡୁର ଥୁତୁକୁଡ଼ିଠାରେ ପୁଲିସ ହାଜତରେ ଦୁଇ ଜଣ-ବାପ (ଜୟରାଜ) ଓ ପୁଅ (ବେନିକ୍‌ସ)-ଙ୍କର, ଅସ୍ବାଭାବିକ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍‌ଧ କରିଛି। ଲକ୍‌ଡାଉନ୍‌ ସମୟରେ ପେଟପାଟଣା ପାଇଁ ନିଜ ଦୋକାନ ଖୋଲା ରଖିବା ଥିଲା ସେମାନଙ୍କ ଏକମାତ୍ର ଅପରାଧ। ଆଉ ସେହି ଅପରାଧ ପାଇଁ ସେମାନଙ୍କୁ ଯେ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ ଏହା ଆଇନର ଶାସନ ଚାଲୁଥିବା କୌଣସି ସଭ୍ୟ ଦେଶରେ କଳ୍ପନା କରାଯାଇ ନ ପାରେ। ଉଭୟଙ୍କ ଉପରେ ପୁଲିସ ହାଜତରେ ଯେଉଁପରି ବର୍ବରୋଚିତ ଅତ୍ୟାଚାର କରାଯାଇ ନୃଶଂସ ଭାବେ ସେମାନଙ୍କର ହତ୍ୟା କରାଗଲା, ତାହା ଜନସାଧାରଣଙ୍କୁ କ୍ଷୁବ୍‌ଧ କରିବା ସହ ଭାରତରେ ବଢ଼ି ବଢ଼ି ଚାଲିଥିବା ହାଜତ ମୃତ୍ୟୁ ସମସ୍ୟା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି।

ଜାତୀୟ ଅପରାଧ ରେକର୍ଡ‌୍ସ ବ୍ୟୁରୋ (ଏନସିଆରବି) ଦ୍ବାରା ୨୦୧୯ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୮ ମସିହାରେ ସାରା ଭାରତରେ ପୁଲିସ ହାଜତରେ ହୋଇଥିବା ୭୦ ଜଣଙ୍କର ମୃତ୍ୟୁ ମଧ୍ୟରୁ ୧୭ ଜଣଙ୍କର ଆତ୍ମହତ୍ୟାଜନିତ ହୋଇଥିଲା ବେଳେ ୩୭ ଜଣଙ୍କର ଅସୁସ୍ଥତା କାରଣରୁ ବା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହୋଇଛି। ମାତ୍ର ୩ ଜଣଙ୍କର ମୃତ୍ୟୁ ପୁଲିସ ଜେରା ସମୟରେ ଦିଆଯାଇଥିବା ଆଘାତ ଯୋଗୁ ହୋଇଛି ବୋଲି ଦର୍ଶାଯାଇଛି। ଏହା ବିଶ୍ବାସଯୋଗ୍ୟ ହୋଇ ନ ପାରେ। ବିଡ଼ମ୍ବନାର ବିଷୟ, ଏଥିମଧ୍ୟରୁ ୪୪ଟି ମାମଲାରେ କେସ୍‌ ଦାୟର ହୋଇ ୨୩ ଜଣ ପୁଲିସ କର୍ମଚାରୀ ଗିରଫ ହୋଇଥିଲେ ବି ମାତ୍ର ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି ଏବଂ ଜଣେ ହେଲେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

କ୍ଷମତାର ଅପବ୍ୟବହାର କରି ପୁଲିସ ଦ୍ୱାରା ହାଜତରେ ହେଉଥିବା ହିଂସା ମାନବାଧିକାରର ସୁରକ୍ଷା ଲାଗି ଏକ ବଡ଼ ଆହ୍ବାନ ସୃଷ୍ଟି କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠାର ପରିପନ୍ଥୀ ହୋଇଥାଏ। ଆସାମୀଙ୍କ ଉପରେ ହାଜତରେ ହେଉଥିବା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ‘ହାଜତ ହିଂସା’ ପର୍ଯ୍ୟାୟବାଚୀ। ଅନ୍ତର୍ଜାତୀୟ ସଂସ୍ଥା ‘ହ୍ୟୁମାନ ରାଇଟ୍‌ସ ୱାଚ୍‌’ ଦ୍ୱାରା ଭାରତରେ ହାଜତ ହିଂସା ଉପରେ ହୋଇଥିବା ଏକ ଅଧ୍ୟୟନର ରିପୋର୍ଟ ‘ବାଉଣ୍ଡ ବାଇ ବ୍ରଦରହୁଡ: ଇଣ୍ଡିଆଜ ଫେଲିୟୋର ଟୁ ଏଣ୍ଡ କିଲିଂସ ଇନ ପୁଲିସ କଷ୍ଟୋଡି’ ୨୦୧୬ରେ ପ୍ରକାଶିତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ଭାରତରେ ୨୦୧୦ରୁ ୨୦୧୫ ମଧ୍ୟରେ ହୋଇଥିବା ୫୯୧ଟି ହାଜତ ମୃତ୍ୟୁ ମାମଲାରେ ଜଣେ ହେଲେ ପୁଲିସ କର୍ମଚାରୀ ଦଣ୍ଡିତ ହୋଇନାହାନ୍ତି।

ଦେଖାଯାଇଥାଏ ଯେ ଅନୁସନ୍ଧାନ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଅଲଗା ଅଲଗା ପୁଲିସ ନ ଥିବାରୁ ଉଭୟ ଦାୟିତ୍ବ ସଂପାଦନ କରୁଥିବା ଅନେକ ପୁଲିସ ଅପରାଧ ଅନୁସନ୍ଧାନରେ ନିପୁଣ ହୋଇ ନ ଥାଆନ୍ତି। ଏପରିକି ଅନେକେ ଫରେନସିକ୍‌ର ପ୍ରୟୋଗ ସମ୍ପର୍କରେ ଅନଭିଜ୍ଞ ଓ ଅଦକ୍ଷ। ଏହା ଛଡ଼ା ଏକ ଚାପଗ୍ରସ୍ତ, ଉଚିତ ପ୍ରଶିକ୍ଷଣ ପାଇ ନ ଥିବା ତଥା ଆଧୁନିକ ପ୍ରମାଣ-ଆଧାରିତ ଅନୁସନ୍ଧାନ କୌଶଳ ଆହରଣ କରି ନ ଥିବା ପୁଲିସ ପକ୍ଷରେ ଆସାମୀମାନଙ୍କୁ ନିର୍ଯାତନା ଦେଇ (‘ଥାର୍ଡ ଡିଗ୍ରୀ’) କଥା ଆଦାୟ କରିବା ଏକ ସହଜ ଉପାୟରେ ପରିଣତ ହୋଇଛି। ତା’ଛଡ଼ା ଅଭିଯୁକ୍ତକୁ ଅପରାଧୀ ବୋଲି ଧରି ନେଇ ତାକୁ ତୁରନ୍ତ ଦଣ୍ଡ ବିଧାନ କରିବାର ମାନସିକତା ବା ଅପରାଧ ବଢୁଥିଲେ ଚାପଗ୍ରସ୍ତ ହୋଇ ଅଭିଯୁକ୍ତକୁ ଯେନତେନପ୍ରକାରେଣ ଅପରାଧୀ ବୋଲି ସ୍ବୀକାର କରିବାକୁ ବାଧ୍ୟ କରିବା ଲାଗି ପୁଲିସ ମାତ୍ରାଧିକ ନିର୍ଯାତନା ଦେଇଥାଆନ୍ତି। ପୁଲିସ ସଂସ୍କାର ପାଇଁ ଗଠିତ ‘ପଦ୍ମନାଭେୟା କମିଟି’ର ମତ ଅନୁସାରେ ଅନେକ ରାଜନେତା, ଅଫିସର, ସାଧାରଣ ଲୋକ ବି ମନେ କରନ୍ତି ଯେ ଅପରାଧୀ ଓ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଶକ୍ତ ଆଚରଣ ପ୍ରଦର୍ଶନ କଲେ ହିଁ ପୁଲିସ ପ୍ରଭାବଶାଳୀ ହୋଇଥାଏ। ପୁଣି, ଶାସକ ଦଳ ପୁଲିସକୁ ହାତବାରିସି ପରି ବ୍ୟବହାର କରୁଥିବାର ଉଦାହରଣ ମିଳିଥାଏ।

ଭାରତୀୟ ଆଇନରେ ଉତ୍ପୀଡ଼ନ ବିରୋଧରେ ସମ୍ୱିଧାନର ଧାରା ୧୪ ଓ ୨୧, ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୩୦ ଓ ୩୩୧ ଆଦିରେ ଯଥେଷ୍ଟ ବିଧି ବ୍ୟବସ୍ଥା ରହିଛି। ଏହାଛଡ଼ା ଭାରତ ଏ ସଂକ୍ରାନ୍ତ ‘ଅନ୍ତର୍ଜାତୀୟ ନାଗରିକ ଓ ରାଜନୈତିକ ଅଧିକାର ଚୁକ୍ତି’କୁ ଅନୁମୋଦନ କରିବା ସହ ‘ଉତ୍ପୀଡ଼ନ ବିରୋଧରେ ସମ୍ମିଳନୀ’ ଚୁକ୍ତିରେ ସ୍ୱାକ୍ଷର କରିସାରିଛି। ଏହା ସତ୍ତ୍ୱେ ହାଜତ ହିଂସା ହ୍ରାସ ପାଉ ନ ଥିବାରୁ ୧୯୯୭ ମସିହାରେ ‘ଡି କେ ବସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ’ ମାମଲାରେ ସୁପ୍ରିମକୋର୍ଟ ଯେଉଁ ମାର୍ଗ ନିର୍ଦ୍ଦେଶିକା ଦେଇଥିଲେ, ତାହା ପରବର୍ତ୍ତୀ ସମୟରେ ‘ସି.ଆର.ପି.ସି.’ରେ ସ୍ଥାନ ପାଇଛି। ତଥାପି ପୁଲିସ ଦ୍ୱାରା ବେଆଇନ ଗିରଫଦାରି ଓ ଅଟକ ଭଳି ଘଟଣାରୁ ଆରମ୍ଭ କରି ପରିବାର ବର୍ଗଙ୍କୁ ସୂଚିତ ନ କରିବା, ଗିରଫ କରାଯିବାର ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥାପିତ ନ କରିବା ଭଳି ବ୍ୟତିକ୍ରମମାନ ପରିଲକ୍ଷିତ ହେଉଛି। ବେଳେବେଳେ ଆସାମୀର ଡାକ୍ତରୀ ଯାଞ୍ଚ ମଧ୍ୟ କରାଯାଇ ନଥାଏ। ସ୍ଥଳ ବିଶେଷରେ ମାଜିଷ୍ଟ୍ରେଟମାନେ ମଧ୍ୟ ନିଜ ଦାୟିତ୍ୱ ଠିକ ରୂପେ ନିର୍ବାହ କରି ନ ଥାଆନ୍ତି। କେତେକ କ୍ଷେତ୍ରରେ ଆସାମୀକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥାପିତ ନ କରି ଅଦାଲତର ଲକ ଅପରେ ବସାଇ ରଖାଯାଏ ଓ ଓକିଲ ମାଜିଷ୍ଟ୍ରେଟଙ୍କୁ କାଗଜପତ୍ର ଦେଖାଇଥାଆନ୍ତି। ଫଳରେ ପୁଲିସ ଉତ୍ପୀଡ଼ନ ସମ୍ପର୍କରେ ଆସାମୀ ମାଜିଷ୍ଟ୍ରେଟଙ୍କୁ ଅଭିଯୋଗ କରିବାର ଅବକାଶ ପାଏ ନାହିଁ।

୨୦୦୪ ମସିହାରେ ‘ମୁନଶି ସିଂହ ଗୌତମ ଓ ଅନ୍ୟମାନେ ବନାମ ମଧ୍ୟ ପ୍ରଦେଶ ରାଜ୍ୟ’ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଥିଲେ ଯେ ‘ଭ୍ରାତୃତ୍ୱର ବନ୍ଧନରେ ଆବଦ୍ଧ ଥିବାରୁ, ଏହା ଅଜଣା ନୁହେଁ ଯେ, ପୁଲିସ ଅଧିକାରୀମାନେ ଅନେକ ସମୟରେ ଆରୋପିତ ସହକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ସତ୍ୟକୁ ବିକୃତ କରି ଥାଆନ୍ତି ବା ଚୁପ ରହିବାକୁ ଉଚିତ ମଣନ୍ତି।’ ‘ସି.ଆର.ପି.ସି.’ର ଧାରା ୧୯୭କୁ ଆଳ କରି ପୁଲିସକୁ ନାଲିସରୁ ବାହାରେ ରଖିବାର ପ୍ରଚେଷ୍ଟା, ଦୁର୍ବଳ ଓ ପକ୍ଷପାତୀ ପୁଲିସ ଅନୁସନ୍ଧାନ, ପୁଲିସ ବିରୋଧରେ ‘ଏଫ.ଆଇ.ଆର.’ କରିବା କ୍ଷେତ୍ରରେ ବାଧା ସୃଷ୍ଟି, ପ୍ରମାଣ ନଷ୍ଟ କରିବା ଆଦି ଯୋଗୁ ପୁଲିସ ବିରୋଧରେ ମାମଲା ଦୁର୍ବଳ ହୋଇଯାଏ। ବେଳେବେଳେ ଡାକ୍ତରଙ୍କ ଶବ ବ୍ୟବଚ୍ଛେଦର ରିପୋର୍ଟ ପୁଲିସକୁ ସୁହାଇଲା ଭଳି ହୋଇଥାଏ। ଏହା ସହିତ ଉତ୍ପୀଡ଼ନର ଶିକାର ହୋଇଥିବା ବ୍ୟକ୍ତିର ପରିବାରକୁ ଡରାଇବା ଧମକାଇବା ଆଦିର ଅଭିଯୋଗ ମଧ୍ୟ ଆସିଥାଏ। ଏପରିକି ଅନେକ ସ୍ଥଳରେ ପ୍ରମାଣ ଥିବା ସତ୍ତ୍ବେ ମାନବାଧିକାର କମିସନ ପୁଲିସ ଅଧିକାରୀଙ୍କ ବିରୋଧରେ ନାଲିସ କରିବାକୁ ସୁପାରିସ ନ କରି କ୍ଷତିଗ୍ରସ୍ତର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଉପରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି। ଫଳରେ ଦୋଷୀ ପୁଲିସ କର୍ମଚାରୀ ଦଣ୍ଡିତ ହୋଇ ନ ଥାଆନ୍ତି।

ସାଧାରଣତଃ ହାଜତରେ ମୃତ୍ୟୁ ହେଲା ପରେ ତାହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥାଏ। କିନ୍ତୁ ଏଭଳି ଘଟିବା ପୂର୍ବରୁ ନାଗରିକ ସମାଜ କିଛି ପ୍ରତିକାରାତ୍ମକ ପଦକ୍ଷେପ ନେଇ ପାରିବେ। ଏ ସଂକ୍ରାନ୍ତରେ ଦିଲ୍ଲୀସ୍ଥିତ ‘କମନୱେଲ୍‌ଥ ହ୍ୟୁମାନ ରାଇଟ୍‌ସ ଇନିସିଏଟିଭ’ ନାମକ ଏକ ସଂସ୍ଥା ଅତ୍ୟାଚାରର ଶିକାର ହୋଇଥିବା ବା ହେବାର ଆଶଙ୍କା ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜିଲ୍ଲା ଓ ରାଜ୍ୟ ପୁଲିସ, ରାଜ୍ୟ ଓ ଜାତୀୟ ମାନବାଧିକାର କମିସନଙ୍କ ନିକଟରୁ ବିଭିନ୍ନ ସୂଚନା ହାସଲ କରିବା ପାଇଁ କେତେକ ନମୁନା ଦରଖାସ୍ତ ପ୍ରସ୍ତୁତ କରିଛନ୍ତି, ଯାହାର ଉପଯୋଗ କରି ହେବ। ସୂଚନା ଅଧିକାର ଆଇନର ଧାରା ୭(୧) ଅନୁସାରେ ବ୍ୟକ୍ତିର ଜୀବନ ଓ ସ୍ବାଧୀନତା ପ୍ରସଙ୍ଗରେ ମଗା ଯାଇଥିବା ସୂଚନା ସୂଚନାଦାତାଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରିବାକୁ ହୋଇଥାଏ। ସୂଚନାକର୍ମୀମାନେ ଏହାକୁ ଆଧାର କରି ସୂଚନା ମାଗିଲେ ହୁଏତ ତାହା ହାଜତ ହିଂସାକୁ କମ କରିବାରେ ସହାୟକ ହୋଇପାରେ।

ଓଡ଼ିଶା ସରକାରଙ୍କ ଦ୍ବାରା ବିଧାନସଭାରେ ପ୍ରଦତ୍ତ ସୂଚନା ଅନୁଯାୟୀ ଗତ ଦଶ ବର୍ଷ, ଅର୍ଥାତ୍ ଜାନୁଆରି ୨୦୧୦ରୁ ନଭେମ୍ବର ୨୦, ୨୦୧୯ ମଧ୍ୟରେ ପୁଲିସ ହାଜତରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଗୃହ ବିଭାଗରେ ମଧ୍ୟ ରାଜ୍ୟ ସରକାରଙ୍କ ‘ଫାଇଭ ଟି’ ନୀତି କାର୍ଯ୍ୟ କରୁଥିବାରୁ ଓ ସେଥି ମଧ୍ୟରୁ ଗୋଟିଏ ‘ଟି’ ଟ୍ରାନ୍‌ସପରେନ୍‌ସି ବା ସ୍ୱଚ୍ଛତା ହୋଇଥିବାରୁ ସ୍ୱଚ୍ଛତାକୁ ସୁନିଶ୍ଚିତ କରି ହାଜତ ହିଂସାର ପରିସମାପ୍ତି କରାଯାଇ ପାରିବ। ଉଚ୍ଛୃଙ୍ଖଳିତ ପୁଲିସ କର୍ମଚାରୀଙ୍କ ଆଚରଣକୁ ପ୍ରତିହତ କରିବା ପାଇଁ ସବୁ ଥାନା ଓ ହାଜତରେ ତୁରନ୍ତ ସିସି ଟିଭି ଲଗାଇବାର ବନ୍ଦୋବସ୍ତ କରାଯିବା ଜରୁରୀ। ଉଲ୍ଲେଖଯୋଗ୍ୟ, ୨୦୧୪ରେ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ ମଧ୍ୟ ହାଜତଗୁଡ଼ିକରେ ସିସିଟିଭି ଲଗାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ମାର୍ଗ ନିର୍ଦ୍ଦେଶିକା ଦେଇ ସାରିଛନ୍ତି।

ମୁଷ୍ଟିମେୟ ଉଚ୍ଛୃଙ୍ଖଳ ପୁଲିସ କର୍ମଚାରୀଙ୍କ ଲାଗି ହାଜତ ମୃତ୍ୟୁ ସକାଶେ ପୁଲିସ ବିଭାଗ ବଦନାମର ଶିକାର ହେଉଛି। ହାଜତ ହିଂସା ଓ ହାଜତ ମୃତ୍ୟୁ ଯେ ମାନବିକତା ଓ ସମ୍ବେଦନଶୀଳତା ଉପରେ ଗୋଟିଏ ବଡ଼ ଦାଗ, ଏହା କହିବା ବାହୁଲ୍ୟ ମା‌ତ୍ର। ପୁଲିସର ଛବିକୁ ଉଜ୍ଜ୍ବଳ କରିବାକୁ ହେଲେ ହାଜତ ନିର୍ଯାତନା ଓ ହାଜତ ମୃତ୍ୟୁର ଧାରାରେ ବିରାମ ଲାଗିବା ଉଚିତ।

ଭୁବନେଶ୍ବର
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର