ଖଦିର ବଜାର କାହିଁ?

ଓଡ଼ିଶୀ ଖଦଡ଼ - ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ଗାନ୍ଧୀ ମହାତ୍ମାଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନର ନାରାଦେଇ ଗୋରା ସାହେବଙ୍କ ବିଲାତି ପୋଷାକକୁ ବର୍ଜନ କରି ଦେଶବାସୀ ହାତ ତିଆରି ଖଦଡ଼ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ। ସାରା ଭାରତରେ ଖଦି ଆନ୍ଦୋଳନ ବେଳେ ଓଡ଼ିଶା ପଛରେ ନଥିଲା। ଦେଶ ମାତୃକାର ସେବାରେ ସ୍ବାଧୀନତା ସ˚ଗ୍ରାମ ପାଇଁ ଝାସ ଦେଇଥିବା ସ˚ଗ୍ରାମୀମାନେ ଖଦଡ଼ ପରିଧାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ସହ ଅରଟରେ ତୁଳା ଭିଣି କଷ୍ଟରେ ଖଦଡ଼ ବସ୍ତ୍ର ତିଆରି କରି ନିଜେ ପିନ୍ଧିବା ସହ ଅନ୍ୟମାନଙ୍କୁ ପିନ୍ଧାଉଥିଲେ। କେବଳ ସେଥିପାଇଁ ଗାନ୍ଧୀଜୀଙ୍କ ପ୍ରେରଣାରେ ଓଡ଼ିଶାର ଗାଁ ଗାଁରେ ଖଦି କେନ୍ଦ୍ର ଖୋଲାଯାଇଥିଲା। ଆଜି ବି ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ବୟସର ଅପରାହ୍‌ଣରେ ପହଞ୍ଚିଥିବା ସ˚ଗ୍ରାମୀମାନେ ଖଦଡ଼ ବ୍ୟତୀତ ଆଉ କିଛି ପିନ୍ଧି ନ ଥାଆନ୍ତି। ତେବେ, ଗାଁ ଗହଳିର ଗରିବ ବୁଣାକାରମାନେ କଷ୍ଟେମଷ୍ଟେ ଖଦଡ଼ ବୁଣୁଥିଲେ ବି ଖଦଡ଼ ପିନ୍ଧୁଥିବା ଲୋକଙ୍କ ସ˚ଖ୍ୟା ସୀମିତ ହୋଇଯିବା ସହିତ ଖଦଡ଼ର ବଜାର ମଧୢ ନିସ୍ତେଜ ହୋଇଯାଇଛି।

ଏହାର ଏକ ବଡ଼ କାରଣ ହେଉଛି ଖଦିକୁ ଲୋକପ୍ରିୟ କରିବା ଲାଗି ସ୍ବାଧୀନତା ପରବର୍ତ୍ତୀ କାଳରେ ସରକାରଙ୍କ ଦ୍ବାରା ବିଶେଷ ଉଦ୍ୟମ କରାଗଲା ନାହିଁ। ପୁଣି ଏହାକୁ ଆଧୁନିକ ଷ୍ଟାଇଲ ଅନୁସାରେ ଯୁଗୋପଯୋଗୀ କରା ନ ଯିବାରୁ ସାଧାରଣ ଯୁବକଯୁବତୀମାନେ ଖଦି ତିଆରି ବସ୍ତ୍ର ପିନ୍ଧିବାକୁ ଆଗ୍ରହୀ ହେଲେ ନାହିଁ। ଏହାକୁ କେବଳ ବରିଷ୍ଠ ନାଗରିକମାନେ ପିନ୍ଧିଲେ ଏବ˚ ଏହା ରାଜନେତାଙ୍କ ୟୁନିଫର୍ମ ବୋଲି ଲୋକଙ୍କ ଧାରଣା ହେଲା। ଏଭଳି ଧାରଣାରୁ ମୁକ୍ତ ନ ହେଲେ ଖଦଡ଼ ବସ୍ତ୍ରର ଶିଳ୍ପ ଓ ବଜାର ବିକାଶ ଲାଭ କରିବା ସହଜ ନୁହେଁ।

ସାଧାରଣତଃ ଗାନ୍ଧୀ ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପରି ସ୍ବାଧୀନତା ସ˚ଗ୍ରାମର ସ୍ମୃତି ଦିବସ ପଡ଼ିଲେ ଖଦଡ଼ କଥା ହେଜକୁ ଆସିଥାଏ। ସେତିକି ବେଳେ ଖଦଡ଼ର ଗୁଣଗାନ କରାଯାଏ ଯାହାକୁ ପରବର୍ତ୍ତୀ କାଳରେ ସମସ୍ତେ ଭୁଲି ଯାଆନ୍ତି। ଏ ପରିପ୍ରେକ୍ଷୀରେ ପରିଦୃଷ୍ଟ ହେଉଥିବା ଏକ ବିଚିତ୍ର ବିଷୟ ହେଲା ଏୟା ଯେ ଓଡ଼ିଶା ବଜାରରେ ଖଦଡ଼ ଟୋପି ଓ ପୋଷାକର ବିକ୍ରିବଟା ଚାଲିଥିଲେ ବି ଏ ସବୁ ଜିନିଷ ବିହାର ଓ ଉତ୍ତରପ୍ରଦେଶରୁ ଆସିଥାଏ ଏବ˚ ଏ ସବୁ ଦାମୀ ଖଦି ବସ୍ତ୍ର। ତେଣୁ ଓଡ଼ିଶା ବଜାରରେ ଓଡ଼ିଶୀ ଖଦି ନାଁରେ ଯେଉଁ ଖଦଡ଼ ବସ୍ତ୍ର ବିକ୍ରି ହେଉଛି ତାହାର ଅଧିକା˚ଶ ଭାଗ ପ୍ରକୃତରେ ଓଡ଼ିଶାର ନୁହେଁ। ବ୍ୟବସାୟୀମାନେ ବାହାର ରାଜ୍ୟରୁ ଖଦଡ଼ ବସ୍ତ୍ର କିଣି ଏଠାରେ ବିକ୍ରି କରି ଭଲ ରକମର ଲାଭ କରୁଛନ୍ତି। ଏ ପରିପ୍ରେକ୍ଷୀରେ ବିଡ଼ମ୍ବନା ହେଲା ଯେ ଆମ ରାଜ୍ୟର ଖଦଡ଼ ବୁଣାକାରମାନେ ପ୍ରୋତ୍ସାହନ ଅଭାବରୁ ବିଶେଷ ଭଲ ସ୍ଥିତିରେ ନାହାନ୍ତି। ସରକାରଙ୍କ ପକ୍ଷରୁ ଖଦଡ଼ ବସ୍ତ୍ରର ପ୍ରସାର ଲାଗି ସେପରି କୌଣସି ଆଖିଦୃଶିଆ ପ୍ରୋତ୍ସାହନମୂଳକ ଯୋଜନା ମଧୢ ନାହିଁ। ଖଦଡ଼ ବସ୍ତ୍ର ଲାଗି ଯେଉଁ ରିହାତି ଦିଆଯାଏ ତାହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବା ପ୍ରାବଧାନ ଉପରେ ଆଧାରିତ। ରାଜ୍ୟ ସରକାରଙ୍କ ଏ ନେଇ ନିର୍ଦ୍ଦିଷ୍ଟ ନୀତି ନାହିଁ। ଏଭଳି ସ୍ଥିତିରେ ଓଡ଼ିଶାରେ ଖଦଡ଼ର ଉନ୍ନତି ହେବାର ଆଶା ନାହିଁ।

ଓଡ଼ିଶାରେ ରାଜ୍ୟ ଖଦି ବୋର୍ଡରେ ସ୍ବତନ୍ତ୍ର କାଉଣ୍ଟର ସହିତ ରାଜଧାନୀ ଭୁବନେଶ୍ବରରେ ଖଦି ଓ ଗ୍ରାମ୍ୟଦ୍ୟୋଗର ସ୍ବତନ୍ତ୍ର ବସ୍ତ୍ରାଳୟ ରହିଛି। ଏହାଛଡ଼ା ଖଦି ନିକେତନ, ଖଦି ଭଣ୍ତାର ଭଳି କିଛି ଘରୋଇ ଖଦଡ଼ ବସ୍ତ୍ରାଳୟ ବିଭିନ୍ନ ସ୍ଥାନରେ ରହିଛି। କିନ୍ତୁ ବାସ୍ତବରେ ସେଠାରେ ଓଡ଼ିଶାର ପ୍ରକୃତ ଖଦି ଅନେକ ସମୟରେ ଉପଲବ୍‌ଧ ହୋଇ ନ ଥାଏ। ଯେଉଁ କେତେକ ସରକାରୀ କାଉଣ୍ଟରରେ ଖଦଡ଼ ବସ୍ତ୍ର ରହିଛି ସେସବୁ ବିକ୍ରି ହୋଇ ନ ପାରି ଦୀର୍ଘ ଦିନରୁ ପଡ଼ି ରହିଥିବା ଦେଖିବାକୁ ମିଳିଥାଏ। ଏଣୁ ଆମ ରାଜ୍ୟରେ ଖଦିର ବଜାର ସୃଷ୍ଟି କରିବା ନେଇ ବିଜ୍ଞାପନ ଜରିଆରେ ସଚେତନତାର ପ୍ରସାର କରାଯିବା କଥା। ଅନ୍ୟ ପକ୍ଷରେ ବୁଣାକାରମାନେ ଦୀର୍ଘ ଦିନ ଧରି ସେମାନଙ୍କ ବକେୟା ପାଉଣା ପାଉ ନ ଥିବାରୁ ସେମାନେ ଖଦଡ଼ ବସ୍ତ୍ର ବୁଣୁ ନାହାନ୍ତି ବା ଥିଲେ ବି ସରକାରଙ୍କୁ ଦେବାକୁ ଚାହୁଁ ନାହାନ୍ତି। ତେଣୁ ଖଦିର ବିକାଶ ଲାଗି ଉଭୟ ବୁଣାକାର ଏବ˚ ସରକାରଙ୍କ ଠାରେ ପେସାଦାରି ମନୋବୃତ୍ତି ସୃଷ୍ଟି ହେବା ଉଚିତ।

ଏବେ ଆମ ରାଜ୍ୟରେ ଓଡ଼ିଶା ଖଦି ମୁମୂର୍ଷୁ ସ୍ଥିତିରେ ପହଞ୍ଚିଲାଣି। ଏଥିରେ ଜୀବନ ସ˚ଚାର କରିବାକୁ ହେଲେ ସରକାରଙ୍କୁ ବିଭିନ୍ନ ପ୍ରୋତ୍ସାହନ ଦେବା ସହିତ ଖଦିକୁ ଯୁଗୋପଯୋଗୀ ଫେସନ ସହିତ ଖାପ ଖୁଆଇବା ଦିଗରେ ବିଶେଷ ପ୍ରୟାସ କରିବା ଦରକାର।

ପାରାଦ୍ବୀପ
ମୋ- ୯୪୩୭୦୨୨୦୬୧

ସମ୍ବନ୍ଧିତ ଖବର