କୁକୁର ଓ ଗଣତନ୍ତ୍ର

କହିବାର ଅଛି - ଦାଶ ବେନହୁର

‘କୁକୁର’, ଗୋଟିଏ ଜାତିର ନୁହନ୍ତି କି ‘ଗଣତନ୍ତ୍ର’, ଗୋଟିଏ ପ୍ରକାରର ନୁହେଁ। ତେବେ ଦୁଇଟିଯାକ ଶବ୍ଦ ଭିତରେ ଥିବା ଗୂଢ଼ ସମ୍ପର୍କ ହିଁ ଏ ଲେଖାର ମୂଳ ପ୍ରେରଣା।

‘କୁକୁର’ ଆଉ ‘ଗଣତନ୍ତ୍ର’? ଗୋଟିଏ ‘ଜୀବ’, ଆଉଗୋଟିଏ ‘ବ୍ୟବସ୍ଥା’। କ’ଣ ସମ୍ପର୍କ?

ମୂଳରୁ ବୁଝିନେବା ଆବଶ୍ୟକ ଯେ ସବୁ କୁକୁର ସମାନ ନୁହନ୍ତି ବା ସବୁ ଗଣତନ୍ତ୍ର ସମାନ ପ୍ରକାରର ନୁହେଁ। ଦେଖାଯାଇଛି- ପୋଷାକୁକୁର ବି ହି˚ସ୍ର ହୋଇ ପରିବାରର ପ୍ରଭୂତ କ୍ଷତି ସାଧନ କରିଛି। ପାଗଳା କୁକୁର ଭୟାନକ। ବଳିଆକୁକୁରଙ୍କୁ ବାଘ ସୁଦ୍ଧା ଡରେ। ଅନୁରୂପ ଭାବେ ଗଣତନ୍ତ୍ର ମଧୢ ଇତିହାସରେ ତା’ର ନାନାବିଧ ସ୍ବରୂପ ଦେଖାଇଛି। ଏ ଯେଉଁ ଭୟାନକ ଫାସିବାଦ ତାହା ଗଣତନ୍ତ୍ରର କାନ୍ଧ ଚଢ଼ି ଆସେ। ଗଣତନ୍ତ୍ର ହିଁ ଅପାରଗମାନଙ୍କୁ ସି˚ହାସନରେ ନେଇ ବସେଇବାର ବାଟ ସୁଗମ କରେ। ଏହା ଏ ଭଳି ଏକ ପୋଷାକ ଯାହାକୁ ପିନ୍ଧି ସାମ୍ୟବାଦୀ ଯେମିତି ନିଜକୁ ପବିତ୍ର ବୋଲି ଘୋଷଣା କରନ୍ତି, ପୁଞ୍ଜିବାଦୀ ମଧୢ ତତୋଽଭଳି ଅଧିକ ନିର୍ମଳ ଅନୁଭବ କରନ୍ତି।

ଏ ସବୁ ସତ୍ତ୍ବେ ଉଭୟ କୁକୁର ଓ ଗଣତନ୍ତ୍ର ସେମାନଙ୍କର ମୌଳିକ ପରିଚୟ ଅନୁସାରେ ହିଁ ଆମ ନିକଟରେ ପ୍ରତିଭାତ। କୁକୁର କହିଲେ ଆମ ମନରେ ଗୋଟିଏ ବିଶ୍ବାସୀ, ଅନୁଗତ ପ୍ରାଣୀର ଚିତ୍ର ଆଙ୍କି ହୋଇଯାଏ। ପଶ୍ଚିମ ଦେଶଗୁଡ଼ିକର ପ୍ରାଚୀନ ଜୀବନଶୈଳୀ ସହିତ ଏ ପ୍ରାଣୀଟି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। କାରଣ ଚାଷ ଅପେକ୍ଷା ଶିକାର ଥିଲା ସେମାନଙ୍କର ଆଦ୍ୟ ବେଉସା। ଶିକାର ସକାଶେ ମଣିଷର ସବୁଠାରୁ ନିର୍ଭରଯୋଗ୍ୟ ସାଥୀ ଭାବରେ କୁକୁର କେଉଁ ଆଦିମ କାଳରୁ ଯୋଡ଼ା।

ଜୀବାଶ୍ମ-ଇତିହାସ ସାକ୍ଷୀଦିଏ ଯେ କୁକୁର ହିଁ ପ୍ରାଣୀମାନଙ୍କ ଭିତରେ ମଣିଷର ପ୍ରଥମ ଗୃହପାଳିତ ପଶୁ। ପ୍ରାୟ ୧୫୦୦୦ ବର୍ଷ ତଳୁ ସେ ମଣିଷର ସାଥୀ ହୋଇ ଆସିଛି। ଏ ସମ୍ପର୍କ-ଯାତ୍ରା ଆଜି ଜର୍ମାନୀ ଭାବରେ ଜଣା ଭୂଖଣ୍ତରୁ ଆରମ୍ଭ। ମଣିଷ ସହିତ ଯେ କୁକୁର କେଉଁକାଳରୁ ଅଛି ତାହା ଆମର ଆଦି ଗ୍ରନ୍ଥ ରାମାୟଣ ଓ ଜ୍ଞାନଗ୍ରନ୍ଥ ମହାଭାରତରେ ମଧୢ ସୂଚିତ। ରାମାୟଣର ଶେଷ ପାଦରେ ଶ୍ରୀରାମ ଅଯୋଧୢାର ରାଜା ଥିବା ବେଳେ ଗୋଟିଏ କୁକୁର ଆସି ସର୍ବାର୍ଥସିଦ୍ଧ ନାମକ ଜଣେ ବ୍ରାହ୍ମଣ ବିନା କାରଣରେ ତା’କୁ ପ୍ରହାର ପୂର୍ବକ ଲହୁଲୁହାଣ କରିଥିବାରୁ ନ୍ୟାୟ ଭିକ୍ଷା କରିଛି। ସେତେବେଳେ ବଶିଷ୍ଠ ଆଦି ଋଷି ଓ ଅମାତ୍ୟମାନେ ବ୍ରାହ୍ମଣମାନଙ୍କୁ ଦଣ୍ତ ଦିଆଯିବା ଉଚିତ ନୁହେଁ ବୋଲି ଘୋଷଣା କରିଥିଲେ। ହେଲେ କୁକୁର କହିବା ଅନୁଯାୟୀ ଶ୍ରୀରାମ ନ୍ୟାୟର ପ୍ରତିବିଧାନ କରିଥିଲେ। ରାମାୟଣରେ କୁକୁରଟିର ନାମ ନାହିଁ, କାରଣ ସେ ନିଶ୍ଚିତରେ ଗୃହପାଳିତ ନ ଥିଲା। ମୃଗୁଣୀ ସ୍ତୁତି ଉପାଖ୍ୟାନରେ ଆମେ ଗୋଟିଏ କୁକୁରକୁ ଭେଟୁ ଠିକ୍‌ ଯେମିତି ମହାଭାରତରେ କୁରୁ-ପାଣ୍ତବ ଉଭୟ ପକ୍ଷ ଗୁରୁ ଦ୍ରୋଣଙ୍କ ପାଖରେ ଶିକ୍ଷାଲାଭ ବେଳେ ସେମାନଙ୍କର ପାଳିତ କୁକୁରଟିକୁ ଏକଲବ୍ୟ ଦ୍ବାରା ଶରାନଳରେ ଜର୍ଜରିତ ହେବାର ଭେଟୁ। ମହାଭାରତର ପ୍ରସିଦ୍ଧ କୁକୁର ଉପାଖ୍ୟାନଟି ଚିତ୍ରିତ ହୋଇଛି ପାଣ୍ତବମାନଙ୍କର ମହାଯାତ୍ରା କାଳରେ। ଯୁଧିଷ୍ଠିରଙ୍କର ସହଗାମୀ ହୋଇଛି ଗୋଟିଏ କୁକୁର, ଯାହାକୁ ସଙ୍ଗରେ ନ ନେଇ ସ୍ବର୍ଗଲୋକ ସୁଦ୍ଧା ଯିବା ପାଇଁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି। ନିଜେ ଧର୍ମରାଜ କୁଆଡ଼େ ଥିଲେ ସେଇ କୁକୁର। ଭାରତୀୟ ଶାସ୍ତ୍ରରେ ଦେବତା ବି କୁକୁର ରୂପ ପରିଗ୍ରହଣ କରନ୍ତି। ସେତିକିବେଳେ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଛନ୍ତି- ‘‘ଆଶ୍ରିତ ବ୍ୟକ୍ତି ବା ପ୍ରାଣୀକୁ କେବେହେଲେ ପରିତ୍ୟାଗ କରିବା ଉଚିତ୍‌ ନୁହେଁ, ତାହା ଅଧର୍ମ।’’

ତେବେ ଏ ସବୁ ଉଦାହରଣ ଓ ଅନୁଶୀଳନ ସତ୍ତ୍ବେ, କୁକୁରମାନଙ୍କର ଦୁଇଗୋଟି ଗୁଣ ହିଁ ସେମାନଙ୍କୁ ମଣିଷ ସମାଜ ଆଗରେ ମହନୀୟ କରି ଛିଡ଼ା କରାଇଛି। ଗୋଟିଏ ହେଲା ସେମାନଙ୍କର ‘‘ଜଗୁଆଳି ଚରିତ୍ର’’ ଓ ଅନ୍ୟଟି ହେଉଛି ମାଲିକ ପ୍ରତି ‘‘ଅକଳ୍ପନୀୟ ଆନୁଗତ୍ୟ’’। କୁକୁରର ଏ ଦୁଇଟି ମୌଳିକ ଗୁଣ କଥା କହିଲାବେଳେ କେବେ କେଉଁଠି ଉପୁଜିଥିବା ବିଲକ୍ଷଣଗୁଡ଼ିକୁ ମନେପକାଇବା ଅନାବଶ୍ୟକ, କାରଣ ସେ ସବୁ ବ୍ୟତିକ୍ରମ।

ସେଇ ଭଳି ‘ଗଣତନ୍ତ୍ର’। ଗଣତନ୍ତ୍ରକୁ ସିଧା ଅର୍ଥରେ ବୁଝିଲେ ଏହା ଗଣର ଶାସନ। ଏଥିରେ ମଧ୍ୟ ଦୁଇଟି କଥା। ବ୍ୟକ୍ତିର ‘‘ସ୍ବାଧୀନ ଅଧିକାର’’ ଓ ବ୍ୟକ୍ତିର ‘‘ସାମୂହିକ ଦାୟିତ୍ବ’’। ସ˚ସାରରେ ଯେତେ ଶାସନିକବାଦ ଏ ଯାଏ ପରୀକ୍ଷିତ ହୋଇଛି, ତା’ ଭିତରୁ ବୋଧହୁଏ ଅଧିକ ସମୀକ୍ଷିତ ହୋଇଛି ଗଣତାନ୍ତ୍ରିକ ଶାସନବାଦ। ଗଣତନ୍ତ୍ର କହିଲେ ବିଦ୍ବାନ୍‌ମାନେ ପଶ୍ଚିମ ଦେଶକୁ ଧାଇଁ ପଳାନ୍ତି। ତା’ର ମୂଳଟିକୁ ସେମାନେ ସେଇଠାରେ ଭେଟନ୍ତି। ତେବେ ଭାରତୀୟ ପ୍ରାଚୀନ ବ୍ୟବସ୍ଥାରେ କାଳେ କାଳେ ଜନପଦର ମୁଖିଆଟି ଯେ ତା’ ଲୋକଙ୍କ ଦ୍ବାରା ସମର୍ଥିତ ହୋଇ ଶାସନଦଣ୍ତ ଧରୁଥିଲା ସେ କଥାର ଉଦାହରଣ ଆଖିକୁ ଆଣନ୍ତି ନାହିଁ। କଥା ଉଠିଲେ କହନ୍ତି, କାଇଁ ଲେଖା-ପ୍ରମାଣ? ଆଧୁନିକ ସଭ୍ୟତା ପ୍ରମାଣକୁ ଧରେ ମାତ୍ର ଭାରତୀୟ ଚରିତ୍ର ଯେ ପ୍ରମାଣ ରଖିବା ସପକ୍ଷରେ ନୁହେଁ ସେ କଥା କେହି ବୁଝନ୍ତି ନାହିଁ।

ଗୋଟିଏ ଅପ୍ରମାଣିତ କଥାର ଅବତାରଣା କରିବା। ଇନ୍ଦ୍ର ସ୍ବର୍ଗ ରାଜ୍ୟର ଶାସକ। ବୁଝିହୁଏନି ଯେଉଁଠି ବ୍ରହ୍ମା, ବିଷ୍ଣୁ, ମହେଶ୍ବର ସର୍ବନିୟନ୍ତା, ସେଠାରେ ଇନ୍ଦ୍ର ରାଜା କାହିଁକି? ପୁଣି କୌଣସି ଇନ୍ଦ୍ର ସ୍ଥିର ନୁହନ୍ତି। ଇନ୍ଦ୍ରପଦ ବଦଳୁଥାଏ। ସଚୀ ସେଇ ଜଣେ, ହେଲେ ଇନ୍ଦ୍ର ବଦଳୁଥା’ନ୍ତି। କଥା ହେଉଛି କୌଣସି ମଣିଷ ବା ଅସୁର ତପସ୍ୟା କଲେ ଇନ୍ଦ୍ରପଦରେ କାହିଁକି କମ୍ପନ ସୃଷ୍ଟି ହୁଏ? ଇନ୍ଦ୍ର କାହିଁକି ଥରହର ହୁଅନ୍ତି? ଚେଷ୍ଟା କରନ୍ତି ମଣିଷରୂପୀ ଋଷି ବା ବିଭିନ୍ନ ବଳରେ ବଳୀୟାନ ଅସୁରର ତପସ୍ୟା ଭଙ୍ଗ କରିବା ପାଇଁ? ତପସ୍ୟା କ’ଣ କି? ତପସ୍ୟା ଏକ ଚରମ ସାଧନା। ଏହା ଗବେଷଣା ହୋଇପାରେ ବା ଆଧୢାତ୍ମିକ ଚରମ ଉତ୍କର୍ଷ ହୋଇପାରେ। ତା’ର ଅର୍ଥ ଏ ଦୁଇଟି ଇନ୍ଦ୍ରପଦ ସହ ଯୋଡ଼ା। ଗବେଷଣା ଓ ଆଧୢାତ୍ମିକତା ଜ୍ଞାନ ସହ ସମ୍ପର୍କିତ। ଇନ୍ଦ୍ର ହେବେ ସେଇ, ଯେ ଜ୍ଞାନୀ। ଅତଏବ ଜଣେ ଇନ୍ଦ୍ର ଥାଉ ଥାଉ ଆଉ ଜଣେ ଅଧିକ ଜ୍ଞାନୀ ବାହାରିଲେ କାଳେ ଇନ୍ଦ୍ରପଦ ଚାଲିଯିବ ସେଇଥିପାଇଁ ଚଉକିବନ୍ତ ପୁରୁଣା ଇନ୍ଦ୍ରଟି ଥରହର ହୁଅନ୍ତି। ବିଭିନ୍ନ ପୌରାଣିକ ଉପାଖ୍ୟାନରେ ଆଖ୍ୟାୟିତ ଏହି ସ୍ବର୍ଗ-ଶାସନ ବ୍ୟବସ୍ଥାରୁ ଗୋଟିଏ କଥା ମିଳେ ଯେ ସେଠାରେ ଶାସକ ମଧୢ ବ˚ଶାନୁକ୍ରମିକ ନୁହନ୍ତି। ବିଭିନ୍ନ ବିଭୂତିରେ ଭାସ୍ବର ତେତିଶକୋଟି ଦେବତାଙ୍କ ସମର୍ଥନରେ ହିଁ କେହି ବୋଧେ ଇନ୍ଦ୍ରାସନ ହାସଲ କରନ୍ତି। ସେଠାରେ ବି ଗଣତନ୍ତ୍ର।

ଗ୍ରୀକ୍‌ ସଭ୍ୟତାରୁ ପ୍ରାମାଣିକ ଭାବେ ଆମେ ଗଣତନ୍ତ୍ରକୁ ପାଉଥିଲେ ମଧୢ ମୂଳକଥାଟି ହେଲା ଯେ ଏ ଯାଏ ରାଜନୀତି ବିଶାରଦମାନେ ଯେତେ ପ୍ରକାରର ଶାସନ ବ୍ୟବସ୍ଥାକୁ ଦେଖିଛନ୍ତି ତା’ ଭିତରୁ ଗଣତନ୍ତ୍ରକୁ ସବୁଠାରୁ ଭଲ ଶାସନ ବ୍ୟବସ୍ଥା ବୋଲି ହାତକାଟି ଲେଖିଯାଇଛନ୍ତି। ହେଲେ ସେ ଯେଉଁ ଗଣତନ୍ତ୍ରର ଅବତାରଣା କରିଛନ୍ତି ସେ ଗଣତନ୍ତ୍ର କାଇଁ?
ଅଧିକା˚ଶ କ୍ଷେତ୍ରରେ ଗଣତନ୍ତ୍ର, ଗଣିତତନ୍ତ୍ରରେ ପରିବର୍ତ୍ତିତ ହୋଇଛି। ଏହା ଏକ ଚତୁର ସ˚ଖ୍ୟାଖେଳ। ଏ ସ˚ଖ୍ୟା-ଶିକାରର-ଗତ ହଟଚମଟଟି ଏତେ ବ୍ୟାପକ ଓ ଜଘନ୍ୟ ଯେ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ କରି କିଛି କହିବା ଦୁରୂହ। ଖାସ୍‌ ଏଇଥିପାଇଁ ନିର୍ବାଚନରେ ବିଜୟଲାଭ କରିଥିବା ବ୍ୟକ୍ତିଟି କାର୍ଯ୍ୟକାଳ ସରିବାଯାଏ ଜନସାଧାରଣଙ୍କଠାରୁ ତା’ର ଯେଉଁ ନ୍ୟାଯ୍ୟ ପ୍ରଭୁ-ମର୍ଯ୍ୟାଦା ପାଇବା କଥା ତାହା ପାଏ ନାହିଁ। ଲୋକେ କହନ୍ତି ସେ ବାବୁ ଜିତିନାହାନ୍ତି, ଜିତାପଟଟିକୁ ହାତେଇଛନ୍ତି। ଖାସ୍‌ ଏଇ କାରଣରୁ ସବୁଠାରୁ ଭଲ ଶାସନ ବ୍ୟବସ୍ଥା ବୋଲି ପ୍ରଶ˚ସାପତ୍ର ପାଇଥିବା ଗଣତନ୍ତ୍ର ଏବେ ମୂର୍ଖତନ୍ତ୍ର, ସ୍ବାର୍ଥତନ୍ତ୍ର, ହି˚ସାତନ୍ତ୍ର, ଚାଲାକିତନ୍ତ୍ର ଓ କାମଚଳାତନ୍ତ୍ର ଭାବରେ ନାମିତ ହୋଇ ଦୁର୍ନାମ ମୁଣ୍ତାଇଛି। ଏଡିନ୍‌ବରା ବିଶ୍ବବିଦ୍ୟାଳୟର ଇତିହାସ ପ୍ରଫେସର ଆଲେକ୍‌ଜାଣ୍ତର ଟାଇଲର‌୍‌ ସେଇଥିପାଇଁ ୧୮୮୭ରୁ ସିଦ୍ଧାନ୍ତ ଲେଖିଯାଇଛନ୍ତି ଯେ ଗଣତାନ୍ତ୍ରିକ ଶାସନବ୍ୟବସ୍ଥା ଚିରନ୍ତନ ନୁହେଁ, ସାମୟିକ ମାତ୍ର। ସେଥିପାଇଁ ସେ ଏଥେନିଆନ୍‌ ସାଧାରଣତନ୍ତ୍ରର ବିଶଦ୍‌ ବ୍ୟାଖ୍ୟା କରିଛନ୍ତି।

ଏବେ ପୃଥିବୀର ଅନେକ ସାନ ବଡ଼ ସାଧାରଣତନ୍ତ୍ରକୁ ଦେଖିଲେ କ’ଣ ଗ୍ରହଣ କରିହେବ ଯେ ଗଣତନ୍ତ୍ର ଠିକ୍‌ ସ୍ବାସ୍ଥ୍ୟରେ ଅଛି? ବ୍ୟକ୍ତିର ମୌଳିକ ଅଧିକାର ଓ ସମର୍ପିତ ଦାୟିତ୍ବ କେଉଁ ଦେଶର ବ୍ୟବସ୍ଥାରେ ସନ୍ତୁଳିତ ହୋଇଚାଲିଛି? ଆମେ ଭାରତବାସୀ ଗଣତନ୍ତ୍ର ଭିତରେ ଅଛେ। ଆମେ କେତେ ସ୍ବାଧିକାର ଓ ଦାୟିତ୍ବ ସଚେତନ? ଅନ୍ୟାୟ-ଅଧିକାର ଦାବି ଓ ଦାୟିତ୍ବ ପ୍ରତି ଚରମ-ବିମୁଖତା ହିଁ ଆଜି ଆମ ସାଧାରଣଜୀବନକୁ ବିପନ୍ନ କରିଚାଲିଛି। ସେଇଥିପାଇଁ ବିଲାତି ଦାର୍ଶନିକ ଜନ୍‌ ଷ୍ଟୁଆର୍ଟ ମିଲ୍‌ କହୁଥିଲେ, ଗଣତନ୍ତ୍ର ଭଲ, ମାତ୍ର ତାହା ସହଜ-ସମ୍ଭବ ନୁହେଁ। ଏପରିକି ସେ ନିଜକୁ ଜଣେ ଅନିଚ୍ଛୁକ ଗଣତନ୍ତ୍ର-ସପକ୍ଷବାଦୀ ବୋଲି ଘୋଷଣା କରିଥିଲେ। ତାଙ୍କ ପୂର୍ବରୁ ବେନ୍ଥାମ୍‌ ଗଣତନ୍ତ୍ରକୁ ମଣିଷର ପ୍ରକୃତି ଆଧାରରେ ଗ୍ରହଣ କରିଥିଲେ ସିନା ଜନ୍‌ ମିଲ୍‌ ମଣିଷର ଅବସ୍ଥାକୁ ଦେଖି ତାହା ସ୍ବୀକାର କରିଥିଲେ। ‘‘ବ୍ୟକ୍ତି-ସ୍ବାତନ୍ତ୍ର୍ୟ’’ ଓ ‘‘ପ୍ରତିନିଧିମୂଳକ ସରକାର’’ ନାମରେ ଦୁଇଟି ପୁସ୍ତକ ଲେଖି ପ୍ରମାଣ କରିଥିଲେ ଯେ ମଣିଷ ଯେହେତୁ ସ୍ବାର୍ଥପର, ସେ ନିଜର ସ୍ବାର୍ଥ ପ୍ରତି ସଚେତନ ହୋଇ ତା’ର ଜଗୁଆଳି ହେବ। ଠିକ୍‌ ସେମିତି ନିଜ ଗୁରୁ ବେନ୍ଥାମ୍‌ଙ୍କ ସହ ଏକମତ ହୋଇ ସେ ମାନି ନେଇଥିଲେ ଯେ କେବଳ ବ୍ୟକ୍ତି-ସ୍ବାତନ୍ତ୍ର୍ୟ ମାଧୢମରେ ଯେଉଁ ସ୍ବାଧୀନତା ମିଳିବ ସେଇବାଟେ ସମୃଦ୍ଧି ଆସିବ। ନଚେତ୍‌ ସମୃଦ୍ଧି ବିନା ସୁଖ କାହିଁ? ସୁଖ ତ ସବୁ ଜୀବନର ମୂଳ! ହେଲେ ଏ ଦୁଇଟି କଥାରୁ ଯେଉଁ ଦିଗଟିକୁ ମିଲ୍‌ ମହୋଦୟ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଗ୍ରହଣ କରିଥିଲେ ତାହା ହେଲା- ‘‘ଗଣତନ୍ତ୍ରରେ ମଣିଷ କେବଳ ଅଧିକ ସୁଖୀ ହେବ ନାହିଁ, ମହତ୍ତର ହେବ। ଭୋଟ୍‌ଦାନକୁ ମଣିଷ ରୂପକ ରାଜନୈତିକ ପ୍ରାଣୀର ନିଶ୍ବାସ-ପ୍ରଶ୍ବାସ ସହିତ ସେ ତୁଳନା କରିଥିଲେ। ସେ ଦିନୁ ନାରୀମାନଙ୍କର ଭୋଟ୍‌ ଅଧିକାର ସମ୍ପର୍କରେ ଦାବି ଉଠାଇଥିବା ମିଲ୍‌ ଗଣତନ୍ତ୍ରରେ ଶିକ୍ଷାକୁ ଅଗ୍ରପ୍ରାଧାନ୍ୟ ଦେଇଥିଲେ ମଧୢ ତାଙ୍କ ମନରେ ପ୍ରଶ୍ନ ଥିଲା, ‘‘ ସବୁ ମଣିଷ କ’ଣ ଗଣତନ୍ତ୍ରର ଯୋଗ୍ୟ ହୋଇପାରିବେ?’’

ଗଣତନ୍ତ୍ର-ଶାସନ କଥା ଉଠିଲେ କୁକୁରର ଦୁଇଟିଯାକ ସ୍ବାଭାବିକ ମହତ୍ତର ଗୁଣ ଆପେ ପ୍ରତିଫଳିତ ହୁଏ। ଜଗୁଆଳି ପଣ ଓ ପ୍ରଭୁଭକ୍ତି ଚରିତ୍ର। ଆରମ୍ଭରୁ କୁକୁରକୁ ଏକ ଇତରପ୍ରାଣୀ ଓ ଗଣତନ୍ତ୍ରକୁ ଏକ ନଷ୍ଟ-ଶାସନ ଭାବେ ବିବେଚନା କରୁଥିବା ମଣିଷମାନେ ଏ କଥାର ମଞ୍ଜ ଧରିପାରିବେ ନାହିଁ। ମାନବେତର ପ୍ରାଣୀମାନଙ୍କ ଭିତରେ କୁକୁର ଯେ ଶ୍ରେଷ୍ଠ ସେ କଥାର ଉପାଖ୍ୟାନ ଓ ଉଦାହରଣ ତ ଅନେକ। ତା’ସହିତ ସେ ପ୍ରାଣୀଟିକୁ ମହାଭାରତରେ ଧର୍ମ-ଦେବତାଙ୍କ ସହ ଯୋଡ଼ିବା ମଧ୍ୟ ଏକ ଅନନ୍ୟତା ପ୍ରଦାନ କରେ। କୁକୁରକୁ ଏକ ମହାନ୍‌ ପ୍ରାଣୀ ଭାବରେ ଗ୍ରହଣ କଲେ ଯାଇ ଗଣତନ୍ତ୍ର-ବିଶ୍ବାସୀ ମଣିଷ ତା’ଠାରୁ ଏ ଦୁଇକଥା ଶିଖିବ- ‘‘ଜଗିବି, ଭକ୍ତି-କରିବି।’’

ଗଣତନ୍ତ୍ରରେ ଏଇ ଜଗିବା ଓ ଭକ୍ତି କରିବା ହିଁ ଦୁଇଟି ଶ୍ରେଷ୍ଠ ଆବଶ୍ୟକତା। କାହାକୁ ଜଗିବ କିଏ? ପ୍ରଥମ କଥା ହେଲା ନିଜ ଅଧିକାରକୁ ଜଗିବା। ସେତିକିବେଳେ ନିଜର ଯେ ଅଧିକାର ତା’ ମଧୢ ସାମନାରେ ଥିବା ମଣିଷର ଓ ପଡ଼ିଶାଘରେ ଥିବା ବ୍ୟକ୍ତିର ବି ଯେ ଅଧିକାର ସେ ସମ୍ପର୍କରେ ସଚେତନ ରହିବା। ଗଣତନ୍ତ୍ରରେ ‘‘ମୋ ଅଧିକାର’’ ଅର୍ଥ ‘‘ଆମ ଅଧିକାର’’। ସେଇଥିପାଇଁ ତ କୁହାଯାଇଛି- ‘‘ବ୍ୟକ୍ତି ସ୍ବାତନ୍ତ୍ର୍ୟ ହାସଲ କରିବାକୁ ହେଲେ ସତତ ଜଗୁଆଳିପଣର ମୂଲ୍ୟ ଦେବାକୁ ପଡେ଼।’’

ଭକ୍ତି କଥାଟି ପ୍ରକୃତରେ ଦାୟିତ୍ବ। ପ୍ରଭୁ ଭକ୍ତି? ଏ ପ୍ରଭୁ କିଏ ଗଣତନ୍ତ୍ରରେ? ପ୍ରଭୁ ପ୍ରକୃତରେ ରାଷ୍ଟ୍ର। ରାଷ୍ଟ୍ର ହିଁ ପ୍ରତ୍ୟେକ ଗଣତନ୍ତ୍ର-ବିଶ୍ବାସୀ ମଣିଷର ଈଶ୍ବର। ରାଷ୍ଟ୍ର-ଭକ୍ତି ହିଁ ତା’ର ଈଶ୍ବର ଭକ୍ତି। ଏ ରାଷ୍ଟ୍ର-ଭକ୍ତି କିନ୍ତୁ ଭଜନ କୀର୍ତ୍ତନରେ ନ ଥାଏ କି ଦେଶାତ୍ମବୋଧକ ଗୀତରେ ବନ୍ଧା ହୋଇନଥାଏ। ରାଷ୍ଟ୍ର ପ୍ରତି ଦାୟିତ୍ବ ଓ ଆନୁଗତ୍ୟ ନ ଥିବା ମଣିଷ ଗଣତନ୍ତ୍ରରେ ରହିବାକୁ ଅଯୋଗ୍ୟ। ଅନେକ ସମୟରେ ସରକାରଙ୍କୁ ଲୋକେ ନିଜର ସଙ୍କୁଚିତ ସ୍ବାର୍ଥସିଦ୍ଧି ପାଇଁ ପ୍ରଭୁ ବୋଲି ମାନନ୍ତି। ପ୍ରଭୁଭକ୍ତି ନାମରେ ଅଯଥା-ଅନୁରକ୍ତି ପ୍ରକାଶ କରନ୍ତି। ସେଇଥିରୁ ଆରମ୍ଭ ହୁଏ ବିତ୍ପାତ। ଗଣତନ୍ତ୍ରର ସବୁଠାରୁ ବଡ଼ କଳୁଷିତ ଦିଗ ହେଲା ଏଇ ଅଯଥା-ଅନୁରକ୍ତି। କୁକୁର ପ୍ରଭୁକୁ ଜଗେ। ଗଣତନ୍ତ୍ରରେ ମଣିଷର ପ୍ରଭୁ ରାଷ୍ଟ୍ର, ସରକାର ନୁହେଁ। ତେଣୁ ସରକାରୀ ଅନୁରକ୍ତିରେ ପାଗଳ କୁକୁର ପ୍ରାୟେ ଯେତେବେଳେ ସେମାନେ ପ୍ରବଳ ହୁଅନ୍ତି, ତାହା ଅଚିରେ ଗଣତନ୍ତ୍ରକୁ ରୋମ୍‌ର ସାଧାରଣତନ୍ତ୍ରକୁ ଧ୍ବ˚ସ କଲା ପରି ଧ୍ବ˚ସ କରେ।

ଗ୍ରୀକ୍‌ ଦାର୍ଶନିକ ଡାଇଓଜିନିସ୍‌ ଥିଲେ ସମ୍ରାଟ୍‌ ଆଲେକ୍‌ଜାଣ୍ତର‌୍‌ଙ୍କ ସମୟର, ମାତ୍ର ବୟସରେ ଅନେକ ବଡ଼। କୁକୁରକୁ ଅପରିଷ୍କାର ମନେ କରି ଲୋକେ ଗୋଟେ ପରିତ୍ୟକ୍ତ କାଠ ଗାଧୁଆ-କୁଣ୍ତରେ ରହୁଥିବା ଡାଇଓଜିନିସ୍‌ଙ୍କୁୁ କୁକୁରିଆ-ଦାର୍ଶନିକ ବୋଲି କହୁଥିଲେ। ତାଙ୍କର ଉକ୍ତି ଥିଲା, ‘‘କୁକୁର ଭଳି ବର୍ତ୍ତମାନକୁ ପ୍ରାଧାନ୍ୟ ଦେଉଥିବା ପ୍ରାଣୀ ଆଉ କେହି ନାହାନ୍ତି।’’ ମରିବା ପୂର୍ବରୁ ସେ କହିଥିଲେ, ମୋ ସମାଧିରେ କୁକୁରର ଛବିଟିଏ ଆଙ୍କିଦେବ। ଆଜି ବି କେହି ଯଦି ଯାଆନ୍ତି ତାଙ୍କର ଜନ୍ମସ୍ଥାନ ସିନୋପ୍‌ ଠାରେ ଗୋଟିଏ କୁକୁର ସହ ତାଙ୍କର ଦଣ୍ତାୟମାନ ମାର୍ବଲ ମୂର୍ତ୍ତି ଦେଖିବାକୁ ପାଇବେ। ଦିଗ୍‌ବିଜୟୀ ଆଲେକ୍‌ଜାଣ୍ତର‌୍‌ ଯେଉଁଦିନ ପ୍ରାଣତ୍ୟାଗ କରିଥିଲେ, ଠିକ୍‌ ସେଇ ଦିନ ହିଁ ସ୍ବାଧୀନତା-ବିଜୟୀ ଡାଇଓଜିନିସ୍‌ ମୃତ୍ୟୁ ଲାଭ କରିଥିଲେ।

କହିବାର ଅଛି, କୁକୁର ଅନୁଗତ ପୁଣି ଜଗୁଆଳି। ଦୁଇଟି ଯାକ କଥା ସ୍ବାଧୀନତା ସହ ଯୋଡ଼ା ଏବ˚ ସ୍ବାଧୀନତା ହିଁ ସମାନତା ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖେ।

[email protected]

ସମ୍ବନ୍ଧିତ ଖବର