ଆମେରିକାକୁ ଏବେ କରୋନା ଓ କୃଷ୍ଣକାୟ ପ୍ରସଙ୍ଗ ଦ୍ବୟ ବେଶ୍‌ ଆଚ୍ଛନ୍ନ କରି ରଖିଛି। ପୁଣି ପଢ଼ିବାକୁ ଓ ଶୁଣିବାକୁ ମିଳୁଛି ଯେ କରୋନା ଦ୍ବାରା ଅପେକ୍ଷାକୃତ ଅଧିକ କ୍ଷତିଗ୍ରସ୍ତ କୁଆଡ଼େ କଳା ଆଫ୍ରିକୀୟ-ଆମେରିକୀୟମାନେ। କୁହାଯାଉଛି ଆଗାମୀ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ବେଳେ କରୋନା ସମସ୍ୟା ଓ କଳା-ଗୋରା ପ୍ରଶ୍ନ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ। କୃଷ୍ଣକାୟ ଓ ସେମାନଙ୍କ ସହ ଐକ୍ୟ ସ୍ଥାପନ କରୁଥିବା ଶ୍ବେତକାୟମାନେ ଆଉ ଥରେ କହିଲେଣି- କଳାମାନଙ୍କ ଜୀବନର ମଧୢ ଯଥେଷ୍ଟ ମୂଲ୍ୟ ରହିଛି, ସେମାନଙ୍କର ଜୀବନ ବି ଜୀବନ (‘‘ବ୍ଲାକ୍‌ ଲାଇଫ୍‌ସ୍‌ ମ୍ୟାଟର‌୍‌’’)। ସାମ୍ପ୍ରତିକ ପୃଷ୍ଠଭୂମିଟି ଏଇଭଳି। ଜର୍ଜ ଫ୍ଲଏଡ୍‌ ନାମକ ଜଣେ କୃଷ୍ଣକାୟଙ୍କ ବେକ ଉପରେ ପ୍ରାୟ ନଅ ମିନିଟ୍‌ ଧରି ଆଣ୍ଠୁ ଦବେଇ ବସି ରହିଲେ ମିନିଆପଲିସ୍‌ର ଜଣେ ଶ୍ବେତକାୟ ପୁଲିସ। ଫଳରେ ଫ୍ଲଏଡ୍‌ଙ୍କ ପ୍ରାଣବାୟୁ ଉଡ଼ିଗଲା। ଦୋକାନରୁ କିଣୁଥିଲାବେଳେ ଜାଲ୍‌ ନୋଟ୍‌ ବ୍ୟବହାର କରୁଥିବାର ଅଭିଯୋଗ ଅଣାଯାଇଥିଲା ଫ୍ଲଏଡ୍‌ଙ୍କ ବିରୋଧରେ।

Advertisment

ପୃଥିବୀର ସବୁଠୁ ଆଗୁଆ ବିବେଚିତ ହେଉଥିବା ଦେଶ ଆମେରିକାରେ କୃଷ୍ଣକାୟଙ୍କ ପ୍ରତି ଶ୍ବେତକାୟଙ୍କ ବର୍ଣ୍ଣ-ବିଦ୍ବେଷୀ ମନୋଭାବର ଏକ ସୁଦୀର୍ଘ ଇତିହାସ ରହିଛି। ଏ କୃଷ୍ଣକାୟ ପରିଭାଷାଟି ଅବଶ୍ୟ ରାଜନୀତିକ ଔଚିତ୍ୟ ଶ୍ରେଣୀର। ଆଗର ଦୁଇ ପରିଭାଷା କ୍ରୀତଦାସ ଓ ନିଗ୍ରୋରେ ଭରି ଦିଆଯାଇଥିଲା ନାହିଁ ନ ଥିବା ତାଚ୍ଛଲ୍ୟ ଓ ହୀନମନ୍ୟତା। କାଠ କ୍ୟାବିନ୍‌ରୁ ହ୍ବାଇଟ୍‌ ହାଉସ୍‌କୁ ସଫଳ ଯାତ୍ରା କରି ରାଷ୍ଟ୍ରପତି ହୋଇପାରିଥିବା ଆବ୍ରାହମ୍‌ ଲିଙ୍କନ୍‌ଙ୍କର ଆମେରିକାରୁ କ୍ରୀତଦାସ ପ୍ରଥା ଉଚ୍ଛେଦ କରିବାରେ (୧୮୬୫) ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଅବଶ୍ୟ ଲିଙ୍କନ୍‌ ରାଷ୍ଟ୍ରପତି ହେବା ପୂର୍ବରୁ କ୍ରୀତଦାସଙ୍କ ସମ୍ପର୍କରେ ନିହାତି ପ୍ରତିକୂଳ ଧାରଣା ପୋଷଣ କରିଥିଲେ। ହେଲେ ଜଣଙ୍କର ଅଭ୍ୟୁଦୟଧର୍ମୀ ବ୍ୟକ୍ତିତ୍ବର ସାମଗ୍ରିକ ଆକଳନ ନିମନ୍ତେ ସେଇ ବ୍ୟକ୍ତି ଜଣଙ୍କର ଗୋଟିଏ ବିନ୍ଦୁ ଓ ଯୋଡ଼ିଏ ବକ୍ତବ୍ୟ ସାଧାରଣତଃ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରିନଥାଏ। ସେଇ ଲିଙ୍କନ୍‌ ପୁଣି ଗଣତନ୍ତ୍ର କହିଲେ ‘‘ଲୋକମାନଙ୍କର, ଲୋକମାନଙ୍କ ଦ୍ବାରା ଓ ଲୋକମାନଙ୍କ ପାଇଁ’’ ସରକାରର ସ˚ଜ୍ଞା ବାଢ଼ିଥିଲେ। ୧୮୬୭ରେ ତାଙ୍କର ଯେତେବେଳେ ହାରିଏଟ୍‌ ଏଲିଜାବେଥ୍‌ ବିଚର‌୍‌ ଷ୍ଟୋ’ଙ୍କ ସହ ଭେଟ ହୋଇଥିଲା ଲିଙ୍କନ୍‌ ଷ୍ଟୋ’ଙ୍କୁ ହ୍ବାଇଟ୍‌ ହାଉସ୍‌ର ଦରବାରରେ ସମ୍ବର୍ଦ୍ଧନା ଜଣାଇ କହିଥିଲେ- ଆପଣ ତେବେ ସେଇ ଛୋଟିଆ ଗଢ଼ଣର ମହିୟସୀ ମହିଳା ଯାହାଙ୍କ ବହିଖଣ୍ତିକ ଏଡ଼େ ବଡ଼ ଯୁଦ୍ଧଟିଏ ଠିଆ କରେଇ ପାରିଥିଲା! କହିବା ବାହୁଲ୍ୟ ଷ୍ଟୋ’ଙ୍କ ବିଶ୍ବବିଖ୍ୟାତ ଉପନ୍ୟାସ ‘‘ଅଙ୍କଲ୍‌ ଟମ୍‌ସ୍‌ କ୍ୟାବିନ୍‌’’ (୧୮୫୨) କ୍ରୀତଦାସ ପ୍ରଥାର ବିରୋଧ କରି ସ୍ବର ଉତ୍ତୋଳନ କରିଥିଲା। ଆମେରିକା ବାହାରେ ଇଉରୋପରେ ମଧୢ ବହିଟି ବେଶ୍‌ ଖ୍ୟାତି ଓ ଆଦର ଲାଭ କରିଥିଲା। କେବଳ ଇ˚ଲଣ୍ତରେ ପ୍ରକାଶନର ପ୍ରଥମ ପାଞ୍ଚ ବର୍ଷ ଭିତରେ ଏହି ଉପନ୍ୟାସ ପନ୍ଦର ଲକ୍ଷ ବିକ୍ରି ହୋଇଥିଲା। ପିଲାଦିନେ ଓ ପରବର୍ତ୍ତୀ ସମୟରେ ଅନେକ ସେ ଉପନ୍ୟାସର ଓଡ଼ିଆ ଅନୁବାଦ ଉଦୟନାଥ ଷଡ଼ଙ୍ଗୀଙ୍କ ‘‘ଟମ୍‌ କକାଙ୍କ କୁଟୀର’’ ନିଶ୍ଚୟ ପଢ଼ି ଆନ୍ଦୋଳିତ ହୋଇଥିବେ। ଅନୁବାଦଟି ପ୍ରଥମେ ବାହାରିଥିଲା ୧୯୩୪ ମସିହାରେ ‘‘ଓଡ଼ିଆ ସାହିତ୍ୟ ପ୍ରଚାର ସ˚ଘ’’ ତରଫରୁ ଯାହାର ପ୍ରତିଷ୍ଠାତା ଥିଲେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ବହିଟିକୁ ନିଜ ପ୍ରେସ୍‌ରେ ଛପାଇଥିଲେ ବିଶିଷ୍ଟ ସାହିତ୍ୟିକ ଓ ‘ଉତ୍କଳ ସାହିତ୍ୟ’ର ସମ୍ପାଦକ ବିଶ୍ବନାଥ କର। ୧୯୨୫ ମସିହାରେ ‘ସତ୍ୟବାଦୀ ବିହାର’ରେ ଛାତ୍ର ଥାଆନ୍ତି ଉଦୟନାଥ। ତାଙ୍କର ପଢ଼ା ହେଉଥିବା ଇ˚‌େରଜୀ ପାଠ୍ୟ ପୁସ୍ତକର ଗୋଟିଏ ଅଧୢାୟ ଥିଲା ‘ଟପ୍‌ସି’ ଯାହାକି ‘ଅଙ୍କଲ୍‌ ଟମ୍‌ସ୍‌ କ୍ୟାବିନ୍‌’ର ଏକ କ୍ଷୁଦ୍ରା˚ଶ। ବହିଟି ସେ ଖୋଜି ଚାଲିଲେ। ପାଇଲେନି। ସେବେକାର କଟକକୁ ଆସିଥାଏ କଲିକତାର ଏକ ଭ୍ରାମ୍ୟମାଣ କମ୍ପାନି ନିର୍ବାକ୍‌ ଚଳଚ୍ଚିତ୍ର ଦେଖାଇବାକୁ। ଏକ ଅସ୍ଥାୟୀ ଛପର ଘର ଟକିଜ୍‌ର କାମ ଦେଉଥିଲା। ସେଇଠି ସେ କମ୍ପାନି ଦେଖାଇଥିବା ପ୍ରଥମ ସିନେମା ଥିଲା ‘ଅଙ୍କଲ୍‌ ଟମ୍‌ସ୍‌ କ୍ୟାବିନ୍‌’। ସାମ୍ବାଦିକ-ସାହିତ୍ୟିକ ଉଦୟନାଥ ଷଡ଼ଙ୍ଗୀଙ୍କ ଭାଷାରେ: ‘‘ଲାଗ୍‌ ଲାଗ୍‌ ତିନିଥର ତାହା ଦେଖିବାକୁ ଯାଇଥିଲି। ଦେଖିଛି, ପ୍ରାୟ ପ୍ରତ୍ୟେକ ଦର୍ଶକ ଆଖିରୁ ଲୁହ ଗଡ଼ାଇଛନ୍ତି ଓ ଚୁ’ଚା କରିଛନ୍ତି।’’ କାହିଁ ଆମେରିକା, କାହିଁ ଓଡ଼ିଶା, କାହିଁ କଟକ ଓ କାହିଁ ଉଦୟନାଥ ଷଡଙ୍ଗୀ! ହେଲେ ସେ ପୁସ୍ତକର ଅନୁବାଦ ଓ ଦର୍ଶକଙ୍କ କାନ୍ଦ ପରସ୍ପରକୁ ଜାଣିନଥିବା ମଣିଷମାନଙ୍କର ପରସ୍ପର ପ୍ରତି ମାନବୀୟ ଐକ୍ୟ ଓ ସମ୍ବେଦନଶୀଳତାର ଚମତ୍କାର ନିଦର୍ଶନ।

ବଡ଼ ବିଡ଼ମ୍ବନାର ବିଷୟ ହେଲା ଏଇଆ ଯେ ଦୁଇଜଣ ଅତି ବିଶିଷ୍ଟ ଆମେରିକୀୟ ରାଷ୍ଟ୍ରପତି ଟମାସ୍‌ ଜେଫର‌୍‌ସନ୍‌ ଓ ଜର୍ଜ ଵାସି˚ଟନ୍‌ ଶତାଧିକ (ଯଥାକ୍ରମେ ୬୦୦ + ଓ ୩୦୦+) କ୍ରୀତଦାସଙ୍କ ମାଲିକ ଥିଲେ। ନିଜ ଝାଳ ଓ ରକ୍ତ ବୁହାଇ କ୍ରୀତଦାସମାନେ ହିଁ ତୋଳିଥିଲେ ହ୍ବାଇଟ୍‌ ହାଉସ୍‌ ଯାହାକି ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ। ସେଇ ବାସଭବନକୁ ରାଷ୍ଟ୍ରପତି ଭାବେ ପ୍ରବେଶ କରି ବ୍ୟବହାର କରିବାରେ ପ୍ରଥମ ଓ ଏଯାଏଁ ଏକମାତ୍ର କୃଷ୍ଣକାୟ ରାଷ୍ଟ୍ରପତି ହେଉଛନ୍ତି ବାରାକ୍‌ ଓବାମା। କିନ୍ତୁ ତାହା ସମ୍ଭବ ହେବା ପାଇଁ ଆମେରିକାକୁ ଏକବି˚ଶ ଶତାବ୍ଦୀର ପ୍ରଥା ଦଶନ୍ଧିର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା। ଆବ୍ରାହମ୍‌ ଲିଙ୍କନ୍‌ଙ୍କୁ ଜଣେ ଆତତାୟୀ ଗୁଳି ମାରି ହତ୍ୟା କରିଥିଲେ। ସେ ଆତତାୟୀ ଜଣକ ଥିଲେ ଶ୍ବେତାଙ୍ଗ, ଜଣାଶୁଣା ମଞ୍ଚ ଅଭିନେତା ଓ କ୍ରୀତଦାସ ପ୍ରଥାର ପ୍ରଖର ସମର୍ଥକ। ରିପବ୍ଲିକାନ୍‌ ଦଳରୁ ରାଷ୍ଟ୍ରପତି ହେବାରେ ପ୍ରଥମ ଥିଲେ ଲିଙ୍କନ୍‌। ଏବେକାର ରାଷ୍ଟ୍ରପତି ଟ୍ରମ୍ପ୍‌ ସେଇ ଏକା ଦଳର। ଦୁହିଁଙ୍କ ଭିତରର ଆଭିମୁଖ୍ୟଗତ ପାର୍ଥକ୍ୟ ଓ ଦୂରତାର ବିଶଦ ବର୍ଣ୍ଣନା ନିଶ୍ଚୟ ନିଷ୍ପ୍ରୟୋଜନ।

କୃଷ୍ଣକାୟ ପ୍ରସଙ୍ଗଟିକୁ ସବୁବେଳେ କଳା ବନାମ ଗୋରା ପରିପାଟୀରେ ନ ଦେଖିଲେ ଭଲ। ଆମେରିକାରେ କ୍ରୀତଦାସ ପ୍ରଥା ବିରୋଧରେ କଳାମାନଙ୍କ ସହ ଅନେକ ଗୋରା ମଧୢ ମିଶି ଲଢ଼ିଥିଲେ। ସେ କଥାଟି ପ୍ରଖ୍ୟାତ ମନୀଷୀ ଓ ସମାଜ ସ˚ସ୍କାରକ ଜ୍ୟୋତିବା ଫୁଲେଙ୍କୁ ବେଶ୍‌ ଛୁଇଁଥିଲା ଓ ସେଇଥିପାଇଁ ସିଏ ତାଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘ଗୁଲାମଗିରି’ (୧୮୭୩)କୁ ଉତ୍ସର୍ଗ କରିଥିଲେ ଆମେରିକାର ସେଇ ସବୁ ଭଲ ଲୋକଙ୍କୁ ଯେଉଁମାନେ କି ରଙ୍ଗ ନିର୍ବିଶେଷରେ କ୍ରୀତଦାସ ପ୍ରଥା ବିରୋଧରେ ଏକାଠି ମିଶି ଆନ୍ଦୋଳନ କରିଥିଲେ। ଫୁଲେ ଆଶା ପୋଷଣ କରିଥିଲେ ଯେ ଆମେରିକାରେ ସେଭଳି ପ୍ରୟାସଟି ଭାରତରେ ଜାତିଭିତ୍ତିକ ପାତର ଅନ୍ତର ବ୍ୟବସ୍ଥା ବିରୋଧରେ ଭିନ୍ନ ଭିନ୍ନ ଜାତିର ଲୋକଙ୍କୁ ଏକଜୁଟ କରିବାରେ ବାଟ ଦେଖାଇବ। ଆମ୍ବେଦକରଙ୍କ ପାଇଁ ଅନ୍ୟତମ ପ୍ରେରଣା ପିତା ଥିଲେ ଫୁଲେ। ବାବା ସାହେବ ବି ଜାତି ଆଧାରିତ ଭେଦଭାବ ତଥା ପୂର୍ବାଗ୍ରହ କଥା ଲେଖିଥିଲେ ନିଜର ଅତି ପ୍ରଭାବଶାଳୀ ଚଟି ବହି ‘‘ଆନିହିଲେସନ୍‌ ଅଫ୍‌ କାଷ୍ଟ’’ (ଜାତିର ବିନାଶ, ୧୯୩୬)ରେ। ଆମ୍ବେଦକର ୧୯୧୩ର ୧୯୧୬ ଯାଏ ଆମେରିକାର କଲମ୍ବିଆ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ। ସେ ବର୍ଷମାନ ଥିଲା ଆମେରିକାର କୃଷ୍ଣକାୟ ଇତିହାସ କ୍ଷେତ୍ରରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଏବ˚ ସେଇ ପର୍ଯ୍ୟାୟର ଛାପ ପ୍ରଜ୍ଞାଦୀପ୍ତ ଓ କ୍ରାନ୍ତିକାମୀ ଆମ୍ବେଦକରଙ୍କ ଉପରେ ମଧୢ ପଡ଼ିଥିଲା। ସିଏ ଥିଲେ କୃଷ୍ଣକାୟଙ୍କ ପକ୍ଷଧର, ସ୍ବାଭାବିକ ମିତ୍ର। କଳାମାନଙ୍କ କଷଣ ଓ କ୍ଷୋଭ ସମ୍ପର୍କରେ ଆଉ ଗୋଟିଏ ଦୁଇଟି କଥା। ବେଳେବେଳେ କଳାମାନେ ହିଁ କଳାମାନଙ୍କୁ ହଇରାଣ କରନ୍ତି। ସେଭଳି ଘଟିଥାଏ ପୃଥିବୀର କେତେକ ଦେଶରେ। କିନ୍ତୁ ତା’କୁ ତ ରଙ୍ଗ ବିଦ୍ବେଷ କହିହେବନି। ନିଜର କ୍ରୋଧ ଓ କ୍ଷୋଭ ପ୍ରକଟ କରି କୃଷ୍ଣକାୟମାନେ ଆମେରିକା ଓ ଇ˚ଲଣ୍ତ ଆଦିରେ ପ୍ରତିମୂର୍ତ୍ତି ଭଙ୍ଗାଭଙ୍ଗି କରୁଥିବାର ଖବର ଆସୁଛି ଯାହାକି ନିଶ୍ଚୟ ନିନ୍ଦନୀୟ। ସେଭଳି କାଣ୍ତ ବଳରେ ଅନେକ ବର˚ ନିଜ ନିଜର ନୈତିକ ଉଚ୍ଚାସନ ହରେଇବସନ୍ତି।

ଆବ୍ରାହମ୍‌ ଲିଙ୍କନ୍‌ଙ୍କ ଭଳି ମାର୍ଟିନ୍‌ ଲୁଥର କିଙ୍ଗ୍‌ କନିଷ୍ଠ ମଧ୍ୟ ଆତତାୟୀର ଗୁଳିରେ ପ୍ରାଣ ହରେଇଥିଲେ ୧୯୬୮ ମସିହା‌େର। କିଙ୍ଗ୍‌ ଅହି˚ସା ଓ ଆଇନ ଅମାନ୍ୟ ଜରିଆରେ ଆମେରିକାରେ ୧୯୫୫ରୁ ନିଜ ମୃତ୍ୟୁ ପର୍ଯ୍ୟନ୍ତ ନାଗରିକ ଅଧିକାର ଆନ୍ଦୋଳନର ନେତୃତ୍ବ ନେଇଥିଲେ। ତାଙ୍କ ଆନ୍ଦୋଳନ ପାଇଁ ବିଶ୍ବାସର ପ୍ରାଣକେନ୍ଦ୍ର ଥିଲେ ଯୀଶୁଖ୍ରୀଷ୍ଟ ଓ ପନ୍ଥାର ଆଦର୍ଶ ମହାତ୍ମା ଗାନ୍ଧୀ। କିଙ୍ଗ୍‌ଙ୍କୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏତେ ଭାବେ ପ୍ରଭାବିତ କରିଥିଲା ଯେ ଥରେ ସିଏ କହିଥିଲେ: ଅନ୍ୟ ଦେଶକୁ ମୁଁ ପର୍ଯ୍ୟଟକଟିଏ ହୋଇ ଯାଇଥାଏ; ହେଲେ ଭାରତକୁ ଯିବି ତୀର୍ଥଯାତ୍ରୀ ସାଜି, କାରଣ ତାହା ଗାନ୍ଧୀ ଦେଶ। ତାଙ୍କ ଆନ୍ଦୋଳନର କାର୍ଯ୍ୟସୂଚିରେ ଦୁଇ ପ୍ରମୁଖ ପ୍ରସଙ୍ଗ ଥିଲା କଳାଗୋରା ଭେଦଭାବ ଦୂର କରିବା ଏବ˚ କଳାମାନଙ୍କ ପାଇଁ ସହାବସ୍ଥାନ, ସ୍ବାଧୀନତା ଓ ସମାନତା ଆଧାରିତ ନାଗରିକତ୍ବ ସୁନିଶ୍ଚିତ କରେଇବା। ୧୯୬୪ରେ ତାଙ୍କୁ ଶାନ୍ତି ସକାଶେ ନୋବେଲ ପୁରସ୍କାର ମିଳିଥିଲା। କିଙ୍ଗ୍‌ଙ୍କର ସାମ୍ୟବାଦୀ ମତାଦର୍ଶ ପ୍ରତି ଆକର୍ଷଣ ଓ ସମର୍ଥନ ଥିଲା। ସିଏ ମଧୢ ସମୟକ୍ରମେ ପୁଞ୍ଜିବାଦ, ଭିଏତ୍‌ନାମ ଯୁଦ୍ଧ ଓ ଦାରିଦ୍ର୍ୟ ବିରୋଧରେ ମୁଖର ହୋଇଥିଲେ। କିଙ୍ଗ୍‌ ବିଶ୍ବାସ କରୁଥିଲେ ଯେ ନୈତିକ ବିଶ୍ବର ଧନୁ ଅତି ଲମ୍ବା; କିନ୍ତୁ ତାହା ଯେବେ ଓ ଯେଉଁଠି ବଙ୍କାଏ ସେବେ ଓ ସେଇଠି ନ୍ୟାୟର ପଟ ନିଏ। ତାଙ୍କର ଚମତ୍କାର ଉଦ୍‌ଘୋଷଣା ଓ ଅଭିଭାଷଣ ‘‘ମୋର (ବି) ଏକ ସ୍ବପ୍ନ ଅଛି’’ ବହୁଜନ ବିଦିତ। କିଙ୍ଗ୍‌ଙ୍କ ୧୯୫୫ ମସିହାର ସଫଳ ମଣ୍ଟଗୋମେରି ବସ୍‌ ବର୍ଜନ ଡାକରାର କାହାଣୀ ଜଣେ ଆଫ୍ରିକୀୟ- ଆମେରିକୀୟ କୃଷ୍ଣାଙ୍ଗୀ ମହିଳା ରୋଜା ପାର୍କସ୍‌ଙ୍କ ଅବଦାନର ଉଲ୍ଲେଖ ବିନା ଅସମ୍ପୂର୍ଣ୍ଣ। ରୋଜା ପାର୍କସ୍‌ ବସ୍‌ରେ ନିଜ ଆସନ ଜଣେ ଶ୍ବେତାଙ୍ଗକୁ ଛାଡ଼ି ଦେଇ ସବାପଛ ସିଟ୍‌ରେ ବସିବାକୁ ସଫା ମନା କରି ଦେଇଥିଲେ। ସେଥିପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା। ରୋଜା ପାର୍କସ୍‌ଙ୍କୁ ସେ ଆଭିମୁଖ୍ୟ ଓ ପରବର୍ତ୍ତୀ ଜେଲ୍‌ ଯାତ୍ରା ଆଲୋଚ୍ୟ ଆନ୍ଦୋଳନର ଅନ୍ୟତମ ଚର୍ଚ୍ଚିତ ଲୋକପ୍ରତିମାରେ ପରିଣତ କରିଦେଇଥିଲା।

କଳାରଙ୍ଗ ଯେ କାହିଁକି ଲାଜ, ଅଯୋଗ୍ୟତା ଓ ଭେଦଭାବର ମୂଳଦୁଆ ହେବ ତା’ର ଆଦୌ କୌଣସି କାରଣ ନାହିଁ। ବିଶେଷ କରି ଆଧୁନିକ, ବହୁବାଦୀ, ଗଣତାନ୍ତ୍ରିକ ଓ ଇନ୍ଦ୍ରଧନୁ ସାମ୍ମୁଖ୍ୟ ଦେଶମାନଙ୍କ (ଯାହାର ଅନ୍ୟତମ ଉଦାହରଣ ଆମେରିକା) ପକ୍ଷେ ରଙ୍ଗ ଭିତ୍ତିକ ବିଦ୍ବେଷ ଓ ପାତର ଅନ୍ତର ଆଦୌ ଶୋଭା ପାଏନି। ଆକାଶରେ ଉଡୁଥିବା ବେଲୁନ୍‌ଙ୍କ ମେଳ ଦେଖିଲେ ତ ସ୍ପଷ୍ଟ ଦିଶେ ଯେ ନାଲି, ନେଳି, ହଳଦିଆ ଓ କମଳା ରଙ୍ଗର ବେଲୁନ୍‌ ଭିତରେ କଳା ବେଲୁନ୍‌ ବି ଉଡୁଥାଏ, ଉପରକୁ ଉଠୁଥାଏ। ବିଖ୍ୟାତ ବିଦ୍ବାନ୍‌, ଦାର୍ଶନିକ, କର୍ମୀ ଓ ଲେଖକ ଫ୍ରାନ୍‌ଜ୍‌ ଫ୍ୟାନନ୍‌ (ଅନ୍ୟ ପୁସ୍ତକମାନଙ୍କ ଭିତରେ ‘‘ବ୍ଲାକ୍‌ ସ୍କିନ୍‌ ହ୍ବାଇଟ୍‌ ମାସ୍କସ୍‌’’ (୧୯୫୨)ର ଲେଖକ) ଥରେ ଲେଖିଥିଲେ- ‘‘ମୋ ରଙ୍ଗ ମୋ ପାଇଁ କଳଙ୍କ ନୁହେଁ। କେଉଁ ଅଭିଶାପ ବଳରେ ମୋ ଦେହର ରଙ୍ଗ କଳା ନୁହେଁ। ମୁଁ କଳା କାରଣ ମୋ ଚର୍ମ ବିଶ୍ବର ସବୁ ଦୁର୍ଗନ୍ଧ ଧରି ରଖିପାରିବାର କ୍ଷମତା ବହନ କରେ। ମୁଁ ସତରେ ମାଟି ତଳେ ଆବଦ୍ଧ ସୂର୍ଯ୍ୟର ବୁନ୍ଦାଏ।’’

ମହାନ୍‌ ଓ ବିଶାଳ ‘ଆମେରିକୀୟ ସ୍ବପ୍ନ’ ଯେ ବହିରାଗତ ଓ କୃଷ୍ଣକାୟମାନଙ୍କୁ ଆଦୌ କୌଣସି ସୁବିଧା ସୁଯୋଗ ଦେଇନାହିଁ କହିବା ତଥ୍ୟଦ୍ରୋହ ସାଙ୍ଗେ ସମାନ। ହେଲେ ଏ ଯାଏଁ ଆମେରିକାରେ ଜଣେ ମହିଳା ରାଷ୍ଟ୍ରପତି ହୋଇପାରିନାହାନ୍ତି। ଖାଲି ରଙ୍ଗ ଯେ ଆମେରିକାରେ ବେଳେବେଳେ ଭେଦଭାବ ଭିଆଏ ତାହା ନୁହେଁ; ଲିଙ୍ଗ ନିରପେକ୍ଷ ବିଚାର ମଧୢ ସର୍ବୋଚ୍ଚ ରାଜନୀତିକ ଆସନରେ ଅଭିଷିକ୍ତ ହେବା ପାଇଁ ଗ୍ରହଣୀୟ ହୋଇପାରିନାହିଁ। ଯଦି କୁହାଯାଏ ଯେ ମିଚେଲ୍‌ ଓବାମା (ବାରାକ୍‌ ଓବାମାଙ୍କ ପତ୍ନୀ) ଦିନେ ବା ଦିନେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇପାରିବେ ସେଥିରେ ବିସ୍ମିତ ହେବାର କିଛି ନାହିଁ। କାରଣ ସିଏ ଅତି କମ୍‌ରେ ଉଭୟ ରଙ୍ଗ (କଳା) ଓ ଲିଙ୍ଗ (ମହିଳା)ର ଏକ ସୁମଧୁର, ଜନପ୍ରିୟ ଓ ପ୍ରଭାବଶାଳୀ ସମନ୍ବୟ।

ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ:୮୯୧୭୬୮୩୫୩୬