ଆତ୍ମହତ୍ୟା ପ୍ରବଣତା: ଚିହ୍ନଟ ଓ ଚିକିତ୍ସା

ମାନସିକ ସ୍ୱାସ୍ଥ୍ୟ - ଡକ୍ଟର ଗୀତିକା ପଟ୍ଟନାୟକ

ଆତ୍ମହତ୍ୟା ପ୍ରବଣତା ହେଉଛି ନିଜକୁ ସବୁଦିନ ପାଇଁ ନିଶ୍ଚିହ୍ନ କରି ଦେବାର ଏକ ଅସୁସ୍ଥ ମାନସିକତା। ମଣିଷର ମନ ଅସୁସ୍ଥ, ଅଶାନ୍ତ ଏବଂ ଅତ୍ୟଧିକ ଅସ୍ଥିର ହେଲେ ସେ ଏପରି ଏକ କରୁଣ ପଦକ୍ଷେପ ନେବା ପାଇଁ ଚିନ୍ତା କରେ। ପରିସ୍ଥିତିର ଚାପ, ପାରିବାରିକ ଚିନ୍ତା କିମ୍ବା ଯେ କୌଣସି ସମସ୍ୟାର ଜଟିଳତାରୁ ବାହାରିବାକୁ ଅସମର୍ଥ ହେଲେ ସେ ନିଜକୁ ଅସହାୟ ମନେ କରେ। ଚକ୍ରବ୍ୟୂହ ପରି ମନେ ହେଉଥିବା ଅନିଶ୍ଚିତତା ଭିତରୁ ସେ ବାହାରି ପାରେ ନାହିଁ। ଆକାଶକୁ କଳାମେଘ ଘୋଡ଼େଇ ରଖିଲା ପରି ଅବସାଦ, ଆଶଙ୍କା, ନିରୁତ୍ସାହ ଭାବ ତା’ର ମନକୁ ଆଚ୍ଛନ୍ନ କରି ବସେ। ଅଯଥାରେ ବିଭିନ୍ନ ଦୁଶ୍ଚିନ୍ତା ମନ ଭିତରକୁ ଧସିଆସେ। ଆଖିରୁ ନିଦ ହଜିଯାଏ। ନିରାଶାଭାବ ସହ ଜୀବନ ଜିଇଁବା ଭିତରେ ସେ ସମ୍ପୂର୍ଣ୍ଣ ଭାବରେ ନିଃସଙ୍ଗ ହୋଇଯାଏ।

ମଣିଷର ବିଚାର ଶକ୍ତି ଏବଂ ଆବେଗ ଅନେକ ସମୟରେ ବିପରୀତ ଆଚରଣ ପ୍ରଦର୍ଶନ କରିଥାନ୍ତି। କେତେବେଳେ ବିଚାର ଶକ୍ତି ପାଖରେ ଆବେଗ ଦୁର୍ବଳ ହୋଇଯାଏ ତ ଆଉ କେତେବେଳେ ଅତ୍ୟଧିକ ଆବେଗ ପାଖରେ ବିଚାରଶକ୍ତି ହାର ମାନେ। ମଣିଷ ନିଜର ବିଚାରଶକ୍ତି ହରାଇ ବସିଲେ, ସେ ଆବେଗ ଦ୍ବାରା ପରିଚାଳିତ ହୋଇ ବିଭିନ୍ନ ପ୍ରତିକ୍ରିୟା ଦେଖାଏ। ସେ ଅନୁଭବ କରେ ତା’ର ବ୍ୟକ୍ତିଗତ ସମସ୍ୟାର ସମାଧାନ ନିଜର ନିୟନ୍ତ୍ରଣରେ ନାହିଁ। ଭବିଷ୍ୟତର ଅନିଶ୍ଚିତତା, ପରିସ୍ଥିତିର ଭୟାବହତା ଏବଂ ଅଧିକ ହତାଶ ହୋଇଯିବାର ଭୟ ତାକୁ ଅତିଷ୍ଠ କରି ପକାଏ। ନିଜ ଛାଇକୁ ଦେଖି ନିଜେ ଡରିଲା ପରି, ନିଜ ଜୀବନ ତାକୁ ଭୟଭୀତ କରିବାକୁ ଲାଗେ। ଏଭଳି ପରିସ୍ଥିତିରେ କୌଣସି ସହାୟତା ନ ମିଳିଲେ ମଣିଷ ଆତ୍ମହତ୍ୟା ପରି ଏକ ଘାତକ ପଦକ୍ଷେପ ନିଏ।

ଯୋଜନାବଦ୍ଧ ଭାବରେ ହେଉ କିମ୍ବା ଅକସ୍ମାତ ଉତ୍ତେଜନାରେ ହେଉ, ଆତ୍ମହତ୍ୟା ହେଉଛି ଏକ ନକାରାତ୍ମକ ପଳାୟନପନ୍ଥୀ ଚିନ୍ତାଧାରା। ଆତ୍ମହତ୍ୟା ପ୍ରବଣତା ଉଭୟ ନାରୀ ଏବଂ ପୁରୁଷଙ୍କ ଠାରେ କୈଶୋର, ଯୁବାବସ୍ଥା କିମ୍ବା ପ୍ରୌଢ଼ ଅବସ୍ଥାରେ ଆସିପାରେ। ନାରୀମାନଙ୍କ କ୍ଷେତ୍ରରେ ପାରିବାରିକ ହିଂସା, ଯୌତୁକ ନିର୍ଯାତନା, ଗର୍ଭାବସ୍ଥାରେ ଅବହେଳା କିମ୍ବା ନାବାଳିକାକୁ ବଳପୂର୍ବକ ବିବାହ ଆତ୍ମହତ୍ୟା ପ୍ରବଣତାକୁ ଯଥେଷ୍ଟ ଇନ୍ଧନ ଯୋଗାଏ। ଜୀବନର ସ୍ବପ୍ନ ଏବଂ ନିଜର ପ୍ରକୃତ ଯୋଗ୍ୟତା ମଧ୍ୟରେ ଅତ୍ୟଧିକ ତାରତମ୍ୟ ସୃଷ୍ଟି ହେଲେ ମନରେ ହତାଶାଭାବ ଆସିଯାଏ। ପରବର୍ତ୍ତୀ ସମୟରେ ଏହି ହତାଶାଭାବରୁ ସୃଷ୍ଟି ହୁଏ ନିଜ ପ୍ରତି ହୀନମନ୍ୟତା। କିଛି କ୍ଷେତ୍ରରେ ଦେଖାଯାଏ ଯେ ସଙ୍ଗଦୋଷରୁ ଅବୋଧ ପିଲାଟିଏ ବିଭିନ୍ନ ମନ୍ଦ ଅଭ୍ୟାସକୁ ଆପଣେଇ ନିଏ। ଯୁବାବସ୍ଥାର କୌତୂହଳରୁ ଜନ୍ମ ନେଇଥିବା ବଦଭ୍ୟାସରୁ ବାହାରି ନ ପାରି ସେ ଆତ୍ମହତ୍ୟାକୁ ଏକମାତ୍ର ପନ୍ଥା ବୋଲି ଭାବିନିଏ। ସଠିକ ସମୟରେ ଏହିଭଳି ଲକ୍ଷଣକୁ ଚିହ୍ନଟ କରିପାରିଲେ ଅନେକ ଜୀବନ ବଞ୍ଚାଇବା ସମ୍ଭବ।

କୌଣସି ବ୍ୟକ୍ତିଙ୍କଠାରେ ଆତ୍ମହତ୍ୟା ପ୍ରବଣତାର ଲକ୍ଷଣ ଦେଖିଲେ, ସେହି ବ୍ୟକ୍ତିଙ୍କର ଚାଲିଚଳନ ଓ ଜୀବନଶୈଳୀ ଉପରେ ତୀକ୍ଷ୍‌ଣ ନଜର ରଖିବା ଆବଶ୍ୟକ। ଲକ୍ଷଣ ଦେଖାଦେଲେ ମାନସିକ ଡାକ୍ତରଙ୍କ ନିକଟକୁ ଯିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେହିପରି କୌଣସି ଅଘଟଣକୁ ନେଇ ମାନସିକ ଆଘାତ ପାଇଥିବା ବ୍ୟକ୍ତି ମାନସିକ ରୂପେ ଦୁର୍ବଳ ହୋଇପଡ଼େ। ନିଜକୁ ଅସହାୟ ମନେ କରୁଥିବା ଦୁର୍ବଳମନା ବ୍ୟକ୍ତିଙ୍କୁ ବେଶି ସମୟ ଏକୁଟିଆ ରହିବାକୁ ଦିଆ ନ ଯିବା ଜରୁରି। ଦେହ ଅସୁସ୍ଥ ହେଲେ ଆମେ ଯେପରି ବିନା ସଂକୋଚରେ ଡାକ୍ତରଙ୍କର ପରାମର୍ଶ ନେଇଥାଉ, ଠିକ୍ ସେହିପରି ମନ କୌଣସି କାରଣରୁ ବିଚଳିତ କିମ୍ବା ଅସ୍ଥିର ହେଲେ ମାନସିକ ଚିକିତ୍ସକଙ୍କର ସାହାଯ୍ୟ ନେବା ବାଞ୍ଛନୀୟ। ମାନସିକ ଚିକିତ୍ସା ମାଧ୍ୟମରେ ମନ ଭିତରେ ଲୁଚି ରହିଥିବା ଅନେକ ଅମୀମାଂସିତ ସମସ୍ୟା ଏବଂ ବେଦନାର ସୂଚନା ମିଳେ ଯାହାକି ବ୍ୟକ୍ତିକୁ ସୁସ୍ଥ କରିବାରେ ସାହାଯ୍ୟ କରେ। ଆତ୍ମବିଶ୍ବାସ ବଢ଼େଇବା, ମନରେ କୌଣସି ପ୍ରକାର ହୀନମନ୍ୟତାକୁ ପ୍ରଶ୍ରୟ ନଦେବା ଭଳି ସକାରାତ୍ମକ ମାନସିକ ଚିନ୍ତାଧାରାକୁ ଉଜ୍ଜୀବିତ କରାଇବା ହେଉଛି ମାନସିକ ଚିକିତ୍ସାର ମୂଳ ଲକ୍ଷ୍ୟ।

ଜୀବନ ହେଉଛି ଆଶା-ଆଶଙ୍କା, ଆତ୍ମ ସଂଯମ-ପ୍ରଲୋଭନ, ଜୀବନ-ମୃତ୍ୟୁର ସନ୍ତୁଳିତ ଦ୍ବନ୍ଦ୍ବର ଏକ ସୁଡ଼ଙ୍ଗ ପଥ। ଏହି ପଥ କେତେବେଳେ ସରଳ ସୁନ୍ଦର ତ ଆଉ କେତେବେଳେ ସଙ୍କଟମୟ ହେଇପାରେ। କିନ୍ତୁ ସାମୟିକ ଦ୍ବନ୍ଦ୍ବରେ ପଡ଼ି ଭଗବାନଙ୍କର ଏହି ମହାନ ଦାନକୁ ନିଜ ହାତରେ ହତ୍ୟା କରିବା ଉଚିତ ନୁହେଁ। ଜୀବନର ବାସ୍ତବ ପରିସ୍ଥିତିଠାରୁ ଦୂରେଇ ନଯାଇ ଧୀର, ସ୍ଥିର, ଧୈର୍ଯ୍ୟ ସହକାରେ ନିଜର ମନକୁ ନିୟନ୍ତ୍ରଣରେ ରଖିପାରିଲେ ଆତ୍ମହତ୍ୟା ପ୍ରବଣତା ପରି ନକାରାତ୍ମକ ଚିନ୍ତାଧାରା ପାଇଁ ସ୍ଥାନ ରହିବ ନାହିଁ।

ଲେଖିକା ଜଣେ ମନସ୍ତତ୍ତ୍ବବିତ୍
ମୋ: ୮୨୪୯୬୨୬୭୮୫

ସମ୍ବନ୍ଧିତ ଖବର