ମୁଁ ଅନୁତାପ କରୁଛି

ଆମରି କଥା - ନାରାୟଣ ମିଶ୍ର

ମୁଁ ଅନୁତାପ କରୁଛି ଯେ ମୁଁ ପିଲାଦିନେ ପାଠ ପଢ଼ିବାକୁ ଅଧିକ ଗୁରୁତ୍ବ କାହିଁକି ଦେଲି। ‘‘ଭଲ ପିଲା’’ ଶବ୍ଦ ଦୁଇଟା ଶୁଣିବାକୁ ଇଚ୍ଛା କରି କେବଳ ବହିପତ୍ର ଓ ସାର‌୍‌ଙ୍କ ସହ ସ˚ପର୍କ ରଖି ଦୁନିଆଟାକୁ ଚିହ୍ନି ପାରିଲିନି। ଯେଉଁମାନେ ଆଦୌ ପାଠପଢ଼ା ପ୍ରତି ନଜର ଦେଲେ ନାହିଁ, ଯଥାସାଧୢ ମାଟ୍ରିକ ଯାଏ ଗଲେ କିନ୍ତୁ ମାଟ୍ରିକଟା ଡେଇଁ ପାରିଲେନି ବା ତିନି ଚାରି ଥରରେ ଡେଇଁ ଆଇ.ଏ, ବି.ଏର ଅଧାରେ ରହିଗଲେ, ସେମାନେ ସମସ୍ତେ ଏବେ ନେତା, ଆଉ କିଛି ନ ହେଲେ ନିହାତି କୁଜିନେତା। ଆଉ ଆମ ସମସ୍ତ ଶିକ୍ଷିତ ଅଧୢାପକ, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ଏପରିକି ସେନା ପଦାଧିକାରୀ ମଧୢ ସେମାନଙ୍କ ଆଦେଶକୁ ଅପେକ୍ଷା କରି ରହୁଛନ୍ତି। ପାଠ ନ ପଢ଼ି ଖେଳାଖେଳି କରି ନାଁ କମେଇଥିଲେ ଏବକା ଯୁବ ପିଢ଼ି ସେମାନଙ୍କ ପଢ଼ା ରୁମ୍‌ରେ ମୋ ଫଟୋ ଟାଙ୍ଗିଥା’ନ୍ତେ। ଏସବୁ କିଛି ନ କରି ନାଟ-ତାମସାରେ ମନ ଦେଇଥିଲେ ହିରୋ ବା ହିରୋଇନ୍‌ ଷ୍ଟାମ୍ପ୍‌ ବାଜିବାର ଚାନ୍‌ସ ଥିଲା। କହିବାର ତାତ୍ପର୍ଯ୍ୟ ଏହି ଯେ କ୍ରିକେଟ୍‌ ତାରକା ବା ସିନେମା ଅଭିନେତା ଅଭିନେତ୍ରୀଙ୍କ ମାନସମ୍ମାନ ଓ ପ୍ରଶ˚ସାର ଶହେ ଭାଗରୁ ଭାଗେ ମଧୢ ଏ ଅଲଣା ପାଠୁଆଙ୍କୁ ମିଳୁନାହିଁ। ଯେହେତୁ ନେତା, ମନ୍ତ୍ରୀ ହେବାରେ ସର୍ବାଧିକ ସମ୍ମାନ, କ୍ଷମତା ଓ ଟଙ୍କାପଇସା ଅଛି, ଏବେ ଅନେକ ଖେଳାଳି ଓ ସିନେ ତାରକା ଦ୍ରୁତ ଗତିରେ ପାର୍ଲିଆମେଣ୍ଟରେ ପଶିବା ଆରମ୍ଭ କରି ଦେଲେଣି। ଡକାୟତ ରାଣୀ ଫୁଲନ୍‌ ଦେବୀ ମାନ୍ୟବର ପାର୍ଲିଆମେଣ୍ଟ ସଦସ୍ୟ ହୋଇ ପାରିଲେ କିନ୍ତୁ ବହୁ କଷ୍ଟରେ ଟିକେଟ୍‌ ପାଇ ନିର୍ବାଚନରେ ଲଢ଼ି ପ୍ରଫେସର ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ, ପ୍ରଫେସର ଡକ୍ଟର ବୈଦ୍ୟନାଥ ମିଶ୍ର ହାରିଗଲେ।

ମୁଁ ଅନୁତାପ କରୁଛି ଦୁଃଖ ବେଳେ ଅନ୍ୟକୁ ଅଯାଚିତ ଭାବେ ସାହାଯ୍ୟ କରି। କାରଣ, ଯାହାକୁ ଦୁଃଖୀ ବୋଲି ତୁମେ ଭାବୁଚ ସେ ପ୍ରକୃତରେ ଦୁଃଖୀ ହୋଇ ନପାରେ; ଦୁଃଖରେ ଥିବା ବା ବିପଦରେ ପଡ଼ିଥିବାର ଅଭିନୟ କରିପାରୁଥାଏ। ତୁମ ପାଖରେ ଅଧିକ ଟଙ୍କା ଅଛି ବୋଲି ଏବ˚ ତୁମେ କିଛି ନିଶ୍ଚିତ ସାହାଯ୍ୟ କରିପାରିବ ଜାଣିବା ପରେ ତା’ ଅଭିନୟ ସେ ଆରମ୍ଭ କରିଦେବ। ଥରେ ସାହାଯ୍ୟ କଲେ ସେ ବାରମ୍ବାର ବିଭିନ୍ନ ବିପଦ କଥା କହି ସାହାଯ୍ୟ ନେବ ଏବ˚ ଯେଉଁଦିନ ସାହାଯ୍ୟ ବନ୍ଦ ହୋଇଯିବ ବା ସାହାଯ୍ୟର ମାତ୍ରା କମିଯିବ, ସେଦିନ ଠାରୁ ସେ ସାହାଯ୍ୟ କରୁଥିବା ଲୋକର ପରମ ଶତ୍ରୁ ହୋଇଯିବ ଏବ˚ ତା’ ଦ୍ବାରମୁହଁ ମାଡ଼ିବନି କି ତା’ ମୁହଁକୁ ମଧୢ ଚାହିଁବନି। ଟଙ୍କା ପଇସା ସାହାଯ୍ୟ କଲା ବେଳେ ଭାବିବାର ଥିଲା ଯେ ଯେତିକି ନ ଫେରିଲେ ଚଳିବ, ସେତିକି ଟଙ୍କା ଅନ୍ୟକୁ ସାହାଯ୍ୟ କରାଯିବା କଥା। ତା’ଠାରୁ ଯଥେଷ୍ଟ ଅଧିକା ଦେଲେ ଟଙ୍କା ତ ଫେରିବ ନାହିଁ; କିନ୍ତୁ ଟଙ୍କା ଦେଇ ଶତ୍ରୁ କିଣିବା ହିଁ ସାର ହେବ। ନିଜ ହାତରୁ ନିଜ କଷ୍ଟ ଅର୍ଜିତ ଟଙ୍କା ଅନ୍ୟକୁ ଦେଇ ଫେରି ନ ପାଇଲେ ଅନୁତାପ କରିବିନି ତ ଆଉ କ’ଣ କରିପାରିବି? ଯଦି ଟଙ୍କା ପଇସା ସାହାଯ୍ୟ ନ କରି ଅନ୍ୟ ପାଇଁ ସ୍ଥାୟୀ ରୋଜଗାରର ପନ୍ଥା (ବ୍ୟବସାୟ ବା ଚାକିରି) କରାଇ ଦେଲେ ତା’ହେଲେ ଜାଣନ୍ତୁ ଆପଣ ପୃଥିବୀର ସବୁଠାରୁ ବଡ଼ ମୂର୍ଖ ବୋଲି ପରିଗଣିତ ହେବେ। କାରଣ, ସେ ଯେତେବେଳେ ଅନ୍ୟ ଠାରୁ ଶୁଣିବ ଯେ ଆପଣଙ୍କ ଦ୍ବାରା ତା’ ରୋଜଗାରର ପନ୍ଥା ହୋଇଛି ସେ ନିଜକୁ ଅଯୋଗ୍ୟ ମନେ କରି ରାଗିଯିବ ଏବ˚ ରୋଜଗାର କରାଇ ଦେଇଥିବା ଲୋକ ଉପରେ ଅଭିସ˚ପାତ ବର୍ଷଣ କରିବ।

ମୁଁ ଅନୁତାପ କରୁଛି ଯେ ମୁଁ ନିଜର ଘର ତିଆରି କରିଛି ଏବ˚ ସେଥିରୁ କିଛି ଅ˚ଶ ଭଡ଼ା ଲଗାଇଛି। ମୁଣ୍ତ ଉପରେ ଛାତଟିଏ କରିବାରେ କିଛି ଭୁଲ୍‌ ନାହିଁ; କାରଣ ବାର ଦୁଆର ଶୁଣ୍ଢି ପିଣ୍ତା ହେବା ଅପେକ୍ଷା ପ୍ଲଟ୍‌ଟିଏ କିଣି ଋଣ କରି ହେଉ ପଛକେ ନିଜର ସ୍ଥାୟୀ ଘରଟିଏ କଲେ ଟିକିଏ ଶାନ୍ତି ମିଳିବ; କିନ୍ତୁ ଲୋଭରେ ଏକାଧିକ ଘର କରି ବା ଘରର ଗୋଟାଏ ଦି’ଟା ମହଲା ଭଡ଼ା ଲଗାଇଲେ କେବଳ ଅଶାନ୍ତି ଓ ସମସ୍ୟାଗୁଡ଼ିକୁ କିଣିବା କଥା। ସେ ଯୁଗ ନାହିଁ ଯେ ଭଡ଼ାରେ ରହିବା ବାଲା ମନକୁ ମନ ପହିଲାକୁ ପହିଲା ଭଡ଼ା ଦେଇଦେବ। ଭଡ଼ା ଟଙ୍କା ବାରମ୍ବାର ମାଗିବାକୁ ହେବ ଏବ˚ ତା’ର ସମସ୍ୟାସବୁ ଶୁଣିବାକୁ ହେବ। ଆହୁରି ଶୁଣିବେ ‘‘ଏ ଟ୍ୟାପ୍‌ ନଷ୍ଟ ହୋଇଗଲାଣି, ରୋଷେଇ ଘର ବେସିନ୍‌ରେ ପାଣି ଯାଉନାହିଁ, ଇଲେକ୍‌ଟ୍ରିକ୍‌ ପ୍ଲଗ୍‌ ଭାଙ୍ଗିଯାଇଛି’’ ଇତ୍ୟାଦି। ସେଥି ଲାଗି ଅନେକ ସମୟରେ ଲାଗେ ଯେ ଭଡ଼ା ଯିଏ ନେଲା, ସେ ଘର ମାଲିକ ପ୍ରତି ସତେ ଯେମିତି ଦୟା କରୁଛି।

ମୁଁ ଅନୁତାପ କରୁଛି ଏଇଥିପାଇଁ ଯେ ଆମ ଘରର କୌଣସି ଶୁଭକାର୍ଯ୍ୟ ପାଇଁ ମୁଁ ଅନେକ ଲୋକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରୁଛି। ଏ ତ ସ୍ବାଭାବିକ, କିନ୍ତୁ ଖାଇବାକୁ ଆସୁଥିବା ଲୋକଙ୍କ ଠାରୁ ଉପହାର ନେବା ଏକ ମସ୍ତବଡ଼ ଭୁଲ୍‌। ପ୍ରଥମତଃ ଅନ୍ନଦାନ ଶ୍ରେଷ୍ଠ ଦାନ ବୋଲି ବିଚାର କରାଯାଏ; କାରଣ ଏହା ଏକମାତ୍ର ଦାନ ଯେଉଁଠି ଲୋକ ମନା କରେ ଯେ ଆଉ ଅଧିକ ଦରକାର ନାହିଁ। ଏଭଳି ଦାନ କରି ସେ ବାବଦକୁ ହୋଟେଲ ଭଳି ଉପହାର ନାଁରେ ଟଙ୍କା, ସୁନା ଆଦାୟ କରି ଏବେ ଭାବୁଛି (ଅନୁତାପ କରୁଛି) ଯେ ଯାହା ସବୁ ମୋର କ୍ଷୟକ୍ଷତି, ମନଦୁଃଖ, ଯନ୍ତ୍ରଣା ଭୋଗୁଛି ବୋଧହୁଏ ଅନ୍ନଦାନ କରି ଟଙ୍କା ଆଦାୟ କରିବା ଯୋଗୁଁ ହିଁ ଦଣ୍ତ ସ୍ବରୂପ ମିଳୁଛି।

ଏତଦ୍‌ ବ୍ୟତିରେକ ବିଭା ହେବା ଏବ˚ ପରେ ପରେ ଛୁଆ ପିଲାଙ୍କ ବାପା ହେବା ଯୋଗୁଁ ବି ମୁଁ ଭୀଷଣ ଅନୁତାପ କରୁଛି, କାରଣ ଏ ଯୁଗରେ ବିବାହ ହିଁ ମୋତେ ଏକ ନିର୍ଜୀବ, ସ୍ବତନ୍ତ୍ରତା ଓ ସ୍ବାଧୀନତା ବିହୀନ ଚଳନ୍ତା ଶବଟିଏ ଭଳି କରି ଦେଲା।

ତେଣୁ ଉପରୋକ୍ତ କାର୍ଯ୍ୟଗୁଡ଼ିକ କରିଥିବାରୁ ମୁଁ ଅହରହ ଅନୁତାପ ନିଆଁରେ ଜଳୁଛି। ଆଉ ଥରେ ଯଦି ମଣିଷ ଜନ୍ମ ପାଏ, ତେବେ ପ୍ରତିଜ୍ଞା କରୁଛି ଯେ ଏସବୁ କେବେ ବି କିଛି କରିବି ନାହିଁ- ସତ୍ୟ, ସତ୍ୟ, ତ୍ରିବାର ସତ୍ୟ!

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର