ଗଣତନ୍ତ୍ରର ସଫଳତା ଓ ସଚେତନ ଜନମତ

ଗଣତନ୍ତ୍ରର ହାଲ୍‌ - ସୁଧାଂଶୁ ଷଡ଼ଙ୍ଗୀ

ମଣିଷ ସମାଜ ଏକ ନୂଆ ଭୂତାଣୁ ବିରୋଧରେ ସଂଗ୍ରାମ କରୁଛି। ଅନେକ ଦେଶ, ବିଶେଷକରି ବହୁ ଗଣତାନ୍ତ୍ରିକ ରାଷ୍ଟ୍ରରେ, ବିପୁଳ ଜୀବନହାନି ହେବା ସଙ୍ଗେ ସଙ୍ଗେ ବିଶ୍ୱ ଅର୍ଥନୀତି ଭୁଶୁଡ଼ି ସାରିଲାଣି। ଚାରିଆଡ଼େ ଅନିଶ୍ଚିତତା ଓ ଅସହାୟତାର ସ୍ୱର। ମହାମାରୀ ନିୟନ୍ତ୍ରଣରେ ଆସୁନି। କୁହାଯାଇପାରେ ଯେ ଡାକ୍ତରୀ ବିଜ୍ଞାନର ବର୍ତ୍ତମାନର ସୀମା ମଧ୍ୟରେ ଏହି ସ୍ଥିତିର ସଠିକ୍ ପୂର୍ବ ଆକଳନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯିବା ସମ୍ଭବପର ନଥିଲା। କିନ୍ତୁ ୨୦୦୨ରେ ସାର୍ସ, ୨୦୧୨ରେ ମର୍ସ ଓ ୨୦୧୩ରେ ଇବୋଲା ପରେ ବୈଜ୍ଞାନିକମାନେ ଏଭଳି ଏକ ଭୂତାଣୁଜନିତ ମହାମାରୀ ବିଷୟରେ ବାରମ୍ବାର ସତର୍କ କରୁଥିଲେ। ଜଗତ୍‌କରଣ ଯୋଗୁଁ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବା ଆଶଙ୍କା କରାଯାଇଥିଲା। ଏପରିକି ମହାମାରୀ ହେଲେ ତାହାର ମୁକାବିଲା କରିବାକୁ ଅନେକ ଦେଶ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ଣ୍ଣାଙ୍ଗ ରଣନୀତି ପ୍ରସ୍ତୁତ କରିଥିଲେ। ଏହା ସତ୍ତ୍ୱେ ଆମେରିକା, ଇଂଲଣ୍ଡ ଭଳି ଅନେକ ସମୃଦ୍ଧ ଦେଶ ମଧ୍ୟ ସ୍ଥିତିକୁ ସମ୍ମୁଖୀନ ହେବାରେ ବିଫଳ ହେଲେ।

ଯେଉଁ ଦେଶମାନଙ୍କରେ କର୍ତ୍ତୃପକ୍ଷଙ୍କୁ ମାନିବାର ରାଜନୈତିକ ପରମ୍ପରା କିମ୍ବା ବାଧ୍ୟବାଧକତା ଅଛି ସେଠାରେ ପରିସ୍ଥିତିକୁ ଅଧିକ ସଫଳତାର ସହ ନିୟନ୍ତ୍ରଣ କରିହେଲା। ଉଦାହରଣ ସ୍ୱରୂପ, କନ୍‌ଫୁସିଆନ୍‌ ସଂସ୍କୃତି ପ୍ରଭାବରେ କେବଳ ଅଣଉଦାରବାଦୀ ଚୀନ୍‌ ନୁହେଁ, ଉଦାରବାଦୀ ଦକ୍ଷିଣ କୋରିଆ, ତାଇୱାନ୍‌, ଜାପାନ, ସିଙ୍ଗାପୁର ଓ ହଂକଂ ମଧ୍ୟ ଅଧିକ ସଫଳ ହେଲେ। ଏଭଳି ସଂସ୍କୃତିରେ ଲୋକେ ସରକାରୀ କଳ ଓ ବିଶେଷଜ୍ଞଙ୍କୁ ସହଜରେ ଗ୍ରହଣ କରନ୍ତି। ଅନ୍ୟ ପକ୍ଷରେ ଆମେରିକା ଓ ବ୍ରାଜିଲ୍‌ ଭଳି ଗଣତନ୍ତ୍ରରେ ଐତିହାସିକ ଭାବେ ଲୋକେ ସରକାରଙ୍କୁ ସନ୍ଦେହ ଚକ୍ଷୁରେ ଦେଖନ୍ତି ଓ ସେମାନେ ସ୍ୱାଧୀନଚେତା। ଏହାଛଡ଼ା ରାଜନୈତିକ ଧ୍ରୁବୀକରଣ ଏତେ ଅଧିକ ଯେ କରୋନା ମୁକାବିଲା ପାଇଁ ଐକ୍ୟବଦ୍ଧ ରଣନୀତି ପ୍ରସ୍ତୁତ ହୋଇପାରୁ ନାହିଁ। ମାସ୍କ୍‌ ପିନ୍ଧିବାକୁ ଓ ସାମାଜିକ ବ୍ୟବଧାନ ରଖିବାକୁ ଅନେକ ନାରାଜ। ଗଣତନ୍ତ୍ରର ଏହି ମୌଳିକ ବିରୋଧାଭାସକୁ ନିଉଜିଲାଣ୍ଡ, ଜର୍ମାନୀ, ଗ୍ରୀସ୍ ଭଳି ଦେଶ ଦକ୍ଷ ନେତୃତ୍ୱ ଯୋଗୁଁ ସମାଧାନ କଲେ। କିଛି ୟୁରୋପୀୟ ଦେଶ ବହୁ କ୍ଷତି ସହିଲା ପରେ ଏବେ ସ୍ଥିତିକୁ ନିୟନ୍ତ୍ରଣରେ ଆଣିଲେଣି। ସମାନ ସ୍ତରର ଡାକ୍ତରୀ ଭିତ୍ତିଭୂମି ଓ ଜନସଂଖ୍ୟାର ଘନତା ସତ୍ତ୍ୱେ କାହିଁକି କିଛି ଗଣତନ୍ତ୍ର ସଫଳ ହେଲେ ଓ କିଛି ବିଫଳ ହେଲେ ତାକୁ ନେଇ ଏବେ ପ୍ରଶ୍ନ।

ଶେଷ ଥର ଏହିଭଳି ୧୯୫୮-୫୯ ମସିହାର ଏସିଆନ୍‌ ଇନ୍‌ଫ୍ଲୁଏନ୍‌ଜାରେ ପନ୍ଦର ଲକ୍ଷ ଲୋକ ମରିଥିଲେ। କିନ୍ତୁ ସେତେବେଳକୁ ଯୁଦ୍ଧ ଓ ମହାମାରୀ ଅଜଣା ନଥିଲା। ଦ୍ବିତୀୟ ବିଶ୍ୱଯୁଦ୍ଧରେ ଛଅ କୋଟି ଲୋକ ମରିଥିଲେ। ହଇଜା, ବସନ୍ତ ଭଳି ସଂକ୍ରମଣରେ ଦିନେ-ଅଧେରେ ଗୋଟେ ଗୋଟେ ଗାଁ ପୋଛି ହୋଇଯାଉଥିଲା। ବିଜ୍ଞାନର ପ୍ରଗତି ଓ ଅର୍ଥନୈତିକ ବିକାଶ ସାଥିରେ ଟିକା, ଔଷଧ, ଅଙ୍ଗ ପ୍ରତ୍ୟାରୋପଣ ଇତ୍ୟାଦି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ଉନ୍ନତି ଘଟିଲା। ଏତେ ଲୋକଙ୍କ ଏକା ସାଙ୍ଗରେ ଅସ୍ୱାଭାବିକ ମୃତ୍ୟୁ ମଣିଷ ସମାଜ ପାଇଁ ଆଉ ଗ୍ରହଣୀୟ ନୁହେଁ। ୧୯୫୮-୫୯ରେ ଜୀବନ ବଞ୍ଚାଇବା ପାଇଁ ଜୀବିକାରେ ତାଲା ପକାଇବା ଦରକାର ପଡ଼ିନଥିଲା। ଏଥର ବ୍ୟାପକ ଜୀବନହାନିରୁ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରାୟତଃ ସବୁ ଦେଶ ସ୍ୱାଭାବିକ ଚଳପ୍ରଚଳ ଉପରେ କଟକଣା ଲଗାଇଲେ। ତେଣୁ ପ୍ରଶ୍ନ ଉଠୁଛି, ବିଶେଷଜ୍ଞମାନଙ୍କ ବାରମ୍ବାର ପରାମର୍ଶ ସତ୍ତ୍ୱେ ସଚେତନ ଜନମତ ତିଆରି ହୋଇପାରିଲା ନାହିଁ କାହିଁକି? ଜନମତ ଥିଲେ ଆବଶ୍ୟକ ପୂର୍ବ ପ୍ରସ୍ତୁତି ହୋଇଥାଆନ୍ତା। ଲୋକେ ସଚେତନ ହୋଇଥିଲେ ଆପଣା ଛାଏଁ ସାମାଜିକ ଦୂରତା ରକ୍ଷା କରିଥାଆନ୍ତେ। ଗଣତନ୍ତ୍ରରେ ନିର୍ବାଚିତ ସରକାର ବା ରାଜନୈତିକ ଦଳମାନେ ଜନମତ ଆଧାରରେ ନୀତି ପ୍ରଣୟନ କରନ୍ତି। ରାଜନୈତିକ ବ୍ୟବସ୍ଥା ଗୁରୁତ୍ୱ ନଦେଲେ ବୁଦ୍ଧିଜୀବୀଙ୍କ ମତ ଲେଖାପଢ଼ା ଓ ବୌଦ୍ଧିକ ବିତର୍କରେ ସୀମିତ ରହେ। ସରକାରୀ ନୀତି ଓ ସମ୍ବଳ ବିନିଯୋଗ ଉପରେ ଆଲୋଚନାର ପ୍ରଭାବ ରହେନି। ଗଣତନ୍ତ୍ରର ସଫଳତା ପାଇଁ ସମାଜର ବୌଦ୍ଧିକ ପୁଞ୍ଜି ଓ ରାଜନୈତିକ ସଂସ୍କୃତିକୁ ବିକଶିତ କରିବାକୁ ହେବ। କୋଭିଡ୍ ୧୯ ମହାମାରୀ ପୃଷ୍ଠଭୂମିରେ ଅଛି ଏକ ଚିନ୍ତା ଚେତନାର ପ୍ରସଙ୍ଗ। ଜ୍ଞାନକୁ ତଥ୍ୟଭିତ୍ତିକ କରିବାକୁ ହେଲେ ତିନିଟି ମୌଳିକ ପ୍ରତିବନ୍ଧ ଦୂର କରିବାକୁ ହାନ୍‌ସ ରୋଜ୍‌ଲିଂ ମତ ଦେଇଛନ୍ତି।

ପ୍ରଥମ, ସଚେତନତା ସୃଷ୍ଟି କରିବାର ଏକ ସଂଗଠିତ ଉପାୟ ହେଲା ଶିକ୍ଷା ବ୍ୟବସ୍ଥା। କିନ୍ତୁ ଶିକ୍ଷା ବ୍ୟବସ୍ଥାର ମୂଳ ସମସ୍ୟା ହେଲା ଶିକ୍ଷକ ତିରିଶ ବର୍ଷ ତଳେ ଯାହା ନିଜେ ପଢ଼ିଥିଲେ, ଛାତ୍ରଛାତ୍ରୀଙ୍କୁ ଅନେକାଂଶରେ ସେଇଆ ପଢ଼ାନ୍ତି। ଉଦାହରଣତଃ ଆମ ଇତିହାସ ବହିରେ ମହାମାରୀ ଉପରେ ଧାଡ଼ିଟିଏ ନଥାଏ। ପାଠ୍ୟଖସଡ଼ା ଓ ବହି ବଦଳିବାକୁ ସମୟ ଲାଗେ। ସବୁବେଳେ ଶିକ୍ଷା ବ୍ୟବସ୍ଥା ଏବଂ ବର୍ତ୍ତମାନର ଜ୍ଞାନ ଓ ଆବଶ୍ୟକତା ମଧ୍ୟରେ ଗୋଟିଏ ବଡ଼ ବ୍ୟବଧାନ ରହିଯାଏ। ଶିକ୍ଷକଙ୍କ ଦକ୍ଷତା ଓ ଆଗ୍ରହ ଉପରେ ମଧ୍ୟ ଅନେକ କଥା ନିର୍ଭର କରେ। ଶେଷ ସମସ୍ୟାଟି ହେଲା ଶିକ୍ଷା ବ୍ୟବସ୍ଥାଟି ସମ୍ପୂର୍ଣ୍ଣ ପରୀକ୍ଷା-ସର୍ବସ୍ୱ ହୋଇଯାଏ। ଯିଏ ନମ୍ୱର ରଖିଲା ତାକୁ ସବୁଦିନ ପାଇଁ ଜ୍ଞାନର ପ୍ରମାଣପତ୍ର ମିଳେ। କିନ୍ତୁ ସେଭଳି ଜ୍ଞାନୀ ପ୍ରମାଣିତ ବ୍ୟକ୍ତି ଭବିଷ୍ୟତରେ ଯେ ନିଶ୍ଚୟ ଜାଣିବା ବଜାୟ ରଖିବେ ତାହା କହି ହେବନାହିଁ। ଦ୍ରୁତଗତିରେ ପରିବର୍ତ୍ତିତ ହେଉଥିବା ବିଶ୍ୱ ପାଇଁ ପ୍ରତ୍ୟେକ ଦିନ ନୂଆ ବିଷୟ ଶିଖିବାକୁ ହେବ। ନୂଆ ବହି ପଢ଼ିବାକୁ ହେବ। ଅଧିକାଂଶ ସ୍କୁଲ-କଲେଜ ସରିଲେ ପାଠରେ ଡୋରି ବାନ୍ଧନ୍ତି। କିଛି ପାଠକ ଧାର୍ମିକ ଗ୍ରନ୍ଥ, ହାଲ୍‌କା ଗଳ୍ପ-କବିତା ବା ନିଜ ବୃତ୍ତି ମଧ୍ୟରେ ଅଧ୍ୟୟନକୁ ସୀମିତ ରଖନ୍ତି। ଅନେକଙ୍କୁ ବୌଦ୍ଧିକ ଆଲୋଚନା ଅରୁଚିକର ଲାଗେ। ବୌଦ୍ଧିକତାର ସୀମା ନିଜ ଆଗ୍ରହ କ୍ଷେତ୍ର ମଧ୍ୟରେ ସୀମିତ ହୋଇଯାଏ। ଶିକ୍ଷା ବ୍ୟବସ୍ଥାରେ ସାରାଜୀବନ ପଢ଼ିବାର ଓ ନୂଆ କଥା ଜାଣିବାର ପ୍ରବୃତ୍ତି ଏବଂ ନମ୍ରତା ସୃଷ୍ଟି ହୁଏ ନାହିଁ।

ଦ୍ବିତୀୟ, ଶିକ୍ଷା ବ୍ୟବସ୍ଥା ଯୋଗୁଁ ସୃଷ୍ଟି ହେଉଥିବା ଜ୍ଞାନର ଶୂନ୍ୟସ୍ଥାନକୁ ଗଣମାଧ୍ୟମ ପୂରଣ କରନ୍ତି। ଲୋକେ ଏହି ମାଧ୍ୟମମାନଙ୍କ ଉପରେ ମାନସିକ ସ୍ତରରେ ଅଜାଣତରେ ନିର୍ଭରଶୀଳ ହୋଇଯାଆନ୍ତି। ଗଣମାଧ୍ୟମ ଶୀଘ୍ର ଖବର ସଂଗ୍ରହ କରି ଲୋକଙ୍କ ନିକଟରେ ପହଞ୍ଚାନ୍ତି। ପ୍ରସଙ୍ଗଗୁଡ଼ିକୁ ସରଳୀକରଣ କରି ସାଧାରଣ ପାଠକ ପାଇଁ ରୁଚିକର ଢଙ୍ଗରେ ପରିବେଷଣ କରାଯାଏ। ବିଶେଷଜ୍ଞ, ସ୍ତମ୍ଭକାର ବା ପାଠକ ତିଆରି କରିବା ଶିକ୍ଷା ବ୍ୟବସ୍ଥାର ଦାୟିତ୍ୱ, ଗଣମାଧ୍ୟମର ନୁହେଁ। ଗଣମାଧ୍ୟମ ଶିକ୍ଷା ବ୍ୟବସ୍ଥାର ବିକଳ୍ପ ନୁହେଁ। ସମାଜରେ ଯେଉଁ ଲେଖକ ଓ ପାଠକ ଅଛନ୍ତି, ତାକୁ ନେଇ ଗଣମାଧ୍ୟମ କାର୍ଯ୍ୟ କରନ୍ତି। ସାମାନ୍ୟ ଘଟଣାକୁ ଅନେକ ସମୟରେ ଦୃଷ୍ଟି ଆକର୍ଷଣ ପାଇଁ ଟିକେ ମସଲା ଲଗେଇ ଲେଖିବାକୁ ହୁଏ। ଷଡ଼୍‌ଯନ୍ତ୍ର, ଉଚ୍ଚ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ବା କିଛି ନହେଲେ ଆକର୍ଷଣୀୟ ଶିରୋନାମା ଦେଇ ସମ୍ବାଦ ପରଷିବାକୁ ହୁଏ। ପଛୁଆ ସମାଜରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଶିଳ୍ପ ବିକାଶ ବା ଅର୍ଥନୀତି ଉପରେ ଜଟିଳ ପରିସଂଖ୍ୟାନ ପରିବେଷଣ କରି ପାଠକ ବା ଦର୍ଶକ ପାଇବା କଷ୍ଟ। ସରଳ ଉପାୟ ହେଲା ଅପରାଧ ଓ ଦୁର୍ନୀତି ଭଳି ଆଦୃତ ବିଷୟରେ ଖବର ଛାପିବା। ପୃଥିବୀରେ ଏଭଳି କୌଣସି ସହର ନାହିଁ ଯେଉଁଠି ପ୍ରତ୍ୟେକ ଦିନ କିଛି ନା କିଛି ଅପରାଧ ହୁଏ ନାହିଁ। ଅପରାଧ ଯେତେ ଚାଞ୍ଚଲ୍ୟକର ଭାବେ ପରଷା ଯାଏ, ପାଠକୀୟ ଆକର୍ଷଣ ସେତେ ବଢ଼େ। ପଢ଼ିଲେ ଲାଗେ ଯେ, ଆଉ କିଛି ହଉ ନହଉ, ହତ୍ୟା, ଆତ୍ମହତ୍ୟା, ଧର୍ଷଣ, ଲୁଟ୍‌ତରାଜ୍ ଘୁ ଘୁ ବଢ଼ିଚାଲିଛି ଓ ନିଷ୍କର୍ମା ଆରକ୍ଷୀମାନେ ଉପରକୁ ଚାହିଁ ରହିଛନ୍ତି। ବାସ୍ତବତା ହେଲା, ଉପଲବ୍‌ଧ ପରିସଂଖ୍ୟାନ ଅନୁସାରେ, ଗଲା ପାଞ୍ଚ ଶହ ବର୍ଷରେ ସାରା ପୃଥିବୀରେ ଅପରାଧ କମି ଚାଲିଛି। କେବଳ ଅପରାଧ ନୁହେଁ, ସାମଗ୍ରିକ ଭାବେ ତରବରିଆ, ପ୍ରତିଯୋଗିତାମୂଳକ ଏବଂ ଚାଞ୍ଚଲ୍ୟକର ଖବର ପରିବେଷଣ ପ୍ରକ୍ରିୟାରେ ସାରା ସମାଜ ଛିଦ୍ର ଓ ଅଘଟଣ ଖୋଜିବାରେ ବ୍ୟସ୍ତ। ଏହାଛଡ଼ା ଖେଳ, ସିନେମା, ସେଲିବ୍ରିଟି ଗୁଲି ଗପ, ଯୌନ କାହାଣୀ ଏମିତି ଅନେକ ରୋଚକ କଥା ଅଛି। ଗବେଷଣାରୁ ଜଣାଯାଉଛି ଯେ ଏବେ ଲୋକେ ନିଶ୍ଚିତରେ ଅଧିକ ତଥ୍ୟ ପାଉଛନ୍ତି, କିନ୍ତୁ ସେଗୁଡିକ ସତ କି ମିଛ, ଦରକାରୀ କି ଅଦରକାରୀ ଓ ଉପରଠାଉରିଆ କି ଗଭୀର, କହିହେବ ନାହିଁ। କୋଳାହଳ ଭିତରେ ସତ୍ୟ ଓ ସରସ୍ୱତୀ ବାଟବଣା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଲୋକଙ୍କ ଆଖି ଆଢୁଆଳରେ ରହୁଛି। ଗଣମାଧ୍ୟମ ସ୍ୱାଧୀନ ହେଲେ ଯେ ତାହା ଜ୍ଞାନ ଓ ମୁକ୍ତ ବିଚାରର ଆଧାର ହୋଇପାରିବ, ତାହା ଏକ ଭ୍ରମାତ୍ମକ ପରିକଳ୍ପନା। ଲୋକେ ନିଜ ମନଲାଖି ଗଣମାଧ୍ୟମରୁ ନିଜ ପସନ୍ଦର ତଥ୍ୟ ପାଉଛନ୍ତି। ସମାଜରେ ଜ୍ଞାନର ଶୂନ୍ୟସ୍ଥାନ ପୂରଣ କରିବା ଗଣମାଧ୍ୟମର ଦାୟିତ୍ୱ ନୁହେଁ। ସେମାନେ ତାଙ୍କ କାମ କରୁଛନ୍ତି।

ତୃତୀୟ ସମସ୍ୟାଟି ହେଲା, ତଥ୍ୟ ଗ୍ରହଣ କରିବାରେ ବ୍ୟକ୍ତିଗତ ଓ ସାଂସ୍କୃତିକ ପକ୍ଷପାତିତା। ସମାଜବିଜ୍ଞାନୀମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ମଣିଷ ଅତି ସହଜରେ ମିଛକୁ ସତ ଭାବେ ଗ୍ରହଣ କରେ। ପ୍ରତ୍ୟେକ ଲୋକ ନିଜକୁ ବାସ୍ତବତା ଠାରୁ ଅଧିକ ଜ୍ଞାନୀ, ନିରପେକ୍ଷ, ନୀତିବାନ ମନେ କରେ। ନିଜ ସ୍ୱାର୍ଥ ଯୋଗୁଁ ଆମେ ଏଭଳି ତଥ୍ୟ ଖୋଜୁ ଓ ଗ୍ରହଣ କରୁ ଯାହା ଆମକୁ ସୁହାଇବ। ଦଳ ବଦଳ କଲେ ରାତି ଅଧିଆ ଚିନ୍ତାଧାରା ଓଲଟି ଯାଏ। ଦଳୀୟ ସ୍ୱାର୍ଥ ପାଇଁ ରାଜନୈତିକ ବିତର୍କ ସାଧାରଣତଃ ପକ୍ଷପାତୀ ହୁଏ। ଗଣମାଧ୍ୟମର ସ୍ୱର ମାଲିକାନା ଓ ବିଜ୍ଞାପନ ଉପରେ ନିର୍ଭର କରେ। ଆମେରିକାରେ ରାଜନୈତିକ ଧ୍ରୁବୀକରଣ ଏଭଳି ଚରମ ସୀମାରେ ପହଞ୍ଚିଛି ଯେ କରୋନା ମହାମାରୀକୁ ନେଇ ବୈଜ୍ଞାନିକ ତଥ୍ୟକୁ ନେଇ ମଧ୍ୟ ବିବାଦ ଚାଲିଛି। ଏହାଛଡ଼ା ସତ କହିବା କେବଳ ଏକ ନୈତିକତାର ପ୍ରସଙ୍ଗ ନୁହେଁ। ପ୍ରଥମେ, ସତ କ’ଣ ଜାଣିବାକୁ ଅଭିପ୍ରାୟ ଓ ଉଦ୍ୟମ ଦରକାର। ଦ୍ବିତୀୟରେ, ସତ୍ୟକୁ ଠିକ ଭାବେ ପରିପ୍ରକାଶ କରିବା ପାଇଁ ଭାଷାଗତ କୁଶଳତା ଦରକାର। ଶେଷରେ, ଲୋକେ କେଉଁ ତଥ୍ୟକୁ ସତ୍ୟ ବୋଲି ଗ୍ରହଣ କରନ୍ତି ତାହାର ଏକ ସ୍ପଷ୍ଟ ସାଂସ୍କୃତିକ ଦିଗ ମଧ୍ୟ ରହିଛି। ଜଣେ ଧର୍ମବିଶ୍ୱାସୀ ଲୋକ ପାଇଁ ନିଜ ଭଗବାନ ଏକ ଚିରନ୍ତନ ସତ୍ୟ, କିନ୍ତୁ ଅନ୍ୟମାନଙ୍କ ଭଗବାନ ହୁଏତ ମିଛ ହୋଇପାରେ। ବିଭିନ୍ନ ସଂସ୍କୃତିର ବିଭିନ୍ନ ଅବଧାରଣା ଓ ଅନ୍ଧବିଶ୍ୱାସ ଅଛି। ଲୋକେ ଧର୍ମ, ଜାତି, ବର୍ଗ, ଶ୍ରେଣୀ, ଭାଷା, ରାଜନୈତିକ ଆଦର୍ଶ, ରାଷ୍ଟ୍ର ଇତ୍ୟାଦିକୁ ନେଇ ସତ୍ୟ ଖୋଜନ୍ତି। ଏହିସବୁ ଜଟିଳତା ଭିତରେ ଆମେ ତଥ୍ୟକୁ ସବୁବେଳେ ନିଜ ସପକ୍ଷରେ ମୋଡ଼ନ୍ତି। ବିଜ୍ଞାନ ଅସହାୟ ହୋଇଯାଏ।

ଯେତେବେଳେ ଶିକ୍ଷାବ୍ୟବସ୍ଥା ଜାଣିବାର ପ୍ରବୃତ୍ତି ସୃଷ୍ଟି କରେନି, ଗଣମାଧ୍ୟମ ସାଧାରଣ ଆଲୋଚନାକୁ କବଳିତ କରେ ଏବଂ ପକ୍ଷପାତୀ ଚିନ୍ତାଧାରା ଉପରକୁ ଯାଇ ଲୋକେ ସତ୍ୟ ସନ୍ଧାନ କରିପାରନ୍ତି ନାହି, ସେତେବେଳେ ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ। ଦୃଷ୍ଟିବାଧିତ ଲୋକ ହାତୀକୁ କଳ୍ପନା କଲା ପରି ସମାଜ ବର୍ତ୍ତମାନକୁ ବୁଝୁଛି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛି। କରୋନା ମହାମାରୀକୁ ପୃଥିବୀ ନିଶ୍ଚୟ ଅତିକ୍ରାନ୍ତ କରିବ। କିନ୍ତୁ ଚିନ୍ତା ଓ ଚେତନାର ସମସ୍ୟା ହ୍ରାସ ନପାଇଲେ ସମାଜ ଆଖିରେ ଅନ୍ଧପୁଟୁଳି ବନ୍ଧା ରହିବ। ଅନେକ ଜୀବନ-ମରଣର ପ୍ରସଙ୍ଗ ଜନମତକୁ ଆନ୍ଦୋଳିତ କରିବ ନାହିଁ ଓ ଫଳରେ ଆବଶ୍ୟକ ନୀତି ପ୍ରଣୟନ ହୋଇନପାରି ପରବର୍ତ୍ତୀ ବିପର୍ଯ୍ୟୟକୁ ପୃଥିବୀ ଅପେକ୍ଷା କରିବ। ଏଭଳି ଅନେକ ପ୍ରସଙ୍ଗ ମଧ୍ୟରୁ ଚାରିଟିର ଏଠାରେ ଉଲ୍ଲେଖ କରିବା। ପ୍ରଥମ, ଅର୍ଥନୈତିକ ବୈଷମ୍ୟ ଆଜିଭଳି ରହିଲେ ସମାଜ ମୌଳିକ ସ୍ତରରେ ଦୁର୍ବଳ ରହିବ ଓ ବିପଦ ବେଳେ ଶୃଙ୍ଖଳଟି ସେହି ଦୁର୍ବଳ ସ୍ଥାନରେ ହିଁ ଛିଣ୍ଡିବ। ଦ୍ବିତୀୟ, ପରିବେଶ ପ୍ରଦୂଷଣ ଓ ଭୂମଣ୍ଡଳର ଉତ୍ତାପ ବୃଦ୍ଧି ଅସ୍ୱାଭାବିକ ଜଳବାୟୁ ସୃଷ୍ଟି କରି ମନୁଷ୍ୟ ସମାଜକୁ ନିଶ୍ଚିତ ବିପର୍ଯ୍ୟୟ ଦିଗକୁ ଟାଣିନେବ। ତୃତୀୟ, ଲୋକେ ଜୀବନଶୈଳୀ ନ ବଦଳାଇଲେ ରୋଗଗ୍ରସ୍ତ ହେବେ ଓ ବିଭିନ୍ନ ରୋଗରେ ସଂକ୍ରମିତ ହୋଇ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଭାରାକ୍ରାନ୍ତ କରିବେ। ଚତୁର୍ଥ, ମାନସିକ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆ ନ ଗଲେ ସମାଜ ବିଷାଦଗ୍ରସ୍ତ ରହିବ। ଏସବୁ ଉଦାହରଣ ମାତ୍ର। ପ୍ରସଙ୍ଗ ଅନେକ। କରୋନା ବିପର୍ଯ୍ୟୟରୁ ଶିକ୍ଷାଲାଭ କରି ମଣିଷ ସମାଜକୁ ନିଜର ଚିନ୍ତା ଚେତନାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ସଚେତନ ଜନମତ ଓ ତଥ୍ୟଭିତ୍ତିକ ଜ୍ଞାନ ବିନା ଗଣତାନ୍ତ୍ରିକ ଦେଶମାନେ ବାରମ୍ବାର ବିଫଳ ହେବେ।

ଲେଖକ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର,
ମତ ବ୍ୟକ୍ତିଗତ
[email protected]

ସମ୍ବନ୍ଧିତ ଖବର