ଜିଏସ୍‌ଟିରେ ପେଟ୍ରୋଲ ଓ ଡିଜେଲ ମିଶ୍ରଣ ପ୍ରସଙ୍ଗ

ସହଦେବ ସାହୁ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି ଏବ˚ ସେଥିପାଇଁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବଢ଼ୁଛି। କରୋନା ପାଇଁ ଲକ୍‌ଡାଉନ୍‌ ବା ସଙ୍ଗରୋଧ ହେବା ସତ୍ତ୍ବେ ବିରୋଧୀ ଦଳ ରାଜରାସ୍ତାକୁ ଆସି ବିକ୍ଷୋଭ କରିଥିଲେ। ଦାବି ହେଉଛି ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରାଯାଉ।

୨୯ ଜୁନ୍‌ରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପ୍ରତି ୮୧ ଟଙ୍କା ୦୧ ପଇସା ଏବ˚ ଡିଜେଲ ଲିଟର ପ୍ରତି ୭୮ ଟଙ୍କା ୬୯ ପଇସା ଥିଲା। ମୌଳିକ ପେଟ୍ରୋଲ ବା ଡିଜେଲର ମୂଲ୍ୟ (ବେସିକ୍‌ ପ୍ରାଇସ୍‌) କେନ୍ଦ୍ର ସରକାରଙ୍କର ଉତ୍ପାଦନ ଶୁଳ୍‌କ ଓ ସେସ୍‌, ପରିବହନ ଖର୍ଚ୍ଚ, ରାଜ୍ୟ ସରକାରଙ୍କର ଭାଟ୍‌ ଏବ˚ ଡିଲରର ଲାଭା˚ଶକୁ ବିଚାରକୁ ନେଇ ଗୋଟିଏ ସହର ପାଇଁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। ୨୯ ଜୁନ୍‌ରେ ଲିଟର ପିଛା ପେଟ୍ରୋଲର ମୌଳିକ ମୂଲ୍ୟ ଥିଲା ୨୫ ଟଙ୍କା ୬୦ ପଇସା, କେନ୍ଦ୍ରର ଉତ୍ପାଦନ ଶୁଳ୍‌କ ଓ ସେସ୍‌ ମିଶିଥିଲା ୩୨ ଟଙ୍କା ୯୮ ପଇସା, ପରିବହନ ଖର୍ଚ୍ଚ ୨୮ ପଇସା, ୩୨% ହାରରେ ରାଜ୍ୟର ଭାଟ୍‌ ଥିଲା ୧୮ ଟଙ୍କା ୮୩ ପଇସା ଏବ˚ ଡିଲରର ଲାଭା˚ଶ ୩ ଟଙ୍କା ୩୨ ପଇସା, ସବୁ ମିଶି ଉପଭୋକ୍ତାକୁ ପେଟ୍ରୋଲ ଲିଟର ପିଛା ଦେବାକୁ ପଡ଼ୁଥିଲା ୮୧ ଟଙ୍କା ୦୧ ପଇସା।

ସେହିପରି ଡିଜେଲ ଲିଟର ପିଛା ମୌଳିକ ମୂଲ୍ୟ ୨୭ ଟଙ୍କା ୬୫ ପଇସା, କେନ୍ଦ୍ରୀୟ ଉତ୍ପାଦନ ଶୁଳ୍‌କ ଓ ସେସ୍‌ ମିଶି ୩୧ ଟଙ୍କା ୮୩ ପଇସା, ପରିବହନ ଖର୍ଚ୍ଚ ୨୮ ପଇସା, ରାଜ୍ୟର ଭାଟ୍‌ ୨୮% ହାରରେ ୧୬ ଟଙ୍କା ୭୩ ପଇସା, ଡିଲରର ଲାଭା˚ଶ ୨ ଟଙ୍କା ୨୦ ପଇସା, ସବୁ ମିଶି ଡିଜେଲ ଲିଟର ପିଛା ଉପଭୋକ୍ତା ଦଉଥିଲା ୭୮ ଟଙ୍କା ୬୮ ପଇସା।

ଆନ୍ତର୍ଜାତିକ ବଜାରର ଚାହିଦା ଅନୁସାରେ ମୌଳିକ ମୂଲ୍ୟ କମ୍‌ ବେଶି ହୋଇପାରେ। ଯେହେତୁ ଭାଟ୍‌ ମୂଲ୍ୟାନୁଯାୟୀ ଆଦାୟ ହୁଏ, ଭାଟ୍‌ ଆଦାୟ ପରିମାଣ ମଧୢ କମ ବେଶି ହେବ, କିନ୍ତୁ କେନ୍ଦ୍ର ସରକାରଙ୍କର ଉତ୍ପାଦନ ଶୁଳ୍‌କ ଓ ସେସ୍‌ ସ୍ଥିର ରହିବ। ୪ ମେ ରେ ପେଟ୍ରୋଲର ମୌଳିକ ମୂଲ୍ୟ ୧୮ ଟଙ୍କା ୬୪ ପଇସା ଏବ˚ ଡିଜେଲର ମୌଳିକ ମୂଲ୍ୟ ୧୯ ଟଙ୍କା ୧୩ ପଇସା ଥିଲା ଏବ˚ ତଦନୁଯାୟୀ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଉପଭୋକ୍ତାଙ୍କ ପାଇଁ କମ୍‌ ରହୁଥିଲା। ମାତ୍ର କେନ୍ଦ୍ର ସରକାର ଅତିରିକ୍ତ ଉତ୍ପାଦନ ଶୁଳ୍‌କ ଏବ˚ ସଡ଼କ ଓ ଭିତ୍ତି ସ˚ରଚନା ସେସ୍‌ ପ୍ରତି ଲିଟର ଡିଜେଲ ଓ ପେଟ୍ରୋଲ ଉପରେ ବୃଦ୍ଧି କଲେ। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍‌କ ଓ ସେସ୍‌ ୨୨ ଟଙ୍କା ୯୮ ପଇସାରୁ ୩୨ ଟଙ୍କା ୯୮ ପଇସା (୧୦ ଟଙ୍କା) ଏବ˚ ଡିଜେଲ ଉପରେ ୧୮ ଟଙ୍କା ୮୩ ପଇସାରୁ ୩୧ ଟଙ୍କା ୮୩ ପଇସା (୧୩ ଟଙ୍କା) ବୃଦ୍ଧି କରିଛନ୍ତି।

ସେମିତି ରାଜ୍ୟ ସରକାର ୧୬ ମେ’ରେ ପେଟ୍ରୋଲ ଓ ଡିଜେଲ ଉପରେ ୨୬% ଭାଟ୍‌କୁ ଯଥାକ୍ରମେ ୩୨% ଏବ˚ ୨୮%କୁ ବୃଦ୍ଧି କରିଛନ୍ତି। ୨୯ ଜୁନ୍‌ ବେଳକୁ ପେଟ୍ରୋଲ ଓ ଡିଜେଲର ମୌଳିକ ମୂଲ୍ୟ ଯଥାକ୍ରମେ ୨୫ ଟଙ୍କା ୬୦ ପଇସା ଏବ˚ ୨୭ ଟଙ୍କା ୬୫ ପଇସାକୁ ବୃଦ୍ଧି ପାଇଛି। ତେଣୁ ମୌଳିକ ମୂଲ୍ୟର ବୃଦ୍ଧି ସହିତ ଅଧିକ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍‌କ ଓ ସେସ୍‌ ଏବ˚ ରାଜ୍ୟର ବର୍ଦ୍ଧିତ ଭାଟ୍‌ ହାରକୁ ମିଶାଇ ପ୍ରତି ଲିଟର ପାଇଁ ୨୯ ଜୁନ୍‌ରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଯଥାକ୍ରମେ ୮୧ ଟଙ୍କା ୦୧ ପଇସା ଏବ˚ ୭୮ ଟଙ୍କା ୬୯ ପଇସାରେ ପହଞ୍ଚିଛି।

କରୋନା ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ବିପର୍ଯ୍ୟସ୍ତ ହୋଇପଡ଼ିଛି, ସରକାରଙ୍କର ରାଜସ୍ବ ସା˚ଘାତିକ ଭାବେ ପ୍ରଭାବିତ ହୋଇଛି। କରୋନା ମୁକାବିଲା ଓ ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅର୍ଥ ଆବଶ୍ୟକ। ସେହି କାରଣରୁ ରାଜସ୍ବ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ କର ବସେଇବାକୁ ପଡ଼ୁଛି।

ସମ୍ବିଧାନ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ମିଶ୍ରଣ କରିବାକୁ ଜିଏସ୍‌ଟି ପରିଷଦକୁ କ୍ଷମତା ଦେଇଛି। ଜିଏସ୍‌ଟି ପରିଷଦ ଯେବେ ଚାହିଁବ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିପାରିବ। ଜିଏସ୍‌ଟି ପରିଷଦରେ କେବଳ କେନ୍ଦ୍ର ସରକାର ନୁହଁନ୍ତି, ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି। ସବୁ ରାଜ୍ୟ ବିଜେପି ଶାସିତ ନୁହନ୍ତି, ସବୁ ଦଳ ଭିନ୍ନ ଭିନ୍ନ ରାଜ୍ୟର ଶାସନରେ ଅଛନ୍ତି। ଜିଏସ୍‌ଟି ପରିଷଦରେ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବାକୁ ଚାହିଁଲେ ନାହିଁ।

ପେଟ୍ରୋଲ, ଡିଜେଲ ମଧୢ ଭାଟ୍‌ ଅନ୍ତର୍ଭୁକ୍ତ ନୁହେଁ। ଭାଟ୍‌ ଆଦାୟ ହେଉଛି କହିଲେ ବି ବାସ୍ତବରେ ପେଟ୍ରୋଲ, ଡିଜେଲ ଉପରେ ସେଲ୍‌ସ ଟାକ୍‌ସ ଆଦାୟ ହେଉଛି। ଭାଟ୍‌ର ନୀତି ଅନୁସାରେ, କ୍ରୟମୂଲ୍ୟ ଉପରେ ପୈଠ କରକୁ ବିକ୍ରି ମୂଲ୍ୟ ଉପରେ ସ˚ଗୃହୀତ କର ପରିମାଣରୁ ବାଦ ଦେଇ କରଦାତା ବା ବ୍ୟବସାୟୀ ଅବଶିଷ୍ଟଙ୍କର ସରକାରଙ୍କୁ ପୈଠ କରେ, ଅର୍ଥାତ ବ୍ୟବସାୟୀ ଇନ୍‌ପୁଟ ଟାକ୍‌ସ କ୍ରେଡିଟ ପାଏ। ୨୦୦୫ ମସିହାରେ ଯେତେବେଳେ ସେଲ୍‌ସ ଟାକ୍‌ସ ବଦଳରେ ଭାଟ୍‌ ଲାଗୁହେଲା, କୌଣସି ରାଜ୍ୟ ପେଟ୍ରୋଲ, ଡିଜେଲକୁ ଭାଟ୍‌ ଅନ୍ତର୍ଭୁକ୍ତ କରି ନଥିଲେ। ଅନ୍ୟ ଅର୍ଥରେ ପେଟ୍ରୋଲ, ଡିଜେଲ ବିକ୍ରି ଉପରେ ଇନ୍‌ପୁଟ ଟାକ୍‌ସ କ୍ରେଡିଟ୍‌ ମିଳେ ନାହିଁ।

ପରୋକ୍ଷ କର ବ୍ୟବସ୍ଥାରେ ସ˚ସ୍କାର ଆଣି ଏକ ନୂଆ କର ବ୍ୟବସ୍ଥା ପ୍ରଚଳନ କଲେ ପ୍ରଥମ କିଛି ବର୍ଷ ସରକାରଙ୍କର କ୍ଷତି ହୁଏ। ୨୦୦୫ ମସିହାରେ ଭାଟ ପ୍ରଚଳନ ହେଲାବେଳେ ପ୍ରଥମ ତିନିବର୍ଷ କେନ୍ଦ୍ର କ୍ଷତିପୂରଣ ଦେଇଥିଲା। ସେମିତି ଜିଏସ୍‌ଟି ପ୍ରଚଳନ ହେତୁ ରାଜ୍ୟର କ୍ଷତି ପାଇଁ ପାଞ୍ଚବର୍ଷ ପାଇଁ କ୍ଷତିପୂରଣ ଦେବାକୁ ସାମ୍ବିଧାନିକ ବ୍ୟବସ୍ଥା ରହିଛି। ବିଳାସ କାର୍‌, ପାନ ମସଲା, ତମାଖୁ ପ୍ରସ୍ତୁତ ସାମଗ୍ରୀ ଏବ˚ ମୃଦୁ ପାନୀୟରୁ ସେସ୍‌ ଆଦାୟ କରାଯାଇ କ୍ଷତିପୂରଣ ଦିଆଯାଏ। ଏହି ସମ୍ବନ୍ଧରେ ୨୬ ଜୁନ୍‌ର ‘ସମ୍ବାଦ’ରେ ‘ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ’ ଉପରେ ଆଲୋଚିତ ହୋଇଛି।

ରାଜ୍ୟ ପାଉଥିବା ସେଲ୍‌ସ ଟାକ୍‌ସ କିମ୍ବା ଭାଟରୁ ହାରାହାରି ୨୫% ଟିକସ ପେଟ୍ରୋଲ ଓ ଡିଜେଲରୁ ଆସିଥାଏ। ଯଦି ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ପେଟ୍ରୋଲ, ଡିଜେଲର କର ହାର ୨୮% ରଖାଯିବ ଏବ˚ ଇନ୍‌ପୁଟ ଟାକ୍‌ସ କ୍ରେଡିଟ୍‌ ଦେବାକୁ ପଡ଼ିବ। ୨୮% କର ହାର ରଖାଗଲେ ରାଜ୍ୟକୁ ମିଳିବ ୧୪% ଏବ˚ କେନ୍ଦ୍ରକୁ ମିଳିବ ୧୪%। ବର୍ତ୍ତମାନ ଓଡ଼ିଶା ପେଟ୍ରୋଲ ଉପରୁ ଭାଟ ୩୨% ଆଦାୟ କରୁଛି ଏବ˚ ଡିଜେଲ ଉପରୁ ୨୮% ଟିକସ ପାଉଛି। ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରାଗଲେ ଓଡ଼ିଶା ପ୍ରତି ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୧୮% ଏବ˚ ୧୪% କର ହରାଇବ। ରାଜ୍ୟମାନଙ୍କର କ୍ଷତିପୂରଣ ପରିମାଣ ବୃଦ୍ଧି ପାଇବ ଏବ˚ କ୍ଷତିପୂରଣ ଦେବାକୁ ହୁଏତ ସେହି ପେଟ୍ରୋଲ ଓ ଡିଜେଲ ଉପରୁ ସେସ୍‌ ଆଦାୟ କରାଯିବ। ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର କିମ୍ବା ରାଜ୍ୟ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବାକୁ ଚାହିଁବେ ନାହିଁ, ଯାହା ଉଚିତ ମଧୢ ନୁହେଁ।

ମେ’ ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍‌କ ଓ ସଡ଼କ, ଭିତ୍ତି ସର˚ଚନା ସେସ୍‌ ୧୦ ଟଙ୍କା ଏବ˚ ଡିଜେଲ ଉପରେ ୧୩ ଟଙ୍କା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ସରକାର ସେହି ସେସ୍‌ ୧୦ ଟଙ୍କା ହ୍ରାସ କରିପାରିବେ। ୧୦ ଟଙ୍କା ହ୍ରାସ କଲେ, ଯେହେତୁ ଭାଟ୍‌ ମୂଲ୍ୟାନୁଯାୟୀ ଆଦାୟ କରାଯାଏ, ରାଜ୍ୟ ସରକାରଙ୍କର ଭାଟ୍‌ ଆପେ ଆପେ ୩ ଟଙ୍କା ୨୦ ପଇସା ପେଟ୍ରୋଲ ଉପରୁ ଏବ˚ ୨ ଟଙ୍କା ୮୦ ପଇସା ଡିଜେଲ ଉପରୁ କମିଯିବ, ଅର୍ଥାତ୍‌ ପେଟ୍ରୋଲ ଦର ୧୩ ଟଙ୍କା ୨୦ ପଇସା ଏବ˚ ଡିଜେଲ ଦର ୧୨ ଟଙ୍କା ୮୦ ପଇସା କମିଯିବ। ରାଜ୍ୟ ସରକାର ଯଦି ୩୨% ଏବ˚ ୨୮%ରୁ ଭାଟ୍‌ ହାର କମେଇ ପାରିବେ, ତେବେ ଆଉ ଟିକେ ଦର ଖସିଯିବ। କରୋନା ସମୟରେ ଏବ˚ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ଫଳରେ ଖାଉଟି ଅଭାବଗ୍ରସ୍ତ ଏବ˚ ସରକାରଙ୍କର ବି ସମ୍ବଳ ଆବଶ୍ୟକ। ଜିଏସ୍‌ଟିରେ ପେଟ୍ରୋଲ, ଡିଜେଲକୁ ଅନ୍ତର୍ଭୁକ୍ତ ନ କରି, ବର˚ ଉତ୍ପାଦନ ଶୁଳ୍‌କ, ସଡ଼କ ଓ ଭିତ୍ତି ସର˚ଚନା ସେସ୍‌ ଏବ˚ ଭାଟ୍‌ ହାର ହ୍ରାସ କରିବା ଉଚିତ ହେବ।

କଳିଙ୍ଗ ନଗର, ଭୁବନେଶ୍ବର
ମୋ- ୯୪୩୭୫୭୮୭୩୩

ସମ୍ବନ୍ଧିତ ଖବର

Comments are closed.