ରାସ୍ତା, ପାଣି, ବତି ଓ ରାଓ ଗାରୁ

ସତ୍ୟନାରାୟଣ ଗନ୍ତାୟତ

ଗଡ଼ଗଡ଼ା ସହରର ସବୁରି ଜଣାଶୁଣା ଆପାରାଓ ଗାରୁ (ବାବୁ) ସଡ଼କ, ପାଣି ଓ ବିଜୁଳି ଅଫିସରେ ବଡ଼ ବାବୁ ଥିଲେ। ଠିକ୍‌ ନିର୍ବାଚନ ବେଳକୁ ହିଁ ସେ ଚାକିରିରୁ ଅବସର ନେଲେ। ହେଲେ ତାଙ୍କ ଭଳି ଜଣେ କରିତକର୍ମାଙ୍କୁ କି ଛାଡ଼ିି ହୁଏ? ତେଣୁ ‘ବଡ଼ ଜମାଣିଆ ଦଳ’ର ନେତାଏ ତାଙ୍କୁ ଅବିଳମ୍ବେ ଲଗାଇ ଦେଲେ ଭୋଟ ପ୍ରଚାର କାମରେ।

ତ’ ରାଓ ଗାରୁ ବଡ଼ ବିକ୍ରମରେ ‘ପାଣି, ବିଜୁଳି, ରାସ୍ତା ସମସ୍ୟା ଆଉ ରହିବନି ହେ’ ବୋଲି ତାଙ୍କର ଦକ୍ଷିଣୀ ଓଡ଼ିଆ ବୋଲିରେ କହି ଘର ଘର ବୁଲି ପ୍ରଚାର କଲେ। ରାଓ ଗାରୁଙ୍କ କଥାରେ ଗଡ଼ଗଡ଼ା ସହର ଲୋକେ ତାଙ୍କ ଦଳିଆଙ୍କୁ ଭୋଟ କୁଟି ଦେଇ ଗଲେ।

ଏହା ପରେ ଦଳୀୟ ଅଫିସରେ ଗୋଟେ ମହାରାଜା ଜାତୀୟ ଚୌକିରେ ରାଓ ଗାରୁ ବସିଲେ। ତେଣିକି ମୁରୁକି ହସି ସେ ସେଠାକୁ ଆସୁଥିବା ଲୋକଙ୍କ କଥା ଶୁଣିଲେ ଓ ଉତ୍ତର ଦେଲେ। ଉତ୍ତରଟି କେବଳ ଥିଲା: କରିଦବା, କରିଦବା!

ଦିନେ କ’ଣ ହେଲା ନା ଜଣେ ବାବୁ ଯାଉଥିବା ଅଟୋରିକ୍ସା ଅଚାନକ ଏକ ଅକଳରେ ପଡ଼ି ଏମିତି କଚି ହୋଇଗଲା ଯେ ବାବୁଙ୍କ ମୁଣ୍ତ ଅଟୋର ଛାତରେ ଥିବା ରଡ୍‌ରେ ବାଜିଲା ଓ ବାବୁଙ୍କ ମୁଣ୍ତରେ ଆଳୁଟିଏ ଫୁଟି ଉଠିଲା। ଅଟୋ ଡ୍ରାଇଭର ଦୋଷୀ ଭଳି ହୋଇ କହି ଉଠିଲା: ସାର‌୍‌, ସବୁ ଏ ରାସ୍ତାର ଦୋଷ। ତିନି ନମ୍ବର ଗଳି ମୁଣ୍ତରେ ପାଣିର ଷ୍ଟାଣ୍ତ୍‌ ପୋଷ୍ଟ ପାଇଁ ଏ ରାସ୍ତା ଖୋଳି ପକାଇବା ପରେ ଏମିତି ଖାଲଢିପ କରି ଛାଡ଼ିି ଦେଇଛନ୍ତି। ଏହା ଶୁଣି ବାବୁ ଜଣକ କହିଲେ- ‘ତେବେ, ଚାଲ, ରାଓ ଗାରୁଙ୍କୁ ଯାଇ କହିବା।’

ସୁତରା˚, ବାବୁ ଓ ଅଟୋ ଡ୍ରାଇଭର ରାଓ ଗାରୁଙ୍କୁ ଭେଟି ସବୁ କଥା କହିଲେ। କିନ୍ତୁ ତାଙ୍କ ମୁହଁରୁ ‘କରିଦବା, କରିଦବା’ ଭଳି ଶବ୍ଦ ବଦଳରେ ଯାହା ବାହାରିଲା ତାହା ଏହି ଭଳି- ‘ଆମେ କହିଥିଲୁ ନା, ରାସ୍ତା କଡ଼ରେ ପାଇପ ପାଣି ଦେବୁ ବୋଲି? ତ ପାଣି ଦେଲୁ।’

ବାବୁ କହିଲେ- ତା’ ତ ଠିକ୍‌। ହେଲେ ରାସ୍ତା? ରାସ୍ତା ଖରାପ ହୋଇଯାଇଛି ବୋଲି କହିବାକୁ ଆମେ ଆସିଛୁ!

ରାଓ ଗାରୁ ଏବେ ହସିଲେ ଓ ତାଙ୍କ ନିଆରା ବୋଲିରେ କହିଲେ- ହେଲେ ଗୁଟେ ମାଡରେ ଦି’ଟା କାମ କେବେ ହବାର କି ଆଜ୍ଞା? ରୋଡ୍‌ରେ ଖାଲ ହେଲେ ସିନା ନୂଆ ରୋଡ୍‌ ହେବ, ନା କିସ ହେ? ଆଉ ଟିକିଏ ଖାଲ ହୋଇଯାଉ, ଦେଖିବା ହେ! ଆପଣ ସବୁ ଜାଣିବା ଲୁକ ହେଇ ଏମିତି କ’ଣ କହୁଛନ୍ତି ହେ?

ଏଥର ଅଟୋ ଡ୍ରାଇଭର‌୍‌ ତା କଥା ଶୁଣାଇଲା। ସେ କହିଲା- ଆଜ୍ଞା, ଆମ ରାସ୍ତାରେ ସେହି ମଣ୍ତପ ପାଖରେ ଭାରି ଅନ୍ଧାର। ଲାଇଟ୍‌ ଲଗାଉନାହାନ୍ତି କିଆଁ ଯେ?

ରାଓ ଗାରୁ ଏଥର କହିଲେ ‘ସଇ ଲାଇଟ୍‌ ଯେତେ ଲାଗିଲେ ବି ବାରମ୍ବାର ଭାଙ୍ଗୁଛି। କେତେ ଲାଗିବ?

ଅଟୋ ଡ୍ରାଇଭର କହିଲା- କିଏ ଭାଙ୍ଗୁଛି ଆଜ୍ଞା! ଆମେ ତ ଭାଙ୍ଗୁନେ। କିଏ ଭାଙ୍ଗୁଛି ଧରୁ ନାହାନ୍ତି?

ଏଥର ରାଓ ଗାରୁ ତାଙ୍କ ଦକ୍ଷିଣୀ ବୋଲିରେ ଯାହା କହିଲେ ତାହା ହେଲା- ତୁମେମାନେ କହିଲ ବୋଲି ମଣ୍ତପଟିଏ ହେଲା। ଏବେ ସେଠି ପୁଅ ଝିଅମାନେ ହାତ ଧରାଧରି ହେଇ ଗପୁଛନ୍ତି ଓ ହସିହସି ଗଡ଼ିି ଯାଉଛନ୍ତି। ସେମାନଙ୍କୁ ଅନ୍ଧାର ଲୋଡ଼ା। ସେଥିଲାଗି ଲାଇଟ୍‌ ଭାଙ୍ଗୁଛନ୍ତି। ସେମାନଙ୍କୁ ଧରି ହେବ କି ହେ? କି କଥା କହୁଛ?

ଅଗତ୍ୟା ଗଡ଼ଗଡ଼ା ସହରର ଦୁଇ ନାଗରିକ ରାଓ ଗାରୁଙ୍କ ଠାରୁ ପ୍ରଶ୍ନ ଦୁଇଟିର ଯଥାର୍ଥ ଉତ୍ତର ନେଇ ଫେରିଲେ। ତେଣିକି କେବେ ସବୁ ମରାମତି ହେବ ମା’ ଗଙ୍ଗେଇ ଜାଣନ୍ତି।

ସୁହାସିତମ୍‌, କସ୍ତୁରୀ ନଗର,
ରାୟଗଡ଼ା-୭୬୫୦୦୧

ସମ୍ବନ୍ଧିତ ଖବର