ପଥଚ୍ୟୁତ ଦିଲ୍ଲୀ ପୁଲିସ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଭାରତୀୟ ପ୍ରତିରକ୍ଷା ବାହିନୀ ବା ମହାକାଶ ଗବେଷଣା ପ୍ରତିଷ୍ଠାନ ଭଳି, ଦିଲ୍ଲୀ ପୁଲିସ୍‌, ଆମ ରାଷ୍ଟ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇ ନ ଥିଲେ ହେଁ କିଛି ବର୍ଷ ହେଲା କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଯୋଗୁଁ ଏହା ସୁନାମ ଲାଭକରିପାରିଛି। ତେବେ, ଫେବ୍ରୁଆରିରେ ଦିଲ୍ଲୀରେ ଘଟିଥିବା ସା˚ପ୍ରଦାୟିକ ଦଙ୍ଗା ପରିପ୍ରେକ୍ଷୀରେ ଏହାର ଢିଲା ଓ ଖାମଖିଆଲୀ ତଦନ୍ତ ଏବ˚ ଅନୁସନ୍ଧାନ, ଏହାର ସୁନାମକୁ ନିମ୍ନଗାମୀ କରିଛି। ତଦନ୍ତ କାଳରେ ଏହା ପକ୍ଷରୁ କିଛି ‘ସ୍ବୀକାରୋକ୍ତି’ମୂଳକ ବୟାନ ଲିପିବଦ୍ଧ କରାଯାଇଥିଲା। ‘ଇଣ୍ତିଆନ୍‌ ଏକ୍‌ସପ୍ରେସ୍‌’ ପକ୍ଷରୁ ଏ ଭଳି ବାରଟି ‘ସ୍ବୀକାରୋକ୍ତି’ର ବିଶ୍ଳେଷଣ କରାଯାଇଥିଲା। ତନ୍ମଧ୍ୟରୁ ନଅଟିର ବିଷୟ-ବସ୍ତୁ ଅଳ୍ପ-ବହୁତେ ସମାନ; ସେଥିରେ ଲିପିବଦ୍ଧ ଶବ୍ଦ ଓ ବାକ୍ୟ ଅକ୍ଷରେ ଅକ୍ଷରେ ସମାନ। ଅର୍ଥାତ୍‌, ଯାହା ଜଣାପଡ଼ୁଛି, ସେଗୁଡ଼ିକ ଜାଲ, ମନଗଢ଼ା ଓ କପୋଳ-କଳ୍ପିତ। ଏହି ଖବରକାଗଜରେ ପ୍ରକାଶିତ ଅନ୍ୟ ଏକ ଖବର ଅନୁଯାୟୀ ମନ୍ଦ ଅଭିପ୍ରାୟ ରଖି କିଛି ଲୋକଙ୍କୁ ଫସାଇବା ଉଦ୍ଦେଶ୍ୟରେ ଜାଣି-ଶୁଣି ଏ ଭଳି କରାଯାଇଛି। ଦଙ୍ଗା-ପୀଡ଼ିତ କିଛି ବ୍ୟକ୍ତିଙ୍କୁ ନିଜ ଚିକିତ୍ସାଳୟରେ ଚିକିତ୍ସା ସେବା ଯୋଗାଇଥିବା ଜଣେ ଚିକିତ୍ସକଙ୍କ ବିରୋଧରେ ହତ୍ୟା ଆରୋପ ଲଗାଯାଇଛି।

ମାନବବାଦୀ ଚିକିତ୍ସକ ଏବ˚ ଅନ୍ୟ ଯେଉଁମାନଙ୍କର ସ୍ବୀକାରୋକ୍ତି ଲିପିବଦ୍ଧ କରାଯାଇଛି, ସେମାନେ ସମସ୍ତେ ମୁସଲମାନ; ଏହା କେବେ ହେଲେ ଏକ ସ˚ଯୋଗ ହୋଇ ନ ପାରେ। ଏହିସବୁ ମାମଲାର ଏତଲାଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କଲେ, ଦିଲ୍ଲୀ ପୁଲିସ୍‌ କେଉଁ ଭଳି ଖାମଖିଆଲୀ ଏବ˚ ଉଦ୍ଦେଶ୍ୟ-ପ୍ରଣୋଦିତ ଭାବେ ତଦନ୍ତ କରିଛି, ସ୍ପଷ୍ଟ ବୁଝିହୁଏ। କର୍ତ୍ତୃପକ୍ଷ ଜାଣି-ଶୁଣି ମୁସଲମାନମାନଙ୍କୁ ନିଶାଣ କରୁଛନ୍ତି; ଯଦିଓ ଏହି ସ˚ପ୍ରଦାୟ ହିଁ ଦଙ୍ଗାର ସର୍ବାଧିକ ଶିକାର ଏବ˚ କ୍ଷତିଗ୍ରସ୍ତ। ଯେଉଁ ସକ୍ରିୟତାବାଦୀ ବା ସାମାଜିକ କର୍ମୀମାନେ ଦଙ୍ଗା କାଳରେ ଏହି ସ˚ପ୍ରଦାୟକୁ ସମର୍ଥନ ଦେଇଥିଲେ ଏବ˚ ନାଗରିକତା ସ˚ଶୋଧନ ଆଇନ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ, ସେମାନଙ୍କ ବିରୋଧରେ ମଧ୍ୟ ଅନୁଚିତ ଓ ଅନ୍ୟାୟ ଭାବେ ମାମଲା ଦାଏର କରାଯାଇଛି।

ପ୍ରଶାସନିକ ନିର୍ଯାତନାର ଶିକାର ହୋଇଥିବା ଏହି ସକ୍ରିୟତାବାଦୀଙ୍କ ମଧ୍ୟରେ ଅଛନ୍ତି ହର୍ଷ ମନ୍ଦର; ଯିଏ ସମାଜର ଅବହେଳିତ ମଣିଷଙ୍କ ଅଧିକ ସିଧା-ସଳଖ ସେବା ନିମନ୍ତେ ଏକଦା ଭାରତୀୟ ପ୍ରଶାସନିକ ସେବା ଚାକିରି ଛାଡ଼ିଦେଇଥିଲେ। ସରକାରୀ ଚାକିରିରୁ ଅବ୍ୟାହତି ନେବା ପରେ ସେ ଜନଜାତି ସ˚ପ୍ରଦାୟର ଅଧିକାର, ସମସ୍ତଙ୍କ ପାଇଁ ଖାଦ୍ୟ, ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସା˚ପ୍ରଦାୟିକ ଏକତା ଆଦି କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ କରିଆସିଲେଣି। ହର୍ଷ ମନ୍ଦରଙ୍କୁ ଏହି ଲେଖକ ପଞ୍ଚଚାଳିଶ ବର୍ଷ ହେଲା ଜାଣିଛି। ଅନେକ ନୀତିଗତ ବିତର୍କ ବେଳେ ଆମେ ସମାନ ପକ୍ଷରେ ରହୁ; ବେଳେ ବେଳେ କୌଣସି ପ୍ରସଙ୍ଗରେ ମତ-ପାର୍ଥକ୍ୟ ବି ସୃଷ୍ଟି ହୁଏ। ବେଳେ ବେଳେ ମତ-ପାର୍ଥକ୍ୟ ସତ୍ତ୍ବେ ତାଙ୍କ ପ୍ରତି ମୋର ସମ୍ମାନବୋଧ ବଢ଼ିଛି। ସେ ଜଣେ ମାର୍ଜିତ, ସୁରୁଚି ସ˚ପନ୍ନ ମଣିଷ। ଉଭୟ ଚିନ୍ତା ଓ କାର୍ଯ୍ୟରେ ସେ ଅହି˚ସବାଦୀ। ମୁଁ ଜାଣିଥିବା ଯେକୌଣସି ଭାରତୀୟଙ୍କ ତୁଳନାରେ ସେ ଅହି˚ସା ପ୍ରତି ସର୍ବାଧିକ ଉତ୍ସର୍ଗୀକୃତ। ଦିଲ୍ଲୀ ପୁଲିସ୍‌, ତାଙ୍କ ବିରୋଧରେ, ସେ ହି˚ସାକୁ ଉସୁକାଇଥିବା ଅଭିଯୋଗ ଆଣିଛି। ଏକ ବକ୍ତବ୍ୟ ଭିତ୍ତିରେ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରାଯାଇଛି। ଏକ ଭାଷଣ ଅବସରରେ ସେ ଏତିକି ମାତ୍ର କହିଥିଲେ- ‘କେବଳ ଆଲୋକ ଦ୍ବାରା ଅନ୍ଧକାର ସହ ଲଢ଼ାଯାଇପାରେ। ସେମାନଙ୍କ ଘୃଣା ବିରୋଧରେ ଆମର ଏକ ମାତ୍ର ପ୍ରତ୍ୟୁତ୍ତର ଏବ˚ ତାହା ହେଉଛି ଶ୍ରଦ୍ଧା। ହି˚ସା ଓ ଅନ୍ୟାୟ ବିରୋଧରେ କିପରି ଲଢ଼ାଯାଏ, ତାହା ଆମେ ଗାନ୍ଧୀଙ୍କଠାରୁ ଶିଖିଛେ। ଆମେ ଅହି˚ସାତ୍ମକ ଭାବେ ଲଢ଼ିବା।’ ଏହା ହେଉଛି ତାଙ୍କ ଭାଷଣର ସେହି ଅ˚ଶ, ଯାହା ଆଧାରରେ ତାଙ୍କ ବିରୋଧରେ ମକଦମା ଦାଏର କରାଯାଇଛି।

ଦିଲ୍ଲୀ ପୁଲିସ୍‌ କର୍ତ୍ତୃପକ୍ଷ ତଥା ସେମାନଙ୍କର ପ୍ରଭୁମାନଙ୍କ ଦୃଷ୍ଟିରେ ହର୍ଷ ମନ୍ଦରଙ୍କର ପ୍ରକୃତ ଅପରାଧ ହେଉଛି, ସେ ନାଗରିକତା ସ˚ଶୋଧନ ଆଇନ ବିରୋଧରେ ଏକ ନୀତିଗତ ଦୃଷ୍ଟିକୋଣ ରଖିଛନ୍ତି। ତାଙ୍କ ଭଳି ଅନେକ ଯୁବ-ଛାତ୍ର ମଧ୍ୟ ଏହି ଆଇନ ବିରୋଧୀ। ତେଣୁ, ସେମାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଫର୍ଦ ଦାଖଲ କରାଯାଇଛି। କେତେକଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନର ବିଭିନ୍ନ ଦଫା ଲଗାଯାଇଛି। ଏହା ଏ ଭଳି ଏକ ନିନ୍ଦନୀୟ ଆଇନ, ଯେଉଁଟି ସ˚ସଦରେ ପାରିତ ହେବା ବେଳେ ସ୍ବାଭାବିକ ଭାବେ ମନରେ ଆସିଥିଲା, ଆମେ ସାମ୍ବିଧାନିକ ଗଣତନ୍ତ୍ରର ଅ˚ଶବିଶେଷ ନା ନୁହେଁ! ଅଧିକ ସ୍ପଷ୍ଟ ଭାବେ କହିଲେ, ସାମ୍ବିଧାନିକ ଗଣତନ୍ତ୍ରରେ ଏ ଭଳି ଆଇନ ଲାଗୁହେବା ଗଣତନ୍ତ୍ର ପ୍ରତି ଏକ ଉପହାସ। ଏହା ସାମ୍ବିଧାନିକ ଗଣତନ୍ତ୍ର ପ୍ରତି ହିଁ ସନ୍ଦେହ ସୃଷ୍ଟି କରାଏ। ଔପନିବେଶିକ କାଳରେ ପ୍ରଚଳିତ ଅନେକ ନିନ୍ଦନୀୟ ଆଇନ ତୁଳନାରେ, ଏହି ଆଇନ ଅଧିକ ମନମୁଖୀ ଓ ନିଷ୍ଠୁର। ସୁପ୍ରିମ୍‌ କୋର୍ଟ‌୍‌ ଏହାକୁ ଅନୁମୋଦନ ଦେବା ଅତ୍ୟନ୍ତ ଲଜ୍ଜାକର। ଶାସନତନ୍ତ୍ର ଏହାର ଅପବ୍ୟବହାର କରୁଛି ଏବ˚ ଏହା ମାଧ୍ୟମରେ ସମସ୍ତ ପ୍ରକାରର ମତାନୈକ୍ୟ ଓ ବିରୋଧକୁ ଦମନ କରୁଛି। ନାଗରିକତା ସ˚ଶୋଧନ ଆଇନ ବିରୋଧରେ ହୋଇଥିବା ଆନ୍ଦୋଳନ ସ˚ପୂର୍ଣ୍ଣ ଭାବେ ଅହି˚ସାତ୍ମକ ଥିଲା; ତଥାପି ଏହି ଆଇନ ବଳରେ ତାହାକୁ ଦମନ କରାଯାଇଥିଲା। ଜଣେ ଆଇନଜ୍ଞ ଲେଖିଛନ୍ତି- ‘ଏହି ଆଇନରେ ଥିବା ଅପରାଧର ସ˚ଜ୍ଞା ଅସ୍ପଷ୍ଟ; ଏହା ଅସ˚ପୂର୍ଣ୍ଣ; ଏବ˚ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ବିରୋଧୀ। ଏହା ଆମର ମୌଳିକ ଅଧିକାର ଉପରେ ଶାସନତନ୍ତ୍ରର ମାତ୍ରାଧିକ ହସ୍ତକ୍ଷେପ। ଏହା ଦ୍ବାରା ଆମର ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି।’

ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ଶାସନତନ୍ତ୍ର ଜୁଲମ ଚଳାଇଛି। ଅପରପକ୍ଷେ ଦିଲ୍ଲୀ ଦଙ୍ଗାର ପୂର୍ବରୁ ଓ ପରେ ଯେଉଁମାନେ ଖୋଲାଖୋଲି ଭାବେ ହି˚ସାକୁ ଉସୁକାଇଥିଲେ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେମାନେ ବେଶ୍‌ ସ୍ବଚ୍ଛନ୍ଦରେ ମୁକ୍ତ ଭାବେ ବିଚରଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି, ଭାଜପା ନେତା କପିଲ ମିଶ୍ର। ଦଙ୍ଗା ପୂର୍ବରୁ ତାଙ୍କର ଉତ୍ତେଜନାମୂଳକ ଭାଷଣ ରେକର୍ଡ‌୍‌ କରାଯାଇଥିଲା, ଯାହାର ଟେପ୍‌ ମହଜୁଦ ଅଛି। ଦିଲ୍ଲୀ ନିର୍ବାଚନ ବେଳେ ଅର୍ଥ ମନ୍ତ୍ରାଳୟର ରାଷ୍ଟ୍ର-ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ହି˚ସାକୁ ଉତ୍ସାହିତ କରିବା ଭଳି ଉତ୍ତେଜକ ଭାଷଣ ଦେଇଥିଲେ। ଶାସକ ଦଳ ସହ ସ˚ପୃକ୍ତି ହେତୁ ବୋଧହୁଏ ଏମାନଙ୍କ ବିରୋଧରେ କୌଣସି ଏତଲା ଦାଏର କରାଯାଇନାହିଁ।

ନ୍ୟାୟପାଳିକାର ଏହି ପଥଚ୍ୟୁତିକୁ ଆମେ କେଉଁ ପରି ଭାବେ ଗ୍ରହଣ କରିବା? ଦିଲ୍ଲୀ ପୁଲିସ୍‌, କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିକଟରେ ଉତ୍ତରଦାୟୀ। ଆଉ ଗୃହ ମନ୍ତ୍ରୀ ହିଁ ନାଗରିକତା ସ˚ଶୋଧନ ଆଇନର ମୁଖ୍ୟ ଉଦ୍ୟୋକ୍ତା। ଏହି ଆଇନ ଅତି ମାତ୍ରାରେ ପକ୍ଷପାତୀ। ଏହା ଭାରତୀୟ ମୁସଲମାନମାନଙ୍କୁ ଦ୍ବିତୀୟ ଶ୍ରେଣୀ ନାଗରିକରେ ପରିଣତ କରିବା ପାଇଁ ବାଟ ଖୋଲିପାରେ। ତେଣୁ, ସାରା ଦେଶରେ ପ୍ରତିବାଦ ହୋଇଥିଲା। ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗରେ ମୋଦୀ ସରକାରର ନୀତିର ସମାଲୋଚନା କରିଥିଲେ। ଦିଲ୍ଲୀ ଦଙ୍ଗା ପରେ ସମାଲୋଚନା ବଢ଼ିଥିଲା। ଦଙ୍ଗା ସେତେ ବେଳେ ଘଟିଥିଲା, ଠିକ୍‌ ଯେତେ ବେଳେ ମାର୍କିନ୍‌ ରାଷ୍ଟ୍ରପତି, ଭାରତ ଗସ୍ତରେ ଆସିଥିଲେ ଏବ˚ ଦିଲ୍ଲୀରେ ଥିଲେ।

ଜରୁରିକାଳୀନ ପରିସ୍ଥିତି କାଳରେ ଏକ ବହୁବାଦୀ ଗଣତନ୍ତ୍ର ଭାବେ ଭାରତର ମର୍ଯ୍ୟାଦାରେ ଆଘାତ ଲାଗିଥିଲା। ତାହା ପରେ ନାଗରିକତା ସ˚ଶୋଧନ ଆଇନ ପାରିତ ହେବା କାରଣରୁ ଆମ ବହୁବାଦୀ ଗଣତନ୍ତ୍ର ପୁଣି ଥରେ ଲାଞ୍ଛିତ-ଆହତ ହେଲା। ତେବେ, ନିଜ ଭୁଲ୍‌ ସୁଧାରିବା ପରିବର୍ତ୍ତେ କେନ୍ଦ୍ର ସରକାର ପ୍ରତିଶୋଧମୂଳକ ନୀତି ଅବଲମ୍ବନ କରିଛି ଏବ˚ ଏଥିରେ ମାଧ୍ୟମ ବା ଅସ୍ତ୍ର ସାଜିଛି ଦିଲ୍ଲୀ ପୁଲିସ୍‌। ଏହି ନିବନ୍ଧରେ ସନ୍ନିବିଷ୍ଟ ତଥ୍ୟଗୁଡ଼ିକ କେବଳ ଦୃଷ୍ଟାନ୍ତ ମାତ୍ର। ଆହୁରି ଅନେକ ମାମଲା ଗଣମାଧ୍ୟମକୁ ଦୃଷ୍ଟିକୁ ଆସିଥିଲେ ହେଁ ପ୍ରକାଶିତ ହୋଇପାରିନାହିଁ। ଏହାର ମୁଖ୍ୟ କାରଣ ଭାରତୀୟ ଗଣମାଧ୍ୟମ ଏବେ ସ˚ପୂର୍ଣ୍ଣ ମୁକ୍ତ ନୁହେଁ। ପ୍ରତିଶୋଧପରାୟଣ ଶାସନତନ୍ତ୍ର ଶିଖମାନଙ୍କୁ ବି ଛାଡ଼ିନାହିଁ, ଯେଉଁମାନେ ମହାନତା ଦେଖାଇ ଶାହୀନବାଗରେ ଲ˚ଗର ବା ରନ୍ଧନଶାଳ ଖୋଲିଥିଲେ ଏବ˚ ଏହା ମାଧ୍ୟମରେ ଖାଦ୍ୟ ବିତରଣ କରିଥିଲେ।

ଗୃହ ମନ୍ତ୍ରାଳୟର ଏହି ବିକୃତି ‘ଜାତି ସ˚ଘ’ର ଦୃଷ୍ଟିକୁ ମଧ୍ୟ ଆସିଛି। ଜୁନ୍‌ ଶେଷ ଭାଗରେ ‘ଜାତି ସ˚ଘ’ ସହ ସ˚ପୃକ୍ତ ବିଭିନ୍ନ ଦେଶର ପ୍ରତିନିଧିମାନେ ଏହାର ନିନ୍ଦା କରିଛନ୍ତି। ‘ଭାରତ ସରକାର ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ଦମନ କରୁଛନ୍ତି। ସରକାରୀ ନୀତି-ନିଷ୍ପତ୍ତିର ସମାଲୋଚନାକୁ ସହ୍ୟ କରାଯିବନାହିଁ ବୋଲି ଏହା ମାଧ୍ୟମରେ ନାଗରିକ ସମାଜକୁ ଚେତାବନୀ ଓ ଧମକ ଦେଉଥିବା’- ସେମାନଙ୍କ ମିଳିତ ବକ୍ତବ୍ୟରେ ସ୍ପଷ୍ଟ ଦର୍ଶାଯାଇଛି। ଏହି ମାମଲାରେ ଯଥେଷ୍ଟ ପ୍ରମାଣ ନ ଥାଇ (କେବଳ ସେମାନେ ଭାଷଣରେ ନାଗରିକତା ସ˚ଶୋଧନ ଆଇନକୁ ପକ୍ଷପାତୀ କହି ବିରୋଧ କରିଥିବାରୁ), ଅଯଥା ଅଟକ ରଖାଯାଇଥିବା, ମାନବାଧିକାର ଆନ୍ଦୋଳନ କର୍ମୀଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି, ଭାରତ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

‘ଜାତି ସ˚ଘ’ ବିଶେଷଜ୍ଞ ଦଳର ଏହି ଅଭିଯୋଗ ପତ୍ରକୁ ଦିଲ୍ଲୀ ପୁଲିସ୍‌ର ଲୋକ-ସ˚ପର୍କ ଅଧିକାରୀ ପଢ଼ିଥିବାର ସ˚ଭାବନା ନାହିଁ। ଗୃହ ଓ କେନ୍ଦ୍ର ମନ୍ତ୍ରାଳୟର କିଛି ବରିଷ୍ଠ ଅଧିକାରୀ ପଢ଼ିଥାଇପାରନ୍ତି। କିନ୍ତୁ, ସେମାନେ ଏହାକୁ ନିଜ ନିଜ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବା ପ୍ରସଙ୍ଗରେ ସେମାନଙ୍କ ସାହସକୁ ନେଇ ସନ୍ଦେହ ହୁଏ। ଯଦି ସେମାନେ ଦୃଷ୍ଟି ଆକର୍ଷିତ କରିଥାଆନ୍ତେ, ମନ୍ତ୍ରୀମାନେ ହୁଏ ତ ତ୍ରୁଟି ସୁଧାରିବାକୁ ପଦକ୍ଷେପ ନେଇଥାଆନ୍ତେ। ନିରଙ୍କୁଶ କ୍ଷମତା ପାଇଁ ମୋଦୀ ସରକାର, ସାର୍ବଜନୀନ ଅନୁଷ୍ଠାନଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି। ଜଣେ ଅଦାଲତ ଉପରେ ଭରସା ରଖିପାରେ। କିନ୍ତୁ, ସେହି ଆଶା ବି ଏବେ ଅତି ସୀମିତ। ସରକାରର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ବ୍ୟକ୍ତି ସ୍ବାଧୀନତାକୁ ସୁରକ୍ଷିତ କରିବା ପାଇଁ ଅଦାଲତ ଆଉ ଆଗ୍ରହୀ ନୁହେଁ।

ସ୍ବାଧୀନତା ପରବର୍ତ୍ତୀ କାଳର ଇତିହାସକୁ ଯଦି ଆମେ ପର୍ଯ୍ୟବେକ୍ଷଣ କରିବା, ଦେଶର କୌଣସି ନା କୌଣସି ଅଞ୍ଚଳରେ ଆଇନର ଦୁର୍ବଳ ସ୍ଥିତିକୁ ପାଇବା। ବିହାରରେ ଏକଦା ଅରାଜକତାର ରାଜତ୍ବ ଥିଲା; ଏବେ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ଅରାଜକତା ଚାଲିଛି। କାଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳରେ ରାଷ୍ଟ୍ର ବା ଶାସନତନ୍ତ୍ର ଦ୍ବାରା ମାନବାଧିକାର ଭଙ୍ଗ ହେଉଛି। ବେଆଇନ ଘୋଷିତ ସ˚ଗଠନଗୁଡ଼ିକ ମଧ୍ୟ ମାନବାଧିକାର ଭାଙ୍ଗୁଛନ୍ତି। ଏବେ ଏଥିରେ ସଦ୍ୟ ସାମିଲ ହୋଇଛି ଦିଲ୍ଲୀ ପୁଲିସ୍‌। ସତ୍ୟ, ନ୍ୟାୟ, ଆଇନ ପାଇଁ ଏହାର ସାମାନ୍ୟତମ ସମ୍ମାନ ନାହିଁ। ଏହା ଏକ ଭିନ୍ନ ଓ ଅବାଞ୍ଛିତ ଦର୍ଶନକୁ ଆପଣେଇଛି। ଦେଶର ରାଜଧାନୀରେ ଜଣେ ଶାନ୍ତିପ୍ରିୟ, ଅହି˚ସ ନାଗରିକ, ନିଜର ଧାର୍ମିକ ଓ ରାଜନୈତିକ ସ˚ପୃକ୍ତି କାରଣରୁ, ଆଇନର ଏହି ପାଳନକର୍ତ୍ତାଠାରୁ ଆଉ ଉଚିତ ବ୍ୟବହାର ପାଇବାର ଆଶା ନାହିଁ। ଆମ ଗଣତନ୍ତ୍ର କେତେ ନିମ୍ନଗାମୀ ହେଲାଣି, ଏଥିରୁ ସ୍ପଷ୍ଟ ଅନୁମେୟ।

ସମ୍ବନ୍ଧିତ ଖବର