ମଧୢମ ମାର୍ଗର ମହାକର୍ଷଣ

ଅଭିରାମ ବିଶ୍ବାଳ

ଏବେ ଆମ ଦେଶରେ ମୌସୁମୀର, ବର୍ଷାର ସମୟ। ଦେଶର କେଉଁଠି କେଉଁଠି ବର୍ଷା ହୋଇସାରିଲାଣି ତ ଆଉ କେଉଁଠି କେଉଁଠି ହେବା ହେବା ଉପରେ। ଋତୁ ଭିତରେ ବର୍ଷା, ଫୁଲ ଭିତରେ ରଜନୀଗନ୍ଧା ଓ ସହର ଭିତରେ ବମ୍ବେ ଥିଲା ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ଅତି ପ୍ରିୟ। ଯେଉଁଦିନ ବାସୁ ଦା’ ଚାଲିଗଲେ ସେ ଦିନ ବମ୍ବେ ନିସର୍ଗ ବାତ୍ୟାରୁ ବର୍ତ୍ତି ଯାଇଥିଲେ ବି ବର୍ଷାରେ ବେଶ୍‌ ଭିଜୁଥିଲା। କରୋନା ସତ୍ତ୍ବେ ଅନୁମତିପ୍ରାପ୍ତ ଅନୁରାଗୀମାନେ ବାସୁଙ୍କ ସାନ୍ତାକ୍ରୁଜ୍‌ ବାସଭବନରେ ପହଞ୍ଚିଯାଇଥିଲେ ଛତା ଓ ରଜନୀଗନ୍ଧା ଧରି। ସେଦିନ ବମ୍ବେର ବର୍ଷାଭିଜା ବାତାବରଣ ବି˚ଶ ଶତାବ୍ଦୀର ସତୁରି ଦଶକରେ ବାସୁ ତିଆରି କରିଥିବା ଚଳଚ୍ଚିତ୍ରର ବର୍ଷାଦୃଶ୍ୟ କଥା କିଛିଟା ମନେ ପକାଇ ଦେଉଥିଲା। ‘ମଞ୍ଜିଲ’ (୧୯୭୯) ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଓ ମୌସୁମୀ ଚାଟାର୍ଜୀ ମର୍ଯ୍ୟାଦା ଓ ସ˚ଭ୍ରମ ଅକ୍ଷୁଣ୍ଣ ରଖି ବର୍ଷାରେ ଓଦା ହୋଇ ବମ୍ବେର ମେରାଇନ୍‌ ଡ୍ରାଇଭ୍‌, ଚର୍ଚ୍ଚଗେଟ୍‌ ଇଲାକା ଓ ଛତ୍ରପତି ଶିବାଜୀ ରେଳ ଷ୍ଟେସନ (ଭି.ଟି) ଅଞ୍ଚଳରେ ଗାଉଥିଲେ: ବର୍ଷା ଝରେ ରିମ୍‌ ଝିମ୍‌। ଅବଶ୍ୟ ବାସୁଙ୍କ ପରଲୋକ ଗମନ ଯେ ଏ ଏକବି˚ଶ ଶତାବ୍ଦୀର ଜୁନ୍‌ ୪ ତାରିଖରେ ଘଟିଥିଲା ତାହା ବାରି ହେଉଥିଲା ରାସ୍ତାରେ ବର୍ଷାତି ପିନ୍ଧି ଓ ଛତା ଧରି ଯାଉଥିବା ଲୋକଙ୍କ ପାଟି ଓ ନାକ ଉପରର କରୋନା ସ˚କ୍ରମଣ ପ୍ରତିରୋଧକ ମୁଖା ବା ମାସ୍କ ପରିଧାନରୁ।

ହିନ୍ଦୀ ଚଳଚ୍ଚିତ୍ର ଜଗତ୍‌କୁ ଆସିବା ଆଗରୁ ବାସୁ ପ୍ରାୟ ୧୮ ବର୍ଷ କାମ କରିଥିଲେ ଋଷି କରଞ୍ଜିଆଙ୍କ ‘ବ୍ଲିଜ୍‌’ ପତ୍ରିକାରେ ଜଣେ ରାଜନୀତିକ ବ୍ୟଙ୍ଗ ଚିତ୍ରକର ଭାବେ। କିନ୍ତୁ ତାଙ୍କର ସିନେମା ନିଶା ଥିଲା ପ୍ରବଳ। ସେଇ ଝୁଙ୍କରେ ସିଏ ସାମିଲ ହୋଇଥିଲେ ଫିଲ୍ମ ଫୋରମ୍‌ ସହ ଯାହାର ମୁଖ୍ୟ ଥିଲେ କେ.ଏ.ଆବାସ୍‌। ଚଳଚ୍ଚିତ୍ର ଆନ୍ଦୋଳନ ସହ ମଧୢ ସମ୍ପର୍କ ସ୍ଥାପନ କରିଥିଲେ ବାସୁ। ସେଇ ପର୍ଯ୍ୟାୟରେ ସିଏ ଦେଖିଥିଲେ ଅନେକ ନୂତନ ଧାରାର ଫରାସୀ ଓ ନବ୍ୟ-ବାସ୍ତବବାଦୀ ଇଟାଲୀୟ ଚଳଚ୍ଚିତ୍ର। ତନ୍ମଧୢରୁ ଗୋଟିଏ ଥିଲା ଇଟାଲୀର ବିଶ୍ବ ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭିଟୋରିଓ ଡି ସିକାଙ୍କ ଚଳଚ୍ଚିତ୍ର ‘‘ବାଇସାଇକେଲ୍‌ ଥିଫ୍‌ସ୍‌’’ (ସାଇକେଲ ଚୋର, ୧୯୪୮) ଯାହାକି ସତ୍ୟଜିତ୍‌ ରାୟଙ୍କ ଜୀବନର ଗତିପଥକୁ ମଧୢ ବଦଳାଇ ଦେଇଥିଲା। ବାସୁ ଭାବିବା ଆରମ୍ଭ କରି ଦେଲେ- କାଗଜ ନୁହେଁ, ପରଦା ହିଁ ମୋ ପାଇଁ ପ୍ରକୃଷ୍ଟ ମାଧୢମ। ଅଷ୍ଟ୍ରିଆ ଜନ୍ମିତ ପ୍ରଖ୍ୟାତ ଆମେରିକୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଲି ଵାଇଲଡର‌୍‌ ମଧୢ ବାସୁଙ୍କୁ ବେଶ୍‌ ପ୍ରଭାବିତ କରିଥିଲେ। ୧୯୬୯ ମସିହାର କଥା। ଚାଟାର୍ଜୀଙ୍କ ପ୍ରଥମ ନିର୍ଦ୍ଦେଶନାର ଛବି ‘ସାରା ଆକାଶ’ ସମ୍ଭବ ହୋଇପାରିଲା। ଯାହାର ମୂଳ କାହାଣୀଟି ନିଆଯାଇଥିଲା ରାଜେନ୍ଦ୍ର ଯାଦବଙ୍କ ଔପନ୍ୟାସିକା ‘‘ସାରା ଆକାଶ’’ରୁ। ବାସୁ ଚଳଚ୍ଚିତ୍ରଟିର ସୁଟି˚ ମଧୢ କରିଥିଲେ ଯାଦବଙ୍କ ଘରେ, ଆଗ୍ରାରେ। ପ୍ରେମଚାନ୍ଦ ଆରମ୍ଭ କରିଥିବା ‘ହ˚ସ’ ପତ୍ରିକାର ସମ୍ପାଦକ ଦାୟିତ୍ବ ତୁଲାଇଥିବା ରାଜେନ୍ଦ୍ର ଯାଦବ ଥିଲେ ହିନ୍ଦୀ ସାହିତ୍ୟରେ ‘ନୟୀ କହାନୀ’ ବା ନୂଆ କାହାଣୀ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଅନ୍ୟମାନେ ହେଲେ କମଳେଶ୍ବର, ମନୁ ଭଣ୍ତାରୀ ଓ ମୋହନ ରାକେଶ ଆଦି। ଏ ସଭିଏଁ ଥିଲେ ପ୍ରଗତିଶୀଳ ଓ ପରିବର୍ତ୍ତନକାମୀ। ତାଙ୍କ ପ୍ରଥମ ଚଳଚ୍ଚିତ୍ରଟି ପାଇଁ ବାସୁ ୨.୨୫ ଲକ୍ଷ ଟଙ୍କାର ଋଣ ନେଇଥିଲେ ଚଳଚ୍ଚିତ୍ର ଅର୍ଥ ନିଗମରୁ। ତାହା ଥିଲା ଏକ ପ୍ରକାରେ ନବ ତରଙ୍ଗ ଧର୍ମୀ। ସ˚ଯୋଗକୁ ସେଇ ବର୍ଷ ପୁଣି ଆଉ ଦୁଇଟି ପ୍ରସିଦ୍ଧ କଳାତ୍ମକ ଚଳଚ୍ଚିତ୍ର ମୃଣାଳ ସେନ୍‌ଙ୍କ ‘ଭୁବନ ସୋମେ’ ଓ ମଣି କାଉଲ୍‌ଙ୍କ ‘ଉସ୍‌କି ରୋଟି’ ଆତ୍ମପ୍ରକାଶ କରିଥିଲା। ଯେଉଁ ବହିଟିର ଶୀର୍ଷକ ଓ କଥାବସ୍ତୁ ଦ୍ବାରା ବାସୁଙ୍କ ଚଳଚ୍ଚିତ୍ରର ଶୀର୍ଷକ ଓ କଥାବସ୍ତୁ ଲାଭବାନ ହୋଇଥିଲା ସେ ବହିଟିର ଶୀର୍ଷକ ମଧୢ ପ୍ରଭାବିତ ହୋଇଥିଲା ପ୍ରଖ୍ୟାତ କବି ରାମଧାରୀ ସି˚ ଦିନ୍‌କର‌୍‌ଙ୍କ କବିତାଟି ଦ୍ବାରା ଯାହାଥିଲା ଜୟପ୍ରକାଶ ନାରାୟଣଙ୍କୁ ନେଇ ମୋଟାମୋଟି ଏମିତିଆ ଭାଷାରେ- ‘‘ହେ ଯୋଦ୍ଧା, ଅଭୟ ପ୍ରୟାସ କର/ ଭବିଷ୍ୟତର ଇତିହାସ ତୁମର/ ରାତିର ଅନ୍ଧାର ତମେ ହିଁ ହଟେଇପାରିବ/ ସାରା ଆକାଶ ବି ହେବ ତୁମର।’’

ବାସୁ ଦା କଳାର ଶ୍ରଦ୍ଧାଶୀଳ, କୋମଳ ଭାବ ହୃଦୟଙ୍ଗମ କରିବା ସାଙ୍ଗକୁ ମନୋର˚ଜନ ଶିଳ୍ପର ବ୍ୟବସାୟିକ ସଫଳତା ଦିଗକୁ ମଧୢ ଫାଙ୍କି ଦେଉନଥିଲେ। ତେଣୁ ସେ କେବଳ ପ୍ରଖର ମୁଖ୍ୟ ସ୍ରୋତ କିମ୍ବା ଖାଲି ପ୍ରଚଣ୍ତ ସମାନ୍ତରାଳ ଚଳଚ୍ଚିତ୍ର ବଦଳରେ ମଧୢମମାର୍ଗର ଗ୍ରହଣୀୟ, ଚିତ୍ତାକର୍ଷକ, ଦର୍ଶକପ୍ରିୟ ଓ ସଫଳ ମାୟା ଦର୍ପଣ ନିର୍ଦ୍ଦେଶନା ଆଡ଼କୁ ମନ ବଳେଇଥିଲେ ଯାହାକି ସମସ୍ତଙ୍କୁ ଦଲକା ଦଲକା ତାଜା ପବନ ଭଳି ଲାଗୁଥିଲା। ସେସବୁ ସରଳପଣରେ ଭରପୂର ଥିଲା; କିନ୍ତୁ ପାଣିଚିଆ ନ ଥିଲା। ହାଲୁକା ଲାଗୁଥିଲା; କିନ୍ତୁ ଚାଲୁ କିସମର ନ ଥିଲା। ଯେତେବେଳେ ତାଙ୍କ ସମୟର ସତୁରି ଦଶକରେ ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ସ˚ଜୀବ କୁମାର, ଧର୍ମେନ୍ଦ୍ର, ହେମାମାଳିନୀ, ରାକ୍ଷୀ, ରେଖା, ମମ୍‌ତାଜ୍‌ ଓ ଶର୍ମିଲା ଟାଗୋରଙ୍କ ନାଁ ସାଙ୍ଗକୁ ଦିଵାର, ଆନନ୍ଦ, ଶୋଲେ, ଆରାଧନା ଓ ଅମରପ୍ରେମ ଆଦି ଚଳଚ୍ଚିତ୍ର ବେଶ୍‌ ଚର୍ଚ୍ଚାରେ ଥିଲା। ସେତେବେଳେ ବାସୁ ଦା’ଙ୍କ ଚଳଚ୍ଚିତ୍ର କହିଲେ ବୁଝାଯାଉଥିଲା ପିଆ କା ଘର‌୍‌, ରଜନୀ ଗନ୍ଧା, ଛୋଟି ସି ବାତ୍‌, ଖଟାମିଠା ଓ ବାତୋଁ ବାତୋଁ ମେଁ ଆଦି ଏବ˚ ମୁଖ୍ୟତଃ ଅମୋଲ୍‌ ପାଲେକାର‌୍‌, ଜାରିନା ଵାହାବ ଓ ବିଦ୍ୟା ସିହ୍ନାଙ୍କ ଆବିର୍ଭାବକୁ। ଅମୋଲ୍‌ ନ ଥିଲେ ଅମିତାଭଙ୍କ ଭଳି ସୁଦର୍ଶନ, ସୁଉଚ୍ଚ ଓ କ୍ଷୁବ୍‌ଧ ତରୁଣ; ଥିଲେ ବର˚ ଶାନ୍ତଶିଷ୍ଟ, ଧୀରସ୍ଥିର, ପରିଚିତ ପଡେ଼ାଶୀପ୍ରାୟ, ମଧୢମ ବର୍ଗର, ପତଳା, ସାଧାରଣ ଗଢ଼ଣର ଓ ମୃଦୁଭାଷୀ। (ଅବଶ୍ୟ ବାସୁ ବିନୋଦ ମେହେରା, ଜିତେନ୍ଦ୍ର, ଦେବାନନ୍ଦ, ରାଜେଶ ଖାନ୍ନା ଓ ବଚ୍ଚନଙ୍କୁ ମଧୢ କେବେକେବେ ତାଙ୍କ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି।)

ଲାଗେ ଚାଟାର୍ଜୀଙ୍କ ପ୍ରମୁଖ ପସନ୍ଦର ନାୟକ ନାୟିକାମାନେ ସେତେଟା ବିନ୍ୟାସ ଓ ପ୍ରସାଧନ ପ୍ରିୟ ନ ଥିଲେ। ଦିଶୁଥିଲା ସେମାନଙ୍କ କେଶ ଫୁର‌୍‌ଫୁର‌୍‌ ଉଡୁଛି କିମ୍ବା ଆଲୁରୁବାଲୁରୁ, ସେମିତି ଭଲ କରି କୁଣ୍ତା ହୋଇନି। ସେମାନେ ପିନ୍ଧିଥିବା ପୋଷାକ ଇସ୍ତ୍ରି ନ ହୋଇ ସିଧା ଆଲମାରି ଥାକରୁ ଶରୀର ଉପରକୁ ଆସିଛି। ବାସୁଙ୍କ ପ୍ରିୟ ଚରିତ୍ରମାନେ ଥିଲେ ଚପରାସିି, କିରାଣି, ସ˚ସ୍କୃତି ଶିକ୍ଷକ, ଓଭରସିଅର‌୍‌, ଟ୍ରେଡ଼୍ ୟୁନିୟନ୍‌ ନେତା ଓ ବ୍ୟକ୍ତିଗତ ସହକାରୀ ବା ସଚିବ ଆଦି ଯେଉଁମାନଙ୍କ ପକେଟ୍‌ରେ ପଇସା କମ୍‌, କିନ୍ତୁ ହୃଦୟରେ ଅମାପ ଆନନ୍ଦ। ସେ ସମୟରେ ଭାରତବର୍ଷରେ ଦ୍ରୁତ ସହରୀକରଣ ଚାଲିଥାଏ ଏବ˚ କର୍ମକ୍ଷେତ୍ରକୁ ଅଧିକରୁ ଅଧିକ ମହିଳା ଆସୁଥାନ୍ତି ଯେଉଁମାନେ କି ଜୀବିକା ଓ ଜୀବନସାଥୀ ଚୟନର ଦ୍ବନ୍ଦ୍ବର ସମ୍ମୁଖୀନ ହେଉଥାନ୍ତି। ସହରରେ ଆସି ରହୁଥିବା ଶିକ୍ଷିତା ଓ ସ୍ବାଧୀନଚେତା ନାରୀ ଚରିତ୍ର ବାସୁଙ୍କ ଚଳଚ୍ଚିତ୍ରରେ ବେଶ୍‌ ଦୃଶ୍ୟ ହେଉଥିଲେ। ତାଙ୍କର ନାରୀ ଓ ପୁରୁଷ ଚରିତ୍ରମାନେ ଆତଯାତ ହେଉଥାନ୍ତି ପ୍ରାୟତଃ ଚାଲି ଚାଲି, ସ୍କୁଟରରେ, ବସ୍‌ରେ (ବମ୍ବେର ବେଷ୍ଟ ବସ୍‌ରେ), ଟ୍ରେନ୍‌ରେ (ଲୋକାଲ୍‌ରେ) ଓ ଜିପ୍‌ରେ। ମିଶୁଥାନ୍ତି ଅଫିସ୍‌, କ୍ୟାଣ୍ଟିନ୍‌, କଫି ହାଉସ୍‌, ବସ୍‌ଷ୍ଟପ୍‌, ସମୁଦ୍ରକୂଳ ଓ ଜାହାଙ୍ଗୀର ଆର୍ଟ ଗ୍ୟାଲେରୀ ଭଳି ସର୍ବସାଧାରଣ ଇଲାକାରେ। ରହୁଥାନ୍ତି ଓ ବାହାରୁଥାନ୍ତି ଚାଳ, ବସ୍ତି, ବସତି ଓ ବଖୁରିଆ- ଦୁଇ ବଖୁରିଆ ଆପାର୍ଟମେଣ୍ଟରୁ ପିଉଥାନ୍ତି ଚା’ ବା କଫି ଏବ˚ ଖାଉଥାନ୍ତି ଭେଲପୁରି ଓ ପାଓଭାଜି। ଦପ୍ତରରେ ବ୍ୟାଟେରି ଖଞ୍ଜା ଟ୍ରାଞ୍ଜିଷ୍ଟରରୁ ଶୁଣୁଥାନ୍ତି ଟେଷ୍ଟ କ୍ରିକେଟ୍‌ର ଧାରା ବିବରଣୀ। ବମ୍ବେ ସହର ସେମାନଙ୍କୁ ଦେଉଥାଏ ଅନେକ କିଛି। ଯାହା ଭିତରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଆଦୌ କେବେ ନ ହାରିବାର ମନୋଭାବ। ବାସୁଙ୍କ ଚଳଚ୍ଚିତ୍ରରେ ସହରର ଅଧିବାସୀଙ୍କ ଭଳି ଖୋଦ୍‌ ବମ୍ବେ ସହର ପାଲଟି ଯାଇଥାଏ ଚଳଚ୍ଚିତ୍ରର ଅନ୍ୟତମ ପ୍ରମୁଖ ଚରିତ୍ର। ବମ୍ବେ ଯେତିକି କଠୋର, ସେତିକି କୋମଳ ଓ ପ୍ରଶସ୍ତ। କହୁଥାଏ-ଆସ, ଲାଗିପଡ଼, ହସିଦିଅ, ସବୁ ଠିକ୍‌ ହୋଇଯିବ। ବମ୍ବେ ବି ବାସୁଙ୍କୁ କୋଳେଇ ନେଇଥିଲା। ଯେମିତି ବାସୁ ଭଟ୍ଟାଚାର୍ଯ୍ୟ ଓ ହୃଷିକେଶ ମୁଖାର୍ଜୀଙ୍କୁ।

ଷ୍ଟୁଡ଼ିଓରେ ସେତେଟା ନୁହେଁ, ମୁଖ୍ୟତଃ ବାସ୍ତବ ସୁଟି˚ ପୀଠରେ ବା କ୍ଷେତ୍ରରେ ନିର୍ମିତ ହେଉଥିଲା ବାସୁ ଦା’ଙ୍କ ଚଳଚ୍ଚିତ୍ର। ତାଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟି ବା ନନ୍ଦନବୋଧ ଥିଲା ନିଆରା। ବାସୁଙ୍କ ଛବିରେ ଭୂମିକା ନିର୍ବାହ କରୁଥିବା ଚରିତ୍ରମାନଙ୍କ ନୈତିକ ମଞ୍ଜ ଥିଲା ବେଶ୍‌ ମଜବୁତ୍‌; ହେଲେ ସେମାନେ ଇଏ ଠିକ୍‌- ସିଏ ଭୁଲ୍‌ କିମ୍ବା ଏଇଆ ଭଲ- ସେଇଆ ଖରାପ ମାନସିକତା ପୋଷଣ କରୁନଥିଲେ। ଭିଡ଼ ଓ ଗହଳିରେ ଚରିତ୍ରମାନେ ମିଶୁଥିଲେ, ମିଳେଇ କିମ୍ବା ହଜି ଯାଉନଥିଲେ। ଗହଳି ଭିତରେ ଯାତ୍ରା ହିଁ ସେମାନଙ୍କ ଜୀବନରେ ନୂଆ ଆଶା, ଅଭିଳାଷ ଓ ସମ୍ଭାବନା ଭରି ଦେଉଥିଲା। ସେମାନେ ଖାଲି ପ୍ରେମରେ ପଡ଼ୁନଥିଲେ; ବର˚ ପ୍ରେମରେ ଉଠୁଥିଲେ। ବାସୁଙ୍କ ଚରିତ୍ରଟିଏ କହି ପାରୁଥିଲା- ମୁଁ ହିନ୍ଦୀ ସିନେମା ଦେଖେ, ମତେ ସବୁ ଜଣା। ଆଭିଜାତ୍ୟ, ଗ୍ଲାମର‌୍‌, ସୁନ୍ଦର ଚେହେରା, ହି˚ସା ଓ ଜାତୀୟତାବାଦ ବାହାରେ ଯେ ଜୀବନ ତଥା ବାସ୍ତବତା ଅଛି ତାହା ଚାଟାର୍ଜୀଙ୍କ ଚଳଚ୍ଚିତ୍ର କହି ଦେଉଥିଲା। ସିଏ ମନୋହର ଗୋଧୂଳିର ଚିତ୍ର ଆଙ୍କୁଥିଲେ- ଯେଉଁଠି ମଣିଷ, ପ୍ରକୃତି ଓ ପରିବେଶ ସବୁ ଭଲ ଲାଗୁଥିଲା। ଭଲ ଦିଶୁଥିଲା।

ବଡ଼ ପରଦାରୁ ଛୋଟ ପରଦାକୁ ଆସି ବାସୁ ନିଜର ନିର୍ଦ୍ଦେଶନାର ଯାଦୁ ମଧୢ ସାବ୍ୟସ୍ତ କରିପାରିଥିଲେ। ୧୯୮୫ ମସିହାର ‘ରଜନୀ’ ଧାରାବାହିକୀ ଦେଶ ସାରା ସ୍ପନ୍ଦନ ସୃଷ୍ଟି କରିପାରିଲା ଯେଉଁଥିରେ ଅଭିନୟ କରୁଥିବା ପ୍ରିୟା ତେନ୍ଦୁଲକରଙ୍କ ସମାଜ ସ˚ସ୍କାରଧର୍ମୀ ବେସାଲିସ୍‌ କର୍ମପ୍ରବଣତା ଉପଭୋକ୍ତା ଜାଗୃତି ପାଇଁ ବାଟ ଫିଟେଇ ପାରିଥିଲା। ପ୍ରିୟା ଥିଲେ ବାସୁଙ୍କ ବନ୍ଧୁ ବିଶିଷ୍ଟ ନାଟ୍ୟକାର ବିଜୟ ତେନ୍ଦୁଲକରଙ୍କ ଝିଅ। ସେଇ ଦୂରଦର୍ଶନରେ ଆଞ୍ଚଳିକ ସାହିତ୍ୟ ଆଧାରିତ ଧାରାବାହିକୀ ‘ଦର୍ପଣ’ର ନିର୍ଦ୍ଦେଶନା ଦେଇଥିଲେ ବାସୁ ଦା’। ପ୍ରତିଷ୍ଠିତ ଲେଖକ ଜଗନ୍ନାଥ ପ୍ରସାଦ ଦାସଙ୍କୁ ୮ ମେ, ୨୦୦୫ରେ ପଠାଇଥିବା ଏକ ଇ˚ରାଜୀ ଚିଠିରେ ଚାଟାର୍ଜୀ ଜେ.ପି.ଙ୍କ ‘‘ସାକ୍ଷାତକାର’’ ଓ ବସନ୍ତ ଶତପଥୀଙ୍କ ‘‘ଚାରିଚକ୍ଷୁ’’ ଗଳ୍ପଦ୍ବୟ ବାଛିଥିବା, ପସନ୍ଦ କରିଥିବା କଥା, ଉଲ୍ଲେଖ କରିଛନ୍ତି। ବାସୁଙ୍କ ମତରେ ଶତପଥୀଙ୍କ ଗପଟି ‘ମିିଟି’ ବା ଭାବପୂର୍ଣ୍ଣ/ଆତ୍ମାମୟ। ଅତି ପ୍ରତିଭାବାନ ନିର୍ଦ୍ଦେଶକ ଅପୂର୍ବ ବୀର ମଧୢ ବାସୁ ଦା’ଙ୍କ ସହ ମିଶି ‘ଖଟାମିଠା’ରେ କାମ କରିଥିଲେ।

ପ୍ରତି ନିଦା ଚଳଚ୍ଚିତ୍ର ନିର୍ଦ୍ଦେଶକ ସତରେ ଜଣେ ଜଣେ ସ୍ରଷ୍ଟା, ଶିଳ୍ପୀ, କର୍ମୀ ଓ ଭାଷ୍ୟକାର। ବାସୁ ଦା’ଙ୍କ ‘ଚିତ୍‌ଚୋର’ (୧୯୭୬) ଚଳଚ୍ଚିତ୍ରଟିରୁ ‘‘ଭାରତର ଅବଧାରଣା’’ ବା ‘‘ଆଇଡିଆ ଅଫ୍‌ ଇଣ୍ତିଆ’’ ଭଲ ଭାବେ ଧରିହୁଏ। ନିର୍ଦ୍ଦେଶକ ବାସୁ ଜଣେ ବଙ୍ଗୀୟ ଯାହାଙ୍କ ଆଦ୍ୟ ଜୀବନର ଅନେକ ବର୍ଷ କଟିଥିଲା ଆଜମୀର ଓ ମଥୁରାରେ। ଚଳଚ୍ଚିତ୍ରଟି ହିନ୍ଦୀରେ। ମୂଳ କାହାଣୀଟି ଥିଲା ଆଉ ଜଣେ ବଙ୍ଗୀୟ ସୁବୋଧ ଘୋଷଙ୍କର। ନାୟକ ଅମୋଲ୍‌ ପାଲେକର ମରାଠୀ। ନାୟିକା ଜାରିନା ଵାହାବ ମୁସଲମାନ। ଏବ˚ ଚଳଚ୍ଚିତ୍ରଟିରେ ରହିଛି ଅତି କମ୍‌ରେ ଦୁଇଟି ଚମତ୍କାର ଗୀତ- ଆଜି ପୂର୍ବରୁ, ଆଜିଠୁଁ ଅଧିକ ସୁଖ କେବେ ପାଇନି ଏବ˚ ଯେବେ ବତି ଜଳିବ, ସଞ୍ଜ ନଇଁବ, ସେବେ ଆସିଯିବ ଯାହାକୁ ଗାଇଥିଲେ କେରଳୀ ଓ ଖିରସ୍ତାନୀ ୟେଶୁ ଦାସ। ସା˚ସ୍କୃତିକ ସ˚ଗମ ଓ ଧର୍ମନିରପେକ୍ଷ ଏକାୟନ ଆଉ କ’ଣ କି?
ବେହୁରିଆ ଭବନ, ଗୌରୀନଗର, ଭୁବନେଶ୍ବର-୨
ମୋ:୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର