ରୋମିଲା ଥାପର ଓ ରାଷ୍ଟ୍ରୀୟତାର ବିଚାର

ଇତିହାସ ଆଲୋଚନା - ପ୍ରୀତୀଶ ଆଚାର୍ଯ୍ୟ

ରୋମିଲା ଥାପର ଜଣେ ଐତିହାସିକ ଭାବରେ ଖୁବ୍‌ ପରିଚିତ। ଜଣେ ‘ପବ୍ଲିକ’ ବୁଦ୍ଧିଜୀବୀ ଭାବରେ ତାଙ୍କର ଇତିହାସ ବିଷୟ ଏବ˚ ରାଷ୍ଟ୍ରବାଦ ଆଦି ପ୍ରସଙ୍ଗ ଉପରେ ମତକୁ ସାମାନ୍ୟ ବିସ୍ତାରିତ କରିବା ହେଲା ଏହି ନିବନ୍ଧର ଲକ୍ଷ୍ୟ। ପବ୍ଲିକ ବୁଦ୍ଧିଜୀବୀ ବା ‘ଜନ ବିଦ୍ବାନ’ମାନେ ସମକାଳୀନ ସାଧାରଣ ପ୍ରସଙ୍ଗ ଗୁଡ଼ିକରେ ବିଷୟ ବିଶାରଦ ରୂପେ ସେମାନଙ୍କ ବୈଚାରିକ ସମ୍ପୃକ୍ତି ରଖନ୍ତି। ଜଣେ ବୈଜ୍ଞାନିକ ବା ଐତିହାସିକ ଯେତେବେଳେ ସାଧାରଣ ପ୍ରସଙ୍ଗରେ ମତ ରଖନ୍ତି ତଥା ସାମାଜିକ କର୍ମୀମାନଙ୍କ ସାଙ୍ଗରେ ମିଶି କାର୍ଯ୍ୟ ଆରମ୍ଭ କରନ୍ତି, ତାଙ୍କୁ ‘ଜନ ବିଦ୍ବାନ’ ବୋଲି କୁହାଯାଏ। ବୌଦ୍ଧିକତାର ଏହା ଏକ ଅନନ୍ୟ ବିଭାବ। ଏହି କାରଣରୁ ‘ଜନ ବିଦ୍ବାନ’ମାନେ ବେଳେ ବେଳେ କେବଳ ବିଷୟ ବିଶାରଦଙ୍କ ମଧୢରେ ସୀମିତ ନ ରହି ତାଙ୍କ ମତ-ବିମତ ଦ୍ବାରା ସାଧାରଣ ପାଠକ ବର୍ଗରେ ମଧୢ ଚର୍ଚ୍ଚାର ଅବସର ସୃଷ୍ଟି କରନ୍ତି। ସେହି ପ୍ରକ୍ରିୟାରେ ଉକ୍ତ ପ୍ରସଙ୍ଗଗୁଡ଼ିକ ଏକ ବୌଦ୍ଧିକ ସ୍ତର ଲାଭ କରନ୍ତି। ଏହା ଦ୍ବାରା ସାଧାରଣ ପ୍ରସଙ୍ଗଗୁଡ଼ିକୁ ନେଇ ବିଭିନ୍ନ କାରଣରୁ ବିପରୀତ ମତ ରଖୁଥିବା ବ୍ୟକ୍ତି ଏଥିରେ ଆହତ ଅନୁଭବ କରି ପାରନ୍ତି। ସେଥିପାଇଁ, ବିପରୀତ ମତଧାରୀ ସର୍ବଦା ରୋମିଲା ଥାପରଙ୍କ ଭଳି ବ୍ୟକ୍ତିମାନଙ୍କର ସାଧାରଣ ପ୍ରସଙ୍ଗ ସମ୍ପର୍କିତ ମତକୁ ଖାରଜ କରିବା ସହିତ ସେମାନଙ୍କ ବିଷୟଜ୍ଞାନ ମଧୢ ଫମ୍ପା ବୋଲି ଦାବି କରିପାରନ୍ତି।

ଏ ସବୁ ସତ୍ତ୍ବେ, ବୌଦ୍ଧିକ ବିମର୍ଶରେ ଏଭଳି ବିପରୀତ ମତଧାରୀଙ୍କୁ ସ୍ବାଗତଯୋଗ୍ୟ ମନେ କରିବା କଥା। ଏହା ଦ୍ବାରା ଆଲୋଚନାର ପରିସର ବୃଦ୍ଧି ପାଇପାରେ ଏବ˚ ପରିଶେଷରେ ତର୍କନିଷ୍ଠ ଏବ˚ ତଥ୍ୟନିଷ୍ଠ ବୌଦ୍ଧିକତା ଏକ ବିକଳ୍ପ ଚିନ୍ତନ ଭାବରେ ଆଦର ଲାଭ କରିପାରେ। ପୁନଶ୍ଚ ବିପରୀତ ମତଧାରୀଙ୍କ ପ୍ରତିକ୍ରିୟା ରୋମିଲା ଥାପରଙ୍କ ଭଳି ଗମ୍ଭୀର ବିଷୟ ବିଶାରଦଙ୍କୁ ବାସ୍ତବତାକୁ ପ୍ରତ୍ୟକ୍ଷ କରିବାକୁ ସୁଯୋଗ ଦେଇଥାଏ। ତେଣୁ ଏହା କହିଲେ ଭୁଲ ହେବନାହିଁ ଯେ ତଥ୍ୟନିଷ୍ଠ ଏବ˚ ତର୍କନିଷ୍ଠ ବୌଦ୍ଧିକତା ଯେତେବେଳ ଯାଏ ସାଧାରଣ ସ୍ତରକୁ ବିସ୍ତାରିତ ହୋଇ ନ ଥାଏ, ତାଲିବାନ ହାତରେ ‘ବାମିଆନ ବୁଦ୍ଧ’ (୨୦୦୧ର ଆଫଗାନିସ୍ତାନର ଘଟଣା)ର ବିଧ୍ବସ୍ତ ହେବା ଭଳି ଘଟଣା ଓ ଦୁର୍ଘଟଣାମାନ ଲାଗି ରହିଥାଏ। ଏଠାରେ ‘ବାମିଆନ ବୁଦ୍ଧ’ ହେଉଛି ଅସହିଷ୍ଣୁ ବିପରୀତ ମତଧାରୀଙ୍କ ଆକ୍ରମଣାତ୍ମକ ମନୋଭାବର ଏକ ପ୍ରତୀକ। ଏହି ପରିପ୍ରେକ୍ଷୀରେ ଇତିହାସ ଏବ˚ ରାଷ୍ଟ୍ରବାଦ ଆଦିକୁ ନେଇ ଐତିହାସିକ ରୋମିଲା ଥାପରଙ୍କ କେତେକ ଉକ୍ତିକୁ ଉପସ୍ଥାପନ କରାଯାଇପାରେ, ଯାହା ତାଙ୍କ ବିଚାରକୁ ଅଧିକ ଭଲ ଭାବରେ ଜାଣିବାରେ ହୁଏତ ଆମକୁ ସାହାଯ୍ୟ କରିବ!

୨୦୧୬ରେ The News letter (No.74) ନାମକ ଏକ ପତ୍ରିକାରେ ପ୍ରକାଶିତ ସାକ୍ଷାତକାରରେ ରୋମିଲା କହିଥିଲେ, ‘ଏକ ଶୈକ୍ଷିକ ବିଷୟ ରୂପରେ ଇତିହାସ ଯାହା ଏବ˚ ରାଜନୀତିରେ ଇତିହାସକୁ ଯେଉଁଭାବେ ବ୍ୟବହାର କରାଯାଏ; ତା’ ମଧୢରେ ନିହିତ ପାର୍ଥକ୍ୟକୁ ଭାରତରେ ଯଥୋଚିତ ଧୢାନ ଦିଆଯାଏ ନାହିଁ। ଫଳରେ, ଇତିହାସକୁ ନେଇ ସାଧାରଣ ସ୍ତରରେ ଥିବା ଧାରଣାକୁ ଇତିହାସ ଶିକ୍ଷା ବା ପାଠ ଉପରେ ଲଦି ଦିଆଯାଏ, ଯଦ୍ଦ୍ବାରା ଶୈକ୍ଷିକ ଇତିହାସକୁ ନିଷ୍ପ୍ରଭ କରିବାର ଏହା ଏକ ଉଦ୍ୟମ ଭଳି ହୋଇଥାଏ। ବର୍ତ୍ତମାନ ସମୟରେ ଐତିହାସିକର ମୁଖ୍ୟ ପ୍ରୟାସ ହେଲା ଯେ ଶୈକ୍ଷିକ ଇତିହାସର ବୈଶିଷ୍ଟ୍ୟକୁ ସାଧାରଣ ସ୍ତରରେ ସୁସ୍ପଷ୍ଟ କରିବା। ଅର୍ଥାତ୍‌, ସାଧାରଣ ସ୍ତରରେ ଇତିହାସ ବୋଲି ଯାହାକୁ ମନେ କରାଯାଏ, ତା’ଠାରୁ ଏକ ଶୈକ୍ଷିକ ବିଷୟ ରୂପରେ ଇତିହାସ ଯେ ଅଲଗା; ତାହା ସ୍ପଷ୍ଟ ହେବା କଥା। କେହି କେହି ଦାବି କରନ୍ତି ଯେ ଲୌକିକ ଧାରଣାର ଇତିହାସ ଠିକ୍‌। କାରଣ ଏହା ଅତୀତକୁ ନେଇ ଏକ ସ୍ବାଭାବିକ ବିଚାର ରଖିବାରେ ସାହାଯ୍ୟ କରେ। ମାତ୍ର ଏଭଳି ଦାବି ଭ୍ରମାତ୍ମକ! ଇତିହାସ ସମ୍ପର୍କିତ ଲୌକିକ ଧାରଣା ଏବ˚ ବିଷୟ ବିଶାରଦଙ୍କ ଧାରଣା ମଧୢର ପାର୍ଥକ୍ୟକୁ ବୁଝିବାକୁ ହେବ।’

ରୋମିଲା ଥାପରଙ୍କ ଉପରୋକ୍ତ ମତ (ଲୌକିକ ଅବଧାରଣାର ଇତିହାସ ଏବ˚ ବିଷୟ ବିଶାରଦଙ୍କ ବିଚାରର ଇତିହାସ ମଧୢର ଥିବା ପାର୍ଥକ୍ୟ)କୁ ଏକ ଉଦାହରଣ ମାଧୢମରେ ସୁସ୍ପଷ୍ଟ କରାଯାଇପାରେ। ଧରି ନିଆଯାଉ ଏକ ଧାରଣା ଅଛି ଯେ ସୁଦୂର ଅତୀତରେ ମଣିଷ ବାନରରୁ ନରରେ ରୂପାନ୍ତରିତ ହେଲା। ମାତ୍ର ସାଧାରଣ ଲୌକିକ ଅବଧାରଣାରେ ମଣିଷ ମୂଳରୁ ହିଁ ଏହିଭଳି ମଣିଷ ହୋଇ ଜନ୍ମ ନେଇଛି। ତା’ର ପୂର୍ବଜ କେବେ ବି ବାନର ନ ଥିଲେ। ସେହିଭଳି ଅନେକ ସ୍ଥାନରେ ଏଭଳି କି ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଭାରତର ଚରିତ୍ରମାନଙ୍କ ସାମୟିକ ଉପସ୍ଥିତି ନେଇ ଗଳ୍ପ-କି˚ବଦନ୍ତି ବା ଲୋକକଥା ଶୁଣିବାକୁ ମିଳିଥାଏ ଏବ˚ ତାକୁ ପ୍ରମାଣ କରିବା ଲାଗି କିଛି ଚିହ୍ନ ମଧୢ ଦେଖିବାକୁ ମିଳିଥାଏ। ଏଠାରେ ପ୍ରଶ୍ନ ଉଠେ ଯେ ସେ ସବୁକୁ ନେଇ ସତରେ ଏକ ଇତିହାସ ପୁସ୍ତକ ରଚନା କରାଯାଇ ପାରିବ କି? ଏହାର ଉତ୍ତର ହେଲା ସୂଚନା ଯଦି ତଥ୍ୟନିଷ୍ଠ ହୋଇ ନ ଥିବ, ତେବେ ତହିଁରେ ବିଷୟ ବିଶାରଦଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି ଓ ତା’ ପରେ ତାହା ହୁଏ’ତ ଇତିହାସରେ ସ୍ଥାନ ପାଇବା କଥା କି ନୁହେଁ ନିର୍ଣ୍ଣିତ ହୋଇ ପାରିବ।

ଅନ୍ୟ ଏକ ସାକ୍ଷାତକାରରେ (The Wire ଇ-ପତ୍ରିକା) ରୋମିଲା ଥାପର ‘ରାଷ୍ଟ୍ରବାଦ’ ସମ୍ପର୍କରେ ମତ ରଖିଛନ୍ତି। ସେହି ମତ ଅନୁଯାୟୀ, ‘ଆଜିର ସମସ୍ୟା ରାଷ୍ଟ୍ରବାଦ ନୁହେଁ; ସମସ୍ୟା ରହିଛି ଏକ ନିର୍ଦ୍ଦିଷ୍ଟ କିସମର ରାଷ୍ଟ୍ରୀୟତାରେ। ବାସ୍ତବିକତା ହେଲା ଯେ ଇତିହାସର ଏକ ନିର୍ଦ୍ଦିଷ୍ଟ କାଳା˚ଶରେ ରାଷ୍ଟ୍ରୀୟତା (ବା ଜାତୀୟତା) ଦୃଶ୍ୟମାନ ହୋଇଥାଏ। ଜାତୀୟତାକୁ ବୈଦିକ କାଳରୁ ବା ଗୁପ୍ତ ଯୁଗରୁ କିମ୍ବା ମୋଗଲ ସମୟରୁ ଖୋଜା ଯାଇପାରିବ ନାହିଁ। ସମାଜ ଯେତେବେଳେ ଶିଳ୍ପ ବିକାଶ, ପୁଞ୍ଜିବାଦ ଆଡ଼କୁ ମୁହାଁଇଲା ଏବ˚ ମଧୢ ବର୍ଗକୁ ସମାଜରେ ଅଧିକ ମହତ୍ତ୍ବ ମିଳିଲା, ରାଷ୍ଟ୍ରବାଦର ଉନ୍ମେଷ ହେଲା। ଏହା ହେଉଛି ଶୈକ୍ଷିକ ଇତିହାସର ବିଚାର! ରାଷ୍ଟ୍ରବାଦ ଆଧୁନିକ ସମାଜର ବିଭିନ୍ନ ବର୍ଗରେ ଏକ ବିବର୍ତ୍ତନ ଆଣି ସେମାନଙ୍କୁ ଏକ ନୂଆ ଅସ୍ମିତା ଓ ମୂଲ୍ୟବୋଧ ପ୍ରଦାନ କଲା। ତେଣିକି ନାଗରିକର ପରିଚୟରେ ମଧୢ ଏକ ପରିବର୍ତ୍ତନ ଦେଖିବାକୁ ମିଳିଲା। ପ୍ରଚଳିତ ଅନେକ ଗୁଡ଼ିଏ ରାଜ୍ୟ ବ୍ୟବସ୍ଥା ମଧୢରେ ରାଷ୍ଟ୍ର ମଧୢ ଗୋଟାଏ। ଆମେ clan ଆଧାରିତ ସମାଜ ଦେଖିଛନ୍ତି, ରାଜା କୈନ୍ଦ୍ରିକ ରାଜ୍ୟ ଦେଖିଛନ୍ତି; ବ˚ଶ ଆଧାରିତ ରାଜ୍ୟ, ସାମ୍ରାଜ୍ୟ ଦେଖିଛନ୍ତି ଏବ˚ ଏବେ ରାଜ୍ୟ-ରାଷ୍ଟ୍ରକୁ ମଧୢ (Nation State) ଦେଖୁଛନ୍ତି। ରାଜ୍ୟ-ରାଷ୍ଟ୍ରରେ ନିଜେ ରାଜ୍ୟ ହେଉଛି ଏକ ରାଷ୍ଟ୍ର। ଏହି ପ୍ରକ୍ରିୟାରେ ଯେଉଁ ଗୋଷ୍ଠୀ ସମାଜରେ ପ୍ରାଧାନ୍ୟ ଏବ˚ କର୍ତ୍ତୃତ୍ବ ଲାଭ କରେ, ସେହି ଗୋଷ୍ଠୀ ରାଷ୍ଟ୍ରବାଦର ରଙ୍ଗରୂପ ଦିଏ। ଭାରତରେ ଉପନିବେଶବାଦୀ କାଳରେ ସମସ୍ତଙ୍କୁ ନେଇ ରାଷ୍ଟ୍ରୀୟତାର କଳ୍ପନା କରାଯାଇଥିଲା। ସେହି ସମାବେଷ୍ଟୀ ରାଷ୍ଟ୍ରୀୟତା ଅବଧିରେ ପୁଣି ମୁସଲିମ ରାଷ୍ଟ୍ରୀୟତା ଏବ˚ ହିନ୍ଦୁ ରାଷ୍ଟ୍ରୀୟତା ମଧୢ ପରିଦୃଷ୍ଟ ହୋଇଥିଲା। ଏହି ଧରଣର ଧର୍ମୀୟ ରାଷ୍ଟ୍ରୀୟତା ଏକ ଧର୍ମକୈନ୍ଦ୍ରିକ ରାଜ୍ୟ-ରାଷ୍ଟ୍ରର ଅବଧାରଣ ତିଆରି କଲା। ୧୯୩୦ ଦଶକରେ ଗୋଟାଏ ପକ୍ଷରେ ପାକିସ୍ତାନର ପରିକଳ୍ପନା ଏବ˚ ଅନ୍ୟ ପକ୍ଷରେ ହିନ୍ଦୁ ରାଷ୍ଟ୍ରର ପରିଭାଷା ଦୃଢ଼ ନିଅଁ ପାଇଲା। ରାଷ୍ଟ୍ରୀୟତା ଏବ˚ ଧାର୍ମିକ ରାଷ୍ଟ୍ରୀୟତା ମଧୢରେ ପାର୍ଥକ୍ୟ ହେଲା ଯେ ପ୍ରଥମ କିସମର ରାଷ୍ଟ୍ରୀୟତାରେ ସମସ୍ତ ଗୋଷ୍ଠୀଙ୍କୁ ସମାହିତ ହେବାକୁ ଦିଆଯାଏ; ପ୍ରତ୍ୟେକ ବ୍ୟକ୍ତିକୁ ନାଗରିକର ପରିଚୟ ମିଳେ; ସମାନ ଅଧିକାର, ସମାନ ସାମାଜିକ ନ୍ୟାୟ ଏବ˚ ଆଇନରେ ସମାନତା ମିଳିବାର ସୁଯୋଗ ରହିଥାଏ; ରାଷ୍ଟ୍ରର ସ˚ପଦରେ ପ୍ରତ୍ୟେକଙ୍କର ସମାନ ଅଧିକାର ରହେ। ସ˚ପଦର ବଣ୍ଟନରେ ମଧୢ ପାତର ଅନ୍ତରର ଭାବ ନ ରହିବାର ନିର୍ଭର ପ୍ରତିଶ୍ରୁତି ମିଳେ। ପୁଣି ଉକ୍ତ ରାଷ୍ଟ୍ରୀୟତାରେ ନାଗରିକତ୍ବ ସହିତ ମାନବିକ ଅଧିକାରର ସୁରକ୍ଷା ବିଷୟ ରହିଥାଏ। ମାତ୍ର ରାଷ୍ଟ୍ରୀୟତାରେ ଯଦି ଏକ ନିର୍ଦ୍ଦିଷ୍ଟ ଧର୍ମ, ଜାତି, ଭାଷା କିମ୍ବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ତ୍ତୃତ୍ବ ରହେ, ଉକ୍ତ ପାତର ଅନ୍ତର ଭାବ ସୁସ୍ପଷ୍ଟ ହୋଇଯାଏ।

ଧର୍ମକୈନ୍ଦ୍ରିକ ରାଷ୍ଟ୍ରୀୟତା ସର୍ବଦା ପକ୍ଷପାତପୂର୍ଣ୍ଣ ବୋଲି ରୋମିଲା ଥାପରଙ୍କ ଯୁକ୍ତି ପଛରେ ପାକିସ୍ତାନର ଉଦାହରଣକୁ ଦେଖିହେବ। ଅର୍ଥାତ୍‌ ଭାରତ ଯଦି ହିନ୍ଦୁ ରାଷ୍ଟ୍ରରେ ରୂପାନ୍ତରିତ ହୁଏ, ତେବେ, ସମାନ କିସମର ପକ୍ଷପାତ ଦେଖାଯିବ ବୋଲି ତାଙ୍କର ଦୃଢ଼ ଆଶଙ୍କା। ତେଣୁ, ସେହି ସାକ୍ଷାତକାରରେ ସେ କହନ୍ତି, ‘ହିନ୍ଦୁ ରାଷ୍ଟ୍ରରେ ହିନ୍ଦୁ ନାଗରିକକୁ ଅଧିକ କର୍ତ୍ତୃତ୍ବ ମିଳିବାର ସମ୍ଭାବନା ରହିବ, କାରଣ ଇ˚ରେଜ ଶାସିତ ଭାରତ (British India)କୁ ତା’ର ‘ପିତୃ-ଭୂମି’ ଏବ˚ ତା’ର ‘ପୁଣ୍ୟ-ଭୂମି’ ବୋଲି ତାକୁ ଭରସା ଦିଆଯାଇଥାଏ। … ସେଥିପାଇଁ ଆମ ମନରେ ରାଷ୍ଟ୍ରୀୟତାକୁ ନେଇ ଥିବା ଧାରଣା ଏବ˚ ସେମାନଙ୍କ ମନରେ ରାଷ୍ଟ୍ରକୁ ନେଇ ରହିଥିବା ଧାରଣା ମଧୢରେ ଏକ ସ୍ପଷ୍ଟ ବିରୋଧାଭାସ ରହିଛି। ପ୍ରଶ୍ନ ଉଠିଥାଏ ଯେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁଠି ପ୍ରତ୍ୟେକ ନାଗରିକକୁ ପ୍ରତିନିଧିତ୍ବ ମିଳିବା କଥା, ସେଠାରେ କିଛି ଲୋକଙ୍କୁ ଅଗ୍ରାଧିକାର କେମିତି ଦେଇହେବ? କାରଣ ଏକ ଗଣତନ୍ତ୍ରରେ ପ୍ରତ୍ୟେକଙ୍କୁ ସମାନ ଅଧିକାର ଦିଆଯିବା ଅନିବାର୍ଯ୍ୟ। ତେବେ ରାଷ୍ଟ୍ରୀୟତାକୁ ପରିଭାଷିତ କଲା ସମୟରେ ଧାର୍ମିକ, ଭାଷାଗତ କିମ୍ବା ଜାତିଗତ ଆଧାରରେ ଯେଉଁ ପକ୍ଷପାତ ସୃଷ୍ଟି କରାଯାଏ, ସେଥିରେ ପ୍ରଥମେ ଏହାକୁ ସ୍ଲୋଗାନ ମାଧୢମରେ କୁହାଯାଏ। ‘ସେମାନଙ୍କ’ ସ୍ଲୋଗାନକୁ ଲକ୍ଷ୍ୟ କଲେ, ଦେଖାଯିବ ଯେ ତହିଁରେ ହିନ୍ଦୁକୁ ଶ୍ରେଷ୍ଠତର ଭାବେ ପରିଭାଷିତ କରାଯାଇଛି। ସ୍ଲୋଗାନରେ ନାଗରିକର ଧାର୍ମିକ ପରିଚୟକୁ ସର୍ବଦା ଗୁରୁତ୍ବ ଦିଆଯାଏ।

ମୋଟ କଥା ହେଲା ଯେ ରୋମିଲା ଥାପରଙ୍କ ବିଚାରରେ ସମାବେଷ୍ଟୀ (Inclusive) ରାଷ୍ଟ୍ରୀୟତା ଭାରତ ଭଳି ଏକ ବହୁବିଧ ସମାଜରେ ସର୍ବଦା ସ୍ବାଗତଯୋଗ୍ୟ। ଏହା ଧର୍ମ ଏବ˚ ଆଞ୍ଚଳିକତା ଆଦି ଆଧାରରେ ନାଗରିକ ପ୍ରତି ସମସ୍ତ ପକ୍ଷପାତକୁ ଅସ୍ବୀକାର କରେ ଏବ˚ ଧର୍ମ ଓ ଆଞ୍ଚଳିକତା ଆଦି ନିର୍ବିଶେଷରେ ନାଗରିକର ସମାନ ଅଧିକାର ପାଇଁ ପକ୍ଷ ବାଢ଼େ। ଏହାର ବିପରୀତ ହେଉଛି ଧର୍ମକୈନ୍ଦ୍ରିକ ରାଷ୍ଟ୍ରୀୟତା ଯହିଁରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଶ୍ରେଷ୍ଠତର ବୋଲି ଘୋଷଣା କରାଯାଏ ଏବ˚ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ସମାନ ନାଗରିକ ଅଧିକାରରୁ ବଞ୍ଚିତ କରିବାର ତର୍କ ଦିଆଯାଏ। ଏହି ଆଧାରରେ ଆଜି ପାକିସ୍ତାନରେ ସୁନ୍ନି ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଏଭଳି କି ସିଆ ଏବ˚ ବା˚ଲାଦେଶୀ ମୁସଲମାନଙ୍କୁ ମଧୢ ଖୋଲାଖୋଲି ପକ୍ଷପାତର ଶିକାର ହେବାକୁ ପଡୁଛି। ହିନ୍ଦୁକୁ ଶ୍ରେଷ୍ଠତର ବୋଲି ଦାବି କରୁଥିବା ସ୍ଲୋଗାନ ପଛରେ ମଧୢ ଅଣ-ହିନ୍ଦୁ ପ୍ରତି ଏବ˚ ଜାତି ଆଧାରରେ ‘ତଳ’ ଜାତି ପ୍ରତି ଅସୂୟା ଭାବ ଅନ୍ତର୍ନିହିତ ରହିଥାଏ। ରୋମିଲା ଥାପର ସମକାଳୀନ ଭାରତରେ ଉଭୟ ସମାବେଷ୍ଟୀ ଏବ˚ ଅସମାବେଷ୍ଟୀ ରାଷ୍ଟ୍ରୀୟତାକୁ ଦେଖନ୍ତି ଏବ˚ ଇତିହାସର ଜଣେ ପ୍ରଖ୍ୟାତ ବିଷୟ ବିଶାରଦ ଭାବେ ବିଷୟ ମଧୢରେ ସୀମିତ ନ ରହି ସାଧାରଣ ସ୍ତରରେ ତଥା ସାଧାରଣ ପ୍ରସଙ୍ଗରେ ନିଜର ତର୍କନିଷ୍ଠ ଏବ˚ ଯୁକ୍ତିନିଷ୍ଠ ବିଚାର ରଖନ୍ତି। ସମାବେଷ୍ଟୀ ରାଷ୍ଟ୍ରୀୟତା ପ୍ରତି ତାଙ୍କ ଆଦର ସ୍ପଷ୍ଟ। ସେହି କାରଣରୁ ଧର୍ମକୈନ୍ଦ୍ରିକ ରାଷ୍ଟ୍ରୀୟତାର ପକ୍ଷଧରମାନଙ୍କର ସେ ଚକ୍ଷୁଶୂଳ ହେବାରେ କିଛି ବିଚିତ୍ରତା ନାହିଁ।

[email protected]

ସମ୍ବନ୍ଧିତ ଖବର