ମହାମାରୀର ସନ୍ଦେଶ

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ମହାମାରୀ ସାରା ବିଶ୍ୱକୁ ଯେତିକି ସନ୍ତାପିତ କରୁଛି, ନିଜର ଚିର ପରିଚିତ ଓ ସ୍ୱାଭାବିକ ଦୁନିଆକୁ ଫେରିଯିବା ପାଇଁ ମଣିଷ ମନରେ ବ୍ୟଗ୍ରତା ସେତିକି ବଢ଼ି ଚାଲିଛି। ସକାଳୁ ଉଠି ପ୍ରାତଃ ଭ୍ରମଣରେ ଯିବା, ବନ୍ଧୁମାନଙ୍କ ସହ ମିଶି ଚା’ ପିଇବା, ପିଲାଙ୍କୁ ସ୍କୁଲରେ ଛାଡ଼ିବା, ଅଫିସ ବା ବ୍ୟବସାୟ ସ୍ଥାନକୁ ଯିବା, ଘରକୁ ଫେରିବା ବାଟରେ ହାଟରେ ପଶି ସଉଦାପତ୍ର କିଣିବା ଇତ୍ୟାଦିକୁ ନେଇ ଗଢ଼ା ଆମର ଜୀବନଚର୍ଯ୍ୟା। କେତେ ଖୁସି ଲାଗେ ସତେ ଏସବୁ ସୁରୁଖୁରୁରେ ସମ୍ପାଦନ ହୋଇଗଲେ। ଠିକ ସେହିପରି ଆମ ଜୀବନକାଳର ବିଭିନ୍ନ ପର୍ଯ୍ୟାୟରେ ପରିଚିତ ଓ ସ୍ୱାଭାବିକ ଘଟନାପ୍ରବାହ, ଯେମିତିକି ପିଲାଙ୍କ ପାଠପଢ଼ା, ବାହାଘର ଇତ୍ୟାଦି, ଆଶାନୁରୂପ ଘଟିଚାଲିଲେ ଆମେ ଭାବୁ ଜୀବନ ସଫଳ ହେଲା। ସ୍ୱାଭାବିକତା ଭିତରେ ଆମେ ଖୋଜିଥାଉ ସୁଖର ସଂଜ୍ଞା।

ପରିଚିତ ଜୀବନଧାରା ପ୍ରତି ଆମର ଦୁର୍ବଳତା ଆମକୁ କରିଦିଏ ପରିବର୍ତ୍ତନ ବିମୁଖ। ଚିହ୍ନା ରୁଟିନର ସ୍ବାଚ୍ଛନ୍ଦ୍ୟକୁ ଛାଡ଼ି କିଏ ବା ଚାହିଁବ ଅଚିହ୍ନାର ଧାର ଧାରିବାକୁ, ଅଚିହ୍ନା ଭିତରେ ଯେତେ ପ୍ରତିଶ୍ରୁତି ଥାଉ ନା କାହିଁକି? ଧରାବନ୍ଧା ଜୀବନଧାରାକୁ ଫେରିଯିବା ପାଇଁ ଆମର ତୀବ୍ର ଇଚ୍ଛାର ମୂଳରେ ରହିଛି ଆମର ଜୈବିକ ସଂରଚନା। ମଣିଷର ଶାରୀରିକ ପ୍ରଣାଳୀରେ ଗୋଟିଏ ସୁନ୍ଦର ପଦ୍ଧତି ଜଡ଼ିତ ରହିଛି ଯାହା ପ୍ରଣାଳୀର ହୋମିଓଷ୍ଟାସିସ୍‌ ବା ସମସ୍ଥିତି ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ। ଯଦି ଆମର ସ୍ୱାଭାବିକ ଶାରୀରିକ ଅବସ୍ଥାରେ କିଛି ବ୍ୟତିକ୍ରମ ଦେଖା ଦେଲା ତେବେ ହୋମିଓଷ୍ଟାସିସ ରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ବ୍ୟବସ୍ଥା, ବିଭିନ୍ନ ଅଙ୍ଗ ସହିତ ସମନ୍ୱୟ ସୃଷ୍ଟି କରି ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ତତ୍ପର ହୋଇ ଉଠେ। ଉଦାହରଣ ସ୍ୱରୂପ ଯଦି ଆମ ଶରୀରର ତାପମାତ୍ରା କମିଗଲା ବା ବଢ଼ିଗଲା, ତେବେ କମ୍ପନ ଅଥବା ଝାଳ ବୋହିବା ଦ୍ୱାରା ସମସ୍ଥିତି କାଏମ ରହିଥାଏ।

ଶରୀରର ସ୍ୱାଭାବିକ ଅବସ୍ଥାକୁ ଫେରିବାର ପ୍ରବଣତା ଆମେ ଆମର ବାହ୍ୟିକ ଓ ସାମାଜିକ ବ୍ୟବହାରରେ ମଧ୍ୟ ଲକ୍ଷ୍ୟ କରୁ। ସାମାଜିକ ସ୍ତରରେ କିଛି ବିଚ୍ୟୁତି ଦେଖାଦେଲେ ସମସ୍ତେ ଲାଗିପଡ଼ନ୍ତି ଆଗ ଅବସ୍ଥାକୁ ଫେରିଯିବାକୁ। ହେଲେ କରୋନା ଦ୍ୱାରା ଆସିଥିବା ବିଚ୍ୟୁତି ଖୁବ୍‌ ବଡ଼ ଧରଣର। ଏ ମହାମାରୀ ଆମକୁ ଆଣି ଏମିତି ଏକ ଦୁନିଆରେ ପହଞ୍ଚାଇ ଦେଇଛି ଯେଉଁଠି ଜଣା ଅପେକ୍ଷା ଅଜଣାର ପ୍ରତିପତ୍ତି ଅଧିକ। ଏକ ଅଜବ ଓ ଅପରିଚିତ ନିୟମ ବ୍ୟବସ୍ଥା ଯେମିତି ଆମ ପରିଚିତ ଦୁନିଆର ପଥରୋଧ କରୁଛି। ଏହି ଉଦ୍ଭଟ ଶୃଙ୍ଖଳା ବାହାରେ ପୀଡ଼ା, ବ୍ୟାଧି ଓ ମୃତ୍ୟୁର ସମ୍ଭାବନା ଆମକୁ ସତର୍କ କରିଚାଲିଛି ଅନବରତ। ଏପରି ସମୟରେ ପୁରୁଣାକୁ ପୁଣି ଫେରିଯିବାର ବ୍ୟଗ୍ରତା ଖୁବ୍‌ ସ୍ୱାଭାବିକ।

କେବଳ ବ୍ୟକ୍ତିଗତ ସ୍ତରରେ ନୁହେଁ, ପୁରୁଣା ସମୟକୁ ଫେରିଯିବାକୁ ସାମାଜିକ ଓ ସରକାରୀ ସ୍ତରରେ ମଧ୍ୟ ଅଧୀରତା। କଳ କାରଖାନା କେମିତି ଆଗଭଳି ଚାଲିବ, ଅର୍ଥନୀତି କେମିତି ପ୍ରଗତି ପଥରେ ଗଡ଼ି ଚାଲିବ, ବିକାଶର ବେଗ ବଢିବ, ଗରିବୀ ଓ ବେକାରି କମିବ, ଗାଡ଼ି ମଟର, ଉଡ଼ାଜାହାଜ ଆଗ ଭଳି ଚାଲିବ ଇତ୍ୟାଦି। ମୋଟାମୋଟି କହିବାକୁ ଗଲେ ଜାନୁଆରି ୨୦୨୦ର ଅବସ୍ଥାକୁ କେମିତି ଆମେ ଫେରିଯିବା। ବିଶ୍ୱର ସବୁ ଦେଶର ଜନସାଧାରଣ ପୂର୍ବ ଜୀବନଶୈଳୀକୁ ଫେରିବାକୁ ଚାହିଁ ବସିଥିବା ବେଳେ ଶାସକମାନେ ଲାଗିଛନ୍ତି କେମିତି ପୂର୍ବ ଅର୍ଥନୀତି ଓ ଶାସନ ବ୍ୟବସ୍ଥା କାଏମ କରିହେବ। ଏହାର ଅର୍ଥ ହେଲା ସମସ୍ତେ ମହାମାରୀଟିକୁ ଏକ ସାମୟିକ ବିପତ୍ତି ହିସାବରେ ଧରି ନେଇଛନ୍ତି। ବିପତ୍ତି ଅପସରି ଗଲେ ଆମେ ପୁରୁଣା ଜୀବନ ପୁଣି ଉପଭୋଗ କରିବା।

ହେଲେ ଏପରି ଭାବିବା ଦ୍ୱାରା ଆମେ ହୁଏତ ଏକ ବିରାଟ ସତ୍ୟକୁ ଆଖିବୁଜି ଦଉଛୁ। ଆମେ ଜାଣିବାକୁ ଚାହୁଁ ନାହୁଁ କ’ଣ ପାଇଁ ଏହି ମହାମାରୀ କରିଦେଇଛି ସବୁକିଛି ଓଲଟ ପାଲଟ? ଏତେ ବଡ଼ ଆପଦ, ଏତେ ଅନିଶ୍ଚିତତା ମଣିଷ ଜାତି ବିଗତ ଶହେ ବର୍ଷ ହେଲା ଦେଖି ନ ଥିଲା। କ’ଣ ଏହି ମହାମାରୀର ଆମ ପ୍ରତି ସନ୍ଦେଶ? ଏହି ମହାବିପତ୍ତି ପଛରେ ଅଛି କି ବିଶ୍ୱକୁ ପରିଚାଳିତ କରୁଥିବା କୌଣସି ମହାଶକ୍ତି କିମ୍ବା ପ୍ରକୃତିର କିଛି ଇଙ୍ଗିତ? ଆମକୁ ଆମର କୌଣସି ଭୁଲ ପ୍ରତି ସଜାଗ କରିବାର ପ୍ରୟାସ?

ଏଣୁ ମହାମାରୀର ଏହି ବିଭୀଷିକାକୁ ପ୍ରତିହତ କରିବା ପାଇଁ ଗୋଟିଏ ପଟେ ଉଦ୍ୟମ ହେଲାବେଳେ ଅନ୍ୟ ପଟରେ ଏହାର ମାନବଜାତି ପ୍ରତି ସନ୍ଦେଶର ଗୂଢ଼ଲିପିକୁ ବୁଝିବାର ପ୍ରଚେଷ୍ଟା ହେବା ଉଚିତ। ସେ ସନ୍ଦେଶକୁ ବୁଝିବା ସଙ୍ଗେ ସଙ୍ଗେ ସାମାଜିକ ଓ ବ୍ୟାବହାରିକ ପରିବର୍ତ୍ତନର ପରିକଳ୍ପନା ହେବା ଉଚିତ। ଏହି ପରିବର୍ତ୍ତନ କେବଳ ଉପରଠାଉରିଆ ହେଲେ ଚଳିବ ନାହିଁ, ଏହା ପରିବର୍ତ୍ତନ ମୌଳିକ ହେବା ଉଚିତ। ଆଉ ସେମିତି ଏକ ନୂତନ ବିଶ୍ୱର ବ୍ଲୁପ୍ରିଣ୍ଟ୍‌ ତିଆରି କରିବାର ଦାୟିତ୍ୱ ବୟସ୍କଙ୍କ ହାତରେ ଛାଡ଼ି ଦେଇ ହେବ ନାହିଁ, କାରଣ ସେମାନଙ୍କର ଚିନ୍ତାଧାରା ଗତାନୁଗତିକତା ଭିତରେ ଆବଦ୍ଧ ହୋଇ ରହିଯିବ। ଏଥିପାଇଁ ଦରକାର ଆଜିର କିଶୋର ଓ ନବଯୁବକମାନଙ୍କର ବିଚାର ମନ୍ଥନ, କାରଣ ଭବିଷ୍ୟତ ସେମାନଙ୍କର।

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର