କୁକୁର ଦ୍ୱାରା କରୋନା ଚିହ୍ନଟ

ଝରକା

ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଚିଲିରେ ଏକ ସ୍ବତନ୍ତ୍ର ଧରଣର ପରୀକ୍ଷଣ ଚାଲୁ ରହିଛି। ସେଠିକାର ପୁଲିସ ଦ୍ବାରା ବ୍ୟବହୃତ ଗୋଟିଏ ଲାବ୍ରାଡର ଓ ତିନିଟି ଗୋଲ୍‍ଡେନ୍ ରିଟ୍ରିଭର୍ କୁକୁରଙ୍କୁ କୋଭିଡ୍-୧୯ ରୋଗୀ ଚିହ୍ନଟ କରିବା ଲାଗି ପ୍ରଶିକ୍ଷଣ ଦିଆଯାଉଛି। ଏହି କୁକୁରଗୁଡ଼ିକ ପୂର୍ବରୁ ବିସ୍ଫୋରକ, ବେଆଇନ୍ ଡ୍ରଗ୍‍ସ ଆଦି ଠାବ କାର୍ଯ୍ୟରେ ଧୁରନ୍ଧର ଥିଲେ। କୁକୁରମାନଙ୍କ ଘ୍ରାଣ ଶକ୍ତି ମଣିଷ ତୁଳନାରେ ୫୦ ଗୁଣ ଅଧିକ। ତାଙ୍କର ନାକରେ ବିଭିନ୍ନ ବାସ୍ନା ବାରି ପାରୁଥିବା ୩୩ କୋଟିରୁ ଅଧିକ ସମ୍ବେଦନଶୀଳ କୋଷ ରହିଥାଏ। କିନ୍ତୁ, କୋଭିଡ୍-୧୯ ଭୂତାଣୁର କୌଣସି ଗନ୍ଧ ନାହିଁ। ତେଣୁ ଏହି ପଦ୍ଧତିରେ ସିଧାସଳଖ ଭୂତାଣୁର ସ୍ଥିତି ଜାଣିବା ସମ୍ଭବ ନୁହେଁ। ତେବେ କୋଭିଡ୍ ଭୂତାଣୁ ମଣିଷକୁ ଆକ୍ରାନ୍ତ କଲେ ମଣିଷର ପାକ କ୍ରିୟାରେ ପରିବର୍ତ୍ତନ ହୋଇଥାଏ। ଏହାର ପ୍ରଭାବରେ ଦେହରୁ ନିର୍ଗତ ଝାଳର ଗନ୍ଧ ବଦଳି ଯାଇଥାଏ ବୋଲି କୁହାଯାଉଛି। ଏହି ଗନ୍ଧକୁ ବାରିବାରେ କୁକୁରମାନେ ସକ୍ଷମ ହେଉଛନ୍ତି। ୟୁରୋପ ଓ ଦୁବାଇରେ ସମାନ ପରୀକ୍ଷଣ କରାଯାଇ ୯୫ ପ୍ରତିଶତ ଫଳପ୍ରଦତାର ସହ କୁକୁରମାନେ କୋଭିଡ୍ ସଂକ୍ରମିତଙ୍କୁ ଚିହ୍ନଟ କରି ପାରୁଥିବା କଥା କୁହାଯାଉଛି। ଏଭଳି ପ୍ରଶିକ୍ଷିତ କୁକୁର ଘଣ୍ଟାକୁ ୨୫୦ ଜଣଙ୍କର ଚିହ୍ନଟ କରିପାରିବ। କୁକୁରଙ୍କୁ କୋଭିଡ୍ ସଂକ୍ରମଣର ବିପଦ ନ ଥିବାରୁ ଏହି ପଦ୍ଧତିରେ ରୋଗ ଚିହ୍ନଟ ସହଜ ଓ ସୁରକ୍ଷିତ ବୋଲି କୁହାଯାଉଛି। ଏୟାରପୋର୍ଟ ଓ ରେଳ ଷ୍ଟେସନ୍‍ ଭଳି ଜନାକୀର୍ଣ୍ଣ ସ୍ଥାନରେ ଏଭଳି ପ୍ରଶିକ୍ଷିତ କୁକୁରଙ୍କୁ ନିୟୋଜିତ କରିବାର ଯୋଜନା କରୁଛି ଚିଲି ପୁଲିସ। ପୂର୍ବରୁ ଏହା ଦେଖାଯାଇଛି ଯେ କେତେକ କ୍ଷେତ୍ରରେ କୁକୁର ଯକ୍ଷ୍ମା, ପରଜୀବୀ ବା ପାରାସାଇଟ୍‌ ସଂକ୍ରମଣ ଓ କ୍ୟାନ୍‍ସର୍ ଆଦି ଭଳି ରୋଗ ଚିହ୍ନଟ କରିପାରୁଛନ୍ତି।

ଏବେ ଯେଉଁ ପଦ୍ଧିତିରେ ସ୍ବାବ୍‌ ପରୀକ୍ଷା କରାଯାଉଛି ତାର ସଠିକତା ୭୦ ପ୍ରତିଶତ ବୋଲି କୁହାଯାଉଛି। ତେଣୁ ସେଥିରେ ‘ପଜିଟିଭ୍‌’ ଓ ‘ନେଗେଟିଭ୍‌’ ଚିହ୍ନଟରେ ବେଳେ ବେଳେ ଭୁଲ ହେଉଥିବା ଦେଖାଯାଉଛି। ତା’ ଛଡ଼ା ଏହି ପରୀକ୍ଷଣ ଅତ୍ୟନ୍ତ ବ୍ୟୟବହୁଳ। ଯଦି ଦାବି କରାଯାଉଥିବା ଭଳି କୁକୁରମାନେ ୯୫% ସଠିକତାର ସହିତ ଫଳ ଦର୍ଶାନ୍ତି, ତେବେ ଏହା ଠାରୁ ଭଲ ଆଉ କ’ଣ ହୋଇପାରେ?

ସମ୍ବନ୍ଧିତ ଖବର