ଅଦ୍ଭୁତ ସ୍ଥିତିରେ ଆମେରିକା

ଆମେରିକାରୁ ପତ୍ର - ଅନାଦି ନାୟକ

ଆମେରିକା ବର୍ତ୍ତମାନ ଏକ ଅଦ୍ଭୁତ ପରିସ୍ଥିତି ଭିତର ଦେଇ ଗତି କରୁଛି। ସରକା‌ରର କଥାକୁ ନମାନିବା ପାଇଁ ଅନେକଙ୍କର ବଳବତ୍ତର ଇଚ୍ଛା। ନିଜର ସ୍ୱାଧୀନତାକୁ ପ୍ରତିପାଦନ କରିବା ପାଇଁ ସେମାନେ ଏହା କରୁଛନ୍ତି। ଏକ ଲକ୍ଷ ସତେଇଶ ହଜାର ଲୋକ କରୋନା ଭାଇରସ୍‌ରେ ମଲେଣି ଓ ଆହୁରି ବହୁ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡ଼ିଲାଣି। ରୋଗଟିକୁ ବ୍ୟାପିବାକୁ ନଦେବାର ପ୍ରଥମ ପାହାଚ ହେଲା ମୁହଁରେ ତୁଣ୍ଡି ବାନ୍ଧିବା। ଏ କଥା ଜାଣି ମଧ୍ୟ ଆମେରିକାରେ ଅନେକ ଲୋକ ମୁହଁରେ ତୁଣ୍ଡି ବାନ୍ଧିବାକୁ ଚାହୁଁ ନାହାନ୍ତି। ବିଶେଷଜ୍ଞମାନେ ଏଥିପାଇଁ ବିଚଳିତ। କାରଣ ଏଥିପାଇଁ କିଛି କରିପାରିବାକୁ ସେମାନେ ଅକ୍ଷମ। ରାଷ୍ଟ୍ରପତି ଟ୍ରମ୍ପ ନିଜେ ମୁହଁରେ ତୁଣ୍ଡି ଲଗାଉ ନାହାନ୍ତି। “ମୁହଁରେ ତୁଣ୍ଡି ଲଗାଇଲେ ଭଲ ଦେଖାଯିବ ନାହିଁ’’– ଏଇଟା ହେଲା ତାଙ୍କର ଯୁକ୍ତି। ତୁଣ୍ଡିଟାକୁ ଦୁର୍ବଳତାର ଏକ ଲକ୍ଷଣ ବୋଲି ସେ କେତେଥର କହିଛନ୍ତି। ତାଙ୍କ କଥାଟାକୁ ଅନେକେ ଉତ୍ସାହର ସହିତ ଗ୍ରହଣକରି ତୁଣ୍ଡି ଲଗାଉ ନାହାନ୍ତି। ସରକାରୀ ଡାକ୍ତର ଓ ବିଶେଷଜ୍ଞମାନେ ଯେତେ ଯାହା କହିଲେ କଅଣ ହେବ, ସରକାରର ସର୍ବୋଚ୍ଚ ସ୍ଥାନରେ ଥିବା ଡୋନାଲ୍‌ଡ ଟ୍ରମ୍ପ କହୁଛନ୍ତି ଯେ ମୁହଁରେ ତୁଣ୍ଡି ଲଗାଇବେ କି ନଲଗାଇବେ– ଏହାର ସ୍ୱାଧୀନତା ଲୋକଙ୍କର ଅଛି ଓ ସରକାର ସେମାନଙ୍କ ଉପରେ ନିଜର ଇଚ୍ଛାକୁ ଲଦି ଦେଇ ପାରିବ ନାହିଁ। ସେମାନେ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେବେ। କଥାଟା ଅନେକଙ୍କୁ ସୁହାଉଛି ଓ ସେମାନେ ପାଟି ପାଇଁ ପଟି ଲଗାଉ ନାହାନ୍ତି।

ଅନେକେ ପଚାରି ପାରନ୍ତି “ଆମେରିକାରେ ଏତେ ରକମର କଳ କାରଖାନା, ବୁଦ୍ଧି ବିଦ୍ୟା ଥିବା ବେଳେ ଲୋକମାନେ ଏତେ ବୋକା ଭଳି ଚଳୁଛନ୍ତି କେମିତି? ଏତେ ଲୋକ ମଲା ପରେ ବି ଲୋକେ ସରକାର ଉପରେ ରାଗୁନାହାନ୍ତି କାହିଁକି?” କଥାରେ ଅଛି ଅତି ବୁଦ୍ଧିଆ ଢିଙ୍କି ମୁଣ୍ଡା। ମାସକ ତଳେ ପ୍ରାଇଭେଟ କମ୍ପାନିରେ କାମ କରୁଥିବା ବୈଜ୍ଞାନିକମାନେ ମହା ଶୂନ୍ୟରେ ଥିବା ସ୍ପେସ୍ ଷ୍ଟେସନ ସହିତ ନିଜର ଏକ ଯାନକୁ ଯୋଡ଼ିଲେ। ତାହା ସତ୍ତ୍ୱେ କରୋନା ଭାଇରସ୍‌ର ପ୍ରାଦୁର୍ଭାବ ଯେ ସାଂଘାତିକ ହୋଇପାରେ ଏଠାର ଲୋକେ ଏହା ଦେଖି ମଧ୍ୟ ବିଶ୍ୱାସ କରିବାକୁ ନାରାଜ। ଟ୍ରମ୍ପଙ୍କ ଉପଦେଶକ୍ରମେ ସେମାନେ ନିଜର ସ୍ୱାଧୀନତା ଓ ନାଗରିକ ଅଧିକାରକୁ ଖୁବ୍ ଟାଣ କରି ଧରି ରଖିଛନ୍ତି। ଆମେରିକାର ସମ୍ବିଧାନ ଅନୁଯାୟୀ ସେମାନଙ୍କର ଏ ଭଳି ଅଧିକାର ଅଛି ବୋଲି ଦାବି କରାଯାଉଛି। ଆଗକୁ ଆସୁଥିବା ନିର୍ବାଚନରେ ଏହି ଲୋକମାନଙ୍କର ସାହାଯ୍ୟ ପାଇବା ପାଇଁ ଟ୍ରମ୍ପ ଏବଂ ତାଙ୍କର ରିପବ୍ଲିକାନ ଦଳ ତଥା କଥିତ ସ୍ୱାଧୀନଚେତା ମାନଙ୍କର ବିରୋଧ କରୁ ନାହାନ୍ତି। କୌଣସି ସରକାରୀ କର୍ମଚାରୀ କାହାରିକୁ ଏଥିପାଇଁ ବାଧ୍ୟ କରି ପାରୁ ନାହାନ୍ତି। କାରଣ ଏହା କଲେ ନିଜ ଡିପାର୍ଟମେଣ୍ଟର ମୁଖ୍ୟଙ୍କର ସାହାଯ୍ୟ ତ ମିଳିବ ନାହିଁ ଓଲଟି କର୍ମଚାରୀ ଜଣକ ଚାକିରି ହରାଇବେ ବା କୋର୍ଟକୁ ଟଣା ହେବେ। ଏ ସବୁ ଧନ୍ଦାରେ ନ ପଶିବା ପାଇଁ କିଛି ନକରିବା ବରଂ ଭଲ ବୋଲି ସେମାନେ ଭାବୁଛନ୍ତି। ମୋଟ ଉପରେ ବିଜ୍ଞା‌ନର ଧରା ବନ୍ଧା ପଦ୍ଧତିକୁ ବିଶ୍ୱାସ ନକରିବା ପାଇଁ ଏକ ପ୍ରକାରର ଆନ୍ଦୋଳନ ଏଠି ଚାଲିଛି। ଟ୍ରମ୍ପ ନିଜେ ଏହି ଆନ୍ଦୋଳନର ନେତା।

କରୋନା ଭାଇରସ୍‌ର ଉପସ୍ଥିତିକୁ ଯେମିତି ଅସ୍ୱୀକାର କରା ଯାଉଛି ସେମିତି ତାର ପରିଣତି ଉପରେ ମଧ୍ୟ ସନ୍ଦେହ ପଡୁଛି। ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ରୋଗର ଚିକିତ୍ସକମାନେ କହୁଛନ୍ତି ଯେ ଏକଲକ୍ଷ ସତେଇଶ ହଜାର ଲୋକ ମଲେଣି। ମାତ୍ର ଆମେରିକାର ଗୋଟାଏ ଗୋଷ୍ଠୀ ଏହାକୁ ‘ଅତିରଂଜିତ’ ବୋଲି ଚିତ୍ରଣ କରୁଛନ୍ତି। ‘‘ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲକୁ ଆସିଥିବା ଲୋକଙ୍କୁ ପଇସା ଲୋଭରେ ହସ୍ପିଟାଲମାନେ ‘କରୋନା ରୋଗରେ ଆକ୍ରାନ୍ତ’ କହି ହିସାବକୁ ଆଣୁଛନ୍ତି” ବୋଲି ସେମାନେ କହୁଛନ୍ତି। ଏକଥା ରେଡିଓ ଓ ଟେଲିଭିଜନରେ କହିବା ସାଙ୍ଗେ ସାଙ୍ଗେ ଫେସ୍‌ବୁକ୍, ଟ୍ୱିଟର ଓ ଇ-ମେଲ୍‌ରେ ଲେଖା ଯାଉଛି। କଥାଟା ମିଛ ହେଲେ ବି ଖୁବ୍ ପ୍ରଚାରିତ ହେଉଛି ଓ ତାକୁ ଲୋକେ ବିଶ୍ୱାସ କରୁଛନ୍ତି। କରୋନା ଭାଇରସ୍‌ର ସମ୍ପ୍ରସାରଣ ଓ ତାହା ଦ୍ୱାରା ହେଉଥିବା କ୍ଷୟ କ୍ଷତିକୁ ସ୍ୱୀକାର କଲେ ଟ୍ରମ୍ପଙ୍କ ସରକାର ଓ ରିପବ୍ଲିକାନ ପାର୍ଟି ଉଭୟେ ଅପାରଗ ଜଣାପଡ଼ିବେ। ସେଥିପାଇଁ ମୂଳରୁ ତାକୁ ଅସ୍ୱୀକାର କଲେ ଓ ପ୍ରକୃତ ତଥ୍ୟ ବିରୋଧରେ ଜନମତ ସୃଷ୍ଟିକଲେ ଆଗକୁ କୌଣସି ବିପଦ ରହିବ ନାହିଁ। ଆମେରିକା-ବାହାରର ଲୋକଙ୍କୁ ଏଇଟା ଅଦ୍ଭୁତ ବା ଅସଙ୍ଗତ ଜଣା ପଡ଼ିପାରେ। ମାତ୍ର ଆମେରିକାର ଧରାବନ୍ଧା ଚାଲିଚଳଣରେ ଏପରି ଘଟିବାଟା ଆଦୌ ଅସ୍ୱାଭାବିକ ନୁହେଁ।

କଥାରେ ଅଛି “ତିନି ତୁଣ୍ଡରେ ଛେଳି କୁକୁର୍”। ସେମିତି କୌଣସି ଏକ କଥାକୁ ଗୁଡ଼ାଏ ଲୋକ ବାରମ୍ବାର ଦୋହରାଇଲେ ବା ବଡ଼ ପାଟିରେ ଘୋଷଣା କଲେ କ୍ରମେ କଥାଟାକୁ ଅନ୍ୟମାନେ ସତ ବୋଲି ଭାବିବେ। ସତକୁ ମିଛ ଓ ମିଛକୁ ସତ ବୋଲି ପ୍ରତିପାଦନ କରିବା ଲାଗି ଆମେରିକାରେ ବିଚକ୍ଷଣ ଲୋକଙ୍କର ଅଭାବ ନାହିଁ। ଓକିଲ, ସାମ୍ବାଦିକ, ଲବିଷ୍ଟ, ଲୋକ ପ୍ରତିନିଧି ଭାବରେ ସେମାନେ ୱାସିଂଟନରେ ଓ ଦେଶର ପେଣ୍ଠ ଜାଗା ମାନଙ୍କରେ ଭର୍ତ୍ତି ହୋଇ ରହିଛନ୍ତି। ଟ୍ରମ୍ପ ଓ ତାଙ୍କ ସରକାର ଠାରୁ ପଇସା, ସମ୍ମାନ ଓ ସୁବିଧା ପାଇ ସେମାନଙ୍କ ଭିତରୁ ଅନେକେ ତାଙ୍କ ପାଇଁ କାମ କରୁଛନ୍ତି। ମୋଟ ଉପରେ ଲୋକ ସ୍ୱାର୍ଥ ଉପରେ ଗୁରୁତ୍ୱ ନଦେଇ ଦେଶର ବହୁ ବୁଦ୍ଧିମାନ ଲୋକ ବୁଦ୍ଧି ଓ ପଇସାର ଖେଳରେ ମାତିଛନ୍ତି। ଅଥଚ ଚାରିଆଡ଼େ କରୋନା ଭାଇରସ୍‌ରେ ଲୋକ ମରୁଛନ୍ତି।

ଆଜିର ଦୁନିଆରେ ଆମେରିକାର ପ୍ରଭାବ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବଢ଼ିଛି। ଏହା ପୂର୍ବରୁ ଇଂଲଣ୍ଡ ଥିଲା ପ୍ରଭାବଶାଳୀ ଦେଶ। ଦ୍ୱିତୀୟ ମହାଯୁଦ୍ଧ ପରେ ଇଂଲଣ୍ଡ ସମେତ ସବୁ ସାମ୍ରାଜ୍ୟବାଦୀ ଦେଶ ଗୋଟାକୁ ଗୋଟା ହୋଇ ନିଜର ସାମ୍ରାଜ୍ୟ ହରାଇଲେ। ଛଅ ବର୍ଷ କାଳ ଅନବରତ ଯୁଦ୍ଧ କରି ସେମାନଙ୍କର ଆଉ ବଳ ରହିଲା ନାହିଁ। ସେମାନେ ଆମେରିକାଠାରୁ ସାହାଯ୍ୟ ନେଲେ ଓ ଆମେରିକା ଉପରକୁ ଉଠିଲା। କିଛି ଦିନ ପାଇଁ ରୁଷିଆ ଓ ଆମେରିକା ସମସ୍କନ୍ଧ ହୋଇ ଠିଆ ହୋଇଥିଲେ। ଏବେ ପୁରୁଣା ସୋଭିଏତ୍ ଦେଶରୁ ନଅଟି ନୂଆ ଦେଶ ବାହାରିଛନ୍ତି। ପୁଣି ଜର୍ମାନୀର ଏକୀକରଣ ଘଟି ସାରିଛି। ରୁଷିଆର ସେଦିନର ପ୍ରଭାବ ଆଉ ନାହିଁ। ଅର୍ଥ ଓ ବ୍ୟବସାୟ କ୍ଷେତ୍ରରେ ଚୀନ୍ ଆଗକୁ ବାହାରିଛି। କିନ୍ତୁ ଏବେ ବି ତାର ଗଣତି ହେଉଛି ଏକ “ବିକାଶଶୀଳ ଦେଶ” ଭାବରେ। କିଛି ଦିନ ପରେ ଚୀନ୍ କିମ୍ବା ଭାରତ ଆମେରିକାର ସ୍ଥାନ ନେବେ ବୋଲି କଳ୍ପନା କରାଯାଇପାରେ।

ଏବେ ଚୀନ୍ ଓ ଭାରତ ଭିତରେ ଯେଉଁ ଧସ୍ତାଧସ୍ତି ହେଲା ସେଇଟା ଆମେରିକାରେ ସେତେ କିଛି ଚହଳ ପକାଇ ନାହିଁ। କାରଣ ଭାରତ ସହିତ ଆମେରିକା ତରଫରୁ ବିକା କିଣା ଚୀନ୍ କିମ୍ବା ମେକ୍ସିକୋ ତୁଳନାରେ ଖୁବ୍ କମ୍ ଘଟୁଛି। ଭାରତର ଘଟଣାବଳୀ ଆମେରିକାର ସାଧାରଣଲୋକଙ୍କର ମନ ଭିତରେ ବିଶେଷ କିଛି ପ୍ରଭାବ ପକାଇ ପାରି ନାହିଁ। ସେମାନଙ୍କୁ ପ୍ରଭାବିତ କରିବାକୁ ହେଲେ ଧନ ଲଗାଣ, ମାଲ୍ ଉତ୍ପାଦନ, ବେପାର ବଣିଜ କ୍ଷେତ୍ରରେ ଭାରତକୁ ନିଜର ଶକ୍ତି ଦେଖାଇବାକୁ ହେବ। ଆମେରିକାରେ ଭାରତୀୟ ଲୋକଙ୍କର ସଂଖ୍ୟା ଶତକଡ଼ା ତିନି। ଏଣୁ ଇତାଲିୟାନ୍, ଆଇରିସ୍, ଜିଉ, କିମ୍ବା ମେକ୍ସିକାନଙ୍କ ପରି ସଂଖ୍ୟାଗତ ପ୍ରଭାବ ସେମାନଙ୍କର ନାହିଁ। ତଥାପି ଆଇ.ଟି., ଡାକ୍ତରୀ ଓ ରାଜନୀତି କ୍ଷେତ୍ରରେ ଭାରତୀୟମାନଙ୍କର ପ୍ରଭାବ ଅଧିକ। ଆମେରିକାର ଲୋକମାନସରେ ଭାରତକୁ ମୁଖ୍ୟ ସ୍ଥାନ ଦେବା ପାଇଁ ସେମାନେ ସୁପାରିସ କରିପାରିବେ, ଯୁକ୍ତି ବାଢ଼ିପାରିବେ, ଲେଖିବେ ଓ କହିବେ। ମାତ୍ର ସବୁ ନିର୍ଭର କରୁଛି ଭାରତର ନିଜର ଉତ୍ପାଦନ ଶକ୍ତି, ମାଲ୍ ଚାଲାଣ ଓ ଗଣତାନ୍ତ୍ରିକ ଦୃଢ଼ତା ଉପରେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ “ଆତ୍ମନିର୍ଭରଶୀଳତା” କଥା କହିଛନ୍ତି। ତାଙ୍କ ଦେଖାଦେଖି ଅନ୍ୟମାନେ ବି ସେ କଥା କହିବେ ବା କହିଛନ୍ତି। ଆତ୍ମନିର୍ଭରଶୀଳ ହେବା ପାଇଁ ଉଦ୍ୟମ ତ ସ୍ୱାଧୀନତା ଆନ୍ଦୋଳନ ବେଳୁ ଚାଲି ଆସିଛି। ନିଜ ହାତରେ ସୂତା କାଟି ଲୋକେ ଘରେ ଘରେ ହାତକଟା ସୂତାର ଲୁଗା ପିନ୍ଧନ୍ତୁ– ଗାନ୍ଧୀଜୀଙ୍କର ଏ କଥାଟା ପଛରେ “ଆତ୍ମନିର୍ଭରଶୀଳତା” ହିଁ ଥିଲା ମୂଳ।

ସ୍ୱାଧୀନତା ପରେ ଦେଶ ସ୍ୱାଧୀନ ଭାବରେ ଯେତିକି ପୋଖତ ହେଲା, ଆନ୍ତର୍ଜାତିକ କ୍ଷେତ୍ରରେ ତାର କାଟତି ସେତିକି ବଢ଼ିଲା। ଅନ୍ୟ ଦେଶ ମାନଙ୍କରୁ ଶସ୍ତାରେ ଜିନିଷ କିଣିବା ପାଇଁ ସାଧାରଣ ଲୋକଙ୍କର ଆଗ୍ରହ ବଢ଼ିଲା। ଭାରତରେ ତିଆରି ହେଉଥିବା ଜିନିଷକୁ ବାହାରେ ବିକ୍ରି କରିବାକୁ ହେଲେ ଆମକୁ ବାହାରର ଜିନିଷ ଆମଦାନି କରିବାକୁ ପଡ଼ିବ। ତାହା ହିଁ ହେଲା। ମାତ୍ର କାଳକ୍ରମେ କିଣିବା ହେଲା ବେଶି। ବିକିବା ହେଲା କମ୍। ଆଜି ଏପରି ଏକ ଅବସ୍ଥା ଉପୁଜିଛି ଯେଉଁଠି ଚୀନ୍ ସହିତ ଝଗଡ଼ା ହେଲେ ମଧ୍ୟ ତା’ଠାରୁ ଅଲଗା ରହି ହେଉ ନାହିଁ। ଭାରତୀୟ ସୈନିକମାନଙ୍କର ପ୍ରତିରକ୍ଷା ପାଇଁ ତିଆରି ହେଉଥିବା ଛାତିପଟି (ଭେଷ୍ଟ) ପାଇଁ ଉପାଦାନ ଆସୁଛି ଚୀନ୍‌ରୁ। ଚୀନ୍‌ର ବ୍ୟବସାୟ ସଂସ୍ଥା ଭାରତର ବିଭିନ୍ନ ଜାଗାରେ ଧନ ବିନିଯୋଗ କରିଛନ୍ତି। ଚୀନ୍‌ର ବିଭିନ୍ନ କମ୍ପାନିରେ ଆମର ମଧ୍ୟ ମୂଳଧନ ଲାଗିଛି।

ଆମେରିକାରେ ଥିବା ଭାରତୀୟ ମହଲରେ ଏ ବିଷୟରେ ଚିନ୍ତା ଚାଲିଛି। ଚୀନ୍ ଓ ଭାରତ ଭିତରେ ଘଟିଥିବା ଘଟଣା ନେଇ ସେମାନେ ବ୍ୟସ୍ତ। ସେମାନଙ୍କ ଭିତରୁ ଅନେକେ ୧୯୬୨ ବେଳର କଥା ଦେଖିଛନ୍ତି ଓ ପୁଣି ଥରେ ବର୍ତ୍ତମାନର ସେହି ଦଶା ଦେଖି ବ୍ୟଥା ଅନୁଭବ କରୁଛନ୍ତି। ଆମେରିକା ସରକାର ତରଫରୁ ଏଥିପାଇଁ କୌଣସି ପ୍ରତିକ୍ରିୟା ସୃଷ୍ଟି କରିବା ବର୍ତ୍ତମାନ ପାଇଁ ସମ୍ଭବ ନୁହେଁ। କରୋନା ଭାଇରସ୍‌ର ପ୍ରାଦୁର୍ଭାବ ସାଙ୍ଗକୁ ଆଉ ତିନି ମାସ ପରେ ରାଷ୍ଟ୍ରପତି ନିର୍ବାଚନ। ସମସ୍ତଙ୍କର ଆଖି ସେଇଠି। ସେଥିପାଇଁ ସବୁ ଅଣଜରୁରୀ କଥାକୁ ଆଡ଼େଇ ଦିଆ ଯାଉଛି। ଭାରତ ଓ ଚୀନ୍ ଭିତରର ଦ୍ୱନ୍ଦ୍ୱଟାକୁ କେହି ଗୁରୁତର ବୋଲି ଭାବୁ ନାହାନ୍ତି। କରୋନା ଭାଇରସ୍ ଯୋଗୁ ଜୁଲାଇ ୪ର ସ୍ୱାଧୀନତା ଦିବସ ପାଳନ ଏ ବର୍ଷ ପୂର୍ବପରି ଏତେ ସମାରୋହ ସହିତ ହୋଇ ପାରି ନାହିଁ। କେତେକ ଜାଗାରେ ଉତ୍ସବ ପାଳନ ଓ ଭୋଜି ଭାତ ଲୋକମାନେ ସ୍ୱେଚ୍ଛାରେ ବନ୍ଦ କରିଛନ୍ତି। କରୋନା ଭାଇରସ୍‌ର ପ୍ରସାରଣ ବନ୍ଦ କରିବା ଲାଗି ଆଉ କେତେକ ଜାଗାରେ ଲୋକେ କେମିତି ବେଶି ପରିମାଣରେ ଠୁଳ ନହେବେ ସେଥିପାଇଁ କଟକଣା ଜାରି ହୋଇଛି। ଉତ୍ତର ଆମେରିକାରେ ଥିବା ଓଡ଼ିଆମାନେ ପ୍ରତିବର୍ଷ ଜୁଲାଇ ୪ରେ ସେମାନଙ୍କର ବାର୍ଷିକ ଅଧିବେଶନ କରନ୍ତି। ଏ ବର୍ଷ ତାହା ନ୍ୟାସଭିଲ ସହରରେ ହେବାର ଥିଲା। ସ୍ଥାନୀୟ ଓଡ଼ିଆ ପରିବାରମାନେ ଏଥିପାଇଁ ଖୁବ୍ ଜୋରରେ ଲାଗିଥିଲେ। ମାତ୍ର ଅଧିବେଶନ ଏ ବର୍ଷ ହୋଇ ପାରିଲା ନାହିଁ। ଏତେ ଲୋକ ଠୁଳ ହେଲେ ବିପଦ। ଓଡ଼ିଶା ସୋସାଇଟିର କର୍ମକର୍ତ୍ତାମାନେ “ଜୁମ୍” ମାଧ୍ୟମରେ ସମାବେଶ କରିଛନ୍ତି ଯେଉଁଥିରେ କି ନିଜ ଘରେ ବସି କାମ ଚଳେଇ ହେବ।

[email protected]

ସମ୍ବନ୍ଧିତ ଖବର