କରୋନା ସ˚କ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ମେ ୩୧ ପର୍ଯ୍ୟନ୍ତ କଠୋର ଲକ୍ଡାଉନ୍ କାର୍ଯ୍ୟକାରୀ କରାଗଲା। ଏହି ସମୟରେ ଅର୍ଥନୈତିକ କାର୍ଯ୍ୟକଳାପ ବସ୍ତୁତଃ ଠପ୍ ହେଇଗଲା। ଏହି ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ବିତ୍ତୀୟ ପ୍ରୋତ୍ସାହନ ଆମ ମୋଟ ଘରୋଇ ଉତ୍ପାଦନର ପାଖାପାଖି ମାତ୍ର ୧% ବୋଲି ଦର୍ଶାଯାଇ ଏକ ଧାରଣା ସୃଷ୍ଟି କରିବାକୁ ଉଦ୍ୟମ କରାଗଲା ଯେ ଏହି ସୀମିତ ବିତ୍ତୀୟ ପ୍ରୋତ୍ସାହନ କରୋନା ବିଧ୍ବସ୍ତ ଅର୍ଥନୀତିକୁ ପୁନଃଜୀବିତ କରିପାରିବ ନାହିଁ। ତେଣୁ ବଜାର ବିଶ୍ଳେଷକ ଓ ବିଭିନ୍ନ ଆନ୍ତଃଜାତୀୟ ସ˚ସ୍ଥା ଭାରତର ଅଭିବୃଦ୍ଧି ହାର ୨୦୨୦-୨୧ରେ ନକରାତ୍ମକ ହେବ ବୋଲି ପୂର୍ବାନୁମାନ କରିବାକୁ ଲାଗିଲେ। କିନ୍ତୁ ପ୍ରଥମ କଥା ହେଲା, ଦେଶରେ ଟିକସ ଆୟର ପରିମାଣ କମିଥିବାରୁ ଘୋଷିତ ବିତ୍ତୀୟ ପ୍ରୋତ୍ସାହନ ଆମ ମୋଟ ଘରୋଇ ଉତ୍ପାଦନର ଏକ ଶତା˚ଶରୁ କେତେ ଗୁଣ ଅଧିକ। ଏବ˚ ଦ୍ବିତୀୟ କଥା ହେଲା ଏବେ ଆମ ପାଖରେ ଉପଲବ୍ଧ ଅନେକ ତଥ୍ୟ କହିଥାଏ ଯେ ଆମ ଅର୍ଥନୀତି ପୁଣି ପୂର୍ବ ସ୍ବାସ୍ଥ୍ୟ ଫେରି ପାଇଲାଣି।
ଜୁନ୍ ମାସ ପାଇଁ ଉପଲବ୍ଧ ତଥ୍ୟ ଅନୁଯାୟୀ ଆମ ‘ମାନୁଫାକ୍ଚରି˚ ପରଚେଜିଙ୍ଗ୍ ମ୍ୟାନେଜର୍ସ ଇଣ୍ତେକ୍ସ’ ୪୭.୨%କୁ ବୃଦ୍ଧି ପାଇଛି। ଏପ୍ରିଲରେ ଏହା ଥିଲା ୨୭.୪%। ମୁଖ୍ୟତଃ ଗ୍ରାହକଙ୍କ ନୂତନ କ୍ରୟ, ଗ୍ରାହକ ନିକଟରେ କ୍ରୟ କରାଯାଇଥିବା ଦ୍ରବ୍ୟ ପହଞ୍ଚିବାର ସମୟ, ଗୋଦାମରେ ମହଜୁଦ ମାଲର ପରିମାଣ, ମିଳିଥିବା କ୍ରୟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ବେଗ ଏବ˚ ନିଯୁକ୍ତିର ସ୍ତର; ଏହିଭଳି ପାଞ୍ଚଟି ସର୍ତ୍ତକୁ ଅନୁଧୢାନ କରି ଏହି ‘ଇଣ୍ତେକ୍ସ’ର ହିସାବ କରାଯାଇଥାଏ। ଲକ୍ଡାଉନ୍ ସମ୍ପୂର୍ଣ୍ଣ ଖୋଲି ନ ଥିବା ସତ୍ତ୍ବେ ଏଥିରେ ଆଖିଦୃଶିଆ ଉନ୍ନତି ନିଶ୍ଚିତ ଭାବେ ଏକ ଶୁଭ ସୂଚନା। ପୁଣି ‘ସେଣ୍ଟର ଫର ମନିଟରିଂ ଇଣ୍ତିଆନ ଇକୋନୋମି’ର ସର୍ବେକ୍ଷଣ ଅନୁଯାୟୀ ଜୁନ୍ ମାସରେ ବେକାରି ହାର ହାରାହାରି ୧୧%କୁ ହ୍ରାସ ପାଇଛି। ମେ ମାସରେ ଏହା ଥିଲା ୨୩.୫%। ଜୁନ୍ ୨୧ରେ ସମାପ୍ତ ହୋଇଥିବା ସପ୍ତାହରେ ଆମ ବେକାରି ହାର ଥିଲା ୮.୫%, ଯାହା କି ‘ଲକ୍ଡାଉନ୍’ ପୂର୍ବବର୍ତ୍ତୀ ସପ୍ତାହ ସହିତ ସମାନ। ଅବଶ୍ୟ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରି ହାର ଅଧିକ ରହିଥିବା ଏଥିରେ ଦର୍ଶାଯାଇଛି। ସେହିପରି ଦ୍ରବ୍ୟ ଓ ସେବା ଟିକସ ଜୁନ୍ ମାସରେ ୯୦,୯୧୭ କୋଟି ଟଙ୍କା ହୋଇଛି, ଯାହା ଗତବର୍ଷ ଜୁନ୍ ମାସରେ ଆଦାୟ ଟିକସର ୯୧%। ଚଳିତବର୍ଷ ଜୁନ୍ରେ ଯାହା ରପ୍ତାନି ହୋଇଛି ତାହା ଗତ ବର୍ଷ ଜୁନ୍ ମାସରେ ହୋଇଥିବା ରପ୍ତାନିର ୮୮%। ସୁତରା˚ ଆମେ ନିଶ୍ଚିତ ରହିବା ଯେ ଆମ ଅର୍ଥନୀତି କରୋନା ଓ ଲକ୍ଡାଉନ୍ କାରଣରୁ ଭୁଶୁଡ଼ି ପଡ଼ିନାହିଁ। ସେୟାର ବଜାରରେ ବିଭିନ୍ନ ଷ୍ଟକ୍ର ମୂଲ୍ୟରୁ ସୂଚନା ମିଳୁଛି ଯେ ଭାରତୀୟ ପୁଞ୍ଜି ବଜାର ଅର୍ଥନୀତି ଉପରେ ଆସ୍ଥା ରଖିଛି।
ଭିନ୍ନ ଏକ ଆକଳନକୁ ଦେଖିବା। ଟିକସ ଫାଙ୍କିକୁ ରୋକିବା ପାଇଁ ୫୦ ହଜାର ଟଙ୍କାରୁ ଅଧିକ ଯେ କୌଣସି ବ୍ୟାବସାୟିକ କାରବାର ପାଇଁ ସରକାର ‘ଇ-େଵବିଲ୍’ର ବ୍ୟବସ୍ଥା କରିଛନ୍ତି। ଉଭୟ ରାଜ୍ୟ ଭିତର ଓ ବାହାରର କାରବାର ପାଇଁ ଏହା ଉଦ୍ଦିଷ୍ଟ। ଲକ୍ଡାଉନ୍ ପୂର୍ବବର୍ତ୍ତୀ ଜାନୁଆରି ୨୫ରୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଦୈନିକ ହାରାହାରି ୧୮.୪୯ ଲକ୍ଷ ‘ଇ-େଵବିଲ୍’ କଟା ଯାଇଥିଲା। ‘ଲକ୍ଡାଉନ୍-୧.୦’ରୁ ‘ଲକ୍ଡାଉନ୍-୪.୦’ (ମାର୍ଚ୍ଚ ୨୫ରୁ ମେ ୩୧) ଭିତରେ ଚାରି ପର୍ଯ୍ୟାୟରେ ଯଥାକ୍ରମେ ହାରାହାରି ୧.୭୨ ଲକ୍ଷ, ୩.୫୧ ଲକ୍ଷ, ୬.୭୫ ଲକ୍ଷ ଏବ˚ ୯.୮୪ ଲକ୍ଷ ‘ଇ-େଵବିଲ୍’ କଟାଯାଇଥିଲା। ‘ଅନଲକ-୧.୦’ (ଜୁନ୍ ୧ରୁ ୩୦) କାଳରେ ଦୈନିକ କଟା ଯାଇଥିବା ‘ଇ-େଵବିଲ୍’ ସ˚ଖ୍ୟା ବଢ଼ି ପହଞ୍ଚିଛି ହାରାହାରି ୧୪.୨୬ ଲକ୍ଷରେ। ଜୁନ୍ ୩୦ ଥିଲା ଅନ୍ଲକ୍ଡାଉନ୍ର ଶେଷ ଦିନ। ସେହି ଗୋଟିଏ ଦିନରେ ୧୮.୩୨ ଲକ୍ଷ ‘ଇ-େଵବିଲ’ ଯୋଗେ ୫୪,୫୦୦ କୋଟି ଟଙ୍କାର କାରବାର ହୋଇଥିଲା। ଏଥିରୁ ଜଣା ପଡ଼ୁଛି କି ଆମ ଅର୍ଥନୀତି ଗତିଶୀଳ ହେବାରେ ଲାଗିଛି। ତାହା ପ୍ରାୟ ଲକ୍ଡାଉନ ପୂର୍ବବର୍ତ୍ତୀ ସ୍ଥିତିରେ ପହଞ୍ଚି ଗଲାଣି। ଜୁଲାଇ ମାସ ଆହୁରି ସୁସମାଚାର ଆଣିବ ବୋଲି ଆଶା।
ତେଣୁ ଏପ୍ରିଲ-ଜୁନ୍ ତ୍ରୈମାସିକ ଅଭିବୃଦ୍ଧି ହାର ଆତଙ୍କିତ କଲା ଭଳି ନିମ୍ନଗାମୀ ହେବନାହିଁ। ବିଶେଷ କରି ଜୁନ୍ ମାସର ଅର୍ଥନୈତିକ ଚଳଚଞ୍ଚଳତା ପୂର୍ବ ଦୁଇ ମାସର କ୍ଷୟକ୍ଷତିକୁ ଭରଣା କରିଦେବ। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ଆମ ଅଭିବୃଦ୍ଧି ହାର ନକରାତ୍ମକ ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ନାହିଁ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଆର୍ଥିକ ଓ ବିତ୍ତୀୟ ପ୍ରୋତ୍ସାହନକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଥିବା ‘ନେସନାଲ କାଉନସିଲ ଅଫ ଆପ୍ଲାଏଡ ଇକନୋମିକ ରିସର୍ଚ୍ଚ’ ଏକ ବାସ୍ତବଧର୍ମୀ ଆକଳନ କରି କହିଛି ଯେ ଯଦି ଯୋଗାଣ ପାର୍ଶ୍ବରେ ପ୍ରତିବନ୍ଧ ନ ରହେ, ତେବେ ପୂରା ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୧.୩%ରୁ କମ୍ ହେବ ନାହିଁ।
ଆମେ ଯେତେବେଳେ ‘ଅନ୍ଲକ୍ -୧.୦’ ସହିତ ‘ଲକ୍ଡାଉନ୍’ ପୂର୍ବବର୍ତ୍ତୀ ସମୟ (ଜାନୁଆରି-ଫେବ୍ରୁଆରି ୨୦୨୦)ର ତୁଳନା କରି ଆତ୍ମସନ୍ତୋଷ ଲାଭ କରୁଥାଏଁ, ସେତେବେଳେ ଅଭିଯୋଗ ଆସୁଛି ଯେ କରୋନା ସ˚କ୍ରମଣ ପୂର୍ବରୁ ମଧୢ ଆମ ଅର୍ଥନୀତିର ସ୍ବାସ୍ଥ୍ୟ ଠିକ୍ ନ ଥିଲା। ତେଣୁ ‘ଅନ୍ଲକ୍-୧’ ସମୟର ଆର୍ଥିକ ସ୍ଥିତିକୁ ନେଇ ଉଲ୍ଲସିତ ହେବାର ବିଶେଷ କାରଣ ନାହିଁ। ତେବେ ଏଭଳି ଯୁକ୍ତି ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ୨୦୧୧ରୁ ଆଶାନୁରୂପକ ହୋଇନାହିଁ। ୨୦୧୮ରେ ‘ଇନଫ୍ରାଷ୍ଟ୍ରକ୍ଚର ଲିଜି˚ ଆଣ୍ତ ଫାଇନାନ୍ସ ସର୍ଭିସ’ (ILEFC) ବିପର୍ଯ୍ୟୟ ପରେ ଆର୍ଥିକ କଟକଣା ଲଗାଯିବା ଯୋଗୁ ଅବସ୍ଥା ଆହୁରି ବିଗିଡ଼ି ଗଲା। ୨୦୧୯ ମଧୢ ଭାଗରୁ ‘ନେସନାଲ କମ୍ପାନି ଲ ଟ୍ରିବ୍ୟୁନାଲ ଓ ଇନସଲଭେନ୍ସି ଆଣ୍ତ ବ୍ୟାଙ୍କରପ୍ସି କୋର୍ଡ’ ପ୍ରଚଳନ ଯୋଗୁଁ ପରିବେଶରେ ସୁଧାର ଆସିବା ଆରମ୍ଭ କରିଛି। ସ୍ବଳ୍ପ ସମୟ ବ୍ୟବଧାନରେ ମିଳୁଥିବା ଅନେକ ନିୟମିତ ତଥ୍ୟ ଏପରି ସୁଧାରକୁ ପ୍ରମାଣ କରିଥାଏ। ୨୦୨୦ ଜାନୁଆରି ବେଳକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଅନାଦେୟ ଋଣ ଏକ ଅଙ୍କ ବିଶିଷ୍ଟ ସ˚ଖ୍ୟା ଅନୁପାତକୁ ଖସି ଆସିବା, ଫେବ୍ରୁଆରିରେ ଆଠଟି ‘କୋର୍ ସେକ୍ଟର’ ଯଥା ସିମେଣ୍ଟ, ଇସ୍ପାତ, ସାର, ବିଦ୍ୟୁତ, ତୈଳ ବିଶୋଧନ, କଞ୍ଚା ଖଣିଜ ତୈଳ, ପ୍ରାକୃତିକ ବାଷ୍ପ ଓ କୋଇଲା କ୍ଷେତ୍ରରେ ୫.୫% ଅଭିବୃଦ୍ଧି ହାସଲ (ଯାହାକି ତା’ ପୂର୍ବ ୧୧ ମାସର ସର୍ବାଧିକ), ଶିଳ୍ପ ଉତ୍ପାଦନ ସୂଚକାଙ୍କରେ ୪.୫% ଅଭିବୃଦ୍ଧି ହାସଲ, (ପୂର୍ବ ନଅ ମାସର ସର୍ବାଧିକ), ‘ପରଚେଜି˚ ମ୍ୟାନେଜର ଇଣ୍ତେକ୍ସ’ ୫୭.୬% ଛୁଇଁବା (ପୂର୍ବବର୍ତ୍ତୀ ଆଠ ମାସର ସର୍ବାଧିକ) ଇତ୍ୟାଦି ଏକ ସକାରାତ୍ମକ ସ୍ଥିତିର ସୂଚକ।
ତେବେ ପ୍ରତି ମାସ ପାଇଁ ଅଭିବୃଦ୍ଧିର ସ୍ପଷ୍ଟ ତଥ୍ୟ ସ˚ଗ୍ରହ ହେଉ ନ ଥିବାରୁ ଆମେ ତ୍ରୈମାସିକ ତଥ୍ୟ ଉପରେ ନିର୍ଭର କରିବାକୁ ବାଧୢ। ତେଣୁ କୋଭିଡ୍ ୧୯ ପୂର୍ବରୁ ଭାରତୀୟ ଅର୍ଥନୀତି ଭଲ ଅବସ୍ଥାରେ ନ ଥିବା ଭଳି ଏକ ଭ୍ରମ ଧାରଣାର ଆମେମାନେ ଶିକାର ହେଉଛୁ। ଅତଏବ କହିବା ବାହୁଲ୍ୟ ଯେ ଆମ ଅର୍ଥନୀତି ପୁଣି ସବୁଜ ପତ୍ର ମେଲିବା ଆରମ୍ଭ କଲାଣି।
କେନ୍ଦୁଝର
ମୋ:୯୯୩୭୦୦୬୩୫୯