ଐତିହ୍ୟ ପ୍ରତି ଆଘାତ : ଓଡ଼ିଆ ନାମର ବିକୃତ ଇ˚ରେଜୀ ବନାନ

ବୈଷ୍ଣବ ଜେନା

କିଛି ଦିନ ତଳେ ଦିଲ୍ଲୀ ମହାନଗରୀରେ ଏକ ବୈଠକ ଚାଲିଥିଲା। ସେଥିରେ ଓଡ଼ିଶାରେ କିଛି ଭୂମିପୁତ୍ର ଏବ˚ ଓଡ଼ିଶାକୁ ଜାଣିଥିବା କିଛି ବୟସ୍କ ଲୋକ ସାମିଲ ଥିଲେ। ଏହି ସମୟରେ ଜଣେ ଅଣଓଡ଼ିଆ ଜ୍ଞାନୀଲୋକ ଇଂରେଜୀରେ ପ୍ରଶ୍ନ କଲେ, ‘ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ଏହାର ଉତ୍ତରରେ ଜଣେ ବିଶିଷ୍ଟ ଓଡ଼ିଆ କହିଥିଲେ ଯେ, ଯଦି ଓଡ଼ିଶା ରାଜ୍ୟ ଗଠନ କଥା ବିଚାରକୁ ନିଆଯାଏ, ତେବେ ପ୍ରଥମ ମୁଖ୍ୟମନ୍ତ୍ରୀ (ପ୍ରଧାନମନ୍ତ୍ରୀ) ହେଉଛନ୍ତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ। ସ୍ବାଧୀନତା ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ଡ. ହରେକୃଷ୍ଣ ମହତାବ। ମାତ୍ର ସାମ୍ବିଧାନିକ ବିଧି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ପ୍ରଥମ ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବକୃଷ୍ଣ ଚୌଧୁରୀ। ଏକଥା ଶୁଣି ପ୍ରଶ୍ନକର୍ତ୍ତା ଜଣକ ଅଟ୍ଟହାସ୍ୟ କରି କହିଥିଲେ- ‘ନବୀନ ପଟ୍ଟନାୟକ ହେଉଛନ୍ତି ‘ଓଡ଼ିଶା (Odisha)ର ପ୍ରଥମ ମୁଖ୍ୟମନ୍ତ୍ରୀ। ଅନ୍ୟମାନେ ‘ଓରିସା’ (Orissa)ର ମୁଖ୍ୟମନ୍ତ୍ରୀ ଥିଲେ। କଥାଟି ଅବଶ୍ୟ ସେଠାରେ ଅପ୍ରତିଭ ହାସ୍ୟରୋଳ ସୃଷ୍ଟି କରିଥିଲା, କିନ୍ତୁ ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ଓଡ଼ିଶାର ଇ˚ରେଜୀ ବନାନ ଶୁଦ୍ଧି ହେବା ପାଇଁ ବହୁ ଡେରି ହୋଇଯାଇଥିଲା। ଇତି ମଧୢରେ ଦଶ ବର୍ଷ ହୋଇଗଲାଣି। ରାଜ୍ୟର ପ୍ରମୁଖ ସହରଗୁଡ଼ିକର ଇ˚ରେଜୀ ବନାନ ଶୁଦ୍ଧ କରାଯାଉ ନାହିଁ। ନିକଟ ଅତୀତରେ ତାମିଲନାଡ଼ୁ ରାଜ୍ୟର ୧୦୧୮ ସ୍ଥାନ-ନାମର ଇ˚ରେଜୀ ବନାନରେ ଶୁଦ୍ଧୀକରଣ ଆଣିବା ପରେ ଅନେକ ସଚେତନ ଓଡ଼ିଆଙ୍କ ଭିତରେ ଗୁଞ୍ଜରଣ ସୃଷ୍ଟି ହେଲାଣି। ସମସ୍ତେ ଜାଣନ୍ତି କିଛି ବର୍ଷ ତଳେ ଇଂରେଜୀ ବନାନ ଅନୁସାରେ ‘ବମ୍ବେ’ ମୁମ୍ବାଇରେ, ‘କାଲକାଟା’ କୋଲକାତାରେ, ‘ଗୌହାଟୀ’ ଗୁଆହାଟୀରେ ଏବ˚ ‘ପୁନା’ ପୁଣେରେ ପରିଣତ ହୋଇଛନ୍ତି। ସେହି ସହର ତଥା ସେହି ରାଜ୍ୟର ଐତିହ୍ୟକୁ ବିଶ୍ବାସ କରୁଥିବା ଲୋକ ସେଗୁଡ଼ିକର ବନାନ ଶୁଦ୍ଧୀକରଣ କରିବାର ଉଦ୍ୟମ କରି ସଫଳ ହେଲେ। ଏଣିକି ସେମାନଙ୍କର ଇଂରେଜୀ ବନାନ ଉଚ୍ଚାରଣ ଆଧାରୀ ହେଲା: ଉଦାହରଣ ସ୍ବରୂପ Bombay ବଦଳରେ Mumbai ହେଲା। କିନ୍ତୁ ଆମ ରାଜ୍ୟରେ କେନ୍ଦ୍ରାପଡ଼ା, ବ୍ରହ୍ମପୁର, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ଭବାନୀପାଟଣା, ଅନୁଗୁଳ, ରେଢ଼ାଖୋଲ, ପାଟଣାଗଡ଼, ଧର୍ମଗଡ଼, ଲାଞ୍ଜିଗଡ଼, ଖଡ଼ିଆଳ, ବଡ଼ମ୍ବା, ଆଠଗଡ଼, ଆଳି, ସାଲେପୁର ଭଳି ପ୍ରମୁଖ ଐତିହ୍ୟ ବହନକାରୀ ସହରଗୁଡ଼ିକର ନାମ ଇ˚ରେଜୀରେ ବିକୃତ ବନାନ ଆଧାରରେ ଲେଖା ଯାଉଥିବା ବେଳେ ସେଗୁଡ଼ିକର ସ˚ଶୋଧନ ପାଇଁ ଉଦ୍ୟମ ହେଉନାହିଁ। ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ ଥିବା ଏହି ଐତିହ୍ୟସ୍ଥଳୀଗୁଡ଼ିକର ମର୍ଯ୍ୟାଦା ଇ˚ରେଜୀ ବନାନରେ ମ୍ଳାନ ହୋଇଯାଇଛି।

ଏକଥା ସମସ୍ତେ ଜାଣନ୍ତି ଯେ, ବ୍ରିଟିସ ଶାସନ କାଳରେ ଓଡ଼ିଶା ରାଜ୍ୟ ବିହାର ସହିତ ଯୁକ୍ତ ହୋଇ ତତ୍କାଳୀନ କଲିକତା ପ୍ରେସିଡେନ୍‌ସି ଅଧୀନରେ ଥିଲା। ବ୍ରିଟିସ ସରକାର ଓଡ଼ିଶାରେ ଶାସନ କାର୍ଯ୍ୟ ତୁଲାଇବା ପାଇଁ କଲିକତା ବା ବଙ୍ଗ ପ୍ରଦେଶରୁ ଶିକ୍ଷିତ ବଙ୍ଗାଳୀମାନଙ୍କୁ ଓଡ଼ିଶା ଆଣିଥିଲେ। ଓଡ଼ିଶାରେ ଶାସନ କାର୍ଯ୍ୟ ପାଇଁ ଆସିଥିବା ସେହି ଇ˚ରେଜୀ ପଢୁଆ ବଙ୍ଗାଳୀମାନେ ନିଜସ୍ବ ଉଚ୍ଚାରଣ ଢଙ୍ଗରେ ଓଡ଼ିଶାର ଗ୍ରାମ ଓ ସହରମାନଙ୍କ ନାମ ଲେଖି ଚାଲିଲେ। ସାଧାରଣତଃ ବଙ୍ଗାଳୀମାନେ ‘ଡ’ ଆଉ ‘ର’ ମଧୢରେ ପାର୍ଥକ୍ୟ ରଖନ୍ତି ନାହିଁ। ଓଡ଼ିଆ ଶବ୍ଦରେ ଥିବା ‘ଡ’କୁ ସେମାନେ ‘ର’ କରିଦେଲେ ଏବ˚ କେତେକ ସ୍ଥାନରେ ‘ର’କୁ ମଧୢ ‘ଡ’ କରିଦେଲେ। ବଙ୍ଗାଳୀମାନେ ପୁରୀକୁ ପୁଡ଼ି ବୋଲି କହିବା ଏଭଳି ଉଚ୍ଚାରଣ ଅଶୁଦ୍ଧିର ଏକ ନିଚ୍ଛକ ଉଦାହରଣ। ବଙ୍ଗାଳୀମାନେ ‘ବ’ ଫଳା ଏବ˚ ‘ଯ’ ଫଳାର ଯାହା ଉଚ୍ଚାରଣ କରନ୍ତି, ତାହା ଓଡ଼ିଆଙ୍କ ଠାରୁ ଭିନ୍ନ। ଓଡ଼ିଶାର କଥା ଓ ଭାଷାକୁ ଗୁରୁତ୍ବ ନ ଦେଇ ସେମାନେ ତାଙ୍କ ଢଙ୍ଗରେ ଇ˚ରେଜୀ ବନାନରେ ନାମ ସବୁ ଲେଖିଲେ। ଯାହା ଫଳରେ କେନ୍ଦ୍ରାପଡ଼ା ହୋଇଗଲା Kendrapara, ବଡ଼ମ୍ବା ହୋଇଗଲା Baramba, ବାଲେଶ୍ବର ହୋଇଗଲା Balasore, କେନ୍ଦୁଝର ହୋଇଗଲା Keonjhar, ବଡ଼ବିଲ ହୋଇଗଲା Barbil, ନିମାପଡ଼ା ହୋଇଗଲା Nimapara, ଭବାନୀପାଟଣା ହୋଇଗଲା Bhawanipatna, ଖଡ଼ିଆଳ ହୋଇଗଲା Khariar, ବ୍ରହ୍ମପୁର ହୋଇଗଲା Berhampur, ଜୟପୁର ହୋଇଗଲା Jeypore, ଖୋର୍ଦ୍ଧା ହୋଇଗଲା Khurda, ଅନୁଗୁଳ ହୋଇଗଲା Angul, ରେଢାଖୋଲ ହୋଇଗଲା Rairakhole ଇତ୍ୟାଦିି।

ରାଜ୍ୟର ଗଡ଼ଜାତ ଅ˚ଚଳଭାବେ ଜଣାଶୁଣା ସ୍ଥାନ ମାନଙ୍କରେ ନାମ ଶେଷରେ ‘ଗଡ଼’ଯୁକ୍ତ ହୋଇଥାଏ। ମାତ୍ର ବଙ୍ଗାଳୀମାନେ ସେହି ଗଡ଼ର ଭିନ୍ନ ବନାନ କଲେ ଯାହା ଫଳରେ ଯେଉଁ ସବୁ ସ୍ଥାନର ନାମ ‘ଗଡ଼’ (ଆଠଗଡ଼)ରେ ସମାପ୍ତ ହୋଇଛି ସେ ସବୁ ‘Garha’ (Athagarha)ରେ ପରିଣତ ହେଲା। କଥିତ ଅଛି ଯେ ବାଲେଶ୍ବରର ଅସଲ ନାମ ହେଉଛି ବାଳେଶ୍ବର। ବାଲେଶ୍ବର ଜିଲ୍ଲାଟି ହେଉଛି ଶୈବ ସ˚ସ୍କୃତିର ଆଦିପୀଠ। ସୋରର ପୁରାତନ ନାମ ବା ଆଦିନାମ ହେଉଛି ଈଶ୍ବର। ସେହିଠାରେ ଈଶ୍ବର ଜନ୍ମ ହୋଇଥିଲେ ଓ ବାଳେଶ୍ବର (ବାଲେଶ୍ବର) ଠାରେ ବାଲ୍ୟ ଲୀଳାଖେଳା କଲେ। କିନ୍ତୁ ଆଙ୍ଗ୍‌ଲୋ-ବେଙ୍ଗଲୀ ପ୍ରଭାବରେ ବାଳେଶ୍ବର Balasore ବା ବାଲାସୋରରେ ପରିଣତ ହୋଇଛି। ସେମିତି କେନ୍ଦୁଝର ଜିଲ୍ଲା ଏକଦା କେନ୍ଦୁଗଛ ଜଙ୍ଗଲ‌େର ଭରପୂର ଥିଲା ଏବଂ କେନ୍ଦୁଗଛ ପରିପୂର୍ଣ୍ଣ ପର୍ବତରୁ ବାହାରିଥିବା ଏକ ଝରର ନାମାନୁସାରେ ଏହି ଜିଲ୍ଲାର ନାମକରଣ କରାଯାଇଥିଲା। କୁହାଯାଏ ଯେ ସେହି ଝରରୁ ହିଁ ପୁଣ୍ୟତୋୟା ବୈତରଣୀର ସୃଷ୍ଟି। ମାତ୍ର ଏହାର ଇ˚ରେଜୀ ବନାନରୁ ତାହା ହୋଇଗଲା Keonjhar।

ଓଡ଼ିଶାର ଏକ ପ୍ରାଚୀନ ସହର ହେଉଛି ବ୍ରହ୍ମପୁର। ଏହି ସହରର ଆଦି କ୍ଷେତ୍ର ଗୋଶାଣି ନୂଆଗାଁରେ ବ୍ରହ୍ମାଙ୍କର ସାଧନା କ୍ଷେତ୍ର ଥିଲା ବୋଲି ବିଶ୍ବାସ କରାଯାଏ। ସେହି କାରଣରୁ ବ୍ରହ୍ମପୁର ନାମ ଧାରଣ କରିଥିବା ଏହି ସହର ତାର ଇଂରେଜୀ ରୂପରେ ସେହି ମହତ୍ତ୍ବଟି ହରାଇଛି। ଇଂରେଜୀ ବନାନ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ‘ବେରହମପୁର’ ବୋଲି ଡାକନ୍ତି ଏବଂ ହିନ୍ଦୀ ଭାଷାରେ ‘ବେରହମ’ର ଅର୍ଥ ‘ନିର୍ଦ୍ଦୟ’ ହୋଇଥିବାରୁ ଏହି ସ୍ଥାନର ଐତିହ୍ୟ ତାର ବିକୃତ ଇଂରେଜୀ ବନାନ କାରଣରୁ କ୍ଷୁଣ୍ଣ ହୋଇଛି। ସେହିପରି ଜୟପୁର ସହର। ଏବେ ଜୟପୁର ଯେଉଁ ବିରାଟ ପାହାଡ଼ ତଳେ ଶୋଭାପାଉଛି ସେହି ପାହାଡ଼ ଉପରେ ଏକ ଜୟ (ବିଜୟ) ସ୍ତମ୍ଭ ଅଛି। ବର୍ଷକରେ ଥରେ ସେଠାରେ ମଶାଲ ଜଳାଯାଏ। ଏ ସବୁ ସତ୍ତ୍ବେ ଜୟପୁର ହୋଇଛି Jeypore। କେନ୍ଦ୍ରାପଡ଼ା ହେଉଛି ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି। କିନ୍ତୁ ବଙ୍ଗୀୟ ଲୋକେ ‘ପଡ଼ା’କୁ ‘ପାରା’ କହୁଥିବାରୁ କେନ୍ଦ୍ରାପଡ଼ା ସମେତ ସବୁ ପଡ଼ାଯୁକ୍ତ ନାମ ଆଜି ଇଂରେଜୀରେ ‘Para’ ରୂପେ ବର୍ଣ୍ଣିତ। ସେମିତି ଓଡ଼ିଶାର ପୂର୍ବତନ ରାଜଧାନୀ ତଥା ରାଜ୍ୟର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରର ଇଂରେଜୀ ବନାନକୁ ଦେଖନ୍ତୁ- Cuttack। ଏହାଠାରୁ ଅଧିକ ହାସ୍ୟାସ୍ପଦ ଇଂରେଜୀ ବନାନ ଆଉ କ’ଣ ହୋଇପାରେ? କିଛିଦିନ ତଳେ ରବୀନ୍ଦ୍ର ମଣ୍ତପରେ ସା˚ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଏକ ବିଦେଶୀ ଦଳ କଟକକୁ ବାରମ୍ବାର କୁତାକ୍‌ ବୋଲି କହୁଥିବା ଶୁଣିବାକୁ ମିଳିଥିଲା।

ସେମିତି ସାଲେପୁରର ଇ˚ରେଜୀ ବନାନ Salipur ବା ଆଳିର ଇ˚ରେଜୀ ବନାନ AUL ଭାବେ ଆଜି ପର୍ଯ୍ୟନ୍ତ ରହିଥିବା ବିସ୍ମୟକର। ଶୁଣାଯାଏ ଯେ ବ୍ରିଟିସ ଶାସନ କାଳରେ ଜଣେ ଅଣଓଡ଼ିଆ ମୁସଲମାନ ପ୍ରଶାସକ ଆଦୌ ‘ଆଳି’ ଉଚ୍ଚାରଣ କରି ନ ପାରି ‘ଆଲ୍‌’ ବୋଲି କହିବାରୁ ସ୍ଥାନର ନାମ ଏଭଳି ଦଶା ଭୋଗିଲା।

ଇତି ମଧୢରେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମିଳିଛି। ଏବେ ସମୟ ଆସିଛି ଯେ ରାଜ୍ୟର ଐତିହ୍ୟର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଏଭଳି ବିକୃତ ଇଂରେଜୀ ବନାନକୁ ଶୁଦ୍ଧ କରାଯାଉ। କାରଣ ଇଂରେଜୀ ବନାନ ଓ ଉଚ୍ଚାରଣ ଦ୍ବାରା ଯେ କୌଣସି ନାମ ବାହାରେ ପରିଚିତି ପାଇଥାଏ।

ମୋ : ୯୪୩୭୦୦୭୨୦୦

ସମ୍ବନ୍ଧିତ ଖବର