‘ରାଜ୍ୟ ସଂଗୀତ’ର ରୂପ-ରୂପାନ୍ତର

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଏଇ ଜୁନ୍ ୭ ତାରିଖ ଦିନ ରାଜ୍ୟ ସରକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’କୁ ‘ରାଜ୍ୟ ସଂଗୀତ’ର ମାନ୍ୟତା ଦେଇଛନ୍ତି। ସେ ବାବଦରେ ସରକାରଙ୍କ ପକ୍ଷରୁ ସେଦିନ ଯେଉଁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ସେଥିରେ ଦିନଟିକୁ “ଓଡ଼ିଶାପାଇଁ ଏକ ଐତିହାସିକ ଦିନ” ବୋଲି ମଧ୍ୟ ଅଭିହିତ କରାଯାଇଛି। ସ୍ୱାଭାବିକ ଭାବରେ ତାହାର ପୁନରାବୃତ୍ତି ଘଟିଛି ରାଜ୍ୟ ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସଂଖ୍ୟା (ଜୁନ୍‌-ଜୁଲାଇ ୨୦୨୦)ରେ। ସେଥିରେ ‘ବନ୍ଦେ ଉତ୍କଳ ଜନନୀ’ର ରାଜ୍ୟ ସଂଗୀତ ମାନ୍ୟତାକୁ “ଓଡ଼ିଶା ଇତିହାସର ଏକ ନୂଆ ଅଧ୍ୟାୟ” ବୋଲି ଅଭିହିତ କରାଯାଇଛି।

ନୂଆ ଅଧ୍ୟାୟ ରଚିଥିବା ଏହି ଗୀତଟି ଯେ ଶତାବ୍ଦୀ-ପୁରାତନ, ଏହା ସମସ୍ତଙ୍କୁ ଜଣା। କିନ୍ତୁ ଅନେକଙ୍କୁ ହୁଏତ ଅଜଣା ଯେ ଏହି ଗୀତର ରହିଛି ଅନ୍ୟୂନ ଚାରିଟି ରୂପ। ‘ରାଜ୍ୟସଂଗୀତ’ର ମାନ୍ୟତା ପାଇଥିବାରୁ, ଏବେ ସେହି ଚାରି ରୂପ ମଧ୍ୟ ଏହି ସଂଗୀତର ଇତିହାସ ସହ ଜଡ଼ିତ ହୋଇଯାଇଛି।

ଏହି ସ୍ତମ୍ଭରେ, ଏ ବାବଦ ପ୍ରଥମ ଲେଖା (୧୯ ଜୁନ୍‌)ରେ ସୂଚିତ ହୋଇଥିଲା ଯେ ଏହି ‘ରାଜ୍ୟ ସଂଗୀତ’ର ଆଦ୍ୟ ରୂପ ‘ବନ୍ଦେ ଉତ୍କଳ ଜନନୀ’ ନଥିଲା; ଥିଲା ‘ବନ୍ଦେ ଜନନୀ’। ଯଦିଓ ‘ଉତ୍କଳ ସମ୍ମିଳନୀ’ର କେଉଁ ଅଧିବେଶନରେ ଏହା ପ୍ରଥମେ ଗାନ କରାଯାଇଥିଲା, ସେ ନେଇ କେତେକଙ୍କ ମନରେ ବିଭ୍ରାନ୍ତି ଅଛି; ତଥାପି ପ୍ରାମାଣିକ ଭାବରେ ସାବ୍ୟସ୍ତ ଯେ ଏହା ୧୯୧୩ ମସିହାର ନବମ ଅଧିବେଶନରେ ହିଁ ପ୍ରଥମେ ଗାନ କରାଯାଇଥିଲା। ସେହି ସମ୍ମିଳନୀ ସେବର୍ଷ ଡିସେମ୍ବର ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା ପୁରୀ ଜିଲ୍ଲାର ରାମଚଣ୍ଡୀ ଠାକୁରାଣୀଙ୍କ ସମ୍ମୁଖ ପଡ଼ିଆରେ। ପ୍ରଥମ ଦିନର ଅଧିବେଶନ ପରେ ଏବଂ ସଭାପତିଙ୍କ ଆଦେଶରେ ସଭାଭଙ୍ଗ ପୂର୍ବରୁ, ତାହା ଗାନ କରାଯାଇଥିଲା। ‘ଉତ୍କଳ ସମ୍ମିଳନୀ’ର ନବମ ଅଧିବେଶନର ପୂର୍ଣ୍ଣାଙ୍ଗ ମୁଦ୍ରିତ ବିବରଣୀରେ ତାହାର ସ୍ପଷ୍ଟ ପ୍ରମାଣ ଅଛି।

‘ବନ୍ଦେ ଜନନୀ’ ଶୀର୍ଷକ ସେହି ସଂଗୀତଟି ହେଉଛି ‘ବନ୍ଦେ ଉତ୍କଳ ଜନନୀ’ର ଆଦ୍ୟ ରୂପ। ତାହା ଏହିପରି-
“ଜନନୀ…
ଚାରୁହାସ ମୟୀ ଚାରୁଭାଷ ମୟୀ
ଜନନୀ ଜନନୀ ଜନନୀ। (କୋରସ)
ନୀଳ ପୟୋଧି ବିଧୌତ ଶରୀରା,
ତାଳ ତମାଳ ସୁଶୋଭିତ ତୀରା।
ପୂତ ତଟିନୀ କୁଳ ଶୀକର ସମୀରା,
ଜନନୀ, ଜନନୀ, ଜନନୀ। (୧)
ଶ୍ୟାମଳ ବନରାଜି ରାଜିତ ଅଙ୍ଗେ,
ନୀଳଭୂଧରମାଳା ସାଜେ ତରଙ୍ଗେ।
କଳକଳ ମୁଖରିତ ଚାରୁବିହଙ୍ଗେ,
ଜନନୀ, ଜନନୀ, ଜନନୀ। (୨)
ସୁନ୍ଦରମନ୍ଦିର ମଣ୍ଡିତ ଦେଶା,
ଚାରୁକଳାବଳୀ ଶୋଭିତଦେଶା।
ପୂଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା,
ଜନନୀ, ଜନନୀ, ଜନନୀ। (୩)
ଶ୍ୟାମଳ ଶୀଳ ସୁଶୋଭନକ୍ଷେତ୍ରା,
ଜ୍ଞାନ, ବିଜ୍ଞାନ ସୁଦର୍ଶନନେତ୍ରା।
ଯୋଗୀ ରୁଷିଗଣ ଉଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ। (୪)
ଉତ୍କଳ ସୁରବର ଦର୍ପିତ ଗେହା,
ଅରିକୁଳ ଶୋଣିତ ଚିତ୍ରିତ ଦେହା,
ବିଶ୍ୱଭୂମଣ୍ଡଳ କୃତବର ସ୍ନେହା,
ଜନନୀ, ଜନନୀ, ଜନନୀ। (୫)
କବିକୁଳମୌଳି ସୁନନ୍ଦନବନ୍ଦ୍ୟା,
ବିଶ୍ୱବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା।
ଧନ୍ୟେ, ଗୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ। (୬)
‘ବନ୍ଦେ ଉତ୍କଳ ଜନନୀ’ର ଏହି ଆଦି ରୂପର ମୁଦ୍ରଣରେ କେତୋଟି ଦୃଷ୍ଟିକଟୁ ତ୍ରୁଟି ଥିଲେ ହେଁ, ତାହାର କବି ଯେ ‘ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର’ ସେ ସୂଚନା ସେଥିରେ ଅଛି। ଏ ସଂପର୍କରେ ଉଲ୍ଲେଖନୀୟ ଯେ ସେତେବେଳକୁ ଲକ୍ଷ୍ମୀକାନ୍ତ ‘କାନ୍ତକବି’ ରୂପେ ପରିଚିତି ପାଇ ନଥିଲେ।

ଏହା ମଧ୍ୟ ଲକ୍ଷ୍ୟଣୀୟ ଯେ ‘ବଙ୍କିମଚନ୍ଦ୍ରଙ୍କ ‘ବନ୍ଦେ ମାତରମ୍‌’ ପରି ତାହା ଥିଲା ‘ବନ୍ଦେ ଜନନୀ’। ତାହାର ‘ଘୋଷା’ରେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ନାହିଁ। ‘ଉତ୍କଳ’ ଶବ୍ଦଟି କେବଳ ଥରଟିଏ, ପଞ୍ଚମ ପଦର ଆରମ୍ଭରେ ହିଁ ବ୍ୟବହୃତ ହୋଇଛି।

ଏହି ପରିପ୍ରେକ୍ଷୀରେ ସଂଗୀତଟିର ଚତୁର୍ଥ ତଥା ଚୂଡ଼ାନ୍ତ ରୂପ ଲକ୍ଷ୍ୟଣୀୟ। ତାହା ମୁଦ୍ରିତ ହୋଇଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଗ୍ରନ୍ଥାବଳୀ ‘କାନ୍ତ ସାହିତ୍ୟମାଳା’ର ପ୍ରଥମ ସଂସ୍କରଣ, ଦ୍ୱିତୀୟ ଭାଗ (୧୯୬୪)ର ପୃଷ୍ଠା-୧୧୭୫ ଓ ଦ୍ୱିତୀୟ ସଂସ୍କରଣ, ଦ୍ୱିତୀୟ ଭାଗ, (୨୦୧୮)ର ପୃଷ୍ଠା-୫୬୧ରେ।

‘ଜାତୀୟ ସଂଗୀତ’ ଶୀର୍ଷକରେ ସେଥିରେ ଦୁଇଟି ସଂଗୀତ ମୁଦ୍ରିତ। ପ୍ରଥମଟି ‘ବନ୍ଦେ ଉତ୍କଳ ଜନନୀ’ ଓ ଦ୍ୱିତୀୟଟି ‘କୋଟି କୋଟି କଣ୍ଠେ ଆଜି’। ପ୍ରଥମଟି ପରି, ଦ୍ୱିତୀୟଟି ମଧ୍ୟ ‘ଉତ୍କଳ ଜନନୀ’ଙ୍କର ବନ୍ଦନା ଗୀତି। କିନ୍ତୁ ‘ବନ୍ଦେ ଉତ୍କଳ ଜନନୀ’ ରୂପେ ଆମେ ପ୍ରଥମଟିକୁ ହିଁ ବୁଝୁ। ସଂଗୀତଟି ଏହିପରି-
“ବନ୍ଦେ ଉତ୍କଳ ଜନନୀ।
ଚାରୁ ହାସମୟୀ ଚାରୁ ଭାଷମୟୀ
ଜନନୀ, ଜନନୀ, ଜନନୀ।।
ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା।
ଶୁଭ୍ର ତଟିନୀକୁଳ-ଶୀକର-ସମୀରା,
ଜନନୀ, ଜନନୀ, ଜନନୀ।।
ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ।
କଳକଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ।।
ସୁନ୍ଦର ଶାଳି-ସୁଶୋଭିତ-କ୍ଷେତ୍ରା
ଜ୍ଞାନ, ବିଜ୍ଞାନ ପ୍ରଦର୍ଶିତ-ନେତ୍ରା,
ଯୋଗୀ ଋଷିଗଣ ଉଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ।।
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁ କଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ।।
ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ।।
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ।।

ଏଇ ଦୁଇ ରୂପ, ଅର୍ଥାତ୍ ପ୍ରଥମ ଓ ଚତୁର୍ଥ ରୂପର ତୁଳନା କଲେ ଯେଉଁ ମୁଖ୍ୟ ପାର୍ଥକ୍ୟ ଦୃଷ୍ଟିରେ ପଡ଼େ, ତାହା ହେଉଛି- ‘ଘୋଷା’ର ଆଦ୍ୟ ସମ୍ବୋଧନ ‘ଜନନୀ’ ଚୂଡ଼ାନ୍ତ ରୂପରେ ପରିଣତ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ରେ। ତା’ ସହିତ ପ୍ରଥମ ପଦର ‘ନୀଳ ପୟୋଧି’ ଚୂଡ଼ାନ୍ତ ରୂପରେ ହୋଇଛି ‘ପୂତ ପୟୋଧି’। ସେହିପରି ଦ୍ୱିତୀୟ ପଦର ‘ଶ୍ୟାମଳ ବନରାଜି’ ହୋଇଛି ‘ଘନ ବନଭୂମି’। ଏହିପରି ଆହୁରି କେତେକ ପରିବର୍ତ୍ତନ କରିବା ସହିତ, ସଂଗୀତଟିର ଗଠନରେ ବି କବି ପରିବର୍ତ୍ତନ କରିଛନ୍ତି। ଉଦାହରଣ ସ୍ୱରୂପ- ତୃତୀୟ ପଦ ‘ସୁନ୍ଦରମନ୍ଦିର ମଣ୍ଡିତ ଦେଶା…’ ଚୂଡ଼ାନ୍ତ ରୂପରେ ହୋଇଛି ଚତୁର୍ଥ ପଦ। ଚତୁର୍ଥ ପଦର ‘ଶ୍ୟାମଳ ଶୀଳ ସୁଶୋଭନ କ୍ଷେତ୍ରା’ ଚୂଡ଼ାନ୍ତ ରୂପରେ ତୃତୀୟ ପଦକୁ ଆସି ହୋଇଛି ‘ସୁନ୍ଦର ଶାଳି-ସୁଶୋଭିତ-କ୍ଷେତ୍ରା’। ଏହିପରି, ଆହୁରି କେତେକ ପରିବର୍ତ୍ତନ ବି କରାଯାଇଛି।

ଏହି ଆଦ୍ୟ ଓ ଚୂଡ଼ାନ୍ତ ରୂପ ଦୁଇଟି ବ୍ୟତୀତ, ଏହି ସଂଗୀତର ଆଉ ଦୁଇଟି ରୂପ ମଧ୍ୟ ଅଛି। ସେଥିରୁ ପ୍ରଥମଟି- ‘ମୁକୁର’ ପତ୍ରିକାର ନଭେମ୍ବର-ଡିସେମ୍ବର, ୧୯୧୩ ସଂଖ୍ୟାରେ ଏବଂ ଦ୍ୱିତୀୟଟି କାନ୍ତକବିଙ୍କ ବିୟୋଗ (୨୪ ଫେବ୍ରୁଆରୀ, ୧୯୫୩) ପରେ, ‘ଡଗର’ ପତ୍ରିକାର ‘କାନ୍ତକବି ଶ୍ରାଦ୍ଧପର୍ବ’ (ମାର୍ଚ୍ଚ-ଅପ୍ରେଲ୍‌, ୧୯୫୬)ରେ ପ୍ରକାଶିତ। ଏଥିରୁ ପ୍ରଥମଟିରେ, ଅର୍ଥାତ୍ ଏହି ‘ରାଜ୍ୟ ସଂଗୀତ’ର ଦ୍ୱିତୀୟ ରୂପରେ, ପ୍ରଥମ ରୂପଠାରୁ ବିଶେଷ ଭିନ୍ନତା ନାହିଁ। କାରଣ, ଦୁଇଟିଯାକ ପ୍ରାୟ ଏକା ସମୟର।

ଏ ପ୍ରସଙ୍ଗରେ ପୁନଶ୍ଚ ସୂଚନାଯୋଗ୍ୟ ଯେ ସମ୍ଭବତଃ ‘ମୁକୁର’ ପତ୍ରିକାକୁ ପ୍ରକାଶପାଇଁ ଦେବାବେଳେ, କବି ତାହାକୁ କିଂଚିତ୍ ପରିବର୍ତ୍ତିତ କରି ଶୀର୍ଷକକୁ ‘ଉତ୍କଳ ଜନନୀ’ କରିଛନ୍ତି। ଏହା ସେ ଅତ୍ୟନ୍ତ ସଚେତନ ଭାବରେ କରିଥିବା ମନେହୁଏ। କାରଣ, ପରବର୍ତ୍ତୀ କାଳରେ ସଂଗୀତଟି ଆଉ ‘ବନ୍ଦେ ଜନନୀ’ ଭାବରେ ନୁହେଁ, ‘ବନ୍ଦେ ଉତ୍କଳ ଜନନୀ’ ଭାବରେ ହିଁ ପରିଚିତ ହୋଇଛି ଏବଂ ପ୍ରସିଦ୍ଧି ପାଇଛି। ଅନ୍ୟ କେତୋଟି କ୍ଷୁଦ୍ର ସଂମାର୍ଜନ ବି ସେ ସଂଗୀତଟିରେ କରିଛନ୍ତି। ଫଳରେ ଚତୁର୍ଥ ପଦର ‘ଶ୍ୟାମଳ ଶୀଳ ସୁଶୋଭନ କ୍ଷେତ୍ରା’ ହୋଇଛି ‘ଶ୍ୟାମଳ ଶାଳୀ ସୁଶୋଭିତ କ୍ଷେତ୍ରା’ ଏବଂ ପଞ୍ଚମ ପଦର ‘ଅରିକୁଳ ଶୋଣିତ ଚିତ୍ରିତ ଦେହା’ ହୋଇଛି ‘ଅରିକୁଳ ଶୋଣିତ ଚର୍ଚ୍ଚିତ ଦେହା’। ମନେହୁଏ, ଏହି ସଂମାର୍ଜିତ ରୂପଟି ‘ମୁକୁର’ ପତ୍ରିକାର ୮ମ-୯ମ ସଂଖ୍ୟା, ଅର୍ଥାତ୍‌, ୧୯୧୩ ନଭେମ୍ବର-ଡିସେମ୍ବର ସଂଖ୍ୟାରେ ପ୍ରକାଶ ପାଇଥିଲେ ହେଁ, ସଂଖ୍ୟାଟି ସମ୍ଭବତଃ କିଂଚିତ୍ ବିଳମ୍ବରେ ପ୍ରକାଶ ପାଇଛି; ଫଳରେ କବି ଏହି ସଂମାର୍ଜନର ଅବକାଶ ବା ସୁଯୋଗ ପାଇଛନ୍ତି।

ଏବେ ଆସିବା ‘କାନ୍ତକବି ଶ୍ରାଦ୍ଧପର୍ବ’କୁ। ବିଶେଷ ଉଲ୍ଲେଖନୀୟ ଯେ ଅତ୍ୟନ୍ତ ସଚେତନ ଭାବରେ ସେଥିରେ ସଂଗୀତଟିକୁ ‘ଉତ୍କଳର ଜାତୀୟ ସଂଗୀତ’ ଭାବରେ ଅଭିହିତ କରାଯାଇଛି। ‘ଡଗର’ର ସେହି ପ୍ରକାଶନର ଶୀର୍ଷକ ରହିଛି, “ଉତ୍କଳର ଜାତୀୟ ସଂଗୀତ (ଅମର ଆତ୍ମାର ଆଗ୍ନିକ ଉଦ୍‌ବୋଧନୀ)”। ଏହା ‘ବନ୍ଦେ ଉତ୍କଳ ଜନନୀ’ର ତୃତୀୟ ରୂପ।
ଏହା କିନ୍ତୁ ପୂର୍ଣ୍ଣାଙ୍ଗ ନୁହେଁ; ଖଣ୍ଡିତ। କାରଣ, ପ୍ରଥମ ଓ ଦ୍ୱିତୀୟ ରୂପରେ ‘ଘୋଷା’ ବ୍ୟତୀତ ଛଅଟି ଲେଖାଏଁ ପଦ ଥିବାବେଳେ, ଏଥିରେ ଅଛି ମାତ୍ର ତିନିଟି ପଦ। ତାହା ଏହିପରି-
“ବନ୍ଦେ ଉତ୍କଳ ଜନନି!
ଚାରୁ ହାସମୟି ଚାରୁ ଭାଷମୟି,
ଜନନି! ଜନନି! ଜନନି!
ପୂତ-ପୟୋଧି-ବିଧୌତ-ଶରୀରା,
ତାଳ-ତମାଳ-ସୁଶୋଭିତ-ତୀରା,
ଶୁଭ୍ର-ତଟିନୀ-କୁଳ-ଶୀକର-ସମୀରା,
ଜନନି! ଜନନି! ଜନନି!
ଘନ ଘନ କାନନ ରାଜିତ ଅଙ୍ଗେ,
ଅଗଣନ ଗିରିଗଣ ନୀଳ ତରଙ୍ଗେ।
କଳକଳ ମୁଖରିତ ଚାରୁ ବିହଙ୍ଗେ,
ଜନନି! ଜନନି! ଜନନି!
ଶତଶତ ସୁରବର-ଦର୍ପିତ-ଗେହା,
ଅରିକୁଳ-ମର୍ଦିତ-ସ୍ପର୍ଧିତ-ଦେହା,
ବିଶ୍ୱଭୂମଣ୍ଡଳ-କୃତ-ବର ସ୍ନେହା,
ଜନନି! ଜନନି! ଜନନି!”

ମନେହୁଏ, ଏହା ହୁଏତ କବିଙ୍କ ଅବର୍ତ୍ତମାନରେ କରାଯାଇଛି। କାରଣ, ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ରୂପରେ ପ୍ରାୟ ଅକ୍ଷତ ଥିବା କେତୋଟି ପଦର ଅଂଶ ଏଥିରେ ପରିବର୍ତ୍ତିତ ହୋଇଛି। ଦୁଇଟି ଉଦାହରଣ ହେଲା- ପ୍ରଥମ ଦୁଇ ରୂପର ‘ଶ୍ୟାମଳ ବନରାଜି’ ଏଥିରେ ହୋଇଛି ‘ଘନଘନ କାନନ’। ସେହିପରି, ଆଦ୍ୟ ରୂପର ‘ଅରିକୁଳ ଶୋଣିତ ଚିତ୍ରିତ ଦେହା’ ଓ ଦ୍ୱିତୀୟ ରୂପର ‘ଅରିକୁଳ ଶୋଣିତ ଚର୍ଚ୍ଚିତ ଦେହା’ ଏଥିରେ ହୋଇଛି ‘ଅରିକୁଳ ମର୍ଦିତ ସ୍ପର୍ଧିତ ଦେହା’। କିନ୍ତୁ ଗ୍ରନ୍ଥାବଳୀର ଚତୁର୍ଥ ତଥା ଚୂଡ଼ାନ୍ତ ରୂପ ବେଳକୁ ଏହା ପୁଣି ପୂର୍ବ ରୂପକୁ ଫେରିଆସିଛି।

ଏହି ପରିପ୍ରେକ୍ଷୀରେ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଗ୍ରନ୍ଥାବଳୀ ‘କାନ୍ତ ସାହିତ୍ୟମାଳା’ର ପୃଷ୍ଠଭୂମି ଆଲୋଚ୍ୟ। ଉଲ୍ଲେଖନୀୟ ଯେ କାନ୍ତକବିଙ୍କ ବିୟୋଗ (୧୯୫୩)ର ଦୀର୍ଘ ୧୧ ବର୍ଷ ପରେ, ୧୯୬୪ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଏ। ପ୍ରକାଶକ- ଓଡ଼ିଶା ବୁକ୍ ଏମ୍ପୋରିୟମ୍‌, କଟକ। ସେତେବେଳେ ଏହି ପ୍ରକାଶନ ସଂସ୍ଥାର ପ୍ରକାଶକ ଥିଲେ ରାମଚନ୍ଦ୍ର କର। ‘ପ୍ରକାଶକର ନିବେଦନ’ରେ ସେ ଦେଇଥିବା ସୂଚନା ଅନୁସାରେ, ସେଥିପାଇଁ ଚୁକ୍ତିନାମା ତଥା ପ୍ରସ୍ତୁତି ହୋଇଥିଲା କାନ୍ତକବିଙ୍କ ବିୟୋଗର ଚାରିବର୍ଷ ପୂର୍ବେ, ୧୯୪୯ରେ।

ଶ୍ରୀ କର ଲେଖିଛନ୍ତି, “କାନ୍ତକବିଙ୍କ ଲେଖାଗୁଡ଼ିକୁ ଗ୍ରନ୍ଥାବଳୀ ଆକାରରେ ପ୍ରକାଶ କରିବା ଲାଗି କବିଙ୍କ ସହିତ ଆମର ଚୁକ୍ତି ହେଲା ୧୯୪୯ ମସିହାରେ। ଲେଖାଗୁଡ଼ିକୁ ବିଭିନ୍ନ ବିଭାଗରେ ସଜାଇ ‘ରବୀନ୍ଦ୍ର ରଚନାବଳୀ’ ଭଳି ତାହାକୁ ପ୍ରକାଶ କରିବାକୁ କାନ୍ତକବି ସ୍ୱୟଂ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଏ ସଂସାର ଛାଡ଼ିବା ଆଗରୁ ଅନ୍ତତଃ ଗୋଟିଏ ଦୁଇଟି ଭାଗକୁ ପ୍ରକାଶିତ ଅବସ୍ଥାରେ ଦେଖିବାକୁ ଖୁବ୍ ଆଶା କରିଥିଲେ। ମାତ୍ର ଆମ୍ଭେମାନେ ତାଙ୍କର ସେ ଆଶା ପୂରଣ କରିପାରିଲୁ ନାହିଁ।”

ଏ ସଂପର୍କରେ ସେ ଆହୁରି ମଧ୍ୟ ଲେଖିଛନ୍ତି, “ଆମ୍ଭେମାନେ ଯେଉଁସବୁ ଲେଖା ସଂଗୃହୀତ ଅବସ୍ଥାରେ ପାଇଲୁ, ତାହା ଯଥାଶୀଘ୍ର ଛପାଇବାର ବ୍ୟବସ୍ଥା କଲୁଁ; ମାତ୍ର ନାନା ଅସୁବିଧା ହେତୁ ପ୍ରକାଶନରେ ଅଯଥା ବିଳମ୍ବ ଘଟିଲା। … ବିଳମ୍ବରେ ହେଲେ ମଧ୍ୟ କବିଙ୍କ ସ୍ୱର୍ଗତ ଆତ୍ମାର ପରିତୃପ୍ତି ପାଇଁ ଆମ୍ଭେମାନେ କିଞ୍ଚିତ୍ ସମର୍ଥ ହୋଇଥିବାରୁ ନିଜକୁ କୃତକୃତ୍ୟ ମନେ କରୁଛୁଁ।”

ଏଣୁ ଏହା ସ୍ପଷ୍ଟ ସୂଚାଏ, ‘ଡଗର’ ପତ୍ରିକାର ‘କାନ୍ତକବି ଶ୍ରାଦ୍ଧପର୍ବ’ର ‘ବନ୍ଦେ ଉତ୍କଳ ଜନନୀ’ ପ୍ରକାଶକାଳ ଦୃଷ୍ଟିରୁ ତୃତୀୟ ରୂପ ହେଲେ ହେଁ, ପ୍ରକୃତ ତୃତୀୟ ତଥା ଚୂଡ଼ାନ୍ତ ରୂପ ହେଉଛି- ‘କାନ୍ତ ସାହିତ୍ୟମାଳା’ରେ ସଂକଳିତ ‘ବନ୍ଦେ ଉତ୍କଳ ଜନନୀ’। ଏହା କାନ୍ତକବିଙ୍କ ଜୀବଦ୍ଦଶାରେ ସଂକଳିତ ହୋଇଥିବାରୁ, ଏହା ହିଁ ଏହି ସଂଗୀତର ପ୍ରାମାଣିକ ରୂପ।

ଏ ସଂପର୍କରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି- ଏବେ ‘ରାଜ୍ୟ ସଂଗୀତ’ ମାନ୍ୟତାପ୍ରାପ୍ତ ରଚନାଟିର ଏହିସବୁ ଭିନ୍ନଭିନ୍ନ ରୂପ ସଂପର୍କରେ ଅତ୍ୟନ୍ତ ସଚେତନ ଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ପଠାଣି ପଟ୍ଟନାୟକ। ଏ ନେଇ ୧୦ ମେ ୨୦୦୩ରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶରତ କୁମାର କରଙ୍କ ଅଧ୍ୟକ୍ଷତାରେ ଯେଉଁ ବୈଠକ ହୋଇଥିଲା, ସେଥିରେ ଯୋଗଦେଇ ସେ କହିଥିଲେ, “କାନ୍ତକବିଙ୍କ ମୂଳରଚନାର ଯେଉଁ ବ୍ୟତିକ୍ରମ ବର୍ତ୍ତମାନର ପାଠରେ ଲକ୍ଷ୍ୟ କରାଯାଉଛି, ମାନ୍ୟବର ବାଚସ୍ପତି ସେ ଦିଗପ୍ରତି ଦୃଷ୍ଟି ଦେଇ ମୂଳ ରଚନାଟିକୁ ହିଁ ଗ୍ରହଣ କରନ୍ତୁ।” ବୈଠକର ବିବରଣୀ (ତା.୨୦ ମେ ୨୦୦୩)ରେ ଏହା ଲିପିବଦ୍ଧ ହୋଇଛି।

ଗୋଟିଏ ବଡ଼ ବ୍ୟତିକ୍ରମ ହେଉଛି- ‘ରାଜ୍ୟ ସଂଗୀତ’ ଭାବରେ ଗୃହୀତ ପାଠର ଦ୍ୱିତୀୟ ପଦର ପ୍ରଥମ ଧାଡ଼ିଟି ମୂଳ ରଚନାରେ “ଘନ ବନଭୂମି ରାଜିତ ଅଙ୍ଗେ” ରହିଥିବା ବେଳେ, ଗୃହୀତ ପାଠରେ “ଘନ ଘନ ବନଭୂମି ରାଜିତ ଅଙ୍ଗେ” ହୋଇଛି। ଏ ନେଇ ଗଣମାଧ୍ୟମରେ ବଡ଼ ବିବାଦ ମଧ୍ୟ ଉଠିଛି। ବିଶେଷ ଉଲ୍ଲେଖନୀୟ ଯେ କାନ୍ତକବି ନିଜେ ଏହି ସଂଗୀତର ଗୋଟିଏ ଇଂରାଜୀ ଅନୁବାଦ ପ୍ରସ୍ତୁତ କରିଥିଲେ। ଏହି ପଦଟିକୁ ସେ ଇଂରାଜୀରେ କହିଛନ୍ତି, ‘‘Thy body bedeck’d with dense woodlands’’। ଏଣୁ ସେଥିରେ ‘ଘନ ବନଭୂମି’ ଅଛି। ‘ଘନଘନ ବନଭୂମି’ ନାହିଁ। ଓଡ଼ିଶା ସରକାରଙ୍କ ‘ଓଡ଼ିଶା ରେଫରେନ୍ସ ଆନୁଆଲ୍‌- ୨୦୦୯’ରେ ଏହା ମୁଦ୍ରିତ ହୋଇଛି।

କେବଳ ଏତିକି ନୁହେଁ, ସଦ୍ୟ ପ୍ରକାଶ ପାଇଥିବା ‘ଉତ୍କଳ ପ୍ରସଙ୍ଗ’ ଓ ‘Odisha Review’ର ୨୦୨୦ ରଥଯାତ୍ରା ବିଶେଷାଙ୍କରେ ମଧ୍ୟ ଧାଡ଼ିଟି ‘ଘନ ବନଭୂମି ରାଜିତ ଅଙ୍ଗେ’ ଅଛି। ‘ଘନ ଘନ ବନଭୂମି ରାଜିତ ଅଙ୍ଗେ’ ନାହିଁ।

ଏଣୁ ‘ରାଜ୍ୟ ସଂଗୀତ’ ମାନ୍ୟତାପ୍ରାପ୍ତ ‘ବନ୍ଦେ ଉତ୍କଳ ଜନନୀ’କୁ ତାହାର ଶୁଦ୍ଧ ରୂପରେ ହିଁ ରାଜ୍ୟସରକାର ଗ୍ରହଣ କରନ୍ତୁ। ତାହାର ଅଶୁଦ୍ଧ ରୂପ କାନ୍ତକବିଙ୍କ ପ୍ରତି ଅପମାନ ହିଁ ହେବ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର