ସଂପଦରୁ କିଛି ସମାଜକୁ ଫେରୁ

ପ୍ରଶାନ୍ତ ପୀୟୂଷ ମହାପାତ୍ର

ନିକଟରେ ‘ଅକ୍ସଫାମ୍‌’ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟରେ ଭାରତ ସ˚ପର୍କରେ ପ୍ରକାଶିତ ତଥ୍ୟ କହିଥାଏ ଯେ ଦେଶରେ ୬୩ ଜଣଙ୍କ ସମ୍ପତ୍ତିର ପରିମାଣ ଦେଶର ଗୋଟିଏ ବର୍ଷର ବଜେଟ୍‌ର ପରିମାଣ ଠାରୁ ଅଧିକ। ପୁନଶ୍ଚ ୭୦ ପ୍ରତିଶତ ଭାରତୀୟଙ୍କ ସ˚ପତ୍ତିର ୪ ଗୁଣା ରହିଛି ମାତ୍ର ୧ ପ୍ରତିଶତ ଅତି ଧନୀଙ୍କ ହାତରେ। ଏଥିରୁ ଭାରତୀୟ ଧନିକଙ୍କ ଦ୍ବାରା ଉଲ୍ଲେଖନୀୟ ସଂପଦ ସୃଷ୍ଟିର ଚିତ୍ର ମିଳିବା ସହିତ ଆଉ ଯାହା ଦେଖିବାକୁ ମିଳିଛି, ତାହା ହେଲା ଆମ ଦେଶରେ ଧନୀ ଓ ଦରିଦ୍ରଙ୍କ ଭିତରେ ବଢ଼ି ଚାଲିଥିବା ବୈଷମ୍ୟର ବିକଳ ଚିତ୍ର। ଆମ ଦେଶର ଅଭିବୃଦ୍ଧି ହାର ଏବେ ଏକ ନୀଚା ୪.୬ ପ୍ରତିଶତ ରହିଛି। କିନ୍ତୁ ଧନିକମାନେ ଅଧିକରୁ ଅଧିକ ଧନୀ ହେବାର କ୍ରମ ମଧ୍ୟ ଜାରି ରହିଛି। ରାଷ୍ଟ୍ରରେ ସଂପଦ ସୃଷ୍ଟି ହେଉଛି, କିନ୍ତୁ ତାହା କେବଳ ମୁଷ୍ଟିମେୟଙ୍କ ଦ୍ବାରା। ବିକାଶର ଫଳର ସ୍ବାଦ କେବଳ ସେମାନେ ହିଁ ଚାଖୁଛନ୍ତି, ସଂଖ୍ୟାଧିକ ଦରିଦ୍ର ତହିଁରୁ ଟୋପାଟିଏ ବି ପାଇବାରୁ ବଞ୍ଚିତ।

ଆମ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇ ଥିବା ବା ଜାତୀୟ ଆୟ ଅର୍ଥାତ୍‌ ଜିଡିପିର ହାର କମିଥିବା ଏବେ ସର୍ବତ୍ର ଚର୍ଚ୍ଚା‌େର। କୁହାଯାଉଛି ଯେ ଦେଶର ଆର୍ଥିକ ସ୍ବାସ୍ଥ୍ୟ ଏତେ ଭଲ ନାହିଁ। ତେଣୁ, ସରକାର ରାଷ୍ଟ୍ରାୟତ୍ତ ସ˚ସ୍ଥାରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଆଗ୍ରହୀ। ଉଚ୍ଚ ଅଭିବୃଦ୍ଧି ହାସଲ ଦିଗରେ ଏହା ଏକ ପରୀକ୍ଷିତ ମାର୍ଗ ମଧ୍ୟ। ଆମ ଦେଶରେ ଉଦାରୀକରଣ ପରବର୍ତ୍ତୀ କାଳରେ ଶିଳ୍ପ ଠାରୁ ଆରମ୍ଭ କରି ସେବା କ୍ଷେତ୍ର ପର୍ଯ୍ୟନ୍ତରେ ସର୍ବତ୍ର ଘରୋଇ କଂପାନିଙ୍କ ପ୍ରବେଶ ଦେଖିବାକୁ ମିଳୁଛି। ଏହା ସଂପୃକ୍ତ କ୍ଷେତ୍ରରେ ଅଭିବୃଦ୍ଧି ହାସଲରେ ମଧ୍ୟ ସହାୟକ ହେଉଛି। କିନ୍ତୁ ଏହି ଅଭିବୃଦ୍ଧିର ଲାଭ କେବଳ ସେହି ପୁଂଜିପତି ନିବେଶକାରୀଙ୍କ ଠାରେ ଠୁଳ ହୋଇ ରହୁଛି। ଏହି କାରଣରୁ ଉଦାରୀକରଣ ପରେ ଆମ ଦେଶରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ଥିବା ବୈଷମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିପୁଳ କ୍ଷତି ଏବଂ ପରିଚାଳନା ଦକ୍ଷତା ଅଭାବ ନାମରେ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ସରକାର ସଂପଦ ସୃଷ୍ଟିର ଭିତ୍ତିଭୂମିକୁ ସେହି ଧନୀମାନଙ୍କୁ ହସ୍ତାନ୍ତର କରି ଦେଉଛନ୍ତି, ଯେଉଁ ୧ ପ୍ରତିଶତଙ୍କ ଉପାର୍ଜନ ୭୦ ପ୍ରତିଶତ ଭାରତୀୟଙ୍କ ଉପାର୍ଜନର ଚାରି ଗୁଣରୁ ଅଧିକ।

ଉଚ୍ଚ ଅଭିବୃଦ୍ଧି ନାମରେ ଜନସଂଖ୍ୟାର ୧ ପ୍ରତିଶତଙ୍କ ଶିଳ୍ପ ସାମ୍ରାଜ୍ୟ ବୃଦ୍ଧି ପାଇଁ ବାଟ ଫିଟାଇ ଦେଇ ଅନ୍ୟ ପଟେ ପ୍ରାୟଶ୍ଚିତ କଲା ଭଳି ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ କୋଟି କୋଟି ଟଙ୍କାର ଖଇରାତୀ ବ୍ୟୟ ଦ୍ବାରା ବିଶେଷ ଲାଭ ହୋଇ ନ ଥିବା ଦେଖାଯାଉଛି। ମନେ ରଖିବାକୁ ହେବ ଯେ ଜିଡିପିର ବୃଦ୍ଧି ଓ ବିକାଶ; ଏ ଦୁଇଟି ଅଲଗା ଅଲଗା କଥା। ଅର୍ଥଶାସ୍ତ୍ରର ଛାତ୍ରଙ୍କୁ ଏହା ଶିକ୍ଷାର ପ୍ରଥମ ସୋପାନରେ ହିଁ ବୁଝାଇ ଦିଆଯାଇଥାଏ। ଏକ ରାଷ୍ଟ୍ରର ଜିଡିପି ଅଧିକ ‌େହାଇଥିଲେ ବି ସେହି ଦେଶରେ ଦରିଦ୍ରଙ୍କ ସଂଖ୍ୟା ମାତ୍ରାଧିକ ରହିବା ସମ୍ଭବ। ଏଭଳି ଏକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଯାହା ଦରକାର ତାହା ହେଉଛି ସୃଷ୍ଟି ହେଉଥିବା ସଂପଦର ବଣ୍ଟନ। ଏହାକୁ ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କ ଠାରେ ପହଞ୍ଚା ଯାଇପାରେ। କିନ୍ତୁ ସେଥିଲାଗି ପୁଂଜିପତି ଉଦ୍ୟୋଗୀମାନଙ୍କ ଠାରେ କିଞ୍ଚିତ ବଦାନ୍ୟତା ଦେଖାଯିବା ଜରୁରୀ। ନିଜ ରାଷ୍ଟ୍ର ଓ ସମାଜ ଠାରୁ ସେମାନେ ପାଇଥିବା ସାହାଯ୍ୟ ଓ ସଦ୍ଦିଚ୍ଛା ଲାଗି କୃତଜ୍ଞତା ଜ୍ଞାପନ ପୂର୍ବକ ସେମାନେ ଅର୍ଜନ କରୁଥିବା ବିତ୍ତକୁ ସମାଜକୁ ବିଭିନ୍ନ ଉପାୟରେ ଫେରାଇବାର ଉଦ୍ୟମ କଲେ, ତାହା ଫଳବତୀ ହେବ। ପାଶ୍ଚାତ୍ୟରେ ଜର୍ଜ ସୋରସ୍‌ ବା ୱରେନ୍ ବଫେଟ୍‌ ବା ବିଲ୍‌ ଗେଟ୍‌ସ ତାର ଜ୍ବଳନ୍ତ ଉଦାହରଣ। ଆମ ରାଷ୍ଟ୍ରରେ ମଧ୍ୟ ଏବେ ଏଭଳି ପୁଂଜିପତି ଅଛନ୍ତି। ତେବେ, ଏମାନଙ୍କ ସଂଖ୍ୟା ଯେତେ ବୃଦ୍ଧି ପାଇବ, ତାହା ରାଷ୍ଟ୍ର ଲାଗି ସେତେ ଭଲ ହେବ।

[email protected]

ସମ୍ବନ୍ଧିତ ଖବର