ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା

ବଜାର ହାଲଚାଲ - ଓମ୍‌ ପ୍ରକାଶ ଜଗତି

କିଛିଦିନ ତଳେ ବାଲେଶ୍ବରରେ ରହୁଥିବା ଜଣେ ବନ୍ଧୁଙ୍କ ଠାରୁ ଫୋନ୍‌ ଆସିଥିଲା। ଦେଶରେ କୋଭିଡ୍‌ ମହାମାରୀ ଅମାନିଆ ଭାବରେ ଦ୍ରୁତ ଗତିରେ ସ˚କ୍ରମିତ ହେଉଥିଲା ବେଳେ, ଅର୍ଥନୀତିକୁ ବଞ୍ଚାଇବା ପାଇଁ ସରକାର ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଓଡ଼ିଶାରେ ଏହାର ପ୍ରଭାବ ସମ୍ପର୍କରେ ଜିଜ୍ଞାସା କରିଥିଲି। ବନ୍ଧୁ କହିଥିଲେ ଯେ ଯଦିଓ ସରକାରୀ ଦପ୍ତର, ବ୍ୟାଙ୍କ, ବୀମା ଇତ୍ୟାଦି କ୍ରମଶଃ ସ୍ବାଭାବିକ ଭାବରେ କାମ କରିବା ଆରମ୍ଭ କରିଛନ୍ତି, ତୃଣମୂଳ ସ୍ତରରେ ସ୍ଥିତି ଭଲ ନାହିଁ। ବନ୍ଧୁ କହିଲେ ଯେ କିଛିଦିନ ତଳେ ଅଫିସ କାମରେ ବେତନଟୀ ଯାଇଥିଲେ। ସ୍କୁଲ, କଲେଜ ପଢ଼ା ବହି, ଯାବତୀୟ ପତ୍ରପତ୍ରିକା, ଷ୍ଟେସନାରି ଇତ୍ୟାଦି ବିକୁଥିବା ‘ଶିକ୍ଷାସାଥୀ’ ସେଠାକାର ଏକ ଜଣାଶୁଣା ବହି ଦୋକାନ। ଶିକ୍ଷାବର୍ଷ ଆରମ୍ଭରେ ପଢ଼ାବହି କିଣିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ଭିଡ଼ ଲାଗି ରହିଥାଏ। କିନ୍ତୁ ଏ ବର୍ଷ ବେପାର ପ୍ରାୟ ନାହିଁ କହିଲେ ଚଳେ। ଶିକ୍ଷା ବ୍ୟବସ୍ଥା କ୍ରମଶଃ ଡିଜିଟାଲ ଭିତ୍ତିକ ହେବାକୁ ଯାଉଥିବାରୁ ଦୋକାନର ମାଲିକ ଅନିଶ୍ଚିତ ଭବିଷ୍ୟତ ପାଇଁ ଚିନ୍ତିତ ହୋଇପଡ଼ିଛନ୍ତି।

ଜୀବନ ଓ ଜୀବିକାକୁ ବଞ୍ଚାଇ ରଖିବା ପାଇଁ ସମଗ୍ର ଦେଶବାସୀ ସ˚ଘର୍ଷ କରୁଛନ୍ତି। କେବଳ ଶ୍ରମଜୀବୀ ଓ କ୍ଷୁଦ୍ର ବେପାରୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ତାହା ନୁହେଁ। ଶିକ୍ଷିତ ଯୁବକ, ଯୁବତୀ ଚାକିରି ପାଇ ପାରୁନାହାନ୍ତି, କିମ୍ବା ଅପ୍ରତ୍ୟାଶିତ ଭାବରେ ଚାକିରି ହରାଉଛନ୍ତି। ବେଡିି ଉପରେ କରୋଡ଼ା ଭଳି ଦେଶର ସୀମାନ୍ତରେ ଚୀନ୍‌ ଔଦ୍ଧତ୍ୟ ପ୍ରଦର୍ଶନ କରିବାକୁ ହି˚ସାର ସାହାଯ୍ୟ ନେଇଛି। ଚୀନ୍‌ ପ୍ରରୋଚନାରେ ଭାରତର ମିତ୍ର ରାଷ୍ଟ୍ର ରୂପେ ଗଣାଯାଉଥିବା ନେପାଳ ଭାରତର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିବା ଆରମ୍ଭ କରିଛି। ବନ୍ଧୁ ଏହା ଶୁଣି ପ୍ରଶ୍ନ କରିଥିଲେ ଯେ ଭାରତ କ’ଣ ସୀମା ସୁରକ୍ଷା ସହିତ ଦୋଦୁଲ୍ୟମାନ ଅର୍ଥନୀତିକୁ ସଜାଡ଼ିପାରିବ?

କ୍ରିକେଟ୍ ପ୍ରତି ବନ୍ଧୁଙ୍କ ଅନୁରାଗକୁ ମନେ ପକାଇ ଉତ୍ତର ଦେଇଥିଲି ଯେ ୨୦୦୧ ମସିହାରେ କୋଲକାତା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ଭାରତର ଐତିହାସିକ ବିଜୟ ଭଳି ଯଦି ସାଂପ୍ରତିକ ପରିସ୍ଥିତିରେ ଭାରତ ଚତୁର କୂଟନୀତି ଓ ପ୍ରଭାବଶାଳୀ ଅର୍ଥନୈତିକ ସ˚ସ୍କାର ପାଇଁ ପ୍ରୟାସ କରିବ ତେବେ ଆଗାମୀ ଦିନରେ ଏହା ବିଶ୍ବରେ ଏକ ଶକ୍ତିଶାଳୀ ଓ ସମୃଦ୍ଧିଶାଳୀ ରାଷ୍ଟ୍ର ରୂପେ ଉଭା ହୋଇପାରିବ। ଆଲୋଚନା ଆରମ୍ଭରେ ଏହି ସ୍ମରଣୀୟ କ୍ରିକେଟ୍‌ ମ୍ୟାଚକୁ ସ˚କ୍ଷିପ୍ତରେ ବର୍ଣ୍ଣନା କରିବା ଉଚିତ ହେବ। ୨୦୦୧ ମସିହାରେ ଅଷ୍ଟ୍ରେଲିଆ ଦଳ ଭାରତକୁ ତିନିଟି ଟେଷ୍ଟ ମ୍ୟାଚ ଖେଳିବାକୁ ଆସିଥିଲା। ମୁମ୍ବାଇରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଦଶ ଉଇକେଟରେ ସହଜସାଧୢ ବିଜୟ ହାସଲ କରିଥିଲା। କୋଲକାତାରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ଭାରତ ପାଇଁ ‘କର ବା ମର’ ଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟି˚ କରି ୪୪୫ ରନ୍‌ କରିଥିଲା! ଜବାବରେ ଭାରତ ମାତ୍ର ୧୭୧ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଫୋଲଅନ୍‌ ହୋଇ ଭାରତ ଦ୍ବିତୀୟ ଇନିଙ୍ଗ୍‌ସ ଆରମ୍ଭ କରିଥିଲା। ଇନିଙ୍ଗ୍‌ସ ପରାଜୟରୁ ବର୍ତ୍ତିବା ପାଇଁ ଭାରତକୁ ୨୭୪ ରନ୍‌ ଆବଶ୍ୟକ ଥିଲା। ୨୩୨ ରନ୍‌ ବେଳକୁ ଭାରତର ଚାରି ଉଇକେଟ ପତନ ହୋଇସାରିଥିଲା। ଆଉ ଏକ ପରାଜୟ ଅବଶ୍ୟମ୍ଭାବୀ ଲାଗୁଥିଲା। ତେବେ ଚତୁର୍ଥ ଦିବସରୁ ଖେଳରେ ନାଟକୀୟ ମୋଡ଼ ଆରମ୍ଭ ହୋଇଥିଲା। ଏହି ଦିନ ଭାରତ କୌଣସି ଉଇକୋଟ ନ ହରାଇ ୩୩୭ ରନ୍‌ ସ˚ଗ୍ରହ କରିଥିଲା। ୫ମ ତଥା ଶେଷ ଦିବସରେ ଭାରତ ସାତ ଉଇକେଟରେ ୬୫୭ ରନ୍‌ କରି ପାଳି ସମାପ୍ତି ଘୋଷଣା କରିଥିଲା। ଯଦିଓ ଭାରତର ପରାଜୟ ଟଳି ଯାଇଥିଲା, ତଥାପି ବଳକା ମାତ୍ର ୭୫ ଓଭରରେ ଅଷ୍ଟ୍ରେଲିଆ ଭଳି ଏକ ନମ୍ବର ଦଳକୁ ଆଉଟ କରିବା ଅସମ୍ଭବ ମନେ ହେଉଥିଲା। କିନ୍ତୁ ଭାରତୀୟ ଦଳ ସ˚ଘବଦ୍ଧ ଭାବରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମାତ୍ର ୨୧୨ ରନ୍‌ରେ ଅଲଆଉଟ କରି ଦେଇ ୧୭୧ ରନ୍‌ରେ ବିଜୟୀ ହୋଇଥିଲା। ଏହି ବିଜୟରୁ ପ୍ରାପ୍ତ ଆତ୍ମବିଶ୍ବାସ ଭାରତକୁ ତୃତୀୟ ତଥା ଚୂଡାନ୍ତ ଟେଷ୍ଟରେ ମଧୢ ବିଜୟୀ ହେବାକୁ ସାହାଯ୍ୟ କରିଥିଲା। ଏହି କ୍ରିକେଟ୍‌ ବିଜୟରୁ ମିଳୁଥିବା କେତୋଟି ଗୁରୁତ୍ବପୂର୍ଣ୍ଣ ନିଷ୍କର୍ଷ ସବୁ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରିବ। ପୂର୍ବ ଘଟଣାର ଫଳାଫଳ ଯେ ବର୍ତ୍ତମାନ ଘଟଣାରେ ପୁନରାବୃତ୍ତି ହେବ ଏହା ଭାବିବା ଠିକ୍‌ ନୁହେଁ। ଆତ୍ମବିଶ୍ବାସ, ଏକାଗ୍ରତା ତଥା ସ˚ଘବଦ୍ଧତାର ସହିତ ସ˚ଘର୍ଷ କଲେ ପରାଜୟକୁ ଏଡ଼ାଇବା ସହିତ ବିଜୟ ହାସଲ ସମ୍ଭବ ହୋଇପାରିବ।

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଅନ୍ତର୍ଜାତୀୟ ଜିଓ ପଲିଟିକ୍‌ସର ଦୁଇ ମୁଖ୍ୟ ଶକ୍ତି ଆମେରିକା ଓ ସୋଭିଏତ୍‌ ରୁଷ ମଧୢରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। କୋରିଆ, ଭିଏତ୍‌ନାମ, ଆଫଗାନିସ୍ତାନ, ଇରାନ୍‌ ଇତ୍ୟାଦି ଅନେକ ଦେଶ ଏହି ଶୀତଳ ଯୁଦ୍ଧର ଶିକାର ହୋଇଥିଲେ। ଉଭୟ ରାଷ୍ଟ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିଜ ନିଜ ସାମରିକ ଗୋଷ୍ଠୀକୁ ବ୍ୟାପକ କରିବା। କିନ୍ତୁ ସୋଭିଏତ୍‌ ରୁଷର ବିଘଟନ ପରେ ଏହି ସ୍ଥାନ ଚୀନ ଅକ୍ତିଆର କରିଛି। ସାମ୍ୟବାଦର ଦ୍ବାହି ଦେଉଥିଲେ ହେଁ ସେଠାରେ ଶ୍ରମିକମାନଙ୍କ ସ୍ବାଧୀନତା ନାହିଁ। ମିଡିଆ ସରକାରଙ୍କ ମୁଖପାତ୍ର ରୂପେ କାର୍ଯ୍ୟ କରିଥାଏ। ଆମ ଦେଶ ଭଳି ସେଠାରେ ଟ୍ରେଡ୍‌ ୟୁନିୟନ୍‌, ପରିବେଶ ସୁରକ୍ଷା, ଜମି ଅଧିଗ୍ରହଣ ଇତ୍ୟାଦି ସଂକ୍ରାନ୍ତ ସମସ୍ୟାକୁ ମୁଣ୍ଡ ଟେକିବାକୁ ଦିଆଯାଏ ନାହିଁ। ସରକାର ଭିତ୍ତିଭୂମିର ବିକାଶ ପାଇଁ ସର୍ବଦା ସଚେତନ। ବ୍ୟାଙ୍କିଂ କାରବାର ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ଅପେକ୍ଷାକୃତ କମ ଖର୍ଚ୍ଚ ଓ ଅଧିକ ଉତ୍ପାଦକତା ସହିତ ଶିଳ୍ପ ଉତ୍ପାଦନ ହୋଇ ପାରୁଥିବାରୁ ରପ୍ତାନି ବାଣିଜ୍ୟରେ ଚୀନ୍‌ ଅଭୂତପୂର୍ବ ସଫଳତା ହାସଲ କରିପାରିଛି। ଆଜି ଏହା ବିଶ୍ବ ଅର୍ଥନୀତିର ସର୍ବବୃହତ୍‌ ସପ୍ଲାଇ ଚେନ୍‌ର ମାନ୍ୟତା ପାଇଛି। ଆମେରିକା, କୋରିଆ, ଜାପାନ, ଜର୍ମାନୀ, ତାଇଵାନ୍‌ ଇତ୍ୟାଦି ଅନେକ ଶିଳ୍ପ ସମୃଦ୍ଧ ରାଷ୍ଟ୍ରର କମ୍ପାନିମାନେ ନିଜ ଦେଶ ଅପେକ୍ଷା ଚୀନ୍‌ରେ କାରଖାନା ସ୍ଥାପନ କରି ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି। ସଂପ୍ରତି ଚୀନ୍‌ର ବାର୍ଷିକ ରପ୍ତାନି ବାଣିଜ୍ୟ ୨୫୦୦ ବିଲିୟନ ଡଲାର ଥିଲା ବେଳେ ଆମଦାନି ପ୍ରାୟ ୨୦୦୦ ବିଲିୟନ୍‌ ଡଲାର‌୍‌। ଅର୍ଥାତ୍‌ ବାର୍ଷିକ ୫୦୦ ବିଲିୟନ ଡଲାରର ବଳକା ବାଣିଜ୍ୟ। ସା˚ପ୍ରତିକ ବିନିମୟ ହାର ଭିତ୍ତିରେ ଏକ ବିଲିୟନ ଡଲାରକୁ ୭୬୦୦ କୋଟି ଟଙ୍କା ଧରା ଯାଇପାରେ।

ରାଷ୍ଟ୍ରପତି ଟ୍ରମ୍ପ୍‌ ଚୀନ୍‌ ସହିତ ଆମେରିକାର ନିଅଣ୍ଟିଆ ବାଣିଜ୍ୟରେ ସନ୍ତୁଳନ ଆଣିବା ପାଇଁ ଆରମ୍ଭ କରିଥିବା ବ୍ୟାପାର ଯୁଦ୍ଧ ଯୋଗୁଁ ଚୀନ୍‌ର ଅର୍ଥନୀତି କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଏହାକୁ ଭରଣା କରିବା ପାଇଁ ଚୀନ୍‌ ଵାନ୍ ବେଲ୍‌ଟ, ଵାନ୍‌ ରୋଡ୍‌ (ସ˚କ୍ଷିପ୍ତରେ ଓବର) ପ୍ରୋଜେକ୍ଟ ଆରମ୍ଭ କରିଛି। ଏହି ଯୋଜନାର ସହଯୋଗୀ ରାଷ୍ଟ୍ରଗୁଡ଼ିକରେ ଭିତ୍ତିଭୂମି ବିକାଶ ପାଇଁ ଚୀନ୍‌ କମ୍ପାନିମାନଙ୍କୁ ସୁଯୋଗ ମିଳିବା ସହିତ ଏହି ରାଷ୍ଟ୍ରମାନଙ୍କୁ ଚୀନ୍‌ ପର୍ଯ୍ୟାପ୍ତ ଋଣ ଦେବା ଆରମ୍ଭ କରିଛି। ଏମାନଙ୍କ ମଧୢରୁ ଅଧିକା˚ଶ ରାଷ୍ଟ୍ରଙ୍କ ଅର୍ଥନୀତି ଦୁର୍ବଳ ହୋଇଥିବାରୁ ଏମାନେ କ୍ରମଶଃ ଚୀନ୍‌ର ଋଣ ଯନ୍ତାରେ ପଡ଼ି ଏହାର ଅନୁଗତ ହୋଇ ରହିବାକୁ ବାଧୢ ହେବେ। ଏମାନଙ୍କ ମଧୢରେ ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ମାଲଦ୍ବୀପ, ବା˚ଲାଦେଶ ଇତ୍ୟାଦି ଅନ୍ତର୍ଭୁକ୍ତ। କିନ୍ତୁ ଭାରତ ପାକ୍‌ ଅଧିକୃତ କାଶ୍ମୀର ଏବ˚ ଭାରତ, ଚୀନ୍‌ ଓ ଭୁଟାନକୁ ଛୁଇଁଥିବା ତ୍ରିଛକି ଡୋକ୍‌ଲାମ୍‌ ଦେଇ ରାସ୍ତା ନିର୍ମାଣକୁ ସଫଳତାର ସହିତ ରୋକି ଦେଇଛି। ତେଣୁ ଚୀନ୍‌ ଭାରତ ଉପରେ ଖପ୍ପା।

କୋଭିଡ୍‌ ୧୯ରୁ ଉତ୍କଟ ସ˚କ୍ରମଣ ପାଇଁ ବିଶ୍ବବ୍ୟାପୀ ଦୋଷାରୋପ ଯୋଗୁଁ ଚୀନ୍‌ ଏକଘରିକିଆ ହୋଇଯାଇଛି। ଅପରପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଆଉ ଚାରି ମାସ ପରେ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି। କୋଭିଡ୍‌ ରୋକିବା କ୍ଷେତ୍ରରେ ପ୍ରଶାସନିକ ବିଫଳତା ଏବ˚ ଜର୍ଜ ଫ୍ଲଏଡ୍‌ ହତ୍ୟ‌ା ଜନିତ ଉପୁଜିଥିବା ବର୍ଣ୍ଣ-ବୈଷମ୍ୟ ବିରୋଧ ଆନ୍ଦୋଳନ ଟ୍ରମ୍ପ୍‌ଙ୍କ ବିଜୟ ସମ୍ଭାବନାକୁ କ୍ଷୁଣ୍ଣ କରୁଥିବାରୁ ସେ ଜନସାଧାରଣଙ୍କ ଆସ୍ଥା ଲାଭ କରିବା ପାଇଁ ଚୀନ୍‌ ବିରୋଧରେ ସମାଲୋଚନାକୁ ତୀବ୍ର କରି ଦେଇଛନ୍ତି। ଏପରି ପରିସ୍ଥିତିରେ ଭାରତ ଭଳି ଏକ ବୃହତ୍‌ ରାଷ୍ଟ୍ର ଉପରେ ସୀମା କନ୍ଦଳ ଆଳରେ ସାମରିକ ଶକ୍ତିକୁ ପରୀକ୍ଷାମୂଳକ ଭାବରେ ପ୍ରୟୋଗ କରି ଆମେରିକା ଓ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ କୋଭିଡ୍‌ ସମାଲୋଚନାରୁ କ୍ଷାନ୍ତ ରହିବାକୁ ସତର୍କ କରିଦେବାକୁ ଚାହେଁ।

ଲଦାଖ୍‌ରେ ସୀମା ବିବାଦ ଓ କୋଡ଼ିଏ ଭାରତୀୟ ଯବାନଙ୍କ ମୃତ୍ୟୁ ପ୍ରତିକ୍ରିୟା ସ୍ବରୂପ ଅନେକ ଅଞ୍ଚଳରେ ଜନସାଧାରଣ ଚୀନ୍‌ ସାମଗ୍ରୀ ବର୍ଜନ କରିବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ଇତି ମଧୢରେ ସରକାର ପ୍ରତିରକ୍ଷା ଓ ସୁରକ୍ଷା ଆଳରେ ଚୀନ୍‌ କମ୍ପାନିମାନଙ୍କ ଦ୍ବାରା ପ୍ରସ୍ତୁତ ୫୯ଟି ମୋବାଇଲ୍‌ ଆପ୍‌ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଏହି ସବୁ ଆପ୍‌ରେ ବିଜ୍ଞାପନ ମାଧୢମରେ ଚୀନ୍‌ କମ୍ପାନିମାନେ ପ୍ରଚୁର ଆୟ ଅର୍ଜନ କରିଥାନ୍ତି। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଚୀନ୍‌ କମ୍ପାନିମାନଙ୍କୁ ସାମିଲ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରଶ୍ନ ଉଠୁଛି ଯେ ସଂପ୍ରତି ଚୀନ୍‌ ବିରୋଧରେ ଉଠିଥିବା ଜନ ଅସନ୍ତୋଷ ସାମୟିକ ଭାବପ୍ରବଣର ପରିପ୍ରକାଶ ନୁହେଁ ତ? ଡୋକ୍‌ଲାମ୍‌ ବିବାଦ ପରେ ମଧୢ ଏହିପରି ପ୍ରତିବାଦ ଦେଖିବାକୁ ମିଳିଥିଲା। କିନ୍ତୁ କିଛି ଦିନ ପରେ ପରିସ୍ଥିତି ପୁଣି ସ୍ବାଭାବିକ ହୋଇଯାଇଥିଲା। ସଂପ୍ରତି ଭାରତ ଚୀନ ଠାରୁ ବାର୍ଷିକ ପ୍ରାୟ ୫୮ ବିଲିୟନ୍‌ ଡଲାରର ସାମଗ୍ରୀ ଆମଦାନି କରୁଛି। ଅପରପକ୍ଷରେ ରପ୍ତାନି ରାଶି ପ୍ରାୟ ୧୫ ବିଲିୟନ୍‌ ଡଲାର। ଆମଦାନି ତାଲିକାରେ ବିପୁଳ ପରିମାଣର ଇଲେକ୍‌ଟ୍ରୋନିକ୍ସ ଓ ଇଲେକ୍‌ଟ୍ରିକାଲ୍‌ ସାମଗ୍ରୀ, ବିଭିନ୍ନ ଯନ୍ତ୍ରପାତି, ଉର୍ବରକ, ଯାବତୀୟ ରାସାୟନିକ ପଦାର୍ଥ ଇତ୍ୟାଦି ଅନ୍ତର୍ଭୁକ୍ତ। ବିଶ୍ବରେ ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତ ପରିମାଣ ଭିତ୍ତିରେ ତୃତୀୟ ଓ ମୂଲ୍ୟ ଭିତ୍ତିରେ ଦଶମ ସ୍ଥାନ ଅଧିକାର କରିଛି। ବାର୍ଷିକ ମୋଟ ବେପାର ରାଶି ପ୍ରାୟ ୫୫ ବିଲିୟନ ଡଲାର ଥିଲା ବେଳେ ରପ୍ତାନି ବାଣିଜ୍ୟର ପରିମାଣ ୨୦ ବିଲିୟନ ଡଲାର। ଏଠାରେ କହି ରଖିବା ଉଚିତ୍‌ ହେବ ଯେ ଔଷଧ ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ବା ‘ଏ.ପି.ଆଇ.’ ମୁଖ୍ୟତଃ ଚୀନ୍‌ରୁ ଆମଦାନି ହୋଇଥାଏ। ‘ଏ.ପି.ଆଇ.’ ଏକ ପ୍ରଦୂଷଣ ପ୍ରବଣ ଶିଳ୍ପ ହୋଇଥିବାରୁ ଭାରତରେ ଏହି ଶିଳ୍ପ ସ୍ଥାପନକୁ ପ୍ରୋତ୍ସାହିତ କରାଯାଇନଥାଏ। ଚୀନ୍‌ରୁ ଆମଦାନି ହେଉଥିବା ଇଲେକ୍‌ଟ୍ରିକାଲ୍‌ ଓ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକୁ ବିକ୍ରିବଟା କରି ଅନେକ ଭାରତୀୟ ବ୍ୟବସାୟୀ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। କୋଭିଡ୍‌ ସ˚କ୍ରମଣ ଆରମ୍ଭ ହେଲା ପରେ ପରେ ପ୍ରାୟ ଏକ ହଜାର ବିଦେଶୀ କମ୍ପାନି ଚୀନ୍‌ରେ ଉତ୍ପାଦନ ପ୍ରକ୍ରିୟା ବନ୍ଦ କରି ଅନ୍ୟ ଦେଶକୁ ସ୍ଥାନାନ୍ତର କରିବେ ବୋଲି ଗଣମାଧୢମରୁ ଜାଣିବାକୁ ମିଳିଥିଲା। ଏଥିରେ ଭାରତ ବିଶେଷ ଉପକୃତ ହେବ ବୋଲି ଆଶା କରାଯାଉଛି। ଭାରତରେ ପର୍ଯ୍ୟାପ୍ତ ସୁଯୋଗ ଥିଲେ ହେଁ ଏହାକୁ ସାକାର କରିବା ପାଇଁ ଆମେ କ’ଣ ଏଥିପାଇଁ ପ୍ରସ୍ତୁତ? ଏଥିପାଇଁ ଜମି ଅଧିଗ୍ରହଣ, ପରିବେଶ ସୁରକ୍ଷା, ଶ୍ରମ ଆଇନ ଗୁଡ଼ିକରେ ଆବଶ୍ୟକ ସ˚ସ୍କାର ଆଣିବାକୁ ପଡ଼ିବ। ଟିକସ ଆଇନରେ ପ୍ରଶାସନିକ ପରିବର୍ତ୍ତନ ଆଣି ‘ଟ୍ୟାକ୍‌ସ ଟେରୋରିଜିମ୍‌’କୁ ହଟାଇବାକୁ ପଡ଼ିବ। ତେବେ ଯାଇ ବିଦେଶୀ କମ୍ପାନିମାନେ ଭାରତରେ ଶିଳ୍ପ ସ˚ସ୍ଥା ସ୍ଥାପନ କରିବାକୁ ମନ ବଳାଇବେ। ବ୍ୟାପାର କ୍ଷେତ୍ରରେ ଚୀନ୍‌କୁ ଜବାବ ଦେବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ମିଳିତ ଭାବରେ ଯୁଦ୍ଧକାଳୀନ ଭିତ୍ତିରେ ଆନ୍ତରିକ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ।

ଶେଷରେ କହିଥିଲି ଯେ ଆମ ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକଙ୍କ ଭିତରେ ରାଜନୈତିକ ବିରୋଧ ଥାଇପାରେ, କିନ୍ତୁ ଚୀନ ବିରୋଧରେ ବ୍ୟାପାର ଯୁଦ୍ଧରେ ସମସ୍ତଙ୍କୁ ଏକତ୍ର ହେବାକୁ ପଡ଼ିବ। କଥାରେ ଅଛି: ‘‘ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା।’’

ମୋ- ୯୮୮୬୨୧୧୭୭୨
[email protected]

ସମ୍ବନ୍ଧିତ ଖବର