ଅଶାନ୍ତ ଗ୍ରହ ଚୀନ

ଭାରତ-ଚୀନ ସଂଘର୍ଷ - ରାଜାରାମ ଶତପଥି

ଇତିମଧ୍ୟରେ ଭାରତର ଲଦାଖ ସୀମାରୁ ଚୀନ ସୈନ୍ୟ ଏକ ପ୍ରକାର ସାଙ୍କେତିକ ପଛଘୁଞ୍ଚା ଦେଇଛନ୍ତି। କିନ୍ତୁ କେତେକ ଜାଗାରୁ ସେମାନେ ଯିବାକୁ ନାରାଜ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ତା’ହେଲେ ଉଭୟ ପକ୍ଷ ମଧ୍ୟରେ ମିଲିଟାରି ଓ ସରକାରୀ ସ୍ତରରେ ଅନେକ ଥର ଆଲୋଚନା ପରେ ଚୀନ ‘ପ୍ରଥମ ଛେକରେ’ ଏତିକି ଘୁଞ୍ଚିଛି ଓ ଧସେଇ ପଶିଥିବା ବାକି ଅଂଚଳକୁ ଖୁବ ଶୀଘ୍ର ଖାଲି କରିବ ବୋଲି ଭରସା ଦେଇଛି। ଇତି ମଧ୍ୟରେ ଭାରତ-ଚୀନ ସମ୍ପର୍କ ଦୁଇ ହଜାର ବର୍ଷରୁ ଅଧିକ ବୋଲି ମତ ଦେଇ ନୂଆଦିଲ୍ଲୀରେ ଅବସ୍ଥାପିତ ଚୀନର ରାଷ୍ଟ୍ରଦୂତ ଘୋଷଣା କରିଛନ୍ତି ଯେ ତାଙ୍କ ଦେଶ ଯୁଦ୍ଧଖୋର କିମ୍ବା ଜାହିରଖୋର ନୁହେଁ, ଉଭୟ ଦେଶ କେହି କାହାର ଶତ୍ରୁ ନୁହନ୍ତି ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ବିଶ୍ୱାସ କରନ୍ତି। ତାଙ୍କ ମତରେ ସୀମା ବିବାଦକୁ ନେଇ ତାଙ୍କ ଦେଶର ଉଦ୍ଦେଶ୍ୟ ବାବଦରେ ଭୁଲ ଧାରଣା ସୃଷ୍ଟି କରାଯାଉଛି। ସୀମାରେ ଚୀନର ଲଗାତାର କାର୍ଯ୍ୟକଳାପ ପୃଷ୍ଠଭୂମିରେ ରାଷ୍ଟ୍ରଦୂତଙ୍କ ଏହି ତଥାକଥିତ ସକାରାତ୍ମକ ମନ୍ତବ୍ୟ ଭାରତରେ କେହି ଗୁରୁତ୍ବର ସହ ନେବେ ତାହା ବିଶ୍ୱାସ ହେଉନାହିଁ। ଗଲା ୬୦ ବର୍ଷରେ ଚୀନର ଭାରତ ପ୍ରତି ମନୋଭାବ, ବ୍ୟବହାର ଓ କାର୍ଯ୍ୟ ଦେଖିଲେ କିଏ କାହାର ଶତ୍ରୁ ବୁଝିବାକୁ ସମୟ ଲାଗିବନି। ୧୯୬୨ର ଯୁଦ୍ଧ ଏହାର ବଡ଼ ପ୍ରମାଣ। ୧୯୫୦ରେ ଚୀନ ବୌଦ୍ଧ ଧର୍ମାବଲମ୍ବୀ ତିବ୍ବତକୁ ଜବରଦସ୍ତ ଅକ୍ତିଆର କରେ। ଏହା ପରେ ଭାରତକୁ ବିଶ୍ୱାସକୁ ନ ନେଇ ତିବ୍ବତରୁ ସିଂଜିଆଙ୍ଗ ପର୍ଯ୍ୟନ୍ତ ଆମ ଜାଗା ଭିତରେ ଏକ ବଡ଼ ରାସ୍ତା (ଜି୨୧୯) ନିର୍ମାଣ କରେ। ଶାନ୍ତିପୂର୍ଣ୍ଣ ସହାବସ୍ଥାନର ସମସ୍ତ ପରିଭାଷାକୁ ଭୁଲି ଦିମାକିଆ ଢଙ୍ଗରେ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ଲଗାତାର ପ୍ରତିବାଦକୁ ଚୀନ ଭ୍ରୂକ୍ଷେପ କଲାନି। ଭାରତ ଏକ ଗୁରଖା ରେଜିମେଣ୍ଟକୁ ଲଦାଖ-ତିବ୍ବତ ସୀମାରେ ମୁତୟନ କଲା ପରେ ଯାହା ହେଲା ତାହା ଯେ କୌଣସି ଭାରତୀୟଙ୍କ ମନରେ ଚୀନ ପ୍ରତି ଥିବା ସାମାନ୍ୟ ସମ୍ମାନକୁ ପୋଛି ଦେବ। ୧୯୬୨ ଜୁଲାଇ ୬ ତାରିଖରେ ହଠାତ ଚୀନ ସୈନ୍ୟମାନେ ଗୁରଖା ରେଜିମେଣ୍ଟକୁ ଚାରିଆଡୁ ଘେରିଗଲେ। ଘେରାବନ୍ଦୀ ତିନିମାସରୁ ଅଧିକ ସମୟ ଚାଲିଲା; ଯେଉଁଥିପାଇଁ ଭାରତ ହେଲିକପ୍‌ଟର ଯୋଗେ ନିଜ ସୈନ୍ୟଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବାକୁ ବାଧ୍ୟ ହେଲା। ଗୁରଖା ସୈନ୍ୟଙ୍କ ସହାୟତା ପାଇଁ ଅଧିକ ସୈନ୍ୟ ପଠାଯିବାରୁ ଚୀନ ଅକ୍ଟୋବର ୪ ତାରିଖରେ ଅତର୍କିତ ଗୁଳି ଚଳାଇ ଆମର ୩୬ ଜଣ ସୈନ୍ୟଙ୍କୁ ମାରିଦେବା ସହ ଅନ୍ୟମାନଙ୍କୁ ବନ୍ଦୀ କଲା।

ଏହା ଥିଲା ୧୯୬୨ ମସିହାରେ ଭାରତ ଉପରେ ଚୀନ ଆକ୍ରମଣର ଆଦ୍ୟ ପର୍ବ। ଯୁଦ୍ଧର ପରିଣାମ ନିଶ୍ଚୟ ସବୁ ଭାରତୀୟଙ୍କ ପାଇଁ ଏକ ଦୁଃଖଦ ଅନୁଭବ; କିନ୍ତୁ ବାସ୍ତବତାରୁ ଦୂରେଇ ଯାଇ ହବନି ଯେ ୨୦୦ ବର୍ଷର ଇଂରେଜ ଶୋଷଣ ପରେ ଗରିବୀରେ ଉବୁଟୁବୁ, ରକ୍ତରେ ଜୁଡୁବୁଡୁ (୧୯୪୮ ପାକିସ୍ତାନ ସହ କାଶ୍ମୀର ରକ୍ଷା ପାଇଁ ଯୁଦ୍ଧ ଓ ଧର୍ମ ନାମରେ ଦେଶ ଭିତରେ ହିଂସାକାଣ୍ଡ) ବିଖଣ୍ଡିତ ଭାରତ ପାଖରେ ଚୀନ ସହ ପାଖାପାଖି ୪୦୦୦ କିଲୋମିଟର ଲମ୍ବା ସୀମାରେ ପହରା ଦେବାକୁ ବି ଯଥେଷ୍ଟ ସମ୍ବଳ ନଥିଲା, ଯୁଦ୍ଧ ତ ଦୂରର କଥା। ଆମ ଅସହାୟତାର ସୁଯୋଗ ନେଇ ଚୀନ ୩୮,୦୦୦ ବର୍ଗ କିଲୋମିଟର ଅଞ୍ଚଳ (ଆକ୍ସାଇ ଚୀନ ) ଓ ଅରୁଣାଚଳ ପ୍ରଦେଶର କିଛି ଅଂଶ ଆଜି ପର୍ଯ୍ୟନ୍ତ ଦଖଲରେ ରଖିଛି। ପ୍ରତି ବର୍ଷ ସୀମା ଟପି କିଛି ଅଂଚଳ ମାଡ଼ି ବସିବା ଚୀନର ସୁଚିନ୍ତିତ ଯୋଜନା। ମିଡିଆ ରିପୋର୍ଟ ଅନୁସାରେ କଂଗ୍ରେସର ଦ୍ବିତୀୟ ପାଳି ସରକାର ସମୟରେ ପୂର୍ବତନ ବୈଦେଶିକ ସଚିବ ଶ୍ୟାମ ଶରଣ ପୂର୍ବ ଲଦାଖ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଚୀନ ଭାରତର ୬୪୦ ବର୍ଗ କିଲୋମିଟର ଜାଗା ଦଖଲ କରି ନୂଆ ସୀମାରେଖା ସୃଷ୍ଟି କରିଛି ବୋଲି ଜଣେଇଥିଲେ, ଯଦିଓ ଏହି ରିପୋର୍ଟକୁ ଆଜି ପର୍ଯ୍ୟନ୍ତ ସରକାରୀ ଭାବେ ସ୍ୱୀକାର କରାଯାଇ ନାହିଁ। ଅରୁଣାଚଳ ପ୍ରଦେଶର କେବଳ ‘ଉପର ସୁୱନଶୀରି’ ଜିଲ୍ଲାରେ ୧୯୬୨ ଯୁଦ୍ଧ ପରଠାରୁ ଏ ପର୍ଯ୍ୟନ୍ତ ୫୦-୬୦ କିଲୋମିଟର ଭାରତ ଭିତରକୁ ପଶି ଆସିଲାଣି ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ଚୋରି ଧନରୁ କିଛି ଦାନ କରିଦେଲେ ପାପ ପୁଣ୍ୟରେ ପରିଣତ ହୋଇଯାଏ ବୋଲି ଅନେକଙ୍କ ଧାରଣା। ଆମ ଠାରୁ ଜନ୍ମ ପାକିସ୍ତାନ ଚୀନକୁ ଯୁଦ୍ଧ ପରବର୍ଷ ଅଧିକୃତ କାଶ୍ମୀରରୁ (ପିଓକେ) ୫୨୮୦ ବର୍ଗ କିଲୋମିଟର ଅଂଚଳ ଦାନରେ ଦେଇ ଦେଇଛି। ତିବ୍ବତ ଅଧିକାର ଓ ୧୯୬୨ ଯୁଦ୍ଧ ପରେ ଚୀନର ବିଶ୍ୱାସ ଯେ ଭାରତ ଏକ ନରମା ଦେଶ, ଜାଗା ମାଡ଼ିବସିଲେ କେବଳ ସାମୟିକ ପ୍ରତିବାଦର ସ୍ୱର ଉଠିବ, ତା’ପରେ ଆମ ନେତାମାନେ ପରସ୍ପର କାଦୁଅ ଫିଙ୍ଗାରେ ବ୍ୟସ୍ତ ରହିବା ବ୍ୟତୀତ ଅଧିକ କିଛି ହେବ ନାହିଁ। ଆନ୍ତର୍ଜାତିକ ସ୍ତରରୁ ମଧ୍ୟ ଭୟର ଆଶଙ୍କା ନାହିଁ, ଆକାଶ କଇଁଆ ଚିଲିକା ମାଛ ଭଳି ନା ବୃହତ ଦେଶମାନେ ଏକାଠି ହେବେ ଓ ମିଳିତ ଆକ୍ରମଣ କରି ଚୀନ ଔଦ୍ଧତ୍ୟର ମେରୁଦଣ୍ଡ ଭାଙ୍ଗିବେ।

କାନ ପାଇଁ କଟୁ ହେଲେ ବି ଚୀନର ଅନୁମାନ ସତ। ଚୀନ ଲଗାତାର ଦୁଇ ପାଦ ଆଗକୁ ଗୋଟିଏ ପାଦ ପଛକୁ ଫେରି ଭାରତର ବହୁ ଅଞ୍ଚଳ ନିଜ ଅକ୍ତିଆରକୁ ନେଇ ଚାଲିଛି। ଗଲା ବର୍ଷ ଚୀନ ୬୦୦ ଥର ସ୍ଥଳ ଭାଗରେ ଓ ୧୦୮ ଥର ଆକାଶ ମାର୍ଗରେ ଆମ ସୀମା ଉଲ୍ଲଂଘନ କରିଥିବା ରେକର୍ଡ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଆମ ଗଣମାଧ୍ୟମର ଭୂମିକା। ସେମାନଙ୍କ ପାଇଁ ଶତ୍ରୁ ଘରେ ପଶିବା ଖବର ନୁହେଁ। ବର୍ଡର ରିସର୍ଚ୍ଚ ଫାଉଣ୍ଡେସନ ଗବେଷଣା ସଂସ୍ଥାର ରିପୋର୍ଟ ଅନୁଯାୟୀ ୨୦୧୦ରୁ ୨୦୧୪ ମଧ୍ୟରେ ମୋଟ ସୀମା ଘଟଣାର ମାତ୍ର ଏକରୁ ଦୁଇ ଭାଗ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆମ ନେତାଙ୍କ ବ୍ୟବହାର ତଦ୍ରୂପ। ମାର୍ଚ୍ଚ-ଏପ୍ରିଲ ମାସରୁ ଚୀନ ଭାରତ ସୀମା ଭିତରେ ପଶିବାକୁ ଆରମ୍ଭ କଲା ଦିନୁ ଆଜି ପର୍ଯ୍ୟନ୍ତ କଂଗ୍ରେସର କୌଣସି ନେତା ଚୀନର ଦାଦାଗିରିକୁ ଦିପଦ କଟୁ ଶବ୍ଦରେ କହି ନାହାନ୍ତି, ଦେଶବାସୀ ଏହି ବିପଦ ସମୟରେ ଏକଜୁଟ ହୋଇ ଶତ୍ରୁକୁ ପାନେ ଦେବI ପାଇଁ ଆହ୍ୱାନ ଦେବା ଦୂରର କଥା। ଦେଶ ଚୀନ ସହ ସୀମାରେ ଲଢ଼ୁଥିବା ବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବି‌େରାଧରେ ଯୁଦ୍ଧ ଘୋଷଣା କରିଛି। ଘରେ ଚୋର ପଶିଲେ କେହି ପ୍ରଥମେ କବାଟ କିଏ ବନ୍ଦ କରିଥିଲା, ଚାବି ଠିକ ପଡ଼ିଥିଲା କି ନାହିଁ, ଢିଙ୍କିଆ ଦିଆଯାଇଥିଲା କି ନାହିଁ; ଏ କଥା ଭାବନ୍ତି ନାହିଁ। ସମସ୍ତେ ମିଶି ଆଗେ ଚୋରକୁ ଘଉଡ଼ାନ୍ତି, ତା’ପରେ ପୋଷ୍ଟମର୍ଟମ ହୁଏ। କିନ୍ତୁ ରାହୁଲ ଗାନ୍ଧୀ ଓ ତାଙ୍କ ଦଳର ବରିଷ୍ଠ ନେତାମାନେ ଏହି ସରଳ ପାଠ ବୁଝିପାରୁ ନାହାନ୍ତି ଯେ ଚୋର ଗଲା ପରେ ମୋଦୀଙ୍କୁ ଗାଳି ଦେବାକୁ ବହୁତ ସମୟ ଅଛି। ଲଦାଖର ଗଲୱାନ ନଦୀ ଉପତ୍ୟକା ଚୀନ ଭାରତ ମଧ୍ୟରେ ସଦ୍ୟ ସୀମା ବିବାଦର କେନ୍ଦ୍ର ବିନ୍ଦୁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ପ୍ରାୟ ୧୦୦ କିଲୋମିଟର ଲମ୍ବା ଏହି ନଦୀ କାରାକୋରମ ଅଂଚଳରୁ ବାହାରି ଆକ୍ସାଇ ଚୀନ ବାଟେ ପ୍ରବାହିତ ହୋଇ ସିନ୍ଧୁ ନଦୀର ଶାଖା ନଦୀ ଶ୍ୟକ ନଦୀରେ ମିଶିଛି। ‘ଲେହ’ର ବାସିନ୍ଦା ଗୁଲାମ ରସୁଲ ଗଲୱାନ ଏହି ନଈକୁ ଆବିଷ୍କାର କରିଥିଲେ। ଗୁଲାମ ୧୮୯୯ ମସିହାରେ ଏକ ବ୍ରିଟିସ ଅନୁସନ୍ଧାନକାରୀ ଟିମ୍‌କୁ ଏହି ଅପହଞ୍ଚ ଅଂଚଳ ଭିତରେ ବାଟ କଢ଼େଇ ପାମିର ମାଳଭୂମି ପର୍ଯ୍ୟନ୍ତ ନେଇଥିଲେ ଏବଂ ସେହିମାନେ ଗଲୱାନ ନଦୀର ନାମକରଣ ତାଙ୍କ ନାମରେ ନାମିତ କରିଥିଲେ। ୧୯୬୨ ଯୁଦ୍ଧରେ ଚୀନ ସମଗ୍ର ଉପତ୍ୟକାକୁ ଅକ୍ତିଆର କଲା ପରେ ଆମର ସେଠାରେ ପାଦ ପକେଇବା ଅସମ୍ଭବ ହୋଇ ଯାଇଛି। ଯେଉଁ ଚେନାଏ ଜାଗା ଆମ ଦଖଲରେ ଅଛି ତାହା ହେଲା ‘ପାଟ୍ରୋଲିଂ ପଏଣ୍ଟ-୧୪’ (‘ପିପି-୧୪’) ଏବଂ ତାହା ହିଁ ଚୀନ ମୁଣ୍ଡ ବ୍ୟଥାର କାରଣ। ପିପି-୧୪ର ଗୁରୁତ୍ୱ ହେଲା ସେଠାରୁ ଭାରତ ଆକ୍ସାଇ ଚୀନ, ସିଜିଆଙ୍ଗ ପ୍ରଦେଶ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଉପରେ ମଧ୍ୟ ନଜର ରଖି ପାରିବ। ପିପି-୧୪କୁ ରାସ୍ତା ନଥିଲା। ସୀମାରେ ଚୀନ ଭାରତର ରାସ୍ତା ନିର୍ମାଣକୁ ସବୁବେଳେ ବିରୋଧ କରିଆସୁଛି। ନିକଟରେ ନରେନ୍ଦ୍ର ମୋଦୀ ସରକାର ସୀମା ଉତ୍ତେଜନାକୁ ଭ୍ରୂକ୍ଷେପ ନକରି ଶ୍ୟକ ନଦୀ ଉପରେ ପୋଲ ଓ ସେଠାରୁ ପ୍ରାୟ ୧୫ କିଲୋମିଟର ଦୂର ପିପି-୧୪କୁ ରାସ୍ତା ନିର୍ମାଣ କରିବା ପରେ ଚୀନ ଅତ୍ୟଧିକ କ୍ଷୁବ୍‌ଧ ହୋଇପଡ଼ିଛି ଏବଂ ଦିନ ରାତି ଭାରତର ଅଣ ଚିହ୍ନିତ ସୀମା ଟପି ରାସ୍ତା ନିର୍ମାଣରେ ଲାଗି ପଡ଼ିଛି। ଚୀନର ଆଉ ଏକ ଭୟ ମୋଦୀ ସରକାର। ଆକ୍ସାଇ ଚୀନ ଓ ପିଓକେ ଭାରତର ବୋଲି ସରକାର ବିନା ଦ୍ବିଧାରେ ସୂଚନା ଦେବା ପରେ ଏବଂ ନିକଟରେ ଭାରତର ଅନ୍ୟାନ୍ୟ ଅଂଚଳ ସହ ପିଓକେର ପାଣିପାଗ ପ୍ରତିଦିନ ପ୍ରକାଶ ପାଇବା ପରେ ଚୀନର ଧାରଣା ଯେ ଭାରତ ଯେ କୌଣସି ସମୟରେ ପାକିସ୍ତାନ ଆଡ଼କୁ ମାଡ଼ିଯାଇ ଅବିଭକ୍ତ କାଶ୍ମୀରର ଏହି ଅଂଚଳ ଦଖଲ କରିନେବ। ଏହା ଯଦି ହୁଏ ପିଓକେ ବାଟେ ରାସ୍ତା ଓ ବନ୍ଦର ନିର୍ମାଣରେ ଖର୍ଚ୍ଚ ଚୀନର କୋଟି କୋଟି ଟଙ୍କା ପାଣିରେ ବୁଡ଼ିଯିବ। ଚୀନର ଚାଲ ବିରୁଦ୍ଧରେ ଭାରତ କୌଣସି ସମୟରେ କଠୋର ପଦକ୍ଷେପ ନେଇ ନାହିଁ। ତେବେ ୨୦୧୭ ମସିହାରେ ଡୋକଲାମ ଓ ଗଲା ମାସ ୧୫ ତାରିଖରେ ଗଲୱାନ ଘଟଣା ଯେଉଁଥିରେ ଆମର ୨୦ ଓ ଶତ୍ରୁ ପକ୍ଷର ପାଖାପାଖି ୧୫୦ ସୈନ୍ୟଙ୍କ ମୃତ୍ୟୁ ପରେ ଭାରତ ୧୯୬୨ ସ୍ଥିତିରେ ନାହିଁ ବୋଲି ଚୀନ ନିଶ୍ଚୟ ଅନୁଭବ କରିଛି। ସେଇଥିପାଇଁ କରୋନା ମହାମାରୀ ବେଳେ ଭାରତର କିଛି ଅଂଚଳ ଚିରାଚରିତ ଢଙ୍ଗରେ ଦଖଲ ପାଇଁ ଚୀନର ଏତେବଡ଼ ସମରସଜ୍ଜା ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଚୀନ ସହ ଯୁଦ୍ଧ ହେଲେ କେହି ଆମ ସହ କାନ୍ଧ ଲଗେଇବାକୁ ଆସିବେ ନାହିଁ। ୧୯୬୨ ଯୁଦ୍ଧରେ ଭାରତର ଏକାଧିକ ଅନୁରୋଧ ସତ୍ତ୍ବେ ଆମେରିକା ଫାଇଟର ବିମାନ ଦେବାକୁ ମନା କଲା, ବଡ଼ କଷ୍ଟରେ ନିଜର ଯୁଦ୍ଧ ଜାହାଜ ପଠେଇଲା, ସିଏ ପହଞ୍ଚିଲା ବେଳକୁ ଯୁଦ୍ଧ ଶେଷ। ଏବେ ପୁଣି ରୁଷିଆ ଚୀନର ବଡ଼ ବାଣିଜ୍ୟିକ ସହଯୋଗୀ। ପଡ଼ୋଶୀ ନେପାଳ? ଏଭଳି ପରିସ୍ଥିତିରେ ଆମ ପାଇଁ ବିକଳ୍ପ କ’ଣ? ଯଦି କଳିରେ ମାତିବା ତା’ହେଲେ ମୁଣ୍ଡ ନଇଁ ଶତ୍ରୁକୁ ଘରକୁ ଡାକି ଦାଣ୍ଡରେ ଶୋଇବା, ସ୍ୱାଭିମାନରେ ବଂଚିବାକୁ ହେଲେ ନିଜ ଘର ନିଜେ ଜଗିବାକୁ ପଡ଼ିବ ଓ ସେଥିପାଇଁ ଆବଶ୍ୟକ ବେଳାଏ ଖାଇ ସଞ୍ଚିତ ଧନରେ ସୈନ୍ୟ ବାହିନୀକୁ ମଜଭୁତ କରିବା।

ମୋ: ୯୮୫୩୨୫୨୬୨୬

ସମ୍ବନ୍ଧିତ ଖବର