ଦୁଇଟି ସହରର କାହାଣୀ

ସୁମନ୍ୟୁ ଶତପଥୀ

ଲେଖାଟିର ଶୀର୍ଷକ ଦେଖି କେହି ପାଠକେ ହୁଏତ ଭାବି ପାରନ୍ତି ଯେ ଏହା ପ୍ରସିଦ୍ଧ ଇଂ‌ରେଜୀ ଉପନ୍ୟାସ, ‘ଏ ଟେଲ୍ ଅଫ୍ ଟୁ ସିଟିଜ୍’ ବିଷୟରେ କିଛି ସାହିତ୍ୟିକ ସମାଲୋଚନା ହେଇଥିବ। କିନ୍ତୁ ଏଠାରେ ଇଙ୍ଗିତ କରାଯାଇଥିବା ସହର ଦୁଇଟି ହେଲା ଓଡ଼ିଶାର ବହୁତ ପୁରୁଣା ବଡ଼ ସହର, କଟକ ଓ ଭୁବନେଶ୍ବର।

ଐତିହାସିକ ସହର ଯୋଡ଼ିକ ଗତ ଶହେ, ଦେଢ଼ଶ’ ବର୍ଷ ମଧ୍ୟରେ ଆଧୁନିକୀକରଣର ଦୁଇଟି ଭିନ୍ନ ବାଟରେ ଗତି କରିଛନ୍ତି। ୧୮୦୩ରେ ଇଂରେଜ ଅଧୀନକୁ ଆସିଲା ପରେ କଟକ ସହରର ଦ୍ରୁତ ଆଧୁନିକୀକରଣ ଘଟିଲା। ସ୍କୁଲ, କଲେଜ, କୋର୍ଟ କଚେରି, ଖେମଟା ଓ ବାଇ ନାଚ ସହିତ ସ୍ଥାୟୀ ରଂଗମଂଚ, ଛାପାକଳ, କ୍ଲବ୍‌ ଏବଂ ସରକାରୀ ଅଫିସ୍ ସଂଖ୍ୟା ବଢ଼ି ଚାଲିଲା। ଏହାଛଡ଼ା ରାଜଧାନୀ ହୋଇଥିବାରୁ ସହରଟି ରାଜ୍ୟର ଦୂର ଦୂରାନ୍ତରୁ ଲେଖକ ଓ ବୁଦ୍ଧିଜୀବୀ ଇତ୍ୟାଦିକୁ କ୍ରମଶଃ ଚୁମ୍ବକ ପରି ନିଜ ଆଡ଼କୁ ଟାଣି ଆଣିଲା। ଉପାନ୍ତ ଗାଁ ଗଣ୍ଡା ଓ ଗଡ଼ଜାତ ଅଂଚଳରୁ ଆସିଥିବା ବିଖ୍ୟାତ ଲୋକ ତଥା ବଙ୍ଗଳା ଓ ମରହଟ୍ଟା ପୂର୍ବପୁରୁଷଙ୍କ ଜାତ ବିଶିଷ୍ଟ ଲେଖକ, ଲେଖିକା, ଗାୟକ ଗାୟିକା, ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ବୁଦ୍ଧିଜୀବୀ ଓ ସ୍ବାଧୀନତା ସଂଗ୍ରାମୀ ପାଇଁ ପ୍ରସିଦ୍ଧ କଟକିଆମାନଙ୍କ ନାମର ତାଲିକା ଏଠାରେ ଦେବା ଦରକାର ନାହିଁ।

୧୮୬୮ରେ ରେଭେନ୍‌ସା କଲେଜ, ୧୮୯୪ରେ କଟକ ରେଳ ଷ୍ଟେସନ, ଏ ସବୁ ପାଇଁ କଟକର ପ୍ରାଧାନ୍ୟ ପ୍ରତିଷ୍ଠିତ ହେଇଥିଲା ନିଶ୍ଚୟ; କିନ୍ତୁ ୧୯୩୦ ବେଳକୁ ସିନେମା ହଲ୍‌, ଓ ପରେ ପରେ ବଡ଼ ଡାକ୍ତରଖାନା, ଅନ୍ନପୂର୍ଣ୍ଣା ଥିଏଟର, ବହି ବ୍ୟବସାୟ ଓ ଅଲ ଇଣ୍ଡିଆ ରେଡିଓ ଇତ୍ୟାଦି ସ୍ଥାପିତ ହେବା ଫଳରେ କଟକର ଗୁରୁତ୍ବ ଜାରି ରହିଲା। ତଥାପି ସହରତ୍ବ ଅପେକ୍ଷା ଗ୍ରାମତ୍ବ, ଆଧୁନିକତା ତୁଳନାରେ ପାରମ୍ପରିକତା କଟକ ସହରର ପରିଚୟ ହୋଇ ରହିଲା। ବାବନ ବଜାର ତେପନ ଗଳି ପରି ଭଲ ମନ୍ଦ ଅନେକ ଲୋକଉକ୍ତି, ପ୍ରସିଦ୍ଧ ବଜାର ଓ ଛକର ପରିଚୟ ନେଇ ସହରଟି ନିଜର ପରିଚିତି ଓ ଚରିତ୍ର ବଜାୟ ରଖିଥିଲା।

ସ୍ବାଧୀନତା ପରେ ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହେଲା। ମନ୍ଦିର ପୂର୍ଣ୍ଣ ପୁରୁଣା ଭୁବନେଶ୍ୱରରେ ବିଶେଷ କିଛି ପରିବର୍ତ୍ତନ ନ କରାଇ, ସରକାରୀ ତଦାରଖରେ ଜଙ୍ଗଲ କଟା ହୋଇ ବିଧାନସଭା, ଅନେକ ଅଫିସ ଓ ରହିବା ଘର, ତଥା ଚୌଡ଼ା ରାସ୍ତା ସବୁ ନେଇ ଏକ ‘ପ୍ଲାନ୍‌ଡ’ ସହର ଗଢ଼ି ଉଠିଲା। ୧୯୫୧ ଜନଗଣନାରେ ଏହାର ଲୋକସଂଖ୍ୟା ମାତ୍ର ଷୋହଳ ହଜାର ପାଖାପାଖି ଥିଲା। ରାଜନୀତି ଓ ଅମଲାତନ୍ତ୍ରର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଟଣା ହୋଇ ଲୋକ ଆସିବା ଫଳରେ କ୍ରମଶଃ ଏହାର ଜନସଂଖ୍ୟା ଓ ଏଇ ଦୁଇ ସହର ମଧ୍ୟରେ ଅସାମଞ୍ଜସ୍ୟ ବଢ଼ି ଚାଲିଲା। ଏ ସବୁ ସତ୍ତ୍ୱେ ୧୯୮୦-୧୯୯୦ ପର୍ଯ୍ୟନ୍ତ କଟକର ଯେଉଁ ସ୍ଥ‌ାୟୀ ଅଧିବାସୀ ଭୁବନେଶ୍ୱରରେ କାମ କରୁଥିଲେ, କଟକରେ ରହି ‘କ୍ୟାପିଟାଲ’କୁ ଯିବା ଆସିବା ପସନ୍ଦ କଲେ।

ନାଟ୍ୟକାର ଗୋପାଳ ଛୋଟରାୟ ଓ ସଂଗୀତଜ୍ଞ ଅକ୍ଷୟ ମହାନ୍ତି ତଥା ଅନେକ କବି ଓ ଲେଖକମାନେ କଟକକୁ ନେଇ ଅନେକ ପ୍ରସିଦ୍ଧ କବିତା, ଗଳ୍ପ ଓ ଉପନ୍ୟାସ ଲେଖି ଏହାର ଗଳିକନ୍ଦିକୁ ବିଖ୍ୟାତ କରିଥିଲେ। ଯଦିଓ ହିନ୍ଦୁ ଓଡ଼ିଆମାନେ ସଂଖ୍ୟାଗରିଷ୍ଠ ଥିଲେ, ମୁସଲମାନ, ଖ୍ରୀଷ୍ଟିଆନ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ, ଭାଷା ଓ ଜାତିର ଲୋକେ ଏହି ସହରଟିକୁ ଏକ ସମ୍ମିଳିତ ସଂସ୍କୃତିର ନମୁନା କରିଥିଲେ। ବହୁ ପରିହାସିତ ତେଲୁଗୁ ଲୋକ, ଏପରିକି ଅନେକ ଚାଇନିଜ ଓ ଶିଖ ବାସିନ୍ଦା ମଧ୍ୟ କଟକୀ ଭାଷା କହୁଥିଲେ। ସାହି ପଡ଼ିଶା ମଧ୍ୟରେ ସମ୍ପର୍କ ରଖିବା, ପରସ୍ପର ସୁଖ ଦୁଃଖରେ ଭାଗ ନେବା ଠାରୁ ଆରମ୍ଭ କରି ପର ଚର୍ଚ୍ଚା ପର୍ଯ୍ୟନ୍ତ ସବୁ କିଛି କଟକର ଲୋକଙ୍କୁ ଆତ୍ମୀୟତାର ଡୋରରେ ବାନ୍ଧି ରଖିଥିଲା। ଆଧୁନିକ କବି ଜଗନ୍ନାଥ ଦାସଙ୍କ ବିଭିନ୍ନ ସମୟରେ ଲେଖା ଦୁଇଟି କବିତା ଏଇ ଦୁଇଟି ସହର ମଧ୍ୟରେ ଥିବା ପାର୍ଥକ୍ୟ ଭପରେ କିଛି ଆଲୋକପାତ କରେ: ‘ସବୁ ମନେ ପଡ଼େ ଏଠାକୁ ଆସିଲେ/…ନୋଟ ଖାତାରେ ପ୍ରେମ କବିତା…ସମସ୍ତେ ମନେ ପଡ଼ନ୍ତି/ ଚିହ୍ନା ଚିହ୍ନା’ (“କଟକ”) ଓ ତା’ପରେ, ‘କୌଣସି ଆବେଗ ନ ଥାଏ/ କୌଣସି ଉଦ୍‌ବେଗ ନଥାଏ … ଇତିହାସ ପଛରୁ ସୂର୍ଯ୍ୟ ଉଠେ/ସମ୍ପୂର୍ଣ୍ଣ ଉତ୍ତେଜନା ବିହୀନ’ (“ଭୁବନେଶ୍ବର”)। ହାଲୁକା ଢଙ୍ଗରେ କହିଲେ, ଅକ୍ଷୟ ମହାନ୍ତିଙ୍କ ଅସଂଖ୍ୟ କଟକ ଗୀତ ତୁଳନାରେ, ଭୁବନେଶ୍ୱର ଉପରେ ତାଙ୍କର ଗୀତ ସଂଖ୍ୟା ନଗଣ୍ୟ। ସେଥିରେ ବି ଗୋଟିଏ ଗୀତରେ ଭୁବନେଶ୍ବର ହାଟରେ ଦେଖାହେଇଥିବା ରାଜା ଝିଅ ନାୟକଙ୍କୁ ଧୋକା ଦେଇଛି। ତାଙ୍କର ‘ବାଃ ବାଃ ରେ କାପିଟାଲ’ ମଧ୍ୟ ସେହିପରି ନୂଆ କ୍ୟାପିଟାଲର ଏକ ବ୍ୟଙ୍ଗାତ୍ମକ ସମାଲୋଚନା।

ଜଗତ୍‌କରଣ ପରେ ପରିସ୍ଥିତି କିଛି ବଦଳିବା ଆରମ୍ଭ ହେଲା। ଅସଂଖ୍ୟ ଘରୋଇ ଡାକ୍ତରଖାନା, ବ୍ୟାଙ୍କ, ସ୍କୁଲ କଲେଜ, ରାମ ମନ୍ଦିର, ସୁନା ରୁପା ଦୋକାନ ଓ ଅନ୍ୟାନ୍ୟ କିଣା ବିକା ବ୍ୟବସାୟ, ଧନ-ତରଶ (ଧନତେରାସ) ଏବଂ ଅନ୍ୟାନ୍ୟ କାରଣ ସବୁ ଭୁବନେଶ୍ୱରର ଛବି ବଦଳାଇଦେଲା। ଏହାର ସହରୀ ଚାକଚକ୍ୟ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକଙ୍କୁ ଆକୃଷ୍ଟ କଲା। ଏପରିକି କିଛି ଖାଣ୍ଟି କଟକିଆମାନେ ମଧ୍ୟ କଟକ ଛାଡ଼ି ଭୁବନେଶ୍ବରମୁହାଁ ହେଲେ।

ଭୁବନେଶ୍ବରରେ ବଡ଼ ସହରର ଅଚିହ୍ନା ପଣ ଓ ଉଦାସୀନତା କଟକ ସଂସ୍କୃତିର ଠିକ ଓଲଟା ଛବି ହେଇ ଠିଆ ହୋଇଥିଲା। ଏଇ ଅଚିହ୍ନା ପଣ ପାଇଁ ହୁଏତ କଟକ ଅପେକ୍ଷା ଭୁବନେଶ୍ୱରରେ ପରକୀୟା ତଥା “ଅସାମାଜିକ” କାମ କରି ଚର୍ଚ୍ଚିତ ନହେବା ଏବଂ ଦଳିତ ସମ୍ପ୍ରଦାୟର ହେଇ ମଧ୍ୟ ଉପେକ୍ଷିତ ନହେବା ଅପେକ୍ଷାକୃତ ସହଜ ହେଲା।

ଏ ସବୁ ସତ୍ତ୍ୱେ କଟକ ଓ କଟକିଆମାନେ ଏ ପର୍ଯ୍ୟନ୍ତ ନିଜର ବୈଶିଷ୍ଟ୍ୟ ନ ହରାଇଥିବା ଖୁସିର କଥା। ନୂଆ ଭୁବନେଶ୍ୱରର ନିଜତ୍ବ ବୋଲି ପ୍ରାୟ କିଛି ନାହିଁ କହିବା ଭୁଲ ହେବ ନାହିଁ। ଏଇ କାରଣରୁ ବୋଧହୁଏ ଏହାର ଗଳି-କନ୍ଦି କିମ୍ବା ଅନ୍ୟ କିଛି ଜାଗା କିଂବଦନ୍ତି ସ୍ତରକୁ ଆସିପାରିନାହିଁ। ନିଜକୁ ଦିଲ୍ଲୀର ଏକ ଫିକା ଅନୁକରଣ କରିବା ପାଇଁ ଭୁବନେଶ୍ବର ଚେଷ୍ଟିତ। କଟକ ନିଜକୁ ସେମିତି ନ ଭାବି ନିଜର କୁଖ୍ୟାତ ନାଳ ନର୍ଦ୍ଦମା, ମଶା ମାଛି ସହିତ ପ୍ରସିଦ୍ଧ ପାନ ଦୋକାନ ଓ ସେଠାର ଗୁଲିଖଟି, ପୂଜା ମେଢ଼, ରାସ୍ତାକଡ଼ର ଖାଦ୍ୟ, ବାଲିଯାତ୍ରା, ଦୋଳମୁଣ୍ଡାଇ, ଚଣ୍ଡୀ ମନ୍ଦିର ଓ ସର୍ବୋପରି ଅକ୍ଷୟ ମହାନ୍ତି ଏହି ନିଆରା ପଣକୁ ବଜାୟ ରଖିଛନ୍ତି। କଲିକତା ନିଜର ମୁଖ୍ୟାଂଶକୁ ଅକ୍ଷୁଣ୍ଣ ରଖି ବାକି ଖାଲି ଜାଗାକୁ ଉତ୍ତରାଧୁନିକୀକରଣ କରିଲା ଭଳି, କଟକ ବିଡ଼ାନାସି ପରି ଜାଗାକୁ କିଛିଟା ନିଆରା ଢଙ୍ଗରେ ଗଢ଼ୁଛି। ସେ ଗୋଟେ ପ୍ରକାର ଭୁବନେଶ୍ବରୀକରଣ।

କଟକର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର କଥିତ ଭାଷା। ଅସଲି ‘କଟକୀ’ ହେଉଛି କଟକର ଗଳିକନ୍ଦିର ଭାଷା। ମୁମ୍ବାଇର ‘ଟପୋରି’ ଭଳି କଟକର ସାହି ଭାଷା, ଓଡ଼ିଆର ଏକ ‘ଟପୋରି’ ସଂସ୍କରଣ କହିଲେ ଭୁଲ ହେବ ନାହିଁ। ଓଡ଼ିଶାର ଅନ୍ୟ ସବୁ ଆଞ୍ଚଳିକ ଓଡ଼ିଆ ପରି ଏହାର ସ୍ୱତନ୍ତ୍ରତାରେ ମିଠାପଣ ରହିଛି। କିନ୍ତୁ ଅନେକ ଓଡ଼ିଆ ଭୁବନେଶ୍ବରରେ ଘର କଲା ପରେ, ଘର କେଉଁଠି ପଚାରିଲେ ‘ଭୁବନେଶ୍ବର’ କହିବା ସ୍ବାଭାବିକ ହେଇ ଗଲାଣି। ତେଣୁ ସେମାନେ ଯତ୍ପରୋନାସ୍ତି କୃତ୍ରିମ କିମ୍ବା ହିନ୍ଦୀକୃତ ଓଡ଼ିଆ କହନ୍ତି। ଏହାର ଫଳ ହେଲା ଏବେ ବିଭିନ୍ନ ଅଂଚଳର ଘରୋଇ କଥିତ ଭାଷାର ଭିନ୍ନତା ଲୋପ ହେବାକୁ ବସିଲାଣି। ଆଶା, ଖାଣ୍ଟି କଟକିଆ ‘ଆଜ୍ଞା! ମୁଁ ଗଲି’ ନ କହି, ‘ମଣି! ଆମେ ଗଲ’ ବୋଲି ହିଁ କହି ଚାଲିବେ।

[email protected]
ମୋ: ୯୮୭୧୦୭୮୩୦୭

ସମ୍ବନ୍ଧିତ ଖବର