ଓଲାଙ୍କ ସାମ୍ରାଜ୍ୟ

ବିକଳ୍ପ ବିଶ୍ୱ - ଭଗବାନପ୍ରକାଶ

କରୋନା-୨୦୧୯ ଭୂତାଣୁଙ୍କର ଭାରତ ଆକ୍ରମଣ ଯୋଗୁଁ ପ୍ରଥମ କରି ମାସ ମାସ ଧରି କବାଟ କିଳି ମୁଖା ପିନ୍ଧି ହାତଗୋଡ଼ ଧୋଇ ଏକାନ୍ତ ବାସ ବା କ୍ବାରାଣ୍ଟାଇନ୍‌ରେ ରହିବାକୁ ପଡ଼ିଲା। ନୂଆ ସମସ୍ୟା ବେଳେ ବେଳେ ନୂଆ ସୁଯୋଗ ସୃଷ୍ଟି କରେ। ଏହି ଅବସରରେ, ଆଲମାରିରେ ଧୂଳି ଧୂସରିତ, ଦରପଢ଼ା, ଅଧାପଢ଼ା, ଅପଢ଼ା ବହି ସବୁ ସଫା କରି ଆଉ ଥରେ ପଢ଼ିବା ପାଇଁ ପ୍ରଚେଷ୍ଟା କଲା ବେଳେ ବର୍ଷ ବର୍ଷ ପରେ ଅନ୍ତରଙ୍ଗ ପୁରୁଣା ବନ୍ଧୁମାନଙ୍କୁ ଭେଟିଲା ଭଳି ଲାଗିଲା। ପ୍ରକୃତ ବନ୍ଧୁଙ୍କ ଅପେକ୍ଷା ପୁସ୍ତକ ବନ୍ଧୁଙ୍କ ଠାରୁ ଅନେକ କଥା ଶିଖିବାକୁ ମିଳେ। ତା ସହ ମନେ ପଡ଼ିଲା ଅନେକ ପୁରୁଣା କଥା। ଅନେକ ମୂଢ଼ତା, ମୂର୍ଖତା, ଓଲାମି ଓ ଅଭିଜ୍ଞତା ସେଥିରୁ ଏଠାରେ କେତୋଟି।

୨୦୧୨ ମସିହା ଡିସେମ୍ବର ଦଶ ତାରିଖ। ସେତେବେଳକୁ ଭାରତ ନିର୍ବାଚନ ଆୟୋଗରେ ବରିଷ୍ଠ ପରାମର୍ଶଦାତା ଭାବରେ ଯୋଗ ଦେବାର ଦୁଇ ବର୍ଷ ପୂରି ଯାଇଥାଏ। ସାମନାରେ ବସିଥାନ୍ତି ସଚିବ ଓ ପୂର୍ବତନ ଡେପୁଟି ଇଲେକ୍‌ସନ କମିସନର ଡ. ନୁର‌୍‌ ମୋହମ୍ମଦ। ଏତିକି ବେଳେ ବାଁ ହାତରେ ସମୋସା ପ୍ଲେଟ୍‌ ଓ ଡାହାଣ ହାତରେ ଖବରକାଗଜ ଧରି ପ୍ରବେଶ କଲେ ଶ୍ରୀ ଅଭୟ ବର୍ଦ୍ୟାର। ସେ ଏବେ ସ୍ବର୍ଗତ। କହିଲେ- ଶୁଣିଛନ୍ତିି? ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ତନୟା ଓ ଆଦିତ୍ୟ ନାମକ ଦୁଇଜଣ ବିଦ୍ୟାର୍ଥୀ ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଏବ˚ ଅଧୁନା ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ତିଆର ଚେୟାରମ୍ୟାନ ଜଷ୍ଟିସ୍‌ ମାର୍କଣ୍ତେୟ କାଟଜୁଙ୍କ ବିରୋଧରେ କେସ ଦାଏର‌୍‌ କରିଛନ୍ତି। ଅଭିଯୋଗ ଥିଲା ଭାରତୀୟଙ୍କ ଚରିତ୍ର ଉପରେ କାଟଜୁଙ୍କର ଏକ ଆପତ୍ତିଜନକ ମନ୍ତବ୍ୟ। ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ସେ କହିଥିଲେ ଯେ ଭାରତର ଶତକଡ଼ା ନବେ ଭାଗ ଲୋକ ହେଲେ ‘ଇଡିଅଟ୍‌’ ବା ନିର୍ବୋଧ, ମୂଢ଼, ବୋକା, ହତଚେତନ; ହିନ୍ଦୀରେ ଏମାନଙ୍କୁ କୁହାଯାଏ- ବେଵକୁଫ୍‌। ଇଡିଅଟଙ୍କ ସମ୍ପର୍କରେ ଏପରି ଅନେକ ମତ, ମନ୍ତବ୍ୟ ରହିଚି।

ଏହି ଘଟଣାର ବହୁ ବର୍ଷ ପୂର୍ବରୁ (୧୯୧୮) ଉତ୍ତର ଆମେରିକାର ଜଣେ ପ୍ରସିଦ୍ଧ ସ୍ତମ୍ଭକାର ଆନ୍ନ ଲାଣ୍ତର‌୍‌, କାଟଜୁଙ୍କ ବିବାଦୀୟ ମନ୍ତବ୍ୟକୁ ଅଧିକ ରସାତ୍ମକ ଭାବରେ ପ୍ରକାଶ କରି କହିଥିଲେ: ଆମ ଦେଶ ଆମେରିକାର ପ୍ରତି ଚାରି ଜଣରୁ ଜଣେ ବ୍ୟକ୍ତିଙ୍କର ମୁଣ୍ତ ଦୋଷ ବା ଆଡ଼ବାୟାମି ଅଛି। ପୁଣି ସେ କହନ୍ତି, ଯଦି ତୁମର ତିନି ଅନ୍ତରଙ୍ଗ ବନ୍ଧୁଙ୍କ ମଧୢରୁ ପ୍ରଥମ ଜଣକ ଇଡିଅଟ୍‌ ନୁହଁ, ତା’ହେଲେ ଦ୍ବିତୀୟ ଜଣକ ହେଇଥିବେ। ଏବ˚ ଯଦି ପ୍ରଥମ, ଦ୍ବିତୀୟ ଓ ତୃତୀୟ ମଧୢ ଇଡିଅଟ୍‌ ନୁହନ୍ତି, ତେବେ ତମେ ନିଜେ ଜଣେ ଇଡିଅଟ୍‌ ବା ନିର୍ବୋଧ, ବୋକା ଲୋକ। ଭାରତରେ ଯେଉଁ ବ୍ୟକ୍ତି ବିନା ନିମନ୍ତ୍ରଣ ବା ବିନ୍‌ ବୁଲାଏ ମେହମାନ୍‌, ଯେ ବିନା ପ୍ରଶ୍ନରେ ବି ଉପରେ ପଡ଼ି ଉତ୍ତର ଦିଅନ୍ତି ଓ ସଦାବେଳେ ବକର ବକର ହେଉଥାନ୍ତି, ଯେ ଠକଙ୍କୁ ଅତି ବିଶ୍ବାସ କରନ୍ତି- ସେମାନେ ସମସ୍ତେ ମୂଢ଼ ଓ ନରାଧମ। ପ୍ରାଚୀନ ଗ୍ରିସ୍‌ ସାମ୍ରାଜ୍ୟରେ ସାଧାରଣ ଜ୍ଞାନହୀନ ବ୍ୟକ୍ତିଙ୍କ ଅନ୍ୟ ନାମ ଥିଲା ଇଡିଅଟ୍‌। ଏବ˚ ଯେଉଁମାନେ ଗୋଟିଏ କଥା ଓ କାମକୁ ବାରମ୍ବାର ଦୋହରାଉଥାନ୍ତି ତାଙ୍କୁ କୁହାଯାଉଥିଲା ଷ୍ଟୁପିଡ୍‌ ଓ ପାଗେଲା। ଏହାଛଡ଼ା ବେଳେ ବେଳେ ଦେବ ପ୍ରତିମ, ବିଜ୍ଞ, ପଣ୍ତିତ ଲୋକେ ବି ମୂଢ଼ଙ୍କ ଭଳି ବ୍ୟବହାର କରିଥା’ନ୍ତି। ତା’ ହୋଇ ନଥିଲେ ଦୟାଳୁ, କୋମଳ ହୃଦୟ, ପତିିବ୍ରତା ସୀତାଙ୍କ କଥାରେ ପଡ଼ି ବିଜ୍ଞ ଓ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମାୟା ମୃଗ ପଛରେ ଗୋଡ଼ାଇ ନ ଥାନ୍ତେ ଏବ˚ ଏହାର ସୁଯୋଗ ନେଇ ରାବଣ ସୀତାଙ୍କୁ ହରଣ କରିପାରିନଥାନ୍ତେ ଓ ରାମାୟଣ ମହାଯୁଦ୍ଧ ହୋଇ ନ ଥାନ୍ତା। ସେମିତି ଅନେକ ଗ୍ରୀକ୍‌ ଦେବତା ଆଚରଣରେ ଥିଲେ ଇଡିଅଟ୍‌। ସେଥିରୁ ଜଣେ ହେଲେ କୋଲେମସ୍‌। ତାଙ୍କୁ ମୂଢ଼ ମାନଙ୍କର ମୁଖ୍ୟ ଦେବତା ଭାବରେ ପୂଜା କରାଯାଏ। ଆଉ ଜଣେ ନିର୍ବୋଧ ଗ୍ରୀକ୍‌ ଦେବତାଙ୍କ ନାଁ ହେଲା ଯିଅସ୍‌, ସ୍ବଭାବରେ ଲମ୍ପଟ। ସେମିତି ଆଉଜଣେ ହେଲେ ସିସିଫସ୍‌। ଏଇ ମୂଢ଼ ଦେବତାଙ୍କ ବଦଭ୍ୟାସ ଥିଲା ବନ୍ଧୁବାନ୍ଧବ, ଅତିଥିମାନଙ୍କୁ ଘରକୁ ନିମନ୍ତ୍ରଣ କରି ହତ୍ୟା କରିବା। ସେମିତି ଆଉ ଜଣେ କାମାନ୍ଧ ମୂର୍ଖ ଦେବତାଙ୍କ ନାଁ ହେଲା ପାନ୍‌। ପାନ୍‌ ଥିଲେ ଜଣେ ମେଣ୍ଢା ଚରାଳି। ଏବ˚ କେବଳ ପଶୁମାନଙ୍କ ସହ ତାଙ୍କର ଅପ୍ରାକୃତିକ ଯୌନ ସମ୍ପର୍କ ଥିଲା। ଦିନରାତି ସେଇ କାମରେ ବ୍ୟସ୍ତ ରହୁଥିଲେ ପାନ୍‌।

ଆମେରିକାନ୍‌ ରେଡିଓ ଟକ୍‌ ସୋ- ‘ଦି ଡକ୍ଟର ଲରା ପ୍ରୋଗ୍ରାମ୍‌’ର ଜନପ୍ରିୟ ଅତିଥି କଳାକାର ଲରା କାଥେରିନ୍‌ ୧୯୯୭ ମସିହାରେ ଦୁଇଟି ବେଷ୍ଟ ସେଲର‌୍‌ ବହି ଲେଖିଥିଲେ। ଗୋଟିକର ଶୀର୍ଷକ ହେଲା- ‘‘ନିଜ ଜୀବନକୁ ବିଗାଡ଼ିବା ପାଇଁ ପୁରୁଷମାନେ ଯେଉଁ ଦଶଟି ମୂର୍ଖାମି କରିଥାନ୍ତି’’। ସେମିତି ମହିଳାମାନେ ନିଜ ଜୀବନକୁ ‘ମେସ୍‌ ଅପ୍‌’(ବିଗାଡ଼ିବା) କରିବା ପାଇଁ କେଉଁ ଦଶଟି ବୋକାମି କରିଥାନ୍ତି। ଯଥା ଷ୍ଟୁପିଡ୍‌ ହଜବାଣ୍ତିଙ୍ଗ୍‌, ଷ୍ଟୁପିଡ୍‌ ପ୍ୟାରେଣ୍ଟିଙ୍ଗ୍‌, ଷ୍ଟୁପିଡ୍‌ ମାଟ୍ରିମନି, ଷ୍ଟୁପିଡ୍‌ ସେକ୍ସ ଇତ୍ୟାଦି। କିନ୍ତୁ ଏକଥା ସତ ଯେ ମୂର୍ଖଙ୍କ ଅପେକ୍ଷା, ପଣ୍ତିତ ଓ ବୁଦ୍ଧିଆ ଲୋକେ ପୃଥିବୀ ଓ ପ୍ରକୃତିର ଅଧିକ କ୍ଷତି ଘଟାଇଛନ୍ତି। ‘ସ୍ମଲ୍‌ ଇଜ୍‌ ବିଉଟିଫୁଲ୍‌’ ପୁସ୍ତକରେ ଇ.ଏଫ୍‌ ସୁମାଚେର‌୍‌ ବିଭିନ୍ନ ଉଦାହରଣ ମାଧୢମରେ ଏକଥା ବୁଝାଇଛନ୍ତି। କିନ୍ତୁ ସମସ୍ୟା ହେଲା ଷ୍ଟୁପିଡ୍‌ମାନେ ନା ଶୁଣନ୍ତି, ନା ଜାଣନ୍ତି ନା ମାନନ୍ତି। ଏବ˚ ସଦାବେଳେ ନିଜକୁ ସବ୍‌ଜାନ୍‌ତା ବୋଲି ଭାବନ୍ତି। ମୂଢ଼ମାନଙ୍କ ଉପରେ ଗବେଷଣା କରିଥିବା କାର୍ଲୋ ସିପୋଲା (୧୯୨୨-୨୦୦୦) କହନ୍ତି ଯେ ଏହି ମୂଢ଼ମାନଙ୍କ ଭିତରେ ଅଛନ୍ତି ଅନେକ ନୋବେଲ୍‌ ପୁରସ୍କାର ବିଜେତା, ପ୍ରଖ୍ୟାତ ଶିକ୍ଷାବିତ୍‌, ବୈଜ୍ଞାନିକ ଓ ବରିଷ୍ଠ ପ୍ରଶାସକ, ଧର୍ମଗୁରୁ ଓ ଧନବାନ୍‌ ବ୍ୟକ୍ତି। ମଧୢଯୁଗୀୟ ୟୁରୋପର ଜଣେ ମୂଢ଼ ଜ୍ୟୋତିର୍ବିଜ୍ଞାନୀଙ୍କ ବିଷୟରେ ଏକ ଛୋଟ କାହାଣୀ। ସେ ମହାଶୟ ମୁକ୍ତାକାଶର ତାରାମାନଙ୍କୁ ଦେଖି ପାଣିପାଗ ବିଷୟରେ ଭବିଷ୍ୟତ ବାଣୀ କରିଥାନ୍ତି। ଜମିଦାର ଓ ବଡ଼ଚାଷୀମାନେ ଏଥିପାଇଁ ତାଙ୍କୁ ପ୍ରଚୁର ଅର୍ଥ ଦେଇଥାନ୍ତି। ସେ ରାତିରେ ନ ଶୋଇ ତାରାଙ୍କ ଆଡ଼କୁ ଚାହିଁ ଚାହିଁ ଚାଲିଥାନ୍ତି। ଏହି ପ୍ରକ୍ରିୟାରେ ଥରେ ଉପରମୁହାଁ ହୋଇ ଚାଲୁ ଚାଲୁ ଆଗରେ ଥିବା ଏକ କୂଅରେ ପଡ଼ି ତାଙ୍କର ତତ୍‌କ୍ଷଣାତ୍‌ ମୃତ୍ୟୁ ହୁଏ। ମୁଣ୍ତ ଉପର ଆକାଶକୁ ଅନେଇ ପାଦତଳର ମାଟିକୁ ଭୁଲିଗଲେ ଏପରି ପରିଣାମ ହୁଏ।

ସମାଜର ପ୍ରତ୍ୟେକ ସ୍ତରରେ ବିଭିନ୍ନ ରୂପ, ରଙ୍ଗ, ଢଙ୍ଗର ଇଡିଅଟ୍‌ ଦେଖିବାକୁ ମିଳିବେ। ଥରେ ଜର୍ମାନୀ ରାଜଧାନୀ ବର୍ଲିନରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଦ୍ବାରା ଆୟୋଜିତ ଏକ ବିଶ୍ବ ସମ୍ମିଳନୀରେ ଯୋଗ ଦେବାର ସୁଯୋଗ ମିଳିଥିଲା। ଏରୋପ୍ଲେନ୍‌ର ଆଗଧାଡ଼ିରେ ଆସି ମଝି ସିଟ୍‌ରେ ବସିଲେ ଜଣେ ଦାଢ଼ିବାଲା, ଧଳା ଓ ଲମ୍ବା ପୋଷାକ ପରିହିତ ପୁରୁଷ। ସିଟ୍‌ ବେଲ୍‌ଟ ବାନ୍ଧୁ ଥିବା ବେଳେ ଆସି ପହଞ୍ଚିଲେ ଦୁଇଜଣ ମହିଳା ଯାତ୍ରୀ ଓ ଭଦ୍ରବ୍ୟକ୍ତିଙ୍କ ଦୁଇ ପାଖରେ ଥିବା ଖାଲି ସିଟ୍‌ରେ ବସିଲେ। ସାଙ୍ଗେ ସାଙ୍ଗେ ପୁରୁଷ ଯାତ୍ରୀ ଜଣକ ସିଟ୍‌ରୁ ଉଠିପଡ଼ି ଅଭଦ୍ର ଭାବରେ ବଡ଼ପାଟିରେ ଜଣେ କର୍ମଚାରୀଙ୍କୁ ଡାକି ଦାବି କରି କହିଲେ- ଏ ଦୁଇ ମହିଳାଙ୍କୁ ଏଠାରୁ ଉଠାଅ ଶୀଘ୍ର ବା ମତେ ନୂଆ ସିଟ୍‌ ଦିଅ। ତାଙ୍କୁ ଯେତେବେଳେ ଏହାର କାରଣ ପଚରା ଗଲା ସେ କହିଲେ ତାଙ୍କ ଧର୍ମରେ ଜଣେ ପୁରୁଷ ନିଜ ସ୍ତ୍ରୀଙ୍କ ଛଡ଼ା ଆଉ କୌଣସି ମହିଳାଙ୍କ ପାଖରେ ବସିବା ମହାପାପ। ଆକସ୍ମିକ ଭାବରେ ବି ନୁହେଁ। ପ୍ଲେନ୍‌, ଟ୍ରେନ୍‌, ବସ୍‌ରେ ବି ନୁହେଁ। ମନେ ମନେ ଭାବିଲି ସର୍ବବ୍ୟାପୀ ମହିଳାମାନେ ତ ପୃଥିବୀର ସବୁ ଜାଗାରେ ଅଛନ୍ତି, ତେଣୁ ଭାଇରସ୍‌ ବା ଭୂତାଣୁରୁ ରକ୍ଷା ପାଇଁ ମାସ୍କ୍‌ ବା ମୁଖା ପିନ୍ଧିଲା ଭଳି, ମହିଳାଙ୍କ କଣ୍ଟାକ୍ଟରୁ ରକ୍ଷା ପାଇଁ ପୁରୁଷଙ୍କୁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ଗ୍ଲୋଭସ୍‌ରେ ଘୋଡ଼ାଇ ରଖିବାକୁ ହେବ!! ବିଭିନ୍ନ ଧର୍ମ, ସ˚ସ୍କୃତିରେ ଏହିପରି ଅନେକ ପ୍ରଥା ଓ ବିଶ୍ବାସ ମଣିଷକୁ ବାନ୍ଧି ରଖିଚି। ମୂଢ଼ ଯାତ୍ରୀମାନଙ୍କର ଇଡିଅଟିକ୍‌ ବ୍ୟବହାର ଯୋଗୁଁ ବେଳେବେଳେ ବିମାନ ଯାତ୍ରା ବିପଦଜନକ ହୋଇଥାଏ। ଏହି କାରଣରୁ ଅତୀତରେ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବିମାନକୁ ଇସ୍ତାନବୁଲ୍‌ ଏୟାରପୋର୍ଟରେ ବାଧୢ ହୋଇ ଓହ୍ଲାଇବାକୁ ପଡ଼ିଥିଲା। କାରଣ ଶୌଚାଳୟର ଭାକ୍ୟୁମ୍‌ ଫ୍ଲସ୍‌ ସିଷ୍ଟମ୍‌ ହଠାତ୍‌ ଅଚଳ ହୋଇଯାଇଥିଲା। ଖାଲି ବୋତଲ, ଟୁଥ୍‌ବ୍ରସ୍‌, ଡାଇପର‌୍‌, ଟିସୁ ପେପର ଓ କଣ୍ତମରେ ଭରି ଯାଇଥିଲା ସାରା ଟଏଲେଟ୍‌। ଏହା ଥିଲା ହାଇଫ୍ଲାଇଙ୍ଗ ଷ୍ଟୁପିଡ୍‌ ମାନଙ୍କର ଅବଦାନ। ଏଥିରେ ଉଡ଼ାଣ କର୍ମଚାରୀମାବେ ବି ସମ୍ପୃକ୍ତ। ଜାଣିବାକୁ ପାଇଲି ଲମ୍ବା ଯାତ୍ରାର ବୋର‌୍‌ଡମ୍‌ ବା ବିଷଣ୍ଣତାକୁ ପ୍ରସନ୍ନତାରେ ପରିବର୍ତ୍ତନ କରିବା ପାଇଁ ଏମାନେ ଏକ ଗୁପ୍ତ କୋଡ୍‌ ବ୍ୟବହାର କରିଥାନ୍ତି। ଏହାର ନାଁ ହେଲା ‘‘ହଟ୍‌ କଫି ଓ ଫ୍ରେସ୍‌ ଫ୍ରୁଟ୍‌ କୋଡ୍‌’’। ଅର୍ଥାତ୍‌ ‘‘ଏହି ପ୍ଲେନ୍‌ର ଅମୁକ ଧାଡ଼ିର ଅମୁକ ସିଟ୍‌ରେ ଜଣେ ଅତି ସୁନ୍ଦରୀ, ଆକର୍ଷଣୀୟ ମହିଳା ବସିଛନ୍ତି। ଗରମ ଗରମ କଫି ଓ ଫଳରସ ନେଇ ତାଙ୍କ ପାଖକୁ ବାରମ୍ବାର ଯାଇ ତାଙ୍କ ଦୃଷ୍ଟି ଆକର୍ଷଣ କର, ହସି କଥା ହୁଅ, ଏକ୍‌ସଟ୍ରା ସର୍ଭିସ ଦିଅ, ତୁମର ବୋର‌୍‌ଡମ୍‌ ଓ କ୍ଲାନ୍ତି ଦୂର ହେଇଯିବ।’’ ଏହିପରି ମୂଢ଼ଙ୍କ ଯୋଗୁଁ ନାମକରା ଏୟାରଲାଇନ୍‌ମାନେ ବଦ୍‌ନାମ ହୋଇଥାନ୍ତି। ମୂଢ଼ଙ୍କ ଆଚରଣ ବୁଝିବାରେ ପଣ୍ତିତମାନେ ବି ହାରିଯାଆନ୍ତି।

ଆଉ ଏକ ଘଟଣା। ୨୦୦୨ ମସିହାରେ ଆମେ ଆମେରିକାର ନ୍ୟୁୟର୍କ ସହରରେ କିଛି ଦିନ ପାଇଁ ଥିଲୁ। ଦିନେ ସକାଳୁ ଉଠି ଖବରକାଗଜରେ ଏକ ଅଜବ ଖବର ପଢ଼ି ହସିବି କି କାନ୍ଦିବି ଜାଣି ପାରିଲିନି। କାରଣ ଜଣେ ଚୋର ସେଠାର ଜଣେ ଘର ମାଲିକଙ୍କ ବିରୋଧରେ ମକଦ୍ଦମା ଓ ଏଫ୍‌.ଆଇ.ଆର‌୍‌ କରି ତାଙ୍କୁ କଚେରିକି ଟାଣି ନେଇଥିଲେ। ଏହା ଥିଲା ଏକ କ୍ରିମିନାଲ ବା ଫୌଜଦାରି କେସ୍‌। ଚୋରଙ୍କ ଅଭିଯୋଗ ଥିଲା ସେ ମାଲିକଙ୍କ ଘର ସ୍କାଇଲାଇଟ୍‌ ପଟେ ଗୃହ ପ୍ରବେଶ ପାଇଁ ଲୁଚି ଛପି ଚେଷ୍ଟା କରୁଥିଲା ବେଳେ ଇଲେକ୍‌ଟ୍ରିକ୍‌ ସକ୍‌ ମାରିବାରୁ ତଳେ ପଡ଼ି ତାଙ୍କର ଗୋଡ଼ ଭାଙ୍ଗିଯାଇଥିଲା। ଚିକିତ୍ସାରେ ତାଙ୍କର ୨୦ ହଜାର ଡଲାର ଖର୍ଚ୍ଚକୁ ଘର ମାଲିକ ବହନ କରନ୍ତୁ ଓ ବହିରାଗତଙ୍କ ପାଇଁ ଏପରି ଅସୁରକ୍ଷିତ ଗୃହ ନିର୍ମାଣ କରିଥିବାରୁ ତାଙ୍କୁ ଛଅ ମାସ ଜେଲଦଣ୍ତ ମିଳୁ। ଓକିଲ ପୁଣି ଯୁକ୍ତି କରିଥିଲେ ଯେ ନିରାପଦରେ ଜୀବିକା ଓ ଅର୍ଥ ଉପାର୍ଜନ ଏକ ମୌଳିକ ମାନବିକ ଅଧିକାର। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ନାକଚ କରି ଦେଇଥିଲେ। ଓଲାମାନେ ନିରାଶ ହୋଇଥିଲେ। ଆମେରିକା ଏକ ମକଦ୍ଦମାଖୋର‌୍‌ ଦେଶ। ଏଠି ଛୋଟ ଛୋଟ କଥାରେ ଲୋକେ କୋର୍ଟ କଚେରିକୁ ଯାଇ କେସ୍‌ ଦାଏର କରିଥାନ୍ତି।

ଚାର୍ଲସ ପିଅର୍ସ ତାଙ୍କ ନ୍ୟାସନାଲ ବେଷ୍ଟ ସେଲର‌୍‌ ବହି- ‘ଇଡିଅଟ୍‌ ଆମେରିକା’ରେ (୨୦୦୯) ଲେଖିଛନ୍ତି ପୃଥିବୀର ଅନ୍ୟ ଦେଶଙ୍କ ତୁଳନାରେ ମହାଶକ୍ତିଶାଳୀ ଆମେରିକାରେ ଇଡିଅଟ୍‌ଙ୍କ ଆନୁପାତିକ ସ˚ଖ୍ୟା ଅଧିକ। କାରଣ ଏଠାକାର ସ୍ବାଧୀନ ସମାଜରେ ପାଗଳାମି ପ୍ରଦର୍ଶନ ପାଇଁ ଅନେକ ସୁଯୋଗ ରହିଚି। ଏଠି ଯାହା ବଡ଼ ପାଟିରେ କହିବ ତାହା ସତ୍ୟ, ଯାହାର ଅଧିକ ବହି ବିକ୍ରି ହୁଏ ସେ ବଡ଼ ପଣ୍ତିତ, ଯାହାକୁ ଅଧିକ ଲୋକ ଅନ୍ଧ ଭାବରେ ବିଶ୍ବାସ କରନ୍ତି, ସେ ମହାଜ୍ଞାନୀ। ଏବ˚ ଯେଉଁ ଦେଶ ମୁକ୍ତ ଚିନ୍ତା, ବିଚାରର ସ୍ବର୍ଣ୍ଣଭୂମି ଭାବରେ ଜନ୍ମ ନେଇଥିଲା ସେ ଏବେ ଇଡିଅଟ୍‌ଙ୍କ ଗୌରବ ଗାନରେ ମୁଖର। ସେପ୍‌ଟେମ୍ବର ଏଗାର ୨୦୦୧ରେ ଆଲ୍‌କଏଦା ଦ୍ବାରା ବିଶ୍ବ ବାଣିଜ୍ୟ କେନ୍ଦ୍ର ଧ୍ବ˚ସ ଓ ୩୦୦୦ ନିର୍ଦୋଷ ବ୍ୟକ୍ତିଙ୍କ ମୃତ୍ୟୁକୁ ଲକ୍ଷ୍ୟ କରି ପିଅର୍ସ କହିଛନ୍ତି ଦେଖ, କିପରି ମଧୢଯୁଗୀୟ ମୂର୍ଖତା, ପାଗଳାମି ଆଧୁନିକ ସଭ୍ୟତାକୁ ବିନାଶ କରିବା ପାଇଁ ବାହାରିଚି।

୨୯-ବି, ପ୍ରଜ୍ଞାବିହାର, ବରମୁଣ୍ତା, ଭୁବନେଶ୍ବର-୩
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର