ରହମତ, ମୁନିଫା ଓ ଅନ୍ୟମାନେ

ଚିତ୍ତରଞ୍ଜନ ଚିରଞ୍ଜିତ

ନିକଟରେ ଦୁଇ ଜଣ ଭାରତୀୟ ଶିଶୁ ବିଶ୍ବ ସାରା ଅସଂଖ୍ୟ ଲୋକଙ୍କ ମାନସ ପଟଳରେ ଅଭୁଲା ସ୍ମୃତି ହୋଇ ରହି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ରହମତ ଓ ଅନ୍ୟ ଜଣକ ମୁନିଫା।

ପାଠକପାଠିକାମାନଙ୍କ ମନେ ଥିବ ଯେ ଗଲା ମେ ମାସର ‘ଲକ୍‌ଡାଉନ୍‌’ କାଳରେ ବିହାରର ମୁଜାଫରପୁର ରେଳ ପ୍ଲାଟ୍‌ଫର୍ମ‌ଠାରେ ନିଜର ମା’କୁ ନିଦରୁ ଉଠାଇବା ପାଇଁ ଦେଢ଼ ବର୍ଷର ଅବୋଧ ଶିଶୁଟିଏ ବାରମ୍ବାର ପ୍ରୟାସ କରି ଚାଲିଥିଲା। ତା’ର ମା’ ଘୋଡ଼ି ହୋଇଥିବା କମ୍ବଳଟିକୁ ସେ ବିକଳରେ ଟଣାଟଣି କରି ଚାଲିଥିଲା। କିନ୍ତୁ ସେ ଜାଣି ନ ଥିଲା ଯେ ତାର ମା’ ପ୍ରକୃତରେ ସେହି କମ୍ବଳ ତଳେ ଚିରନିଦ୍ରାରେ ଶୋଇଯାଇଛି। ସେହି ଶିଶୁଟିର ନାମ ରହମତ। ଏବେ ସେ ତାର ଅଜା ଓ ଆଈଙ୍କ ପାଖରେ ରହୁଛି। ନିକଟରେ ରହମତକୁ ଭେଟିବା ଲାଗି ଯାଇଥିବା କିଛି ସାମ୍ବାଦିକ ରହମତର ଆଈଙ୍କ କଥାକୁ ଉଦ୍ଧାର କରି କହନ୍ତି ଯେ ଶିଶୁଟି ସେ ପର୍ଯ୍ୟନ୍ତ ସାଧାରଣ ବ୍ୟବହାର ପ୍ରଦର୍ଶନ କରିନାହିଁ। ଏବେ ବି ସେ କମ୍ବଳ ଆଡ଼େଇ ତାର ମା’କୁ ଖୋଜୁଛି।

ମୁନିଫା ନାଜିର ହେଉଛି ଜାମ୍ମୁ-କାଶ୍ମୀରର ଗୋଟିଏ ଛୋଟ ଝିଅ। ବୟସ ମାତ୍ର ଛଅ ବର୍ଷ। ମୁନିଫା ହେଉଛି ସେହି ଝିଅ ଯିଏ ଗତ ବର୍ଷ ଅଗଷ୍ଟ ମାସରେ ଭାରତୀୟ ଅର୍ଦ୍ଧସାମରିକ ବଳର ଜଣେ ଯବାନଙ୍କ ମାର୍ବଲ (କାଚ ଗୁଲି ଜାତୀୟ) ଗୁଳି ମାଡ଼ରେ ଗୋଟିଏ ଆଖି ହରାଇଥିଲା। ପ୍ରକାଶ ଥାଉ କି ଏହି ଦୁର୍ଘଟଣା ପରେ ମୁନିଫାର କିଛି ଅତ୍ୟନ୍ତ ମର୍ମସ୍ପର୍ଶୀ ଫଟୋ ଉଠାଇ ଆସୋସିଏଟେଡ୍‌ ପ୍ରେସ୍‌ (ଏପି)ର ତିନି ଜଣ ଫଟୋ ସାମ୍ବାଦିକ ଚଳିତ ବର୍ଷ ଲାଗି ସମ୍ମାନଜନକ ପୁଲିଜର୍‌ ପୁରସ୍କାର ଲାଭ କରିଛନ୍ତି। କହିବା ବାହୁଲ୍ୟ ଯେ ମୁନିଫାର ସେହି ଫଟୋଟି ଏବେ ବିଶ୍ବରେ ଏକ ବହୁଳ ପ୍ରସାରିତ ସ୍ଥିର ଚିତ୍ର। କିଛି ଦିନ ତଳେ କେତେକ ସାମ୍ବାଦିକ ଶ୍ରୀନଗରର ଦାନାମଜାରଠାରେ ମୁନିଫାକୁ ଭେଟିଥିଲେ। ସେମାନେ ଯାହା କହିଛନ୍ତି ତାହା ହେଲା ତା ସହିତ ଘଟିଯାଇଥିବା ଅଘଟଣ ପରେ ସେହି ଛୋଟ ଝିଅର କଳ୍ପନାର ନିରୀହ ବିଶ୍ବ ସତେ ଯେମିତି କ୍ଷତାକ୍ତ ହୋଇଯାଇଛି। ଏକ ଗଭୀର ବିଷଣ୍ଣତାବୋଧ ତାକୁ ଘେରି ରହିଛି। ସେ ଘରୁ ବାହାରୁ ନାହିଁ ଓ ସାଙ୍ଗସାଥୀଙ୍କୁ ଯେମିତି ପୂରା ଭୁଲି ଯାଇଛି।

ଉପର ଦୁଇଟି କେବଳ ଉଦାହରଣ ମାତ୍ର। ସେମାନଙ୍କ ଭଳି ହଜାର ହଜାର ଶିଶୁ ଏବେ ବିଭିନ୍ନ ପ୍ରକାର ଦୁର୍ଦଶା ଓ ଦୁର୍ଘଟଣା ଦ୍ବାରା ପୀଡ଼ିତ। ପୁଣି କୋଭିଡ୍‌-୧୯ ‘ପାନ୍‌ଡେମିକ୍‌’ କାଳରେ ଶିଶୁମାନେ ଏକ ଅତ୍ୟନ୍ତ ଉଦ୍‌ବେଗଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି। କୋଭିଡ୍-୧୯ ମହାମାରୀ ଦକ୍ଷିଣ ଏସିଆର ଲକ୍ଷ ଲକ୍ଷ ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ୟୁନିସେଫର ଏକ ରିପୋର୍ଟରୁ ଜଣାପଡ଼େ। ‘ଜନ ହପକିନ୍‌ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥ୍’ ଦ୍ୱାରା କରାଯାଇଥିବା ଏକ ପୂର୍ବାନୁମାନ ସମ୍ବଳିତ ଅଧ୍ୟୟନରେ ଚେତାବନୀ ଦିଆଯାଇଛି ଯେ ଆସନ୍ତା ୧୨ ମାସ ମଧ୍ୟରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ୮,୮୧,୦୦୦ ଶିଶୁଙ୍କର ମୃତ୍ୟୁ ଘଟିପାରେ।

ୟୁନିସେଫ୍ ରିପୋର୍ଟରେ କୁହାଯାଇଛି ଯେ କରୋନା ‘ପାନ୍‌ଡେମିକ୍‌’ କାଳୀନ ସାମାଜିକ ତଥା ଅର୍ଥନୈତିିକ ପ୍ରତିକୂଳତା କାରଣରୁ ଦାରିଦ୍ର୍ୟରେ ଜୀବନ ବିତାଇବାକୁ ବାଧ୍ୟ ଶିଶୁଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିବ ଏବଂ ଆସନ୍ତା ଛଅ ମାସ ମଧ୍ୟରେ ଅତିରିକ୍ତ ୧୨୦ ନିୟୁତ ପିଲା ଦାରିଦ୍ର୍ୟ ସୀମାରେଖା ତଳକୁ ଆସିଯିବେ।

ମହାମାରୀ ପୂର୍ବରୁ ମଧ୍ୟ ଭାରତର ଶିଶୁମାନଙ୍କ ଭିତରେ ପୁଷ୍ଟିହୀନତା ଏକ ନିରବ ମହାମାରୀ ରୂପେ ବିଦ୍ୟମାନ ଥିଲା। କିନ୍ତୁ ବିଭିନ୍ନ ଦାରିଦ୍ର୍ୟ ବିମୋଚନ ଯୋଜନା ଫଳରେ ପରିସ୍ଥିତିରେ ବେଶ୍‌ ଉନ୍ନତି ଆସୁଥିବା ବେଳେ ହଠାତ୍‌ କୋଭିଡ୍‌-୧୯ର ଆବିର୍ଭାବ ଓ ସେଥି ଲାଗି ହେଉଥିବା ତାଲାବନ୍ଦ କାରଣରୁ ଅସଂଖ୍ୟ ପରିବାର ଉପାର୍ଜନ ହରାଇଛନ୍ତି, ଯେଉଁଥି ଲାଗି ଅଧିକରୁ ଅଧିକ ଶିଶୁ ଦାରିଦ୍ର୍ୟଜନିତ ପୁଷ୍ଟିହୀନତାର ଶିକାର ହେବା ଅନିବାର୍ଯ୍ୟ ହୋଇପଡ଼ିଛି।

ଏହା ଦେଖିବାକୁ ମିଳିଛି ଯେ ସିରିଆର ଗୃହଯୁଦ୍ଧ ହେଉ ବା ସଂତ୍ରାସବାଦ କାରଣରୁ ଇରାକରୁ ପଳାୟନ କରୁଥିବା ସିହା ମୁସଲମାନ ବା ୟାଜିନି ଶରଣାର୍ଥୀ ହୁଅନ୍ତୁ ବା ଇଥିଓପିଆର ଦୁର୍ଭିକ୍ଷ ହେଉ ଅଥବା କରୋନା ଭଳି ମହାମାରୀ ଦ୍ବାରା ପ୍ରପୀଡ଼ିତ ପୃଥିବୀ ହେଉ: ଏ ସବୁଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଶିଶୁ ଏବଂ ସେମାନଙ୍କ ଶୈଶବ। ସ୍ମରଣ କରାଯାଇପାରେ ଯେ ଭିଏତନାମ ଯୁଦ୍ଧ କାଳରେ ଆମେରିକା ଦ୍ବାରା ପକାଯାଇଥିବା ‘ନାପାମ୍‌’ ବୋମାରେ ଭିଏତନାମର ଏକ ଗାଁ ଧୁ ଧୁ ହୋଇ ଜଳୁଥିବା ବେଳେ ତହିଁରୁ ରକ୍ଷା ପାଇ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ କାନ୍ଦି କାନ୍ଦି ଦୌଡୁଥିବା ଗୋଟିଏ ଛୋଟ ଝିଅର ଫଟୋ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପୃଥିବୀ ସାରା ଏଭଳି ଜନରୋଷ ସୃଷ୍ଟି ହୋଇଥିଲା ଯେ ଭିଏତ୍‌ନାମ ଯୁଦ୍ଧ ତା’ ପରେ ପରେ ବନ୍ଦ ହୋଇଯାଇଥିଲା। ସବୁ ପ୍ରକାର ଆକ୍ରମଣ ଓ ପ୍ରତିକୂଳତାର ଶରବ୍ୟ ଶିଶୁ ଏବଂ ସେମାନଙ୍କ ମର୍ମ ବେଦନାର ଚିତ୍ର ପୃଥିବୀର ବିବେକକୁ ଦୋହଲାଇ ଆସିଛି; ଯେମିତି ମୁନିଫା ଓ ରହମତଙ୍କ ସ୍ଥିର ଓ ଚଳତ୍‌ ଚିତ୍ର ପୃଥିବୀ ବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ମୋ: ୯୪୩୭୪୪୯୬୪୪
[email protected]

ସମ୍ବନ୍ଧିତ ଖବର