୨୦୦୭ ମସିହାର କଥା। ଏପ୍ରିଲ ମାସରେ ମୋର ଉତ୍ତରାଞ୍ଚଳ ରାଜସ୍ୱ କମିସନର ଭାବେ ବଦଳି ହେଲା। ସମ୍ବଲପୁରରେ ଯୋଗ ଦେବା ପରେ ମୁଁ ଅନ୍ୟ କାର୍ଯ୍ୟ ସହିତ ନିୟମିତ ଭାବେ କୋର୍ଟ କାର୍ଯ୍ୟ କରିବାକୁ ଲାଗିଲି। ଦିନେ ମୋର ପେସ୍କାର ନାୟାର ବାବୁ କହିଲେ ଯେ “ସାର୍, ବନ୍ଦୋବସ୍ତ ସଂଶୋଧନ (revision) ପାଇଁ ପ୍ରାୟ ୬୪୦ଟି ମାମଲା (case) ଅଛି। ଆପଣ ଚାହିଁଲେ, ସେଥିରୁ କିଛି ମାମଲା ଆଗାମୀ ତାରିଖକୁ ପୋଷ୍ଟିଂ କରିବି।” ମୁଁ ତାଙ୍କୁ ପରୀକ୍ଷାମୂଳକ ଭାବେ ୨୦ଟି ମାମଲା ନେବାକୁ କହିଲି। ପ୍ରାୟ ୨୧ ଦିନର ନୋଟିସ ପରେ ମାମଲାର ତାରିଖ ଦିନ ମାତ୍ର ୨ ଜଣ ଦାବିଦାର ଉପସ୍ଥିତ ହେଲେ। ତାଙ୍କ ଭିତରେ ଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କାହିଁକି ମାତ୍ର ଦୁଇ ଜଣ ଆସିଲେ ବୋଲି ପଚାରିବାରୁ, ସେ ଯାହା ଉତ୍ତର ଦେଲେ ତାହା ମୋର ଆଖି ଖୋଲିଦେଲା।
ସେ କହିଲେ “ସାର୍ ଆମେ ଦଦରାଘାଟି ଅଞ୍ଚଳରୁ ଆସିଛୁ। ଦଦରାଘାଟିରୁ ପରଜଙ୍ଗ, ପରଜଙ୍ଗରୁ ତାଳଚେର ହୋଇ ଅନୁଗୁଳ ଏବଂ ପରେ ଅନୁଗୁଳରୁ ବସ୍ରେ ଗତକାଲି ସନ୍ଧ୍ୟାରେ ସମ୍ବଲପୁରରେ ପହଞ୍ଚିଲୁ। ରାତିରେ ଲଜ୍ରେ ରହି ଆଜି ସକାଳେ ଆପଣଙ୍କ କୋର୍ଟକୁ ଆସିଛୁ। ତେଣୁ ଆପଣଙ୍କ କୋର୍ଟରୁ ପହଞ୍ଚି ପୁଣି ଗାଁକୁ ଫେରିବାକୁ ଆମକୁ ପ୍ରାୟ ଜଣକା ଆଠ ଶହରୁ ହଜାରେ ଟଙ୍କା ଖର୍ଚ୍ଚ ହେବ। ଏତେ ପଇସା ଖର୍ଚ୍ଚ କରି ଆପଣଙ୍କ କୋର୍ଟକୁ ଆସିବା ଅଧିକାଂଶ ଦାବିଦାରଙ୍କ ପକ୍ଷରେ ସମ୍ଭବ ନୁହେଁ। ଦ୍ବିତୀୟରେ ୨୭-୨୮ ବର୍ଷ ଧରି ଆମେ ବିସ୍ଥାପିତ ହେଲୁଣି, ସରକାର ଆମକୁ ଜମି ଦେଇଥିଲେ ମଧ୍ୟ ପଟ୍ଟା ଆମ ନାମରେ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ଜମି ପଟ୍ଟା ନଥିବାରୁ ନା ଆମର ଜାତି ସାର୍ଟିଫିକେଟ, ନା ଆୟ ସାର୍ଟିଫିକେଟ ନା ବ୍ୟାଙ୍କ ଋଣ ମିଳୁଛି। ଆମର କୌଣସି ପରିଚୟ ନାହିଁ। ଆମେ ଆଜ୍ଞା ବହୁତ ଅସୁବିଧାରେ ଅଛୁ। ଆମ କଥା ଆପଣ ବୁଝନ୍ତୁ।” ସେ ବ୍ୟକ୍ତିଙ୍କ କଥା ମୋ ମନକୁ ବହୁତ ଆନ୍ଦୋଳିତ କଲା। ତେବେ ମାମଲା ଗୁଡ଼ିକର ବିଷୟଟି ଥିଲା ପୁରୁଣା ଓ ଜଟିଳ।
୧୯୭୩ ମସିହାରେ ରାଜ୍ୟ ସରକାର ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାର ରାମିଆଳ ଓ ଦଦରାଘାଟି ନଦୀରେ ସ୍ଥାପନ କରିବା ପାଇଁ ନିଷ୍ପତ୍ତି କଲେ। ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୧୯୭୫ ମସିହାରୁ ଆରମ୍ଭ ହେଲା। ସେମାନଙ୍କୁ ସରକାର ଆୟକଟ ଓ ପାଖ ଅଞ୍ଚଳରେ ଥିବା ଗାଁ ମାନଙ୍କରେ ଥିବା ଗ୍ରାମ୍ୟ ଜଙ୍ଗଲ ହଟାଇ ରହିବା ପାଇଁ ଘରଡିହ ଓ ଚାଷଜମି ଯୋଗାଇ ଦେବା ପାଇଁ ନିଷ୍ପତ୍ତି କଲେ। ଏଥିପାଇଁ ରାଜ୍ୟ ସରକାର ୧୯୭୭ରେ ବିସ୍ଥାପିତଙ୍କ ଥଇଥାନ ପାଇଁ ଏକ ନୀତି ପ୍ରଣୟନ କଲେ। ଏହି ନୀତି ଅନୁସାରେ ଯୋଜନାରେ ବିସ୍ଥାପିତ ପରିବାରଙ୍କୁ ୩୦ ଡିସିମିଲ ଘରଡିହ ସହ ୩ ଏକର ଜଳସେଚିତ ଚାଷଜମି ବା ୬ ଏକର ଅଣ ଜଳସେଚିତ ଚାଷଜମି ଦେବା ପାଇଁ ବ୍ୟବସ୍ଥା ଥିଲା।
ଦଦରାଘାଟି ପ୍ରକଳ୍ପଟି ୧୯୭୯ ଜୁଲାଇ ମାସରେ ଏବଂ ରାମିଆଳ ଜଳସେଚନ ପ୍ରକଳ୍ପ ଜୁଲାଇ ୧୯୮୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। କାର୍ଯ୍ୟକ୍ଷମ ହେବା ପୂର୍ବରୁ ପ୍ରକଳ୍ପରେ ବୁଡ଼ିଯାଉଥିବା ଗାଁମାନଙ୍କରୁ ସମସ୍ତ ଲୋକଙ୍କୁ ବିସ୍ଥାପିତ କରାଯାଇ ଅନ୍ୟ ଗାଁ ମାନଙ୍କରେ ଥଇଥାନ କରାଯାଇଥିଲା। ତେଣୁ ଉଭୟ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ପରିବାର ଜୁଲାଇ ୧୯୮୦ ପୂର୍ବରୁ ନିଜର ଭିଟାମାଟି ଛାଡ଼ିଥିଲେ। ତାଙ୍କୁ ଥଇଥାନ କରିବା ପାଇଁ ଆୟକଟରେ ଥିବା ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ବା ଜଙ୍ଗଲ ଜମିକୁ ସଫା କରାଯାଇଥିଲା। ଏହି ଅଞ୍ଚଳରେ ସେହି ସମୟରେ ବନ୍ଦୋବସ୍ତ କାର୍ଯ୍ୟ ଚାଲୁଥିବାରୁ, କାମାକ୍ଷାନଗର ତହସିଲଦାର ସବୁ ବିସ୍ଥାପିତ ପରିବାରଙ୍କ ନାଁରେ ଲିଜ ମାମଲା ଆରମ୍ଭ କରି K-form ପଟ୍ଟା ଦେଇଥିଲେ। (ପରଜଙ୍ଗ ତହସିଲ ୨୦୦୪ ମସିହାରେ କାମାକ୍ଷାନଗର ତହସିଲରୁ ଭାଗ ହୋଇ ନୂତନ ଭାବେ କାର୍ଯ୍ୟ କରିଥିଲା।)
ତେବେ, କୌଣସି କାରଣରୁ ଅଧିକାଂଶ ବିସ୍ଥାପିତ ପରିବାରଙ୍କୁ ଦିଆଯାଇଥିବା ଘରଡିହ/ଚାଷଜମିକୁ ବନ୍ଦୋବସ୍ତ ସଂସ୍ଥା ପକ୍ଷରୁ ସରକାରୀ ଖାତାରେ ରଖି ପୂର୍ବ ଭଳି ଜଙ୍ଗଲ କିସମ ଜମି ବୋଲି ପ୍ରକାଶନ କରାଯାଇଥିଲା। କେବଳ କଙ୍କଡ଼ାହାଡ଼ ଓ ଆଖୁଆପାଳ ଗାଁର କେଇ ଜଣଙ୍କ ଲାଗି ବନ୍ଦୋବସ୍ତର ଚୂଡ଼ାନ୍ତ ପଟ୍ଟା ପ୍ରସ୍ତୁତ ହୋଇଥିଲା। େବାଧହୁଏ, ତହସିଲଦାରଙ୍କ ଦ୍ବାରା ପ୍ରଦତ୍ତ K-form ପଟ୍ଟାକୁ ଅଧିକାଂଶ ବିସ୍ଥାପିତ ପରିବାର ବନ୍ଦୋବସ୍ତ ଅଧିକାରୀଙ୍କୁ ଦେଖାଇ ନ ଥିଲେ ବା ଅନ୍ୟ କୌଣସି କାରଣରୁ ତାହା ଗ୍ରହଣଯୋଗ୍ୟ ହୋଇପାରି ନଥିଲା।
ତେବେ ପରବର୍ତ୍ତୀ ସମୟରେ ୧୯୮୪ରୁ ୧୯୯୯ ମସିହା ମଧ୍ୟରେ କାମାକ୍ଷାନଗର ତହସିଲଦାର କେତେକ ବିସ୍ଥାପିତ ପରିବାରକୁ ଚୂଡ଼ାନ୍ତ ଘରଡିହ ଓ ଚାଷଜମିର ପଟ୍ଟା ଦେଇଥିଲେ। ତେବେ ଦଦରାଘାଟି ଓ ରାମିଆଳ ପ୍ରକଳ୍ପର ଯଥାକ୍ରମେ ୨୯୬ ଓ ୮୭ଟି ବିସ୍ଥାପିତ ପରିବାର ଘରଡିହ ଓ ୨୮୪ ଏବଂ ୩୧୭ ପରିବାର ଚାଷଜମିର ଚୂଡ଼ାନ୍ତ ପଟ୍ଟା ପାଇନଥିଲେ। ଏଥି ମଧ୍ୟରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ବଳରେ ତହସିଲଦାରଙ୍କ ବନ୍ଦୋବସ୍ତ ବା ଚକବନ୍ଦୀ ସଂସ୍ଥା ଦ୍ବାରା ଜାରି କରାଯାଇଥିବା ଚୂଡ଼ାନ୍ତ ପଟ୍ଟା ଉପରେ କୌଣସି ପରିବର୍ତ୍ତନ କରିବାର ଅଧିକାର ଉପରେ ରୋକ ଲଗାଗଲା। ଫଳରେ ରାଜସ୍ୱ ପରିଷଦରେ ସଂଶୋଧନ ମାମଲା ଫାଇଲ କରିବା ଜରୁରୀ ହୋଇପଡ଼ିଲା। ଯଦିଓ ଚୂଡାନ୍ତ ପଟ୍ଟା ୧୯୮୪ ମସିହାରେ ପ୍ରକାଶନ ହୋଇଥିଲା, ସେ ଗୁଡ଼ିକର ସଂଶୋଧନ ଶୁଣାଣି ବେଳକୁ ୨୩ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲା। ବିସ୍ଥାପିତ ପରିବାରଗୁଡ଼ିକ ଘରଡିହ ଓ ଚାଷଜମି ପାଇଥିଲେ ମଧ୍ୟ ଚୂଡ଼ାନ୍ତ ପଟ୍ଟା ନ ପାଇ ହଇରାଣ ହେଉଥିଲେ।
ତେବେ ଦାବିଦାରଙ୍କ ସମ୍ବଲପୁରକୁ ଆସିବାର ଅସୁବିଧାକୁ ହୃଦୟଙ୍ଗମ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସରେ କ୍ୟାମ୍ପ କୋର୍ଟ କରିବାକୁ ମୁଁ ନିଷ୍ପତ୍ତି ନେଲି। ପର ମାସରେ ଢେଙ୍କାନାଳ କ୍ୟାମ୍ପ କୋର୍ଟ ପାଇଁ ୫୦ଟି କେସ୍ର ନୋଟିସ ଜାରି କରାଗଲା। ତେବେ ଦେଖିଲି ଦାବିଦାରମାନେ ଗୋଟିଏ ଛୋଟ ମିନିବସ୍ ରିଜର୍ଭ କରି ଖୁନ୍ଦା ଖୁନ୍ଦି ହୋଇ ଢେଙ୍କାନାଳକୁ ଆସୁଛନ୍ତି। ଏଥିରେ ଅଯଥା ଅର୍ଥ ଖର୍ଚ୍ଚ କରୁଥିବା ଜାଣି ସମସ୍ତ କ୍ୟାମ୍ପ କୋର୍ଟ କାମାକ୍ଷାନଗର ଓ ପରଜଙ୍ଗରେ କରିବା ପାଇଁ ନିଷ୍ପତ୍ତି ନେଲି। ତେବେ ଏ ସବୁ ମାମଲା ଫଇସଲା କରିବା ପାଇଁ ମୋତେ ଦୁଇଟି ପ୍ରସଙ୍ଗ ଉପରେ ବିଚାର କରି ନିଷ୍ପତ୍ତି ନେବାର ଆବଶ୍ୟକ ଥିଲା। ପ୍ରଥମଟି ହେଲା ମକଦମାଭୁକ୍ତ ଜମିଗୁଡ଼ିକ ପାଇଁ ୧୯୮୦ର ଜଙ୍ଗଲ ସୁରକ୍ଷା ଆଇନ ଲାଗୁ ହେବ କି ନାହିଁ। ଦ୍ବିତୀୟରେ ପ୍ରତ୍ୟେକ ଦାବିଦାରଙ୍କର ବା ତାଙ୍କର ଉତ୍ତରାଧିକାରୀମାନଙ୍କର ମକଦମାଭୁକ୍ତ ଜମି ଉପରେ ଆଇନଗତ ଅଧିକାର, ମାଲିକାନା ଓ ସ୍ବାର୍ଥ (Right, Title and Interest) ଅଛି କି ନାହିଁ।
ଦ୍ବିତୀୟଟି ପାଇଁ ପ୍ରତ୍ୟେକ ଦାବିଦାର ସେମାନଙ୍କ ପାଖରେ ଥିବା K-form ବା ପାଉତି ଅଥବା ବିସ୍ଥାପିତ ସମ୍ପର୍କିତ କୌଣସି କାଗଜପତ୍ରର କପି ସହିତ ଉପସ୍ଥିତ ରହିବା ଜରୁରୀ ଥିଲା। ଏହା ସମୟ ସାପେକ୍ଷ ଥିଲା, କିନ୍ତୁ ପ୍ରାୟ ସମସ୍ତ ବିସ୍ଥାପିତ କାଗଜପତ୍ର ଧରି ହାଜର ହେଲେ। ପ୍ରଥମ ପ୍ରସଙ୍ଗ ପାଇଁ ୧୯୮୦ର ଜଙ୍ଗଲ ସୁରକ୍ଷା ଆଇନର ପ୍ରାବଧାନଗୁଡ଼ିକୁ ଅନୁଧ୍ୟାନ କରାଗଲା। ଏଇ ଆଇନକୁ କେନ୍ଦ୍ର ସରକାର ଲାଗୁ କରିଥିଲେ। ଏହାର ପ୍ରାବଧାନ ଅନୁସାରେ କୌଣସି ରାଜ୍ୟ ସରକାର ବା ଅଧିକୃତ ଅଧିକାରୀ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମତି ବିନା କୌଣସି ଜଙ୍ଗଲ ଜମିକୁ ଅଣଜଙ୍ଗଲ ବ୍ୟବହାର ପାଇଁ ନେଇ ପାରିବେ ନାହିଁ। ଏହି ବାବଦରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ସହଯୋଗରେ ଜିଲ୍ଲା କାର୍ଯ୍ୟାଳୟରୁ କେତେ ଗୁଡ଼ିଏ ଜରୁରୀ ଦସ୍ତାବିଜ ଉପଲବ୍ଧ ହେଲା। ତେବେ ସେ ସବୁ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜଟି ଥିଲା କେନ୍ଦ୍ର ସରକାରଙ୍କ ଦ୍ବାରା ୩୧.୦୭.୧୯୮୬ ତାରିଖର ଲିଖିତ ଏକ ଚିଠି। ଏହା ମାଧ୍ୟମରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟଙ୍କୁ ଜଣାଇଥିଲେ ଯେ ଯଦି କୌଣସି ରାଜ୍ୟ ସରକାର ୨୫.୧୦.୧୯୮୦ ତାରିଖ ପୂର୍ବରୁ ଜଙ୍ଗଲ ଜମିକୁ କୌଣସି ପ୍ରକଳ୍ପରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ବ୍ୟବହାର କରିଥିବେ, ତାହାହେଲେ ସେ ସବୁ ମାମଲା ଗୁଡ଼ିକରେ କେନ୍ଦ୍ର ସରକାରଙ୍କ ଅନୁମତି ନେବା ଆବଶ୍ୟକ ନୁହେଁ। ଏ ସବୁ ଦସ୍ତାବିଜ ବିସ୍ଥାପିତଙ୍କ ଲାଗି ଅନୁକୂଳ ସାବ୍ୟସ୍ତ ହେଲା। ଏ ସବୁ ଦସ୍ତାବିଜ ଓ ତଥ୍ୟକୁ ଅନୁଧ୍ୟାନ ପରେ ସିଦ୍ଧାନ୍ତ ବାହାରିଲା ଯେ ୧୯୮୦, ଜଙ୍ଗଲ ସୁରକ୍ଷା ଆଇନର ପ୍ରାବଧାନ ବିଚାରାଧୀନ ୬୩୭ଟି ମକଦମାରେ ଅନ୍ତର୍ଭୁକ୍ତ ଭୂମି ପାଇଁ ଲାଗୁ ହେବ ନାହିଁ। ସୁତରାଂ, ଏହା ପରେ ଉଭୟ ତହସିଲଦାରଙ୍କୁ ସମସ୍ତ ମାମଲାରେ କ୍ଷେତ୍ର ସ୍ତରୀୟ ସଠିକତା ଯାଞ୍ଚ କରି ଜମିଗୁଡ଼ିକୁ ପ୍ରଜା ବା ତାଙ୍କ ଉତ୍ତରାଧିକାରୀଙ୍କ ନାମରେ ଚୂଡାନ୍ତ ପଟ୍ଟା ଦେବା ପାଇଁ (୨୫.୦୭.୨୦୦୮ରେ) ନିର୍ଦ୍ଦେଶ ଦେଲି ।
ବିଧିର ବିଧାନ, ଉକ୍ତ ନିର୍ଦ୍ଦେଶ ଦେବାର ମାତ୍ର ୬ ଦିନ ପରେ ମୋର ବଦଳି ହେଲା ଓ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ମୁଁ ଯୋଗ ଦେଲି। ତେବେ ଏକ ଅତ୍ୟନ୍ତ ଜଟିଳ ସମସ୍ୟାର ଚିରସ୍ଥାୟୀ ସମାଧାନ କରିବାର ସୁଯୋଗ ମୋତେ ଏବଂ ମୋର ସମସ୍ତ ସହଯୋଗୀଙ୍କୁ ଅତ୍ୟନ୍ତ ଆତ୍ମସନ୍ତୋଷ ପ୍ରଦାନ କରିଥିଲା।
ପ୍ରମୁଖ ଶାସନ ସଚିବ
ବାଣିଜ୍ୟ ଓ ପରିବହନ ବିଭାଗ,
ଓଡ଼ିଶା ସରକାର