ବନମାଳୀ ସାର୍। ସବୁ ଛାତ୍ରଛାତ୍ରୀମାନଙ୍କର ବଡ଼ ପ୍ରିୟ ସାର୍। ଭଡ଼ାଘରେ ପିଲାମାନଙ୍କୁ ଟିଉସନ୍ କରି ନିଜ ପରିବାରର ଗୁଜରାଣ ମେଣ୍ଟାନ୍ତି। କିଛି କିଛି ସମ୍ଭ୍ରାନ୍ତ ବ୍ୟକ୍ତି ନିଜର ପିଲାମାନଙ୍କୁ ନିଜ ଘରେ ଟିଉସନ୍ ଦେବା ପାଇଁ ବନମାଳୀ ସାର୍ଙ୍କୁ ଡାକନ୍ତି ଏବ˚ କିଛି ଅଧିକ ଟଙ୍କା ମଧୢ ଦିଅନ୍ତି। ଏଥିରେ ତାଙ୍କର ଛୋଟିଆ ପରିବାର ଦୁଃଖସୁଖରେ ଚଳିଯାଏ। ବନମାଳୀ ସାର୍ଙ୍କ ତତ୍ତ୍ବାବଧାନରେ ତାଙ୍କର ପ୍ରିୟ ଛାତ୍ରଛାତ୍ରୀ ଏଥର ଦଶମ ବୋର୍ଡ ପରୀକ୍ଷା ଦେଇ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ପରୀକ୍ଷାର ଫଳାଫଳ ପାଇଁ। ଏପଟେ ବନମାଳୀ ସାର୍ଙ୍କ ପାଖରେ ପଢ଼ିବା ପାଇଁ ବହୁ ମେଧାବୀ ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇଛନ୍ତି।
କିନ୍ତୁ କଳା ବାଦଲର ଛାଇ ପରି ହଠାତ୍ କରୋନା ସ˚କଟ ମାଡ଼ି ଆସିଲା। କରୋନା ସ˚କଟ ପାଇଁ ସ୍କୁଲ, କଲେଜ ଏବ˚ ଘରୋଇ ଟିଉସନ୍ ମଧୢ ବନ୍ଦ କରି ଦିଆଗଲା। ବନମାଳୀ ସାର୍ ବହୁତ ଧୈର୍ଯ୍ୟବାନ୍। ପିଲାମାନଙ୍କୁ ଜୀବନର ସ˚କଟ ସମୟରେ ଧୈର୍ଯ୍ୟ ରଖି ଆଗକୁ ବଢ଼ିବାକୁ ଉପଦେଶ ଦିଅନ୍ତି। ତେଣୁ ନିଜେ କେମିତି ଧୈର୍ଯ୍ୟହରା ହେବେ? କରୋନା ଜନିତ ବନ୍ଦ୍ର ପ୍ରଭାବରେ ପ୍ରଥମ ମାସଟା ଯେମିତି ସେମିତି ଚଳିଗଲା। ଭାବିଥିଲେ, ଆସ୍ତେ ଆସ୍ତେ ଅସୁବିଧା ସୁଧୁରିଯିବ। ମାସେରୁ ଛଅ ମାସ ହେବାକୁ ଗଲାଣି। ଖଣ୍ତିଏ ଦୁଇ ଚକିଆ ଗାଡ଼ି କିଣିବେ ବୋଲି ଯାହା କିଛି ସଞ୍ଚୟ କରିଥିଲେ, ସବୁ ପ୍ରାୟ ସରି ଆସିଲାଣି। ସାଙ୍ଗସାଥୀମାନଙ୍କ ଠାରୁ ଧାର ଉଧାର କରି କିଛି ମାସ ଗଡ଼ାଇ ଦିଅନ୍ତେ। କିନ୍ତୁ ସେମାନଙ୍କର ମଧୢ ସେଇ ଅବସ୍ଥା। କେମିତି ପରିବାର ଚଳେଇବେ ସେ ବିଷୟ ନେଇ ବଡ଼ ଚିନ୍ତିତ ବନମାଳୀ ସାର୍। ଗାଁରେ ଜମିବାଡ଼ି ବୋଲି କିଛି ନାହିଁ। ବାପା ମା’ଙ୍କର ଗୋଟିଏ ବୋଲି ପୁଅ। ଦାରିଦ୍ର୍ୟର ସବୁ ଘାତ ପ୍ରତିଘାତକୁ ସାମନା କରି ଆଖିରେ ଅସୁମାରି ସ୍ବପ୍ନ ନେଇ ରାଜଧାନୀକୁ ଚାଲି ଆସିଲେ ଯେମିତି ହେଲେ କଲେଜରେ ପଢ଼ିବେ। ତେଣୁ ରାଜଧାନୀର ଏକ ସ୍ଥାନୀୟ କଲେଜରେ ଆଡମିସନ୍ କରିବା ଦିନ ଠାରୁ ଘରୋଇ ଟିଉସନ୍କୁ ଆପଣାଇ ନେଲେ ନିଜର ପାଠପଢ଼ା ଖର୍ଚ୍ଚ ଉଠାଇବା ପାଇଁ। ବର୍ତ୍ତମାନ ଏହା ତାଙ୍କର ଜୀବିକା ଉପାର୍ଜନ କରିବାର ଏକମାତ୍ର ପନ୍ଥା।
ବଡ଼ ନିରୁପାୟ ବନମାଳୀ ସାର୍। ପ୍ରତିଦିନ ଖବରକାଗଜ ଓଲଟାଇଲା ବେଳକୁ ପଢ଼ୁଛନ୍ତି, ଆଜି ସରକାର ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ମାଗଣା ଅନ୍ନଦାନ ଯୋଜନା ଘୋଷଣା କଲେଣି ତ ଶ୍ରମିକମାନଙ୍କ ପାଇଁ ମନରେଗା ଯୋଜନାରେ ଲୋକମାନଙ୍କୁ ଗାଁ ଗାଁରେ ମଜୁରି ଦେବାର ବ୍ୟବସ୍ଥା କଲେଣି। ଆଉ କେତେବେଳେ ଉଜ୍ଜ୍ବଳା ଯୋଜନାରେ ଗରିବ ପରିବାରକୁ ମାଗଣା ଗ୍ୟାସ୍ ସିଲିଣ୍ତର ଯୋଗାଣର ଯୋଜନା ଘୋଷଣା କଲେଣି। ପ୍ରତିଦିନ ନୂଆ ନୂଆ ଯୋଜନାର ଘୋଷଣା ଗରିବ କଲ୍ୟାଣ ପାଇଁ। ଏପଟେ ଧର୍ମକୁ ଆଖି ଠାର ଭଳି ସମ୍ଭ୍ରାନ୍ତ ଲୋକଙ୍କ ପାଇଁ ବନ୍ଦେ ମାତାର˚ ଯୋଜନା ଠାରୁ ଆରମ୍ଭ କରି ଦେଶ ଭିତରେ ବିଭିନ୍ନ ବିକଳ୍ପ ଖୋଜିବାରେ ସରକାର ବ୍ୟସ୍ତ। ବସ୍ ମାଲିକମାନଙ୍କୁ ସୁହାଇବା ପାଇଁ ଶତ ପ୍ରତିଶତ ଯାତ୍ରୀ ନେବା ପାଇଁ ସୁବିଧା, ତଥାକଥିତ ସାମାଜିକ ଦୂରତା ରକ୍ଷା କରି ହୋଟେଲରେ ଖାଦ୍ୟ ପରିବେଷଣ ଏବ˚ ବଡ଼ ବଡ଼ ଦୋକାନୀଙ୍କୁ ସୁହାଇଲା ଭଳି ଗ୍ରୋସରି ଦୋକାନ ଖୋଲି ଦେବା ଏବ˚ ସର୍ବୋପରି ମଦିରା ପ୍ରେମୀମାନଙ୍କ ପାଇଁ ମଦ ଦୋକାନ ଖୋଲିବା ଭିତରେ ବନମାଳୀ ସାର୍ ଖୋଜୁଥିଲେ ନିଜର ପରିଚୟ।
ବିପିଏଲ୍ ତାଲିକାରେ ତାଙ୍କର ନାଁ ନାହିଁ, ନ ହେଲେ ମାସକୁ ମାସ ମାଗଣା ଅନ୍ନ ବ୍ୟବସ୍ଥା କରିପାରନ୍ତେ। ଶ୍ରମିକ ତାଲିକାରେ ତାଙ୍କର ନାଁ ନାହିଁ। ତେଣୁ ଦୈନିକ ମଜୁରି ଜୁଟାଇବାରୁ ବଞ୍ଚିତ। ଉଜ୍ଜ୍ବଳା ଯୋଜନାରେ ତାଙ୍କର ନାଁ ନାହିଁ। ତେଣୁ ମାଗଣା ଗ୍ୟାସ୍ ସିଲିଣ୍ତର ମଧୢ ମିଳିବାର ଆଶା ନାହିଁ। ସରକାରଙ୍କ ଦୈନିକ ତୁହାକୁ ତୁହା ଘୋଷଣା ହେଉଥିବା କୌଣସି ଯୋଜନାରେ ବନମାଳୀ ସାର୍ଙ୍କ ଭଳି ଆତ୍ମନିର୍ଭରଶୀଳ ଅନେକ ଟିଉସନ୍ ସାର୍ଙ୍କ ଉପରେ କାହାର ଟିକିଏ ହେଲେ ଦୃଷ୍ଟି ପଡ଼ୁନାହିଁ।
ଟିଉସନ୍ ପଢ଼ାଇଲା ବେଳେ ଯେତେବେଳେ କିଛି ଛାତ୍ର ପ୍ରଶ୍ନ କରନ୍ତି, ‘ସାର୍, ଆମ ଦେଶରେ କାହିଁକି ହଜାର ହଜାର କୃଷକ ଆତ୍ମହତ୍ୟା କରୁଛନ୍ତି?’ ଏହାର ଉତ୍ତର ଦେବାକୁ ଯାଇ ଅତ୍ୟନ୍ତ ଧୈର୍ଯ୍ୟଶୀଳ ବନମାଳୀ ସାର୍ କହନ୍ତି, ‘ଯେତେବେଳେ ଜଣେ କୃଷକ ନିଜ ଜମିରୁ ଫସଲ ଉତ୍ପାଦନ କରିବା ପାଇଁ ବ୍ୟାଙ୍କ୍ କିମ୍ବା ସାହୁକାରଙ୍କ ଠାରୁ ଋଣ ଆଣିଥାଏ ଏବ˚ ହଠାତ୍ କୌଣସି ଦୈବୀ ଦୁର୍ବିପାକ ହେଉ ଅଥବା ମାନବକୃତ ଦୁର୍ଦଶା ହେଉ; ସ୍ବପ୍ନିଳ ଫସଲ ସବୁ ଉଜୁଡ଼ି ଯାଏ, ସେତେବେଳେ ନିଜର ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ଅକ୍ଷମତା ଏବ˚ ସାହୁକାରର ଋଣ ପରିଶୋଧ ନ କରି ପାରିବାର ଅସହାୟତା ତାର ଧୈର୍ଯ୍ୟଚ୍ୟୁତି ଘଟାଏ ଏବ˚ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥାଏ।’ କିନ୍ତୁ ବନମାଳୀ ସାର୍ ନିଜର ପିଲାମାନଙ୍କୁ ଜୀବନ ଯୁଦ୍ଧରେ କେବେହେଲେ ହାର୍ ନ ମାନି ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ଉପଦେଶ ଦିଅନ୍ତି।
ଦିନେ ଏମିତି ହେଲା ଯେ ବନମାଳୀ ସାର୍ଙ୍କ ଠାରୁ ପଢ଼ି ମଣିଷ ହୋଇଥିବା କିଛି ପୁରାତନ ଛାତ୍ର ସାର୍ଙ୍କର ଘରେ ଆସି ପହଞ୍ଚିଗଲେ। ସେମାନେ ଦୂରରେ ଥାଇ ବି ସାର୍ଙ୍କ କଷଣ ବୁଝିପାରିଥିଲେ। ସେମାନେ କହିଲେ, ‘ସାର୍, ଆମେ ଥାଉଁ ଥାଉଁ ଆପଣଙ୍କର ଅସୁବିଧା ହେବ? ଆମେ ଆପଣଙ୍କ ସହିତ ସବୁବେଳେ ଅଛୁ।’
ସେ ଦିନ ବନମାଳୀ ସାର୍ ଯେଉଁ ଆତ୍ମତୃପ୍ତି ଲାଭ କରିଥିଲେ, ତାହା ପୂର୍ବରୁ ଆଉ କେବେ ତାଙ୍କୁ ମିଳି ନ ଥିଲା। ତାର କାରଣ ଏହା ନ ଥିଲା ଯେ ତାଙ୍କୁ ସାହାଯ୍ୟ କରିବାକୁ ସେମାନେ ଆଗେଇ ଆସିଛନ୍ତି; ଏହାର କାରଣ ଥିଲା ଯେ ସେ କିଛି ଯୋଗ୍ୟ ମଣିଷ ଗଢ଼ି ପାରିଛନ୍ତି।
ଭୁବନେଶ୍ବର
ମୋ: ୯୮୬୧୧୨୪୨୦୨
[email protected]