ପୁଅ ପାଇଁ ବଟିକା ଖାଅ!

ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ

ପୁତ୍ର ଲାଭର ମୋହ; ତହିଁରେ ଅନ୍ଧ ବିଶ୍ବାସର ମସଲା ଏବ˚ ସେଥିରେ ପୁଣି ଟିକିଏ ବିଜ୍ଞାନର ଛୁଙ୍କ ମିଶି ଯେଉଁ ଚମତ୍କାର ତରକାରିଟିଏ ପ୍ରସ୍ତୁତ କରିପାରେ, ତାର ଉଦାହରଣ ଏବେ ଉତ୍ତର ଭାରତରେ ବହୁଳ ଭାବେ ପରିଦୃଷ୍ଟ ହେବାରେ ଲାଗିଛି। କିନ୍ତୁ ସ୍ବୀକାର କରିବାକୁ ହେବ ଯେ ଏକ ବି˚ଶ ଶତାବ୍ଦୀରେ ଅନ୍ୟତମ ବିଶ୍ବ ଶକ୍ତି ଭାବେ ମୁଣ୍ତ ଟେକିବାକୁ ଯାଉଥିବା ଭାରତ ଲାଗି ଏହା ଏକ ଲଜ୍ଜାକର ବିଷୟ।

ଏବେ କଥାଟି ଖୋଲି କୁହାଯାଉ। ମାତୃ ଗର୍ଭରେ ଭ୍ରୂଣର ଲିଙ୍ଗ ପରିବର୍ତ୍ତନ କରିବା ଲାଗି ଏକ ‘ସେକ୍‌ସ ସିଲେକ୍‌ସନ ଡ୍ରଗ୍‌’ ବା ‘ଏସ୍‌ଏସ୍‌ଡି’ ଭାବେ ପରିଚିତ ବଟିକା ବା ପାଉଡରର ଆବିର୍ଭାବ ‘ଗୁପ୍ତ ଭାବେ ଚାଲୁଥିବା ଔଷଧ ବଜାର’ରେ ଏକ ପ୍ରକାର ଝଡ଼ ସୃଷ୍ଟି କରିଛି। ଏହି ଔଷଧକୁ ସକାଳୁ ସକାଳୁ ସ୍ବାମୀର ମୁହଁକୁ ଚାହିଁ କ୍ଷୀର ସହିତ ସେବନ କଲେ ମା’ ଗର୍ଭରେ ଥିବା କନ୍ୟା ସନ୍ତାନ ପୁତ୍ର ସନ୍ତାନରେ ପରିଣତ ହୋଇଯିବ ବୋଲି ବିଶ୍ବାସ ଜନ୍ମାଯାଉଛି। ବିଡ଼ମ୍ବନା ହେଲା, ଏଇ ଉଦ୍ଭଟ କଥାକୁ ଅସ˚ଖ୍ୟ ଶିକ୍ଷିତ ପରିବାର ବିଶ୍ବାସ କରି ତାହା ଖାଇ ଚାଲିଛନ୍ତି। କିନ୍ତୁ, ଏହା ଯୋଗୁଁ ଅଧିକା˚ଶ କ୍ଷେତ୍ରରେ ମାତୃ ଗର୍ଭସ୍ଥ ସନ୍ତାନର ମୃତ୍ୟୁ ହେଉଥିବା ମଧୢ ଜଣାପଡ଼ିଛି। ‘ପେଡ଼ିଆଟ୍ରିକ୍‌ ଏଣ୍ତ ପେରିନାଟାଲ ଏପିଡେମୋଲୋଜି’ ନାମକ ଏକ ପତ୍ରିକା ଦ୍ବାରା କରାଯାଇଥିବା ଏକ ଗବେଷଣାମୂଳକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ ହରିଆଣାରେ ଯେତିକି ମୃତ ଶିଶୁ ଭୂମିଷ୍ଠ ହୋଇଛନ୍ତି ତାର ଏକ ପଞ୍ଚମା˚ଶର କାରଣ ଏଇ ଔଷଧ। ଏହି ଔଷଧର କାରବାର ଉତ୍ତର ଭାରତରେ ବେଶ୍‌ ଅଧିକ। ଭାରତର ଅନ୍ୟାନ୍ୟ ରାଜ୍ୟକୁ ଏହା ବ୍ୟାପିବାର ସମ୍ଭାବନା ମଧୢ ରହିଛି। ହାସପାତାଲ ଧାଈ ବା ଅଟୋ ରିକ୍‌ସା ଚାଳକ ଆଦିଙ୍କ ଜରିଆରେ ଏହି ଔଷଧ କାରବାରର ନେଟ୍‌ଵାର୍କ‌୍‌ କାମ କରୁଛି। ଯେହେତୁ ଲିଙ୍ଗ ନିରୂପଣ ଆମ ଦେଶରେ ବେଆଇନ, ଏ କାରବାର ଅତ୍ୟନ୍ତ ଗୋପନୀୟତାର ସହିତ ଚାଲିଛି। ଚିକିତ୍ସକମାନେ କହିଛନ୍ତି ଯେ ‘ଫାଇଟୋ ଏଷ୍ଟ୍ରାକ୍ରେନ୍‌’ ନାମକ ଏକ ରାସାୟନିକ ଦ୍ରବ୍ୟ ଏହି ‘ଏସ୍‌ଏସ୍‌ଡି’ର ମୁଖ୍ୟ ଉପାଦାନ, ଯାହା ଏଷ୍ଟ୍ରୋଜେନ୍‌ ହରମୋନ ଭଳି ଏକ ଦ୍ରବ୍ୟ।

ଏ ପ୍ରକରଣରେ ପ୍ରଥମ ବିଡ଼ମ୍ବନା ତ ହେଲା ଅନେକ ଶିକ୍ଷିତ ପରିବାର ଏ ପ୍ରକାର ଅବାନ୍ତର ଧାରଣା ଓ ଔଷଧର ଗ୍ରାହକ। ପୁଣି ଆମ ଦେଶରେ ମା’ଟିଏ ପୁତ୍ର ସନ୍ତାନ ଜନ୍ମ କଲେ କେବଳ ସେ ଯେ ପୁତ୍ରବତୀ ମା’ର ଆଖ୍ୟା ପାଇ ଗୌରବ ଲାଭ କରିଥାଏ, ତାହା ନୁହେଁ, ତା ପତି ମଧୢ ନିଜେ ଜଣେ ପୁରୁଷପୁଙ୍ଗବ ବୋଲି ନିଜକୁ ସାବ୍ୟସ୍ତ କରିପାରିଥାଏ। ଏହା ହେଉଛି ଦ୍ବିତୀୟ ବିଡ଼ମ୍ବନା।

ଗର୍ଭସ୍ଥ ଶିଶୁଟି ପୁଅ ହେବ କି ଝିଅ; ଏହା ପଛରେ ରହିଛି ଜିନ୍‌ଗତ କାରଣ ଓ ଅଦୃଷ୍ଟର ହାତ। କିନ୍ତୁ ମାତ୍ରାତିରିକ୍ତ ପୁତ୍ର ମୋହର ସୁଯୋଗ ନେଇ ଅନେକ ଭ୍ରାନ୍ତ ଧାରଣା ଜାତ କରାଯାଉଛି ଓ ଅନେକ ତହିଁର ଶିକାର ମଧୢ ହେଉଛନ୍ତି। ଆଜି ଯେତେବେଳେ ସବୁ କ୍ଷେତ୍ରରେ ଝିଅମାନେ ପୁଅମାନଙ୍କ ସହିତ ତାଳ ଦେଇ ଚାଲୁଛନ୍ତି, ସେତିକି ବେଳେ ଶିକ୍ଷିତ ବର୍ଗ ମଧୢରେ ବି ଅହେତୁକ ଓ ମାତ୍ରାତିରିକ୍ତ ପୁତ୍ରମୋହ ଏକ ଅବା˚ଛିତ ଦୁର୍ବଳତା। ଏଥରୁ ସମସ୍ତେ ଯେତେ ଶୀଘ୍ର ମୁକ୍ତି ପାଇବେ ସେତେ ଭଲ।

ସହଯୋଗୀ ପ୍ରଫେସର,
ଶିଶୁ ଭବନ, କଟକ,
ମୋ: ୯୪୩୭୧୨୪୦୭୪

ସମ୍ବନ୍ଧିତ ଖବର