ଆୟ କର ବ୍ୟବସ୍ଥାର କ୍ରମ ବିବର୍ତ୍ତନ

ଶରତ ଦାଶ

ଦେଶ ପାଇଁ ରାଜସ୍ବ ଆଦାୟ କ୍ଷେତ୍ରରେ ଆୟକର ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭାରତରେ ପ୍ରଥମ ଆୟକର ଆଇନ ୧୮୬୦ ମସିହାରେ ବ୍ରିଟିସ ଶାସନାଧୀନ ଭାରତରେ ପ୍ରଣୀତ ହୋଇଥିଲା। ଏହି ଆଇନ ବଳରେ ସୃଷ୍ଟ କର୍ତ୍ତୃପକ୍ଷ ସେହି ବର୍ଷ ଜୁଲାଇ ୨୪ ତାରିଖରୁ କାର୍ଯ୍ୟାରମ୍ଭ କରିଥିଲେ। ସେହି କାରଣରୁ ୨୦୧୦ ମସିହାରୁ ଜୁଲାଇ ୨୪ ତାରିଖକୁ ସାରା ଭାରତରେ ଆୟକର ଦିବସ ରୂପେ ପାଳନ କରାଯାଉଛି।

ଦେଶର ସମ୍ବଳ ସଂଗ୍ରହ କରିବାରେ ଆୟକର ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗତ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ଆୟକର ବିଭାଗ ଭାରତ ସରକାରଙ୍କ ମୋଟ ସମ୍ବଳ ସଂଗ୍ରହର ୩୬% ସଂଗ୍ରହ କରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଟଙ୍କାର ହିସାବରେ ଏହା ପ୍ରାୟ ୧୩,୧୯,୦୦୦ କୋଟି ଟଙ୍କା। ଏହା କେନ୍ଦ୍ର ସରକାରଙ୍କ ସମୁଦାୟ କର ସଂଗ୍ରହ ଲକ୍ଷ୍ୟର ୬୫%ରୁ ଅଧିକ। ଆୟକର ବିଭାଗ କେବଳ ଆୟକର ନୁହେଁ, ସମସ୍ତ ପ୍ରତ୍ୟକ୍ଷ କର ଆଇନ ଯଥା ସମ୍ପତ୍ତି କର, ବ୍ୟୟକର ଆଇନ ଇତ୍ୟାଦି ପରିଚାଳନା କରିଥାଏ ଓ ସେସବୁ କର ମଧ୍ୟ ସଂଗ୍ରହ କରିଥାଏ। ଏତଦ୍‌ବ୍ୟତୀତ କଳା ଟଙ୍କା ଆଇନ ୨୦୧୫ ଓ ବେନାମୀ କାରବାର ନିରୋଧ ଆଇନ ୧୯୮୮ର ଲାଗୁ କରିବା ଦାୟିତ୍ବ ମଧ୍ୟ ଆୟକର ବିଭାଗ ଉପରେ ନ୍ୟସ୍ତ। ଏବେ ଆମ ଦେଶରେ ଯେଉଁ ଆୟକର ଆଇନ ଚାଲିଛି ତାହା ୧୯୬୧ ମସିହାରେ ପ୍ରବର୍ତ୍ତନ କରାଯାଇଥିଲା। ବର୍ଷ ବର୍ଷ ଧରି ଏହି ଆଇନରେ ଅସଂଖ୍ୟ ପରିବର୍ତ୍ତନ ଓ ସଂଶୋଧନ କରାଯାଇଛି। ଫଳରେ ଏହି ଆଇନର କଳେବର ଓ ଜଟିଳତା ଅତ୍ୟଧିକ ବୃଦ୍ଧି ପାଇଛି। ଏଣୁ ବିଭିନ୍ନ ସମୟରେ ଏହାର ସରଳୀକରଣ ପାଇଁ ଉଦ୍ୟମ ହୋଇଛି।

ବର୍ଷକୁ ବର୍ଷ ଆୟକର ସଂଗ୍ରହ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଏହା ଏକ ଶୁଭ ଲକ୍ଷଣ। ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ଆମ ଦେଶରେ ମୋଟ ପ୍ରତ୍ୟକ୍ଷ କର ସଂଗ୍ରହର ପରିମାଣ ୧୨,୩୩,୭୨୦ କୋଟି ଟଙ୍କା ହୋଇଛି। ଅବଶ୍ୟ ଗତ ବର୍ଷ ତାର ପୂର୍ବ ବର୍ଷ ତୁଳନାରେ ବିଭିନ୍ନ କାରଣରୁ କର ସଂଗ୍ରହ ପରିମାଣ କମିଯାଇଛି। ଫଳରେ ବଜେଟ୍ ଲକ୍ଷ୍ୟ ହାସଲ ସମ୍ଭବପର ହୋଇନାହିଁ। ପୂର୍ବ ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି ସଂଗ୍ରହ ପରିମାଣ ଥିଲା ୧୧,୧୭,୦୦୦ କୋଟି ଟଙ୍କା। ଇତି ମଧ୍ୟରେ ଦେଶରେ ଆୟକରଦାତା ବା ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ମଧ୍ୟ ବହୁ ଗୁଣରେ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ପ୍ରାୟ ୫ କୋଟି ୬୫ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହୋଇଥିଲା। ଏବେ ଭାରତରେ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୪%ରୁ ସାମାନ୍ୟ ଅଧିକ। କିଛି ବର୍ଷ ପୂର୍ବେ ଏହା ୨%ରୁ ମଧ୍ୟ କମ ଥିଲା। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ଓ ଆୟକର ସଂଗ୍ରହ ପରିମାଣରେ ଉଲ୍ଲେଖଯୋଗ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଏବେ ଆମ ରାଜ୍ୟରେ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ୧୩ ଲକ୍ଷରୁ ଅଧିକ। ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ଓଡ଼ିଶାରୁ ସଂଗୃହୀତ ଆୟକରର ପରିମାଣ ୧୩,୪୧୩ କୋଟି ଟଙ୍କା। ଆର୍ଥିକ ବର୍ଷ ୨୦୧୮-୧୯ରେ ଓଡ଼ିଶାରୁ ୧୩,୧୦୪ କୋଟି ଟଙ୍କାର ଆୟକର ସଂଗ୍ରହ ହୋଇଥିଲା।

ବିଗତ ଦଶ ବର୍ଷ ମଧ୍ୟରେ ଆୟକର ବିଭାଗରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଆୟକର ପ୍ରଦାନ ଓ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଆୟକର ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସଂପୂର୍ଣ୍ଣ ରୂପେ କମ୍ପ୍ୟୁଟର୍‌କରଣ କରାଯାଇଛି। ଏହି ଦାଖଲ ପ୍ରଣାଳୀରେ ଜଣେ କରାଦାତା ନିଜ ଘରେ ବସି ଇଣ୍ଟରନେଟ୍ ଜରିଆରେ ପୃଥିବୀର ଯେ କୌଣସି ପ୍ରାନ୍ତରୁ ଆୟକର ରିଟର୍ଣ୍ଣ ଦାଖଲ କରି ପାରିବ। ଏବେ ଉଭୟ ଆୟକର ରିଟର୍ଣ୍ଣ ଓ ଆୟକର ଟିଡିଏସ ରିଟର୍ଣ୍ଣ ପାଇଁ ଇଲେକ୍ଟ୍ରୋନିକ୍‌ ଦାଖଲ ବ୍ୟବସ୍ଥା ବା ଇ-ଫାଇଲିଂ ବାଧ୍ୟତାମୂଳକ। ଇ-ଫାଇଲିଂ ସହିତ ଇ-ଆସେସମେଣ୍ଟ ପ୍ରଣାଳୀ ମଧ୍ୟ ଗତ କିଛି ବର୍ଷ ହେଲା ପ୍ରବର୍ତ୍ତନ କରାଯାଇଛି। ଏହା ଦ୍ବାରା ସବୁ କାମ ଇଣ୍ଟରନେଟ ଜରିଆରେ କରାଯାଇପାରୁଛି। ଆୟକର ବିଭାଗର ପ୍ରାୟ ସବୁ ପ୍ରକ୍ରିୟା ଓ ପ୍ରଣାଳୀକୁ କମ୍ପ୍ୟୁଟର୍‌କରଣ କରାଗଲାଣି। ଏହା ଫଳରେ ଉଭୟ ଆୟକର ବିଭାଗ ଓ କରଦାତାଙ୍କୁ ବହୁତ ସୁବିଧା ହେଉଛି। ତା’ ଛଡ଼ା ବିଭାଗର କାର୍ଯ୍ୟରେ ପ୍ରଭୂତ ସ୍ବଚ୍ଛତା ଆସିଛି।

କରଦାତାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଆୟକର ସହାୟତା କେନ୍ଦ୍ରମାନ ଖୋଲାଯାଇଛି। କରଦାତା ଆୟକର ଅଧିକାରୀ ବା କର୍ମଚାରୀଙ୍କୁ ନ ଭେଟି ଏହି କେନ୍ଦ୍ରରେ ନିଜର ସମସ୍ତ ଅନୁରୋଧ ଓ ଅଭିଯୋଗ ପ୍ରଦାନ କରିପାରିବେ। ଏହାକୁ ‘ଇ ନିର୍ବାଣ’ ଯୋଜନା କୁହାଯାଉଛି।

ଅତୀତରେ ଆୟକରଦାତାଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ସମ୍ମାନ ଯୋଜନା’ ପ୍ରଣୀତ ହୋଇଥିଲା। ଏବେ ବି କରଦାତାଙ୍କୁ ବିଭିନ୍ନ ପ୍ରକାର ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ମାନିତ କରାଯାଉଛି। ଭାରତ ଭଳି ଏକ ଗଣତାନ୍ତ୍ରିକ ଜନମଙ୍ଗଳକର ରାଷ୍ଟ୍ର ପାଇଁ ଅର୍ଥ ସମ୍ବଳର ବିଶେଷ ଆବଶ୍ୟକତା ରହିଛି। ଅର୍ଥଶାସ୍ତ୍ରର ରଚୟିତା କୌଟିଲ୍ୟ କହିଥିଲେ ଯେ ଶାସନ କଳର ବା ସରକାରର ଭିତ୍ତି ହେଉଛି ଏହାର ଟିକସ ଅର୍ଥ ବ୍ୟବସ୍ଥା। ଟିକସ ବା କର ହେଉଛି ଏକ ସଭ୍ୟ ସମାଜ ଗଠନରେ ଆମର ଆର୍ଥିକ ଯୋଗଦାନ।
(ଆୟକର ଦିବସ ଉପଲକ୍ଷେ)

ପୂର୍ବତନ ଆୟକର ପ୍ରଧାନ ଆୟୁକ୍ତ, ଭୁବନେଶ୍ୱର

ସମ୍ବନ୍ଧିତ ଖବର