କରୋନା ଏକ ପାଠ୍ୟକ୍ରମ

କହିବାର ଅଛି - ଦାଶ ବେନହୁର

ଏବେ କରୋନା-ଭୂତାଣୁ ସମସ୍ୟା, ଏକ ବିଶ୍ବ-ବ୍ୟାପୀ ଘଟଣା।

ଆମେ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦ ବ୍ୟବହାର କରୁ, ‘‘ଭବିତବ୍ୟ’’। ଯାହା ଘଟିବାର ଅଛି ତାହା ନିଶ୍ଚୟ ଘଟିବ। ଯେ କୌଣସି ଅବଶ୍ୟମ୍ଭାବୀ ବା ଅନିବାର୍ଯ୍ୟ ଘଟଣାକୁ ଭବିତବ୍ୟ କହି ଆମେ ଚୁପ୍‌ ହୋଇଯାଉ। ‘‘ତାହା ତ ଘଟିବାର ଥିଲା ଆମେ ଆଉ କ’ଣ କରିପାରିଥାନ୍ତୁ?’’ ଏ ଭଳି କହିବା ଲୋକ ଭାଗ୍ୟ ଉପରେ ଭରସା କରି ସାରା ଜୀବନ ନିଶ୍ଚେଷ୍ଟ ହୋଇ ରହିଯାଆନ୍ତି। ଜୀବନର ଚରମ ଦୁଃଖକୁ ସାମନା କଲାବେଳେ ସୁଦ୍ଧା ତା’ର କାରଣ ନ ଖୋଜି, ପ୍ରତିକାର ନ ଲୋଡ଼ି ଏହା ହିଁ ହେବାର ଥିଲା ବୋଲି କହି କାନମୁଣ୍ତ ଆଉଁସି ରହନ୍ତି। ପୁରୁଖାଲୋକେ କେହି କିଛି ସମସ୍ୟାର ପ୍ରତିକାର ଲୋଡ଼ିଲେ, ଉପଦେଶ ଦିଅନ୍ତି- ‘‘କାହିଁକି ସେଥିରେ ଲାଗିଛ, ଯାହା ହେବାର ଥିଲା ତାହା ହିଁ ହେଉଛି। ତୁମେ ଯେତେ ଲାଗିଲେ ସେ ଧାରାକୁ ବଦଳାଇ ପାରିବ ନାହିଁ।’’

ପ୍ରକୃତରେ କିଛି କାରଣ ନ ଥାଇ କ’ଣ କିଛି ଘଟେ? ପ୍ରତିଟି କଥା ଏ ସ˚ସାରରେ ଯେ କାର୍ଯ୍ୟ-କାରଣ ସମ୍ବନ୍ଧିତ ତାହା ନ ବୁଝିବା ଯାଏ ମଣିଷ ଅନ୍ଧବିଶ୍ବାସୀ ହୋଇ ରହିବାକୁ ବାଧୢ।
ଜ୍ଞାନର ମୂଳ ହେଉଛି ଅନ୍ବେଷା। ନ ଖୋଜିଲେ କିଛି ମିଳେ ନାହିଁ। ତେବେ ବିନା ଖୋଜାରେ ଯେ କିଛି ପ୍ରାପ୍ତି ହୁଏନାହିଁ ସେ କଥା ବି ନୁହେଁ। ତାହା କିନ୍ତୁ ଅସାମାନ୍ୟ ଓ ଦୁର୍ଲଭ। କିଛି ପାଠ ନ ପଢ଼ି ପ୍ରଜ୍ଞାଲୋକରେ ଉଦ୍‌ଭାସିତ ବିଭୂତିମାନଙ୍କର ସ˚ଖ୍ୟା ବିଶେଷ କରି ଭାରତବର୍ଷରେ ଆଙ୍ଗୁଠି ଗଣତି ନିଶ୍ଚୟ। ସେ ଭଳି କଥାକୁ ଆମେ କହୁ ଅଲୌକିକ। ପ୍ରକୃତରେ ଯାହାକୁ ମଣିଷର ସାଧାରଣ ବୁଦ୍ଧି ବୁଝାଇ ନ ପାରେ ତାହାକୁ ଅଲୌକିକ କହି ଗ୍ରହଣ କରିନିଏ। ଯେତେବେଳେ ସେ ବୁଝିଯାଏ ଯେ ଏଇ କାରଣରୁ ଏହା ଏପରି ହେଉଥିଲା, ସେତେବେଳେ ଆଉ ଅଲୌକିକ ବୋଲି କହେ ନାଇଁ। ଅତୀତରେ ହଇଜା, ବସନ୍ତ ଭଳି କେତେ କେତେ ବ୍ୟାଧିକୁ ଠାକୁରାଣୀ ନାଁ ଦେଇ ଗାଆଁ ଗହଳରେ ପୂଜାପାର୍ବଣ ହେଉଥିଲା। ସେତେବେଳେ ପ୍ରତିଟି ଗାଁ ମୁଣ୍ତରେ ବରଗଛ ମୂଳେ ମାଟି ଘୋଡ଼ା ଓ ପଣାହାଣ୍ତିର ସ˚ଖ୍ୟା ଅବିଶ୍ବସନୀୟ ଭାବେ ବଢ଼ିଯାଏ। ମାଆ ସନ୍ତୁଷ୍ଟ ହେଲେ ଏ ରୋଗ ଚାଲିଯିବ। ଏବେ ମଧୢ ଏ ଭଳି ବିଶ୍ବାସ ଲଟକି ରହିଛି ଅନେକ ଅଞ୍ଚଳରେ।

ଏଇଠି ଗୋଟାଏ ବିଚାର ସ˚ଘର୍ଷ। ଗୋଟେ ପଟେ ‘‘ଭବିତବ୍ୟ’’- ଘଟିବାର ଥିଲା ତେଣୁ ଘଟୁଛି ଏବ˚ ଅନ୍ୟପଟେ ‘ଅଲୌକିକତା’’- ଠାକୁରାଣୀ ମାଆ ଭଲ କରିଦେବ। ତେବେ ମୂଳରୁ ବୁଝିଯିବା ଆବଶ୍ୟକ ଯେ ହୁଏତ ଆମେ କାରଣଟି ଜାଣିପାରୁନାହୁଁ ବୋଲି ତାହାକୁ ଭବିତବ୍ୟ ଓ ଅଲୌକିକ ନାଆଁ ଦେଉଛୁ। ଯେତେବେଳେ କାରଣ ଜାଣି ଆମେ ତା’ର ସମାଧାନ ପାଇଯିବୁ, ଆଉ ତାକୁ ଅଲୌକିକ କହିବୁ ନାହିଁ। ହେଲେ କେହି କେହି ହୁଏତ ପୁଣି କହିପାରନ୍ତି- ‘‘ମୁଁ ଜାଣେ, ଏହା ହିଁ ହେବାର ଥିଲା!!’’

ଏବେ କେହି କେହି କରୋନା-ଭୂତାଣୁ ସ˚କ୍ରମଣକୁ ‘‘ଭବିତବ୍ୟ’’ ଓ ‘‘ଅଲୌକିକ’’ ବୋଲି କହିବା ଆରମ୍ଭ କଲେଣି।

ରୋଗ ବ୍ୟାଧି ପ୍ରାଣୀଜଗତ୍‌ ପାଇଁ କିଛି ନୂଆ କଥା ନୁହେଁ। ମହାମାରୀ, ଅତିମାରୀ, ବିଶ୍ବମାରୀ ଭଳି ବ୍ୟାଧି ‘କରୋନା’ ଯେ ଆଜି ପ୍ରଥମ କରି ସାରା ମଣିଷ ଜାତିକୁ ଦୋହଲାଇ ଦେଇଛି ସେ କଥା ନୁହେଁ। ପ୍ଲେଗ୍‌, ହଇଜା, ବସନ୍ତ ଭଳି ରୋଗମାନେ ବହୁ ପୁରୁଣା। ତା’ସହିତ ପୋଲିଓ, ମ୍ୟାଲେରିଆ, ଫାଇଲେରିଆ। ଏବେ ତ ଦେଶ ଦେଶରେ ଉଚ୍ଚରକ୍ତଚାପ, ମଧୁମେହ, ଏଡ୍‌ସ ଓ କର୍କଟ ରୋଗ। ମାତ୍ର ପ୍ଲେଗ୍‌, ହଇଜା ଓ ବସନ୍ତ ଭଳି ଏମାନଙ୍କର ସ˚କ୍ରମଣ ପାଣି ପବନକୁ ଆଧାର କରି ଚାଲେ ନାହିଁ। ସେ ସବୁର କାରଣ ଥରେ ଜାଣିଲା ପରେ ମଣିଷ ତା’ର ନିରାକରଣ ଓ ନିରୋଧନର ପନ୍ଥା ବାହାର କରିସାରିଛି। ସ୍ପାନିସ୍‌ ଫ୍ଲୁ, ବାର୍ଡ ଫ୍ଲୁ, ଏଚ୍‌ଵାନ୍‌ଏନ୍‌ଵାନ୍‌ ଇତ୍ୟାଦି ଇତ୍ୟାଦି।

ଅନ୍ୟ କେତେକ ସୀମିତ କାରଣକୁ ଛାଡ଼ିଦେଲେ ଏ ମହାମାରୀ ବା ବିଶ୍ବମାରୀ ରୋଗଗୁଡ଼ିକ ମୂଳତଃ ଜୀବାଣୁ, ବୀଜାଣୁ ବା ଭୂତାଣୁ ଦ୍ବାରା ସ˚କ୍ରମିତ। ପଶୁପକ୍ଷୀ, ଗଛଲତାଙ୍କ ଭଳି ଏ ସମସ୍ତେ ପ୍ରାଣୀ। ସମସ୍ତଙ୍କର ପ୍ରାଣ ଅଛି। ଚଳମାନତା ବା କ୍ରିୟାଶୀଳତା ଯାହା ଭିତରେ ଅଛି ତାହାକୁ ଆମେ ପ୍ରାଣବନ୍ତ ବୋଲି ସ୍ବୀକାର କରିବା। ତେଣୁ ସାଧୁମାନେ କାଠ, ପଥର, ଧୂଳି, ମାଟି, ପାଣି ଏପରିକି ଶୁଖିଲା ପତ୍ରକୁ ପ୍ରାଣବନ୍ତ ବୋଲି ଗ୍ରହଣ କରିଛନ୍ତି। କାରଣ ସେ ସବୁ ଭିତରେ କ୍ରିୟାଶୀଳତା ବିଦ୍ୟମାନ।

ଗଛଲତା ଯେମିତି ବଞ୍ଚିବା ପାଇଁ ଆସ୍ଥାନ ଖୋଜନ୍ତି ସେମିତି ସବୁ ପ୍ରାଣୀ। ଗଛଟିଏ କି ଲତାଟିଏ ଶୂନ୍ୟରେ ଗଜୁରିବ ନାହିଁ। ମଣିଷଟିଏ ଶୂନ୍ୟରେ ସୃଷ୍ଟି ହେବ ନାହିଁ। ପ୍ରତିଟି ପ୍ରାଣୀ ଆସ୍ଥାନ ବା ଆଧାର ଖୋଜିବାକୁ ବାଧୢ। ସେମିତି ଏ ଜୀବାଣୁ, ବୀଜାଣୁ ଓ ଭୂତାଣୁ, ଗୋଟିଏ ଗୋଟିଏ ଆଧାରକୁ ଧରି ରହନ୍ତି ଓ ବ˚ଶବୃଦ୍ଧି କରନ୍ତି। ପ୍ରକୃତି ତା’ର ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ସୃଷ୍ଟି ଆରମ୍ଭରୁ ଭିନ୍ନ ଭିନ୍ନ ସ୍ବାଭାବିକ ଆଧାର ତିଆରି କରିଛି। ଗଛ ମାଟିରେ ବଢ଼ିବ, ମାଛ ପାଣିରେ ବଞ୍ଚିବ, ଭୂତାଣୁ ତା’ର ଅତିଥି-ଜୀବକୋଷକୁ ଧରି ରହିବ। ଚଢ଼େଇମାନେ ଗଛଲତାରେ ଆଶ୍ରୟ ନେବେ। ମଣିଷ ପାଇଁ ମାଟି, ପାଣି, ଗଛ, ପାହାଡ଼, ସବୁ ମେଲା। କେବଳ ଏତିକି, ସେ ଅନ୍ୟ ଜୀବକୋଷ ଭିତରେ ରହେନାହିଁ। ହେଲେ ଏବେ ଦେଖାଗଲାଣି ସେ ପ୍ରାଣୀଜଗତ୍‌ର ସମସ୍ତ ଜୀବକୋଷକୁ ନିଜ ବଞ୍ଚିବାର ଆଧାର କରିସାରିଲାଣି। ପାଣି, ପବନ, ଗଛଲତା, ପଶୁ, ପକ୍ଷୀ, ମାଟି, କୀଟ, ପତଙ୍ଗ ସେ ସବୁ ଖାଇବ। ଜୀବାଣୁ, ବୀଜାଣୁ ଓ ଭୂତାଣୁଙ୍କର ଆଶ୍ରୟସ୍ଥଳଗୁଡ଼ିକୁ ଆଣି ନିଜ ଉଦର ଭରି କରିବ। ଅତଏବ ସ୍ବାଭାବିକ ଯେ ସେମାନେ ମଣିଷ ଭିତରକୁ ଆସିବେ। ଯେଉଁ ଦେହଟି ତା’କୁ ସହିପାରିଲା ସେ ବଞ୍ଚିଲା, ଯେ ସହି ନ ପାରିଲା ସେ ମଲା।

ଗଛ ନାଇଁ ମାଟି ନାହିଁ। ସୁବଆଡ଼େ କ˚କ୍ରିଟ୍‌, କୋଠାଘର। କିଛି ନାଇଁ, କେବଳ ହସ୍ତକ୍ଷେପ ନ କରି ଗୋଟିଏ ସିମେଣ୍ଟ-ଗଢ଼ା-ସହରକୁ ମାତ୍ର କେତେବର୍ଷ ଲାଗି ଛାଡ଼ି ଦିଆଯାଉ। କେତେଟା ବର୍ଷ ପରେ ଦେଖାଯିବ ସେଠାରେ ପ୍ରକୃତି ବିରାଜମାନ କରୁଛି। ସବୁଆଡ଼େ ଗଛଲତା। କେତେ ସୂକ୍ଷ୍ମରେ ଆସି ବୃକ୍ଷଲତା, କୀଟପତଙ୍ଗ, ଜୀବଜନ୍ତୁ ଘର କରି ଅଛନ୍ତି। ଜଙ୍ଗଲ ହିଁ ଜଙ୍ଗଲ। କୋଠାଘରର ଛାତି ଚିରି ଠିଆ ହୋଇଛନ୍ତି ମହା-ବନସ୍ପତିମାନ। ଏ ସମସ୍ତେ ପ୍ରକୃତି ଅନୁକୂଳ, କେବଳ ମଣିଷକୁ ଛାଡ଼ି। ମଣିଷ ଛଡ଼ା ଆଉ କେହି ପ୍ରକୃତି-ପ୍ରତିକୂଳ କାର୍ଯ୍ୟ କରନ୍ତି ନାହିଁ। ଏପରିକି ଏ ସମସ୍ତ ଜୀବାଣୁ, ବୀଜାଣୁ, ଭୂତାଣୁ। ସ୍ବାଭାବିକ ଘର ଭାଙ୍ଗିଦେଲେ ସେମାନେ ମଣିଷର ଘର ଭାଙ୍ଗିବେ ହିଁ ଭାଙ୍ଗିବେ। ଏଥିରେ ଅଲୌକିକତା କ’ଣ ଅଛି?

ଯେଉଁଠି ଡେଙ୍ଗା ଗଛ ଥିଲା ସେଠି ଏବେ କୋଠାଘର। ଶୁୁଆମାନେ ଘର କରିବେ କେଉଁଠି? ଅତଏବ ଇଟା ଖୋପମାନଙ୍କରେ ଏବେ ଶହ ଶହ ଶୁଆବସା। ଚାଳଛପର ନାହିଁ। ଘର ଚଟିଆମାନେ କ୍ର˚କ୍ରିଟ୍‌ ଘରର ଖୋପ ଖୋଜୁଛନ୍ତି ବସା କରିବା ପାଇଁ। ଗଛବୃଚ୍ଛ ହଟିଯିବାରୁ ଏବେ ଟେଲିଫୋନ୍‌ ଖୁଣ୍ଟରେ, ବିଦ୍ୟୁତ୍‌ ଟାଵାର‌୍‌ରେ, ଚିମ୍‌ନିରେ, ବତିଖୁଣ୍ଟରେ ଚଢ଼େଇ ବସା। ଇଲେକ୍‌ଟ୍ରିକ୍‌ ତାରରେ ସୁଦ୍ଧା ବାଇଚଢ଼େଇମାନେ ଝୁଲେଇ ଦେଉଛନ୍ତି ତାଙ୍କର କଳା କାରିଗରୀରେ ଭରା ନିବାସ-କଲୋନିକୁ।

ମଣିଷ କ’ଣ ଦେଖୁନି? ତଥାପି କହୁଛି ଭବିତବ୍ୟ, ଅଲୌକିକ। ହେବାର ଥିଲା। ଆହା! କେଡ଼େ ଅସାଧାରଣ! ଏ ଆଖି କେବେ ଦେଖି ନ ଥିଲା!

ଅବିବେକୀ ମଣିଷ। ବିଶ୍ବବ୍ୟାପୀ ମଣିଷ। ଯେ ନିଜ ନିୟନ୍ତ୍ରଣରେ ନାହିଁ ସେ ଅନ୍ୟକୁ ନିୟନ୍ତ୍ରିତ କରିବ କେମିତି? କାଳେ କାଳେ ପ୍ରକୃତି ମଣିଷକୁ ଚେତେଇଦେବା ପାଇଁ ନିଜ ମୁହଁରେ କଳା ବୋଳେ, ଆପଣାକୁ ବିକଳାଙ୍ଗ କରେ, ଝଡ଼ କରେ, ବାତ୍ୟା କରେ, ଭୂମିକମ୍ପ ଆଣେ, ମହାମାରୀ ଭିଆଏ। ପ୍ରତିଟି କଥାର କାରଣ ଅଛି। ଆଣବିକ ବିସ୍ଫୋରଣ, ଅତ୍ୟଧିକ ଅଙ୍ଗାରକାମ୍ଳ ସୃଷ୍ଟି, ଜଙ୍ଗଲ କ୍ଷୟ, ଅବିଚାରିତ ଜୀବଜନ୍ତୁ ସ˚ହାର। କ୍ଷୟ କ୍ଷୟ କ୍ଷୟ। ଏ କ୍ଷୟର ଭରଣା କେମିତି ହେବ? ଜଗତ୍‌ବ୍ୟାପୀ ‘‘ମୁଁ, ଆମର’’ ଓ ‘‘ସେ, ସେମାନେ’’ କହି ଗାର ପକାଉଥିବା ଯୁଦ୍ଧ˚ଦେହି ମଣିଷମାନଙ୍କର ଅଦଉତି ସମାପିତ ହେବ କେମିତି?

ଅନ୍ୟର ବସା ଭାଙ୍ଗିଲେ, ନିଜ ବସାଟି ଭାଙ୍ଗିଯାଇପାରେ ଏ ଭାବନା ଆମର ନାହିଁ କାହିଁକି? ଜୀବମଣ୍ତଳରେ ପ୍ରତ୍ୟେକଟି ଜୀବ ଆଉ ଗୋଟିଏ ଜୀବ ସହିତ ଯୋଡ଼ା। କାହାର ଅନଧିକାରକୁ ପ୍ରକୃତି ସହିପାରେନା।

ଏ ଯେ କରୋନା-ଭୂତାଣୁ ଆସିଛି, ଏ କ’ଣ ସେ କୋଭିଡ-୧୯ ଭୂତାଣୁର ଅନଧିକାର? ଏହା କ’ଣ ହେବାର ଥିଲା, ତେଣୁ ହେଉଛି? ଏହା କ’ଣ ଅଲୌକିକ? ନା। ଜୀବମଣ୍ତଳର ଅସନ୍ତୁଳନ ଏଥିପାଇଁ ଦାୟୀ ବୋଲି ଗବେଷକମାନେ କହିବା ଆରମ୍ଭ କଲେଣି। ଗୋଟିଏ ଯୁକ୍ତି ଯେ ଏହାକୁ ପରୀକ୍ଷାଗାରରେ ପ୍ରସ୍ତୁତ କରି ବାହାରକୁ ଛଡ଼ାଯାଇଛି। ଯଦି ତାହା ବି ସତ୍ୟ ହୁଏ ତେବେ ସେ ଭଳି କାର୍ଯ୍ୟଟିକୁ ଆମେ ଭୂତାଣୁର ଅନଧିକାର କହିବା ନା ମଣିଷର ଅନଧିକାର? ଯାହାର କାରଣ ଆମ ଆଖି ଆଗରେ ଜଳ ଜଳ ହୋଇ ଦେଖାଯାଉଛି ତାହାକୁ ଆମେ ଅଲୌକିକ ବୋଲି କହିବା କେମିତି? କାଲି କେହି ‘‘କରୋନା ଠାକୁରାଣୀ’’ କହି ମନ୍ଦିରଟିଏ ଗଢ଼େଇଲେ ବା ଘଣ୍ଟଘଣ୍ଟା ବାଡ଼େଇ, ଅଖଣ୍ତ ଘିଅ ଦୀପ ଜାଳିଲେ ତାହା ହିଁ ହେବ ଅଲୌକିକ-ଅନ୍ଧବିଶ୍ବାସ। ତୃତୀୟ କଥାଟି ଯେ, ଏହା ହେବାର ଥିଲା। ନା, ଏହା ହେବାର ନ ଥିଲା। ଯଦି ହେବାର ଥିଲା ଓ ହେବାର ଅଛି ତେବେ କେତେଗୋଟି ଦେଶ ଏହାର ନିୟନ୍ତ୍ରଣରେ ସଫଳ କେମିତି?

ନଦୀମାନଙ୍କୁ ଏକାଠି ଯୋଡ଼ିବାର ପ୍ରୟାସ ଭଳି ବିଶ୍ବର ପ୍ରତିଟି ଦେଶ ଏବେ ପରସ୍ପର ସହତ ବିମାନପଥରେ ଯୋଡ଼ା। ଏ ଦେଶର ମଣିଷ ମାତ୍ର କେଇ ଘଡ଼ି ଭିତରେ ଯାଇ ଅନ୍ୟ ଦେଶରେ ଉପସ୍ଥିତ। ବିଶ୍ବ ପର୍ଯ୍ୟଟନ ଓ ଆଖି-ସୁଖ ସନ୍ଧାନରେ ଆଧୁନିକ ମଣିଷ ଏବେ ପ୍ରମତ୍ତ। ପର୍ଯ୍ୟଟନ ଶିଳ୍ପ ତ କେତେକ ଦେଶର ମୂଳଦୁଆ ପାଲଟିଛି! ଜରୁରୀ କାର୍ଯ୍ୟରେ ଯେତେ ଲୋକ ବିମାନଯାତ୍ରା କରନ୍ତି, ତା’ଠାରୁ ଅନେକ ଗୁଣରେ ଅଧିକ ଏ ଆଖି ସୁଖ-ଯାତ୍ରୀ। ଏ ପରିକି ବିଶ୍ବ-ଆତଙ୍କବାଦର ପ୍ରଚ୍ଛନ୍ନ ଓ ସହଜ ପ୍ରୋତ୍ସାହନ ପାଲଟିଛି ଏ ବିମାନ ପଥ। ତା’ସହିତ ଏ ରୋଗ ସ˚କ୍ରମଣ।

ମଣିଷ ସମାଜକୁ କରୋନା ଆସିଛି ଏକ ପାଠ୍ୟକ୍ରମ ହୋଇ। ସ୍କୁଲ ପାଠ ପଢ଼ୁଥିବା ପିଲାମାନଙ୍କଠାରୁ ଆରମ୍ଭ କରି ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯେ କରୋନା ଭୂତାଣୁ ସହିତ ଅପରିଚିତ ସେ କଥା ନୁହେଁ। ସେ ଭୂତାଣୁ ଆଗରୁ ଥିଲା, ରହିଛି ଓ ରହିବ ମଧୢ। ଏହା କିନ୍ତୁ ଏବେ ବେଶ ବଦଳେଇ ଆସିଛି। ତେଣୁ କୁହାଯାଉଛି ନଭେଲ-କୋଭିଡ୍‌-୧୯ ଭୂତାଣୁ। ପୁରାଣମାନଙ୍କରେ ରକ୍ତ କଣିକାରୁ ରକ୍ତବୀଜା ଅସୁର ସୃଷ୍ଟି ହୋଇ ଶତ୍ରୁ ବିନାଶରେ ପ୍ରବୃତ୍ତ ହେବା ଆମେ ଶୁଣିଥିଲେ। ସେଇଥିପାଇଁ ମାଆ କାଳୀ ଅସୁର ଦେହର ରକ୍ତ ଟୋପେ ତଳେ ପଡ଼ିବା ପୂର୍ବରୁ ତା’କୁ ପିଇ ଯାଉଥିଲେ, କରିନେଉଥିଲେ ଆତ୍ମସ୍ଥ। ଏବେ କରୋନା, ଅଦୃଷ୍ଟ ଅଣୁଏ ଲାଳା˚ଶରୁ ମଣିଷ ଦେହରୁ ଦେହକୁ ଡେଇଁ ଯାଉଛି। ପୁରାଣରେ ରକ୍ତକଣିକା ତଳେ ପଡ଼ିଲେ ହିଁ ରକ୍ତବୀଜା ଅସୁରମାନେ ରୂପ ପାଉଥିଲେ। ଏଠି ସେମିତି କରୋନା ଭୂତାଣୁ ଖୋଜିବୁଲୁଛି ଗୋଟାଏ ଗୋଟାଏ ଆଶ୍ରାଦାତା ଦେହ। ଦେହରୁ ଦେହ ହୋଇ ସେ ଏବେ ବିଶ୍ବବ୍ୟାପୀ।

ପାଠ୍ୟକ୍ରମ ମାଧୢମରେ ଜଣେ ପାଠ ଶିଖେ। କିଏ ସହଜରେ ବୁଝେ ତ କିଏ ବହୁତ କଷ୍ଟରେ ବୁଝେ। କେହି କେହି ବାରମ୍ବାର ଅକୃତକାର୍ଯ୍ୟ ହୋଇ ଶେଷରେ କୃତକାର୍ଯ୍ୟ ହୁଅନ୍ତି। କରୋନା ଭୂତାଣୁ ପାଠ୍ୟକ୍ରମଟି ସହଜ ଯେମିତି କଷ୍ଟକର ବି ସେମିତି। ବୁଝିଲା ଲୋକକୁ ସହଜ। ନ ବୁଝିଲା ଲୋକକୁ କଷ୍ଟ। ଦଳେ ଅଛନ୍ତି କରୋନା କରୋନା କହି ଲୋକଙ୍କୁ ଭୟଭୀତ କରିବାରେ ଲାଗିଛନ୍ତି। ହେଲେ ଅନେକ ଅଛନ୍ତି, ବୁଝାଇବାରେ ଲାଗିଛନ୍ତି। ମୂଳକଥା ହେଲା ପାଠକୁ ଡରିଗଲେ କେହି କୃତକାର୍ଯ୍ୟ ହୁଅନ୍ତି ନାହିଁ।

ବର୍ତ୍ତମାନିକ ସମୟର ମୂଳ ସମସ୍ୟା ହେଉଛି କରୋନା ସଂକ୍ରମଣ। ଏହା ଏକ କଠିନ ପାଠ୍ୟକ୍ରମ। ବିଶ୍ବବାସୀଙ୍କୁ ଏ ପାଠପଢ଼ି ସଫଳ ହେବାକୁ ପଡ଼ିବ। ସଭ୍ୟତା ବଞ୍ଚେ ସମସ୍ୟାକୁ ସମାଧାନ କରି, ସମସ୍ୟା ଆଗରେ ମୁଣ୍ତ ନୁଆଁଇ ନୁହେଁ। ଯେବେ ଯେବେ ସମସ୍ୟା ଆଗରେ ମଣିଷ ମୁଣ୍ତ ନୁଆଁଇଛି ସେବେ ସେବେ ସଭ୍ୟତା ଲୋପ ପାଇଛି।

ସମାଜଶାସ୍ତ୍ରୀମାନେ କହୁଥିଲେ, ‘‘ମ୍ୟାନ୍‌ ଇଜ୍‌ ଗ୍ରିଗାରିଅସ୍‌ ବାଇ ନେଚର୍‌’’। ମଣିଷ ମାତ୍ରେ ‘‘ଦଳପ୍ରିୟ’’। ତା’ର ଏଇ ଦଳପ୍ରିୟତାକୁ କରୋନା ଭୂତାଣୁ ଦୁର୍ବଳତା ଭାବରେ ଗ୍ରହଣ କରିନେଇଛି। ଛୁଆଁଛୁଇଁ, କୋଳାକୋଳି, ଆଲିଙ୍ଗନ ଭଳି ସମ୍ଭାଷଣଗୁଡ଼ିକର ସୁଯୋଗ ନେଉଛି କରୋନା। ସେଇଥିପାଇଁ ଯୁଗ ଯୁଗର ଏଇ ମାନବୀୟ ବ୍ୟବହାର-ତତ୍ତ୍ବ ଏବେ ନିଷିଦ୍ଧ। ଆମକୁ କରୋନା-ପାଠଟିକୁ ବୁଝିନେବାକୁ ହେବ। ବ୍ୟକ୍ତିଗତ ସ୍ବାସ୍ଥ୍ୟ ସଚେତନତା, ସମୂହ ପରିଚ୍ଛନ୍ନତା ଓ ଦଳପ୍ରିୟତାର ନିୟନ୍ତ୍ରଣକୁ ଭଲ କରି ବୁଝିଗଲେ ମଣିଷ ସମାଜ ଏ ପରୀକ୍ଷାରେ ସହଜରେ ଉତ୍ତୀର୍ଣ୍ଣ ହୋଇପାରିବ।

କହିବାର ଅଛି, ରୋଗ ହେଲେ ପ୍ରତିକାର ଲୋଡ଼ା। ପରୀକ୍ଷାବେଳେ ଡରିଗଲେ ପ୍ରଶ୍ନପତ୍ର କ’ଣ ସହଜ ହୋଇଯିବ?

[email protected]

ସମ୍ବନ୍ଧିତ ଖବର