ପୃଥିବୀର କମ୍ପନ

ଝରକା

ବୈଶ୍ବିକ ମହାମାରୀ କୋଭିଡ୍-୧୯ର ଅନେକ ଅଭୂତପୂର୍ବ ଦିଗ ସାମନାକୁ ଆସିବାରେ ଲାଗିଛି। କୋଭିଡ୍ ଔଷଧ ଏବଂ ଟିକା ପାଇଁ ଗବେଷଣା ଚର୍ଚ୍ଚାରେ ରହିଥିବା ବେଳେ ଅନେକ ଅନାଲୋଚିତ କ୍ଷେତ୍ରରେ ଗବେଷଣା ପାଇଁ ତଥ୍ୟ ଯୋଗାଉଛି କରୋନା ଜନିତ ଲକ୍‍ଡାଉନ୍। ଭୂକମ୍ପ ସମ୍ପର୍କରେ ଗବେଷଣା ପାଇଁ ବିଶ୍ବର ୧୧୭ଟି ସ୍ଥାନରେ ଭୂ ଗର୍ଭରେ ଲାଗିଥିବା ଭୂକମ୍ପ ତୀବ୍ରତା ମାପକ ଯନ୍ତ୍ର- ‘ସିସ୍‍ମୋମିଟର୍’ରେ ଏବେ ଏକ ପ୍ରକାର ବିଶ୍ବବ୍ୟାପୀ ନିସ୍ତବ୍‌ଧତା ରେକର୍ଡ କରାଯାଇଛି। ଏହା ପଛରେ କାରଣଟି ହେଉଛି ଶିଳ୍ପ, ଗମନାଗମନ, ପରିବହନ ଭଳି ମାନବୀୟ କାର୍ଯ୍ୟ ଓ ତା ପ୍ରଭାବରୁ ସୃଷ୍ଟି ହେଉଥିବା କୃତ୍ରିମ ମୃଦୁ କମ୍ପନ ବହୁ ମାତ୍ରାରେ ହ୍ରାସ ପାଇଛି। ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ୨୬୮ଟି ସିସ୍‍ମିକ୍ ଷ୍ଟେସନ୍‍ରୁ ଲବ୍‌ଧ ତଥ୍ୟ ଅନୁସାରେ ଉଚ୍ଚ ତୀବ୍ରତା ବିଶିଷ୍ଟ କମ୍ପନରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି।

ସିସ୍‍ମୋଲୋଜି ଗବେଷଣା ଇତିହାସରେ ଏହା ଅଭୂତପୂର୍ବ। ଜାନୁଆରି ମାସରେ ଚୀନ, ଫେବ୍ରୁଆରିରେ ଇଟାଲି ଏବଂ କ୍ରମେ ମାର୍ଚ୍ଚ ଓ ଏପ୍ରିଲ୍‍ରେ ବିଭିନ୍ନ ଦେଶରେ ଜାତୀୟ ଲକ୍‍ଡାଉନ୍ କାରଣରୁ ତା ସହ ତାଳ ଦେଇ ଏହି କଂପନର ତୀବ୍ରତା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଥିଲା।

ଏହାର ଏକ ସକାରାତ୍ମକ ଦିଗ ହେଉଛି କୃତ୍ରିମ କମ୍ପନରେ ହ୍ରାସ ପାଇବା କାରଣରୁ ପୃଥିବୀର ପ୍ରାକୃତିକ କମ୍ପନକୁ ଏବେ ଅଧିକ ସୂକ୍ଷ୍ମତାର ସହ ରେକର୍ଡ କରାଯାଇପାରୁଛି। ଏ ପର୍ଯ୍ୟନ୍ତ ଭୂମିକମ୍ପର ସଠିକ ପୂର୍ବାନୁମାନ କରାଯିବା ସମ୍ଭବ ହୋଇ ପାରିନାହିଁ। ତେବେ ଏବେ ବୈଜ୍ଞାନିକମାନେ ଆଶାବାଦୀ ଯେ ଲକ୍‍ଡାଉନ୍ କାରଣରୁ ପୃଥିବୀରେ କୃତ୍ରିମ କମ୍ପନ ହ୍ରାସ ପାଇ ଭୂମିକମ୍ପର ସଠିକ ପୂର୍ବାନୁମାନକୁ ହୁଏ’ତ ସମ୍ଭବ କରାଇପାରେ। କିନ୍ତୁ ଏହି ଅବସ୍ଥା ମଧ୍ୟ ସାମୟିକ। ଦିନେ ନା ଦିନେ କରୋନାର ଭୟ ଦୂର ହେବ ଏବଂ ପୃଥିବୀ ପୁଣି ମାନବ ଦ୍ବାରା ସୃଷ୍ଟ କମ୍ପନ ଦ୍ବାରା ଜର୍ଜରିତ ହେବ। ସେ ପର୍ଯ୍ୟନ୍ତ ପୃଥିବୀ ମୃଦୁ କମ୍ପନର ଆନନ୍ଦ ନେଉଥାଉ।

ସମ୍ବନ୍ଧିତ ଖବର