ମୋହନଦାସ କରମଚ˚ଦ ଗାନ୍ଧୀ ଜଣେ ଏ ଭଳି ଅନ୍ତର୍ଜାତୀୟ ଅପରାଧୀ, ଯିଏ ନିଜର ପ୍ରତ୍ୟେକ ଅପରାଧର ସାକ୍ଷ୍ୟ ଏକାଠି କରି, ଆମକୁ ଦେଇଯାଇଛନ୍ତି। ଆମକୁ ଯେତେ ବେଳେ, ଯେଉଁଠି, ଯେପରି ଲୋଡ଼ାହୁଏ; ସେତେ ବେଳେ, ସେଇଠି, ଆମେ ତାହାର ବ୍ୟବହାର କରି ତାଙ୍କୁ ଦଣ୍ତ ଦେଇପକାଉ। କେତେ ବେଳେ ଦଣ୍ତ ଶୁଣାଇଦିଆଯାଏ, କେତେ ବେଳେ ଦେଇଦିଆଯାଏ। ତାହା ପରେ ଏମିତି ଘଟେ କି ଆମେ ନିଜକୁ ପଚାରିଚାଲୁ, ଏ କ’ଣ କଲୁ? ଗାନ୍ଧୀ ପ୍ରତ୍ୟେକ ଥର କୌଣସି ବ୍ୟକ୍ତି ବା ଭିଡ଼ର କ୍ରୋଧର ଶିକାର ହେଉଛନ୍ତି; ଏବ˚ ସେ ହିଁ ଆମକୁ କହିଯାଇଛନ୍ତି, କ୍ରୋଧ-ରାଗ କିଛି ନୁହେଁ, କେବଳ ସ୍ବଳ୍ପ ଅବଧିର ପାଗଳାମି ମାତ୍ର।
କେତେ ବେଳେ ପାଗଳାମିର ଶିକାର ଦଳିତ ତ କେତେ ବେଳେ ନାରୀବାଦୀ, ତାଙ୍କୁ ନିଜର ବିରୋଧୀ ମନେକରେ। ଯେଉଁମାନେ କେବେ ସ୍ବାଧୀନତା ସ˚ଗ୍ରାମ ଲଢ଼ିନାହାନ୍ତି, ସେମାନଙ୍କୁ ଗାନ୍ଧୀ ସାମ୍ରାଜ୍ୟବାଦୀଙ୍କ ଦଲାଲ ମନେହୁଅନ୍ତି। ଯେଉଁମାନେ ଦେଶ ବିଭାଜନ ରୋକିବା ପାଇଁ କେବେ, କୌଣସି ପଦକ୍ଷେପ ନେଇନାହାନ୍ତି, ସେମାନଙ୍କ ପାଇଁ ଗାନ୍ଧୀ ବିଭାଜନର ଅପରାଧୀ। ସା˚ପ୍ରଦାୟିକତାର ବୁଟି ଖାଇଖାଇ ଜୀବନ ଧାରଣ କରିଥିବା ଲୋକେ ତାଙ୍କୁ ମୁସଲମାନଙ୍କ ତୁଷ୍ଟ-କର୍ତ୍ତା କହୁଛନ୍ତି। କେତେ ବେଳେ ତାଙ୍କୁ କ୍ରୂର ପିତା ତ କେତେ ବେଳେ ଅନ୍ୟାୟୀ ପତି କହାଯାଉଛି। ସେ ଯେତେ ବେଳେ ଜୀବିତ ଥିଲେ, ତାଙ୍କ ଉପରକୁ ତୀର ଚଳାଇବାବାଲାଙ୍କ ସ˚ଖ୍ୟା କିଛି କମ୍ ନ ଥିଲା। ତାଙ୍କ ଅବର୍ତ୍ତମାନରେ ବି ଏ ଭଳି ତୀରନ୍ଦାଜଙ୍କ ସ˚ଖ୍ୟା କିଛି କମ୍ ହୋଇନାହିଁ।
ଏବେ ଏବେ ଏମିତି ଘଟିଛି। ସ୍ପଷ୍ଟ ଦିବାଲୋକରେ କୃଷ୍ଣକାୟ ମାର୍କିନ୍ ନାଗରିକ ଜର୍ଜ୍ ଫ୍ଲଏଡ୍ଙ୍କ ହତ୍ୟା ହୋଇଗଲା। ହତ୍ୟାକାରୀ ଶ୍ବେତକାୟ ମାର୍କିନ୍ ପୁଲିସ୍ ଅଧିକାରୀ। ମାର୍କିନ୍ ପୁଲିସ୍ ହାତରେ ପ୍ରତି ବର୍ଷ ଶତାଧିକ କୃଷ୍ଣକାୟଙ୍କ ମୃତ୍ୟୁ ଘଟୁଛି। ନା ସରକାର ଚେତୁଛି; ନା ଅଦାଲତ! ହେଲେ, ଏ ଥର ଭିନ୍ନ କିଛି ଘଟିଛି। ଆମେରିକା ଜାଗ୍ରତ ହୋଇଉଠିଛି! ‘କୃଷ୍ଣକାୟର ଜୀବନ ବି କିଛି ମହତ୍ତ୍ବ ରଖୁଛି’- ଏହି ଚିତ୍କାର ସାରା ଆମେରିକାରେ ଶୁଣାଯାଉଛି। ଏହି ସ୍ଲୋଗାନ୍ ସହ ସାରା ମାର୍କିନ୍ ସମାଜ ତାତିଉଠିଛି। ବର୍ଣ୍ଣ ନିର୍ବିଶେଷରେ ସବୁ ମାର୍କିନ୍ ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ଚିତ୍କାର ସୁଦୂର ଇଉରୋପରେ ମଧ୍ୟ ପ୍ରତିଧ୍ବନିତ ହୋଇଛି। ବହୁ ଦିନ ପରେ ରଙ୍ଗଭେଦ ବିରୋଧରେ ସବୁ ରଙ୍ଗ ଏକତ୍ର ହୋଇ ଆହ୍ବାନ ଦେଉଥିବା ଶୁଣିବାକୁ ମିଳିଲା। ଗାନ୍ଧୀ ଥିଲେ ଏହି ପ୍ରତିବାଦର ନେତୃତ୍ବ ନେଉଥାଆନ୍ତେ। କିନ୍ତୁ, ସେ ତ ଏଠି ଭୂ-ଲୁଣ୍ଠିତ! ବିକ୍ଷୋଭକାରୀମାନେ ବର୍ଣ୍ଣବୈଷମ୍ୟବାଦ ସ˚ପର୍କିତ ସମସ୍ତ ପ୍ରତୀକ ଉପରେ ଆକ୍ରମଣ କରିଛନ୍ତି। କୃଷ୍ଣକାୟଙ୍କ ବ୍ୟବସାୟ କରିଥିବା, କୃଷ୍ଣକାୟଙ୍କୁ ନ୍ୟୂନ ଭାବିଥିବା, ସମସ୍ତ ପ୍ରତୀକ ଉପରେ ରାଗ ଶୁଝାଇଛନ୍ତି। କେତେ ପ୍ରତିମା ଭାଙ୍ଗିଛି, କେତେ ପ୍ରତିମା ଉପରେ କଳା ବୋଳାହୋଇଛି। ଆଉ ସମସ୍ତଙ୍କୁ ନାମିତ କରାଯାଇଛି- ‘ରଙ୍ଗଭେଦୀ’। ଵାସି˚ଟନ୍ ଡିସିରେ ବି ସମାନ ଘଟିଛି। ଗାନ୍ଧୀଙ୍କ ପ୍ରତିମାକୁ ‘ରଙ୍ଗଭେଦୀ’ ଭାବେ ଆଖ୍ୟାୟିତ କରି ବିକୃତ କରାଗଲା। ଆମେରିକାନ୍ ପ୍ରଶାସନ ଲଜ୍ଜିତ ହୋଇ ପ୍ରତିମାକୁ ଢାଙ୍କିବାର ବ୍ୟବସ୍ଥା କରିଛି। ଶୀଘ୍ର ନବ ପ୍ରତିମା ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କାହାର ମାନ-ଅପମାନକୁ କେବେ ଖାତିର କରୁ ନ ଥିବା ରାଷ୍ଟ୍ରପତି ଟ୍ରମ୍ପ୍ ଏହାକୁ ଅପମାନଜନକ କହି ନାମ କମାଇବାକୁ ଉଦ୍ୟମ କରିଛନ୍ତି। ଇ˚ଲଣ୍ତ୍ରେ ବି ପ୍ରାୟ ସମାନ ଘଟିଛି। ସେଠାକାର ସ˚ସଦ ଭବନ ଛକରେ ଛିଡ଼ାହୋଇଥିବା ଗାନ୍ଧୀ ପ୍ରତିମା ଉପରେ ରଙ୍ଗ ବୋଳାଯିବା ସହ ‘‘ରଙ୍ଗଭେଦୀ’ ବା ‘ରେସିଷ୍ଟ୍’ ଲେଖିଦିଆଯାଇଛି।
ଗାନ୍ଧୀ ଥିଲେ କ’ଣ କହିଥାଆନ୍ତେ ବା କ’ଣ କରିଥାଆନ୍ତେ? କହିଥାଆନ୍ତେ: ‘ଯଦି ଏ ନିଅାଁ ଲାଗିଛି, ଏହା ଯେପରି ନ ଲିଭେ। ଚାଲ, ମୁଁ ବି ତୁମମାନଙ୍କ ସଙ୍ଗରେ।’ ଵାସି˚ଟନ୍ ହେଉ କି ଲଣ୍ତନ୍ କି ଅନ୍ୟ କେଉଁ ସ୍ଥାନ, ସେ ସମସ୍ତ ଶୋଭାଯାତ୍ରାର ଆଗେଆଗେ ଚାଲିଥାଆନ୍ତେ। ତେବେ, ହି˚ସା ଓ ଲୁଟ-ତରାଜକୁ ପ୍ରୋତ୍ସାହନ ଦେଇ ନ ଥାଆନ୍ତେ। ଅନଶନରେ ବସିଥାଆନ୍ତେ। ଭିଡ଼କୁ ନିୟନ୍ତ୍ରିତ କରିଥାଆନ୍ତେ। ସମସ୍ତଙ୍କୁ ସଚେତନ କରିଥାଆନ୍ତେ; କାହାକୁ ମନମୁଖୀ କିଛି କରିବାକୁ ଦେଇ ନ ଥାଆନ୍ତେ। ତାଙ୍କ କାର୍ଯ୍ୟକଳାପକୁ, ତାଙ୍କ ଚିନ୍ତାଧାରାକୁ ବୁଝିପାରୁ ନ ଥିବା କେହି ଏହା ବି ହୁଏ ତ କହିଥାଆନ୍ତା- ଏ ଲୋକ ଜନ-ସ˚ଘର୍ଷ ବିରୋଧୀ। ଏବେ ଗାନ୍ଧୀ ନାହାନ୍ତି; ତେବେ, ତାଙ୍କ ଚିନ୍ତାଧାରାକୁ ବୁଝି ନ ଥିବା ଲୋକ ଅଛନ୍ତି। ଗାନ୍ଧୀଙ୍କୁ ବୁଝିବା ପାଇଁ, ଜାଣିବା ପାଇଁ ଇତିହାସକୁ ପଢ଼ିବାକୁ ହେବ; ଅନୁଶୀଳନ କରିବାକୁ ହେବ। ଗାନ୍ଧୀ ‘ରଙ୍ଗଭେଦୀ’ ଥିଲେ- ଏହି ଚିନ୍ତା ଲୋକଙ୍କ ମୁଣ୍ତକୁ କେମିତି ଆସିଲା? କିଏ ଭର୍ତ୍ତିକଲା? ଏହା ଜାଣିବା ପାଇଁ ମୁଁ ଇତିହାସ ପୃଷ୍ଠାରେ ତାଙ୍କୁ ଖୋଜିଲି।
ବ୍ରିଟିସ୍ ସାମ୍ରାଜ୍ୟ ପ୍ରତି ମୋହାଚ୍ଛନ୍ନ ହୋଇ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ। ତାଙ୍କୁ ଲାଗିଥିଲା, ଏମାନେ ନ୍ୟାୟପ୍ରିୟ ଏବ˚ ଉଦାରବାଦୀ, ଯେଉଁମାନଙ୍କର ସାମ୍ରାଜ୍ୟର ଆମେ ପ୍ରଜା। ତେଣୁ, ସାମ୍ରାଜ୍ୟ ଉପରକୁ ଆସୁଥିବା ସବୁ ସ˚କଟ ଆମର ଏବ˚ ସାମ୍ରାଜ୍ୟକୁ ଆମେ ସହାୟତା ଦେବା ଉଚିତ। ତେଣୁ, ବୋୟର୍ ଯୁଦ୍ଧ କାଳରେ ଆହତଙ୍କ ସହାୟତା ପାଇଁ ବାରିଷ୍ଟର୍ ଗାନ୍ଧୀ ବାହାରିଥିଲେ। ବ୍ରିଟିସ୍ମାନଙ୍କ ଅନୁରୋଧରେ ସେମାନଙ୍କୁ ସାମରିକ ସହାୟତା ମଧ୍ୟ ଯୋଗାଇଥିଲେ। ରଣାଙ୍ଗନରେ ଆହତ ବ୍ରିଟିସ୍ ସୈନିକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ଆହତମାନଙ୍କୁ କୋଡ଼ିଏ-ପଚିଶ କିଲୋମିଟର୍ ଦୂରରେ ଥିବା ଚିକିତ୍ସାଳୟକୁ ନେଉଥିଲେ। ତେବେ, ବଦଳରେ ତାଙ୍କୁ କ’ଣ ମିଳିଥିଲା? ଆତ୍ମକଥାରେ ଗାନ୍ଧୀ ଲେଖିଛନ୍ତି: ‘ମୁଁ ପରେ ବୁଝିଲି, ଏହା ନ୍ୟାୟ-ଯୁଦ୍ଧ ନୁହେଁ; କୃଷ୍ଣକାୟଙ୍କୁ ଜବତ କରିବା ପାଇଁ ଯୁଦ୍ଧ। ହିନ୍ଦୁସ୍ଥାନୀମାନେ ଅଧିକ ସ˚ଗଠିତ ହେଲେ। ମୁଁ ଗିରମିଟିୟା ହିନ୍ଦୁସ୍ଥାନୀଙ୍କ ନିକଟତର ହେଲି। ଗୋରାମାନଙ୍କର ବ୍ୟବହାରରେ ସ୍ପଷ୍ଟ ପରିବର୍ତ୍ତନ ଦେଖିବାକୁ ପାଇଲି।’
ତାହା ପରେ ଆସିଲା ‘ଜୁଲୁ ବିଦ୍ରୋହ’। ସେତେ ବେଳକୁ ଗାନ୍ଧୀ ପ୍ରୌଢ଼ ହୋଇସାରିଥିଲେ। ସେ ପୁଣି ଥରେ ଭାରତୀୟଙ୍କୁ ନେଇ ଆମ୍ବୁଲାନ୍ସ ବାହିନୀ ଗଠନ କଲେ। ଗୋରା ଡାକ୍ତର ଓ ସେବିକାମାନେ କଳା ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ପ୍ରସ୍ତୁତ ନ ଥିଲେ। ଯୁଦ୍ଧରେ ଆହତ କୃଷ୍ଣକାୟ ଜୁଲୁମାନଙ୍କ ଦେଖା-ରଖା ଦାୟିତ୍ବ ଗାନ୍ଧୀଙ୍କ ଦଳ ଉପରେ ନ୍ୟସ୍ତ ଥିଲା। ଗାନ୍ଧୀଙ୍କ ଦଳ ଯେଉଁ ଭଳି ଭାବେ ସେବା କାର୍ଯ୍ୟ କଲେ, ସମସ୍ତେ, ସେମାନଙ୍କ ପ୍ରଶ˚ସାରେ ଶତମୁଖ ହୋଇଉଠିଲେ। ପରସ୍ପରର ଭାଷା ବୁଝୁ ନ ଥିବା ଜୁଲୁମାନେ ବି କୃତଜ୍ଞତା ଜ୍ଞାପନ କଲେ। ଏହି ଇତିହାସ ସାମନାକୁ ଅଣାଯିବା ପରେ ଏବେ ଆରୋପ ଲଗାଯାଉଛି- ଗାନ୍ଧୀ, ଜୁଲୁଙ୍କ ସହ ମିଶି ଲଢ଼ି ନ ଥିଲେ କାହିଁକି? ଏହାର କେଉଁ ଉତ୍ତର ବା ଦିଆଯିବ? ଏହା ପ୍ରାଚୀର ସହ କଥା ହେବା ପରି!
ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ରଙ୍ଗଭେଦକୁ ନେଇ ଲଢ଼ି ନ ଥିଲେ। ସେ ଲଢ଼ିଥିଲେ, ଭାରତୀୟଙ୍କ ଅଧିକାର ପାଇଁ। ୧୮୫୮ରେ ମହାରାଣୀ ଭିକ୍ଟୋରିଆ ନିଜ ସାମ୍ରାଜ୍ୟର ପ୍ରଜାଙ୍କ ନାଗରିକ ଅଧିକାର ବାବଦରେ ଘୋଷଣା କରିଥିଲେ। ଉକ୍ତ ଘୋଷଣା ଭାରତୀୟଙ୍କ ନାଗରିକ ଅଧିକାର ପ୍ରସଙ୍ଗରେ ନିରପେକ୍ଷ ନ ଥିଲା। ତେଣୁ, ଗାନ୍ଧୀ ତାହା ଉପରେ ଆଲୋଚନା ଚାହୁଁଥିଲେ। ତାହା ଭାରତୀୟଙ୍କର ସମସ୍ୟା ସ˚ପର୍କିତ ଥିଲା। ଘୋଷଣାକୁ ନେଇ ଆନ୍ଦୋଳନ କାଳରେ କୃଷ୍ଣକାୟଙ୍କୁ ସଙ୍ଗରେ ରଖିବାର କୌଣସି ଆବଶ୍ୟକତା ନ ଥିଲା। ଉକ୍ତ ଘୋଷଣା ପ୍ରତ୍ୟାହୃତ ହୋଇଯାଇଥିଲେ ସମସ୍ତେ ଉପକୃତ ହୋଇଥାଆନ୍ତେ।
ଗାନ୍ଧୀଙ୍କୁ ଯେତେ ବେଳେ ପ୍ରଥମ ଥର ପାଇଁ ଗିରଫ କରାଯାଇଥିଲା, ଜୁଲୁ ବନ୍ଦୀମାନେ ରହୁଥିବା ଵାର୍ଡ୍ରେ ରଖାଯାଇଥିଲା; ଯାହା ତାଙ୍କୁ ଅସୁଖୀ କରିଥିଲା। ରଙ୍ଗଭେଦ ଯୋଗୁଁ ସେ ଅସୁଖୀ ହୋଇ ନ ଥିଲେ। କାରାଗାରରେ ଦୁଇ ପ୍ରକାରର ବନ୍ଦୀ ରହନ୍ତି- ସାଧାରଣ ଅପରାଧୀ ଓ ରାଜନୈତିକ ବନ୍ଦୀ। କାରାଗାର ପ୍ରକରଣ ପୁସ୍ତିକା ବା ଜେଲ୍ ମାନୁଆଲ୍ ଅନୁଯାୟୀ ରାଜନୈତିକ ବନ୍ଦୀମାନଙ୍କୁ ଅଲଗା ରଖାଯିବା କଥା। ଏହି ବିଧି ପ୍ରଚଳିତ ଥିବା ସତ୍ତ୍ବେ ଗାନ୍ଧୀଙ୍କୁ ସାଧାରଣ କୃଷ୍ଣକାୟ ଅପରାଧୀଙ୍କ ସହ ଏକତ୍ର ରଖାଯିବାରୁ ସେ ଆପତ୍ତି ଉଠାଇଥିଲେ। ଭିନ୍ନ ଵାର୍ଡ୍ରେ ରଖାଯିବା ପାଇଁ ଦାବି କରିଥିଲେ। ତାଙ୍କ ଦାବି ସହ ବର୍ଣ୍ଣବୈଷମ୍ୟବାଦର କୌଣସି ସ˚ପର୍କ ନ ଥିଲା। ଗାନ୍ଧୀ, ଜୁଲୁମାନଙ୍କ ସହ ଏକ ଵାର୍ଡ୍ରେ ବନ୍ଦୀ ଥିବା ସମୟର ଅନୁଭୂତି ମଧ୍ୟ ଲେଖିଯାଇଛନ୍ତି। ଥରେ ସେ ଶୌଚାଳୟ ଭିତରେ ଥିବା ବେଳେ କେମିତି ଜଣେ ବିଶାଳକାୟ ଜୁଲୁ ବଳପୂର୍ବକ ଭିତରକୁ ପଶିଆସିଥିଲା ଏବ˚ ତାଙ୍କୁ ଧକ୍କା ଦେଇ ବାହାରକୁ ଠେଲିଦେଇଥିଲା।
ଆମେ ଆଜି ଗାନ୍ଧୀଙ୍କର ଯେଉଁ ବିରାଟ ସ୍ବରୂପ ଦେଖୁଛେ, ତାହା କ୍ରମଶଃ ବନିଛି। ଗାନ୍ଧୀଙ୍କର ମଧ୍ୟ ବିକାଶ ହୋଇଥିଲା ଏବ˚ ଏବେ ମଧ୍ୟ ହୋଇଚାଲିଛି। କିନ୍ତୁ, ଏହି ବିକାଶ-କ୍ରମରେ ରଙ୍ଗଭେଦ କେତେ ବେଳେ ନ ଥିଲା। ତେଣୁ, ଵାସି˚ଟନ୍ ହେଉ ବା ଲଣ୍ତନ୍ ବା ଆଉ କେଉଁଠି, ଆନ୍ଦୋଳନ ବେଳେ ସମସ୍ତେ ମନେରଖିବା ଉଚିତ ଯେ, ଗାନ୍ଧୀଙ୍କ ପ୍ରତିମା ପଛକେ ଭାଙ୍ଗ, ତାଙ୍କୁ କିନ୍ତୁ ଛାଡ଼ନାହିଁ; କାରଣ, ଗାନ୍ଧୀଙ୍କ ବିନା ଆତ୍ମସ୍ବାଭିମାନ ଲଢ଼େଇ କେହି ଜିତିପାରିବେନାହିଁ। ଗାନ୍ଧୀ କେବଳ ଏକ ମାର୍ଗ ନୁହନ୍ତି; ସେହି ମାର୍ଗରେ ଅଗ୍ରସର ହେବାର ସ˚କଳ୍ପ ମଧ୍ୟ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ