ବି.ଏସ.ଏନ.ଏଲ.ର ପୁନରୁଦ୍ଧାର କେବେ?

ପବିତ୍ର ମୋହନ କର

୨୦୧୯ ମସିହା ଅକ୍ଟୋବର ମାସରେ ଦେଶର ବୃହତ୍ତମ ଦୂର ସଂଚାର କମ୍ପାନି ବି.ଏସ.ଏନ.ଏଲ.ର ପୁନରୁଦ୍ଧାର ନିମନ୍ତେ କେତୋଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା। ଏକଦା ଗ୍ରାହକ ସଂଖ୍ୟା, ବାର୍ଷିକ ଆୟ ଓ ଲାଭ ଅର୍ଜନରେ ଅପ୍ରତିଦ୍ୱନ୍ଦ୍ବୀ ଥିବା ବି.ଏସ.ଏନ.ଏଲ. ବେଶ କିଛି ବର୍ଷ ହେଲା ରୁଗ୍‌ଣ ଓ ଚମକହୀନ ହେଇ ଚାଲିଛି। ସଂପୂର୍ଣ୍ଣ ସରକାରୀ ନିୟନ୍ତ୍ରଣରେ ରହି କର୍ତ୍ତୃପକ୍ଷଙ୍କ ପକ୍ଷପାତିତାର ଶିକାର ହୋଇ ଏହି କମ୍ପାନି ବର୍ଷାଧିକ କାଳ ହେଲା ନିଜ କର୍ମଚାରୀଙ୍କୁ ଠିକ ସମୟରେ ବେତନ ପ୍ରଦାନ କରି ପାରୁନାହିଁ। ଗ୍ରାହକମାନଙ୍କ ଚାହିଦା ଅନୁଯାୟୀ ସେବା ମଧ୍ୟ ଯୋଗାଇ ପାରୁନାହିଁ।

ବି.ଏସ.ଏନ.ଏଲ.କୁ ପ୍ରତିଦ୍ବନ୍ଦ୍ବୀଙ୍କ ସମକକ୍ଷ କରିବା ଲକ୍ଷ୍ୟରେ କ୍ୟାବିନେଟ କରିଥିବା ଅନୁମୋଦନ ମଧ୍ୟରେ ଛ’ମାସ (ଏପ୍ରିଲ, ୨୦୨୦ ସୁଦ୍ଧା) ଭିତରେ ସରକାରୀ ଅର୍ଥରେ 4G ସ୍ପେକ୍ଟ୍ରମ୍ ପ୍ରଦାନ, ପନ୍ଦର ହଜାର କୋଟି ଟଙ୍କାର ସାର୍ବଭୌମ (sovereign)ବଣ୍ଡ ଜାରି, କମ୍ପାନିର ସ୍ଥାବର ସମ୍ପତ୍ତିର ବିକ୍ରୟ, ସମଦଶା ଭୋଗୁଥିବା MTNL ସହ ଏହାର ମିଶ୍ରଣ ଓ ସର୍ବୋପରି ବେତନ ବ୍ୟୟ ହ୍ରାସ ନିମନ୍ତେ କମ୍ପାନିର ୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର ଗ୍ରହଣ ଯୋଜନା ଲାଗୁ କରିବା ଥିଲା ପ୍ରମୁଖ ପ୍ରସ୍ତାବ।

ସ୍ବେଚ୍ଛାକୃତ ଅବସର ଯୋଜନାରେ ଗତ ଜାନୁଆରି ମାସରେ ପ୍ରାୟ ଅଶୀ ହଜାର କର୍ମଚାରୀ ବି.ଏସ.ଏନ.ଏଲ.ରୁ ବିଦାୟ ନେଇଗଲେ। ଇତି ମଧ୍ୟରେ ଦୀର୍ଘ ଛ’ମାସ ଅତିକ୍ରାନ୍ତ। ଅଥଚ ସଂସ୍ଥାଟିର ପୁନରୁଦ୍ଧାର ଦିଗରେ ଗତ ଅକ୍ଟୋବର-ନଭେମ୍ବର ମାସର ସରକାରୀ ଉତ୍ସାହ ଏବେ ମଳିନ। କମ୍ପାନିର ପରିଚାଳନା ନିର୍ଦ୍ଦେଶକଙ୍କ ଘୋଷିତ ଆକଳନ ଅନୁସାରେ ସ୍ବେଚ୍ଛାରେ ସେବାନିବୃତ୍ତ କର୍ମଚାରୀଙ୍କ ଦରମା ବାବଦରେ ମାସକୁ ପ୍ରାୟ ସାତ ହଜାର କୋଟି ଟଙ୍କା କମ୍ପାନିର ସଂଚୟ ହେବ। ଜୁନ୍‌ ଶେଷ ସୁଦ୍ଧା ଏହି ସଂଚିତ ଅର୍ଥର ପରିମାଣ ପାଖାପାଖି ୪୦ ହଜାର କୋଟି ଟଙ୍କା ହୋଇଥିବା କଥା। ମାତ୍ର ପରିତାପର ବିଷୟ ଅବଶିଷ୍ଟ କର୍ମଚାରୀମାନଙ୍କ ବେତନ ପ୍ରଦାନ ଏଯାଏଁ ନିୟମିତ ହୋଇପାରିନାହିଁ। ଅଧିକନ୍ତୁ ଅଫିସ୍ ଓ ଫିଲ୍‌ଡରେ ଦୀର୍ଘ ଦିନ ଧରି କାମ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ବିଗତ ଦଶ ମାସର ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ। ସେମାନଙ୍କ ଅସହଯୋଗ ହେତୁ ସଂପ୍ରତି ପ୍ରବଳ ଚାହିଦା ଥିବା ଭାରତ ଫାଇବର ଓ ବ୍ରଡବ୍ୟାଣ୍ଡ ସଂଯୋଗୀକରଣ ଓ ରକ୍ଷଣାବେକ୍ଷଣରେ ଘୋର ଅବହେଳା ପରିଲକ୍ଷିତ ହେଉଛି। କରୋନା-କଟକଣା ହେତୁ ସୂଚନା-ପ୍ରଯୁକ୍ତି ଉପରେ ନିର୍ଭରଶୀଳ ଅନେକ ସଂସ୍ଥା Work from Home ପଦ୍ଧତି ଆପଣେଇ ଥିବାରୁ ଏବେ ଡାଟା ସର୍ଭିସ୍ ବା ନେଟ୍‌ କନେକ୍‌ସନର ଆଶାତୀତ ଚାହିଦା, ଯାହା କି ବି.ଏସ.ଏନ.ଏଲ. ପାଇଁ ନିଜ ବିଶ୍ୱସନୀୟତା ଓ ପ୍ରତିପତ୍ତି ଜାହିର କରିବାର ଏକ ସୁବର୍ଣ୍ଣ ସୁଯୋଗ।

ଛ’ମାସ ମଧ୍ୟରେ ଉନ୍ନତ ମୋବାଇଲ ସେବା ସଂକ୍ରାନ୍ତୀୟ 4G ସ୍ପେକ୍ଟ୍ରମ୍ ତ ମିଳିନି, କିନ୍ତୁ ଚୀନ୍ ସହ ଉପୁଜିଥିବା ସୀମା ବିବାଦ ପରିପ୍ରେକ୍ଷୀରେ କେବଳ BSNL ଓ MTNLରେ ଚୀନ୍ ପ୍ରସ୍ତୁତ ପ୍ରଯୁକ୍ତି ଓ ଉପକରଣ ବ୍ୟବହାରକୁ ନିଷେଧ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରମୁଖ ଘରୋଇ ଟେଲିକମ ସଂସ୍ଥାମାନେ ଅନେକ ଦିନରୁ 4G ମୋବାଇଲ ସେବା ଯୋଗେଇ ଆସୁଛନ୍ତି ଓ ଚୀନ୍ ସଂକ୍ରାନ୍ତୀୟ ପ୍ରତିବନ୍ଧ ଔପଚାରିକ ଭାବେ ସେମାନଙ୍କ ପାଇଁ ଘୋଷଣା କରାଯାଇ ନାହିଁ। ବି.ଏସ.ଏନ.ଏଲ. ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ଏହା ସ୍ପଷ୍ଟ ପ୍ରମାଣ।

କରୋନା ସ୍ଥିତି ଉଦ୍‌ବେଗଜନକ ଥିବା କାରଣରୁ ବିମାନ ଓ ରେଳଯାତ୍ରା ଉପରେ କଟକଣା ରହିଛି। ଏଭଳି ସମୟରେ ବି.ଏସ.ଏନ.ଏଲ.ର ଅଧିକାରୀମାନଙ୍କର ଅନ୍ତଃରାଜ୍ୟ ବଦଳି ଆଦେଶ ଜାରି କରି କର୍ପୋରେଟ ମୁଖ୍ୟାଳୟ ଦ୍ବାରା ସେମାନଙ୍କୁ ERPରେ କାର୍ଯ୍ୟ ନିବୃତ୍ତ କରାଯାଇଛି, ଯାହାକି ଅଦୂରଦର୍ଶୀ ଓ ସମ୍ବେଦନହୀନ। ଏଭଳି କର୍ମଚାରୀ ବିରୋଧୀ ପଦକ୍ଷେପ କମ୍ପାନିର ସମସ୍ତ ମାନବ ସମ୍ବଳର ମନୋବଳ ଓ ନିଷ୍ଠା ଉପରେ କୁପ୍ରଭାବ ପକେଇବ। ପରିଣାମ ସ୍ବରୂପ କମ୍ପାନିର ପ୍ରଗତି, ଆୟ ଓ ସୁନାମରେ ଆଞ୍ଚ ଆସିବ।

ଦେଶ ସାରା ବି.ଏସ.ଏନ.ଏଲ.ର ଅକଳନ୍ତି ଭୂସମ୍ପତ୍ତି ଓ କୋଠାଘର ଅଛି। ବଳକା ଓ ଅବ୍ୟବହୃତ ସମ୍ପତ୍ତିର ପ୍ରସ୍ତାବିତ ବିକ୍ରି ପ୍ରକ୍ରିୟାର ଅନୁକୂଳ ବି ହେଇନି। ଅର୍ଥ ସଂଗ୍ରହ ନିମନ୍ତେ ସାର୍ବଭୌମ (sovereign) ବଣ୍ଡ ଜାରି କରିବାରେ ଅହେତୁକ ବିଳମ୍ବ ହେଲାଣି। ଆର୍ଥିକ ସ୍ଥିତି, ମାନବ ସମ୍ବଳ ନୀତି ଓ କାନୁନ ବ୍ୟବସ୍ଥାର କ୍ଲିଷ୍ଟତା ଦୃଷ୍ଟିରୁ BSNL ଓ MTNLର ମିଶ୍ରଣ ପ୍ରକ୍ରିୟାଟି ଜଟିଳ ଓ ସମୟ ପାପେକ୍ଷ ହେବ। ଅଦ୍ୟାବଧି ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇନାହିଁ।

ବି.ଏସ.ଏନ.ଏଲ.ର ପୁନରୁଦ୍ଧାର ପାଇଁ ପ୍ରାୟ ଅଧାଅଧି କର୍ମଚାରୀ ସରକାରୀ ସର୍ତ୍ତରେ ରାଜି ହୋଇ ସ୍ବେଚ୍ଛାରେ ଅବସର ନେଲେ। ଚାକିରି ଜୀବନର ଶେଷ ଦଶନ୍ଧିର ବର୍ଦ୍ଧିତ ଆୟର ପ୍ରଲୋଭନକୁ ତ୍ୟାଗ କରିବାର ଅନ୍ୟତମ କାରଣ ହେଉଛି ବି.ଏସ.ଏନ.ଏଲ.ର ପୁନରୁଦ୍ଧାର। ଅଥଚ ସେମାନଙ୍କ ପ୍ରାପ୍ୟ ରାଶିକୁ ଦୁଇଟି କିସ୍ତିରେ ପ୍ରଦାନ କରାଯିବାର ଘୋଷଣାକୁ କାର୍ଯ୍ୟକାରୀ କରାଗଲା ନାହିଁ, ଯାହାକି ଘରବାଡ଼ିି କିଣିବା ଓ ଝିଅ ବାହାଘର କରିବା ଭଳି ବ୍ୟୟବହୁଳ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ବାଧା ଉପୁଜିଛି। ଅନେକତ୍ର ଏହି ସର୍ତ୍ତଖିଲାପି ବିରୁଦ୍ଧରେ ଆଇନର ସାହାଯ୍ୟ ନିଆଯାଉଥିବାର ଖବର ମିଳୁଛି।

ଅତିଥିଙ୍କ ପାଇଁ ପତ୍ର ପକେଇ ଚୁଲିରେ ହାଣ୍ଡି ବସେଇଲେ ଯେଉଁ ଅବ୍ୟବସ୍ଥା ଉପୁଜେ, ସେମିତି ଅବସ୍ଥା ହୋଇଛି। ସୁତରାଂ, ବିହିତ ଓ ତ୍ବରିତ ପଦକ୍ଷେପ ନ ନେଇ ବିଭାଗୀୟ ମନ୍ତ୍ରୀ ଓ କମ୍ପାନିର ପରିଚାଳକମାନେ କେବଳ ଶ୍ରୁତିମଧୁର ଭାଷଣ ଦେଇଦେଲେ କର୍ମଚାରୀ ଓ ଗ୍ରାହକମାନଙ୍କର ବି.ଏସ.ଏନ.ଏଲ. ପ୍ରତି ଆସ୍ଥା ପୁନଃ ପ୍ରତିଷ୍ଠିତ ହୋଇପାରିବ ନାହିଁ ଏବଂ ଏହାର ପୁନରୁଦ୍ଧାର ପ୍ରସ୍ତାବଟି ଫଳପ୍ରସୂ ହେବନାହିଁ।

ବଜାର ସ୍ଥିତି ଓ ପ୍ରତିଯୋଗିତାକୁ ଆଖିରେ ରଖି ଉନ୍ନତ ପ୍ରଯୁକ୍ତି, ଆବଶ୍ୟକ ଉପକରଣ, ଚାହିଦା ମୁତାବକ ସେବା ପ୍ରଦାନ, କର୍ମଚାରୀ ଓ ଶ୍ରମିକମାନଙ୍କର ବେତନ ପ୍ରଦାନ, ଘରୋଇ କମ୍ପାନି ପ୍ରତି ଅନୁକମ୍ପା ପ୍ରଦର୍ଶନରୁ ବିରତ ରହି ଦୁର୍ନୀତି ପ୍ରତି କଠୋର ଆଭିମୁଖ୍ୟ ପୋଷଣ କଲେ ଯାଇ ଟେଲିକମ ବଜାରରେ ବି.ଏସ.ଏନ.ଏଲ. ତାର ବିଶ୍ୱସନୀୟତା ଓ ପୂର୍ବ ଗୌରବ ଫେରି ପାଇ ପାରିବ।

ଫକିରାବାଦ, ଠାକୁର ପାଟଣା, କେନ୍ଦ୍ରାପଡ଼ା-୭୫୪୨୫୦
ମୋ- ୯୪୩୭୦୬୬୦୯୯

ସମ୍ବନ୍ଧିତ ଖବର