ଆମ ଜନ ପ୍ରତିନିଧିଙ୍କ ଗୁରୁତ୍ୱ

ଅରଣ୍ୟ ରୋଦନ - ବସନ୍ତ ଦାସ

ଭୁବନେଶ୍ବର ସହରରେ ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ବର୍ତ୍ତମାନର ସା˚ସ୍କୃତିକ ନଗର କଟକରେ ଓଡ଼ିଶାର ରାଜଧାନୀ ରହିଥିଲା। ସେ ସମୟରେ କଟକ ସହରରୁ କେତୋଟି ହାତଗଣତି ପତ୍ରପତ୍ରିକା ପ୍ରକାଶ ପାଉଥିଲା। ସେଥିମଧୢରେ ‘ବିଜୁଳି’ ନାମରେ ଗୋଟିଏ ସାପ୍ତାହିକ ଅନ୍ତର୍ଭୁକ୍ତ ଥିଲା। ସେତେବେଳେ ସମ୍ବାଦପତ୍ରରେ ପ୍ରକାଶିତ ଶିରୋନାମା (ହେଡି˚)କୁ ହକରମାନେ ରାସ୍ତାରେ ବଡ଼ପାଟିରେ ଡାକି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ। ହକରମାନଙ୍କ ଭିତରେ ତରାଇ ନାମରେ ଜଣେ ହକର ଥିଲେ। ସହରବାସୀଙ୍କ ମଧୢରେ ସେ ଖୁବ୍‌ ଜଣାଶୁଣା ଥିଲେ। ତରାଇଙ୍କ ପାଟି ଶୁଣି ବିଜୁଳି ପତ୍ରିକା କିଣିବାକୁ ଲୋକେ ଅପେକ୍ଷା କରୁଥିଲେ। ଥରେ ସେ ‘‘ବିଜୁଳି! ଶାସନ ଗଲାଣି ହୁଗୁଳି’’ ବୋଲି ଡାକି ଡାକି ଗଲାବେଳେ ସେକଥା କଟକରେ ଅବସ୍ଥାନ କରୁଥିବା ମୁଖ୍ୟ ଶାସନ ସଚିବ ବ୍ରହ୍ମଦେବ ମୁଖାର୍ଜୀଙ୍କ କାନରେ ପଡ଼ିଲା। ସେ ଏହାକୁ ହାଲୁକା ଭାବରେ ଗ୍ରହଣ କରି ନ ଥିଲେ ଏବ˚ ଭବିଷ୍ୟତରେ ଏପରି ନ ଡାକିବାକୁ ନିଜ କର୍ମଚାରୀଙ୍କ ଜରିଆରେ ତରାଇଙ୍କୁ ସତର୍କ କରି ଦେଇଥିଲେ। ଏଥିରେ ଡରି ନ ଯାଇ ତରାଇ ତାଙ୍କ ଡାକରେ ଆଉପଦେ ଯୋଡ଼ି ପୁଣି ଡାକିଲେ, ‘‘ବିଜୁଳି, ଶାସନ ଗଲାଣି ହୁଗୁଳି, ଏକଥା କହିବାକୁ ମନା କରିଛନ୍ତି ପୂଜ୍ୟ ବଙ୍ଗାଳୀ’’। ଘଟଣାଚକ୍ରରେ ଆଜି ମୁଖାର୍ଜୀ କିମ୍ବା ତରାଇ ଇହଜଗତରେ ନାହାନ୍ତି। ସେ କାଳର ଅନେକ ଲୋକ ମଧୢ ଆର ପୁରକୁ ଚାଲିଗଲେଣି। ହେଲେ ଆଜିର ଶାସନ ବ୍ୟବସ୍ଥାକୁ ଅନୁଧୢାନ କଲେ ତରାଇଙ୍କ ଡାକ ମନେ ପଡ଼ିଯାଉଛି।

ଆଜି ପ୍ରତ୍ୟେକ କ୍ଷେତ୍ରରେ ଶାସନ ବ୍ୟବସ୍ଥା ହୁଗୁଳି ଗଲାଣି। ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାର ବୁଝାଉଥିବା ମନ୍ତ୍ରୀମାନଙ୍କ ଭୂମିକା କ୍ରମେ ଗୌଣ ହୋଇଗଲାଣି। ସେମାନେ ଆଉ ନୀତି ନିର୍ଦ୍ଧାରଣ କରିବା ସ୍ଥିତିରେ ନାହାନ୍ତି। କୌଣସି ମନ୍ତ୍ରୀଙ୍କ ପାଖରୁ କ୍ୟାବିନେଟର ଅନୁମୋଦନ ନିମିତ୍ତ ପ୍ରସ୍ତାବ ଆରମ୍ଭ ହେଉଥିବାର ଦୃଷ୍ଟାନ୍ତ ଆଉ ଦେଖିବାକୁ ମିଳୁନାହିଁ। ଅପର ପକ୍ଷରେ ମନ୍ତ୍ରୀମାନେ କ୍ୟାବିନେଟ ବୈଠକର ଅନୁମୋଦନ ପାଇଁ ଆସୁଥିବା ପ୍ରସ୍ତାବ ଗୁଡ଼ିକୁ ବୈଠକରେ ପାଠ କରି ସେଥିରେ ଦସ୍ତଖତ କରି ଦେଉଥିବା କଥା ଶୁଣାଯାଉଛି। ନିଜ ଚଉକି ହରାଇବା ଭୟରେ ଏପରି ବ୍ୟବସ୍ଥାର ବିରୋଧ କରିବାକୁ କେହି ସାହସ କରିପାରୁ ନାହାନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥା ଲାଗି ଏହା ଶୁଭଙ୍କର ନୁହେଁ। ଯଦି ଏହା ଅଧିକ ଦିନ ଚାଲୁ ରହେ, ତେବେ ଗଣତନ୍ତ୍ରର ମଞ୍ଜ ଦୋହଲି ଯିବାର ଆଶଙ୍କା ରହିଛି। ପ୍ରଶାସକମାନଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ବିଶିଷ୍ଟ ପ୍ରଶାସକ, ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବଳରାମ ଶିବରମଣ ତାଙ୍କ ଆତ୍ମଜୀବନୀ ‘‘ବିଟର ସୁଇଟସ’’ରେ ଯାହା ଉଲ୍ଲେଖ କରିଛନ୍ତି ତାହା ପ୍ରଣିଧାନଯୋଗ୍ୟ। ସେ ଲେଖିଛନ୍ତି, ‘‘ଗାଁ ଗହଳିରେ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଇବା ଉଦ୍ଦେଶ୍ୟରେ ଶାସନ ବ୍ୟବସ୍ଥାକୁ ଉପଯୁକ୍ତ ମାର୍ଗଦର୍ଶନ ଦେଇ ପ୍ରଶାସକମାନଙ୍କୁ ଗୃହୀତ ନୀତିକୁ କାର୍ଯ୍ୟରେ ପରିଣତ କରିବାକୁ ପଡ଼ିବ। ଦେଶର ପ୍ରଚଳିତ ଆଇନକୁ କାର୍ଯ୍ୟକାରୀ କରିବା ସେମାନଙ୍କ ଦାୟିତ୍ବ। ଜନସାଧାରଣ ଓ ରାଜନୈତିକ ନେତୃତ୍ବ ଦ୍ବାରା ସୃଷ୍ଟି ହୋଇଥିବା ନିର୍ଦ୍ଦିଷ୍ଟ ମାର୍ଗରେ ପ୍ରଶାସକକୁ କାର୍ଯ୍ୟ କରିବାକୁ ପଡ଼ିବ। ରାଜନୈତିକ ନେତୃତ୍ବ ଦ୍ବାରା ବିଭିନ୍ନ ସମୟରେ ଘୋଷଣା କରାଯାଇଥିବା ଦେଶବାସୀଙ୍କର ଆଶା ଆକା˚କ୍ଷାକୁ ପୂରଣ କରିବା ନିମିତ୍ତ ପ୍ରଶାସକକୁ ନିର୍ଦ୍ଦିଷ୍ଟ ମାର୍ଗ ଖୋଜିବାକୁ ପଡ଼ିବ।’’ ମାତ୍ର ସମୟର ପରିବର୍ତ୍ତନ ସହିତ ଶିବରମଣଙ୍କ ଏହି ଉକ୍ତି ଏକ ପ୍ରକାର ଅଚଳ ହୋଇଗଲାଣି। ପ୍ରଶାସନିକ ବ୍ୟବସ୍ଥା ବଦଳି ଗଲାଣି। ଶାସନର ମୁଖ୍ୟ ଭାବରେ ଥିବା ଜନ ପ୍ରତିନିଧିମାନେ ଘଟଣାକ୍ରମରେ ପଛକୁ ଠେଲି ହୋଇଗଲେଣି। ଜନ ପ୍ରତିନିଧି ଓ ପ୍ରଶାସକମାନଙ୍କ ମଧୢରେ ସମ୍ପର୍କକୁ କେନ୍ଦ୍ର କରି ଜାରି କରାଯାଇଥିବା ‘‘ବୁକ୍‌ ସର୍କୁଲାର-୪୭’’ର ଧାରାକୁ ପାଳନ କରିବା ଅପେକ୍ଷା ଅଧିକ ଉଲ୍ଲ˚ଘନ କରାଯାଉଥିବାର ଅଭିଯୋଗ ଶୁଣିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ସ˚ସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି କରାଯାଇଥିବା (No.19064-OLA-77/90 GEN) ସର୍କୁଲାରରେ କୁହାଯାଇଥିଲା ଯେ ‘ଜନ ପ୍ରତିନିଧିମାନେ ଜନସାଧାରଣଙ୍କ ପ୍ରତି ଥିବା ସେମାନଙ୍କ କର୍ତ୍ତବ୍ୟ ପାଳନ ନିମିତ୍ତ ଅଙ୍ଗୀକାରବଦ୍ଧ ଥିବାରୁ ସେମାନଙ୍କ ପ୍ରତି ପ୍ରଶାସକମାନେ ଯଥୋଚିତ ସ˚ଭ୍ରମତା ପ୍ରଦର୍ଶନ କରିବା ସହିତ ସନ୍ତୋଷଜନକ ସହାୟତା ପ୍ରଦାନ କରିବା ହେଉଛି ସେମାନଙ୍କର (ପ୍ରଶାସକ) କର୍ତ୍ତବ୍ୟର ଏକ ଅଙ୍ଗ। ଏହି ନିର୍ଦ୍ଦେଶନାମା ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହିତ ପାଳିତ ହେବା ସହିତ ଏ ସମ୍ପର୍କରେ ପ୍ରଶାସକମାନଙ୍କ ବିରୋଧରେ କୌଣସି ଅଭିଯୋଗ ଆସିବାର ସମ୍ଭାବନା ଯେମିତି ସୃଷ୍ଟି ନ ହୁଏ, ତାହା ସରକାର ଆଶା କରନ୍ତି।’ ମାତ୍ର ବାସ୍ତବ କ୍ଷେତ୍ରରେ ଏହା କ’ଣ ନିଷ୍ଠାର ସହିତ କାର୍ଯ୍ୟକାରୀ ହେଉଛି ବୋଲି ଦୃଢ଼ତାର ସହିତ କୁହାଯାଇ ପାରିବ? କେତେକ କ୍ଷେତ୍ରରେ ଜିଲ୍ଲାପାଳମାନେ ବିଧାୟକଙ୍କୁ ସାକ୍ଷାତ ଦେଉନଥିବା ସମ୍ପର୍କରେ ଅଭିଯୋଗ ହେଉଛି। କୌଣସି ବିଷୟରେ ତଥ୍ୟ ମାଗିଲେ ଜନ ପ୍ରତିନିଧିମାନେ ଉତ୍ତର ପାଉ ନ ଥିବା ମଧୢ ଶୁଣାଯାଉଛି।

ପ୍ରଶାସକମାନେ ଜନ ପ୍ରତିନିଧିମାନଙ୍କ ପ୍ରତି କିପରି ଅବଜ୍ଞା ଭାବ ପ୍ରଦର୍ଶନ କରୁଛନ୍ତି ତାହା ଦୁଇଟି ଘଟଣାରୁ ସ୍ପଷ୍ଟ ଜଣାପଡ଼େ। ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୯୭୯ ବ୍ୟାଚ ଓଡ଼ିଶା କ୍ୟାଡରର ଆଇ.ଏ.ଏସ୍‌ ଅଫିସର ଡକ୍ଟର ହୃଷିକେଶ ପଣ୍ତାଙ୍କର କେତେକ ଆପତ୍ତିଜନକ ଆଚରଣ ସମ୍ପର୍କରେ ରାଜ୍ୟ ବିଧାନସଭାରେ ଦୀର୍ଘ ନଅ ଘଣ୍ଟା କାଳ ଆଲୋଚନା କରାଯାଇ ଘଟଣାର ଅନୁସନ୍ଧାନ କରୁଥିବା କମିଟି ଆଗରେ ଉପସ୍ଥିତ ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଡ. ପଣ୍ତା କମିଟି ଆଗରେ ଉପସ୍ଥିତ ହେବା ପରିବର୍ତ୍ତେ ଏକ ଚିଠି ଲେଖି ତାଙ୍କ କର୍ତ୍ତବ୍ୟ ଶେଷ କରିଥିଲେ। ସେହିପରି ୧୯୮୨ ବ୍ୟାଚ୍‌ର ଆଉ ଜଣେ ଆଇ.ଏ.ଏସ୍‌ ଟପ୍ପର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ତାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ କରୁଥିବା ଓଡ଼ିଶା ବିଧାନସଭାର ଏକ ଗୃହ କମିଟି ନିର୍ଦ୍ଦେଶର ଅବଜ୍ଞା କରିବାକୁ ସାହସ କରିଥିଲେ। ସେ କହିଥିଲେ ଯେ ଯଦି ସରକାରୀ ନିର୍ଦ୍ଦେଶନାମା ଯଥାର୍ଥ ନୁହେଁ ବୋଲି ସେ ଉପଲବ୍‌ଧି କରନ୍ତି, ତେବେ ସବୁ ସରକାରୀ ଆଦେଶକୁ ମାନିବାକୁ ସେ ବାଧୢ ନୁହନ୍ତି। ଖୋଜି ବସିଲେ ଏପରି ଉଦାହରଣ ଅନେକ ମିଳିବ।
କୁହାଯାଏ ଯେ ଏଭଳି ଧାରା ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ଶାସନ ସଚିବ ଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ଠାରୁ। ସେ ଓ ତାଙ୍କ ଅନୁଗତ ନଅ ଜଣ ଅଫିସରଙ୍କ ଏକ ଗୋଷ୍ଠୀକୁ କ୍ଷମତା ଅଳିନ୍ଦରେ ‘ନବରତ୍ନ’ ବୋଲି ଡକାଯାଉଥିଲା। କୁହାଯାଏ ଯେ ବିଭାଗୀୟ ମନ୍ତ୍ରୀମାନଙ୍କୁ ଗୁରୁତ୍ବ ପ୍ରଦାନ ନ କରିବା ଏମାନଙ୍କ ଠାରୁ ଆରମ୍ଭ ହୋଇଥିଲା। କିନ୍ତୁ ଏମାନଙ୍କ ଏତାଦୃଶ ମନୋଭାବରୁ ସୃଷ୍ଟ ପରିସ୍ଥିତି ବିଷୟରେ ଜାଣିଲା ପରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କର ବିଖ୍ୟାତ ‘ମାଡ଼ତତ୍ତ୍ବ’ର ଘୋଷଣା କରିଥିଲେ। ଜନସାଧାରଣଙ୍କୁ ଆହ୍ବାନ କରି ସେ କହିଥିଲେ ଯେ ଯେଉଁ ପ୍ରଶାସକମାନେ ଜନସାଧାରଣଙ୍କ କାମ କରୁନାହାନ୍ତି କିମ୍ବା ସେଥିରେ ବାଧା ସୃଷ୍ଟି କରୁଛନ୍ତି, ସେମାନଙ୍କୁ ମାଡ଼ ଦିଅ। ତେବେ ଏ ପରାମର୍ଶଟି କେତେ ଦୂର ବାସ୍ତବ ଥିଲା, ତାହା ଜଣାନାହିଁ; ତଥାପି ଏହା ସୂଚାଉଥିଲା ଯେ ତାଙ୍କ ଧାରଣାରେ ଜନ ପ୍ରତିନିଧିମାନଙ୍କ କାର୍ଯ୍ୟରେ ଅଫିସରମାନେ ଅଯଥା ବାଧା ସୃଷ୍ଟି କରିଥାଆନ୍ତି।

ଗତ କିଛିବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଜନହିତକର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମାତ୍ର ପ୍ରଶାସନିକ କଳର ଉଦାସୀନ ମନୋଭାବ ଯୋଗୁ ସେସବୁ କାର୍ଯ୍ୟରେ ରୂପାନ୍ତରିତ ହୋଇ ପାରିନାହିଁ। ଅଷ୍ଟମ ଦଶନ୍ଧିରେ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଯେଉଁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଥିଲେ, ବିଭିନ୍ନ କାରଣରୁ ତାହା ଦୀର୍ଘ କାଳ ହେଲା କାର୍ଯ୍ୟକାରୀ ହୋଇପାରି ନ ଥିଲା। ସୁଖର କଥା, ନବୀବ ବାବୁ ସେଥିପାଇଁ ବିଧିବଦ୍ଧ ଆଇନ ପ୍ରଣୟନ କରିବା ସହିତ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦୃଢ଼ ଘୋଷଣା କରିଛନ୍ତି। ରାଜ୍ୟର ଦୋକାନ ଓ ବ୍ୟବସାୟ କେନ୍ଦ୍ରମାନଙ୍କର ନାମ ସେଠାରେ ଲାଗିଥିବା ସାଇନ ବୋର୍ଡରେ ଓଡ଼ିଆ ଭାଷାରେ ଲେଖିବାକୁ ସେ ବାଧୢତାମୂଳକ ବୋଲି ଘୋଷଣା କରିଥିଲେ ମଧୢ ତାହା କୌଣସି ଫଳ ଦେଖାଇନାହିଁ। ଆଇନ କାର୍ଯ୍ୟାନୁଷ୍ଠାନ କରିବାରୁ କ୍ଷାନ୍ତ ରହିଛି। ସରକାରୀ ସ୍ତରରେ ଗୃହୀତ ଅନେକ ନିଷ୍ପତ୍ତିକୁ ଯଥୋଚିତ ଗୁରୁତ୍ବ ପ୍ରଦାନ କରାଯାଉନାହିଁ। ସେହିପରି ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ଓଡ଼ିଆ ଭାଷା ପ୍ରତିଷ୍ଠାନ, ବିଭିନ୍ନ ଏକାଡେମୀର କର୍ମକର୍ତ୍ତା ମନୋନୟନ ଭଳି ଅନେକ ପ୍ରସଙ୍ଗ ଅଜଣା କାରଣରୁ ଅଧାରେ ଅଟକି ଯାଇଛି। ଏସବୁ ଦିଗ ପ୍ରତି ହୁଏତ ପ୍ରଶାସକମାନଙ୍କର ଦୃଷ୍ଟି ପଡ଼ୁନାହିଁ କିମ୍ବା ସେମାନେ ଜାଣିଶୁଣି ଚୁପ୍‌ ହୋଇ ବସିଛନ୍ତି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମର୍ଯ୍ୟାଦା ମିଳିବା ପରେ ତିନି ବର୍ଷ ପୂରିଗଲାଣି। ଏହି ଘୋଷଣା ପରେ ଓଡ଼ିଶାରେ ସର୍ବତ୍ର ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଥିଲା। ମାତ୍ର ଏହା ପରେ ଭାଷାର ବିକାଶକୁ ନେଇ ଯେଉଁ ସବୁ କାର୍ଯ୍ୟ କରାଯିବ ବୋଲି ଆଶା କରାଯାଉଥିଲା, ସେ ସବୁ ପ୍ରାୟତଃ ଅଟକି ଯାଇଛି। ସେହିପରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ଉଦ୍ୟମ ଅଧାରୁ ଅଟକି ଯାଇଛି। ଶାସନ କଳ ଯଦି ହୁଗୁଳି ଯିବ, ତେବେ ତାହା ଓଡ଼ିଆ ଭାଷା, ସାହିତ୍ୟ ଓ ସ˚ସ୍କୃତି ପ୍ରତି ଯେ ନିଶ୍ଚିତ ଭାବରେ ବିପଦ ସୃଷ୍ଟି କରିବ ସେଥିିରେ ସନ୍ଦେହ ନାହିଁ।

ଗତ ତିନି ମାସ ମଧୢରେ ରାଜ୍ୟବାସୀ ଯେଉଁ ଦୁଇଟି ବିପର୍ଯ୍ୟୟର ସାମନା କରିଛନ୍ତି ସେଥିରେ ସେମାନେ ସେମାନଙ୍କ ପ୍ରତିନିଧିମାନଙ୍କର ସାହଚର୍ଯ୍ୟ ଆଶା କରିଥିଲେ। କିନ୍ତୁ ସେମାନଙ୍କର ସେ ଆଶା କେବଳ ଆଶାରେ ହିଁ ରହିଗଲା। ପ୍ରବାସରୁ ଫେରିଥିବା ପାଞ୍ଚଲକ୍ଷ ଓଡ଼ିଆଙ୍କୁ ଦୟନୀୟ ଭାବରେ ହୁଗୁଳି ଯାଇଥିବା ସରକାରୀ କଳ ଉପରେ ନିର୍ଭର କରି ଅକଥନୀୟ ଯାତନା ଭୋଗିବାକୁ ପଡ଼ିଲା। ନିଜ ଲୋକଙ୍କ ପାଖରୁ ଆଶ୍ବାସନାର ବାଣୀଟିଏ ସେମାନେ ଶୁଣିବାକୁ ପାଇଲେ ନାହିଁ। ଜନ ପ୍ରତିନିଧିମାନଙ୍କ ନିରବତା ଯୋଗୁ କରୋନାର ମୁକାବିଲା କ୍ଷେତ୍ରରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାହାରିଲାଣି। ଏ ପରିପ୍ରେକ୍ଷୀରେ ଜନ ପ୍ରତିନିଧିମାନେ ନିଜ ସ୍ଥିତିକୁ ଦୃଢ଼ କରିବା ସହିତ ହୁଗୁଳା ଶାସନକୁ ପୁଣି ଗୁଳାରେ ପକାଇବା ପାଇଁ ଉଦ୍ୟମ ନ କଲେ ଭବିଷ୍ୟତରେ ସେମାନଙ୍କୁ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯିବା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ।

ମୋ:୯୪୩୭୩୮୬୮୭୦

ସମ୍ବନ୍ଧିତ ଖବର