ସଭ୍ୟତା କୂଳର ସୁପୁରୁଷ

ଭାଗୀରଥି ମହାସୁଆର

‘ମନୁଷ୍ୟ ଜାତିର ଆତ୍ମକାହାଣୀ’ ଲେଖୁ ଲେଖୁ ସୁପ୍ରସିଦ୍ଧ ଲେଖକ ଓ୍ୱିଲ୍‌ ଡୁରାଣ୍ଟ ଯେଉଁ ଲେଖା ସବୁ ୩୩ ବର୍ଷ କାଳ ଲେଖିଲେ, ତାହା ଏକ ଧାରାବାହିକ ପୁସ୍ତକରେ ପରିଣତ ହେଲା, ଯାହାର ନାମ ଥିଲା ‘ସଭ୍ୟତାର କାହାଣୀ’। ସେଥିରେ ସେ ସଭ୍ୟତାର ଯେଉଁ ସ˚ଜ୍ଞା ଦେଇଥିଲେ, ତାହାଠୁ ଆକର୍ଷକ ସ˚ଜ୍ଞା ଅନ୍ୟ କେହି ଦେଇନାହାନ୍ତି। ତାଙ୍କ ମତରେ ସଭ୍ୟତା ଏକ ପ୍ରବହମାନ ନଦୀ, ଯାହାର ଦୁଇଟି କୂଳ ଥାଏ। ନଦୀସ୍ରୋତର ଘଟଣାବଳୀ ଓ କୂଳର ଘଟଣାବଳୀ ପ୍ରାୟତଃ ପୃଥକ୍‌। ହତ୍ୟା, ଲୁଣ୍ଠନ, ଗୁଳିକାଣ୍ତ, ହି˚ସା, ଯୁଦ୍ଧ ଇତ୍ୟାଦି ରକ୍ତାକ୍ତ ଘଟଣାଗୁଡ଼ିକ ସ୍ରୋତରେ ଭାସି ଯାଆନ୍ତି ଏବ˚ ବିଲକ୍ଷଣ ଦୃଶ୍ୟ ହୋଇଥିବାରୁ ସେଗୁଡ଼ିକ ଇତିହାସରେ ଲିପିବଦ୍ଧ ହୋଇଯାଆନ୍ତି। କିନ୍ତୁ କୂଳନିବାସୀମାନେ ଚୁପ୍‌ଚାପ୍‌ ଘର ଗଢ଼ୁଥାଆନ୍ତି, ପ୍ରେମ କରନ୍ତି, ସନ୍ତାନ ପାଳନ କରନ୍ତି, ଗୀତ ଗାଆନ୍ତି, କବିତା ରଚନା କରନ୍ତି ଓ କୀର୍ତ୍ତି ସ୍ଥାପନା କରୁଥାଆନ୍ତି। ସହର ଓ ଗାଁ କୂଳ ସକାଶେ ହୁଏ। ସ୍ରୋତ ଏ ସବୁ ସ୍ଥାପନ କରିପାରେ ନାହିଁ। ଐତିହାସିକମାନେ ଏ ସବୁକୁ ସ୍ବାଭାବିକ ମନେ କରି ଲିପିବଦ୍ଧ କରନ୍ତି ନାହିଁ; ମାତ୍ର ସ୍ରୋତରେ ଭାସିଯାଉଥିବା ଘଟଣାଗୁଡ଼ିକୁ ଇତିହାସରେ ମୁଖ୍ୟ ସ୍ଥାନ ଦିଅନ୍ତି। ଡୁରାଣ୍ଟ୍‌ କହନ୍ତି ଯେ ଏହା ଏକ ନାସ୍ତିକ ଚିନ୍ତାଧାରା। ପ୍ରକୃତ ‘ସଭ୍ୟତା’ ହେଲା କୂଳର କାହାଣୀ, ସ୍ରୋତର କାହାଣୀ ନୁହେଁ।

ଏହି ପ୍ରତିଭାଦୀପ୍ତ ଜ୍ଞାନୀ ମହାତ୍ମା ଗାନ୍ଧୀଙ୍କୁ ଦେଖିଥିଲେ, ତାଙ୍କ ସହିତ ମିଶିଥିଲେ ଓ ତାଙ୍କୁ ଅନୁଧୢାନ କରିଥିଲେ। ସଭ୍ୟତାର ଚମତ୍କାର ବିଶ୍ଳେଷଣ କଲା ଭଳି ସେ ଗାନ୍ଧୀଜୀଙ୍କର ମୂଲ୍ୟାୟନ କରିଥିଲେ। ତାଙ୍କୁ କୂଳରେ ପ୍ରତିଷ୍ଠା କରିଥିଲେ, ସ୍ରୋତରେ ଭସାଇ ଦେଇ ନ ଥିଲେ। ସେ ସ୍ବୀକାର କରିଥିଲେ ଯେ ସେ ହେଉଛନ୍ତି ବତିଶ କୋଟି ଭାରତୀୟଙ୍କର ଉଭୟ ଆଧୢାତ୍ମିକ ଓ ରାଜନୈତିକ ଗୁରୁ। ଜନସାଧାରଣ ତାଙ୍କ ସହ ଏପରି ଆନୁଗତ୍ୟ-ଆବଦ୍ଧ ଥିଲେ ଯେ, ତାଙ୍କର ତୁଳନା କେବଳ ବୁଦ୍ଧଙ୍କୁ ନେଇ କରାଯାଇପାରେ। ବୁଦ୍ଧ ଓ ଗାନ୍ଧୀଙ୍କ ମଝିରେ ଭାରତୀୟ ଆତ୍ମାର ଆକର୍ଷଣ ଆଉ କେହି ଏତେ ପରିମାଣରେ ଲାଭ କରି ନ ଥିଲେ। ଅବଶ୍ୟ ସାମାଜିକ ବିଜୟ ମିଳିଥିଲା ଶଙ୍କରଙ୍କୁ। କିନ୍ତୁ ଶଙ୍କରାଚାର୍ଯ୍ୟ ଆବଦ୍ଧ ରହିଯାଇଥିଲେ ସମକାଳୀନ ଜ୍ଞାନୀ ଓ ଧର୍ମାତ୍ମାମାନଙ୍କ ମଧୢରେ। ସାଧାରଣ ଜନତାଙ୍କ ନିକଟରେ ତାଙ୍କର ପହଞ୍ଚ ବା ପରିଚୟ ନ ଥିଲା। ସେମାନେ ଶଙ୍କରଙ୍କ ଦ୍ବାରା କୌଣସି ଦୃଷ୍ଟିରୁ ପ୍ରଭାବିତ ହୋଇ ନଥିଲେ। ଏଣୁ ବୁଦ୍ଧ ଯଦି ଧର୍ମପ୍ରଚାରକ ଥିଲେ, ଗାନ୍ଧୀ ମଧୢ ମାନବ ଧର୍ମର ପ୍ରବକ୍ତା ଥିଲେ। ଯଦି ବୁଦ୍ଧ ଅବତାର ଥିଲେ, ତେବେ ଗାନ୍ଧୀ ମଧୢ ଯୁଗପୁରୁଷ। ପୁଣି ଆଉ ଜଣେ ଏପରି ଜାତ ହେବା ପାଇଁ ସହସ୍ରାବ୍ଦୀ ଅବଧି ନିଅଣ୍ଟ ପଡ଼ିବ। ଉଭୟଙ୍କର କୀର୍ତ୍ତି ସଭ୍ୟତାର କୂଳରେ ପ୍ରତିଷ୍ଠିତ ରହିବ, ସ୍ରୋତରେ ଭାସିଯିବ ନାହିଁ।

ଜନ୍‌ ଗୁଣ୍ଟରଙ୍କ ମତରେ ଗାନ୍ଧୀଜୀ ନିଜ ପରିଚୟ ‘ହିନ୍ଦୁ’ ବୋଲି ସ୍ବୀକାର କରିଥିଲେ। ଏତିକି ନ କରିଥିଲେ ସେ ପ୍ରକୃତରେ କେଉଁ ଧର୍ମର ସାବ୍ୟସ୍ତ କରିବା କଠିନ ହୋଇଥାନ୍ତା। ତାଙ୍କ ଜୀବନଚର୍ଯ୍ୟାକୁ ଯେ କୌଣସି ଧର୍ମ ଖୁସିରେ ପସନ୍ଦ କରିବ। ଧର୍ମ ନିରପେକ୍ଷତା ଶବ୍ଦଟିର ମୂଳ ଆବିଷ୍କର୍ତ୍ତା ଯେ ହେଉନା କାହିଁକି, ନିଜ ଜୀବନରେ ଏହାର ପ୍ରାୟୋଗିକ ଅବଲମ୍ବନ କରିଥିଲେ ପ୍ରଥମ ପ୍ରମୁଖ ବ୍ୟକ୍ତିତ୍ବ ଗାନ୍ଧୀଜୀ। ଏ ପ୍ରସଙ୍ଗରେ ଏକ ଘଟଣା ଆଲୋଚନା କରାଯାଇପାରେ। ସ୍ବାଧୀନତା ପୂର୍ବରୁ ହିନ୍ଦୁ ଓ ମୁସଲମାନଙ୍କ ମଧୢରେ ଅବାଞ୍ଛିତ ଭୟଙ୍କର ସ˚ଘର୍ଷ ହୋଇଥିଲା। ମୁସଲମାନ (ମୋପ୍‌ଲା)ମାନେ ଅସ˚ଖ୍ୟ ନିରସ୍ତ୍ର ହିନ୍ଦୁଙ୍କୁ ହତ୍ୟା କରିଥିଲେ। ଠିକ୍‌ ପରେ ପରେ ହତ୍ୟାକାରୀମାନଙ୍କ ଅଞ୍ଚଳରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ହିନ୍ଦୁ ଗାନ୍ଧୀ ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କଠାରୁ ପ୍ରଚୁର ଚାନ୍ଦା ସ˚ଗ୍ରହ କରି ସେମାନଙ୍କୁ ସାହାଯ୍ୟ କରିଥିଲେ। ଏଥିପାଇଁ ହିନ୍ଦୁମାନେ ଗାନ୍ଧୀଜୀଙ୍କ ପ୍ରତି ରୁଷ୍ଟ ହେବା ସ୍ବାଭାବିକ ଥିଲା। କିନ୍ତୁ ହିନ୍ଦୁମାନେ ନଦୀ କୂଳର ସଭ୍ୟତା; ଏଣୁ ଗାନ୍ଧୀଜୀଙ୍କ ମୃତ୍ୟୁ ଚିନ୍ତା କରି ନ ଥିଲେ। ତେବେ ପୁଣି କ’ଣ ହେଲା? ତାଙ୍କ ଆତତାୟୀ ହେଲା ଜଣେ ହିନ୍ଦୁ! ଗାନ୍ଧୀଙ୍କ ହତ୍ୟା ହିନ୍ଦୁଧର୍ମର ଆଭ୍ୟନ୍ତରୀଣ ବ୍ୟାପାର ଭାବେ ବାହାରେ ଚିତ୍ରିତ ହୋଇଗଲା। ଯେ କୌଣସି ହିନ୍ଦୁ ପାଇଁ ଏହା ଦୁଃଖଦ। କାରଣ ହିନ୍ଦୁମାନେ ଏପରି ଚାହିଁ ନ ଥିଲେ। ହତ୍ୟାକାରୀ ବିରୋଧରେ ହିନ୍ଦୁମାନେ ଆନ୍ତରିକ ଭାବରେ ସ୍ବର ଉତ୍ତୋଳନ କରିଥିଲେ।

ଓଲଟ ଦିଗରୁ ଏହାର ତର୍ଜମା ହୋଇନାହିଁ। ଗାନ୍ଧୀଜୀଙ୍କୁ ଅଣହିନ୍ଦୁମାନେ ଆପଣାର ବୋଲି ବିଶ୍ବାସକୁ ନେଇଥିଲେ କି? ଗାନ୍ଧୀ ଜଣେ ହିନ୍ଦୁ ଏବ˚ ହିନ୍ଦୁମାନେ ସ୍ବାଧୀନ ଭାରତରେ ସେ ଯାହା କହିବେ, ତାହା କରିବେ ବୋଲି ଏକ ଅପବିଶ୍ବାସ ଚରି ଯାଇଥିଲା ଅଣହିନ୍ଦୁମାନଙ୍କ ମଧୢରେ। ତେଣୁ ସେମାନେ ସନ୍ଦେହ କଲେ ଯେ ସ୍ବାଧୀନ ଭାରତରେ ସେମାନେ ନ୍ୟୂନ ରହିବେ। ଏହାର ଏକ ପ୍ରତିକ୍ରିୟା ହେଲା ପାକିସ୍ତାନ ବିଭାଜନର ଯୋଜନା। ଏ ବିଭାଜନରେ ହିନ୍ଦୁ ବିଭାଜିତ ହେଲେ ନାହିଁ। ବିଭାଜିତ ହେଲେ ମୁସଲମାନ ଓ ଏ ଯଜ୍ଞରେ ପୌରୋହିତ୍ୟ କଲେ ସମକାଳୀନ ଉପନିବେଶବାଦୀ ଶାସକ। ଗାନ୍ଧୀଜୀ ବିଭାଜନକୁ ବିରୋଧ କରୁଥିଲେ ଓ ବିଭାଜନ ପାଇଁ ଦୁଃଖିତ ଥିଲେ। କିନ୍ତୁ ପାକିସ୍ତାନ ଏକ ଦେଶ ନୁହେଁ, ଏକ ମାନସିକତା ବୋଲି ଆକଳନ କରିପାରି ନ ଥିଲେ। ତେଣୁ ସ୍ରୋତ ପ୍ରବାହିତ ଘଟଣାବଳୀ ବା ତା’ର ପ୍ରତିକ୍ରିୟା ସମୂହ ପାଇଁ ତାଙ୍କୁ ଦାୟୀ କରାଯାଇ ପାରିବ ନାହିଁ। କାରଣ, ସେ ସଭ୍ୟତା ଅନ୍ତର୍ଭୁକ୍ତ କୂଳର ମଣିଷ; ଯଦିଚ ସ୍ରୋତ କୂଳ ଲ˚ଘି ତାଙ୍କୁ ଭସାଇ ନେଇଥିଲା।

ଗାନ୍ଧୀଜୀ ଜଣେ ଆଦର୍ଶବାଦୀ ଥିଲେ। ତାଙ୍କୁ ବାସ୍ତବବାଦୀ କହିବା କଷ୍ଟ; ଯଦିଚ ଏ ଅପଚେଷ୍ଟା ଅନେକ ବୁଦ୍ଧିମାନ୍‌ ବ୍ୟକ୍ତି କରିଛନ୍ତି। ସେ ସନ୍ଥ ହୋଇ ବିପ୍ଳବ କରିଥିଲେ; ଯଦିଚ ବିପ୍ଳବୀମାନେ ସଚରାଚର ସନ୍ଥମାନଙ୍କୁ ହେୟଜ୍ଞାନ କରନ୍ତି। କିନ୍ତୁ ଭାରତ ଆଦିମ କାଳରୁ ସନ୍ଥ ପ୍ରିୟ। ତେଣୁ ଗାନ୍ଧୀଙ୍କୁ ଉଭୟ ନେତା ଓ ଦେବତା ବୋଲି ସ୍ବୀକାର କରାଯାଇଥିଲା। ଏ ସ୍ବୀକୃତି କେବେ ବି ବ୍ୟାହତ ହେବନାହିଁ। ସାମୟିକ ଭାବରେ କିଛି ସନ୍ଥଦ୍ରୋହୀ ଉଦ୍‌ଭ୍ରାନ୍ତ ମନୁଷ୍ୟ ଜନ୍ମ ନେଇ ପାରନ୍ତି। କିନ୍ତୁ ସେମାନେ ସ୍ରୋତରେ ଭାସିଯିବେ, କୂଳରେ ତିଷ୍ଠି ପାରିବେ ନାହିଁ। ଏଣୁ ଗାନ୍ଧୀଜୀ ଅମର ରହିବେ।

ଗାନ୍ଧୀଜୀଙ୍କର ପୁନଃ ଅର୍ଥୀକରଣ ଆବଶ୍ୟକ। ଆଜି ପ୍ରତ୍ୟହ ଘରେ ବସି ଚରଖାରେ ସୂତା କାଟିଲେ ଚଳିବ ନାହିଁ। କାରଣ ସଭ୍ୟତାର ଲକ୍ଷଣ ହେଲା କୌଣସି ନିର୍ଦ୍ଦିଷ୍ଟ ଯୁଗରେ ଆବଦ୍ଧ ନ ରହିବା। ଏଣୁ ଚରଖାକୁ ଏକ ସାଙ୍କେତିକ ଅର୍ଥରେ ବ୍ୟବହାର କରିବାକୁ ହେବ। ଏ ସଙ୍କେତର ଅର୍ଥ ଅର୍ଥନୈତିକ ସ୍ବାବଲମ୍ବନଶୀଳତା। ନିଜ ପାଇଁ ନିଜେ ଆୟ କରିବା ଓ ନିଜ ପରିସରରେ ନିଜେ ଉତ୍ପାଦନ କରିବା ହିଁ ଚରଖାର ସଙ୍କେତ। ଏହା କଲେ ହିଁ ଆମେ ଗାନ୍ଧୀବାଦୀ ହୋଇ ପାରିବା। କେବଳ ଚରଖାରେ ସୂତାକାଟି ଲୋକଙ୍କୁ ପ୍ରଦର୍ଶନୀ ପରି ଦେଖାଇଲେ କେହି ଗାନ୍ଧୀବାଦୀ ହୋଇପାରିବ ନାହିଁ। ସେ ଗଣ ସମାଲୋଚନାର ଶିକାର ହେବ, ଏବେ ଯେମିତି ଗାନ୍ଧୀଟୋପି ଲଗାଇବା ଲୋକେ ତାଚ୍ଛଲ୍ୟର ଶରବ୍ୟ ହେଉଛନ୍ତି।
ଗାନ୍ଧୀଜୀ ଧର୍ମର ନୂତନ ଅର୍ଥାନ୍ତର କରି ସଚ୍ଚା ଧାର୍ମିକ ହୋଇଥିଲେ। ସେମିତି ତାଙ୍କ ପ୍ରଚାରିତ ତତ୍ତ୍ବକୁ ନୂତନ ବାସ୍ତବ ଅର୍ଥ ଦେଇ କାର୍ଯ୍ୟକାରୀ କଲେ ଆମେ ଗାନ୍ଧୀବାଦୀ ହୋଇପାରିବା। ତାଙ୍କର ନିଧନ ଜଣେ ଭାରତୀୟ ହାତରେ ହୋଇଥିଲା। ଏହାର ଆଦୌ ଗୁରୁତ୍ବ ନାହିଁ। ଏହା ଏକ ଅନାପେକ୍ଷିତ ନିନ୍ଦନୀୟ ଘଟଣା ଥିଲା ଯାହା ସହିତ ଦେଶ ବା ଧର୍ମର ସମ୍ପର୍କ ନାହିଁ। ତୁଳନାକ୍ରମେ ଦେଖିଲେ ଯୀଶୁଖ୍ରୀଷ୍ଟଙ୍କୁ ହତ୍ୟା କରିବାକୁ ବିଦେଶରୁ ଲୋକ ଆମଦାନି ହୋଇ ନଥିଲେ। ତାଙ୍କରି ଦେଶବାସୀ ହିଁ ଏପରି କାଣ୍ତ କରିଥିଲେ। ଏଣୁ ଗାନ୍ଧୀଙ୍କ ହତ୍ୟା ତାଙ୍କୁ ଖ୍ରୀଷ୍ଟୋପମ କରିଦେଇଥିଲା।

କାର୍ଯ୍ୟକାରୀ ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ
ମୋ-୭୭୩୫୫୦୭୯୫୧

ସମ୍ବନ୍ଧିତ ଖବର