ନିର୍ଦ୍ବନ୍ଦ୍ବରେ ଆଧୁନିକ କାଳର ଦୁଇ ମହାନ୍‌ ବଙ୍ଗୀୟ ହେଲେ- ସ୍ବାମୀ ବିବେକାନନ୍ଦ ଏବ˚ ରବୀନ୍ଦ୍ରନାଥ ଟାଗୋର। ଏବେ ବି ନିଜର ପ୍ରଦେଶ, ଦେଶ ଓ ବିଶ୍ବରେ ଦୁହିଁଙ୍କର ଉଲ୍ଲେଖନୀୟ ପ୍ରଭାବ ଅଛି। ଦୁହେଁ ଥିଲେ ପ୍ରାୟତଃ ସାମସମୟିକ ଏବ˚ ଦୁହେଁ କଲକାତାର ଆଖ-ପାଖରେ ହିଁ ରହୁଥିଲେ। ପରସ୍ପରର କାର୍ଯ୍ୟ ବାବଦରେ ଦୁହେଁ ଭଲ ଭାବେ ଅବଗତ ଥିଲେ ବୋଲି ନିଃସନ୍ଦେହରେ କହାଯାଇପାରେ। ତେବେ, ସେମାନଙ୍କର ମାତ୍ର ଥରଟିଏ ସାକ୍ଷାତ୍‌ ହୋଇଥିଲା। ୧୮୯୯ ଜାନୁଆରିରେ ଆମେରିକାନ୍‌ କନ୍‌ସଲ୍‌ ଜେନ୍‌ରଲ୍‌ଙ୍କ ପତ୍ନୀ ଦେଇଥିବା ଚାହା ଭୋଜି ଆସରରେ ସେମାନେ ପରସ୍ପରକୁ ଭେଟିଥିଲେ।

Advertisment

ଆଜିର ଏହି ସ୍ତମ୍ଭ ଜଣେ ଉଲ୍ଲେଖନୀୟ ସ୍କଟ୍‌ଙ୍କ ଉପରେ, ଯାହାଙ୍କର, ଉଭୟ ବିବେକାନନ୍ଦ ଏବ˚ ରବୀନ୍ଦ୍ରନାଥଙ୍କ ସହ ବନ୍ଧୁତା ଥିଲା। ତାଙ୍କ ନାମ- ପାଟ୍ରିକ୍‌ ଗେଡିସ୍‌। ସେ ନିଜ ସମୟର ବିଶ୍ବ ପ୍ରସିଦ୍ଧ ପରିବେଶ ବିଶେଷଜ୍ଞ ଓ ନଗର ଯୋଜନାକାରୀ ଥିଲେ ହେଁ କ୍ବଚିତ୍‌ କେହି ଉଚ୍ଚ-ଶିକ୍ଷିତ ବଙ୍ଗୀୟ, ତାଙ୍କ ବାବଦରେ ଜାଣିଥିବେ! ଏ ହେଉଛନ୍ତି ସେହି ମହାନ୍‌ ମଣିଷ, ଯାହାଙ୍କ ବାବଦରେ ରବୀନ୍ଦ୍ରନାଥ ଏକଦା କହିଥିଲେ- ‘ସେ ଜଣେ ସୂକ୍ଷ୍ମ ଚିନ୍ତନଶୀଳ ବିଜ୍ଞାନୀ ଏବ˚ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତିତ୍ବ। ଜଣେ ଶିଳ୍ପୀ ପରି, ତାଙ୍କ ଚିନ୍ତାଧାରା ସ୍ପଷ୍ଟ।’

‘ଏଡିନ୍‌ବରା ୟୁନିଭର୍ସିଟି ପ୍ରେସ୍‌’ ପକ୍ଷରୁ ପ୍ରକାଶିତ, ଐତିହାସିକ ମର‌୍‌ଡୋ ମ୍ୟାକ୍‌ଡୋନାଲ୍‌ଡଙ୍କ ନୂଆ ବହି- ‘ପାଟ୍ରିକ୍‌ ଗେଡିସ୍‌ସ ଇନ୍‌ଟେଲେକ୍‌ଚୁଆଲ୍‌ ଅରିଜିନ୍‌ସ’ରେ ଏହା ଉଲ୍ଲେଖିତ। ମ୍ୟାକ୍‌ଡୋନାଲ୍‌ଡ ନିଜ ପୁସ୍ତକରେ, ଗେଡିସ୍‌ଙ୍କର ଜ୍ଞାନର ଅନ୍ତଃ-ଶୃଙ୍ଖଳା ଦିଗ ଉପ‌େର ଆଲୋକପାତ କରିଛନ୍ତି। ସେ ଏକ ସଙ୍ଗେ ଉଦ୍ଭିଦ ବିଜ୍ଞାନୀ, ପରିବେଶବିତ୍‌, ସମାଜ ବିଜ୍ଞାନୀ ଏବ˚ ପେସାଦାର ନଗର ଯୋଜନାକାରୀ। ତାଙ୍କ ପେସାରେ, ତାଙ୍କ ବିବିଧ-ବିସ୍ତାରିତ ଜ୍ଞାନ ପରିସରର ବୈଶିଷ୍ଟ୍ୟଗୁଡ଼ିକ ସ˚ଶ୍ଳେଷିତ। ବିଜ୍ଞାନୀ ଓ ସମାଜ ବିଜ୍ଞାନୀମାନେ ସାଧାରଣତଃ କଳ୍ପନା ରାଇଜରୁ ଦୂରେଇ ରହନ୍ତି। ତେବେ, ଗେଡିସ୍‌ ଦାର୍ଶନିକସୁଲଭ ବା କଳ୍ପନାପ୍ରବଣ ଥିଲେ।

ସ୍ବାମୀ ବିବେକାନନ୍ଦଙ୍କୁ ପାଟ୍ରିକ୍‌ ଗେଡିସ୍‌ ପ୍ରଥମ ଥର ପାଇଁ ୧୯୦୦ରେ ଆମେରିକାରେ ଭେଟିଥିଲେ। ସେତେ ବେଳେ ଦୁହେଁ ଉକ୍ତ ରାଷ୍ଟ୍ରରେ ଭ୍ରମଣ କରି ଭାଷଣ(ଲେକ୍‌ଚର୍‌) ଦେଉଥିଲେ। ସେହି ବର୍ଷ ଗ୍ରୀଷ୍ମ କାଳରେ ଦୁହିଁଙ୍କର ପୁଣି ଥରେ ପାରିସ୍‌ରେ ଭେଟହୋଇଥିଲା। ଫ୍ରାନ୍‌ସର ରାଜଧାନୀରେ ସେତେ ବେଳେ ଏକ ବିଶ୍ବ ସ୍ତରୀୟ ମେଳା ଚାଲିଥିଲା ଏବ˚ ଗେଡିସ୍‌ ଏକ ଷ୍ଟଲ୍‌ ଖୋଲିଥିଲେ। ସ୍ବାମୀଙ୍କ ସହ ଥିଲେ, ତାଙ୍କର ଶିଷ୍ୟା ଭଗିନୀ ନିବେଦିତା। ଏହାର ଅଳ୍ପ କିଛି କାଳ ପରେ ବିବେକାନନ୍ଦଙ୍କ ଦେହାନ୍ତ ହୋଇଯାଇଥିଲା। ତେବେ, ସ୍କଟୀୟ ପୁରୁଷ ଗେଡିସ୍‌, ଆଇରିସ ମହିଳା ନିବେଦିତା ପରସ୍ପର ସହ ଯୋଗାଯୋଗ ରକ୍ଷା କରିଥିଲେ। ଦୁହିଁଙ୍କ ମଧ୍ୟରେ ଅନ୍ତରଙ୍ଗ ବନ୍ଧୁତା ଥିଲା। ରାମକୃଷ୍ଣଙ୍କ ଶିକ୍ଷା ଓ ଦର୍ଶନ ମାଧ୍ୟମରେ ନିବେଦିତା, ଗେଡିସ୍‌ଙ୍କୁ ଭାରତୀୟ ଆଧ୍ୟାତ୍ମିକତା ସହ ପରିଚିତ କରାଇଥିଲେ। ଅପରପକ୍ଷେ ସେ ନିବେଦିତାଙ୍କୁ ଫରାସୀ ବିଦ୍ବାନ୍‌ ଫ୍ରେଡ୍‌ରିକ୍‌ ଲି ପ୍ଲେଙ୍କ ରଚନା ସହ ପରିଚିତ କରାଇଥିଲେ। ନିବେଦିତାଙ୍କ ପୁସ୍ତକ- ‘ଦ େଵବ୍‌ ଅଫ୍‌ ଇଣ୍ତିଆନ୍‌ ଲାଇଫ୍‌’, ଗେଡିସ୍‌ଙ୍କୁ ଉତ୍ସର୍ଗୀକୃତ। ନିବେଦିତା ଲେଖିଛନ୍ତି- ‘ଇଉରୋପ୍‌ ବାବଦରେ ସ୍ବଳ୍ପ କିଛି ଜାଣିବା ପାଇଁ ସେ ମୋତେ ଶିକ୍ଷା ଦେଇଥିଲେ।’

ଭାରତରେ ଏକ ସୁପରିକଳ୍ପିତ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ୧୯୦୩ରେ ଭଗିନୀ ନିବେଦିତା, ଗେଡିସ୍‌ଙ୍କୁ ପତ୍ର ଲେଖିଥିଲେ। ଏଥି ପାଇଁ ପାଣ୍ଠି ଯୋଗାଇଥାଆନ୍ତେ, ଶିଳ୍ପପତି ଜମଶେଦଜୀ ଟାଟା। ଭାରତର ବୈଜ୍ଞାନିକ ଭବିଷ୍ୟତ୍‌ ପାଇଁ ବିନିଯୋଗ କରିବାକୁ ସ୍ବାମୀ ବିବେକାନନ୍ଦ ତାଙ୍କୁ ପରାମର୍ଶ ଦେଇଥିଲେ। ଏତେ ବେଳକୁ ସ୍ବାମୀଙ୍କର ପରଲୋକ ହୋଇଯାଇଥିଲା। ତେଣୁ, କେଉଁ ପରି ଏ ଭଳି ଏକ ଭାରତୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇପାରିବ, ତାହା ଉପରେ ମତା-ମତ ଓ ସୁଚିନ୍ତିତ ପରାମର୍ଶ ଦେବା ପାଇଁ ନିବେଦିତା ପତ୍ର ଲେଖିଥିଲେ। ଗେଡିସ୍‌ ନିଜର ଉତ୍ତରରେ ନିବେଦିତାଙ୍କୁ ଗୁଡ଼ିଏ ପତ୍ର ଲେଖିଥିଲେ। ସେଥିରେ ମଧ୍ୟ ଯୁଗୀୟ ଓ ଆଧୁନିକ ଇଉରୋପ୍‌ ଏବ˚ ଆମେରିକାର ଶିକ୍ଷା ବ୍ୟବସ୍ଥା, ତଦ୍‌ଜନିତ ସମସ୍ୟା ଓ ସମାଧାନର ମାର୍ଗ ଆଦି ବାବଦରେ ବିଶେଷ ଉଲ୍ଲେଖ ଥିଲା; ଯେପରି ଭାରତରେ କେହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଇଚ୍ଛା କଲେ, ସେଥିରୁ ଦିଗ୍‌ଦର୍ଶନ ପାଇପାରି‌େବ।

ନିବେଦିତାଙ୍କୁ ଲେଖିଥିବା ପତ୍ରରେ ଗେଡିସ୍‌, ଶିକ୍ଷାର ପରିବେଶିକ ଦିଗର ଗଭୀର ମହତ୍ତ୍ବ ଦର୍ଶାଇଥିଲେ। ସେ ଲେଖିଥିଲେ- ‘ଆମ ଆଖପାଖର ପ୍ରକୃତି ଓ ପରିବେଶରୁ ଅଧ୍ୟୟନ ଆରମ୍ଭ କରିବା। ଏହାକୁ ଆମ ସାମାଜିକ ପରିବେଶ ସହ ଖାପ ଖୁଆଇବା ପାଇଁ ଉଦ୍ୟମ କରିବା। ଏହା ଦ୍ବାରା ଆମର ଅନୁଷ୍ଠାନଗୁଡ଼ିକର ବିକାଶ ହେବ; ଏବ˚ ସେଗୁଡ଼ିକ ଆଦର୍ଶ ସହ ସ˚ଶ୍ଳିଷ୍ଟ ହେବେ। ଇତିହାସ ଏହା କହେ, ଭୂଗୋଳ ମଧ୍ୟ। ଏହାର ଅଧ୍ୟୟନ ପରିସର ବ୍ୟାପକ। ତେବେ, ଏହାକୁ ବୁଝିବା ଏବ˚ ଅନୁଭବ କରିବା ସହଜ। ଏହା ଉଭୟ ବସ୍ତୁନିଷ୍ଠ ଓ ଆତ୍ମନିଷ୍ଠ। ଆମେ ପ୍ରକୃତି ଓ ପରିବେଶରୁ ଆରମ୍ଭ କରିବା ଏବ˚ କ୍ରମଶଃ ଆଧ୍ୟାତ୍ମିକତା ଆଡ଼କୁ ଯିବା। ଏହା ଉପରେ ଆମର ଶିକ୍ଷା, କଳା ଓ ସାହିତ୍ୟ ନିର୍ଭରଶୀଳ।’

୧୯୦୯ରେ ‘ଟାଟା’ ପକ୍ଷରୁ ଯୋଗାଇଦିଆଯାଇଥିବା ପାଣ୍ଠି ଦ୍ବାରା ‘ଭାରତୀୟ ବିଜ୍ଞାନ ଅନୁଷ୍ଠାନ’ ବା ‘ଇଣ୍ତିଆନ୍‌ ଇନ୍‌ସଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ’ ଆରମ୍ଭ ହୋଇଥିଲା। ସେତେ ବେଳେ ସେଠାରେ ଭୂଗୋଳ ବା ଗେଡିସ୍‌ କହିବା ଭଳି ‘ପ୍ରକୃତି-ଅଧ୍ୟୟନ’ ବିଭାଗ ନ ଥିଲା। ୧୯୮୦ରେ ସେଠାରେ ପରିବେଶ ସ˚ପର୍କିତ ବିଭାଗ ଖୋଲିଥିଲା। ଖୋଲିବା ପରଠାରୁ ଉକ୍ତ ବିଭାଗରେ ମଣିଷ-ପ୍ରକୃତି ମଧ୍ୟରେ ପାରସ୍ପରିକ ପ୍ରତିକ୍ରିୟା ଉପରେ ଉତ୍କୃଷ୍ଟ ଗବେଷଣା ହୋଇଆସିଲାଣି।

୧୯୧୧ରେ ଭଗିନୀ ନିବେଦିତାଙ୍କ ପରଲୋକ ହୋଇଥିଲା। ତାଙ୍କ ସ୍ମୃତିରେ ଅନୁପ୍ରାଣିତ ଗେଡିସ୍‌ ତାହାର ତିନି ବର୍ଷ ପରେ ଭାରତ ଆସିଥିଲେ। ପରବର୍ତ୍ତୀ ଏକ ଦଶନ୍ଧିର ବଡ଼ ଅ˚ଶ ଭାରତ ଉପ-ମହାଦ୍ବୀପରେ କଟିଥିଲା। ସେ ଏହାର ନଗରୀକରଣ ଉପରେ ବିଶେଷ ଅନୁଧ୍ୟାନ କରିଥିଲେ।

ମୁଁ ଏବେ ରବୀନ୍ଦ୍ରନାଥଙ୍କ ସହ ତାଙ୍କର ସ˚ପର୍କ ବାବଦରେ କହିବି। ୧୯୧୫ରେ ରବୀନ୍ଦ୍ରନାଥ ଓ ଗେଡିସ୍‌ଙ୍କ ମଧ୍ୟରେ ପ୍ରଥମ ଥର ସାକ୍ଷାତ୍‌ ହୋଇଥିଲା। ୧୯୧୭ ଗ୍ରୀଷ୍ମ କାଳରେ ପୁଣି ଥରେ ଦାର୍ଜିଲି˚ସ୍ଥିତ ବିଜ୍ଞାନୀ ଜଗଦୀଶ ଚନ୍ଦ୍ର ବୋଷ (ପରେ ଗେଡିସ୍‌, ତାଙ୍କର ଜୀବନୀ ରଚନା କରିଥିଲେ)ଙ୍କ ବାସଭବନରେ। ତାହା ପରେ ବହୁ ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ଯୋଗାଯୋଗ, ପତ୍ର ଆଦାନପ୍ରଦାନ ଥିଲା। ସେଗୁଡ଼ିକ ବେଶ୍‌ କୌତୂହଳଜନକ। ସେଗୁଡ଼ିକୁ ନେଇ ୨୦୦୪ରେ ‘ବିଶ୍ବ ଭାରତୀ’ ପକ୍ଷରୁ ଏକ ସ˚କଳନ ପ୍ରକାଶ ପାଇଥିଲା(‘ଦ ଟାଗୋର-ଗେଡିସ୍‌ କରେସ୍‌ପନ୍‌ଡେନ୍‌ସ’; ସ˚ପାଦିକା- ବାସବୀ ଫ୍ରେଜର‌୍‌)। ୧୯୧୯ ଏପ୍ରିଲ୍‌ରେ ଗେଡିସ୍‌, ରବୀନ୍ଦ୍ରନାଥଙ୍କୁ ଲେଖିଥିଲେ- ‘ଶିକ୍ଷା ଓ ଜଙ୍ଗଲ ଉପରେ ଆପଣଙ୍କ ଭାଷଣ ଅତି ଚମତ୍କାର। ସେଥି ପାଇଁ ଅଭିନନ୍ଦନ।’

ଏହାର ତିନି ବର୍ଷ ପରେ ଗେଡିସ୍‌, ରବୀନ୍ଦ୍ରନାଥଙ୍କୁ ଏକ ପତ୍ର ଲେଖି ଶାନ୍ତିନିକେତନରେ ବିଭିନ୍ନ ଶୃଙ୍ଖଳାର ସମନ୍ବିତ ଶିକ୍ଷା ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ରବୀନ୍ଦ୍ରନାଥ ଶାନ୍ତିନିକେତନରେ ‘ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ’ ଆରମ୍ଭ କରିଥିଲେ। ରବୀନ୍ଦ୍ରନାଥ ଉତ୍ତରରେ ଲେଖିଥିଲେ- ‘ମୁଁ ସର୍ବଦା ଆପଣଙ୍କ ଭଳି ଦିଗ୍‌ଦ୍ରଷ୍ଟା-ଜ୍ଞାନୀ-ଗୁଣୀ ଜନଙ୍କ ସହଯୋଗ କାମନା କରେ। ମୁଁ ଆପଣଙ୍କ ଦୂରଦୃଷ୍ଟି ଓ କଳାର ପ୍ରଶ˚ସକ। ତେବେ, ଏହି ମୁହୂର୍ତ୍ତରେ ଆପଣଙ୍କ ପ୍ରସ୍ତାବକୁ ବ୍ୟବହାରିକ ରୂପ ଦେବା ମୋର ସାମର୍ଥ୍ୟ ବାହାରେ। ମୋର କଳ୍ପନା, ମାନସିକତା ଓ କାର୍ଯ୍ୟ ପ୍ରଣାଳୀ ଆଦି ଅଳ୍ପ ବହୁତ କବିତା ଲେଖିବା ଭଳି। ଆପଣଙ୍କ ଯୋଜନା ଓ ଦିଗ୍‌ଦର୍ଶନ ମୋତେ ଆକୃଷ୍ଟ କରୁଛି ସତ, ତାହାକୁ ବ୍ୟବହାର କରିବାର କ୍ଷମତା ଏବେ ମୋ’ଠାରେ ନାହିଁ।’

୧୯୨୪ରେ ଗେଡିସ୍‌ ଇଉରୋପ୍‌ ଫେରିଯାଇଥିଲେ ଏବ˚ ଫ୍ରାନ୍‌ସର ମୋପେଲିୟେଁ ସହରରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଦୁଇ ବର୍ଷ ପରେ ରବୀନ୍ଦ୍ରନାଥଙ୍କୁ ଲେଖିଥିଲେ- ‘ନିକଟରେ ଏକ ଆଲୋଚନା ପରେ ଆମେ ସମସ୍ତେ ଏକମତ ଯେ, ଅଧିକା˚ଶ ବୈପ୍ଳବିକ ଦଳ ତଥା ଅନୁଷ୍ଠାନଗୁଡ଼ିକ ନିକଟରେ ଅନେକ ଗୀତ ଅଛି। ତେବେ, ପ୍ରକୃତ ଅର୍ଥରେ ସେଗୁଡ଼ିକ ପ୍ରଗତିଶୀଳ ନୁହେଁ। ସେଗୁଡ଼ିକ ମାଧ୍ୟମରେ ଅନ୍ତର୍ଜାତୀୟ ସ˚ହତି ରକ୍ଷାକରାଯାଇପାରୁନାହିଁ। ଭାବନା ଓ ଚିନ୍ତାଧାରାର ସୀମିତତା ଏଥି ପାଇଁ ଦାୟୀ। ତେଣୁ, ଶେଷରେ ସମସ୍ତେ ଏକମତ ହେଲୁ ଯେ, ଏକ ଯୁଗାନ୍ତକାରୀ ଗୀତ ସୃଷ୍ଟି ପାଇଁ ଆମେ ରବୀନ୍ଦ୍ରନାଥଙ୍କୁ ଅନୁରୋଧ କରିବା! ଆପଣ ଏହା ଲେଖିଦେବେ କି? ମୋପେଲିୟେଁସ୍ଥିତ ଆମ ଅନୁଷ୍ଠାନର ସ˚ଗୀତ ବିଭାଗର ମୁଖ୍ୟ ଜଣେ ପ୍ରକୃତ ଆଦର୍ଶବାଦୀ ଏବ˚ ଆଦରଣୀୟ ସ˚ଗୀତଜ୍ଞ। ସେ ମଧ୍ୟ ଜଣେ ପ୍ରତିଭାଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବ। କୌଣସି ଜଣେ ଯୁବକବିଙ୍କ ଦ୍ବାରା ଆପଣଙ୍କ ଗୀତକୁ ସୁନ୍ଦର ଭାବେ ଫରାସୀ ଭାଷାରେ ଅନୂଦିତ କରାଇଦେବେ ଏବ˚ ନିଜେ ଇଉରୋପୀୟ ସ˚ଗୀତରେ ସଜାଇ ଦେବେ।’

ଏହାର ଉତ୍ତରରେ ରବୀନ୍ଦ୍ରନାଥ ଲେଖିଥିଲେ- ‘ଆପଣ ଚାହୁଁଥିବା ଭଳି ଗୀତଟିଏ ଲେଖିବାକୁ ଯଥାସାଧୢ ଚେଷ୍ଟା କରିବି। ତେବେ, ମୋ ମାତୃଭାଷା, ଆପଣଙ୍କ ଭାଷା ଭଳି ନୁହେଁ। ତେଣୁ, ମୋ ଦ୍ବାରା ରଚିତ ଗୀତକୁ ଆପଣଙ୍କ ଭାଷାରେ ଅନୁବାଦ ଏବ˚ ସ˚ଗୀତରେ ସଜାଇବା କଷ୍ଟକର। ସେଥି ପାଇଁ ଆରମ୍ଭରୁ ଭୟ ଲାଗୁଛି।’ (ଲାଗୁଛି, ଯେଉଁ ଧରଣର ଅନ୍ତର୍ଜାତୀୟ ଗୀତ ମଗାଯାଇଥିଲା, ତାହା କେବେ ଲେଖାଯାଇ ନ ଥିଲା।)

ଅଗଷ୍ଟ୍ ୧୯୨୯ରେ ଗେଡିସ୍‌ ଲେଖିଥିଲେ- ‘ଗତକାଲି ରାତିରେ ଆପଣଙ୍କର ସୃଜନଶୀଳ ଏକତା ପୁଣି ଥରେ ପଢ଼ୁଥିଲି; ନୂଆ ଆଗ୍ରହ ଏବ˚ ଆନନ୍ଦର ସହ। ଆପଣ ଯେଉଁ ଭଳି ନିଜର ଚିନ୍ତାଧାରାକୁ ବ୍ୟକ୍ତ କରିପାରନ୍ତି, ମୁଁ ମଧ୍ୟ ସେହି ଭଳି କରିପାରନ୍ତି କି! ଆମ ସମସ୍ତଙ୍କର ଚିନ୍ତାଧାରା ଅଛି, ଯାହା ବ୍ୟକ୍ତ ହେବା ଦରକାର; କିନ୍ତୁ, ବୋଧହୁଏ ଆନ୍ତରିକତାର ଅଭାବ ଯୋଗୁଁ ସମସ୍ତେ ବ୍ୟକ୍ତ କରିପାରନ୍ତିନାହିଁ।

ଗେଡିସ୍‌ ୧୯୩୦ରେ ମୋପେଲିୟେଁ ଆସିବା ପାଇଁ ରବୀନ୍ଦ୍ରନାଥଙ୍କୁ ନିମନ୍ତ୍ରଣ କରିଥିଲେ। ସେହି ବର୍ଷ ଗ୍ରୀଷ୍ମ କାଳରେ ରବୀନ୍ଦ୍ରନାଥ ଅକ୍‌ସଫୋର୍ଡ‌୍‌ରେ ହିବର୍ଟ‌୍‌ ଲେକ୍‌ଚର‌୍‌ ଦେବାକୁ ଯାଇଥିଲେ। ଫ୍ରାନ୍‌ସ ଯାଇ, ବନ୍ଧୁଙ୍କୁ ଭେଟିବା ପାଇଁ ସବୁ କିଛି ଚୂଡ଼ାନ୍ତ ହୋଇସାରିଥିଲା। ତେବେ, ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହେଲା। ଅକ୍‌ସଫୋର୍ଡ‌୍‌ କାର୍ଯ୍ୟକ୍ରମ ପାଇଁ ସ୍ବାସ୍ଥ୍ୟ ଫେରିପାଇବା ନିମନ୍ତେ ମୋପେଲିୟେଁ ଗସ୍ତ ବାତିଲ କରିବା ଲାଗି ଚିକିତ୍ସକ ପରାମର୍ଶ ଦେଇଥିଲେ। ଅନିଚ୍ଛା ସତ୍ତ୍ବେ ଚିକିତ୍ସକଙ୍କ ପରାମର୍ଶକୁ କବିଗୁରୁ ଗ୍ରହଣ କରିଥିଲେ; ଯାହା ଦୁହିଁଙ୍କୁ ଦୁଃଖ ଦେଇଥିଲା। ତାହା ପରେ ଆଉ ଦୁହିଁଙ୍କ ମଧୢରେ ଭେଟ ହୋଇପାରି ନ ଥିଲା।

ମର‌୍‌ଡୋ ମ୍ୟାକ୍‌ଡୋନାଲ୍‌ଡ ଲେଖିଛନ୍ତି: ସ୍କଟିସ୍‌ ପରିବେଶବିତ୍‌ ଏବ˚ ବଙ୍ଗୀୟ କବିଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ। ଦୁହେଁ ଥିଲେ- ଅନ୍ତର୍ଜାତୀୟବାଦୀ; ପ୍ରକୃତିପ୍ରେମୀ, ମାନବିକ ଜ୍ଞାନ ଓ ମୂଲ୍ୟବୋଧର ଅସୀମ ଅନ୍ବେଷଣକାରୀ; ଏବ˚ ସମନ୍ବିତ ଓ ପ୍ରୟୋଗାତ୍ମକ ଶିକ୍ଷା ପାଇଁ ସଦାଗ୍ରହୀ। ସ˚ସ୍କୃତିର ନବଜାଗରଣ ପାଇଁ ଦୁହେଁ ଉଲ୍ଲେଖନୀୟ ଭାବେ ସକ୍ରିୟ ଥିଲେ। ଦୁହେଁ ପରିବେଶକୁ ଯଥେଷ୍ଟ ଗୁରୁତ୍ବ ଦେଉଥିଲେ। ଅନ୍ତଃ-ଶୃଙ୍ଖଳା ଉପରେ ଦୁହିଁଙ୍କର ବିଶ୍ବାସ ଥିଲା।

ଗେଡିସ୍‌ଙ୍କ ବୌଦ୍ଧିକ ଉତ୍ତରାଧିକାରୀ ହେଉଛନ୍ତି, ତାଙ୍କର ମାର୍କିନ୍‌ ଶିଷ୍ୟ ଲୁଇସ୍‌ ମମ୍‌ଫୋର୍ଡ‌୍‌। ମମ୍‌ଫୋର୍ଡ‌୍‌, ନିଜ ଗୁରୁଙ୍କର ଶିକ୍ଷାକୁ ପୁସ୍ତକ ରୂପରେ ସାରା ବିଶ୍ବରେ ପହଞ୍ଚାଇଛନ୍ତି। ନିଜର ଗୁରୁଙ୍କ ସ˚ପର୍କରେ ଏକଦା ସେ କହିଥିଲେ- ‘ଗେଡିସ୍‌ଙ୍କର ସ୍କଟ୍‌ଲାଣ୍ତ୍‌ ଇଉରୋପ୍‌କୁ କୋଳାଗ୍ରତ କରିଛି ଏବ˚ ତାଙ୍କ ଇଉରୋପ୍‌ ଅବଶିଷ୍ଟ ବିଶ୍ବକୁ। ତାଙ୍କ ବନ୍ଧୁଙ୍କ ପ୍ରସଙ୍ଗରେ ମଧ୍ୟ ଆମେ ଏକା କଥା କହିପାରିବା। ରବୀନ୍ଦ୍ରନାଥଙ୍କ ବେଙ୍ଗଲ୍‌, ଭାରତକୁ କୋଳାଗ୍ରତ କରିଛି ଏବ˚ ତାଙ୍କ ଭାରତ, ଅବଶିଷ୍ଟ ବିଶ୍ବକୁ।’