ପ୍ରକୃତି ଛଡ଼ା ପାଠ

ପ୍ରକୃତି ଚିନ୍ତନ - ରାଧାମୋହନ

ଚଳିତ ବର୍ଷ କଥା ଛାଡ଼ନ୍ତୁ, ସ୍କୁଲ କଲେଜ କେବେ ଖୋଲିବ ଠିକଣା ନାହିଁ କରୋନା ଭୟରେ। ସାଧାରଣତଃ ରଜ ସ˚କ୍ରାନ୍ତି ପରେ ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲେ। ମୌସୁମୀ ବର୍ଷା ପ୍ରାୟ ଆରମ୍ଭ ହୋଇଯାଇଥାଏ। ସ୍କୁଲ ହତାରେ ଘାସ କଅଁଳି ଯାଇଥାଏ। ବର୍ଷ ସାରା କେଉଁଠି ଥାଆନ୍ତି କେଜାଣି, ସାଧବ ପୋକମାନେ ବାହାରିଯାଆନ୍ତି। କଅଁଳିଆ ସବୁଜ ଘାସ ଉପରେ ନାଲି ଟହ ଟହ ସାଧବ ପୋକମାନଙ୍କର ଚାଲି ଦେଖିବାର କଥା। ସେ ଦୃଶ୍ୟଟି ଗୋଟିଏ ପିଲାକୁ ଏତେ ଆକର୍ଷିତ କଲା ଯେ ଖେଳ ଛୁଟି ପରେ କ୍ଲାସ ଆରମ୍ଭ ପାଇଁ ଘଣ୍ଟା ବାଜିଲାଣି, କିନ୍ତୁ ପିଲାଟି ସାଧବ ପୋକଟିକୁ ଦେଖିବାରେ ଲାଗିଛି, ତା’ରି ମନ ସେଇଠି ଲାଖିଯାଇଛି। ପ୍ରକୃତରେ ଖାଲି ସ୍କୁଲ ପିଲା କାହିଁକି, ସୃଷ୍ଟିର ବିବିଧ ରଙ୍ଗର ସମାହାର ଯେଉଁମାନଙ୍କୁ ଆକୃଷ୍ଟ କରେ, ସେମାନେ ସମସ୍ତେ ସାଧବ ପୋକର ଆବିର୍ଭାବ ଦେଖି ରହିଯିବା କଥା। ବେଦର ମନ୍ତ୍ରଦ୍ରଷ୍ଟା ଋଷି ସାଧବ ପୋକ ଦେଖି ଏଭଳି ଆତ୍ମହରା ହୋଇଗଲେ ଯେ ସାଧବ ପୋକ, ସ˚ସ୍କୃତରେ ଇନ୍ଦ୍ରଗୋପ, ସହ ଆତ୍ମାର ତୁଳନା କରି ବସିଲେ।

ସ୍କୁଲ ଖୋଲିବାର ମାସେ ଚାଲିଗଲା। ବର୍ଷାକାଳ ଆରମ୍ଭ ହୋଇଗଲା। ହତାରେ ଛୋଟ ଛୋଟ ବେଙ୍ଗମାନଙ୍କର ଡିଆଁ ଡେଇଁ ଚାଲିଲା। କିଏ ପୁରା ମାଟିଆ ରଙ୍ଗର, ଆଉ କାହା ପିଠିରେ ହଳଦିଆ ଗାରଟିଏ ତା’ର ଶୋଭାବର୍ଦ୍ଧନ କରୁଥାଏ। ପ୍ରକୃତିର ଅଦ୍ଭୁତ ସ˚ଯୋଗ ଯେ ଏବେ ଚାରିଆଡ଼ ପୋକ ଜୋକରେ ଭର୍ତ୍ତି ଓ ଛୁଆ ବେଙ୍ଗଙ୍କର ମନଖୁସିରେ ଭୋଜନ। ସାଧବ ପୋକର ଦୃଶ୍ୟ ଯେମିତି ପିଲାଟିକୁ ଆକୃଷ୍ଟ କରିଥିଲା, ଏବେ ବେଙ୍ଗମାନଙ୍କର ଖୁସି ମନରେ ଡିଆଁ ଡେଇଁ ଓ ମନଖୁସି ଭୋଜନ ସେମିତି ଆକୃଷ୍ଟ କଲା। ବସ୍ତାନି ଥୋଇଦେଇ ଦେଖିବାରେ ଲାଗିଲା, ଏଣେ ସ୍କୁଲ ଛୁଟି ହୋଇଗଲାଣି; ପଡ଼ିଶା ଘର ପିଲା ଫେରିଲେଣି, ଘରେ ମା’ ବ୍ୟସ୍ତ।

ତେବେ ପିଲାଟିକୁ କେମିତି ଦୋଷ ଦେବା? ଏଇ ନାନା ପ୍ରକାରର ଓ ବିଭିନ୍ନ ରଙ୍ଗର ବେଙ୍ଗମାନଙ୍କର ଦୃଶ୍ୟ ଓ ସେମାନଙ୍କର ସମୂହ ରଡ଼ି ସହ ଋଷି ଆଶ୍ରମର ଅନ୍ତେବାସୀମାନଙ୍କର ବେଦର ସମୂହ ଗାନ ଭିତରେ ସାମ୍ୟ ଦେଖି ସ୍ଥିତଧୀ ମହର୍ଷି ବଶିଷ୍ଠ ମଧୢ ମନ୍ତ୍ର ରଚନା କରି ଦେଲେ ଓ ଋଗ୍‌ବେଦର ଗୋଟିଏ ସୁକ୍ତ ହୋଇଗଲା। ଖାଲି ସେତିକି ନୁହେଁ ବେଙ୍ଗ ବା ସ˚ସ୍କୃତରେ ମଣ୍ତୁକ ନାମରେ ମାଣ୍ତୁକ୍ୟ ଉପନିଷଦ ରଚନା ହୋଇଗଲା।

କିନ୍ତୁ ଖେଳ ଛୁଟି ପରେ କ୍ଲାସକୁ ନ ଯାଇ ସାଧବ ପୋକ ଦେଖିବାରେ ମଗ୍ନ ବା ସ୍କୁଲ ଛୁଟି ପରେ ବେଙ୍ଗମାନଙ୍କର ଡିଆଁ ଡେଇଁ ଦେଖି ବେଳ ଭୁଲିଯିବା ଯୋଗୁ ଘରକୁ ଫେରିବାରେ ବିଳମ୍ବ- ଏଥିରୁ କେଉଁ ଦୋଷଟିକୁ ଆମେ ମାର୍ଜନା କରୁ? ସ୍କୁଲରେ କ୍ଲାସରେ ଶିକ୍ଷକ/ଶିକ୍ଷୟତ୍ରୀ ଓ ଘରେ ବାପା ମା’ଙ୍କ ଠୁ ଗାଳି ଶୁଣିବା ହିଁ ସାର ହୁଏ।

ଆଜିକାଲି କରୋନା କାଳରେ କ୍ବାରେଣ୍ଟାଇନ୍‌ ଶବ୍ଦଟି ବହୁଳ ଭାବେ ବ୍ୟବହୃତ ହେଉଛି। ଭଗବାନ ପ୍ରକାଶ ଏଇ ଇ˚ରେଜୀ ଶବ୍ଦ ବଦଳରେ ଯଥାର୍ଥରେ ଏକାନ୍ତ ବାସ କଥା କହିଛନ୍ତି। ତପସ୍ୟାରତ ସାଧକ/ସାଧିକାମାନେ ହିମାଳୟର ଗୁମ୍ଫାରେ ବା କୁଡ଼ିଆରେ ଏକାନ୍ତବାସ କରିଥାନ୍ତି। କିନ୍ତୁ ଯେତେବେଳେ ବେଙ୍ଗର ଶତ୍ରୁ ସାପଟିଏ ଦେଖୁ ମନରେ ପ୍ରଶ୍ନ ଆସେ ସେ ତ ମାଟି କାଦୁଅରେ ଯିବା ଆସିବା କରେ ତା’ର ଦେହ କିପରି ଏତେ ପରିଷ୍କାର ରହେ? ସାପଟି ମୁନି ଋଷିମାନଙ୍କ ପରି ତ ସାଧକ/ସାଧିକାମାନଙ୍କ ପରିଚିତ ଏକାନ୍ତ ବାସ କରିଥାଏ ଜୀବନ ସାରା। ଅଥଚ ଆମ ପାଇଁ ମାତ୍ର କେତେ ଦିନର ଏକାନ୍ତ ବାସ ଦୁର୍ବିଷହ ମନେହୁଏ। ଏହା ବାଦ ଆମେ ଯେଉଁସବୁ ମହାପ୍ରୁମାନଙ୍କର କଳ୍ପନା କରିଛୁ, ସେମାନଙ୍କ ମଧୢରୁ ଦେବ ଦେବ ମହାଦେବଙ୍କର ଭୂଷଣ ତ ସାପ ଓ ବିଷ୍ଣୁଙ୍କର ଅନନ୍ତ ନାଗରେ ଶୟନ କରିବାରେ ଶ୍ରଦ୍ଧା। ସନ୍ଥ ଫ୍ରାନ୍‌ସିସ୍‌ଙ୍କ ସମ୍ପର୍କରେ କୁହାଯାଏ ଯେ ସେ ସାପ ଦେଖିଲେ ପ୍ରେମରେ ନିଜ ପାଖକୁ ଡାକି ନିଅନ୍ତି ଓ ସେମାନେ ତାଙ୍କ କୋଳରେ ଖେଳନ୍ତି! ଏବେ ତା’ର ଶତ୍ରୁ ମୟୂରକୁ ଦେଖିବା। ବର୍ଷଣମୁଖୀ କଳା ବାଦଲକୁ ଦେଖିଲେ ମୟୂରଟି ଯେତେବେଳେ ତା’ର ପୁଚ୍ଛ ସବୁ ଖୋଲିଦେଇ ନାଚେ, ସେତେବେଳେ ତା’ର ସୌନ୍ଦର୍ଯ୍ୟ ସହ କେଉଁ ରାଜା/ରାଣୀ ବା ସିନେମା ସେଲିବ୍ରିଟିଙ୍କର ପୋଷାକର ସୌନ୍ଦର୍ଯ୍ୟ ପାସଙ୍ଗରେ ପଡ଼ିବ? ମୟୂରର ସୁନ୍ଦର କେକା ଧ୍ବନି ଆମର ସଙ୍ଗୀତ ଶାସ୍ତ୍ରର ମୂଳାଧାର। କେବଳ ସେତିକି ନୁହେଁ ମୟୂରକୁ ନେଇ ଆମର କେତେକ ରୁଢ଼ି ଯଥା- ‘ମୟୁର ସଜବାଜ ହେଉ ହେଉ ପେଚା ରାଜା ହୋଇଗଲା’ ଆମେ ବ୍ୟବହାର କରିଥାଉ।

ଏବେ ଆମ ପିଲା ଦିନରୁ ପରିଚିତ କାଉ କଥା ହେବା। ଅଝଟ ପିଲା ଯେତେବେଳେ ଖାଇବାକୁ ହଇରାଣ କରୁଥାଏ, ମା’ କାଉକୁ ଦେଖେଇ ପିଲାକୁ ଖୁଆଏ। ଘର ଅଗଣାକୁ ଆସି କାଉଟିଏ ବୋବାଇଲେ ଘରକୁ କୁଣିଆ ଆସିବେ ଶୁଣି ଖୁସି ହୋଇ କାଉକୁ ଖାଇବାକୁ ଦେଇଥାନ୍ତି। ସହରମାନଙ୍କରେ ଆଜିକାଲି ଅବଶ୍ୟ କୁଣିଆମାନଙ୍କର ଆଗମନର ବାର୍ତ୍ତାଟି ଖୁସିର ଲହରି ଖେଳାଏ ନାହିଁ। ଏବେ କାଉମାନେ ବିଲୟ ପଥରେ।

କାଉମାନଙ୍କ ବିଷୟରେ ଯେଉଁମାନେ ଗବେଷଣା କରନ୍ତି ସେମାନେ ଆହୁରି କେତେକ ମଜାଦାର କଥା କହନ୍ତି। ଆମେ ସମସ୍ତେ ଊଣା ଅଧିକେ ମିଛୁଆ ରାଧୁଆ ଗପ ଜାଣିଚେ। ଗାଈ ଚରାଳି ରାଧୁଆ ଥରେ ମିଛରେ ବାଘ ବାଘ ଡାକିବାରେ ଗାଁ ଲୋକ ଦୌଡ଼ିଲେ। ସେମାନେ ପହଞ୍ଚିଲା ପରେ ସେ ହସି ଦେଲା ଓ ବାଘ ନ ଥିବା କଥା କହିଲା। ପୁଣି ଥରେ ସେଭଳି ଡାକିବାରେ ଗାଁ ଲୋକ ଏଥର ସତ ହୋଇଥାଇପାରେ ଭାବି ପୁଣି ଦୌଡ଼ିଲେ, ଏଥର ବି ମିଛରେ ଡାକିଛି ଜାଣି ଗାଳି ଗୁଲଜ କରି ଫେରିଲେ। ତୃତୀୟ ଥର କିନ୍ତୁ ପ୍ରକୃତରେ ବାଘ ଆସିଲା ଓ ବାଘ ବାଘ ଡାକିବାରେ ଆଉ କେହି ଗଲେନି ଏଥର ମଧୢ ମିଛ ହୋଇଥିବ ଭାବି। ରାଧୁଆ ବାଘ ପେଟକୁ ଚାଲିଗଲା। କାଉମାନଙ୍କ କ୍ଷେତ୍ରରେ ତା’ ହୁଏନି। ଗୋଟେ କୋରଡ଼ ଥିବା ଝଙ୍କାଳିଆ ଗଛ ଭିତରେ କାଉଟିଏ ଲୁଚି ରହି ବିପଦ ପଡ଼ିଲେ ଯେଭଳି ଡାକିବା କଥା, ସେଭଳି ଡାକେ; ଆଖପାଖର କାଉ ଆସି ଖୋଜାଖୋଜି କରି ଫେରିଯାଆନ୍ତି, ସେଭଳି ଦ୍ବିତୀୟ ଥର ଓ ତୃତୀୟ ଥରକୁ ମଧୢ କାଉମାନେ ଆସନ୍ତି, ଏଥର କିନ୍ତୁ ଲୁଚିଥିବା କାଉଟି ବାହାରି ଆସେ। ତା’ର ଏ ଦୁଷ୍ଟାମିରେ ଗାଳି ନ ଦେଇ ସବୁ କାଉ ମିଶି ଖୁସି ହୁଅନ୍ତି ଓ ଏ ମଜା ପାଇଁ କାଉଟିକୁ ସାବାସି ଦିଅନ୍ତି। ମଣିଷମାନଙ୍କର ତ୍ରିକୋଣୀୟ ପ୍ରେମ ଶେଷ ହୁଏ ସାଧାରଣତଃ ଜଣକର ମୃତ୍ୟୁରେ। କାଉମାନଙ୍କ କ୍ଷେତ୍ରରେ କିନ୍ତୁ ତ୍ରିକୋଣୀୟ ପ୍ରେମ ବେଶ୍‌ ଚାଲେ। କାହାରି ଅସୁବିଧା ହୁଏନି।

ଏଥର ନଦୀ କଥା କହିବା। ଯୁଗ ଯୁଗ ଧରି କବି, ଲେଖକ ଓ ଶାସ୍ତ୍ରଜ୍ଞମାନେ ପାହାଡ଼ ପର୍ବତମାନଙ୍କୁ ପୃଥିବୀ ମାତାର ସ୍ତନ ଓ ସେଠାରୁ ବାହାରି ଆସୁଥିବା ଝରଣା ଓ ନଦୀମାନଙ୍କର ଜଳକୁ ମା’ ସ୍ତନର କ୍ଷୀର ସହ ତୁଳନା କରି ଆସିଛନ୍ତି। ମାତୃ ସ୍ତନର କ୍ଷୀର ଯେପରି ପିଲାଙ୍କୁ ପୁଷ୍ଟ କରେ, ସେହିପରି ଝରଣା ଓ ନଦୀମାନଙ୍କର ଜଳ ଜୀବ ଜଗତ୍‌ ତଥା ଉଦ୍ଭିଦ ଜଗତ୍‌କୁ ପୁଷ୍ଟ କରିଥାଏ। ସେଇଥିପାଇଁ ନଦୀ ମାତୃକା ସଭ୍ୟତା କୁହାଯାଏ। ପ୍ରକୃତରେ ସେଗୁଡ଼ିକ ଆମର ଜୀବନ ନାଟିକା। ବଣ ଜଙ୍ଗଲରେ ଚଲାବୁଲା କରି ସନ୍ଧ୍ୟାବେଳେ ଗାଈଟି ଯେପରି ଗୁହାଳରେ ଛାଡ଼ି ଯାଇଥିବା ବାଛୁରୀକୁ କ୍ଷୀର ଦେବା ପାଇଁ ହମ୍ବା ରଡ଼ି କରି ଧାଇଁ ଆସେ, ସେହିଭଳି ପାହାଡ଼ରୁ ବାହାରି ଝରଣାଟି କ୍ଷିପ୍ର ଗତିରେ ଗର୍ଜନ କରି ଚାଲିଆସେ ସମତଳ ଅଞ୍ଚଳକୁ ଜୀବଜଗତ୍‌ର ମଙ୍ଗଳ ପାଇଁ। ବେଦରେ ଏକଥା ବ୍ୟତୀତ ଆଉ ଗୋଟିଏ କଥା ପାହାଡ଼ି ଝରଣା ବିଷୟରେ ଉଲ୍ଲେଖ କରାଯାଇଛି। ଝରଣାର ତଳ ବା ଶେଯଟି ଛୋଟ ବଡ଼ ପଥରରେ ପୂର୍ଣ୍ଣ ଥାଏ ଓ ପାଣି ଦ୍ରୁତ ଗତିରେ ଆସେ। ସେଠାରେ ଡଙ୍ଗା ଚାଲି ପାରେନି ଓ ଲୋକମାନେ ହାତ ଧରାଧରି ହୋଇ ପାରି ହୋଇଥାଆନ୍ତି। ଅର୍ଥାତ୍‌ ସା˚ସାରିକ ଜୀବନ ନାନା ଘାତ, ପ୍ରତିଘାତ ଓ ବାଧା ବିଘ୍ନରେ ଗରା ଓ ତା’କୁ ପାରି ହେବାକୁ ହେଲେ ସମାଜରେ ପରସ୍ପର ସହଯୋଗ ଏକାନ୍ତ ଆବଶ୍ୟକ। ଋଗ୍‌ବେଦରେ ଏହି ଶିକ୍ଷା ଦିଆଯାଇଛି।

ଦାର୍ଶନିକମାନେ ନଦୀର ପ୍ରବାହ ସହ କାଳର ପ୍ରବାହକୁ ତୁଳନା କରିଛନ୍ତି। ସମୟ ଯେପରି ନିରବଚ୍ଛିନ୍ନ ଭାବେ ଗଡ଼ିଚାଲେ ଓ ଆମେ ବର୍ତ୍ତମାନ ଏତିକି ଘଣ୍ଟା ଏତିକି ମିନିଟ୍‌ ଓ ଏତିକି ସେକେଣ୍ତ କହି ସାରିଲା ବେଳକୁ ସମୟ କେତେ ସେକେଣ୍ତ ଆଗେଇ ଯାଇଥାଏ, ସେହିଭଳି ନଦୀରେ ଛିଡ଼ା ହେଲେ ଏଇ ମୁହୂର୍ତ୍ତର ପାଣି ତଳକୁ ଚାଲିଯାଏ ଓ ଆର ପାଣି ଚାଲିଆସେ।

ନାଦ କରି ଆସୁଥିବାରୁ ସେ ନଦୀ ଓ ସର୍ବଦା ଗତିଶୀଳ ବୋଲି ସେ ଶୁଦ୍ଧ। ‘ନଦୀ ବେଗେନ ଶୁଦ୍ଧ୍ୟତି’। ଆତ୍ମା ପରମାତ୍ମାରେ ବିଶ୍ବାସୀ ଲୋକମାନେ କହନ୍ତି, ଆତ୍ମା ଯେପରି ପରମାତ୍ମାରେ ଲୀନ ହୋଇ ନିଜର ସ୍ବତନ୍ତ୍ର ସତ୍ତା ହରାଇ ବସେ, ସେହିପରି ନଦୀ ସମୁଦ୍ରରେ ମିଶି ନିଜର ସତ୍ତା ହରାଇ ଦିଏ।

ସମୁଦ୍ର କୂଳରେ ଅବିରତ ଲହଡ଼ି ଭାଙ୍ଗୁଥିବାର ଦେଖୁ। ସେତ ପାଣିରେ ଲହଡ଼ି, ହୃଦୟ ଭିତରେ ଭାବନାର ଚିନ୍ତାର ଲହଡ଼ି କ’ଣ କମ୍‌? ସମୁଦ୍ରର ଦିଗନ୍ତ ବିସ୍ତାରୀ ବ୍ୟାପ୍ତି ଓ ଅନନ୍ତ, ଅସୀମ ଆକାଶର ବ୍ୟାପ୍ତି ଓ ଆକାଶରେ ଅନ୍ୟ ସହସ୍ର ସହସ୍ର କୋଟି ଗ୍ରହ ନକ୍ଷତ୍ରମାନଙ୍କର ସମାବେଶ ଓ ସେମାନଙ୍କର ପୁଣି ଅହରହ ଜନ୍ମ ମୃତ୍ୟୁ କଥା ଭାବିଲା ବେଳେ ଆମ ହୃଦୟ ତା’ ଛାଏଁ ବିସ୍ଫାରିତ ହୋଇଯିବା କଥା ଓ ମୁଁ ଅମୁକ ଭୂଖଣ୍ତ, ଅମୁକ ଧର୍ମ, ଜାତି ଉପଜାତି ଓ ଧନ ଦୌଲତର ଅଧିକାରୀ ଓ ସେସବୁକୁ ନେଇ ସମସ୍ତ ଗର୍ବ ଉଭେଇ ଯିବା କଥା।

ଏବେ ଏ ଭୁବନର ସମସ୍ତ ଜୀବନର ଉତ୍ସ ସୂର୍ଯ୍ୟ କଥା ଦେଖିବା। ସୂର୍ଯ୍ୟ ଅବଶ୍ୟ କେବଳ ଜୀବନ ଦେବା ବାଲା ନୁହେଁ, ଗୋଟିଏ ଦିନ ଚାଲିଗଲେ, ଅର୍ଥାତ୍‌ ସୂର୍ଯ୍ୟ ଅସ୍ତ ହୋଇଗଲେ, ଆମ ଆୟୁଷରୁ ଦିନେ ଚାଲିଯାଏ। ସୂର୍ଯ୍ୟ ଉଦୟ ପୂର୍ବାବସ୍ଥାକୁ ଆମେ ଉଷା କହୁଛେ। ଉଷାର ଆଭା ପ୍ରକଟିତ ହେବାମାତ୍ରେ ପ୍ରକୃତିର ଉତ୍ସବ ଆରମ୍ଭ ହୋଇଯାଏ। ଚଢ଼େଇମାନଙ୍କର କୋଳାହଳ ସହ ଚାଷୀମାନଙ୍କର ଦିନର କାର୍ଯ୍ୟ ଆରମ୍ଭ ହୋଇଯାଏ। ସୂର୍ଯ୍ୟ ଉଦୟର ସୁନେଲି ରଙ୍ଗର ଛିଟା ଆକାଶରେ ଅନିର୍ବଚନୀୟ ଶୋଭା ସୃଷ୍ଟି କରେ। ଯୁଗ ଯୁଗ ଧରି ନବୀନଠୁ ଆରମ୍ଭ କରି ପୁରାତନ ଚିତ୍ରକରମାନେ ସେ ଶୋଭାକୁ ତୂଳିରେ ଆଙ୍କିବାକୁ ଚେଷ୍ଟା କରିଛନ୍ତି।

ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଜଣେ ରୁଷୀୟ ଲେଖକଙ୍କର କବିତାର ଅନୁବାଦ କରି କବି ଅନନ୍ତ ପଟ୍ଟନାୟକ ଲେଖିଲେ ‘‘ଆ ଆ ସୂରୁଯ, ବୁଣି ଦେଇ ଆଲୁଅର ମୁରୁଜ’’, ପୁଣି ‘ନିଜର ଡେଣା ନଚାଇ ଚୂଳ, ଗାଇଲେ ସବୁ ଚଢ଼େଇ କୁଳ।’

ଆମର ଶିକ୍ଷା ବ୍ୟବସ୍ଥା ଏଭଳି ଯେ ଆମେ ରାତି ଏଗାର ବାର ଯାଏ ପଢ଼ିବୁ, ବା ରାତି ବାରରେ କ୍ଲାସ ଆରମ୍ଭ ହେବ, ଆଉ ଏସବୁ ଭବିଷ୍ୟତ ଜୀବନ ପାଇଁ। ‘‘କ’ଣ ହେବ ସେ ଜୀବନରୁ ଯଦି ସମୟ ନାହିଁ ଛିଡ଼ା ହୋଇ ଟିକିଏ ଆକାଶକୁ, ଚାରିପାଖର ପ୍ରକୃତିକୁ ଦେଖି ପାରିବୁ ନାହିଁ?’’ ଏ ପରିସ୍ଥିତିରେ ଆମେ ଉଷାର ବା ସୂର୍ଯ୍ୟୋଦୟର ଅପୂର୍ବ ଶୋଭାକୁ କିପରି ଅନୁଭବ କରିବୁ? ନଦୀନାଳରୁ ପାହାଡ଼ ପର୍ବତରୁ, ପଶୁ ପକ୍ଷୀ ଏପରିକି କୀଟ ପତଙ୍ଗମାନଙ୍କଠୁ ଯେଉଁ ଅମୂଲ୍ୟ ଶିକ୍ଷା ପାଇବାର ଅଛି ତାହା ଆମର ପ୍ରଚଳିତ ଅନନ୍ତ ଆକାଶରୁ ସମୁଦ୍ର ଠାରୁ ଶିକ୍ଷା ବ୍ୟବସ୍ଥା ଦେଇ ପାରୁଛି କି?

ଆଜି ସେଇଥିପାଇଁ ଆମର ନଦୀନାଳର ଜଳ ଯାହା ଆମର ଜୀବନ ନାଟିକା, ଜହରରେ ପରିଣତ ହୋଇଛି। ସମସ୍ତ ପ୍ରକାର ଆବର୍ଜନା ନଦୀରେ ଓ ସେ ଯାଇ ସମୁଦ୍ରରେ, ଆମର ନୀଳ ଆକାଶ ଧୂଆଁ ଧୂଳିରେ ଭର୍ତ୍ତି, କୀଟପତଙ୍ଗ କଥା ଛାଡ଼, ଅନେକ ପଶୁପକ୍ଷୀ ଧରାଧାମରୁ ନିଶ୍ଚିହ୍ନ ହେଲେଣି ବା ହେବାକୁ ଯାଉଛନ୍ତି। ଆମର ଶିକ୍ଷା ବ୍ୟବସ୍ଥାର ମୂଳମନ୍ତ୍ର ହେଲା ପ୍ରକୃତି କଥା ଭୁଲି ଯାଅ, ପ୍ରତିବେଶୀମାନଙ୍କୁ ପଛରେ ପକାଇ ଦିଅ, କାହାର କ’ଣ ହେଉଛି ଭୁଲିଯାଅ, ଯେତେ ପାରୁଚ କମାଅ ଓ ଜମାଅ।

ପ୍ରକୃତିକୁ ଛାଡ଼ି ବିକଶିତ ଶିକ୍ଷା ବ୍ୟବସ୍ଥାଟି କେବଳ ପ୍ରକୃତି ଛଡ଼ା ମଣିଷ ସୃଷ୍ଟି କରିବ, ତାହାହିଁ ହେଉଚି।

କଳିଙ୍ଗ ବିହାର

ସମ୍ବନ୍ଧିତ ଖବର