ଗାଁ କଥା, ସହର କଥା

ଆମରି କଥା - ନାରାୟଣ ମିଶ୍ର

ଆଗେ ଗାଁ ଓ ସହର ମଧ୍ୟରେ ବହୁତ ପାର୍ଥକ୍ୟ ଥିଲା। ଲୋକେ କହୁଥିଲେ, ଯଦି ସ୍ବାମୀ ଆଗରେ ଖାଲି ହାତରେ ଯାଉଛି ଓ ସ୍ତ୍ରୀ ପଛରେ ଛୁଆକୁ କାଖେଇ ଓଜନିଆ ବ୍ୟାଗ୍‌ ଧରି ଚାଲିଛି, ତେବେ ସେଇଟା ଗାଁ ଏବ˚ ଯଦି ସ୍ତ୍ରୀ ଖାଲି ଖାଲି ଆଗରେ ଚାଲିଛି ଓ ସ୍ବାମୀ ପଛରେ ଛୁଆକୁ ଧରି ବ୍ୟାଗ୍‌ ବୋହି ଯାଉଛି, ତେବେ ଏଇଟା ସହର। ଯଦି କୁକୁର ଦାଣ୍ତ ଦୁଆର ମୁହଁରେ ପିଣ୍ତା ତଳେ ବସିଛି ଓ ଅଇଁଠା ଖାଉଛି, ସେଇଟା ଗାଁ ଆଉ ଯଦି କୁକୁରକୁ ଧରି ମାଲିକ ଗେଲ କରୁଛି ଆଉ ବାହାରକୁ ନିଜେ ନେଇ ବୁଲାବୁଲି କରୁଛନ୍ତି ତେବେ ସେଇଟା ସହର। ଯଦି ବିପଦ ବେଳେ ନ ଡାକି ମଧୢ ପାଞ୍ଚ ପଚିଶ ପହଞ୍ଚି ଯାଆନ୍ତି, ସେଇଟା ଗାଁ ଆଉ ଯଦି ଚାରି ପାଞ୍ଚଜଣ ଗୁଣ୍ତାଙ୍କ ଦ୍ବାରା ଜଣେ ମାଡ଼ ଖାଉଥିବା ଦେଖି ମଧୢ ପଡ଼ୋଶୀ ବା ଆଖପାଖର ଲୋକେ ବାଟ କାଟି ଚାଲିଯାଆନ୍ତି, ସେଇଟା ସହର। ଏବେ ଏ ସବୁ ପାର୍ଥକ୍ୟ କମିଗଲାଣି। ଗାଁରେ ରହୁଥିବା ଲୋକ ଯେ ନିଶ୍ଚିତ କେବଳ ଚାଷ କରି ଚଳୁଥିବ ସେ ଗ୍ୟାରେଣ୍ଟି ନାହିଁ କି ସହରୀ ଲୋକଟି ଯେ ନିଶ୍ଚିତ ଚାକିରି କରି ଚଳୁଥିବ ତାହା ମଧୢ ନୁହେଁ। ଉପରକୁ ଉଠିବା ଓ ପିଲାଙ୍କ ଭବିଷ୍ୟତ ଗଢ଼ିବା ନିଶାରେ ଗାଁ ଲୋକଟି ଚାକିରି ସହ ଚାଷ ଦେଖୁଛି ଏବ˚ ସହରୀ ଲୋକ ଚାକିରି ସହ ଅନ୍ୟ ଖୁଚୁରା ବ୍ୟବସାୟ ବି ଆପଣେଇଛି।

କୌତୂହଳବଶତଃ ଦୁଇ ଭାଇ ଥିବା ଏକ ଘରର ଗାଁ ଭାଇ ଓ ସହର ଭାଇଙ୍କ ଘରକୁ ଏ ଅଧମ ବୁଲିବାକୁ ଯାଇ ଯାହା ଶୁଣିଲା, ଭାବୁଛି ପାଠକମାନେ ମଧୢ ସେସବୁ ଶୁଣିବା ଉଚିତ। ଉଭୟ ଭାଇ ମୋର ଘନିଷ୍ଠ। ମୁଁ ପ୍ରଥମେ ଗାଁ ଭାଇ ଘରକୁ ଗଲି ଓ ଭାଇଙ୍କ ଖବର କ’ଣ ବୋଲି ପଚାରିଦେଲି। ଗାଁ ଭାଇ ଗପି ଚାଲିଲା- ‘ମୁଁ ଗାଁରେ ରହି ମାଟି କାଦୁଅରେ ମିଶି ମାଟି ହୋଇଗଲିଣି। କିନ୍ତୁ ମୋ ଭାଇ ମଝିରେ ମଝିରେ ତୀର୍ଥ ସ୍ଥାନ ଭ୍ରମଣ କଲା ପରି ଗାଁକୁ ଆସୁଛି। ସାଙ୍ଗରେ ପାଟ, ମଠା, ସୁନା ଗହଣା ପିନ୍ଧେଇ ତା’ ସ୍ତ୍ରୀକୁ ଆମ ଆଗରେ ଦେଖେଇ ହୋଇ ଚାଲିଯାଉଛି। ନିଜ ଛୁଆଙ୍କୁ ଇ˚ରେଜୀ ମିଡିୟମ ସ୍କୁଲରେ ପଢ଼ାଉଥିବାରୁ ସେମାନେ ଆଉ ପ୍ରଣାମ ବା ନମସ୍କାର ନ କରି ‘ହାଏ, ଟାଟା’ ଆଦି କରୁଛନ୍ତି। ମୋ ପିଲାମାନେ ଏ ଗୁହାଳ ପରି ଓଡ଼ିଆ ମାଧୢମ ସ୍କୁଲରେ ପଢ଼ି ଫରଵାର୍ଡ ହୋଇପାରିଲେନି। ମୋ ସ୍ତ୍ରୀ ରୋଗରେ ପଡ଼ିଲେ ବି ତାକୁ ଟିକେ ଡାକ୍ତରଖାନାକୁ ନେଇପାରୁନି। ମାଟି କାଦୁଅ ହୋଇ ଭାଇଟାକୁ ମଣିଷ କରି ସହରୀ କରିଦେଲି ଯେ ଏଇନେ ତା’ ରୋଜଗାର ତା’ର। ମାର୍ବଲ କୋଠା କରି ଦି’ ତିନିଖଣ୍ତ ଜାଗା କିଣି ବି ପକାଇ ସାରିଲାଣି ବୋଲି ଏ କାନ ଶୁଣିଲାଣି। ତଥାପି ଗାଁ ଚାଉଳ ଗଣ୍ତାକରେ ତା’ଆଖି। ଦି’ଚାରିବସ୍ତା ଚାଉଳ, ମୁଗ, ଅମୃତଭଣ୍ତା, ପିଜୁଳି ଯାହା ପାଇବ ବାନ୍ଧିବୁନ୍ଧି ନେଇଯାଉଛି। ଓଷା, ପୁନିଅଁପର୍ବ, ଭାର ବେଭାର ସବୁ ମୁଁ ଏକୁଟିଆ ମୋ ହାତରୁ ଖର୍ଚ୍ଚ କରି କରୁଛି। ଦିନେ ହେଲେ ବି ସେ ପଚାରୁନାହିଁ କି ଘରର ବନ୍ଧୁ ବେଭାର, ଓଷା, ପର୍ବପର୍ବାଣି ଇତ୍ୟାଦିରେ କେତେ ଖର୍ଚ୍ଚ ହେଉଛି।’

ସହରୀ ଭାଇ ବିରୋଧରେ ଗପୁଥିବା ଶୁଣି ଗାଁ ଭାଇର ସ୍ତ୍ରୀ ଖୁସି ହୋଇ ମୋ ପାଇଁ ଓ ତା’ ସ୍ବାମୀ ପାଇଁ ଚା’କପେ ଲେଖା ଦି’ଥର ଯୋଗେଇ ଦେଲା।

ଗାଁ ଭାଇ ପୁଣି କହିଲା ‘ମୁଁ ଗାଁରେ ରହି ମୋର ଓ ଭାଇର ବନ୍ଧୁଘରର ମଲା ମୂର୍ତ୍ତିକିଆ, ବାହାବ୍ରତ ସବୁ ବୁଝିବାକୁ ବାଧୢ। ଭାଇଟାକୁ ମଣିଷ କଲି, ହେଲେ ସେ ବର୍ତ୍ତମାନ ତା’ ସ୍ତ୍ରୀ କବ୍‌ଜାରେ ଇତ୍ୟାଦି ଇତ୍ୟାଦି।

ଏହାର କିଛି ଦିନ ପରେ ସହରୀ ଭାଇ ସହ ଦେଖା ହେଲା। ସେ ଭାରି ଖୁସି ହେଲା। କଥା କଥାରେ ପଚାରି ଦେଲି- ଭାଇ କେମିତି ଅଛି? ଏଥର ସେ କ’ଣ ଗପି ଚାଲିଲା ଶୁଣନ୍ତୁ।
ସେ କହିଲା- ‘ତୁମେ ଭାଇ ତ ସହରରେ ରହୁଛ, ଏଠିକା କଥା ସବୁ ଜାଣ। ସଜନା ଶାଗ, ପୋଇ ଟିକେ ଦରକାର ହେଲେ ବି ଏଠି ସବୁ କିଣା। ପରିବା ଦୋକାନ ଓ ସଉଦା ପତ୍ର ଦୋକାନରୁ ତ ବାକି କେବେ ବି ତୁଟି ପାରୁନି। ତା’ ସାଙ୍ଗକୁ ଘରଭଡ଼ା, ଇଲେକ୍‌ଟ୍ରି ବିଲ୍‌, ଫୋନ୍‌ ବିଲ୍‌, କ୍ଷୀର, ପେପର ପଇସା ଓ ପିଲାଙ୍କ ସ୍କୁଲ ଫିସ୍‌ ଓ ଟିଉସନ୍‌ ଫିସ୍‌ ଦେବା ପରେ ମାସ ଅଧାରେ ହାତ ଖାଲି। ଅଫିସରେ କାହା ପାଖରେ ଦାନ୍ତ ନେଫେଡ଼ି ପାଞ୍ଚଶ ହଜାରେ ଧାର ନ ଆଣିଲେ ନ ଚଳେ। ତୁମେ ଭାଇ ତ ଜାଣ ଆମ ପୋଷାକପତ୍ର, ଗାଡ଼ିଘୋଡ଼ା, ଟାଇଲ ମାର୍ବଲ ଘର ଦେଖି ଯିଏ ଭାବିବ ଯେ ଆମେ କୋଟିପତି, ତା’ଠାରୁ ମୂର୍ଖ କେହି ନାହାନ୍ତି। ଦୁଇ ତିନିଟା ବ୍ୟାଙ୍କ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଏ ଜାଗା ଓ ଘର। ସବୁ ବ୍ୟାଙ୍କ୍‌ରେ ବନ୍ଧା ପଡ଼ିଛି। ମୋ ଗାଡ଼ି ବି ଋଣ ନ ଶୁଝିବା ଯାଏ ବ୍ୟାଙ୍କ୍‌ର। କିନ୍ତୁ ଗାଁରେ ବିଲରୁ ଭାଇ ଯେତିକି ଧାନ, ଚାଉଳ, ମୁଗ ପାଉଛନ୍ତି, ବର୍ଷଯାକ ଚଳି କିଛି କୁଇଣ୍ଟାଲ ସେ ବିକୁଛନ୍ତି ବୋଲି ମୁଁ ଜାଣେ। ତା’ଛଡ଼ା ବାଡ଼ିରେ ବାଇଗଣ, ପୋଖରୀରେ ମାଛ, ଘରେ ଘରେ ଶାଗ। ମିଛଟାରେ ସବୁବେଳେ ସେ ନାହିଁ ନାହିଁ ବୋଲି ନାହି ଗଡ଼ୋଉଛନ୍ତି। ମୋତେ ବାଡ଼େଇଲେ ବି ମୋ ପାଖରୁ ପାଞ୍ଚ ପଇସା ବାହାରିବ ନାହିଁ। ହେଲେ ସେ ଏବେ ତାଙ୍କ ଶାଳୀ ବାହାଘରର ଖର୍ଚ୍ଚ ବାବଦକୁ ପନ୍ଦର/କୋଡ଼ିଏ ହଜାର ଟଙ୍କା ସାହାଯ୍ୟ କରିଚନ୍ତି। ଆପଣ ଭାବନ୍ତୁ ମୁଁ ହଜାରେ ଟଙ୍କା କାହାକୁ ଧାର ଦେଇପାରୁ ନାହିଁ। ଅଥଚ ସିଏ କୁଆଡ଼େ ଚାଳିଶ ହଜାର ଟଙ୍କା ପାଞ୍ଚ ପଇସା ସୁଧରେ ଦେଇ ମାସକୁ ଦି’ହଜାର ଲେଖାଁ କମଉଛି।
ଏମିତି ଅନେକ ଅଭିଯୋଗ, ଯାହା ଶୁଣିବା ପାଇଁ ମୋର ଧୈର୍ଯ୍ୟ ନ ଥିଲା। ମୁଁ ଚାଲି ଆସିଲି। ଘରେ ପହଞ୍ଚି ଭାବୁଥିଲି- ଗାଁ ଓ ସହରୀ ଭାଇ ଗୋଟିଏ ମା’ ପେଟର। ଗୋଟିଏ ଘରର ସ˚ସ୍କୃତିରେ ଉଭୟ ଗଢ଼ା ହୋଇଛନ୍ତି କିନ୍ତୁ ସ୍ଥିିତି ଏମିତି ହୋଇଛି ଯେ ସେମାନେ ପରସ୍ପର ବିରୋଧରେ ବିଷ ଉଦ୍‌ଗାର କରି ଚାଲିଛନ୍ତି। ତେବେ ମୁଁ ଯାହା ବୁଝିପାରିଥିଲି ତାହା ହେଲା ଅଭାବ ଅସୁବିଧା ସମସ୍ତଙ୍କର ଅଛି। ତେଣୁ ନିଜ ସମସ୍ୟା ସାଙ୍ଗରେ ଭାଇର ଅଭାବ ବା ସମସ୍ୟା କଥା ବୁଝିବାକୁ ଚେଷ୍ଟା ନ କଲା ଯାଏଁ ଶାନ୍ତିର ଦ୍ବାର ସର୍ବଦା ବନ୍ଦ ହୋଇ ରହିଥିବ।

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର