ଗତ ସପ୍ତାହରେ ମୁଁ ମୋର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏକ ଘରୋଇ ଡାକ୍ତରଖାନା ଯାଇଥିଲି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ କୌଣସି ବିଶେଷ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏଯାଏଁ ମତେ ଡାକ୍ତରଖାନା ଯିବାକୁ ପଡ଼ିନି; କେବଳ ରୁଟିନ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟତୀତ। ତେବେ ଡାକ୍ତର ଓ ନର୍ସମାନଙ୍କ କାର୍ଯ୍ୟ ଅତି ନିକଟରୁ ଦେଖିବାର ସୁଯୋଗ ପାଇଛି। ସେମାନଙ୍କୁ ଦେଖିଲେ ମୋ ମନରେ ଭାବାନ୍ତର ସୃଷ୍ଟି ହୁଏ। ଏଥର ମତେ ଦୁଇ ରାତି ଡାକ୍ତରଖାନାରେ ରହିବାକୁ ହେଲା। ସେମାନଙ୍କର କାର୍ଯ୍ୟ, କାର୍ଯ୍ୟଧାରା ଓ ତାଙ୍କୁ ପ୍ରେରିତ କରୁଥିବା ଶକ୍ତି ସ˚ପର୍କରେ ଅନୁଶୀଳନ କରିବାର ଅବସର ପାଇଲି।

Advertisment

ମୋ ମାନସ ପଟରେ ଉଭା ହେଲେ ସ୍ବାମୀ ବିବେକାନନ୍ଦ। ବିଶ୍ବ ଧର୍ମ ସମ୍ମିଳନୀରେ ତାଙ୍କର ଐତିହାସିକ ବକ୍ତବ୍ୟ ସ˚ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି। ତେବେ ସେଠାରେ ପହଞ୍ଚିବା ତାଙ୍କ ପାଇଁ ସେତେଟା ସହଜ ନଥିଲା। ଅନେକ ବାଧାବିଘ୍ନ ଅତିକ୍ରମ କରି ସେଠାରେ ପହଞ୍ଚି ସମ୍ମିଳନୀରେ ଯୋଗ ଦେବା ପାଇଁ ଅନୁମତି ପାଇବା ମଧ୍ୟ କଷ୍ଟସାଧ୍ୟ ଥିଲା। ଦେବଦୂତ ଭଳି ପହଞ୍ଚିଥିଲେ ଦିବ୍ୟ ଦ˚ପତି ମିସେସ୍‌ ଇ.ଆଇ. ହାଲେ ଓ ମିଷ୍ଟର ଜି.ବ୍ଲୁ. ହାଲେ। ସେମାନେ ସ୍ବାମୀ ବିବେକାନନ୍ଦଙ୍କ ପାଇଁ ସୁଯୋଗ ସୃୃ‌ଷ୍ଟି କଲେ; ଯାହା କେବଳ ବିବେକାନନ୍ଦ ନୁହନ୍ତି ସମଗ୍ର ଭାରତବର୍ଷ ପାଇଁ ବରଦାନ ସଦୃଶ ଥିଲା। ଅନେକ ସମୟରେ ଜୀବନରେ ଏମିତି କିଛି ଘଟେ ଯାହାକୁ ଈଶ୍ବରଙ୍କ ହସ୍ତକ୍ଷେପ ବ୍ୟତୀତ ଆଉ କିଛି କୁହାଯାଇନପାରେ। ଅନ୍ଧାର ଅସରନ୍ତି ଲାଗୁଥିଲା ବେଳେ ଦୀପଟିଏ ଜଳିଉଠେ। ଯାହାଙ୍କର ଦର୍ଶନ ଓ ସ୍ପର୍ଶରେ ଜୀବନ ଆୟୁଷ୍ମାନ ହେଇଯାଏ, ବିଶ୍ବାସର ବୀଜପତ୍ର ମେଲିଯାଏ: ସେମାନେ ଈଶ୍ବର ବା ଈଶ୍ବରଙ୍କ ପ୍ରତିନିଧି। ମୋ ବିଚାରରେ ସେହିଭଳି ଡାକ୍ତର ଓ ନର୍ସ। ଏଥିରେ ସାମିଲ ଅଛନ୍ତି ସ୍ବାସ୍ଥ୍ୟସେବା ସ˚ପର୍କିତ ଅନ୍ୟାନ୍ୟ ସେବା ପ୍ରଦାନକାରୀ। ସ୍ବାମୀ ବିବେକାନନ୍ଦ ସେହି ଦିବ୍ୟ ଦଂପତିଙ୍କୁ ପରମ ଶ୍ରଦ୍ଧା ଓ ସମ୍ମାନର ସହ ସ˚ବୋଧନ କରିଥିଲେ- ‘ମଦର ଚର୍ଚ୍ଚ ଓ ‘ଫାଦର‌୍‌ ପୋପ୍‌’। ସେହି ଭାବ ଓ ଭାବନା ଆଧାରରେ ମୁଁ କହିପାରିବି ଡାକ୍ତରଙ୍କୁ ‘ଫାଦର ଗଡ୍’ ଓ ନର୍ସଙ୍କୁ ‘ମଦର ଇଣ୍ତିଆ’। ଅବଶ୍ୟ ସେମାନଙ୍କ ସେବା ଓ ତ୍ୟାଗର ମହିମା ହୁଏତ ଏହାଠୁ ଉପରେ ହେଇପାରେ।

କୁହାଯାଏ ଯେ ଈଶ୍ବର କାଳେ ସୁବୁଠି ସବୁ ସମୟରେ ପହଞ୍ଚି ପାରିବେନି; ସେଥିପାଇଁ ସୃଷ୍ଟି କଲେ ନାରୀ ଭିତରେ ମା’କୁ; ସ୍ବର୍ଗୀୟ ସ୍ନେହର ଅକ୍ଷୟ ଭଣ୍ତାରକୁ। ମା’ ଅନୁପସ୍ଥିତ ରହିଲେ ତାଙ୍କ ସ୍ଥାନରେ ସୃଷ୍ଟି କରିଛନ୍ତି ଡାକ୍ତର ଓ ନର୍ସଙ୍କୁ। ତେଣୁ ସାଧାରଣ ମଣିଷ ଓ ଈଶ୍ବରଙ୍କ ମଧ୍ୟରେ ସେମାନେ ହେଲେ ଐଶ୍ବରିକ ସେତୁ। ଏହି ଚେତନାର ପରିପ୍ରକାଶ ଆଶା କରେ ଉଭୟ ପାର୍ଶ୍ବରେ। ଏଣୁ ଡାକ୍ତରୀ ସେବାକୁ ବୃତ୍ତି ନୁହେଁ; ଏକ ବ୍ରତ ଏବଂ ତାକୁ ଜୀବିକା ନୁହେଁ ଏକ ଯଜ୍ଞ ଭାବରେ ବିଚାର କରେ।

ଡାକ୍ତର ଓ ଡାକ୍ତରଖାନା କହିଲେ ସାଧାରଣତଃ ଦେହର ଚିକିତ୍ସା ବା ଦେହ ଜନିତ ଅସୁସ୍ଥତାର ଚିକିତ୍ସା କଥା ମନକୁ ଆସେ। ଭାରତୀୟ ଚିନ୍ତନ ଓ ଦର୍ଶନରେ ଦେହକୁ କେବଳ ଦେହ ଭାବରେ ନୁହେଁ; ଏହାକୁ ଆତ୍ମାର ଆବାସ ବୋଲି ଗ୍ରହଣ କରାଯାଏ। ଆମର ପାର˚ପରିକ ଚିକିତ୍ସା ପଦ୍ଧତିରେ ଏହାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ଏବ˚ ଏହି ତତ୍ତ୍ବକୁ ଆଧାର କରି ଚିକିତ୍ସା ପ୍ରକ୍ରିୟା ଗଢ଼ି ଉଠିଛି। ଆଧୁନିକ ଚିକିତ୍ସା ବିଜ୍ଞାନ ମଧ୍ୟ ଏହି ମୌଳିକ ଅବଧାରଣାକୁ ବ୍ୟାପକ ଭାବରେ ଆପଣେଇବାରେ ଲାଗିଛି, ଯାହା ଫଳରେ ଆଧୁନିକ ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସମନ୍ବୟ ସ୍ଥାପିତ ହୋଇଛି। ଚିକିତ୍ସକମାନେ ଦେହର ସେବା କଲା ବେଳେ ପ୍ରତ୍ୟକ୍ଷ ଭାବରେ ଯେ ଆତ୍ମାର ସେବା କରୁଛନ୍ତି, ଯେଉଁ ଆତ୍ମା ପରମାତ୍ମାଙ୍କର ଅ˚ଶବିଶେଷ; ଏଭଳି ଧାରଣାକୁ ମନକୁ ନେଲେ ନିଜର କର୍ମ ଯେ କେତେ ମହିମାନ୍ବିତ ଏବ˚ ଏହା ଯେ ପରମେଶ୍ବରଙ୍କ ସହ ଯୋଡ଼ି ହେବାର ଓ ତାଙ୍କର ସେବାରେ ଲାଗିବାର ଏକ ମହାର୍ଘ ସୁଯୋଗ; ଏ କଥା ବୁଝି ପାରି‌ବେ। ଏହା ମଧ୍ୟ ତାଙ୍କର ସେବାକୁ ପୂଜାରେ ପରିଣତ କରିଦେବ ଏବ˚ ଈଶ୍ବରଙ୍କ ଆଶୀର୍ବାଦ ଓ ପ୍ରେରଣା ପ୍ରାପ୍ତ ହେବେ।

ମଣିଷର ଶରୀର ଏକ ଜଟିଳ ଯନ୍ତ୍ର। କୋଟି କୋଟି କୋଷରେ ଗଠିତ। ପ୍ରତ୍ୟେକ କୋଷରେ ଜୀବନ ଅଛି। ଚେତନା ଅଛି। ଈଶ୍ବରଙ୍କ ଏହି ଦିବ୍ୟ ନିର୍ମାଣର ମରାମତି ଦାୟିତ୍ବ ଈଶ୍ବର ଯାହାକୁ ସମର୍ପିଛନ୍ତି; ସେମାନେ କଦାପି ସାଧାରଣ ମଣିଷ ହୋଇ ନ ପାରନ୍ତି। ଡାକ୍ତର ପ୍ରକୃତରେ କ’ଣ କରେ? ଭଗବାନଙ୍କର ଏହି ଭବ୍ୟ ଓ ଦିବ୍ୟ ସୃଷ୍ଟି ମଧ୍ୟରେ ଦୀପଟିଏ ଧରି ପ୍ରବେଶ କରେ। ସେଠାରେ ସେ ଅନ୍ବେଷଣ କରେ ଯାବତୀୟ ବିକୃତି, ତ୍ରୃଟି ବିଚ୍ୟୁତି ଏବ˚ ତା’ ପରେ ତାର ନିଦାନ ବ୍ୟବସ୍ଥା କରେ। ଯେ ଯେତେ ଅକ୍ଳେଶରେ ସହଜରେ ଜ୍ଞାନଦୀପ୍ତ ଦୃଷ୍ଟି ସହ ପ୍ରବେଶ କରିପାରେ; ସେ ସେତେ ସଫଳ ହୁଏ ଏବ˚ ତାର ଏହି ଯାତ୍ରା ବା ସୃଷ୍ଟି ସ˚ଦର୍ଶନ ବାସ୍ତବରେ ତାକୁ ଈଶ୍ବରଙ୍କ ନିକଟତର କରାଏ। ମୋ ବିଚାରରେ ଔଷଧରେ ହୁଏତ ରୋଗ ଭଲ ହେଇପାରେ; କିନ୍ତୁ ରୋଗୀ ଭଲ ହୁଏନି। ରୋଗୀକୁ ଭଲ କରେ ଡାକ୍ତର।

କେବଳ ତିନି ଜଣଙ୍କ ପାଖରେ ମଣିଷ ଉଲଗ୍ନ ହେଇପାରେ; ନିଜକୁ ଉନ୍ମୁକ୍ତ କରିପାରେ। ସେମାନେ ହେଉଛନ୍ତି ମା’, ଡାକ୍ତର ଓ ଈଶ୍ବର। ଏମାନଙ୍କ ପାଖରେ ମଣିଷ ନିଜକୁ ଯେତେ ଖୋଲିପାରିବ, ତା’ ପାଇଁ ସେତେ ଭଲ। ମହାଭାରତରେ ଦୁର୍ଯ୍ୟୋଧନ କ’ଣ କଲା? ମା’ ସାମ୍ନାରେ ଉଲଗ୍ନ ହେବାକୁ ଲାଜ କଲା। ଏବ˚ ତାର ପରିଣାମ ଭୋଗିଲା। ମା’ର ସ୍ନେହବୋଳା ଦୃଷ୍ଟିରେ ରକ୍ଷା କବଚ ଥାଏ; ଏହା ଅତି ସୂକ୍ଷ୍ମ ଓ ଶକ୍ତ ଅଥଚ ବାହାରକୁ ଦିଶେ ନାହିଁ। ସେହିପରି ଈଶ୍ବରଙ୍କ ସାମ୍ନାରେ ପ୍ରାର୍ଥନା କଲା ବେଳେ ଆଖି ଆପେ ଆପେ ମୁଦି ହେଇଯାଏ, କାମନା ଥାଏ ଈଶ୍ବରଙ୍କ କୃପା ଦୃଷ୍ଟି ଟିକେ ପଡ଼ୁ। ସେହିପରି ଡାକ୍ତର; ତାର ଦୃଷ୍ଟି, ଶଦ୍ଦ ଓ ସ୍ପର୍ଶରେ ଯେଉଁ ଭାବ ଥାଏ, ତାହା ରୋଗକୁ ନିଷ୍କ୍ରିୟ କରିଥାଏ। ଜଣେ ଭଲ ଡାକ୍ତର ହୁଏତ ସହଜରେ ମିଳିଯିବେ; କିନ୍ତୁ ଏଭଳି ଭାବାନ୍ବିତ ରୋଗୀଟିଏ ସହଜରେ ମିଳନ୍ତି ନାହିଁ। ଯାହା ଫଳରେ ରୋଗର ପ୍ରାଦୁର୍ଭାବକୁ ପ୍ରତିହତ କରିବା ଅନେକ ସମୟରେ କଷ୍ଟକର ହୁଏ ବୋଲି ମୋର ବିଶ୍ବାସ।

ଡାକ୍ତରମାନେ ହେଉଛନ୍ତି ଆସ୍ଥା ଓ ବିଶ୍ବାସର ପ୍ରତୀକ। ଆମ ଆଧ୍ୟାତ୍ମ ଦର୍ଶନରେ ବିଶ୍ବାସବୋଧକୁ ବିଶେଷ ଗୁରୁତ୍ବ ଦିଆଯାଇଛି। କୁହାଯାଇଛି ଯେ ‘ବିଶ୍ବାସେ ମିଳନ୍ତି ହରି, ତର୍କେ ବହୁ ଦୂର।’ ଡାକ୍ତରକୁ ନେଇ ଯଦି ରୋଗୀ ମନରେ ଦ୍ବନ୍ଦ୍ବ ଅଛି, ସନ୍ଦେହ ଅଛି, ତେବେ ଚିକିତ୍ସା ପ୍ରକ୍ରିୟା ମଧ୍ୟ ସେହି ଭାବରେ ପ୍ରଭାବିତ ହୁଏ। ରୋଗ ସୃଷ୍ଟିକାରୀ ଜୀବାଣୁ, ଭୂତାଣୁ ଖାଲି ଆଖିରେ ଦିଶେ ନାହିଁ। ଦେହରେ ସେମାନଙ୍କର ଉପସ୍ଥିତି ସ˚ପର୍କିତ ସୂଚନାକୁ ଆମେ ବିଶ୍ବାସ କରୁ। ଏବ˚ ଡାକ୍ତର ଯେଉଁ ଔଷଧ ବା ଇ˚ଜେକ୍‌ସନ ଦିଅନ୍ତି, ସେଥିରେ କ’ଣ ଥାଏ, ଆମେ ପ୍ରଶ୍ନ କରୁନା; ପ୍ରଶ୍ନ କରିବାର ଯୋଗ୍ୟତା ମଧ୍ୟ ନଥାଇପାରେ। ତେବେ ସବୁ କଥା ଚାଲେ ବିଶ୍ବାସରେ। ଏବ˚ ଏହି ବିଶ୍ବାସ ହିଁ ଡାକ୍ତରମାନଙ୍କୁ ଦାୟିତ୍ବବାନ କରିବା ସହିତ ତାଙ୍କର କାର୍ଯ୍ୟକୁ ସେବା ରୂପ ଦିଏ; ଏବ˚ ସେହି ସେବା ଅନାୟସରେ ଶାଶ୍ବତାଭିମୁଖୀ ହୁଏ। ରୋଗୀର ବିଶ୍ବାସଭାଜନ ହେବା ବୋଧହୁଏ ଜଣେ ଡାକ୍ତର ବା ସେବିକାର ପ୍ରାରମ୍ଭିକ ଯୋଗ୍ୟତା ଏବ˚ ଏହା ଅଧ୍ୟୟନଲବ୍‌ଧ ଜ୍ଞାନରୁ ଆସି ନଥାଏ; ଏହାର ଉତ୍ସ ହେଉଛି ତତ୍ବମସି: ମୁଁ ଯେ, ସେ ମଧ୍ୟ ସେ। ସବୁଠି ସେ ଏପରି ଭାବ ସେମାନଙ୍କୁ ଯୋଗ ସାଧନାର ଶୀର୍ଷ ସ୍ତରକୁ ନେଇଯାଏ। ‘ଯସ୍ତ୍ବାତ୍ମରତିରେବ ସ୍ୟାଦାତ୍ମତୃପ୍ତଶ୍ଚ ମାନବଃ’... ଯେଉଁ ମଣିଷ ଆତ୍ମାରେ ରମଣ କରୁଥାନ୍ତି, ଯାହାର ଆତ୍ମାରେ ଶ୍ରଦ୍ଧା ଥାଏ, ଯେ ନିଜ ଆତ୍ମା ପରି ସମସ୍ତଙ୍କ ଆତ୍ମାକୁ ଦେଖୁଥାଏ, ସେ ସର୍ବଦା ତୁଷ୍ଟି ଓ ସନ୍ତୋଷ ଲାଭ କରେ; ସକାମ କର୍ମରେ ତାର ମନ ରହେ ନାହିଁ (ଶ୍ରୀମଦ୍‌ ଭଗବଦ୍‌ ଗୀତା)। ନିଷ୍କାମ କର୍ମ ଯୋଗୀ ହେଉଛନ୍ତି ସେମାନେ, ଯେଉଁମାନେ ପ୍ରତ୍ୟେକ ମଣିଷର ସେବାକୁ ମାଧବ ସେବା ବୋଲି ଭାବିଥା’ନ୍ତି।

ମଣିଷର ଅନେକ ଦୁଃଖର କାରଣ ସେଇ ମଣିଷ। ମାନବ ସଭ୍ୟତାର ଉନ୍ମେଷ, ଉତ୍ତରଣ ଓ ଯାତ୍ରାକୁ ଅନୁଧ୍ୟାନ କଲେ ଦେଖାଯାଏ ପଥ ଧାରେ ଧାରେ ରକ୍ତର ଚିହ୍ନ। ସେସବୁ ମଣିଷର ଭିଆଣ। ମଣିଷ ମୁକ୍ତ ହୋଇ ଜନ୍ମ ନିଏ ଏବ˚ ନିଜକୁ ନିଜେ ସହସ୍ର ଶିକୁଳିରେ ବାନ୍ଧି ଚାଲିଥାଏ। ଜାତି, ଧର୍ମ, ବର୍ଣ୍ଣ, ରାଜ୍ୟ, ଦେଶ, ସ˚ପ୍ରଦାୟ, ପଦ-ପଦବି ଆଦି ଅନେକ ଆବରଣ ତଳେ ସେ ଲୁଚିଯାଏ। ଅନେକକୁ ସେ ଅଳଙ୍କାର ଭାବି ପିନ୍ଧିଥାଏ। ତେବେ ଡାକ୍ତର ପାଖରେ ଏ ସବୁ ଓହ୍ଲାଇବାକୁ ହୁଏ। ବେଡ୍‌ରେ ପଡ଼ିଥିବା ରୋଗୀଟିର ମୌଳିକ ପରିଚୟ ବ୍ୟତୀତ ଅନ୍ୟ କୌଣସି ଆଡ଼ମ୍ବର ବା ବିକୃତି ଡାକ୍ତର ଦେଖିପାରେନାହିଁ; ଦେଖିବା ଉଚିତ ମଧ୍ୟ ନୁହେଁ। ଈଶ୍ବର ତା ସୃଷ୍ଟିକୁ ଦେଖିଲା ଭଳି, ଡାକ୍ତର ଶରୀରକୁ ତନ୍ନ-ତନ୍ନ ପରୀକ୍ଷା କରୁଥାଏ। ‘ବିଦ୍ୟା ବିନୟ ସ˚ପନ୍ନେ ବ୍ରାହ୍ମଣେ ଗବି ହସ୍ତୀନି, ଶୁନି ଚୈବ ଶ୍ବପାକେ ଚ ପଣ୍ତିତାଃ ସମଦର୍ଶିନଃ।’ ସେ ଶ୍ରୀମଦ୍‌ ଭଗବଦ ଗୀତାରେ ସୂଚିତ ପଣ୍ତିତ ଭଳି ସମସ୍ତଙ୍କୁ ସମାନ ଭାବରେ ଦେଖେ କାରଣ ଯାହା ତା ସାମ୍ନାରେ ଉପସ୍ଥାପିତ ହୋଇଥାଏ ସେଥିରେ ବାସ୍ତବରେ ଭିନ୍ନତା ନ ଥାଏ। ଏହି ଚେତନା ଯଦି ବ୍ୟାପକ ଭାବରେ ସ˚ପ୍ରସାରିତ ହୋଇପାରନ୍ତା, ତେବେ ପୃଥିବୀର ଅନେକ ଦୁଃଖ ଦୂରୀଭୂତ ହୋଇପାରନ୍ତା। ଏହି ଡାକ୍ତରୀୟ ଚେତନାର ପ୍ରାସଙ୍ଗିକତା ଆଜି ମଣିଷ ମର୍ମେ ମର୍ମେ ଅନୁଭବ କଲେ ମଧ୍ୟ ‘ଅଜ୍ଞାନେନାବୃତ˚ ଜ୍ଞାନ˚ ତେନ ମୁହ୍ୟନ୍ତି ଜ˚ତବଃ’। ଏହା ହିଁ ଆମ ସମୟର ବିଡ଼ମ୍ବନା।

ଏବେ ଏକ ଅଦୃଶ୍ୟ ଭୂତାଣୁ କିପରି ପୃଥିବୀକୁ ଛାରଖାର କରିଚାଲିଛି, ସେ ସ˚ପର୍କରେ ବର୍ଣ୍ଣନା ନିଷ୍ପ୍ରୟୋଜନ। ଏଥିରୁ ନିସ୍ତାର ପାଇଁ ମଣିଷ ତ୍ରାହି ତ୍ରାହି ଡାକୁଛି। ନିଜକୁ ବଞ୍ଚେଇବାକୁ ମଣିଷ ଘର କୋଣରେ ଲୁଚୁଛି। ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବା ହୋଇଛି ଯୁଦ୍ଧ ଜିତିବାର ସୂତ୍ର। ତେବେ ସମସ୍ତେ କ’ଣ ଯୁଦ୍ଧ କ୍ଷେତ୍ର ଛାଡ଼ି ଚାଲିଯାଇଛନ୍ତି? ଯେଉଁମାନେ ସମ୍ମୁଖ ଭାଗରେ ରହି ମଣିଷ ଜାତି ତରଫରୁ ନିଜ ଜୀବନକୁ ବାଜି ଲଗେଇ ଲଢ଼ୁଛନ୍ତି, ସେମାନେ ଆମର ଚିର ନମସ୍ୟ। ଅନ୍ୟମାନଙ୍କ ମଧ୍ୟରେ ଅଗ୍ରଭାଗରେ ଅଛନ୍ତି ଡାକ୍ତର ଓ ନର୍ସ। ଫାଦର ଗଡ୍‌ ଓ ମଦର ଇଣ୍ଡିଆ। ଏ ଯୁଦ୍ଧ ମଣିଷ ନିଶ୍ଚୟ ଜିତିବ; ଏ ବିଶ୍ବାସ ଅଛି ଏବ˚ ଏହି ବିଶ୍ବାସର ଆଧାର ହେଉଛନ୍ତି ସେମାନେ। ସାଧାରଣ ଲୋକ ଠାରୁ ରାଷ୍ଟ୍ରମୁଖ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ଅନେଇଛନ୍ତି ସେମାନଙ୍କ ଆଡ଼କୁ। ଦିନ ରାତି ଗବେଷଣା ଚାଲିଛି। ମନ୍ଦିର, ଗୀର୍ଜା, ଚର୍ଚ୍ଚ ବନ୍ଦ ଅଛି। କିନ୍ତୁ ଡାକ୍ତରଖାନା ଖୋଲା ଅଛି। ନୂଆ ନୂଆ ଡାକ୍ତରଖାନା ଖୋଲିବାରେ ଲାଗିଛି। ନିଶ୍ଚୟ ବ୍ରହ୍ମାସ୍ତ୍ର ବାହାରିବ ଏବ˚ ମଣିଷ କରୋନା ଉପରେ ବିଜୟ ଲାଭ କରିବ।

ଡାକ୍ତରଖାନାର ବେଡ୍‌ରେ ମୁଁ କେବେ ବି ନିଃସ˚ଗ ଅନୁଭବ କରୁନି। ମୋ ହାତ ପାଆନ୍ତାରେ ମିଳି ଯାଉଛନ୍ତି ନର୍ସ ଓ ଡାକ୍ତର ରୂପରେ ଈଶ୍ବର। ରାତିର ଅର୍ଥପୂର୍ଣ୍ଣ ନିରବତାକୁ ବିଦାରି ଦୂରରୁ ଶୁଭୁଛି ଆମ୍ବୁଲାନ୍‌ସର ସାଇରନ୍‌। ହେଇପାରେ ସୁଖର; ବି ହୋଇପାରେ ମଧ୍ୟ ଦୁଃଖର। ମହାନ ସନ୍ଥ କବି ଭୀମ ଭୋଇଙ୍କ କଣ୍ଠରେ ଶୁଣିପାରୁଛି ପ୍ରାର୍ଥନା : ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।’ ମୁଁ ପାଳି ଧରୁଛି। ଏବ˚ ବିଶିଷ୍ଟ କବି ଟି. ଏସ୍‌. ଏଲିଅଟଙ୍କ କେତୋଟି ଧାଡ଼ି ମୋତେ ଆନ୍ଦୋଳିତ କରୁଛି :
‘The wounded surgeon plies the steel
That questions the distempered part;
Beneath the bleeding hands we feel
The sharp compassion of the healer’s art
Resolving the enigma of the fever chart’.

ରାଜ୍ୟପାଳ, ଓଡ଼ିଶା